ଭାଷା ଭାଗବତ: ସ୍ବଦେଶର ଭାଷା

ଓଡିଶାର ଖ୍ୟାତନାମା ଭାଷାବିତ, କବି ଓ କଥାକାର ପ୍ରଫୁଲ୍ଲ ତ୍ରିପାଠୀ ଭାଷାକୁ ନେଇ ନିୟମିତ କବିତା ଲେଖୁଛନ୍ତି । ଅତିବଡୀ ଜଗନ୍ନାଥ ଦାସ ଓ ଭୀମ ଭୋଇଙ୍କ ପରମ୍ପରାର ଆଧାରରେ ଭାଷାକୁ ଲୋକଗ୍ରାହୀ କରିବାର ଏକ ପ୍ରୟୋଗ ତାଙ୍କ କବିତାରେ ରହିଆସୁଛି । ଭାଷା ଭାଗବତକୁ ଆମେ ନିୟମିତ ପ୍ରକାଶ କରୁଛୁ ।


ସ୍ବଦେଶ ହେବାରୁ ସ୍ବତଂତ୍ର
ଚଳିଲା ଏଠି ଗଣତଂତ୍ର
ଅଜଣା ଯେଣୁ ସୂତ୍ର, ମଂତ୍ର
ହୋଇନି ଏବେ ବି ଏକତ୍ର

ଦେଶକୁ ଏକ ବୋଲି ଭାବି
ଗୋଟେ ତାଲାକୁ ଗୋଟେ ଚାବି
ରଖିବା ପାଇଁ ନୀତି, ବିଧି
ଚଳିପାରିନି ଅଦ୍ୟାବଧି

ଅନେକ ଭାଷା, ରୀତି, ପ୍ରଥା
ମଧ୍ୟରେ ଦିଶୁନି ସମତା
ଅଂଶାବଳି ହେଲେ ହେଁ ଭିନ୍ନ
ସ୍ବଦେଶ ହୋଇଛି ସ୍ବାଧୀନ

ସାମ୍ୟ ଓ ବୈଷମ୍ୟ କଳନା
କରିଲେ ପଡ଼େ ସ୍ପଷ୍ଟ ଜଣା
ଭାଷାର ଧ୍ବନି ସବୁ ଏକ
ଲିପିରେ ରହିଛି ପାର୍ଥକ୍ଯ

ଅଛଂତି ଲୋକ କୋଟି କୋଟି
କଥା କହଂତି ଖୋଲି ପାଟି
କେହି ନାହିଁ ଯେ ସବୁ ଶୁଣି
ପାଲଟିଯାଏ ସର୍ବଜ୍ଞାନୀ

ଭାଷାର ପୂରା ପରିଚୟ
କେହି କରିନି କେବେ ଥୟ
ଏହାର ଐତିହ୍ୟ ବିସ୍ତୃତି
ବୁଝିପାରେନି ଜଣେ ବ୍ୟକ୍ତି

ନିଜ ସାମର୍ଥ୍ୟ ବହିର୍ଭୂତ
ବିଭିନ୍ନ ସମସ୍ୟା ସହିତ
ଯେ ହୁଏ ସ୍ବେଚ୍ଛାରେ ଜଡ଼ିତ
ବିଷଣ୍ଣ ହୁଏ ତା'ର ଚିତ୍ତ

ନିଜକୁ ନିଜେ କହି ଶ୍ରେଷ୍ଠ
ଯେ କରେ ସବୁ କାମ ନଷ୍ଟ
ନୁହେ ତା ମନୋଭାବ ସ୍ପଷ୍ଟ
ତେଣୁ ସେ ପାଏ, ଦିଏ କଷ୍ଟ

ଅଧ୍ୟାପକ କି ଗବେଷକ
ଭାଷାର ଗତି ନିର୍ଧାରକ
ହେବାକୁ ହୋଇଲେ ଉତ୍ସୁକ
ହରାଂତି ଜ୍ଞାନ ଓ ବିବେକ

ଭାଷା ତ ସମୂହ ସଂପତ୍ତି
ତହିଁରେ ବ୍ୟକ୍ତି ପ୍ରତିପତ୍ତି
ଚଳିନାହିଁ କି ଚଳେନାହିଁ
ଏ ସତ୍ୟ ବୁଝୁନୁ କିପାଇଁ ?

ଅତି ଉତ୍ସାହୀ କେତେ ଜଣ
କରଂତି ଯାହା ଉଚ୍ଚାରଣ
ଅତିଶୟୋକ୍ତି ଅର୍ଥହୀନ
ଶ୍ରୋତା ପାଏନି ପରିତ୍ରାଣ