ଜୀବନ କଥା: ବାଟ ଅବାଟ - ୩

ଏଇଟା ଜୀବନ କଥା । ବିଶିଷ୍ଟ ଅଭିନେତ୍ରୀ ଓ କବି ଭାସ୍ଵତୀ ବସୁଙ୍କ ଜୀବନ କଥା । ସହଜରେ, ସରଳ ଭାବରେ ଓ କୌଣସି ଚାତୁରୀ ନ ରଖି, ସେ ନିଜ କଥା ଲେଖୁଛନ୍ତି । ଏ ଏକ ଚମତ୍କାର ଓ ଚମକପ୍ରଦ ଜୀବନାନୁଭୂତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

(୫)

ଶୁଣିଛି ମୋ ଶଶୁର ରଘୁନାଥପୁରରୁ ଭୁବନେଶ୍ୱର ଏଇଥିରେ ପହଞ୍ଚି ଯାଉଥିଲେ, ତା ବି ପରିଣତ ବୟସରେ ।
ମତେ ଚଲେଇ ଆସେନି (ହଁ ମ, ସାଇକେଲ, କାର, ପ୍ଲେନ, କିଛି ବି ଚଲେଇ ଆସେନି, କଣ ହେଲା ସେଇଠୁ?)।
ପିଲାବେଳେ ମୋ ପାଖରେ ସାଇକେଲ କିମ୍ବା ସାଇକେଲ ଶିଖେଇଲାବାଲା, କେହି ବି ନଥିଲେ ।
ଖୁବ ସାନବେଳେ ଗୋଟିଏ ଘଟଣା ଘଟିଥିଲା । କୌଣସି କାମରେ ଆମ ଘରକୁ ଜଣେ ଲୋକ ଆସିଥିଲେ । ଚିହ୍ନା ପରିଚିତ ନୁହଁନ୍ତି (ସମ୍ଭବତଃ)। ବାବୁଜୀ ପଠେଇଛନ୍ତି କହି ମାଆଙ୍କ ସହିତ କଥାବାର୍ତ୍ତା ହେଲେ । ବୋଧହୁଏ ଇଲେକ୍ଟ୍ରିକ ଫିଉଜ ସଜାଡ଼ିବାକୁ କି କଣ । କାମ ଭିତରେ ବହୁତ ଗପିଲେ । ମୋ ସହିତ ବି କଥା ହେଲେ । ମୁଁ ତ ଚୁଇଁଟେ । ଗପୁ ଗପୁ ମତେ ପଚାରିଲେ - "ତୁ ଏରୋପ୍ଲେନ ଦେଖିଛୁ ?"
-- "ନା"
-- "ଦେଖିବୁ ?"
-- "ହଁ ଅ ଅ ଅ.."
-- "ଚାଲ । ଭାଉଜ, ମୁଁ ୟାକୁ ଏରୋଡ୍ରମ ବୁଲେଇ ଆଣୁଛି ।"
ମାଆ ନା ନା ହାଁ ହାଁ କହି ପାଟି କରୁ କରୁ ସେ ମତେ ସାଇକେଲର ରଡ ଉପରେ ବସେଇ ଚମ୍ପଟ ।
ଆମେ ଝଡ଼ ଭଳି ଏରୋଡ୍ରମ ରାସ୍ତାରେ ଚାଲିଲୁ । ବାଟରେ ଖୁଏଇଲେ ଲଜେନ୍ସ ।
ଆମେ ଏରୋଡ୍ରମ ପହଞ୍ଚିଲୁ । ତାଙ୍କର ଚିହ୍ନା ପରିଚୟ ଥିଲା କି କଣ, ଭିତରକୁ ବି ଗଲୁ ।
ଗୋଟିଏ ଟୁ ସିଟର ପ୍ଲେନ ରଖା ହେଇଥାଏ । ନୂଆ ପାଇଲଟମାନେ ଯାହାକୁ ଚଲେଇ ଶିଖନ୍ତି । ମତେ ନେଇ ପ୍ଲେନ ସିଟରେ ବସେଇଦେଲେ । ସାମ୍ନାରେ ଗୁଡ଼ାଏ ଯନ୍ତ୍ରପାତି, ସୁଇଚ ଇତ୍ୟାଦି ।
-- "ଦେଖିଲୁ ?"
-- "ହଁ"
-- "ଯିବା ?"
-- "ହଁ"
ଆମେ ପୁଣି ଘରମୁହାଁ ।
ବାଟରେ କହିଲେ - "ତୁ ସାଇକେଲ ଶିଖିଛୁ ?"
-"ନା"
-- "କାହିଁକି ଶିଖିନୁ ? ଏବେ ଠୁ ଶିଖିବୁ ନା.."
-- "ମୋ ପାଖରେ ସାଇକେଲ କାଇଁ ? କେମିତି ଶିଖିବି ?"
ସେ ମତେ ଟିକେ କରୁଣ ଦୃଷ୍ଟିରେ ଚାହିଁଲେ ।
-- "ଆ ହା.. ତୋ ବାପା ତତେ ଭଲ ପାଆନ୍ତି ନି ନା ? ହଉ ମୁଁ ତତେ ଭଲ ପାଇବି । ତତେ ସାଇକେଲ ଶିଖେଇବି। ଚକଲେଟ ଦେବି।"
କେତେ କଣ ଗପୁ ଗପୁ ଆମେ ଘରେ ପହଞ୍ଚିଗଲୁ ।
ଘରେ ସେତେବେଳେ ଲୋକ ଗଦା । ବାବୁଜୀଙ୍କ ପାଖକୁ ଖବର ଯାଇଛି । ମାଆଙ୍କ ଅବସ୍ଥା ଅସମ୍ଭାଳ ।
ସେଦିନ ପରଠାରୁ ଆଉ କେବେ ତାଙ୍କୁ ଦେଖିନି । ଏବେ ବଡ଼ ହେଲା ପରେ ସେ ଘଟଣା ମନେ ପଡ଼ିଲେ ଦେହ ଶିତେଇଯାଏ । ସେ ଯଦି..., ଯଦି...., ଯଦି...
କେତେ ଯେ ଯଦି ଆଖି ଆଗକୁ ଚାଲି ଆସେ...
ଆଉ ତାରି ସହିତ -"ଏମିତି କେମିତି ?... କାହିଁକି ?... କଣ ?" ମାନଙ୍କ ଭିଡ଼ ବି ମନକୁ ବ୍ୟସ୍ତ କରି ପକାଏ ।
ସବୁ ଆଶଙ୍କା ଆଉ ସମ୍ଭାବନା ଭିତରେ କିନ୍ତୁ ଗୋଟିଏ କଥା ଘଟିଛି, ମୋ ମୁଣ୍ଡ ଉପରେ ବାପାଟିଏ ହାତ ବୁଲେଇ ଆଣିଛନ୍ତି । ମତେ ସତରେ ସାଇକେଲ ଶିଖେଇବା ପାଇଁ ଆଉ ଚକଲେଟ ଦେବା ପାଇଁ ସିଏ ଦରକାର ଥିଲେ । ମୁଁ ସାଇକେଲ ଚଲେଇ ଜାଣିନି ।

(୬)

ପିଲାବେଳେ ମୋର ଗୋଟିଏ ସ୍ୱେଟର ଥିଲା । ଠିକ ସ୍ୱେଟର ନୁହେଁ, ଉଲ୍ ରେ ତିଆରି ଫ୍ରକ୍ । ଭାରି ସୁନ୍ଦର ଫ୍ରକ୍ । ମୋ ପିଲାଦିନର ଏକମାତ୍ର ଉପହାର ଯାହା ବାବୁଜୀ ଦେଇଥିଲେ । ସେ ପୂରା ଫ୍ରକ୍ ଟି ସବୁଜ ରଙ୍ଗର ଥିଲା କିନ୍ତୁ ତାର ଗୋଟିଏ ହାତ ହଳଦିଆ ଥିଲା । ବୋଧହୁଏ ସେ ହାତଟି ବୁଣିଲା ବେଳେ ଉଲ୍ ସରି ଯାଇଥିବ । ଉଲ୍ ସରିଯିବା ବଡ଼ କଥା ନୁହେଁ, ବଡ଼ କଥା ହେଲା ଏଭଳି ଅଜବ ଫ୍ରକ୍ ଟି ଦୋକାନରେ ବିକ୍ରି ହେବା, ତାକୁ ବାବୁଜୀଙ୍କ କିଣିବା ଆଉ ମୁଁ ଆନନ୍ଦରେ ପିନ୍ଧିବା । ବହୁତ ଦିନ ତାକୁ ପିନ୍ଧିଥିଲି । ମୁଁ ବଡ଼ ହେଲା ଯାଏଁ ସେଇଟା ଥିଲା ଏବଂ ମୋ ଭଉଣୀଙ୍କ ଝିଅ ବି ଉତ୍ତରାଧିକାର ସୂତ୍ରରୁ ସେଇଟା ଲାଭ କରିଥିଲା ।

ଆପଣମାନେ ଯୋଉମାନେ ପାଖାପାଖି ମୋ ବୟସର, ସେମାନେ ହୁଏତ କିଛି କଥା ଅଙ୍ଗେ ନିଭେଇଥିବେ ।
ଆମ ସମୟରେ ନୂଆ ପୋଷାକ ଖୁବ୍ କମ ମିଳୁଥିଲା । ବଡ଼ ଛୁଆଟି ପ୍ରାୟତଃ ଏ ମାମଲାରେ ଟିକେ ଭାଗ୍ୟବାନ ହଉଥିଲା କିନ୍ତୁ ସାନମାନଙ୍କ ଭାଗ୍ୟକୁ ବଡ଼ର ସାନ ହେଇଯାଇଥିବା ପୋଷାକ ହିଁ ଜୁଟୁଥିଲା (କିଛି ବ୍ୟତିକ୍ରମ ହୁଏତ ଥିବେ) ।
ବର୍ଷକୁ ମୁଖ୍ୟତଃ ତିନୋଟି କି ଚାରୋଟି ପୋଷାକ କିଣା ବା ତିଆରି ହଉଥିଲା ଯାହା ଭିତରୁ ଅବଧାରିତ ଭାବେ ଦୁଇଟି ସ୍କୁଲ ଇଉନିଫର୍ମ । ଗତ ବର୍ଷର ପୋଷାକ ଏ ବର୍ଷ ଘରେ ପିନ୍ଧା ଭାବରେ ବ୍ୟବହାର କରାଯାଉଥିଲା ।
ଯୋଉମାନଙ୍କ ସନ୍ତାନ ସଂଖ୍ୟା ଚାରି ବା ସେହିଭଳି (ଯାହା ଖୁବ ସାଧାରଣ କଥା ଥିଲା), ପ୍ରାୟତଃ ସେମାନଙ୍କ ପାଇଁ ଛିଟ କନା ଆଣି ଘରେ କିମ୍ବା ଦରଜି ପାଖରେ ଡ୍ରେସ ସିଲେଇ କରାଯାଉଥିଲା । ବଡ଼ ଭଉଣୀର ବ୍ଲାଉଜ, ମଝିଆର ସାଲୱାର କମିଜ, ସାନର ଫ୍ରକ୍ ଆଉ ଭାଇର ସାର୍ଟ ଏକା ଛିଟ କନାରେ ତିଆରି ହେବା ଆଉ ସମସ୍ତେ ଏକାଠି ତାକୁ ପିନ୍ଧି ପୂଜା ଦେଖିବାକୁ ଯିବାରେ କିଛି ଲଜ୍ଜା ନ ଥିଲା ।

ମୁଁ ଟିକେ ବ୍ୟତିକ୍ରମ ଥିଲି । ମୋ ବଡ଼ ଭଉଣୀ ଆଉ ଭାଇ ବଡ଼ବାପାଙ୍କ ଘରେ ରହୁଥିଲେ । ବାବୁଜୀ ଘରେ ରହୁ ନଥିଲେ ଆଉ ମୁଁ ମାଆଙ୍କ ପାଖରେ ଏକା ଥିଲି । ତେଣୁ ବେଶ୍ ଟିକେ ବଡ଼ ହେବା ପରେ ହିଁ ମୁଁ ମୋ ବଡ଼ ଭଉଣୀଙ୍କ ପୁରୁଣା ଡ୍ରେସ ପିନ୍ଧିବାର ସୁଯୋଗ ପାଇଥିଲି କିନ୍ତୁ ଆମର ବୟସ ଏବଂ ଆକାର ପାର୍ଥକ୍ୟ ଯୋଗୁଁ ନିଜକୁ ପ୍ରାୟତଃ ସେ ସୁଯୋଗରୁ ବଞ୍ଚିତ କରିବାକୁ ପଡୁଥିଲା ।

ସାନବେଳ ଯେତିକି ମନେ ପଡ଼େ, ସେ ସମୟର ମୋ ପୋଷାକ ମତେ ଏବେବି ଆମୋଦିତ କରେ ।
ମାଆ ଯଥେଷ୍ଟ ଚେଷ୍ଟା କରୁଥିଲେ ମତେ ଟିକେ ସଜେଇ ରଖିବା ପାଇଁ, ହେଲେ...
ମତେ ସୁନ୍ଦର ରଖିବା ବୋଧହୁଏ ଚାରିଜଣ ବ୍ରହ୍ମାଙ୍କ ପକ୍ଷରେ ବି ଅସମ୍ଭବ ଥିଲା ।

ଯେତେ ଭଲ ଫ୍ରକ୍ ହେଲେ ବି ତା ପିଠି ପଟରୁ ବୋତାମ ସବୁ ଆପଣା ଛାଏଁ ଅଦୃଶ୍ୟ ହେଇ ଯାଉଥିଲା । ଗଳି ନ ପଡ଼ିବା ପାଇଁ ଗୋଟେ ସେଫଟିପିନ ଏ ପଟରୁ ସେପଟକୁ ଗଳା ଯାଉଥିଲା ଆଉ ସେଇଟା ତା ସାଧ୍ୟ ମତେ ଫ୍ରକ୍ ଟିକୁ ଧରି ରଖିବାକୁ ଚେଷ୍ଟା କରୁଥିଲା ।

ଡ୍ରେସ ରେ ଯଦି କଲର ବା ସରୁ ଫିତା ଜାତୀୟ କିଛି ରହୁଥିଲା ତେବେ ତାହାର ଶେଷ ଅଂଶଟି ପ୍ରାୟ ସବୁବେଳେ ମୋ ପାଟିରେ ଚୁଚୁମା, କାମୁଡା ହେଇ ଦରମଲା ହେଇ ଯାଉଥିଲା ଏବଂ କିଛିଦିନ ଭିତରେ ହିଁ ସେଇ ଅଂଶଟି ପେଟକୁ ଚାଲି ଯାଉଥିଲା ।

ସକାଳେ ଯୋଉ ଡ୍ରେସ ପିନ୍ଧୁଥିଲି ସଂଜ ସୁଦ୍ଧା ଛାତି ପାଖରୁ ତଳ ଯାଏଁ ମଳିର ଗୋଟେ ଆସ୍ତରଣ ବସି ଯାଉଥିଲା ଆଉ ଯେକୌଣସି ରଙ୍ଗର ଫ୍ରକ୍ ର ସେ ଅଂଶଟି ମାଟିଆ ହିଁ ଦିଶୁଥିଲା । ସେ ମଳିର ରହସ୍ୟ ମୁଁ ଏବେ ଆଉ ବୁଝି ପାରୁନି । ବୋଧହୁଏ ମାଟି, କାଦୁଅ, ଧୂଳି ବୋଳା ହାତକୁ ପୋଛିବାର ଶ୍ରେଷ୍ଠ ଜାଗା ଫ୍ରକ୍ ର ସାମ୍ନା ପଟ ହିଁ ଥିଲା । ଲଂକ୍ଲଥ ବୋଲି ଗୋଟେ ପ୍ରକାର ଧଳା କପଡ଼ା ମିଳୁଥିଲା । ଏବେ ମିଳେ କି ନା ଜାଣିନି । ବହଳ ମଣ୍ଡଦିଆ ସୂତି କପଡ଼ା, ଯାହା ଦୁଇଥର କାଚିଲା ପରେ ପତଳା ହେଇ ଯାଉଥିଲା । ଥରେ ମାଆ ସେଥିରୁ ଟିକେ କିଣି ଆଣିଲେ ।

ଘରେ ଗୋଟେ ସିଲେଇ ମେସିନ ଥିଲା (ନା ନା ଏବେବି ଅଛି, ସେ କାଳର ଉଷା ମେସିନ ଟି !) ସେଥିରେ ମାଆ ମୋ ପାଇଁ ସେଇ କପଡ଼ାରେ ଦୁଇଟି ଟେପ୍ ଫ୍ରକ୍ ତିଆରି କରି ଦେଇଥିଲେ । କାନ୍ଧ ପାଖରେ ଦୁଇଟି ଫିତା ଏବଂ ସିଧା କଟା ଯାଇ ସିଲେଇ ହେଇଥିବା ସେମିଜ ଜାତୀୟ ଫ୍ରକ୍ କୁ ଟେପ୍ ଫ୍ରକ୍ କୁହାଯାଉଥିଲା । ଏହାକୁ ଫ୍ରକ୍ ତଳେ ଇନର ଭାବରେ ପିନ୍ଧା ଯାଉଥିଲା ।

ଯେହେତୁ ସେଥିରେ ବୋତାମ ନଥିଲା ତେଣୁ ମୋ ପାଇଁ ଖୁବ ସୁବିଧାଜନକ ଥିଲା ଅତଏବ ମୁଁ ତାକୁ ଫ୍ରକ୍ ତଳେ ନ ପିନ୍ଧି ଫ୍ରକ୍ ହିସାବରେ ହିଁ ପିନ୍ଧୁଥିଲି । ମା ଖୁବ୍ ଗୋଟେ ସିଲେଇ ନିପୁଣା ନଥିଲେ, ତେଣୁ ଫ୍ରକ୍ ଦୁଇଟିର ଆକୃତି ସାଧାରଣ ଫ୍ରକ୍ ଠାରୁ ଟିକେ ଅଲଗା ଥିଲା । ମୁଁ ତାକୁ ପିନ୍ଧି ଦୁନିଆ ଚଷିଲାବେଳେ ଦୁନିଆ ଲୋକେ ମୁଁ ଏଇଟା କଣ ପିନ୍ଧିଛି ବୋଲି ମଧ୍ୟ କେବେ କେବେ ପଚାରି ଦଉଥିଲେ । ସେଥିରେ କିନ୍ତୁ ମାଆଙ୍କର କିମ୍ବା ମୋର କିଛି ଫରକ ପଡ଼ୁନଥିଲା ।

ଗୋଟିଏ ବର୍ଷ ମୋର ନୂଆ ଡ୍ରେସ ଜମାରୁ ହେଇ ନଥିଲା । ସେ ବର୍ଷ ଅବସ୍ଥା ବଡ଼ ଦୟନୀୟ । ମାଆଙ୍କ ହାତରେ ପଇସା ବି ନ ଥାଏ । ବାବୁଜୀ ମୋ ଜେଠୁ (ବଡ଼ ବାପା)ଙ୍କ ବଡ଼ ଝିଅଙ୍କ ବାହାଘର ନେଇ ଖୁବ ବ୍ୟସ୍ତ ଥାଆନ୍ତି । ଜେଠୁ ରାଉରକେଲାରେ ରହୁଥିଲେ ମଧ୍ୟ ତାଙ୍କ ଝିଅ ବାହାଘରର ସମସ୍ତ ଦାୟିତ୍ୱ ବାବୁଜୀ ତୁଲୋଉଥିବାରୁ ବାହାଘର ଭୁବନେଶ୍ୱରର ଗୋଟିଏ ମଣ୍ଡପରେ ବଡ଼ ଜାକଜମକରେ ହଉଥାଏ । ବାହାଘର ଦିନ ଜେଠୁ ଆମ ଘରକୁ ଆସିଲେ ମତେ ଆଉ ମାଆଙ୍କୁ ନେଇ ଯିବା ପାଇଁ । ମାଆଙ୍କ ଦାନ୍ତରେ ସେତେବେଳେ ଭୀଷଣ ଯନ୍ତ୍ରଣା । କିଛିଟା ଅଭିମାନ ଆଉ କିଛିଟା ଯନ୍ତ୍ରଣା ଯୋଗୁଁ ମାଆ ଗଲେନି । ମୁଁ ବା କେମିତି ଯିବି ? ମୋର ତ ବାହାରକୁ ଯିବା ଭଳି ଡ୍ରେସ ନାହିଁ ! ଜେଠୁ ଦୋକାନ ନେଇ ଯାଇ ମତେ ଗୋଟିଏ ଫ୍ରକ୍ କିଣି ଦେଇଥିଲେ । ସେଇଟା ହିଁ ସେ ବର୍ଷ ମୋର ଏକମାତ୍ର ନୂଆ ଡ୍ରେସ ଥିଲା । ଥରେ ବର୍ଷକ ପାଇଁ ମାମୁଁ ଘରେ ରହିବାକୁ ପଡ଼ିଥିଲା । ସେ ବର୍ଷ ପୂଜାରେ ମୋର ସବୁଠୁ ଅଧିକ ଡ୍ରେସ ହେଇଥିଲା । ତିନି ମାମୁଁ, ଜଣେ ମାଉସୀ ଆଉ ମାଆଙ୍କୁ ମିଶେଇ ପାଞ୍ଚଟା ।

ଆମ ପାଖ ଘରେ ମୋ ବଉଳ ରହୁଥିଲା । ଦିନେ ମାଆ ଆମ ଦୁଇ ଜଣଙ୍କୁ ନେଇ ମାର୍କେଟ ଯାଇ ଦୁଇ ଜଣଙ୍କ ପାଇଁ ସମାନ ଡିଜାଇନର ଦୁଇଟି ଅଲଗା ରଙ୍ଗର ଟପ୍ କିଣି ଦେଲେ । ସେଇଟା ଯେ ଟପ୍ ଏବଂ ତାକୁ ଲମ୍ବା ପ୍ୟାଣ୍ଟ, ସ୍ଲାକ୍ସ ଅଥବା ସ୍କର୍ଟ ସହ ପିନ୍ଧା ଯାଏ, ସେ ଧାରଣା ନ ଥିବାରୁ ଆମେ ତାକୁ ଏମିତି ହିଁ ପିନ୍ଧୁଥିଲୁ । ମୁଁ ଯେତେବେଳେ ହାଇସ୍କୁଲରେ ଏବଂ ମୋ ଦିଦି କଲେଜରେ, ସେତେବେଳେ ଦିଦି ସିଲେଇ ଶିଖିବାକୁ ଆରମ୍ଭ କଲେ । ମୁଁ ତାଙ୍କର ପ୍ରତିଟି ଏକ୍ସପେରିମେଣ୍ଟର ଗିନିପିଗ ତେଣୁ ଏଥିରୁ ବି ବାଦ ପଡ଼ିଲିନି । ଆମର ସେ ସମୟରେ ନବମ ଶ୍ରେଣୀବେଳୁ ସାଲୱାର ସୁଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଦିଦି କହିଲେ "ଚୁମକି ର ଇଉନିଫର୍ମ ମୁଁ ତିଆରି କରିବି ।"

ଗ୍ରୀଷ୍ମ ଛୁଟିରେ ଦିଦି ମୋ ଇଉନିଫର୍ମ ତିଆରି କାମରେ ଲାଗିଲେ । କପଡ଼ା କିଣି, ମାପ ନେଇ, କଟାକଟି କରି ସିଲେଇ ଯାଏଁ ପହଞ୍ଚିଲା ବେଳକୁ ଛୁଟି ସରି ଆସିଲା ।

ମୁଁ ବ୍ୟସ୍ତ ହଉଥାଏ ଆଉ ଦିଦି ଆଶ୍ୱାସନା ଦଉଥାନ୍ତି - "ଆଜି ସରିବ, କାଲି ସରିବ" କହି ।
ସ୍କୁଲ ଖୋଲିଲା । ମୁଁ ପୁରୁଣା ଇଉନିଫର୍ମରେ ସ୍କୁଲ ଗଲି । ଗାଳି ଏବଂ ଶାସ୍ତି ଉଭୟ ପାଇଲି । କାନ୍ଦି କାନ୍ଦି ଘରକୁ ଫେରିଲି ଏବଂ ପରଦିନ ନୂଆ ଇଉନିଫର୍ମ ପିନ୍ଧି ସ୍କୁଲ ଗଲି ।
ଯଦିଓ ପିନ୍ଧି ସାରିଲାପରେ ଆମେ ଆବିଷ୍କାର କଲୁ ଯେ ତଳ ଅଂଶଟି ନା ସାଲୱାର ହେଇଛି, ନା ଚୁଡ଼ିଦାର !
-- "ଏଇଟା କଣ ?"
ମୋର ଏ ପ୍ରଶ୍ନରେ ଦିଦିଙ୍କ ଦମଦାର ଉତ୍ତର - "ଏଇଟା ସାଲୱାର ଆଉ ଚୁଡ଼ିଦାରର ମିଶାମିଶି । ଯିଏ ପଚାରିବ, କହିବୁ ଏଇଟା ଶାଲଦାର ।"

ମୁଁ ମାନିଗଲି । କେବଳ ମାନିଲି ନୁହଁ, ଗର୍ବର ସହିତ ସେ ନାଁ ସହ ସାଙ୍ଗମାନଙ୍କୁ ପରିଚିତ ବି କରେଇ ଦେଲି ।
କିନ୍ତୁ ଆଉ ଗୋଟେ ଅସୁବିଧା ଥିଲା । ସେ ଇଉନିଫର୍ମର ହାତ ଲାଗି ନଥିଲା । ତେଣୁ ଓଢଣୀକୁ ଏମିତି ବାଗରେ ପିନ୍ଧିଲି ଯେ ଯେମିତି ହାତର ସେ ସୁତା ବାହାରିଥିବା କଟା ଅଂଶ ଦିଶିବନି । ଅଭିଜ୍ଞ ବନ୍ଧୁମାନଙ୍କ ଆଖିରୁ ଲୁଚେଇ ପାରି ନଥିଲି ସତ କିନ୍ତୁ ଟିଚରମାନେ ଜାଣି ପାରି ନଥିଲେ । ପୂରା ସପ୍ତାହେ ପରେ ରବିବାର ଛୁଟିରେ ହାତ ସିଲେଇ ହବାର ସୁଯୋଗ ମିଳିଲା ।

ପୋଷାକ ବିଷୟରେ ମୋ ଅନଭିଜ୍ଞତା ଓ ଉଦାସୀନତା ସର୍ବକାଳୀନ । ଏବେ ବି ସେଇଆ । ନିଜ ପୋଷାକ ନିଜେ ବାଛି ପାରେନା । ଜୀବନରେ କେବଳ ଗୋଟିଏ ପସନ୍ଦ ଭଲ କରିଛି । ବିଜୟ । ବାକି ମୋର କୌଣସି ପସନ୍ଦ ଭଲ ନୁହେଁ । ତେଣୁ ଯିଏ ଯାହା ଦିଅନ୍ତି ପିନ୍ଧି ପକାଏ ।

ମତେ ଯଦି ଆପଣମାନେ କୌଣସି ଜାଗାରେ ଅଜବ ପୋଷାକଟିଏ ପିନ୍ଧିଥିବାର ଦେଖନ୍ତି ତାହେଲେ ଖବରଦାର କହୁଛି ହସିବେନି । ନ ହେଲେ ପୁଣି ମୁଁ ବି ନିଜ ଉପରେ ହସିବାକୁ ବାଧ୍ୟ ହେବି ଯେ !

କ୍ରମଶଃ...
ଜୀବନ କଥା: ବାଟ ଅବାଟ - ୨