ଜୀବନ କଥା: ବାଟ ଅବାଟ - ୫

ଏଇଟା ଜୀବନ କଥା । ବିଶିଷ୍ଟ ଅଭିନେତ୍ରୀ ଓ କବି ଭାସ୍ଵତୀ ବସୁଙ୍କ ଜୀବନ କଥା । ସହଜରେ, ସରଳ ଭାବରେ ଓ କୌଣସି ଚାତୁରୀ ନ ରଖି, ସେ ନିଜ କଥା ଲେଖୁଛନ୍ତି । ଏ ଏକ ଚମତ୍କାର ଓ ଚମକପ୍ରଦ ଜୀବନାନୁଭୂତି ।


ଫଟୋ - ଭାସ୍ଵତୀ ବସୁ

(୮)

ମୁଁ ଅଢ଼େଇ ବର୍ଷ ବୟସରୁ ହାଟ ସଉଦା କରିଛି । ମୁଁ ଟିକେ ଡେରିରେ କଥା କହି ଶିଖିଥିଲି । ଶିଖିଗଲା ପରେ ଅବଶ୍ୟ ଆଜିଯାଏଁ ପାଟି ବନ୍ଦ ହେଇନି । ସେ ଯାହା ହଉ, ମାଆ ଗୋଟେ ଲିଷ୍ଟ ବନେଇ ଦଉଥିଲେ । ସେଇ ଲିଷ୍ଟ, ବ୍ୟାଗ ଆଉ ଟଙ୍କା ଧରି ମୁଁ ଦୋକାନକୁ ଯାଇ ଦୋକାନୀଙ୍କ ହାତକୁ ସବୁତକ ସମର୍ପି ଦଉଥିଲି । ସେ ସଉଦା ଦେଇ ଟଙ୍କା ହିସାବ କରି ଫେରଉଥିଲେ । ଦୋକାନର ନାଁ ଥିଲା ସାବିତ୍ରୀ ଷ୍ଟୋର । ଘରୁ ଦୋକାନର ଦୂରତ୍ୱ ଅଧ କିଲୋମିଟର କି ଟିକେ ବେଶୀ । ମତେ ସେଠିକି ନବା ଆଣିବା କରୁଥିଲେ "ମାଆ" ରିକ୍ସା । ରିକ୍ସା ପଛରେ ମାଆ ଲେଖା ହେଇଥିଲା ତେଣୁ ଆମେ ଡାକୁଥିଲୁ "ମାଆ" ରିକ୍ସା । ଆମ ଗଳି ମୁଣ୍ଡରେ ରିକ୍ସା ଷ୍ଟାଣ୍ଡରେ ଯେଉଁ ପାଞ୍ଚ ଛ ଟି ରିକ୍ସା ଠିଆ ହେଇ ରହୁଥିଲା ସେଇଠୁ ହିଁ ମା' ଯୋଗାଡ଼ କରିଥିଲେ ଏଇ ମାଆ ରିକ୍ସା । ତାଙ୍କ ସହିତ ଦୋକାନ ଯିବାର ସମୟ ବେଶ ଲମ୍ବା । ପ୍ରାୟ ତିନ ଚାରି ବର୍ଷ । ମୋ ଦୋକାନ ଯିବା ବନ୍ଦ ହେଲା ଗୋଟେ ମଜେଦାର ଘଟଣାରେ । ଥରେ ଖୁବ ଦୁଷ୍ଟାମୀ କଲାରୁ ମା କହିଲେ -"ତମେ ପାଠଶାଠ ନ ପଢ଼ି ଖାଲି ଦୁଷ୍ଟାମୀ କରୁଛ, ଦେଖିଲ ତମ ବୟସର ପିଲାମାନେ ସବୁ ପଚିଶ କିଆ ପଣିକିଆ ଘୋଷି ସାରିଲେଣି ।"

-"ମୁଁ ତ ପଚିଶ କିଆ ପଣିକିଆ ଜାଣିଛି ।"

ମା ଆଶ୍ଚର୍ଯ୍ୟ! -"ଦେଖେ, କହିଲୁ?"

-" ପଚିଶ କେ ପଚିଶ, ପଚିଶ ଦୁଣେ ପଚାଶ, ପଚିଶ ତିରି ପଞ୍ଚସ୍ତରୀ, ପଚିଶ ଚୌ ଟଙ୍କାଟିଏ ।"

ମାଆଙ୍କ ମୁହଁର ରେଖା ବଦଳି ଗଲା । ତାଙ୍କ ଆଖି ଛଳ ଛଳ ହେଇଗଲା। ସେଇ ଦିନଠୁ ମୋ ହାତରୁ ସୌଦା ବ୍ୟାଗ ଓହ୍ଲେଇ ଗଲା । ଘରୁ କେବେବି ପାଦ କାଢ଼ି ନଥିବା ମା ମୋ ହାତ ଧରି ଦୋକାନରେ ଠିଆ ହେଲେ । "ମାଆ" ରିକ୍ସା ସାଙ୍ଗରେ କିନ୍ତୁ ମୋ ସମ୍ପର୍କ ଜାରି ରହିଲା । ସେ ମତେ ବାବୁଜୀଙ୍କ ପାଖକୁ ନେଇ ଯାଉଥିଲେ । ମାଆଙ୍କର ମୋର କେବେ ସିନେମା କିମ୍ବା ମାର୍କେଟ ବିଲଡିଂ ଗଲେ ସେଇ ରିକ୍ସାରେ ଯାଉଥିଲୁ । ମୁଁ ପ୍ରତିଦିନ ଦଶ ପଇସାର ମିକ୍ସଚର କିଣୁଥିଲି । ଦୋକାନୀ ଗୋଟେ କାଗଜର କୋନ ତିଆରି କରି ସେଥିରେ ଛୋଟ ଜର୍ଦ୍ଦା ଡବାରେ ଦି ଡବା ରାଗ ମିକ୍ସଚର ଢାଳି ଦଉଥିଲେ ଆଉ ମୁଁ ନିଜେ ଖାଇବା ଆଗରୁ ଦୌଡ଼ି ଯାଉଥିଲି ରିକ୍ସା ଷ୍ଟାଣ୍ଡକୁ । "ମାଆ" ରିକ୍ସା ହାତରେ ସେଥିରୁ ଗୋଟେ ଭାଗ ନଦେଇ ସେଥିରୁ ଦାନାଟିଏ ବି ପାଟିରେ ପକଉନଥିଲି । ସେଇ ଷ୍ଟାଣ୍ଡରେ ଆଉ ଜଣେ ରିକ୍ସାବାଲା ଥିଲେ । ମୁଁ ପହଞ୍ଚିଲା ମାତ୍ରେ ସେ ବଡ଼ ପାଟିରେ ଡାକ ପକଉଥିଲେ -" ଏ ରାମୁଲୁ, ତୋ ଝିଅ ଆସିଗଲା ।"

"ମାଆ" ରିକ୍ସା ହସି ହସି ଆସି ହାତ ପତେଇ ଦଉଥିଲେ ମିକ୍ସଚର ପାଇଁ ।

ସେତିକି ଆମର ସମ୍ପର୍କ ଥିଲା । ମୁଁ କେବେ ତାଙ୍କ ସହିତ ପଦିଏ ଅଧିକ କଥା ହେଇନି । କିନ୍ତୁ ସେଇ ମିକ୍ସଚର ଦାନା ଆମର ଭଲପାଇବାର ଚିହ୍ନ ଥିଲା । ମୁଁ ତାଙ୍କ ଛଡ଼ା ଆଉ କାହାକୁ ମିକ୍ସଚର ଦଉନଥିଲି । ମତେ ଚିଡ଼େଇବା ପାଇଁ ଆର ରିକ୍ସାବାଲା ଜଣକ ବେଳେବେଳେ କୁହନ୍ତି -"ମତେ ଦଉନୁ ।"

ମୁଁ ମୁଣ୍ଡ ହଲେଇ ମନା କରେ । ସେ କୁହନ୍ତି -"ଛଡ଼େଇକି ନେଇ ଯିବି ଯେ। ରାମୁଲୁକୁ ଦଉଛୁ, ମତେ ଦବୁନୁ ?"

ସେ ଦି ପାଦ ଆଗେଇ ଆସନ୍ତି ଆଉ ମୁଁ ଦୌଡ଼ି ଯାଇ "ମାଆ" ରିକ୍ସା ପଛରେ ଲୁଚୁଥିଲି । "ମାଆ" ରିକ୍ସା ହସି ଦଉଥିଲେ ଆଉ ଇର୍ଷାରେ ଦପ କରି ଜଳି ଉଠୁଥିଲା ଆର ଜଣଙ୍କର ଆଖି ।

ଥରେ ମୁଁ ଗଲା ବେଳେ "ମାଆ" ରିକ୍ସା ନଥାନ୍ତି । ମୁଁ ପଚାରିଲି। ଅନ୍ୟମାନେ କହିଲେ ଯେ ସେ ଆସିନାହାଁନ୍ତି, ହୁଏତ ଆଉ କିଛି ସମୟ ପରେ ଆସିବେ।

ମୁଁ ଘଣ୍ଟାଏ ଅଧ ଘଣ୍ଟା ଛାଡ଼ି ବାରମ୍ବାର ଯାଉଥାଏ । ଆର ରିକ୍ସାବାଲା ଜଣକ ଲକ୍ଷ୍ୟ କରୁଥାଆନ୍ତି । ହଠାତ କହିଲେ -"ରାମୁଲୁ କୁ ଖୋଜୁଛୁ? ସେ କଣ ଆଜି ଆସିବ ? କୋଉଠି ମଦ ପିଇକି ଗଡୁଥିବ ।"

ମତେ ଖୁବ ରାଗ ଲାଗିଲା । ମୁଁ କହିଲି -'"ମାଆ" ରିକ୍ସା ମଦ ପିଏନି ।"

-"ପିଏନି ନା, ଖୁବ ପିଏ । ମାଇକିନା କୁ ବାଡ଼ାଏ । ବାଡ଼େଇକି ତା ପୁଅର ମୁଣ୍ଡ ଫଟେଇ ଦେଇଥିଲା ଥରେ । ତୁ ତାକୁ ଭଲ ଭାବୁଛୁ କି ? ପକ୍କା ବଦମାସ ଟା । ଆଜି ବି ପିଇକି ଝଗଡ଼ା କରୁଥିଲା । ଦେଖିବୁ ରହ, ଜମ୍ମା ଆସିବନି ।"

ମୁଁ ବିଶ୍ବାସ କଲିନି । ସେଦିନ ଟା ମୋର ବିତିଲା ଖାଲି ଘଣ୍ଟାକୁ ଘଣ୍ଟା ରିକ୍ସା ଷ୍ଟାଣ୍ଡ ଦୌଡ଼ି । ହେଲେ "ମାଆ" ରିକ୍ସା ସତକୁ ସତ ଆସିଲେନି । ମତେ ଭାରି କାନ୍ଦ ଲାଗିଲା । ସତେ ଯେମିତି "ମାଆ" ରିକ୍ସା ମତେ ଧୋକା ଦେଇଛନ୍ତି । ସେଦିନ ମିକ୍ସଚର ତକ ମତେ ବିଷ ଭଳି ଲାଗିଲା । ସେଥିରେ ଲାଗିଥିବା ପିମ୍ପୁଡ଼ିଙ୍କ ଧାଡ଼ି ଧୀରେ ଧୀରେ ସବୁ ମିକ୍ସଚର ବୋହି ନେଲେ । ତା ପର ଦିନ ମୁଁ ମିକ୍ସଚର କିଣିଲିନି । ଖାଲି ହାତରେ ରିକ୍ସା ଷ୍ଟାଣ୍ଡ ଗଲି । ମତେ ଦେଖି "ମାଆ" ରିକ୍ସା ଆଗେଇ ଆସିଲେ । ମୋ ଆଗରେ ହାତ ପତେଇଲେ । ହେଲେ ମୋ ହାତ ଖାଲି ଦେଖି ଆଶ୍ଚର୍ଯ୍ୟ ହେଲେ । -"କଣ ହେଇଛି କି ? ଆଜି ମିକ୍ସଚର ଆଣିନୁ ?"

ମୁଁ ତାଙ୍କୁ ଚାହିଁଲି । କୋଉଠି କଣ କିଛି ବଦଳି ଯାଇଛି ?

-"କି ରେ କଣ ହେଲା ?"

ଆର ରିକ୍ସାବାଲା ଜଣକ ଖେଏଁ ଖେଏଁ ହେଇ ହସି ଉଠିଲେ । -" ରାମୁଲୁ, ତୁ ମଦ ପିଇ ଘରେ ବାଡ଼ିଆ ପିଟା କରୁ ବୋଲି ଝିଅକୁ କହି ନଥିଲୁ କି ?"

"ମାଆ" ରିକ୍ସା ମୋ ଆଡ଼କୁ ଚମକି ଚାହିଁଲେ । ତା ପରେ ଆଖି ତଳକୁ କରି ରିକ୍ସାକୁ ଫେରିଗଲେ । ମୁଁ ଘରକୁ ଚାଲି ଆସିଲି । ତା ପର ଦିନ ଠାରୁ "ମାଆ" ରିକ୍ସା ଆଉ ସେ ଷ୍ଟାଣ୍ଡ କୁ ଆସିଲେନି।

ଯେତେଦିନ ଯାକେ ଭୁବନେଶ୍ୱର ରେ ରିକ୍ସା ଚାଲୁଥିଲା, ମୁଁ ରିକ୍ସାରେ ବସୁଥିଲି, ମୋ ଆଖି "ମାଆ" ରିକ୍ସାକୁ ଖୋଜୁଥିଲା । ହେଲେ "ମାଆ" ରିକ୍ସାମାନେ ସରଳ ଆଖିକୁ ହିଁ ଦେଖା ଦିଅନ୍ତି। ସନ୍ଦେହ - କୁଟିଳ ଆଖି ନେଇ ତାଙ୍କୁ ଖୋଜିବା କଣ ସମ୍ଭବ ?

(୯)

ସାନ ବେଳୁ ବିଲେଇମାନଙ୍କ ସହିତ ମୋର ଗୋଟେ ବିଶେଷ ସମ୍ପର୍କ ରହି ଆସିଛି । ବିଲେଇ ଛଡ଼ା ଚୁମକି ଆଉ ଚୁମକି ଛଡ଼ା ବିଲେଇ ପ୍ରାୟ ସମସ୍ତଙ୍କ କଳ୍ପନା ବାହାରେ ଥିଲା । ଘରର ଝରକା, ପାଚେରୀ, ଖଟ, ଚେୟାର ଏଭଳି ପ୍ରତିଟି ଜାଗାରେ ଗୋଟିଏ ଗୋଟିଏ ବିଲେଇ ସ୍ୱମହିମାରେ ବିରାଜିତ ରହୁଥିଲେ ।

ସେ ବିଲେଇମାନଙ୍କ ନାଁ ବି କିଛି କମ ନଥିଲା। କମଳା, ବିମଳା, ବିଜୁଳି ଏମିତି କେତେ କଣ । ସେମାନେ ମୋ ଥାଳିରୁ ଖାଇବା ଚୋରାଉଥିଲେ ଆଉ ମୋ ଅତ୍ୟାଚାର ବି ସହୁଥିଲେ । ଅତ୍ୟାଚାର ? ବହୁତ କରୁଥିଲି । ମୁଁ ଅବଶ୍ୟ ସେସବୁକୁ ଏକ୍ସପେରିମେଣ୍ଟ ବୋଲି ଭାବୁଥିଲି । ଆମେ ଦାନ୍ତ ଘଷୁ, ସେମାନେ କାହିଁକି ଘଷିବେନି ? ତେଣୁ ଥରେ ଜଣଙ୍କ ପାଟିରେ ଟୁଥପେଷ୍ଟ ମାରିଦେଇଥିଲି । ଗୋଟେ ନୌକା ଭଳି ହେଅର କ୍ଲିପ ଥିଲା । ମାଆଙ୍କ ଓଦା ଶାଢ଼ୀରୁ ସେଇଥିରେ ପାଣି ଚିପୁଡ଼ି ଜଣଙ୍କୁ ଜବରଦସ୍ତି ପିଅଉଥିଲି । ଥରେ ଜଣଙ୍କ ନିଶ କାଟି ଦେଇଥିଲି (ଝିଅ ବିଲେଇର ନିଶ କଣ ?)। ଆହୁରି କଣ କଣ କରୁଥିଲି ମନେ ନାହିଁ । ଯେତେ ବଡ଼ ହେଲି ସେତେ ଏସବୁ ଦୁର୍ବୁଦ୍ଧି କମି ଗଲା କିନ୍ତୁ ବିଲେଇ ପ୍ରୀତି କମିଲାନି ।

ଏ ପ୍ରୀତି ବାବୁଜୀଙ୍କ ବି କିଛି କମ ନଥିଲା । ଗୋଟିଏ ବିଲେଇ ତ ତାଙ୍କର ଏତେ ପ୍ରିୟ ଥିଲା ଯେ ଶହେ ଗାଡ଼ି ଭିତରୁ ସେ ତାଙ୍କ ରାଜଦୂତ ମୋଟର ସାଇକେଲ ର ଶବ୍ଦ ଚିହ୍ନି ଦଉଥିଲା ଆଉ ଗଳି ମୁଣ୍ଡରୁ ଗାଡ଼ି ଶବ୍ଦ ଶୁଣି ଗେଟ ପାଖକୁ ଦୌଡ଼ି ଯାଉଥିଲା । ମୁଁ ବହୁତ ଥର ଦେଖିଛି ଯେ ବାବୁଜୀଙ୍କ ଉପରେ ବିଲେଇମାନେ ଗଦା ହେଇ ଶୋଇଛନ୍ତି ଆଉ କାଳେ ସେମାନଙ୍କ ଉପରେ ମାଡ଼ିଯିବେ ସେଇ ଡରରେ ସେ ସାରା ରାତି ଗୋଟିଏ ପାଖ ମାଡ଼ି ଶୋଇଛନ୍ତି । ସକାଳୁ ପଛେ ଦେହ ହାତ ବ୍ୟଥା ହେଇଯାଉ ।

ଏଇ ଦୁଇ ଚାରି ଦିନ ତଳେ ଘରକୁ ଫେରିବା ବାଟରେ ଗୋଟେ ବିଲେଇ ଛୁଆ ପାଇଲି । ବିଚରା ଏକୁଟିଆ ଠିଆ ହେଇ ବିକଳରେ ଚାହିଁ ଥାଏ । ଗୀତା (ମୋ ଗାରଡ଼ିଆନ ଆଞ୍ଜେଲ) କହିଲା -"ଦିଦି, ନେଇ ଯିବା ? ନହେଲେ ଭୋକରେ ମରିଯିବ, କିମ୍ବା କୋଉ କୁକୁର ଖାଇଯିବ।"

-"କୁକୁର ତ ଆମ ଘରେ ବି ଅଛି ?"

-"କାଜୁ ? ସେ କିଛି କରିବନି ମ । ଆମେ ସମ୍ଭାଳି ଦବା ନି ?"

ସମ୍ଭାଳ ତେବେ । ଘରକୁ ଆଣିଲୁ । ଆରମ୍ଭ ହେଇଗଲା ଭି ଆଇ ପି ଟ୍ରିଟମେଣ୍ଟ । ନାଁ ବଛା ହେଲା "ବରଫି"। ପୁଅ ବିଲେଇଟିଏ । କି ନିରୀହ ଚାହାଣି । କି ଶାନ୍ତ। ମନେ ପଡିଗଲା ଭୋଲୁ କଥା ।

ମୁଁ ସେତେବେଳେ କଲେଜରେ ପଢ଼ୁ ଥାଏ । ଦିନେ ସାରା କଲେଜରେ ମିଆଁଉ ମିଆଁଉ ଶୁଭିଲା । ଖୋଜ, ଖୋଜ... ବହୁତ ଖୋଜିଲା ପରେ ଭଙ୍ଗା ଫର୍ନିଚର ଥିବା ରୁମରେ ଗୋଟେ ଟେବୁଲର ଡ୍ର ଭିତରେ କୁନି ବିଲେଇ ଛୁଆଟିଏ ମିଳିଲା । ଜଣା ନାହିଁ କୋଉଠୁ ଆସିଲା।

ଆଖି ବି ଫିଟିନି। ଓଢଣୀରେ ଗୁଡ଼େଇ ଘରକୁ ଆଣିଲି । ବାଟରେ ଦୋକାନରୁ ଡ୍ରପର କିଣିଲି । ଘରେ ଆସି ଡ୍ରପରରେ କ୍ଷୀର ପୁରେଇ ବୁନ୍ଦା ବୁନ୍ଦା କରି ପିଏଇଲି । ଭୋକ ସିନା ମେଣ୍ଟିଗଲା ହେଲେ ମାଆର ସ୍ତନ ଛଡ଼ା ଛୁଆର ପେଟ ପୂରେ କି ? ସେ ସେମିତି କାନ୍ଦି ଚାଲିଥାଏ । ଅସହାୟ ମୁଁ କିଛି ଉପାୟ ନ ପାଇ ମୋ କାଣି ଆଙ୍ଗୁଠି ଟା ତା ପାଟିରେ ଦେଲି । ସେ ଚୁଚୁମିବାକୁ ଲାଗିଲା ଆଉ ଶୋଇ ପଡ଼ିଲା । ସେଇଦିନ ଠୁ ମୁଁ ହେଲି ତା ମାଆ । ତା ନାଁ ଦେଲି "ଭୋଲୁ" । ଭୋଲୁ ଧୀରେ ଧୀରେ ବଡ଼ ହେଲା କିନ୍ତୁ ମୋ ଆଙ୍ଗୁଠି ଚୁଚୁମିବାର ଅଭ୍ୟାସ ତାର ଗଲାନି । ତା ବୟସ ବଢ଼ିବା ସହିତ କାଣି ଆଙ୍ଗୁଠିର ସ୍ଥାନ ନେଲା ମୋ ମଝି ଆଙ୍ଗୁଠି । ମୁଁ ଖଟ ବା ଚେଆରରେ ବସି ଲହରେଇକି ଡାକିବି -"ଭୋଲୁ ଉ ହୁ ଉ..."... ସିଏ ବି ଯୋଉଠି ଥାଉ ଦୌଡ଼ି ଆସି ଲହରେଇକି ଉତ୍ତର ଦବ - "ହୁଁ ଉଁ ଉଁ ଉଁ.."

ତା ପରେ ମୋ କୋଳକୁ ଉଠିଆସି ଆଙ୍ଗୁଠି ଚୁଚୁମିବାକୁ ଲାଗିବ।

ଭୋଲୁ ପୁଅ ବିଲେଇ ଥିଲା କିନ୍ତୁ ଲଢ଼େଇ କରି ଜାଣିନଥିଲା । ଘରୁ ବାହାରକୁ ଯାଉନଥିଲା ।

ସେଇ ଭୋଲୁ ଦିନେ ବେଲ ଗଛରେ ଚଢ଼ିଥିଲା । କେମିତି କେଜାଣି ତା ଅଣ୍ଟା ପାଖରେ ଗୋଟେ ବେଲ କଣ୍ଟା ଫୁଟିଗଲା । ସେ ଘା ଆଉ ଶୁଖିଲାନି । ମୋ ପାଖରେ ଶୋଉଥିଲା । ମୋ ଦେହରେ ପୂଜ ରକ୍ତ ଲାଗିଲାରୁ ମୁଁ ତା ଶୋଇବା ପାଇଁ ଗୋଟେ କାର୍ଡ଼ବୋର୍ଡ ବାକ୍ସର ବ୍ୟବସ୍ଥା କଲି ହେଲେ ସେ ମୋ ପାଖ ଛାଡିଲାନି । ମୁଁ ବି କୋଉ ତାକୁ ଛାଡ଼ି ପାରୁଥାଏ ? ପ୍ରତି ରାତିରେ ମୋ ଦେହ ତା ପୂଜରେ ଓଦା ହୁଏ ।

ସେଦିନ କିନ୍ତୁ ସେ ମୋ ପାଖରେ ଶୋଇଲାନି । ଯେତେ ଡାକିଲେ ବି ଯାଇ ସେଇ ବାକ୍ସ ଭିତରେ ଶୋଇଲା... ଆଉ ସବୁ ଦିନ ପାଇଁ ଶୋଇଗଲା । ଏତେ ଦିନ ତା ପୂଜରେ ବୋଳି ହେଲି, ଶେଷ ପୂଜ ଟା କଣ ଏତେ ଅସ୍ପୃଶ୍ୟ ଥିଲା ?

ଏତେ ବର୍ଷ ଭିତରେ ବହୁତ ବିଲେଇ କୁକୁର ପାଳିଛି । ସେମାନଙ୍କ ସ୍ନେହ ପାଇଛି । ବିଚ୍ଛେଦ ବି ସହିଛି । ମୋ ସହିତ ବିଜୟ ବି ସହିଛନ୍ତି । ସେ ଟିକେ ନରମ ଲୋକ । ମୋ ଭଳି ପଥର ନୁହଁନ୍ତି । ଆଖି ସାମ୍ନାରେ ସେମାନଙ୍କ ମୃତ୍ୟୁ ବା ଆମକୁ ଛାଡ଼ି ସେମାନେ ପଳେଇଲେ କଷ୍ଟ ପାଆନ୍ତି ମୋ ଠୁ ତିନି ଗୁଣ । ଏଥର ବି ବରଫି କୁ ଦେଖି ଶଙ୍କି ଗଲେ । କହିଲେ -" କାହିଁକି ଆଣିଲ? ଆଉ ସହି ପାରିବିନି ।"

ମୁଁ ଖାଲି ବରଫି ମୁହଁକୁ ଚାହିଁଲି, ଆଉ ଭାବିଲି; ଜୀବନର ନାଁ ତ ସହି ଚାଲିବା । ଆମେ କାହିଁକି ଭାବିବା ଯେ ସେମାନେ କେତେ ଅଳ୍ପ ସମୟ ଆମ ସହିତ ରହୁଛନ୍ତି ବୋଲି ? ବରଂ ସେମାନଙ୍କ ଜୀବନର ସେଇ ଅଳ୍ପ କିଛି ବର୍ଷ ତ ତାଙ୍କର ଯତ୍ନ ନେଇ ପାରିବା । ସେମାନଙ୍କୁ ସ୍ନେହ ଦେଇ ପାରିବା । ମୃତ୍ୟୁ ଆସେ । ଆସେ ବିଚ୍ଛେଦ । କିନ୍ତୁ ମୃତ୍ୟୁ ଭୟରେ ଜୀଇଁବାକୁ ଡରିବା ? ବିଚ୍ଛେଦ ଅଛି ବୋଲି କଣ ପ୍ରେମ କରିବା ନି? ମୁଁ ଜାଣିଛି ନିରୀହ ଆଖିରେ ଚାହିଁଥିବା ଏଇ ବରଫି କିଛି ବର୍ଷ ପରେ ନଥିବ । କିଛି ବର୍ଷ କାହିଁକି, ହୁଏତ କାଲି ହିଁ କୌଣସି ଦୁର୍ଘଟଣାର ଶିକାର ହେଇ ଯାଇପାରେ । ତା ଯନ୍ତ୍ରଣା, ତା ବିରହରେ ମୋ ମନ ଭାଙ୍ଗିବ । କିନ୍ତୁ ମୁଁ ହାରିବିନି । ପୁଣି ରାସ୍ତାରୁ ଗୋଟେଇ ଆଣିବି ଆଉ ଗୋଟିଏ ବିଲେଇ ଛୁଆ । ପୁଣି ଭଙ୍ଗା ମନକୁ ଫେବିକଲରେ ଯୋଡ଼ି ପ୍ରେମ କରିବି। ପୁଣି.. ପୁଣି..

ଜୀବନ କଥା: ବାଟ ଅବାଟ - ୪