ଜୀବନ କଥା: ବାଟ ଅବାଟ - ୮

ଏଇଟା ଜୀବନ କଥା । ବିଶିଷ୍ଟ ଅଭିନେତ୍ରୀ ଓ କବି ଭାସ୍ଵତୀ ବସୁଙ୍କ ଜୀବନ କଥା । ସହଜରେ, ସରଳ ଭାବରେ ଓ କୌଣସି ଚାତୁରୀ ନ ରଖି, ସେ ନିଜ କଥା ଲେଖୁଛନ୍ତି । ଏ ଏକ ଚମତ୍କାର ଓ ଚମକପ୍ରଦ ଜୀବନାନୁଭୂତି ।


ଫଟୋ - ଭାସ୍ଵତୀ ବସୁ

(୧୪)

ତିଥି ସେତେବେଳେ ୟୁକେଜିରେ ପଢୁଥିଲା । ଦିନେ ଘରକୁ ଆସିଲା ମୁହଁ ଶୁଖେଇ । ଆଖି ଛଳ ଛଳ, ରହି ରହି ଓଠ ଥରୁଛି । ତା ଅବସ୍ଥା ଦେଖି ମୁଁ ଶଙ୍କିଗଲି । ମୋ ଝିଅ ଓଭର ସେନସିଟିଭ ଥିଲା । କୌଣସି କଥା ଯଦି ତାକୁ କଷ୍ଟ ଦଉଥିଲା, ତାହାର ନିଃଶ୍ବାସ ପ୍ରଶ୍ୱାସ ନବାରେ ଅସୁବିଧା ହଉଥିଲା । ମୁଁ ଆସ୍ତେ କରି ପଚାରିଲି -"କଣ ହେଇଛି ମାଆ ? ସ୍କୁଲରେ କେହି କିଛି କହିଛନ୍ତି ?"

ଅବଶ୍ୟ ସ୍କୁଲରେ ଟିଚରମାନେ ଯଥେଷ୍ଟ ଗେହ୍ଲା ଦେଇ ତାକୁ ମୁଣ୍ଡରେ ଚଢ଼େଇଥିଲେ ତେଣୁ ସେମାନେ କିଛି କହିବାର ପ୍ରଶ୍ନ ଉଠୁନି । ତଥାପି ପଚାରିଲି ।

ସେ ଆଉ ଟିକେ ଛଳ ଛଳ ହେଲା । ତାପରେ କହିଲା -"ବିଘ୍ନରାଜ ମୋ ସାଙ୍ଗରେ କଥା ହଉନି ।"

-"ବିଘ୍ନରାଜ ?"

-"ମୋ ବୟଫ୍ରେଣ୍ଡ ।"

ବିଶ୍ୱାସ କରନ୍ତୁ ଆଜ୍ଞା, ମୋ ଚାରି ବର୍ଷ ବୟସି କନ୍ୟା ମୁହଁ ରୁ ଏମତ ସ୍ପଷ୍ଟ ସ୍ବୀକାରୋକ୍ତି ଶୁଣି ମୋ ବେକମୂଳ ରୁମ ଟାଙ୍କୁରି ଗଲା । ଭାରି ଆନନ୍ଦ ହେଲା । ଏତେ ଦିନ ସମସ୍ତେ କହୁଥିଲେ -"ବାପା ଭଳି ହେଇଛି... ବାପା ଭଳି ହେଇଛି" । ଯା ହଉ ଏତେ ଦିନକେ ପ୍ରମାଣିତ ହେଲା ଯେ ଇଏ ମୋରି ଝିଅ । ଗଦ ଗଦ ହେଇ ପଚାରିଲି -"ବିଘ୍ନରାଜ କୋଉ ପିଲା ଟା କି ରେ ?"

-"ତମେ ଜାଣିପାରିବନି ।"

-"ସେ ଜାଣିଛି ଯେ ତୁ ତା ଗାର୍ଲଫ୍ରେଣ୍ଡ ବୋଲି ?"

-"କେମିତି ଜାଣିବ ? ମୁଁ ତାକୁ କହିନି ।"

ବିଚରା ବିଘ୍ନରାଜ ।

-"ତୋ ସାଙ୍ଗରେ କଥା ହଉନି କାହିଁକି ?"

-"ଜାଣିନି ମାମ୍ମାମ ।" ମୋ ଝିଅର କଣ୍ଠ ଥରିଲା ।

ମୋ ମନ କାନ୍ଦିଲା । ମୁଁ ବସି ବିଚାର ଫାନ୍ଦିଲି -"ତାକୁ ଚକଲେଟ ଦେଲେ କଥା ହବନି ?"

-"କେମିତି ଦେବି? ସେ କଣ ମୋ ପାଖରେ ବସୁଛି ?"

-"ବସୁନି ?"

-"ନା"

-"ହଉ ମନ ଖରାପ କରନି । ମୁଁ ତମ ମିସଙ୍କୁ କହିବି ତତେ ତା ପାଖରେ ବସେଇବାକୁ ।"

ହେଲେ ସେ କିଛି ଦିନ ଭିତରେ ମୁଁ ତା ସ୍କୁଲକୁ ଯାଇ ପାରିନି କି ତା ଟିଚର ସହ କଥା ହେଇ ପାରିନି ।

ଦୁଇ ଚାରି ଦିନ ପରେ ତାକୁ ସ୍କୁଲରୁ ଆଣିବାକୁ ଯାଇଥାଏ । ଅନ୍ୟ ଛୁଆମାନେ ବି ଗେଟରୁ ବାହାରୁଥାଆନ୍ତି । ହଟାତ ମୋ ଝିଅ ଚୁପ ଚୁପ କହିଲା -"ମାମ୍ମାମ, ବିଘ୍ନରାଜ.."

-"କାଇଁ ? କୋଉଠି ?"

ଦେଖିଲି । ବାପା ହାତ ଧରି ଠିଆ ହେଇଛି । ବାଃ । ପୂରା ବିଘ୍ନରାଜଙ୍କ ଭଳି ହିଁ ଚେହେରା । ଶ୍ୟାମଳ ରଙ୍ଗ, ଗୁବଲୁ ଗାବଲୁ, ମୁଣ୍ଡରେ ଠିଆ ଠିଆ ଚୁଟି ।

-"କଥା ହେଲା ?"

-"ଉଁ ହୁଁ ।" ଝିଅ ମୁହଁ ପୁଣି ମେଘୁଆ ।

ଦି ଚାର ଦିନ ପରେ ଝିଅ ମୁହଁରେ ଚାରି ହଜାର ୱାଟର ବଲବ ଜଳେଇ ଘରେ ପଶିଲା । ଖୁସି ଆଉ ଉତ୍ତେଜନାରେ ମୁହଁ ଲାଲ ।

-"ମାମ୍ମାମ... ଆଜି ମୁଁ ବିଘ୍ନରାଜ ପାଖରେ ବସିଥିଲି । ସେ ମୋ ସାଙ୍ଗରେ କଥା ବି ହେଲା । ଓଃ ଆଜି ମତେ ଭାରି ଖୁସି ଲାଗୁଛି ।"

ମୁଁ ବି କଣ କମ ଖୁସି!

-"କଣ କଥା ହେଲା ?"

-"ଟିଫିନ ଖାଇସାରିଲା ପରେ ଆମେ ଯୋଉ ହେଡ ଡାଉନ କରି ବସୁ ନା ?... ସେତିକି ବେଳେ ବିଘ୍ନରାଜ ମତେ କହିଲା -"ତୁ କଣ ମାଙ୍କଡ଼ ?"

ଲ୍ୟା!!

ମୋ ପାଟିରୁ କିଛି ସମୟ କଥା ବାହାରିଲାନି । ମୋ ଝିଅ କିନ୍ତୁ ଆକାଶରେ ଉଡୁଥାଏ । ସେଇ ତିନି ପଦ କଥା ସତେ ଯେମିତି ତା କାନରେ ମହୁ ଢାଳି ଦେଇଛି ।

ପ୍ରାୟ ବର୍ଷେ ବିତିଗଲା । ତିଥି ଆଉ ବିଘ୍ନରାଜ ପରସ୍ପର ସାଙ୍ଗରେ ଆଉ ବିଶେଷ କଥା ହେଇନାହାଁନ୍ତି । ତିଥି ତାକୁ ନିଜ ମନ କଥା ଜଣେଇନି । ଫାଇନାଲ ପରୀକ୍ଷା ସରି ଆସିଥାଏ । ତିଥି କହିଲା -"ମାମ୍ମାମ, ମିସ ଆଜି ପିଲାମାନଙ୍କୁ ପଚାରୁଥିଲେ ଯେ କିଏ କିଏ ଷ୍ଟାଣ୍ଡାର୍ଡ ଓଆନ ବେଳକୁ ଅଲଗା ସ୍କୁଲକୁ ଯିବେ ବୋଲି ।"

-"ଆଚ୍ଛା ।"

-"ମାମ୍ମାମ ମୁଁ କଣ ଅଲଗା ସ୍କୁଲ କୁ ଯିବି ?"

-"ନା ତ ।"

କିଛି ସମୟ ଚୁପଚାପ ।

-"ମାମ୍ମାମ । ତମେ ମତେ ବିଘ୍ନରାଜ ସାଙ୍ଗରେ ବାହା କରେଇ ଦିଅ ।"

ମୋ ହାତର ଚାହା କପ ଚହଲି ଗଲା ।

-"ବା... (ଗଳା ଝାଡ଼ି) ଏବେଠୁ ? ଏତେ ଜଲଦି ? ଆଗ ବଡ଼ ହ, ପାଠ ଶାଠ ପଢ଼, ଚାକିରୀ.."

-"ସିଏ ଯଦି ଷ୍ଟାଣ୍ଡାର୍ଡ ୱାନ ରେ ଆଉ କୋଉ ସ୍କୁଲକୁ ପଳେଇବ ?"

ସେଦିନ ତାକୁ ବୁଝା ଶୁଝା କରି ଶାନ୍ତ କଲି ।

କିନ୍ତୁ ବମ ଫାଟିଲା କ୍ଲାସ ୱାନ ର ଆଡ଼ମିସନ ପରେ । ମୁହଁ ଲାଲ, ଖର ନିଶ୍ୱାସ, ଆଖିରୁ ଧାର ଧାର ଲୁହ ।

-"ତମକୁ କହିଥିଲି ବାହାଘର କରେଇଦିଅ, କରେଇଦିଅ... ଶୁଣିଲନି ନା ? ବିଘ୍ନରାଜ ଅନ୍ୟ ସ୍କୁଲକୁ ପଳେଇଲା । ଏବେ କଣ ହବ ? ବଡ଼ ହେଇଗଲା ପରେ ମୁଁ ତାକୁ ଚିହ୍ନିବି କେମିତି ?"

ତିଥି କାନ୍ଦିଚାଲିଥାଏ ।

ତିଥି ଏବେ ଟିକେ ବଡ଼ ହେଇଗଲାଣି । ସାଙ୍ଗ ବଦଳି ଗଲେଣି । ଅରୂପ, ଶୁଭ୍ରାଂଶୁ, ଆହୁରି କେତେ... ତା ସ୍ମୃତିରୁ ଝାପସା ହେଇଗଲାଣି ବିଘ୍ନରାଜ । ଆଉ କିଛି ବର୍ଷ ପରେ ଏଇ କଥାକୁ ନେଇ ଆମେ ମାଆ ଝିଅ ଖୁବ ହସିବୁ କିନ୍ତୁ ନିଜ ମନର ତିନି ପଦ କଥା କହି ପାରିନଥିବା ଆଉ ବିଘ୍ନରାଜର ତିନିପଦ ଫାଲତୁ କଥାରୁ ମାଧୁର୍ଯ୍ୟ ଖୋଜିନେଇଥିବା ମୋ ଝିଅର ସେଇ ଦୁଇ ବୁନ୍ଦା ଲୁହ ମୁଁ ବୋଧହୁଏ ଜୀବନ ସାରା ଭୁଲିପାରିବିନି ।

(୧୫)

ରାତି ସବୁବେଳେ ଦେହର ଉଷୁମ ଖୋଜେ । ଦେହ ପ୍ରେମର, ସ୍ୱାମୀ ଆଉ ସ୍ତ୍ରୀ ର, ସନ୍ତାନର, ବାପା, ମାଆଙ୍କ, ଆଈ ବୁଢ଼ୀଙ୍କ ଗପର, ଜେଜେଙ୍କ ପାନ ବାସ୍ନା ର...

ଏକୁଟିଆ ରାତି ଗିଳିଦିଏ । କାହାରି ରାତି ଏକୁଟିଆ ନ କଟୁ । ଅନ୍ତତଃ କାହାରି ସ୍ମୃତିର ଦେହଟିଏ ଉଷୁମ ଦଉଥାଉ ।

ସ୍କୁଲ ଟିକେ ଡେରିରେ ଯାଇଥିଲି । ପ୍ରଥମେ ବାବୁଜୀ ମତେ ନେଇ ରାମକୃଷ୍ଣ ମିଶନ ସାମ୍ନାରେ ଥିବା ବିବେକାନନ୍ଦ ସ୍କୁଲ କୁ ଯାଇଥିଲେ । ସେତେବେଳେ କାଁ ଭାଁ କେତୋଟି ଇଂଲିଶ ମିଡିଅମ ସ୍କୁଲ ଭିତରୁ ସେଇଟି ଗୋଟିଏ । କିନ୍ତୁ କେଜାଣି କାହିଁକି ମୁଁ ସେଠି ଭର୍ତ୍ତି ନହେଇ ବିଜେବି ନଗରରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦ୍ଵିତୀୟ ଶ୍ରେଣୀରେ ଭର୍ତ୍ତି ହେଲି । ବାପୁଜୀ ନଗର ଘରୁ ବେଶ ଦୂର । ଗୋଟେ ସରକାରୀ କ୍ୱାର୍ଟର୍ ରେ ସ୍କୁଲ ଚାଲୁଥିଲା । କ୍ୱାର୍ଟରଟିରେ ପାଠୀ କାକୁ ( ଶିଳ୍ପୀ ସ୍ବର୍ଗତଃ ଦୀନନାଥ ପାଠୀ) ରହୁଥିଲେ । ପ୍ରାୟ ଖେଳଛୁଟିରେ ତାଙ୍କ ଘରକୁ ଯାଇ ମୁଢ଼ି ଖାଉଥିଲି । ପ୍ରାୟ ଦିନ ଡେରିରେ ସ୍କୁଲ ପହଞ୍ଚୁଥିଲି । କାହିଁକିନା ମତେ ବାଟ ଜଣା ନଥିଲା । ମୁଁ ସକାଳୁ ଉଠି ରେଡି ହେଇ ବାବୁଜୀଙ୍କ ପାଖକୁ ଯାଉଥିଲି । ବାବୁଜୀ ରହୁଥିଲେ ରବି ଟକିଜ ପାଖାପାଖି । ଜଣଙ୍କ ଘରେ ଗୋଟେ ରୁମ ଭଡ଼ା ନେଇ । ସେଠି ପହଞ୍ଚି ତାଙ୍କୁ ନିଦରୁ ଉଠଉଥିଲି । ସେ ରେଡି ହେଇ ମତେ ନେଇ ସ୍କୁଲ ଛାଡ଼ିଲା ବେଳେ ପ୍ରଥମ କ୍ଳାସ ସରିବା ଉପରେ । ଭାଗ୍ୟକୁ ସେତେବେଳେ ନିୟମ ଏତେ କଡ଼ା ନଥିଲା । ହୁଏତ ଏ ବ୍ୟବସ୍ଥା ରୁ ସରଳ ଆହୁରି ଅନେକ ଉପାୟ ଥିଲା.. ଗୋଟେ ରିକ୍ସାକୁ ମାସିକିଆ ଭଡ଼ାରେ ରଖିଲେ ସେ ଆରାମରେ ମତେ ସ୍କୁଲ ନେଇ ଛାଡ଼ି ପାରନ୍ତା, କିମ୍ବା ଘର ପାଖ ସ୍କୁଲରେ ମତେ ଭର୍ତ୍ତି କରା ଯାଇପାରନ୍ତା (ପର ବର୍ଷ ସେଇଆ ହିଁ କରା ହେଲା), ଇତ୍ୟାଦି ଇତ୍ୟାଦି । କିନ୍ତୁ କାହିଁକି କେଜାଣି ମୁଁ ବର୍ଷେ ଯାଏଁ ଏହି ଦୁରୂହ ଓ ଜଟିଳ ପ୍ରକ୍ରିୟାରେ ସ୍କୁଲ ଯାଇଥିଲି ।

ମତେ କିନ୍ତୁ ସେମିତି ସ୍କୁଲ ଯିବାକୁ ଖୁବ ଭଲ ଲାଗୁଥିଲା । ଇଏ ମୋ ପାଇଁ ସବୁଦିନ ବାବୁଜୀଙ୍କୁ ଦେଖିବାର ଗୋଟେ ସୁଯୋଗ ଥିଲା । ଘର ପାଖ ସ୍କୁଲକୁ ଆସିଯିବା ପରେ ସେ ସୁଯୋଗ କମିଗଲା ।

ମୋ ବଡ଼ ଭାଇ ଭଉଣୀ ରାଉରକେଲା ରେ ବଡ଼ ବାପାଙ୍କ ପାଖରେ ରହୁଥିଲେ । ମୁଁ ଏକା ରହୁଥିଲି ମାଆଙ୍କ ସାଙ୍ଗରେ । ସପ୍ତାହକୁ ଥରେ ବାବୁଜୀଙ୍କ ପାଖକୁ ଯାଉଥିଲି ଟଙ୍କା ଆଣିବା ପାଇଁ । ସେ ଦିନଟି ମୋ ପାଇଁ ଗୋଟିଏ ଛୋଟିଆ ଉତ୍ସବ ଥିଲା । ସେ ଉତ୍ସବର ଖବର ବାବୁଜୀ ବି ପାଉନଥିଲେ । ମାଆ ରିକ୍ସାରେ ଯିବା ପାଇଁ ପଇସା ଦଉଥିଲେ କିନ୍ତୁ ରିକ୍ସାର ଧୀର ଗତି ମତେ ବ୍ୟସ୍ତ କରି ପକଉଥିଲା । ଏତେ ସମୟ ରିକ୍ସାରେ କିଏ ବସିବ ? ମୁଁ ଦୌଡ଼ି ଦୌଡ଼ି ପହଞ୍ଚି ଯାଉଥିଲି । ବୟସ ସାତ ହଉ ବା ଦଶ, ବାପୁଜୀ ନଗର ରୁ ରବି ଟକିଜ ଯାଏଁ ଦୌଡ଼ିବାକୁ ମତେ କେବେବି କଷ୍ଟ ଲାଗିନି ।

ମୁଁ ବାବୁଜୀଙ୍କ ପାଖକୁ ସକାଳୁ ଯିବାକୁ ପସନ୍ଦ କରୁଥିଲି । ତାର କିଛି କାରଣ ଥିଲା । ଏକରେ ସକାଳୁ ଗଲେ ବେଶୀ ସମୟ ତାଙ୍କ ସହ ବିତେଇ ହଉ ଥିଲା, ଦ୍ବିତୀୟତଃ ତାଙ୍କ ନାଲିଆ ରାଜଦୂତ ପଛରେ ବସି ବଜାର ବୁଲିବାର କ୍ଷୀଣ ସମ୍ଭାବନାଟିଏ ବି ରହୁଥିଲା । ଜଳଖିଆରେ ଘରର ସବୁଦିନିଆ ଖାଦ୍ୟ ଠାରୁ ବି ମୁକ୍ତି ମିଳୁଥିଲା । କିନ୍ତୁ ସବୁଠୁ ମୁଖ୍ୟ ଆକର୍ଷଣ ଥିଲା ତାଙ୍କ ଦେହର ଉଷୁମ । ସେତେବେଳେ ସେ ଖୁବ ଗୋଟେ early riser ନଥିଲେ । ମୁଁ ସକାଳ ନ ସୁଦ୍ଧା ପହଞ୍ଚି ତାଙ୍କୁ ଉଠଉ ଥିଲି ( କିମ୍ବା ମୁଁ ଆସିବି ବୋଲି ସେଦିନ ମତେ ଅପେକ୍ଷା କରି ଶୋଇ ରହୁଥିଲେ ? କେଜାଣି, ଜାଣିବି କେମିତି ?) ।

ସେ ଉଠି ବାଥରୁମ ଯାଉଥିଲେ ଆଉ ମୁଁ ତାଙ୍କ ଯିବା ପାଇଁ ବ୍ୟଗ୍ର ହେଇ ଅପେକ୍ଷା କରୁଥିଲି । ସେ ଯିବା କ୍ଷଣି ମୁଁ ତାଙ୍କ ବାସୀ ବିଛଣା ଉପରେ ଶୋଇ ପଡ଼ୁଥିଲି । ବିଛଣାରେ ଲାଗି ରହୁଥିଲା ତାଙ୍କ ଦେହର ଝାଳ ଆଉ ସିଗାରେଟ ମିଶ୍ରିତ ବାସ୍ନା । ତାଙ୍କ ଦେହର ଉଷୁମ । ମୁଁ ସେ ବାସ୍ନା ଆଉ ସେ ଉଷୁମକୁ ନିଜ ଦେହରେ ବୋଳି ପକଉଥିଲି ।

ପିଲାବେଳ ସାରା କେବେ ତାଙ୍କୁ କହିନଥିଲି ଯେ "ବାବୁଜୀ, ମତେ ଟିକେ ଗେଲ କଲ" ।

କେମିତି କହିଥାନ୍ତି ? ଭାରି ଲାଜ ଲାଗୁଥିଲା । ସେ ନିଜେ ମତେ କେବେ କୋଳକୁ ନେଇ ନଥିଲେ । ଗେଲ କହିଲେ ମୋ ଚିବୁକକୁ ଧରି ଦାନ୍ତକୁ ଦାନ୍ତ ଠକ ଠକ କରି ଦଉଥିଲେ । ସେତିକି । ସେତିକିରେ ମୋ ମନ ଭରୁନଥିଲା । ଇଚ୍ଛା ହଉଥିଲା ତାଙ୍କ କୋଳରେ ଚଢ଼ି ତାଙ୍କୁ ଜାବୁଡ଼ି ଧରିବାକୁ । ହେଲେ କୋଉଠି ଗୋଟେ ଦୂରତ୍ୱ ଥିଲା । ଗୋଟେ ସଂକୋଚ । ଗୋଟେ ବାଧା । ତାଙ୍କ ବିଛଣା ମତେ ସେଇ ଗେଲ ଦଉଥିଲା ।

ତାଙ୍କ ଜୀବନର ଶେଷ କିଛି ବର୍ଷ ମୁଁ ସୁଯୋଗ ପାଇଛି ତାଙ୍କ ଦେହକୁ ଦେହ ଲଗାଲଗି ହେଇ ଶୋଇବାକୁ । ମୋ ଅଫିସ ଥିଲା ନୟାପଲ୍ଲୀ ରେ । ସାଙ୍ଗେ ସାଙ୍ଗେ ଲଞ୍ଚ କରି ଫେରୁଛି କହି ପଳଉଥିଲି ପୋଖରିପୁଟ । ବାବୁଜୀଙ୍କ କୋଠରୀର ହଳଦିଆ କାନ୍ଥକୁ ଲାଗି ଅଣ ଓସାରିଆ ଖଟଟିଏ । ସେଇଥିରେ ବସି ଲେଖାଲେଖି କରୁଥାନ୍ତି କିମ୍ବା ମୁଣ୍ଡ ତଳେ ହାତ ଦେଇ ଚିତ ହେଇ ଶୋଇଥାନ୍ତି । ମୁଁ ପହଁଚିଲା ମାତ୍ରେ ଘୁଞ୍ଚିଯାଇ ଜାଗା କରିଦିଅନ୍ତି -" ଆ ।"

ମୁଁ ଭୋକିଲା ଭଳି ଗୁଞ୍ଜି ହେଇଯାଏ ତାଙ୍କ ପାଖରେ । ମୋ ଭୋକ ମରି ଯାଏ, ଶୋଷ ମରିଯାଏ । ବଞ୍ଚିଯାଏ ମୋ ପିଲାବେଳ । ସେ ଯିବା ପରେ ମୁଁ ସେ ଖଟ ଆଡ଼କୁ ଅନାଏନା । ସେ ଖଟର ଶୁନ୍ୟତାକୁ ମୁଁ ସହି ପାରେନା । ବରଂ ସେ ଖଟ ମୋ ମନ ଭିତରେ ଥାଉ ।

ଏବେ ପ୍ରତି ରାତିରେ ମୋ ଗୋଟିଏ ପାଖରେ ବିଜୟ ଆଉ ଗୋଟିଏ ପଟେ ତିଥି ତାଙ୍କ ଦେହର ଉଷ୍ମତାରେ ମୋ ଜୀବନକୁ ଭରିଦିଅନ୍ତି । ହେଲେ ମୋ ପରିପୂର୍ଣ୍ଣ ଜୀବନର ଟୁକୁଡ଼ାଏ ସ୍ୱପ୍ନ ବାବୁଜୀଙ୍କ ଅଣ ଓସାରିଆ ଖଟରେ ତାଙ୍କ ସ୍ମୃତିର ଉଷୁମ ଟାଣୁଥାଏ ।

ଜୀବନ କଥା: ବାଟ ଅବାଟ - ୭