
ସର୍ବଦୁଆରୀ ଘର ଭିତରେ
ସାହାଣମେଲା ସବୁ କିଛି...
ଗ୍ରାମ ନଗ୍ର ଦେଶ ସବୁ ଆତଯାତ...
ଧୂଳି ସହିତ ବିଶ୍ଵ
ମୁହୂର୍ତ୍ତ ସହିତ ଖେଳୁଚି ମହାମନ୍ଵଂତର ।
ପୌନଃପୁନିକ
ଭାଷା - ବାହାର ଉଚ୍ଚାରଣର ପ୍ରତିଧ୍ଵନି ସବୁ
ଫେରୁଛଂତି ଅର୍ଥନ୍ୟସ୍ତ, ଅର୍ଥମୁକ୍ତ, ଅର୍ଥୋତ୍ତର ହୋଇ
ଅଦୃଶ୍ୟ କଂଠକୁ ।
ଓଦା ମାଟି, ଟାଣ ଧାତୁ, ଖର ନିଆଁ
କୁଳୁକୁଳୁ ପାଣି/ ସୁଲୁସୁଲୁ ପବନ
ନାନା ଉପାଦାନ ନେଇ ଗଢ଼ୁଚି ସ୍ଥପତି
ଦରଗଢ଼ା
ଦରଭଂଗା
ଦୋଦୋଚିହ୍ନା ଦିଅଁ, ଦ୍ରବ୍ୟ...
ଶୂନ୍ୟ ସରସର ତା'ର
ହାତ ମନ ପ୍ରାଣର ସିସୃକ୍ଷା ।
ନିର୍ମାଣର ରାଗ ଲହର
ନା ଆରୋହ
ନା ଅବରୋହ
ସଂଗୀତର ମଝାମଝି...
ଏ ଘର କାହାର ଘର ?
କେଉଁ କୋଣ ମୋର
କେଉଁ କୋଣ ତାର ?
ଗୋପନ ସୁନଂଦ - କକ୍ଷ ଅଛି କି ଏହାର ?
ନାହିଁ ନାହିଁ ଥାନ ଥାତିରେ
ହଁ ହଁ ଭାବର ବିସ୍ତାର ।
ଆକାଶ ଏହାର ଛାତ
ଆକାଶ ଚଟାଣ
କାଂଥ ବି ଆକାଶ ?
ନା ପ୍ରତ୍ୟୁଷ ଏଠାରେ
ନା ପ୍ରଦୋଷ
କୋମଳ କାଳ ମିଶାମିଶି
ଗୂଢ଼ ଲଗ୍ନ
ନା ଏହା
ନା ତାହା
କିଂତୁ କିଛି ନା କିଛି
ଏମତି କିଛି...
ସୁଧାର ଦିଅଁମାନଂକ ଦ୍ଵାରା ଅଧ୍ୟୁଷିତ ସ୍ଵର୍ଗ
ସୁଭୋଗ୍ୟ ନର୍କମାନଂକ ଦ୍ଵାରା
ଲାଳିତ ଏଠି ମୂର୍ତ୍ତିମାନ୍ ପାପ
ପରିଧିହୀନ ମହାବୃତ୍ତର କେଂଦ୍ରରେ ଅଛି
ପବିତ୍ରଦମ ଅସ୍ମିତା...
ରହଣିର କଳ୍ପିତ 'ମହାସୁହ'
ସଂଜ୍ଞାର ଉର୍ଦ୍ଧ୍ବରେ ଥିବା
ସାଂଦ୍ର ଏଇ ମହାସୁଖ
କିପରି ବା
କାହିଁକି ବା
କାହା ପାଇଁ ବା ଭାଜ୍ୟ ?
ଏଇ ମୁଠାକର ପ୍ରାଚୁର୍ଯ୍ୟ ତ
ଅବଂଟନୀୟ,
ଅଥଚ
ସକଳ ଘଟରେ ସମ ଭାବରେ
ସଂପୂର୍ତ୍ତି ମୟ...
ଅଧିକାରବିହୀନ ଘର ଭିତରେ
ପ୍ରତିଟି ମୁହୂର୍ତ୍ତ ମୋର
ପ୍ରଥମ ଗୃହପ୍ରବେଶ,
ମୁହୁର୍ମୁହୁଃ ଉଦ୍ଭାବନର
ସଦ୍ୟପ୍ରସୂତ
ସଂପୂତ ବିସ୍ମୟ ।