ଜୀବନ କଥା: ବାଟ ଅବାଟ - ୪

ଏଇଟା ଜୀବନ କଥା । ବିଶିଷ୍ଟ ଅଭିନେତ୍ରୀ ଓ କବି ଭାସ୍ଵତୀ ବସୁଙ୍କ ଜୀବନ କଥା । ସହଜରେ, ସରଳ ଭାବରେ ଓ କୌଣସି ଚାତୁରୀ ନ ରଖି, ସେ ନିଜ କଥା ଲେଖୁଛନ୍ତି । ଏ ଏକ ଚମତ୍କାର ଓ ଚମକପ୍ରଦ ଜୀବନାନୁଭୂତି ।


(୭)

ଗୋଟିଏ ଝିଅ ଥିଲା । ଧରି ନେବା ତା ନାଁ ଥିଲା ସ୍ନେହଲତା । ହଁ ମ ଆମ ବେଳେ ସୋନିଆ, ଅଞ୍ଜଳିମାନଙ୍କ ଭିଡ଼ରେ ଏମିତି ନାଁ ବି ଦୁଇ ତିନି ପିସ୍ ମିଳୁଥିଲେ । ଆଜି ସେ ମନେ ପଡିଗଲା । ମୋର ସେଇ ଆଠ ନ ବର୍ଷ ବୟସର ସ୍ମୃତିମାନଙ୍କ ଭିତରେ ସେ ଗୋଟେ ବେଶ ବଡ଼ ଜାଗା ଟିଏ ଦଖଲ କରି ରହିଛି । ସ୍ନେହ ମୋ ଠୁ ଦୁଇ ଚାରି ବର୍ଷ ବଡ଼ ଥିଲା କିନ୍ତୁ ମୁଁ ତାକୁ ନାଁ ଧରି ଡାକୁ ଥିଲି । ଆମେ ସାଙ୍ଗ ଥିଲୁ ।

ସେମାନେ ପୂର୍ବବଙ୍ଗୀୟ ରିଫିଉଜି ଥିଲେ । ସ୍ନେହର ବାପା ଗୋଟିଏ ଛୋଟିଆ ଚାକିରି କରିଥିଲେ । ବାପା, ମା, ଆଈ, ଚାରି ଭାଇ ଭଉଣୀ ମିଶି ବେଶ୍ ବଡ଼ ପରିବାର । ଝାପସା ସ୍ମୃତିରେ କାକୁଙ୍କ ଯୋଉ ଚେହେରା ମନେ ପଡେ, ତାହା ହେଲା ପତଳା, ଡେଙ୍ଗା, ହାଡୁଆ ମଣିଷଟିଏ ।

କାକୁ ଯେତେବେଳେ ହଠାତ୍ କାର୍ଡିଆକ୍ ଆରେଷ୍ଟରେ ସମସ୍ତଙ୍କୁ ଅନାଥ କରି ଚାଲି ଗଲେ ତା ଦୁଇ ମାସ ପରେ ହିଁ କାକୀମା ତାଙ୍କ ପଞ୍ଚମ ସନ୍ତାନକୁ ଜନ୍ମ ଦେଲେ । ଦାରିଦ୍ର୍ୟର ର ଯୋଉ ଲଢେଇ ମୁଁ ସେତେବେଳେ ଦେଖିଥିଲି, ତାହା ମତେ ବି ଲଢ଼ିବା ଶିଖେଇ ଦେଇଥିଲା ।

ସେ ପରିବାର ଲୋକେ ଶୋକ କରିବାକୁ ସମୟ ପାଇ ନଥିଲେ । ସେମାନଙ୍କ ପାଇଁ ଲୁହ ଗଡ଼େଇବା ବି ସମୟର ଅପଚୟ ଥିଲା । ସେତିକି ସମୟ ଭିତରେ କିଛି କାଗଜ ଠୁଙ୍ଗା ତିଆରି କରି ବିକି ତ ହବ!

ଶୀର୍ଣ୍ଣ, ରକ୍ତହୀନତାରେ ପାଣ୍ଡୁର ବର୍ଣ୍ଣ କାକୀମା ତାଙ୍କ ତତୋଧିକ ଶୀର୍ଣ୍ଣ, ରକ୍ତହୀନ ଶିଶୁ କନ୍ୟାକୁ ଧରି ଖଟ ଉପରେ ବସି ରହୁଥିଲେ ଆଉ ତଳେ ବସି ପୁରା ପରିବାର ଖବର କାଗଜରେ ଠୁଙ୍ଗା ତିଆରି କରୁଥିଲେ । କେତେ ପଇସା ଆସୁଥିବ ତାକୁ ବିକ୍ରି କରି ? କେମିତି ଚଳୁଥିବେ ସେମାନେ ?

ଥରେ ମୁଁ ତାଙ୍କ ଘରେ ପହଞ୍ଚିଲା କ୍ଷଣି ଦିଦା (ଆଈ) ମତେ କହିଲେ -"ଚୁମକି, କାକୀମା କଣ କହୁଛି ଟିକେ ଶୁଣି ଯା" । ମୁଁ କାକୀମାଙ୍କ ଖଟ ପାଖକୁ ଗଲା ମାତ୍ରେ ସେ ମତେ ହାତ ଧରି ଟାଣି ବସେଇଲେ । ଦିଦା ମଧ୍ୟ ମୋ ପାଖରେ ବସିଲେ । କାକୀମା ମୋ ହାତକୁ ଆଉ ଦିଦା ମୋ ପିଠି ଆଉଁସୁ ଥାଆନ୍ତି । ଦିହେଁ ଯାକ କିଛି କହିବାକୁ ଚାହୁଁଛନ୍ତି ହେଲେ କହି ପାରୁନାହାଁନ୍ତି । ସତେ କଥା ତକ ତଣ୍ଟି ପାଖରେ ଅଟକି ଯାଇଛି । କାକୀମାଙ୍କ ଆଖି ଛଳ ଛଳ ହେଇ ଆସିଲା । ଧୀର ଗଳାରେ କହିଲେ -"ମାଆ ରେ, ଦିଦି (ମୋ ମାଆ)ଙ୍କୁ ଯାଇ କହିବୁ ଟିକେ ଅମୁଲ ଦବାକୁ? ମୋ ଛାତିରେ କ୍ଷୀର ଆସୁନି । ବାର୍ଲି ଦଉଥିଲି ଯେ ଛୁଆଟା ପିଉନି । ଅମୁଲ୍ ଟିକେ ଦେଲେ ଗୋଳେଇକି ଦେବି । କାଳେ ପିଇ ଦବ । ନ ହେଲେ କେମିତି ବଞ୍ଚିବ ?"

ଏତକ କହିବା ପାଇଁ ସେ ଯେ କେତେ ସଂଘର୍ଷ କରିଥିବେ! କେବେ କାହା ଆଗରେ ପତେଇ ନଥିବା ହାତ କେତେ କଷ୍ଟରେ ଯେ ମୁଠା ଖୋଲିଥିବ!

ମୁଁ କହିଲି -"ଏବେ ଆଣୁଛି।"

ଦୁଆର ଟପିବା ପୂର୍ବରୁ ଦିଦା ପଛରୁ ଡାକିଲେ -"ଆଉ ଟିକେ ସୋରିଷ ତେଲ ବି ଆଣିବୁ?"

-"ଥାଉ ନା ମା.." କାକୀମା ଆକଟ କଲେ ।

ମୁଁ ଘରକୁ ଆସି ମାଆଙ୍କ ଠାରୁ ଟିକେ ଅମୁଲ ଆଉ ତେଲ ଆଣି ଦିଦାଙ୍କ ହାତରେ ଧରେଇଲି । ଅମୁଲ ତକ ଦିଦା ଲୁଚେଇ ରଖିଲେ । କେବଳ ଛୁଆ ଖାଇବ । ସୋରିଷ ତେଲ ତାଙ୍କ ଘରେ ଥିବା ଶିଶିରେ ଢାଳି ରଖି ମତେ ଆମ ବୋତଲ ଫେରେଇବା ଆଗରୁ ଡାକ ପକେଇଲେ -"ତେଲ ଲଗେଇ ରୁଟି ଖାଇବ କି ରେ?" ଘରର ସବୁ ପିଲା ଖଣ୍ଡେ ଖଣ୍ଡେ ବାସୀ ରୁଟି ଧରି ଧାଡ଼ିରେ ଠିଆ ହେଲେ । ଦିଦା ବୋତଲ ପୋଛି ପ୍ରତ୍ୟେକଙ୍କ ରୁଟିରେ ଠିକ୍ ଟୋପାଏ ଲେଖାଏଁ ତେଲ ପକେଇଲେ। ଜଣେ ଟୋପେ ଅଧିକ ମାଗି ଗାଳି ବି ଶୁଣିଲା । ମୋ ଝିଅ ଆଇଁଷ ନହେଲେ ନାକ ଟେକେ । ହେଲେ ସେଇ ଟୋପାଏ ତେଲ ଲଗା ରୁଟିର ସ୍ମୃତି ମତେ ଖାଲି ପିଆଜ ଲଗେଇ ବି ଭାତ ଖୁଏଇ ଦିଏ ।

ସେଇ ଥରକ ଛଡ଼ା ମତେ ଦିଦା ବା କାକୀମା କେବେ କିଛି ମାଗି ନଥିଲେ । ଖାଲି ମତେ ନୁହଁ, କାହାକୁ ବି କିଛି ମାଗି ନଥିଲେ । କିଛି ଦିନ ପରେ ସେଇ ଶିଶୁ ଟି ଆଖି ବୁଜିଦେଲା । କାକି ମାଆ ଖଟରୁ ଓହ୍ଲେଇ ଠୁଙ୍ଗା ତିଆରି ଆଉ ମୁଢ଼ି ଭାଜିବାରେ ମନ ଦେଲେ । ଦୁଇଟି ମୃତ୍ୟୁ କେବଳ ଦୁଇଟି ଘଟଣା ଥିଲା । ଆଉ କିଛି ନୁହଁ । ସ୍ନେହ କିନ୍ତୁ କାକୁଙ୍କୁ ମନେ ପକାଉଥିଲା । ସ୍ମୃତିର ଅହଙ୍କାରରେ ଯନ୍ତ୍ରଣା ଲୁଚେଇବା ପାଇଁ ।

ଥରେ ମାଆ ମତେ ପାଉଁରୁଟି କିଣିବାକୁ ପଠେଇଥିଲେ । ମୋ ସାଙ୍ଗରେ ସ୍ନେହ ଥିଲା । ଆମେ ଦୋକାନ ପହଞ୍ଚିଲୁ। ମୁଁ ଦୋକାନୀଙ୍କୁ କିଛି କହିବା ଆଗରୁ ସ୍ନେହ ହାତ ବଢ଼େଇ ଗୋଟେ ପାଉଁରୁଟି ଧରିବାକୁ ଗଲା । ବୁଢ଼ା ଦୋକାନୀ ଅନ୍ୟ ଆଡ଼େ ଅନେଇଥିଲେ । ହଠାତ୍ ତାଙ୍କ ନଜର ଇଆଡ଼େ ପଡିଲା । ସେ କଣ ଭାବିଲେ କେଜାଣି ଗୋଟେ କାଠ ସ୍କେଲ୍ ରେ ସ୍ନେହର ହାତକୁ ପିଟି ଦେଲେ । ମୁଁ ମୋ ଆଠ ବର୍ଷିଆ କୋମଳ କଣ୍ଠକୁ ଦୃଢ଼ କରି ଖୁବ୍ ଝଗଡ଼ା କଲି ଆଉ ପାଉଁରୁଟି ନ ନେଇ ଚାଲି ଆସିଲି । ବାଟରେ ଆସିଲା ବେଳେ ସ୍ନେହ କହିଲା -"ମୋ ବାବା ନାହାଁନ୍ତି ତ ସେଥିପାଇଁ ସେ ଦୋକାନୀ ମତେ ଭିକାରୀ ଭାବିଲା । ଜାଣିଛ ? (ସେ ମତେ କେବେ ତୁ କହିନି) ବାବା ମତେ କେତେ ଭଲ ପାଉଥିଲେ ? ସବୁଦିନ ରାତିରେ ମୋ ପାଇଁ ବିସ୍କୁଟ ନହେଲେ ଚକଲେଟ ଆଣୁଥିଲେ । କେବେ କେବେ ମୁଁ ରାତିରେ ଶୋଇ ପଡିଲା ପରେ ଯଦି ସେ ଆସୁଥିଲେ ଆଉ ମୁଁ ଖାଇବା ଆଗରୁ ଯଦି ସେଥିରୁ ଆଉ କିଏ ଖାଇ ଦଉଥିଲା ତାହେଲେ ସକାଳେ ମୁଁ ବହୁତ୍ କାନ୍ଦୁ ଥିଲି । ଆଉ ବାବା ମତେ କୋଳରେ ବସେଇ ବୁଝଉଥିଲେ ।"

ନିଜର ସ୍ୱଳ୍ପ ଦରମାରେ କାକୁ କଣ ଆଣୁଥିଲେ ଜଣା ନାହିଁ, ହେଲେ ବାପର ସ୍ନେହ ନିଶ୍ଚୟ ଊଣା କରି ନଥିବେ । ଲାଞ୍ଛନାର ଶିକାର ଝିଅ ପାଇଁ ସେଇ ସ୍ନେହର ସ୍ମୃତି ହିଁ ଢାଲ ପାଲଟିଥିଲା । ସେ ମତେ ପ୍ରେମ ବୁଝେଇଥିଲା । ସାନ ବେଳେ ମୁଁ ଖୁବ୍ ପଢ଼ୁଥିଲି । ଗାଈ ଭଳିଆ ବହି ଚରି ଯାଉଥିଲି। ବଡ଼ମାନଙ୍କ ବହି, ସାନମାନଙ୍କ ବହି ବୋଲି କିଛି ପ୍ରଭେଦ ନଥିଲା । ଆଜି ଆପଣମାନଙ୍କୁ ଚୁପ୍ କିନା କହି ରଖେ, ବେଶ୍ କିଛି "ପ୍ରାପ୍ତବୟସ୍କ" ବାଲା ବହି ବି ପଢ଼ି ପକେଇଥିଲି (ଅବଶ୍ୟ ଯାହା ବୁଝୁଥିଲି ତାହା ମାଆ ଗଙ୍ଗେଇଙ୍କୁ ଜଣା) । ଯେକୌଣସି ବହିରୁ ଯୋଉ ଗପ ପଢ଼ୁଥିଲି ତାର କମା, ଫୁଲଷ୍ଟପ ପର୍ଯ୍ୟନ୍ତ ଘୋଷି ପକଉଥିଲି ।

ସେ ବଙ୍ଗଳା ପଢ଼ି ପାରୁ ନଥିଲା । ମୁଁ ତାକୁ ବଙ୍ଗଳା ଗପ ଶୁଣାଉଥିଲି। ପ୍ରେମିକ ପ୍ରେମିକାଙ୍କ ଭିତରେ ଥିବା ମାନ ଅଭିମାନ, ପ୍ରେମ ଆଦିର ବର୍ଣ୍ଣନା ଶୁଣିଲା ବେଳେ ତା ମୁହଁ ଯେମିତି ଉଜ୍ଜ୍ୱଳ ହେଇ ଉଠୁଥିଲା, ତାହା ଅବର୍ଣ୍ଣନୀୟ । ମତେ ଦଶ, ତାକୁ ତେର କି ଚୌଦ ବର୍ଷ । ତା ମୁହଁର ବଦଳୁଥିବା ରଙ୍ଗ ମତେ ବି ତା ବୟସ କୁ ନେଇ ଯାଉଥିଲା । ଘୋଷା ପାଠକୁ ବୁଝିବାକୁ ଚେଷ୍ଟା କରୁଥିଲି ।

ଆମେ ବାପୁଜୀ ନଗର ଛାଡ଼ିବା ପରେ ତା ସହିତ ଦେଖା ହବା କ୍ରମେ ବନ୍ଦ ହେଇ ଗଲା । ମୁଁ ଧିରେ ଧିରେ ତାକୁ ଭୁଲିଗଲି । ବେଶ୍ କିଛି ବର୍ଷ ପରେ କଲେଜରେ ପଢିଲା ବେଳେ ଥରେ ଆମ କଲେଜର ଅନ୍ୟ ବିଭାଗର ଝିଅଟିଏ ହଠାତ୍ ଦିନେ ମତେ ପଚାରିଲା -"ତମେ ସ୍ନେହଲତାଙ୍କୁ ଜାଣ ?"

-"କୋଉ ସ୍ନେହଲତା ?"

-"ବାପୁଜୀ ନଗର ରେ ତମ ସାଙ୍ଗ ଥିଲେ! ତମେ ମୋ ସାଙ୍ଗରେ ପଢୁଛ ଜାଣି ଭାରି ଖୁସି ହେଇ ଗଲେ।"

-"ହଁ ହଁ । କେମିତି ଅଛି ସେ ? କଣ କରୁଛି ? ତମେ ତାକୁ କେମିତି ଜାଣିଲ ?"

-"ଆମ ଘର ପାଖରେ ରୁହନ୍ତି । ଭଲ ନାହାଁନ୍ତି ।"

-"ମାନେ ?"

-"ଭଲ ପାଇ ଘରୁ ପଳେଇ ଆସିଲେ । ହେଲେ ତାଙ୍କ ସ୍ବାମୀ ଟା ମୋଟେ ଭଲ ଲୋକ ନୁହେଁ। ନିଇତି ଝଗଡ଼ା, ମାରପିଟ ।"

-"ଆହା.."

-"ତମ ସାଙ୍ଗରେ ଥରେ ଦେଖା କରିବାକୁ ଚାହୁଁଛନ୍ତି । ସବୁବେଳେ ତମ କଥା କୁହନ୍ତି । ଯିବ ?"

-"ହଁ ନିଶ୍ଚୟ । ଥରେ ସୁବିଧା ଦେଖି ତମ ସାଙ୍ଗରେ ନିଶ୍ଚୟ ଯିବି ।"

ହେଲେ ସେ ସୁବିଧା ଆଉ ହଉ ନଥାଏ । ମତେ ସେ ସାଙ୍ଗଟି ବହୁତ ଥର କହିଛି -" ତମ କଥା ପଚାରୁଥିଲେ ।"...

-"କାଲି ସରସ୍ଵତୀ ପୂଜା। ତାଙ୍କ ଘରକୁ ଯିବ?"...

-"ସେ ତୃତୀୟ ଥର ମାଆ ହବାକୁ ଯାଉଛନ୍ତି । ଯିବ?"..

-"ଆଉ ଅଳ୍ପ ଦିନ ପରେ ଡେଲିଭରି । ତମକୁ ଦେଖିବାକୁ ତାଙ୍କର ବହୁତ୍ ଇଚ୍ଛା । ଯିବ?"...

ଏଇମିତି ବାରମ୍ବାର । ଆଉ ମୁଁ ଆଜି ଯିବି, କାଲି ଯିବି ହଉଥାଏ । ଖୁବ୍ ଗୋଟେ ଇଚ୍ଛା ବି ନଥାଏ। ହଁ ମ, ପିଲାବେଳ \ର ସାଙ୍ଗ ତ... ଆଉ ଦଶ ଜଣ ସାଙ୍ଗଠୁ ଅଲଗା କଣ...

କୋଉଠି ଗୋଟେ ଡର ବି ଥାଏ । ଏତେ ଦିନ ପରେ ପୁରୁଣା ସମ୍ପର୍କକୁ ଘୋଷାରି କାଳେ ଅସୁବିଧାରେ ପଡିଯିବି! କାଳେ କିଛି ଦାୟିତ୍ୱ ଆଗକୁ ଚାଲି ଆସିବ!

ହଠାତ୍ ଲକ୍ଷ୍ୟ କଲି ସେ ସାଙ୍ଗ ଟି ଆଉ ସ୍ନେହ କଥା କହୁନି । ତା ଘରକୁ ଡାକୁନି ।

ବେଶ୍ କିଛି ଦିନ ପରେ ଦିନେ ମୁଁ ତା ପାଖକୁ ଗଲି ।

-"ଆରେ ସ୍ନେହ କେମିତି ଅଛି କି ରେ? ତାର ଛୁଆ ପିଲା ହବାର ଥିଲା ପରା ? କଣ ହେଲା ?"

-"ସେ ଆଉ ନାହାଁନ୍ତି ତ । ମରି ଗଲେ ।"

-" ହାଁ! କଣ ? କେମିତି? କେବେ ?"

-"ମଦ ପିଇ ତାଙ୍କ ସ୍ବାମୀ ପେଟରେ ଗୋଇଠା ମାରିଲେ। ମାଆ, ଛୁଆ ଦୁହେଁ ଶେଷ। ପେପରରେ ବାହାରି ଥିଲା । ଦେଖିନ?"

ମତେ ଦୟାର ଦୃଷ୍ଟି ଫୋପାଡ଼ି ସାଙ୍ଗ ଟି ଚାଲି ଗଲା । ମୁଁ ସେଇଠି ବହୁତ ସମୟ ଠିଆ ହେଇ ରହିଲି । ନିଜ ଉପରେ ସତରେ ଦୟା ଆସିଲା । ଆମେ ବୁନ୍ଦାଏ ଭଲ ପାଇବା ଦେଇ ପାରୁନା । ନା ?

ଜୀବନ କଥା: ବାଟ ଅବାଟ - ୩