ବାସ୍ତବ ଭାଷାପ୍ରୀତି

ଓଡିଶାର ଖ୍ୟାତନାମା ଭାଷାବିତ, କବି ଓ କଥାକାର ପ୍ରଫୁଲ୍ଲ ତ୍ରିପାଠୀ ଭାଷାକୁ ନେଇ ନିୟମିତ କବିତା ଲେଖୁଛନ୍ତି । ଅତିବଡୀ ଜଗନ୍ନାଥ ଦାସ ଓ ଭୀମ ଭୋଇଙ୍କ ପରମ୍ପରାର ଆଧାରରେ ଭାଷାକୁ ଲୋକଗ୍ରାହୀ କରିବାର ଏକ ପ୍ରୟୋଗ ତାଙ୍କ କବିତାରେ ରହିଆସୁଛି । ଭାଷା ଭାଗବତକୁ ଆମେ ନିୟମିତ ପ୍ରକାଶ କରୁଛୁ ।


ବାସ୍ତବ ଭାଷା ପ୍ରତି ପ୍ରୀତି
ବଦଳେ ଅବଲୁପ୍ତ ରୀତି
ପାଳନକାରୀ ହେଲେ ଜାତି
ହୁଏନି ଭାଷାର ଉନ୍ନତି

କାଳେ ଅଶୁଦ୍ଧ ହେବ ଭାବି
ଯଦି ନ କହିବି, ଲେଖିବି
ମୋ ମନ କୋଲପର ଚାବି
ଖୋଜିଲେ କେଉଁଠି ପାଇବି ?

ଭାଷା ପ୍ରୟୋଗ ପାଇଁ ଭୀତି
ଦ୍ବାରା ଆକ୍ରାଂତ ହେଲେ ମତି
ନିଜେ କରିବି ନିବାରଣ
ହେବିନି ଆଉ ଉଦାସୀନ

ମୁଁ ଯେଣୁ ଭାଷାର ସଂତାନ
ତାହାର ଉନ୍ନତି ବିଧାନ
ପ୍ରତି ନିଶ୍ଚୟ ଦେବି ଧ୍ୟାନ
ଏହା ହିଁ ଶ୍ରେଷ୍ଠ ସମାଧାନ

ଶିଖି, ଶିଖାଇ ଜାଣିନାହୁଁ
ପୂର୍ବ ଧାରାରେ ବହିଯାଉଁ
ଅନିୟଂତ୍ରିତ ହେଲେ ସ୍ରୋତ
ପହଁରାଳି ବି ହୁଏ ମୃତ

ଦେଖିଲେ ଅସଂଖ୍ୟ ଅକ୍ଷର
ମନରେ ଜନ୍ମ ନିଏ ଡର
ଅଲୋଡ଼ା ଅକ୍ଷର ବର୍ଜନ
ଦ୍ବାରା ସଂଭବ ସମାଧାନ

ବହିରାଗତ ବିଧିମାନ
ଏଠାରେ ଜମାଇ ଆସ୍ଥାନ
କରିଦେଲେ ଆମକୁ ନ୍ୟୂନ
ଏବେ ତ ବୁଝୁ ଆମ ମନ

ମିଳିଛି ସକଳ ସୁବିଧା
ତେବେ ବି ମନଗଢ଼ା ବାଧା
କରିପାରୁନୁ ଅତିକ୍ରମ
ଆମେ କି ସତରେ ଅକ୍ଷମ ?

ସଂକଳ୍ପବଦ୍ଧ ହେଲେ ବ୍ୟକ୍ତି
ଘଟାଇପାରେ ଆତ୍ମୋନ୍ନତି
ଏହା ତ ଜଣାଶୁଣା ସତ
ସଭିଏଁ ହେବା ଏକମତ

ସମୂହ ପ୍ରୟାସର ବଳ
କରିବ ଭାଷାକୁ ଉଜ୍ଜ୍ବଳ
ଚଳୁଁ ଏହି ବିଶ୍ବାସ ଧରି
ଦୁର୍ଦ୍ଦଶା ଯିବ ଅପସରି