ଯେବେ "ବ୍ଲୁ"ର ମାନେ ନୀଳ ନୁହେଁ...

ସୁମନ ଦାସଙ୍କ ଗପ ପଢିଲା ପରେ ଲାଗିଲା ସେ ଆହୁରି ଅଧିକ ଗପ ଲେଖିବା ଉଚିତ୍ । ତାଙ୍କ ହାତରେ ଗପ ଭଲ ଉତୁରୁଛି । ଇନ୍ଦ୍ରଧନୁର ସବୁ ରଙ୍ଗକୁ ନେଇ ତାଙ୍କର ଗୋଟେ ଗୋଟେ ସଂକଳନ ଆସୁ । ଆମେ ଅପେକ୍ଷା କରିବା ।


ଫଟୋ - ଇଭେଣ୍ଟ୍ସ

ଆଛା, ବ୍ଲୁ’ର ମାନେ କ’ଣ ସବୁବେଳେ ନୀଳ ହେବାକୁ ବାଧ୍ୟ କି ? ମୁଁ ଜାଣିନି । ମୁଁ କିନ୍ତୁ ଜାଣିଛି ଆକାଶ ନୀଳ । ନୀଳ ସମୁଦ୍ର । ମେଘ ବି ନୀଳ । ନୀଳ ଦୂର ପର୍ବତ । କୃଷ୍ଣ ବି ନୀଳ । ନୀଳ କଇଁ । ପ୍ରେମର ରଙ୍ଗ ନୀଳ । ମରଣର ରଙ୍ଗ ବି ନୀଳ । ଚାରିପାଖରେ ନୀଳ । ନୀଳ ଗୋଟେ ନୁହେଁ । ତା’ର କାହିଁରେ କେତେ ସେଡ୍ । କୁହାଯାଏ ୧୪୪ ପ୍ରକାର ନୀଳ ରଙ୍ଗ ଅଛି । ଥାଉ ।

ସୁମନ ମୋତେ ତାଙ୍କ ଗପ ବହି ଅନେକ ଦିନ ତଳେ ଦେଇଥିଲେ । ସୁମନ ମାନେ ସୁମନ ଦାଶ । ତାଙ୍କ ଗପ ବହିର ନାଁ ହେଲା ‘ବ୍ଲୁ’ । ମଝିରେ ଥରେ ମୁଁ ପଢିଲି କି ନା ବୋଲି ପଚାରି ବି ଥିଲେ । ମୁଁ ସତରେ ପଢି ପାରିନଥିଲି । ତେଣୁ ମନା କଲି । ମୁଁ ବହିଟି ପଢି ପାରିନଥିଲି କିଛିଟା ଅଳସୁଆମିରେ, କିଛିଟା କାର୍ଯ୍ୟ ବ୍ୟସ୍ଥତାରେ ଓ କିଛିଟା ହେଳାରେ । କାଲି ଆରମ୍ଭ କଲି ଓ ଆଉ ଗୋଟେ ଥରରେ ପଢିନେଲି । ପଢିଦେଲି ମାନେ ବହିର ଗପମାନେ ମୋତେ ହାତ ଧରି ଟାଣି ଟାଣି ଆଗକୁ ନେଇଗଲେ ।

ସତରେ ମୁଁ ଜାଣିନଥିଲି ସୁମନ ଆମର ଏତେ ଚମତ୍କାର ଗପ ଲେଖିଥିବ ବୋଲି । ସୁମନଙ୍କ କୌଣସି ଗପ ମୁଁ ଆଗରୁ ଗୋଟେବି ପଢିନଥିଲି । ବହିରୁ ହିଁ ପଢିଲି । ଗପ ବହିର ନାମ ‘ବ୍ଲୁ’ । ବହିର ପ୍ରକାଶକ ହେଲେ ଭୁବନେଶ୍ୱରର ‘ଇଭେଣ୍ଟ’ ପ୍ରକାଶନ ସଂସ୍ଥା । ବହିର ପୃଷ୍ଠା ସଂଖ୍ୟା ୧୬୦ । ମୂଲ୍ୟ ଭାରତୀୟ ମୁଦ୍ରାରେ ଦୁଇଶହ ଟଙ୍କା । ଆକାର ଏ-ଫୋର୍ ଡିମେଇ ପେପର୍ ବ୍ୟାକ୍ । ପରିଚ୍ଛନ୍ନ ମୁଦ୍ରଣ । ସୂଚନା ଅନୁସାରେ ବହି ଛପା ଯାଇଛି ଥମସନ୍ ପ୍ରେସ୍, ନୂଆ ଦିଲ୍ଲୀରେ । ସୁନ୍ଦର ପ୍ରଚ୍ଛଦ । ପ୍ରଚ୍ଛଦ ଡିଜାଇନ୍ କରିଛନ୍ତି ପ୍ରକାଶ ମହାପାତ୍ର । ବହିରେ ଅଛି ସମୁଦାୟ ୯ଟି ଗପ ଓ ୧୧ଟି ଅଳଙ୍କରଣ । କିଏ ଅଳଙ୍କରଣ କରିଛନ୍ତି ତା’ର ଉଲ୍ଲେଖ ଅବଶ୍ୟ ନାହିଁ । ପ୍ରଚ୍ଛଦରେ ଉଭୟେ ଇଂରାଜୀ ଓ ଓଡିଆରେ ଲେଖାଯାଇଛି ବ୍ଲୁ/Blue । ଫରାସୀ ଚିତ୍ରଶିଳ୍ପୀ ପଲ୍ ଗଗାଁଙ୍କ ଧାଡିଏ କଥା କୋଟ୍ କରାଯାଇଛି ।

“If you see a tree as blue, then make it blue”
Blue exists when you hear and now.

ବହିର ପଛ ପାଖରେ ଜାଁ ପଲ ସାର୍ତ୍ତ୍ରେଙ୍କ ଗୋଟେ କୋଟ୍ । ସୁମନଙ୍କ ଗପ ବିଷୟରେ ଦେବଦାସ ଛୋଟରାୟ, ଅଜୟ ସ୍ୱାଇଁ ଓ ଶକ୍ତି ମହାନ୍ତିଙ୍କର ଅଳ୍ପରେ ମନ୍ତବ୍ୟ ରହିଛି । ଭିତରେ ଅଛି ଶକ୍ତି ମହାନ୍ତି ଓ ପ୍ରକାଶ ମହାପାତ୍ରଙ୍କ ପୃଷ୍ଠେ ଲେଖାଁ ବକ୍ତବ୍ୟ । ସୁମନ ତାଙ୍କ ପ୍ରଥମ ଗପ ବହିକୁ ଉତ୍ସର୍ଗ କରିଛନ୍ତି ଯଥାକ୍ରମରେ ତାଙ୍କ ବାପା, ତାଙ୍କ ବୋଉ ଓ ଗାଳ୍ପିକ ଅଜୟ ସ୍ୱାଇଁଙ୍କୁ । ବହିର ଶେଷରେ ସୁମନ ତାଙ୍କ ଗପ ଲେଖା ବିଷୟରେ ‘ଗପ ପଛର ଗପ’ ଶୀର୍ଷକରେ ଚାରି ପୃଷ୍ଠା ଲେଖିଛନ୍ତି । ତାହାବି ଗୋଟେ ଗପ ହେଇଯାଇଛି ।

ସୁମନ ତାଙ୍କର ପ୍ରାୟ ଗପରେ ଯେଉଁ ବୟସର ଯୁବକମାନଙ୍କର ମନସ୍ତତ୍ତ୍ୱ ବିଷୟରେ ବର୍ଣ୍ଣନା ସବୁ କରିଛନ୍ତି ସେ ବୟସ ମୁଁ ଅନେକ ବର୍ଷ ତଳୁ ଅତିକ୍ରମ କରି ଆସିସାରିଛି । କଲେଜ ପଢା ବୟସ ସେସବୁ । ସେଇ ବୟସର ବୋହିମିଆନ ମେସ୍ ଜୀବନ, ସେଇ ବୟସର ପ୍ରେମ ପ୍ରତାରଣା, ମନସ୍ତାପ, ନିରାଶା ଓ ଡେଣା ଲଗା ସ୍ୱପ୍ନମାନଙ୍କର ସାରା ଆକାଶରେ ଲୋଟଣୀ ଭାଙ୍ଗିବାର ଦେଖି କେବେ ଖୁସି କେବେ ଦୁଃଖୀ ଦୁଃଖୀ ହେବାର ଯୁଗପତ୍ ଅବସ୍ଥା ଭୋଗି ସାରିଛି । ତେଣୁ ସୁମନଙ୍କୁ ଓ ତାଙ୍କ ଗପକୁ ଭଲରେ ବୁଝିଛି ଓ ସେ ଗପ ଲେଖିଲା ବେଳେ କେମିତିଆ ମନସ୍ତତ୍ତ୍ୱରେ ବାଟ ଚାଲୁଥିଲେ ଦେଖିପାରିଛି । ପ୍ରଥମ ପୁରୁଷରେ ଗପ ଲେଖିବା ଏତେ ସହଜ କଥା ନୁହେଁ । ଜଣେ ଗାଳ୍ପିକ ଭାବରେ ଏ କଥା ଭଲରେ ଜାଣିଛି ମୁଁ । କାରଣ ମୁଁ ରୁ ବାହାରି ନିଜକୁ ଏକ ସର୍ବବ୍ୟାପି ଓ ସର୍ବଜ୍ଞାତା ଭାବରେ ଯଦୃଚ୍ଛା ଘୁରିବୁଲିବାର ଯେଉଁ ସ୍ୱାଧୀନତା ଅନ୍ୟଠି ଥାଏ, ତାହା ପ୍ରଥମ ପୁରୁଷରେ ଲେଖା ଗପରେ ଗାଳ୍ପିକ ପାଖରେ ନଥାଏ । ସୁମନଙ୍କର ପ୍ରାୟ ଗଳ୍ପ ପ୍ରଥମ ପୁରୁଷରେ ଲିଖିତ । ନିଜର ଅଙ୍ଗେଲିଭା ଅନୁଭୂତି ପରି ସେ କାହାଣୀ ସବୁ ପାଠକକୁ ଶୁଣେଇ ଚାଲିଛନ୍ତି । ସବୁ ଗପରେ ସେ ନିଜେ ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର । ସୁମନଙ୍କ ଗପର ଭାଷା ଓ ବର୍ଣ୍ଣନା ଚାତୁରୀ ଭାରୀ ସହଜ, ସରଳ ଓ ତରଳ । ସାଙ୍ଗ ସାଥି ମେଳରେ ଖଟି ବେଳାରେ ବ୍ୟବହୃତ ଭାଷାକୁ ବଢିଆ ବ୍ୟବହାର କରିଛନ୍ତି ସେ । ବେଶୀ ଗୋଟେ ଭାରି ଦର୍ଶନକୁ ବି ଏମିତିକା ସହଜ ସରଳ ଭାଷାରେ ପ୍ରକାଶ କରାଯାଇପାରେ ବୋଲି ପରୀକ୍ଷା କରି ଦେଖାଇଛନ୍ତି । ଭାଷାର ସହଜ ବ୍ୟବହାର ଓ ବର୍ଣ୍ଣନା ଚାତୁରୀ ଯୋଗୁଁ ବହିର ଗପସବୁ ପଢିଲା ବେଳେ ଲାଗୁଛି ଆମେ କେତେଜଣ ଏକ ଅଳସ ଅପରାହ୍ନରେ ହାତରେ ସିଗାରେଟ୍ ଓ ଚା’ ଗ୍ଲାସ୍ ଧରି ଆମ ପୁରୁଣା ବସଷ୍ଟାଣ୍ଡ ଖଟିରେ ବସିଛୁ ଓ ସୁମନ ତାଙ୍କର ଅଙ୍ଗେଲିଭା କଥା ଗୋଟେ ଗପୁଛନ୍ତି ।

ନିଜକୁ ବ୍ୟଙ୍ଗ କରିବା ଓ ଅତିଗୋଟେ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟୁଥିବା ସମୟରେ ଚଟୁଳ କିଛି ବକ୍ତବ୍ୟର ଅବତାରଣିକା ସେ ତାଙ୍କ ଗପରେ ବଢିଆ କରି କରିପାରିଛନ୍ତି । ଆମ ସମସାମୟିକ ଗପରେ ଏପରି ଖୁବ୍ କମ୍ ଗାଳ୍ପିକ କରିପାରିଛନ୍ତି । ତାପରେ ବଡକଥା ହେଲା ଗପର ଚରିତ୍ରମାନଙ୍କ ପାଇଁ ଗାଳ୍ପିକ କଥା କହୁନାହାଁନ୍ତି । ଚରିତ୍ରମାନେ ସେମାନଙ୍କ ନିଜ କଥା କହୁଛନ୍ତି ସେମାନଙ୍କ ତୁଣ୍ଡରେ । ପାଠକକୁ ଗପ ଭଲ ଲାଗିବାର ଅନ୍ୟତମ କାରଣ ହେଲା ସୁମନ ନାଟକରେ ବ୍ୟବହୃତ ସଂଳାପ ପରି ତାଙ୍କ ଚରିତ୍ରମାନଙ୍କ ବକ୍ତବ୍ୟକୁ ସେଇ ଚରିତ୍ର ମୁହଁରେ ପ୍ରଚୁର ଭାବରେ କୁହା କରାଇଛନ୍ତି । ଗପକୁ ଆଗକୁ ନେବାକୁ ଓ ଗତିଶୀଳତା ଦେବାରେ ପାତ୍ରମୁଖୀ ସଂଳାପ କଥନ ଖୁବ ସାହାଯ୍ୟ କରେ । ବର୍ଣ୍ଣନା ଓ ସଂଳାପକୁ ଏକାସାଙ୍ଗରେ ଧରି ବାଟ ଚାଲିବାର କାରିଗରୀ ଏତେ ସହଜ କିନ୍ତୁ ନୁହେଁ । ସୁମନ କିନ୍ତୁ ପାରିଛନ୍ତି ।

ଭଲ ଗପ ଲେଖିବା ପାଇଁ ଭଲଗପ ପଢିବା ଜରୁରୀ ବୋଲି ମୁଁ ବିଶ୍ୱାସ କରେ । ସୁମନ ପ୍ରଚୁର ବହି ପଢନ୍ତି ଏ କଥାବି ଜାଣେ । ଆମ ଓଡ଼ିଆ ଗାଳ୍ପିକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଭାରତୀୟ ଭାଷା ଓ ବିଦେଶର ଫିକ୍ସନ୍- ନନ୍‌ଫିକ୍ସନ୍ ସେ ସବୁବେଳେ ପଢୁଥା’ନ୍ତି । ତେଣୁ ତାଙ୍କର ଚେର ନିଜ ମାଟି ଭିତରକୁ ଯେତେ ଗହୀରକୁ ଯାଇଛି ସେତିକି ଆକାଶ ଆଡ଼କୁ ହାତ ଲମ୍ବାଇଛି । ତାଙ୍କ ଗପ ପଢିଲା ବେଳେ ଲାଗିବ ଗପର କାହାଣୀ ସବୁ ଆମେ ଉଣା ଅଧିକେ ଜାଣିଛେ ଓ ଚରିତ୍ରମାନଙ୍କୁ କୋଉଠିନା କୋଉଠି ଭେଟିଛେ । କିନ୍ତୁ ସେଇ ଜାଣିଥିବା କାହାଣୀକୁ ଏମିତି ସାତ ବାଙ୍କରେ ବୁଲେଇ ସୁମନ ବାଟ ଚଲାଇ ନେଉ ନେଉ ଏମିତି ଗୋଟେ ଯାଗାରେ ଛାଡିଦିଅନ୍ତି ଯେ, ସେଠି ପାଠକ ବାପୁଡା ଛିଡା ହେଇ ଭାବେ ସତରେ ସେ ଏତେଗୁଡେ ରାସ୍ତା ଚାଲି ଚାଲି ଆସିଲା ନା ଏଇ ଏଇ ବାଟ ଚଲା ଆରମ୍ଭ କଲା? ଏବେ ସେ ଗପ ଗଳିର ଶେଷମୁଣ୍ଡରେ ଠିଆହେଇ ରହିବ ନା, ଆଗକୁ ଯିବ ନା ଫେରିଯିବ ପଛକୁ? ଖାସ୍ ଗୋଟେ ଗପର ଦାୟରେ ଗପ ଭିତରେ ଅଛି ଆହୁରି କିଛି ଗପ । ଗାଳ୍ପିକ ତା’ ଗପରେ ତା’ ହାତ ତିଆରି ଚରିତ୍ର ପାଖରୁ ଯେଉଁ ସତ କଥାଟି ଶୁଣୁଛି ସକାଳକୁ ତାହା ଗପ ହେଇଯାଇଛି । ଠିକ୍ ଯେଉଁଠି ଗପ ସରୁଛି ପାଠକ ଠିକ୍ ସେଉଠୁ ତା’ ମନରେ ଆଉ ଗୋଟେ ଗପ ତିଆରି କରୁଛି । ଗପ ପରେ ଗପ ଓ ତାପରେ ଗପ । ଅସରନ୍ତି ସେ ରାସ୍ତା । ଠିକ୍ ସେମିତି ‘ବୈରାଗୀ ଭଅଁର’ ଗପ । ଗପ ସରୁଛି କିନ୍ତୁ ସତରେ ସରୁଛି କି? ପାଠକ ପାଇଁ ଟାସ୍କ । ପାଠକ ଏଥର ବୁଝୁ । ତା ବାଟରେ ବୁଝୁ । ଏତେ ସହଜରେ ଖସିଗଲେ ଚଳିବନିରେ ବାବା । କାଳୀ ଗାଈ ଫୁଲ ଗଛ କାହିଁକି ଖାଇଲାରୁ ଆରମ୍ଭ ହେଇ ଧୂଳିଆ ଜନ୍ଦା ପାଖରେ ଏଥର ଗପ ସରିବନି । ଭାବ ...ଭାବ... ଆହୁରି ଭାବ... .. .. ।

‘ଆକ୍ୱାରିଅମ୍‌ର ମାଛ ବନାମ ଦାମ୍ପତ୍ୟ’ ଗପର ନିତିଦିନିଆ ଦାମ୍ପତ୍ୟ ପ୍ରେମ ହେଉ କି ‘ହାତ’ ଗପର ପୁରୁଣା ପ୍ରେମିକାକୁ ହଠାତ୍ ଭେଟିବା ହେଉ ସୁମନଙ୍କ ଗପରେ ସବୁବେଳେ କିଛିନା କିଛି ସମ୍ପର୍କର ବର୍ଣ୍ଣନା ରହିଛି । ସେ ସମ୍ପର୍କ କେତେବେଳେ ସାଇକେଲ୍ ସାଙ୍ଗରେ ତ କେବେ ବସ୍ ଯାତ୍ରାରେ ପାଖ ସିଟ୍ ରେ ବସିଥିବା ବୟସ୍କ ଲୋକସହ ତ ପୁଣି କେବେ ପାଖ ଗାଁକୁ ବଦଳି ହେଇ ଆସିଥିବା ନିଜ ପୁଅ ଚେହେରା ସାଙ୍ଗରେ ଅବିକଳ ମିଶୁଥିବା ଡାକ୍ତର ସହ । ‘ଜହ୍ନ ଆଲୁଅରେ ତରଳି ଯାଉଥିବା ଛାଇ’ ଗପରେ ସେଇ ସମ୍ପର୍କ ଦାୟରେ ବୁଢା ଲୋକଟି ଡାକ୍ତର ଦେଇଥିବା ଔଷଧ ପୁଡିଆକୁ କେନାଲ୍ ପାଣିରେ ଭସେଇଦିଏ । ଡର, ରୋଗ ଭଲ ହେଇଗଲେ ସେ ପୁଣି ଥରେ ଟୋକା ଡାକ୍ତର ପାଖକୁ ଆସିବ କେମିତି ଯେ? ‘ସ୍ଥାଣୁତ୍ୱ’ ଗପରେ ଅଛି ମା –ଝିଅଙ୍କ ଭିତରେ କ୍ରମେ ବଦଳି ଯାଇଥିବା ସମ୍ପର୍କ, ଯାହା ଉପରକୁ ଏକଦମ୍ ସଫା ସୁତୁରା ସରଳ ଦିଶୁଥିଲେ ମଧ୍ୟ ଭିତରେ ଭିତରେ ସମୟ କ୍ରମେ କେତେ ଅଲଗା ହେଇଯାଇଛି ।

ସୁମନଙ୍କ ପ୍ରାୟ ଗପର ଏଣ୍ଡିଂଟି ଭାରି ଚମତ୍କାର । ଏକଦମ୍ ‘ଓ ହେନେରୀୟ’ ନ ହେଲେ ବି ଗପର ଶେଷ ଧାଡିରେ ପାଠକକୁ କିଛି ନା କିଛି ଭାବିବାକୁ ଜାଗା ଛାଡିଦିଅନ୍ତି ସେ । ‘ବ୍ଲୁ’ ବହିର ଗପମାନଙ୍କର ଶେଷ ଧାଡିମାନଙ୍କ ବିଷୟରେ କିଛିବି କହିବିନି ମୁଁ । ଗପର ରାସ୍ତା କୋଉଠି ସରୁଛି ସେ କଥା ଜାଣିବାକୁ ଆପଣଙ୍କୁ ସୁମନଙ୍କ ଗପ ପଢିବାକୁ ହେବ । ହଁ ଏକଥା କହିପାରେ ଯେ ‘ବ୍ଲୁ’ ବହିର ଗପସବୁ ପଢି ଆପଣଙ୍କୁ ଓଡିଆ ନୂଆ ଗପର ଧାରା ସମ୍ପର୍କରେ ଧାରଣା ନିଶ୍ଚୟ ହେଇଯିବ । ଓଡ଼ିଆ ଗପର ଭବିଷ୍ୟତ ନେଇ ଆଉ ଏତେଟା ନିରାଶ ଲାଗିବନି ।

ସୁମନଙ୍କ ଗପ ପଢିଲା ପରେ ଲାଗିଲା ସେ ଆହୁରି ଅଧିକ ଗପ ଲେଖିବା ଉଚିତ୍ । ତାଙ୍କ ହାତରେ ଗପ ଭଲ ଉତୁରୁଛି । ଇନ୍ଦ୍ରଧନୁର ସବୁ ରଙ୍ଗକୁ ନେଇ ତାଙ୍କର ଗୋଟେ ଗୋଟେ ସଂକଳନ ଆସୁ । ଆମେ ଅପେକ୍ଷା କରିବା ।

ଆଛା ଗୋଟେ ପ୍ରଶ୍ନ ଥିଲା । ବ୍ଳୁ ମାନେ ନୀଳ ତ ?

ବ୍ଲୁ’ର ମାନେ କ’ଣ ସବୁବେଳେ ନୀଳ ହେବାକୁ ବାଧ୍ୟ କି ? ବହିର ମଲାଟ ଓଲଟାଇଲେ ଆଗ ଆଖିରେ ପଡେ ଶିରାଳ ଶୁଖିଲା ଓସ୍ତ ପତ୍ରର ଛବି ପାଖରେ ଲେଖା ଏଇ ତିନିଧାଡି -

Blue happens,
when the mirror stops saying,
blue-blue-bla-bla-blik-blick…

କଥାଟିକୁ ପରୀକ୍ଷା କରିବାକୁ ଇଚ୍ଛା ତ ସୁମନଙ୍କ ଗପସବୁ ପଢିବାକୁ ପଡିବ । ତାପରେ ଯାଇଁ ହୁଏତ ଉତ୍ତର ମିଳିଯାଇପରେ ବ୍ଲୁ ମାନେ ନୀଳ ନା ନାହିଁ ।