
(୧୬)
ମୋ ଝିଅ ବଡ଼ ହଉଛି । ଫୁଲ ପାଖୁଡ଼ା ମେଲେଇଲା ଭଳି ଦିନକୁ ଦିନ ଫୁଟି ଉଠୁଛି ତା ନୂଆ ନୂଆ ରୂପ । ମୁଁ ମୁଗ୍ଧ ହଉଛି, ଶିହରିତ ହଉଛି, ପୁଲକିତ ହଉଛି । ଡର ବି ଲାଗୁଛି । ଆଉ ମାତ୍ର ଦୁଇ କି ତିନି ବର୍ଷ । ମୋ ଝିଅ ଅତିକ୍ରମୀ ଯିବ ତା ଶୈଶବକୁ । ଅବୋଧ ଦେବ-ଶିଶୁ ରକ୍ତସ୍ନାତା ହେଇ ପରିଣତ ହେବ ମାନବୀରେ । ସମୟର ସେଇ ଏରୁଣ୍ଡି ବନ୍ଧ ପାରି କରେଇବାର ଦାୟିତ୍ୱ ତ ମୋର ।
ଶେଲି ମତେ ପଚାରିଲା -"ଅପା, ଝିଅକୁ ମାନସିକ ଭାବେ ପ୍ରସ୍ତୁତ କରଉଛୁ ତ?"
ମାନସିକ ପ୍ରସ୍ତୁତି.....
ମୁଁ କ୍ଲାସ ଫାଇଭ ରେ ପଢୁଥାଏ । ସ୍କୁଲ ଯାଇଛି । ସେଇ ଛୋଟିଆ ସ୍କୁଲରେ ବେଞ୍ଚ ନଥିଲା । ସମସ୍ତେ ତଳେ ବସୁଥିଲେ । କ୍ଲାସ ଫାଇଭ ରୁ ଆମକୁ ଗୋଟିଏ ଗୋଟିଏ ଡେସ୍କ ମିଳୁଥିଲା, ଯାହା ଉପରେ ଖାତା ରଖି ଲେଖି ହଉଥିଲା । ଖେଳ ଛୁଟିରେ ମୋ ଜାଗାରୁ ଉଠିଲା କ୍ଷଣି ମୋ ପାଖରେ ବସୁଥିବା ଝିଅଟି ମୋ ହାତକୁ ଟାଣି ପୁଣି ବସେଇ ଦେଲା । ଚୁପ ଚୁପ କହିଲା -"ତୋର ମେନ୍ସ ହେଇଛି?"
-"କଣ?" ମୁଁ କିଛି ବୁଝି ପାରିଲିନି ।
-"ତୁ ବଡ଼ ହେଇଛୁ?"
-"ହେଁ?"
ଏଥର ସେ ଟିକେ ବିରକ୍ତ ହେଲା ।
-"ତୋ ଡ୍ରେସରେ କଣ ଲାଗିଛି?"
ମୁଁ ଏଥର ମୁହଁ ବୁଲେଇ ଦେଖିଲି । ଆରେ! କୋଉଠୁ! କେମିତି!
ସେ ଏଥର ମତେ ବୁଝେଇବାର ଦାୟିତ୍ବ ନେଲା ।
-"ବ୍ୟସ୍ତ ହ ନା । ପାଞ୍ଚ ଦିନରେ ଠିକ ହେଇଯିବୁ । କାହାକୁ କିଛି କହିବୁନି ।"
-"କାହିଁକି?"
-"କହିବା ଖରାପ ।"
ସେ ମତେ ଘରେ ଛାଡ଼ି ଦେଇ ଗଲା । ମୁଁ ଦିଦି ଆଉ ମାଆଙ୍କ ଠୁ ଲୁଚି ବାଥରୁମ ଗଲି । ମୋ ହାତ ଗୋଡ଼ ଥରୁଥାଏ । ପାଣି ମଗ ବି ଧରି ପାରୁନଥାଏ । ଭୀଷଣ ଡର । କଣ ହେଇଛି ମୋର? କାନ୍ଦ ଟା ତଣ୍ଟି ପାଖକୁ ଆସି ବି ଅଟକି ଯାଏ ସେଇ ସାଙ୍ଗ କଥା ଭାବି । ସେ କହିଛି ଯେ ପାଞ୍ଚ ଦିନରେ ସବୁ ଠିକ ହେଇଯିବ । ହେଲେ ଏ ପାଞ୍ଚ ଦିନ ମୁଁ କଣ କରିବି? କେମିତି ଲୁଚେଇବି? ରକ୍ତ ତ ବନ୍ଦ ହଉନି! ମୋର ଇଚ୍ଛା ହଉଥାଏ ଜୋରରେ ଚିଲ୍ଲେଇବାକୁ, ଚିତ୍କାର କରି କାନ୍ଦିବାକୁ, ମାଆଙ୍କ ପାଖକୁ ଦୌଡ଼ି ଯିବାକୁ, ହେଲେ ସିଏ ଯେ କହିଛି ଏଇଟା ଖରାପ କଥା! ଏମିତି ରେ ତ ମୁଁ ଭଲ ପିଲା ନୁହଁ । ପାଠ ଭଲ ପଢେନି, ଖୁବ ଦୁଷ୍ଟ, ଟିକେ ମୁଣ୍ଡ ଦୋଷ ବି ଅଛି, ମିଛ କହେ... ତା ଉପରେ ପୁଣି... ଦିଦି ଜାଣିଲେ ନିଶ୍ଚୟ ବାଡ଼େଇବେ । ହେ ପ୍ରଭୁ...
ମୁଁ ଘର ଭିତରକୁ ଆସି ରକ୍ଷା ପାଇବାର ଉପାୟ ଖୋଜିଲି । ଗୋଟିଏ ବଡ଼ ବେତ ତିଆରି ଝୁଡ଼ିରେ ଗୁଡ଼ାଏ ଚିରା, ପୁରୁଣା ଜାମା ପଟା ଥିଲା । ମୁଁ ସେଇ ଝୁଡ଼ି ଅଣ୍ଡାଳିଲି । ଧୂଳି ଉଡ଼ିଲା, ଗୋଟେ ଦିଇଟା ଅଶରପା ବି ଉଡ଼ିଲେ । ସେଇ ଧୁଳିଆ, ପୁରୁଣା କପଡ଼ା ଭିତରୁ ଗୋଟିଏ କୁ ଟୁକଡା କଲି । ସେଇ ଛିଣ୍ଡା କପଡ଼ା ସାଜିଲା ମୋ ପ୍ରଥମ ରକ୍ଷା କବଚ (ଇନଫେକ୍ସନ କେମିତି ନହେଲା କେଜାଣି!) ।
ଦିଦି ମନରେ ସନ୍ଦେହ ଆସିଲା । ସେ ମତେ ଗମ୍ଭୀର ଭାବରେ ପଚାରିଲେ -"ତୋର କଣ ମେନ୍ସ ହେଇଛି?"
ମୋ ଛାତି ଥରିଲା । କିଛି ନବୁଝିଲା ଭଳି କହିଲି -"ମାନେ?"
-"ମାନେ ତୋ ଦେହରୁ ରକ୍ତ ବାହାରୁଛି?"
ମତେ ପାଞ୍ଚ ଦିନ ଲୁଚେଇବାକୁ ପଡ଼ିବ । ମୁଁ ଡରି ଡରି ଉତ୍ତର ଦେଲି -"ନା ତ!"
ଦିଦି ମତେ ଅବିଶ୍ୱାସ ର ଆଖିରେ ଅନେଇଲେ ହେଲେ କିଛି କହିଲେନି ।
ସେ ପାଞ୍ଚ ଛ ଦିନ କେମିତି ଗଲା ତାକୁ ବର୍ଣ୍ଣନା କରିବା ମୋ ପକ୍ଷରେ ପ୍ରାୟ ଅସମ୍ଭବ ।
କିନ୍ତୁ କଥା ତ କାଇଁ ସେଇଠି ସରିଲା ନି? ମାସେ ପରେ ପୁଣି!! ଏଥର ଆଉ ସମ୍ଭାଳି ପାରିଲିନି । ନିଶ୍ଚିତ ହେଇଗଲି ଯେ ମୁଁ ଆଉ ବଞ୍ଚିବିନି । କ୍ୟାନ୍ସର କି? କାନ୍ଦି କାନ୍ଦି ମାଆଙ୍କ ପାଖକୁ ଗଲି । ମାଆ ଆଉ ଦିଦି ମିଶି ମତେ ଶିଖେଇଲେ କେମିତି କପଡ଼ା ବ୍ୟବହାର କରିବାକୁ ପଡ଼େ, କେମିତି ସଫା କରିବାକୁ ପଡ଼େ, କେମିତି ଶୁଖେଇବାକୁ ପଡ଼େ ଆଉ ସବୁଠୁ ବଡ଼ କଥା..କେମିତି ଲୁଚେଇବାକୁ ପଡ଼େ । ଦୁନିଆ ଠାରୁ, ଆତ୍ମୀୟମାନଙ୍କ ଠାରୁ, ସୂର୍ଯ୍ୟ ଠାରୁ ଆଉ ବୋଧେ ନିଜ ଠାରୁ ବି ।
ଲୁଚାଅ... ଲୁଚାଅ.. ଚୁପ.. ଚୁପ...
ମନରେ ବହୁତ ପ୍ରଶ୍ନ ଆଉ ତା ସହିତ ଗୋଟେ ଅଦ୍ଭୁତ ପ୍ରକାର ପାପବୋଧ । ବଡ଼ ହବାର ପାପବୋଧ । ସେଇ ପାପବୋଧ ମତେ ତାଡ଼ିତ କରୁଥିଲା, ମୁହଁ ଚାପି ରଖି ସବୁ ପ୍ରଶ୍ନ ବନ୍ଦ କରିଦେଉଥିଲା ।
କ୍ଲାସ ସେଭେନ ରେ ହଷ୍ଟେଲ ଗଲି । ମୋ ଟ୍ରଙ୍କ ଭିତରେ ମୋ ଜାମାପଟା ସହ ଗୋଟିଏ କଣରେ ଭଙ୍ଗା ହେଇ ଥୁଆ ହେଲା କିଛି କଟା କପଡ଼ା । ଦିଦି କହିଲେ -"କାହାକୁ କହିବୁନି ଯେ ତୁ ବଡ଼ ହେଇଛୁ ବୋଲି । କେହି ପଚାରିଲେ କହିବୁ ଏସବୁ କଣ୍ଢେଇଙ୍କୁ ପିନ୍ଧେଇବାକୁ ଆଣିଛୁ ।"
ହଷ୍ଟେଲର ର ରୋଷେଇଆ ମାଉସୀ ପଚାରିଲେ -"ଝିଅ ହେତୁ ପାଇଲାଣି?"
-"ନା ମ ମାଉସୀ, ଏଯାଏଁ ପାଇନି ।"
ମୁଁ ହଷ୍ଟେଲ ରେ ଏକା ହେଇଗଲି । ସବୁଆଡ଼ୁ । ଶିଖିଲି କେମିତି ସେସବୁ ଦିନର ପ୍ରବଳ କଷ୍ଟକୁ ଦାନ୍ତ ଚାପି ସହିବାକୁ ପଡ଼େ । କେମିତି ଲେଡିଜ ହଷ୍ଟେଲରେ ବି ନିଜକୁ ଲୁଚେଇବାକୁ ପଡ଼େ ୱାର୍ଡନ ଠୁ, ଅପାମାନଙ୍କ ଠୁ, ସାଙ୍ଗମାନଙ୍କ ଠୁ । କେମିତି ଗୋପନରେ ଖୋଜି ବାହାର କରିବାକୁ ପଡ଼େ ମଇଳା କପଡ଼ା ଫୋପାଡ଼ିବାର ଜାଗା । କେମିତି ଲଜ୍ଜାରେ ଡରି ଡରି ଦିନ କାଟିବାକୁ ପଡ଼େ ।
ମତେ ସ୍ୟାନିଟାରୀ ପ୍ୟାଡ ମିଳିଥିଲା ନବମ ଶ୍ରେଣୀରେ । ମୁଁ କିନ୍ତୁ ସ୍ଥିର କରିଛି ମୋ ଝିଅକୁ ପ୍ୟାଡ ନୁହଁ, ଟ୍ୟାମ୍ପନ ଦେବି । ସେ ଆହୁରି ସୁରକ୍ଷିତ ହବ, ହବ ଆହୁରି ପରିଚ୍ଛନ୍ନ ।
ମୋ ଝିଅ ଡରିବନି । ଆଗରୁ ପ୍ରସ୍ତୁତ ଥିବ ନିଜ ନାରୀତ୍ବ କୁ ଗ୍ରହଣ କରିବା ପାଇଁ । ମୁଁ ଖୁବ ଭଲ ମାଆ ନୁହଁ । ମୁଁ ଧ୍ୟାନ ଦିଏନା ଯେ ସେ ଭଲ ପଢୁଛି କି ନାହିଁ । ମୁଁ ତାକୁ ଡ୍ରଇଂ କ୍ଲାସ, ନାଚ କ୍ଳାସକୁ ନିଏ ନା । ତା ଗାଲରେ ଲଗାଏନି ସର ହଳଦୀ । ହେଲା ଏବେ, ମାଆ ନୁହେଁ, ମୁଁ ତାର ବନ୍ଧୁ ହେବି । ନିଃସଙ୍କୋଚ ରେ ଶିଖେଇବି ଜୀବନର ସତ ।
ଶେଲି ସେଦିନ କହୁଥିଲା ନା?
-"ଅପା ଲୋ, ଆମେ ଝିଅର ଶାରୀରିକ କଷ୍ଟ ସିନା କମେଇ ପାରିବା ନି, ମାନସିକ ଯନ୍ତ୍ରଣା ତ କମ କରି ପାରିବା..."
ଠିକ । ଆଉ ମାନସିକ ଯନ୍ତ୍ରଣା କମିଗଲେ ଦେହର କଷ୍ଟ ଆପେ କମିଯାଏ । ମାଆର କାମ ଆଉ କଣ କି?
(୧୭)
ପିଲାବେଳୁ ଡାକ୍ତର ମାନଙ୍କ ସାଙ୍ଗରେ ମୋର ବହୁତ ଭଲ ପଡ଼େ । ମୁଁ ଔଷଧ ଖାଇବାକୁ ଭଲ ପାଏ ନା, ଇଞ୍ଜେକ୍ସନ କୁ ଖୁବ ଡରେ, ଟେଷ୍ଟ ପାଇଁ ରକ୍ତ ନେଲେ ମୁଁ ରକ୍ତଚାଉଳ ଚୋବାଏ କିନ୍ତୁ ଡାକ୍ତର... ଆଏ ହାୟ... ଷ୍ଟେଥୋ, ଆପ୍ରୋନ, ଚାମ୍ବର, ଚଷମା (ଏଇଟା ଅପସନାଲ)...
ବାପୁଜୀ ନଗରରେ ପ୍ରଥମ ଡାକ୍ତର ଦେଖିଥିଲି । (ଅବଶ୍ୟ ସେଇଠି ଜନ୍ମରୁ ବେଶ କିଛି ବର୍ଷ କଟିଥିଲା ମାନେ ପ୍ରଥମେ ସେଇଠି ହିଁ ବହୁତ କିଛି ଦେଖିଥିବି ।)
ମାଆଙ୍କ ଦାନ୍ତରେ ଯନ୍ତ୍ରଣା ହଉଥାଏ । ବାବୁଜୀ ବ୍ୟସ୍ତ ଥାଆନ୍ତି ମୋ ବଡ଼ବାପାଙ୍କ ଝିଅଙ୍କ ବାହାଘରକୁ ନେଇ । ମାଆ ସ୍ଥିର କଲେ ଯେ ନିଜେ ପଳେଇବେ ଡାକ୍ତରଙ୍କ ପାଖକୁ । ସେତେବେଳେ ସେଠି ଥିଲେ ଜଣେ ଚାଇନିଜ ଡାକ୍ତର । ଆମେ ଗଲୁ ତାଙ୍କରି ପାଖକୁ । ମୁଁ କେବେ ଚାଇନିଜ ଲୋକ ଦେଖିନଥିଲି । କି ସୁନ୍ଦର ଛୋଟିଆ ଛୋଟିଆ ଆଖି! ହାଲକା ଚେପା ନାକ! କାନ ଅଇଁଠା ହସ! ମୁଁ ମୁଗ୍ଧ ।
ଡାକ୍ତର ବ୍ୟସ୍ତ ମାଆଙ୍କ ଦାନ୍ତ ପରୀକ୍ଷାରେ । ମୋ ଉଚ୍ଚତା ତାଙ୍କ ଆଣ୍ଠୁ ଠୁ ଟିକେ ଉପରେ । ସେଇଠାରୁ ମୋ ନିରୀହ ପ୍ରଶ୍ନ -"ଡାକ୍ତର ବାବୁ ଆପଣଙ୍କୁ ଚାଇନିଜ ଆସେ? ଟିକେ କହିଲେ ଦେଖି! ଦାନ୍ତକୁ କଣ କହନ୍ତି? ଆପଣଙ୍କ ନାଁ କୁ ଚାଇନିଜରେ କେମିତି ଡାକନ୍ତି?" ବାସ... ମାଆ ସେଇ ଯେ ମତେ ନେଇ ସେଠୁ ଫେରିଲେ, ଦାନ୍ତ ପୋକ ଖାଇ ଗଳି ପଡ଼ିଲା ପଛେ ଆଉ ସେଠିକି ଗଲେନି ।
ବଡ଼ବେଳେ କଲେଜରେ ପଢ଼ିଲା ସମୟରେ କୁନି ପିଲାଙ୍କୁ ନେଇ ଗୋଟିଏ ଶିଶୁ ନାଟକର ଦଳ ଗଢ଼ିଥିଲି । ଥରେ ରିହାରସଲ ସରିଲା ପରେ ପିଲାଙ୍କ ସାଙ୍ଗେ କୁମ୍ଭୀର ପାଣି ଖେଳୁଥିଲି (ମୁଁ ବି ମନେ ମନେ କୁନି ପିଲା ତ) । ତଳେ ସତକୁ ସତ ଟିକେ ପାଣି ପଡ଼ିଥିଲା କି କଣ ଗୋଡ଼ ଖସି ମୁହଁ ମାଡ଼ି ପଡ଼ିଲି । ସାନବେଳେ ଭାଇ ସାଙ୍ଗରେ ଖେଳୁ ଖେଳୁ ଖଟରୁ ପଡ଼ି ସାମ୍ନା ଦାନ୍ତ ଟିକେ ଭାଙ୍ଗିଥିଲା, ଏଥର ତା ପାଖ ଦାନ୍ତ ଟା ବି ଅଧା ଭାଙ୍ଗିଗଲା ।
କି ମୁସ୍କିଲ! ଘରକୁ ଯାଇ କଣ କହିବି? ଦିଦି ହାତରୁ ମାଡ଼ ଥୟ । କିଏ ଜଣେ କହିଲା ଯେ ଦାନ୍ତ ଫିଲିଙ୍ଗ କରି ହୁଏ । ମୁଁ ଯାଇ ପହଞ୍ଚିଲି ଜଣେ dentist ପାଖକୁ । ସେ ମୋ ଭଙ୍ଗା ଦାନ୍ତକୁ ପରୀକ୍ଷା କଲେ । ତାରି ଭିତରେ ମୋ ନଜର ପଡ଼ିଲା ତାଙ୍କ ଚାମ୍ବରରେ ଲାଗିଥିବା ଗୋଟେ ବୋର୍ଡ ଉପରେ । "ଧୂମ୍ରପାନ ନିଷିଦ୍ଧ" । ମୁଁ ତାଙ୍କ ଯନ୍ତ୍ର ଧରିଥିବା ହାତକୁ ଅଟକେଇ କହିଲି -"ସାର, ବୋର୍ଡରେ ଭୁଲ ଲେଖା ହେଇଛି । ଧୂମ୍ରପାନ ନୁହେଁ, ଧୂମପାନ ହବ ।"
ସେ ଏଭଳି ରୋଗୀରେ ଅଭ୍ୟସ୍ତ ନୁହଁନ୍ତି । କଥା ବୁଲେଇ କହିଲେ -"ଗୋଟେ ଏକ୍ସରେ କରି ଦେଖିବାକୁ ହବ, କେତେ ଡ୍ୟାମେଜ ହେଇଛି । କାଲି ଏକ୍ସରେ ରିପୋର୍ଟ ନେଇ ଆସ ।"
ଏବେ କଣ କରିବି!
ଘରେ ପହଞ୍ଚି ବହୁତ ସମୟ ସାମ୍ନା ଦାନ୍ତ ଲୁଚେଇଲି । କିନ୍ତୁ କେତେ ସମୟ ଲୁଚେଇବି? ବୁଦ୍ଧି ଆସିଲା । ଘରେ ହିଁ ଆଉଥରେ ଗୋଡ଼ ଖସି ପଡ଼ିବାର ନାଟକ କଲି ।
ସମସ୍ତେ ଆହା କଲେ । ଦିଦି ବାବୁଜୀଙ୍କୁ ଡାକି ମତେ ଡାକ୍ତର ପାଖକୁ ନବାକୁ କହିଲେ । ବାବୁଜୀ କହିଲେ ଯେ ତାଙ୍କର ଜଣେ ଚିହ୍ନା ଡାକ୍ତର ଅଛନ୍ତି । ସେ ସାଙ୍ଗେ ସାଙ୍ଗେ ମତେ ନେଇ ବାହାରିଲେ ।
ଆମେ ଯାଇ ପହଁଚିଲୁ... ଏ ମା! ସେଇ ଧୂମ୍ରପାନ ଲେଖା ଚେମ୍ବର ରେ!!
ବାବୁଜୀ ଯଦି ଜାଣନ୍ତି ଯେ ମୁଁ ଆଗରୁ ଏଠିକି ଆସିଛି ବୋଲି ତାହେଲେ ତ ଜାଣିଯିବେ ଯେ ମୁଁ ଘରେ ଗୋଡ଼ ଖସି ନୁହଁ, ରିହାରସଲ ରେ ଖେଳୁ ଖେଳୁ ଦାନ୍ତ ଭାଙ୍ଗିଛି ବୋଲି!
ଡାକ୍ତର ମତେ ଦେଖିଲେ । ଥରେ ମତେ ଆଉ ଥରେ ଧୂମ୍ରପାନ କୁ ଅନେଇଲେ, ତା ପରେ କହିଲେ-"କହିଲି ପରା ଏକ୍ସରେ ରିପୋର୍ଟ ଆଣିବାକୁ?"
ବାବୁଜୀ ଆଶ୍ଚର୍ଯ୍ୟ ହେଇ ମତେ ଚାହିଁଲେ । ମୁଁ ତର ତର ହେଇ କହିଲି-"ମତେ ଆପଣ କେତେବେଳେ ଏକ୍ସରେ ରିପୋର୍ଟ ଆଣିବାକୁ କହିଲେ ଯେ? ମୁଁ ତ ଏବେ ଆସିଛି । ଆପଣ ମତେ ଆଉ କେହି ବୋଲି ଭାବିଲେ କି? ହଁ ହଁ ଏମିତି ହୁଏ । ବେଳେବେଳେ ଦୁଇଜଣ ସମାନ ଚେହେରାର ଲୋକ ଦେଖା ଯାଆନ୍ତି । ମୋ ସାଙ୍ଗରେ ବି କେତେଥର ଏମିତି ହେଇଛି ।"
ଡାକ୍ତର ଆଶ୍ଚର୍ଯ୍ୟ ରେ ବଡ଼ ବଡ଼ ଆଖି ଆଉ ବାବୁଜୀ ସବୁ ବୁଝିପାରି ରାଗରେ ଛୋଟ ଛୋଟ ଆଖି କଲେ । ମୋ ଦାନ୍ତ ଆଉ ଫିଲିଙ୍ଗ କରା ହେଲାନି । ବହୁତ ବର୍ଷ ପରେ ବିଜୟଙ୍କ ସହିତ ଯାଇ ଅନ୍ୟ ଜଣେ ଡାକ୍ତରଙ୍କ ପାଖରେ ଦାନ୍ତ ସଜାଡ଼ି ପାରିଲି ।
ବାହାଘରର ଛ ସାତ ମାସ ପରେ ମୋ ଆଣ୍ଠୁ ବ୍ୟଥା ଆରମ୍ଭ ହେଲା । ଯେତେ ଔଷଧ ଖାଇଲେ ବି ଭଲ ହେଲାନି । ଶେଷରେ ପହଞ୍ଚିଲି ଜଣେ ହୋମିଓପ୍ୟାଥିକ ଡାକ୍ତରଙ୍କ ପାଖରେ । ଯୋଉମାନେ ହୋମିଓପ୍ୟାଥିକ ଚିକିତ୍ସା ସହ ପରିଚିତ ସେମାନେ ଜାଣିଥିବେ ଯେ ଡାକ୍ତରମାନେ ପ୍ରଥମେ ରୋଗୀ ବିଷୟରେ ବହୁତ କିଛି ପଚାରନ୍ତି, ଯାହା ସେତିକି ବେଳେ ଅବୁଝା ଲାଗିଲେ ବି ଡାକ୍ତରଙ୍କୁ ଆମ ଶରୀର ଏବଂ ରୋଗ ବୁଝିବା ପାଇଁ ସାହାଯ୍ୟ କରେ । ଡାକ୍ତର ମତେ ପଚାରିବାକୁ ଲାଗିଲେ । ତାଙ୍କର ପ୍ରଥମ ପ୍ରଶ୍ନ ଥିଲା -"ମିଠା, ଲୁଣି, ଖଟା, ପିତା, କଣ ଖାଇବାକୁ ଭଲ ଲାଗେ? କୋଉଟା ପସନ୍ଦ?"
ମୋ ଚଟାପଟ ଉତ୍ତର -"ଲୁଣି ଆଉ ରାଗ ପସନ୍ଦ । ମିଠା ଜମ୍ମା ପସନ୍ଦ ନୁହେଁ କିନ୍ତୁ... ରୁଟି କିମ୍ବା ପରଟା ସହିତ ମିଠା ନହେଲେ ମୋର ଚଳେ ନି । ଖଟା ଭଲ ଲାଗେନି କିନ୍ତୁ ଆମ୍ବ ଆଚାର ବହୁତ ପସନ୍ଦ । କଲରା ପିତା ଭଲ ଲାଗେନି ହେଲେ ନିମ୍ବ ବଢ଼ିଆ ଲାଗେ ।"
ଧନ୍ୟ ସେ ଡାକ୍ତର ଯିଏ ତା ପରେ ବି ମତେ ଔଷଧ ଦେଇଥିଲେ ଆଉ ତାଙ୍କ ଔଷଧରେ ମୁଁ ଭଲ ବି ହେଇଥିଲି ।
ଏବେବି ମୋର ଜଣେ ଡାକ୍ତର ବନ୍ଧୁ ଅଛନ୍ତି । ସିଏ ଗୋଟିଏ ଘରୋଇ ଡାକ୍ତରଖାନାରେ ବହୁତ ବଡ଼ ପୋଷ୍ଟରେ ଅଛନ୍ତି କିନ୍ତୁ ଆମ ଘରେ କାହାକୁ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ବି ଆମେ ତାଙ୍କ ପାଖରେ ପହଞ୍ଚି ଯାଉ ଆଉ ସେଇ ନିରୀହ ଡାକ୍ତର ଜଣକ ତାଙ୍କ ଉଚ୍ଚ ପଦବୀ ଯୁକ୍ତ ପ୍ୟାଡରେ ଆମ ପାଇଁ paracetamol ପ୍ରେସକ୍ରାଇବ କରନ୍ତି ।
ଆମ ପୃଥିବୀ ହଠାତ ଗୋଟିଏ ଅଭାବନୀୟ ପରିସ୍ଥିତି ଦେଇ ଗତି କଲା । ବିଶ୍ୱ ମହାମାରୀ ଆମ ସମସ୍ତଙ୍କୁ କିଛି ମାତ୍ରାରେ ଆତ୍ମକେନ୍ଦ୍ରିକ, ସନ୍ଦେହି କରି ଦେଲା । ଆମେ ପରସ୍ପର ଠାରୁ ଦୂରେଇବାକୁ ଲାଗିଲେ । ଆଉ ସବୁଠୁ ବେଶି ଦୂରେଇଲେ ସେଇ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବୀ ମାନଙ୍କ ଠାରୁ ଯୋଉମାନେ ନିଜ ଜୀବନକୁ ବାଜି ଲଗେଇ କରୋନା ର ମୁକାବିଲାରେ ଲାଗିଥିଲେ । ଅସୁସ୍ଥ ହେଲା ମାତ୍ରେ ଆମେ ଯାହାଙ୍କୁ ଜାବୁଡ଼ି ଧରୁଥିଲେ...ଭୟରେ... କାଳେ କରୋନା ରେ ମରିଯିବୁ, ସୁସ୍ଥ ଥିବା ସମୟରେ ତାଙ୍କୁ ହିଁ ଦେଖି ମୁହଁ ଫେରେଇ ନଉଥିଲେ... ଭୟରେ... କାଳେ ତାଙ୍କ ଠାରୁ ଆମକୁ କରୋନା ହେଇଯିବ(ଦିନ ରାତି ସେମାନେ ସଂକ୍ରମିତଙ୍କ ଗହଣରେ ରହି ସେବା କରୁଛନ୍ତି ଯେ) !
ଏବେବି ମାନସିକତା ବଦଳିଛି କି? କେଜାଣି !