ଛଉର ଛଟକ

ଏ ଭିତରେ ମୟୂରଭଞ୍ଜ ଛଉରେ ରୀତିନୀତିରେ ଅନେକ ପରିବର୍ତ୍ତନ ଆସିଛି ହେଲେ ବଦଳିନି ତାଳ, ଲୟ, ଅଙ୍ଗଭଙ୍ଗୀ । ମୟୂରଭଞ୍ଜ ଛଉକୁ ଲୋକନୃତ୍ୟ କୁହାଯାଉଥିଲେ ମଧ୍ୟ ତାକୁ ନିରିଖେଇ ଦେଖିଲେ ବୁଝାପଡିବ ଏହା କେବଳ ଗୋଟିଏ ଲୋକନୃତ୍ୟ ନୁହେଁ ବରଂ ଏହା ଅନେକ ଲୋକନୃତ୍ୟର ସମାହାର ।


ଫଟୋ - ସୁମିତ୍ରା ପାଢୀ

ଆଞ୍ଚଳିକ ଲଳିତକଳା କେନ୍ଦ୍ରରେ କେତକୀ ଫାଉଣ୍ଡେସନ୍ ଆୟୋଜିତ “ଆଇ ଆମ୍ ଉଇଥ୍ ନେଚର୍” ପ୍ରଦର୍ଶନୀର ଶେଷ ଦିନରେ ମୋର ଦେଖା ହୋଇଥିଲା ଛଉ ନୃତ୍ୟଶିଳ୍ପୀ ପ୍ରଦ୍ୟୁମ୍ନ ମହାନ୍ତଙ୍କ ସହ । ଭଲ ଲାଗିଥିଲା ମୋତେ ତାଙ୍କର ଶିବ ତାଣ୍ଡବ । ସେ ପ୍ରାୟ ଦୁଇ ବର୍ଷ ତଳର କଥା । ପ୍ରଦ୍ୟୁମ୍ନଙ୍କ ସହ ମୟୂରଭଞ୍ଜ ଛଉ ବିଷୟରେ ଓ ତାଙ୍କ ଶିଳ୍ପୀ ଜୀବନ ବିଷୟରେ କେତେନା କେତେ କଥାବାର୍ତ୍ତା ହୋଇଛି ତାପରେ । ଏଥର ଯେତେବେଳେ “ବଡ଼ବିଲ୍ ଆର୍ଟ ପ୍ରୋଜେକ୍ଟ ୫” ଅବସରରେ ଦିଲ୍ଲୀର ଶିଳ୍ପୀ ଶତଦ୍ରୁ ଶୋଭନ ଚାହିଁଲେ ଓଡ଼ିଶାର ଏକ ଡ୍ୟାନ୍ସ ଫର୍ମ ସହ ମିଶି କାମ କରିବାକୁ ମୋର ମନେପଡିଲେ ପ୍ରଦ୍ୟୁମ୍ନ । ଏ ଭିତରେ କିନ୍ତୁ ଫୋନ୍ ନମ୍ବର ହଜେଇ ସାରିଥିଲି ମୁଁ । ତେବେ ଥାର୍ଡ଼ ଆଇ ଓ କେତକୀ ଫାଉଣ୍ଡେସନ୍ ର ପ୍ରତିଷ୍ଠାତା ଜ୍ୟୋତି ସ୍ୱାଇଁ ସେଇଟି ଯୋଗେଇଦେଲେ ସାଙ୍ଗେ ସାଙ୍ଗେ ।

ପ୍ରଦ୍ୟୁମ୍ନ ମହାନ୍ତଙ୍କ ଜନ୍ମ ୨ ମଇ ୧୯୯୨ରେ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ୍ ଅନ୍ତର୍ଗତ ଦାରୁଡିହି ଗାଁରେ । ବାପା ମନୋରଞ୍ଜନ ଓ ବଡ଼ବାପା ଗୌରମୋହନ ଉଭୟ ନୃତ୍ୟଶିଳ୍ପୀ । ଉଭୟ ବିଭିନ୍ନ ସମୟରେ ଦେଶ ବିଦେଶ ଯାଇ ଛଉନୃତ୍ୟ ପରିବେଷଣ କରିଛନ୍ତି । ତାଙ୍କ ବାପା-ଜେଜେ ଓ ପୂର୍ବପୁରୁଷମାନେ ମଧ୍ୟ ପାରମ୍ପରିକ ଛଉ ନୃତ୍ୟଶିଳ୍ପୀ ଥିଲେ । ବଡ଼ବାପା ତାଙ୍କର ଜଣେ ନୃତ୍ୟଗୁରୁ । ତେବେ ପାଞ୍ଚ ବର୍ଷ ବୟସ ହୋଇଥିବା ବେଳେ ପ୍ରଦ୍ୟୁମ୍ନ ଛଉ ନୃତ୍ୟ ଶିଖିବାକୁ ଗଲେ ଗୁରୁଶ୍ରୀ ରମଣି ରଞ୍ଜନ ମହାନ୍ତଙ୍କ ପାଖକୁ । କାରଣ ଗୁରୁଶ୍ରୀ ରମଣି ରଞ୍ଜନ ପ୍ରଦ୍ୟୁମ୍ନଙ୍କ ବାପା ଓ ବଡ଼ବାପା ଉଭୟଙ୍କର ମଧ୍ୟ ଗୁରୁ ଥିଲେ । ସେଇଦିନଠୁ ଛଉ ନୃତ୍ୟ ସହ ତାଙ୍କର ଯେଉଁ ସମ୍ପର୍କ ଯୋଡ଼ିଛି ତାହା ଏଯାଏଁ ଅତୁଟ ରହିଛି । ଗାଁ ପାଖ ବାଘଡ଼ା ହାଇସ୍କୁଲ୍‌ରେ ପଢ଼ିବା ବେଳେ ବି ନୃତ୍ୟ ଶିକ୍ଷା ଜାରି ରଖିଛନ୍ତି ସେ । ବାପା ବାହାରେ ରହି ଛୋଟମୋଟ ଚାକିରି କରୁଥିବାରୁ ମାଆ ମନୋରମା ଘରର ଦେଖରଖା, ପ୍ରଦ୍ୟୁମ୍ନଙ୍କ ପଢ଼ାପଢ଼ି, ଛଉ ନାଚ ପାଇଁ ଯିବାଆସିବା ଖର୍ଚ୍ଚବାର୍ଚ୍ଚକୁ ଯଥାକଥେ ତୁଲଉଥିଲେ । ଧିରେ ଧିରେ ପରିସ୍ଥିତି ବଦଳିଲା । କେନ୍ଦ୍ର ସଂସ୍କୃତି ବିଭାଗ, ଭାରତ ସରକାରଙ୍କ ଠାରୁ ୨୦୦୩ରେ ଜୁନିୟର୍ ସ୍କଲାରସିପ୍ ଓ ୨୦୧୭ରେ ସିନିୟର୍ ସ୍କଲାରସିପ୍ ପାଇଲେ ପ୍ରଦ୍ୟୁମ୍ନ । ଦଶମ ପଢ଼ା ସାରି ଭୁବନେଶ୍ୱର ଆସି ଉତ୍କଳ ସଂଗୀତ ବିଦ୍ୟାଳୟରେ ଛଉ ନୃତ୍ୟ ବିଭାଗରେ ନାମଲେଖାଇ ସ୍ନାତକ ଯାଏ ପଢ଼ିଲେ ।

ସେଠାରେ ତାଙ୍କର ଶିକ୍ଷକ ଥିଲେ ଛଉ ନୃତ୍ୟଗୁରୁ ଭବାନୀ ଚରଣ ବିଶ୍ୱାଳ । ବଡ଼ବାପା ଗୌରମୋହନ ମଧ୍ୟ ଢୋଲ ବାଦକ ଭାବରେ ଚାକିରି କରୁଥିଲେ ସେତେବେଳେ । ସେଠାରୁ ଯାଇ ପୁଣି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର କଲେ ପ୍ରଦ୍ୟୁମ୍ନ । ତାଙ୍କର ଏହି ପଢ଼ା ତାଙ୍କ ଦୃଷ୍ଟିକୁ ବ୍ୟାପକ କଲା । ମୟୂରଭଞ୍ଜ ଛଉକୁ ବିଶ୍ୱ ଦରବାରରେ ପରିଚିତ କରାଇବାର ଇଚ୍ଛା ଜନ୍ମନେଲା ମନରେ । ସେଇଥିପାଇଁ ଶତଦ୍ରୁଙ୍କ ପରି ଜଣେ ସମସାମୟିକ ଶିଳ୍ପୀଙ୍କୁ ବୁଝି ସେ ପର୍‌ଫର୍‌ମାନ୍ସ କରିପାରିବେ ବୋଲି ମୋର ବିଶ୍ୱାସ ହେଲା । ସମସାୟିକ ପର୍‌ଫର୍‌ମାନ୍ସ ଆର୍ଟ ଓ ପାରମ୍ପରିକ ଛଉ ନାଚକୁ ମିଶାଇବା କିଛି ସହଜ କଥାନଥିଲା । ଶତଦ୍ରୁଙ୍କର ପ୍ରାକ୍ଟିସ୍ ଥିଲା ସେ ପରିବେଶ ଓ ପରିସ୍ଥିତିକୁ ନେଇ ତତ୍‌କ୍ଷଣାତ ନିଜ ପର୍‌ଫର୍‌ମାନ୍ସର ପ୍ରସ୍ତୁତି ଓ ପରିବେଷଣ କରିବା । କିନ୍ତୁ ପ୍ରଦ୍ୟୁମ୍ନ ତ ପରମ୍ପରାର ଦାୟରେ ବନ୍ଧା । ତଥାପି ଯୁଗଳବନ୍ଦୀ ସଫଳ ହେଲା । କାରଣ ପ୍ରଦ୍ୟୁମ୍ନଙ୍କୁ ସମସାୟିକ ପର୍‌ଫର୍‌ମାନ୍ସ ଆର୍ଟ ବିଷୟରେ ଶତଦ୍ରୁ ବୁଝାଇଲେ ଓ ଶତଦ୍ରୁଙ୍କୁ ଛଉ ନୃତ୍ୟର ପରମ୍ପରାର ପରିସର, ସୀମା ଏବଂ ସମ୍ଭାବନା ବିଷୟରେ ବୁଝାଇଲେ ପ୍ରଦ୍ୟୁମ୍ନ । ମୁଁ ପ୍ରକଳ୍ପର ଅନ୍ୟତମ ସଂଯୋଜକ ଭାବରେ ଦୁହିଁଙ୍କ ଭିତରେ ଯୋଗସୂତ୍ର ଥିଲି । ଦୁହେଁ କୋଣାର୍କ ଓ ପୁରୁଣା ଭୁବନେଶ୍ୱରର ଅନେକ ପ୍ରାଚୀନ ମନ୍ଦିର ପରିସରରେ ସେମାନଙ୍କ ପର୍‌ଫର୍‌ମାନ୍ସ କଲେ, ଫଟୋଗ୍ରାଫି କଲେ । ପରମ୍ପରା ଓ ସମସାମୟିକ କଳାଚିନ୍ତନ ଭିତରେ ଯୋଗସୂତ୍ର ସ୍ଥାପନା କରାଯାଇପାରିବ ବୋଲି ସମ୍ଭାବନାଟିଏ ତିଆରି ହେଲା ।

ଏ ଭିତରେ ମୟୂରଭଞ୍ଜ ଛଉରେ ରୀତିନୀତିରେ ଅନେକ ପରିବର୍ତ୍ତନ ଆସିଛି ହେଲେ ବଦଳିନି ତାଳ, ଲୟ, ଅଙ୍ଗଭଙ୍ଗୀ । ମୟୂରଭଞ୍ଜ ଛଉକୁ ଲୋକନୃତ୍ୟ କୁହାଯାଉଥିଲେ ମଧ୍ୟ ତାକୁ ନିରିଖେଇ ଦେଖିଲେ ବୁଝାପଡିବ ଏହା କେବଳ ଗୋଟିଏ ଲୋକନୃତ୍ୟ ନୁହେଁ ବରଂ ଏହା ଅନେକ ଲୋକ ନୃତ୍ୟର ସମାହାର । ଏଇ ଯେମିତି ସେଥିରେ ରହିଛି ସେହି ଅଞ୍ଚଳର କାଠି ନାଚ, ସଖୀ ନାଚ, ନାଚୁଣୀ ନାଚ, ପାଁତା ନାଚ, ଜାଆ ନାଚ, ଡାହାର୍ ନାଚ, ଧାଙ୍ଗେଡ୍, ହାଦି, ବାହା, ଫେର, ଦାଶାଁଇ, ବୁଢ଼ୀଗାଡ଼ି, ଭୁଆଙ୍ଗ, ସିଂରାୟ, ଆଣାଦି ଆଦିର ଅଙ୍ଗଭଙ୍ଗୀ । ଛଉ ନାଚ ଷଢେଇକଳା ଓ ପୁରୁଲିଆରେ ରହିଥିଲେ ମଧ୍ୟ ମୟୂରଭଞ୍ଜ ଛଉ ଭିନ୍ନ କେତେକ ଦୃଷ୍ଟିରୁ । ସେଠାକାର ନୃତ୍ୟରେ ମୂଖାର ବ୍ୟବହାର କରାଯାଉଥିବା ବେଳେ ମୟୂରଭଞ୍ଜ ଛଉରେ ମୂଖାର ବ୍ୟବହାର ନାହିଁ । ମୟୂରଭଞ୍ଜ ଛଉ ନାଚ ବାଦ୍ୟାନୁସାରୀ ଓ ଅଙ୍ଗଭଙ୍ଗୀ ପ୍ରମୂଖ ।

କୁହାଯାଏ ଛଉ ନାଚ ନଟରାଜ ଶିବଙ୍କ ଉପାସନା ପାଇଁ କରାଯାଏ । ମୟୂରଭଞ୍ଜ ଛଉରେ ଶିବ ତାଣ୍ଡବ ଏକ ଚମତ୍କାର ସଂଯୋଜନା । ନୃତ୍ୟର ନାମ ଛଉ କାହିଁକି ହେଇଛି ବୋଲି ନିର୍ଦ୍ଧିଷ୍ଟ ଓ ଚୁଡ଼ାନ୍ତ ଭାବରେ କିଛି କୁହାଯାଇ ପାରିନି । କିଏ କହେ ଛଦ୍ମରୁ ଛଉ ଆସିଛି ତ କିଏ କହେ ଛାଉଣୀରୁ ଆସିଛି । ବୀର ପାଇକମାନେ ସେନା ଛାଉଣୀରେ ରହିଥିବା ବେଳେ ଏମିତି ଏକ ନୃତ୍ୟକଳାର ଆରମ୍ଭ କରିଥାଇପାରନ୍ତି । ସେଥିପାଇଁ ବୀର ବାଦ୍ୟର ତାଳେ ତାଳେ ଛଉ ନୃତ୍ୟ ହୁଏ ଓ ଏଥିପାଇଁ ଯଥେଷ୍ଠ ଶାରୀରିକ ବଳର ଆବଶ୍ୟକତା ରହିଛି । ଏହା ଏକ ବୀରରସ ପ୍ରଧାନ ସାମରିକ ନୃତ୍ୟ ହୋଇଥିବାରୁ ଏଥିରେ ଆଗରୁ ନାରୀମାନେ ଅଂଶଗ୍ରହଣ କରୁନଥିଲେ । ଆଜି କାଲି କିନ୍ତୁ ନାରୀମାନେ ଭାଗ ନେଲେଣି ।

ରାଜା ମହାରାଜାଙ୍କ ପୃଷ୍ଠପୋଷାକତାରେ ମୟୂରଭଞ୍ଜ ଛଉ ଏକଦା ବଞ୍ଚିରହିଥିଲା । ମୟୂରଭଞ୍ଜ, ନୀଳଗିରି ଓ ଢେଙ୍କାନାଳର ମହାରାଜା ଛଉ ନାଚ ପାଇଁ ଯଥେଷ୍ଠ ସହାୟତା କରିଛନ୍ତି । ଛଉ ନାଚ ଗୁରୁ ଶିଷ୍ୟ ପରମ୍ପରାରେ ଶିଖା ଯାଉଥିବା ଏକ ନୃତ୍ୟକଳା । ପରବର୍ତ୍ତୀ ସମୟରେ ଜଣେ ସଫଳ ଛଉ ନୃତ୍ୟଶିଳ୍ପୀ ହେବା ପାଇଁ ଜଣକୁ ପିଲାଦିନୁ ଏହି ନୃତ୍ୟକୁ ଗୁରୁଙ୍କ ପାଖରୁ ଶିଖିବାକୁ ହୁଏ । ଦଶହରା ବେଳେ ଶିଷ୍ୟ ଗୁରୁ ବା ଓସ୍ତାଦଙ୍କ ପାଖରେ ଯାଇ ପହଞ୍ଚେ । ଗୁରୁ ସେମାନଙ୍କର ରୂପରେଖ ଓ ଶାରୀରିକ ଗଠନ ଦେଖି ନୃତ୍ୟ ଶିକ୍ଷା ଦେବା ପାଇଁ ଶିଷ୍ୟକୁ ମନୋନୀତ କରନ୍ତି । ଦଶହରା ଦିନ ଭୈରବଙ୍କ ପାଖରେ ବିଧିବଦ୍ଧ ପୂଜାର୍ଚ୍ଚନା କରି ଦେବତାଙ୍କ ନିକଟରେ ପୂଜା ହୋଇଥିବା ଲାଲ ସାଲୁକନା ‘ସାଗିରଥ’ ବା ‘ନଟ’ଙ୍କ ହାତରେ ବାନ୍ଧନ୍ତି । ଏହି ପ୍ରକ୍ରିୟାକୁ ‘ନାଡ଼ା ବନ୍ଧା’ କୁହାଯାଏ । ସେଇଦିନଠୁ କେତେକ ନିର୍ଦ୍ଧିଷ୍ଟ ନିୟମକାନୁନ ପାଳନ କରିବା ସହ ବିଧିବଦ୍ଧ ନୃତ୍ୟଶିକ୍ଷା ଆରମ୍ଭ ହୁଏ ଶିଷ୍ୟର ।

ପ୍ରଥମରୁ ଦଣ୍ଡ, ବୈଠକ, କୁସ୍ତି କସରତ ପ୍ରଭୃତି ମୌଳିକ ଶାରୀରିକ ଶିକ୍ଷା ଦିଆଯାଏ । ତାପରେ ଯାଇ ଆରମ୍ଭ ହୁଏ ନୃତ୍ୟଶିକ୍ଷାର ବିଭିନ୍ନ ପାବଚ୍ଛ; ଚୈାକ, ଧରଣ, ଉଫିଲ୍, ଟପ୍‌କା ଓ ବନ୍ଧ ଇତ୍ୟାଦି । ପ୍ରଥମେ ନୃତ୍ୟଶିଳ୍ପୀଙ୍କୁ ଡାହାଣ ହାତରେ ଖଣ୍ଡା ଓ ବାମ ହାତରେ ଢାଲ ଧରି ଚଉକ ଭଙ୍ଗୀରେ ଠିଆ ହେବା ପାଇଁ ଶିକ୍ଷା ଦିଆଯାଏ । ତାପରେ ଶିଖାଯାଏ ଛତିଶି ପ୍ରକାରର ଉଫିଲ୍ । ଉଫିଲ୍ ହେଲା ଅଙ୍ଗାଭିନୟ । ସାଧାରଣ ଜୀବନଚର୍ଯ୍ୟାରୁ ଏହି ଉଫିଲ୍ ସବୁ ଆସିଛି । ଏଇ ଯେମିତି; ବାସନ ମଜା, ଛୁଞ୍ଚ ଦିଆ, ଝାଡୁ ଦିଆ, ଛଣ ଦିଆ, ହଳଦୀ ବଟା, ଗାଧୁଆ, ଅନ୍ତ ମୋଡ଼ା, ଖଣ୍ଡା ହଣା, ବତା ଚିରା, ଝୁଣ୍ଟିଆ ମଜା, ମୁହଁ ପୋଛା, ଧାନ କୁଟା, ଧାନ ପାଛୁଡା, ପାଣି ଖିଆ, ଚିଙ୍ଗୁଡ଼ି ଛିଟ୍‌କା, କଣ୍ଟା କଟା, ଗୁଟି ଉଠା, ଗୋବର ଗୋଳା, ଗାଧୁଆ, ମଥା ଝଡ଼ା, ସିନ୍ଥା ଫଡା, ସିନ୍ଦୂର ପିନ୍ଧା, ହାବ୍‌ସା, ବତାଚିରା ଇତ୍ୟାଦି । ପ୍ରକୃତି ଓ ପଶୁ ପକ୍ଷୀଙ୍କ ଗତିବିଧି ଯଥା ହରିଣ ଡିଆଁ, ଶେଉଳ ଡିଆଁ, ବଗ ମାଛ ଖୋଜା, ମାଙ୍କଡ଼ଚିତ୍, ବାଘ ପାଣିଖିଆ, ଛେଳି ଡିଆଁ ଇତ୍ୟାଦି ମଧ୍ୟ ରହିଛି । ୩୬ ପ୍ରକାର ଉଫିଲ୍ ସହ ରହିଛି ୬ ପ୍ରକାରର ଟପ୍‌କା ଅର୍ଥାତ ପାଦ ପକାଇବାର ଭଙ୍ଗୀ । ଯଥା; ସାଦା, ଲହରା, ଡୁବା, ଉସ୍‌କା, ଢେଉ, ମୁଡ଼ା । ଟପ୍‌କାରେ ରହିଛି ଉଭୟ ଲାସ୍ୟ ଓ ରୌଦ୍ର ଭାବ । ତେଣୁ ମୟୂରଭଞ୍ଜ ଛଉ ନୃତ୍ୟରେ କେବଳ ପୁରୁଷ ନୁହେଁ ନାରୀମାନଙ୍କର ମଧ୍ୟ ସ୍ଥାନ ରହିଛି ।

ଛଉ ନାଚରେ ବାଦ୍ୟର ବଡ଼ ଭୂମିକା ରହିଛି । ବାଦ୍ୟର ତାଳେ ତାଳେ ନୃତ୍ୟଶିଳ୍ପୀମାନେ ପାଦରେ ପାଦ ମିଳାଇ ନୃତ୍ୟ କରନ୍ତି । ନୃତ୍ୟରେ ପାରମ୍ପରିକ ବାଦ୍ୟ ମହୁରୀ, ଢୋଲ, ଚଡ଼ଚଡ଼ି ଓ ନାଗରା, ଶିଙ୍ଘା, କରତାଳ, ଧୁମୁସା, ଚକ୍ର ଓ ଘଣ୍ଟ ଆଦି ବ୍ୟବହୃତ ହୁଏ । ଆଜିକାଲି ଅନେକ ପ୍ରକାରର ଆଧୁନିକ ବାଦ୍ୟଯନ୍ତ୍ରର ବ୍ୟବହାର ଅବଶ୍ୟ କରାଗଲାଣି । ଏହି ଦେଶୀୟ ବାଦ୍ୟରେ ବୀରରସ ବାଜିବା ସହ ମଞ୍ଚପ୍ରବେଶ ହୁଏ ଶିଳ୍ପୀଙ୍କର ।

ସମୟକ୍ରମେ ଛଉନୃତ୍ୟ ଦେଶ ବିଦେଶରେ ଓଡିଶାକୁ ପରିଚିତ କରାଇବା ସହ ପ୍ରସିଦ୍ଧ କରିଛି । ଏକଦା ରାଜକୀୟ ପୃଷ୍ଠପୋଷକତାରେ ସମୃଦ୍ଧ ହୋଇଥିବା ଆମର ମୟୂରଭଞ୍ଜ ଛଉ ଆଜି କେବଳ ପରମ୍ପରାରର ଅଂଶ ଭାବରେ ବଞ୍ଚିରହିଛି । କଳାକୁ ଓ ପରମ୍ପରାକୁ ଭଲପାଉଥିବା ସାଧାରଣ ମଣିଷମାନେ ହଜାରେ ପ୍ରତିକୂଳ ପରିସ୍ଥିତରେ କଳାକୁ ଜିଆଇ ରଖିଛନ୍ତି । ସେଇ ସାଧାରଣ ମଣିଷମାନଙ୍କ ଅସାଧାରଣ କାମ ଭିତରେ ହିଁ ବଞ୍ଚିରହିଛି ଅତୀତ । ବଞ୍ଚିରହିଛି ଆମେ ଆଜି ଗର୍ବ କରୁଥିବା ହଜାରେ କଥାର କାରଣ ।

Report an Error