ବିକଳ୍ପ

ଗୋଟେ ବିକଳ୍ପ ଅଛି ଚରମ ଧ୍ଵଂସରେ ବି, ଅଛି ବି ଜୀବନ ସଙ୍ଗୀତ ନୌକା ଡୁବିଗଲା ପରେ ।


ଫଟୋ - କେଦାର ମିଶ୍ର

ଏତେ ବାରୁଦ ଗଂଧରେ ବି
ଯଦି ନିଦ ଭାଂଗୁନାହି ତେବେ ତାର ଏକମାତ୍ର ବିକଳ୍ପ ହେଉଛି ସ୍ବପ୍ନ
ସ୍ବପ୍ନ ପୁଣି ଏମିତି
ଯାହା କ୍ଷତରୁ ଫୁଟାଏ ପଦ୍ମ

ଆଉ କିଛି ବି ତ ଉପାୟ ଦିଶୁନାହିଁ
ବଂଦ କରିବା ପାଇଁ ବନ୍ଧୁକର ମୁହଁ
ତେଣୁ ତାର ମାଛିକୁ କର ଗୋଟେ ମଲ୍ଲୀକଢ
ନିଘା ରଖ କେତେବେଳେ ଉଡି ଆସି ବସିବ ଭ୍ରମର
ଆଜି ନହେଲେ କାଲି
ଗୁଳି ତ ବାଜିବ ହିଁ ଘାତକ ସମୟର

ଯଦି ଆହୁରି ବିଳଂବ ଅଛି ସୂର୍ଯ୍ୟୋଦୟ
ତାର ଏକମାତ୍ର ବିକଳ୍ପ ଜହ୍ନଆଲୁଅ
ଜହ୍ନଆଲୁଅ ପୁଣି ଏମିତି
ଯାହା ନିରବତାରେ ଫୁଟାଏ ରାଗ ସଂଗୀତ

ଆଉ କିଛି ଉପାୟ ବି ତ ଦିଶୁନାହିଁ
ଅଟକାଇ ରଖିବାକୁ ଏ ଝଡର ଉତ୍ପାତ
ତେଣୁ ନୌକା ମେଲିଦିଅ ନଦୀରେ
ନୌକା ବୁଡିବା ଆଗରୁ
ପ୍ରତିଧ୍ବନିତ ଆର କୂଳରେ
ନାଉରିଆର ଜୀବନ ସଂଗୀତ ।