ଜୀବନ କଥା: ବାଟ ଅବାଟ - ୨

ଏଇଟା ଜୀବନ କଥା । ବିଶିଷ୍ଟ ଅଭିନେତ୍ରୀ ଓ କବି ଭାସ୍ଵତୀ ବସୁଙ୍କ ଜୀବନ କଥା । ସହଜରେ, ସରଳ ଭାବରେ ଓ କୌଣସି ଚାତୁରୀ ନ ରଖି, ସେ ନିଜ କଥା ଲେଖୁଛନ୍ତି । ଏ ଏକ ଚମତ୍କାର ଓ ଚମକପ୍ରଦ ଜୀବନାନୁଭୂତି ।


ଫଟୋ - ଅସୀମ ବସୁ ଓ ଭାସ୍ଵତୀ - ପିତା ଓ ପୁତ୍ରୀ

(୩)

କେତେ ବୟସ ହେଇଥିଲା କେଜାଣି, ବୋଧହୁଏ ଚାରି କି ପାଞ୍ଚ । ପ୍ରଥମ ଥର ସିନେମା ଯାଇଥାଏ, ବାବୁଜୀ ଏବଂ ମାଆଙ୍କ ସହିତ । ଶୁଣା କଥା ନୁହଁ, ମନେ ଅଛି ସବୁ । ବେଳେବେଳେ ଏମିତି ହୁଏ । ବହୁତ ସାନବେଳର କିଛି କଥା ମନେ ରହିଯାଏ । ସିନେମାର ନାଁ ବି ଭୁଲିନି । "ଏକ ନଜର" । ବାବୁଜୀ ଆମକୁ ରିକ୍ସାରେ ନେଇଥିଲେ । ଘରୁ ରିକ୍ସା ଷ୍ଟାଣ୍ଡ ଯାଏଁ ଗଲାବେଳେ ବାବୁଜୀ ଲମ୍ବା ଲମ୍ବା ପାଦ ପକେଇ ଚାଲୁଥାନ୍ତି । ଦଶ ମିଟର ପଛରେ ଶାମୁକା ଚାଲିରେ ମାଆ । ଛୋଟିଆ ଗୋଲିଆ ମଣିଷ । ଶାଢ଼ୀ କାନି ଆଉ କୁଞ୍ଚ ସମ୍ଭାଳିବାରେ ବ୍ୟସ୍ତ (ଆଜିକା ଦିନରେ ବି ସେ ନୂଆ ନୂଆ ଶାଢ଼ୀ ପିନ୍ଧିଲା ଭଳି ଆଲୁ ମାଲୁ ପିନ୍ଧନ୍ତି । ସଜାଡ଼ିବାର ଦାୟିତ୍ୱ ତାଙ୍କ ବୋହୁଙ୍କର)। ବାବୁଜୀ ପଛକୁ ଚାହୁଁ ବି ନଥାନ୍ତି । ଆଉ ମୁଁ । ମୁଁ ଥରେ ଦୌଡ଼ି ଦୌଡ଼ି ବାବୁଜୀଙ୍କ ପାଖକୁ ଯାଇ ତାଙ୍କ ସହ ପାଦ ମିଶଉଥାଏ, ପୁଣି ମାଆଙ୍କ ପାଖକୁ ଛୁଟି ଆସି ତାଙ୍କ ସହ ଚାଲୁଥାଏ ।

ରିକ୍ସାରେ ବସି ହଲ ପାଖରେ ପହଞ୍ଚି ହଲ ଦେଖି ଖୁସି ହେଇଗଲି । କେଡ଼େ କେଡ଼େ ସବୁ ଛବି ଲାଗିଛି ! କିନ୍ତୁ ହଲ ଭିତରେ ପଶି ଡର ଡର ଲାଗିଲା । କି ଅନ୍ଧାର ! ଆମେ ତିନି ଜଣ ତିନିଟା ସିଟରେ ବସିଲୁ । (ହଁ ମୋ ପାଇଁ ବି ସିଟ ନିଆ ହେଇଥାଏ ।) ମୁଁ ଦି ଜଣଙ୍କ ମଝି ସିଟରେ । ବାବୁଜୀ ମତେ ସିଟର ଦାଢ଼ରେ ବସେଇଥାନ୍ତି । ମୋ ପାଦ, ତଳଠାରୁ ଯଥେଷ୍ଟ ଉପରେ ଓହଳିଥାଏ । ସିନେମା ଆରମ୍ଭ ହେଲା । କିଛି ସମୟ ପରେ ହିରୋଇନର ଏଣ୍ଟ୍ରି । ପରଦାରେ ନୃତ୍ୟରତା ନାୟିକାଙ୍କ କେବଳ ହାତ ଦେଖାଗଲା । ଆରେ ଖାଲି ହାତ କଣ ! ପୂରା ଦେହଟା କାହିଁ ? ମୁଁ ନଇଁପଡ଼ି ଦେଖିବାକୁ ଚେଷ୍ଟା କଲି ହେଲେ କିଛି ଦେଖା ଯାଉନି । ବାବୁଜୀ ମତେ ସିଧା ବସେଇଦେଲେ -"ପଡ଼ିଯିବୁ ।"

ମାଆ ଆଉ ବାବୁଜୀ ସିନେମାରେ ମସଗୁଲ ହେଇଗଲେ । ମଝିରେ ମଝିରେ ବାବୁଜୀ ମାଆଙ୍କୁ ବୁଝାଉଥାନ୍ତି - "ଏଇଟା ଅମୁକ ଶଟ, ସେଇଟା ତମୁକ ଆଙ୍ଗଲ, କ୍ୟାମେରା ଏମିତି ରହିଛି, ସାଉଣ୍ଡ ସେମିତି ହେଇଛି..."ମୁଁ କିଛି ବୁଝିପାରୁନଥାଏ । ମାଆଙ୍କ ଅବସ୍ଥା ବି ତଥୈବଚ । ବାବୁଜୀ ବିନା ଇମୋସନରେ "technically" ବିଚାର କରୁଥାନ୍ତି । ମୁଁ ହଠାତ ଲକ୍ଷ୍ୟ କଲି, ଆରେ ! ବାବୁଜୀ ଆଉ ମାଆ ଦିହେଁ ଯାକ କଣ ଚେୟାରରେ ଆଉଜି ହେଇ ବସିଛନ୍ତି ! ଆଉ ମୁଁ ବିଚାରି ସେତେବେଳୁ ସିଧା ବସିଛି ! ମତେ ଭାରି ରାଗ ଲାଗିଲା । ମୁଁ ବି ଆଉଜି ଗଲି ଆଉ.... - "ମାଆ... ଭେଁ ଏ ଏ ଏ..." ମୋ ଗୋଡ଼ ଦିଇଟା ଉପରେ, ମୁଣ୍ଡ ଆଉ ହାତ ବି ଉପରେ ଆଉ ଦେହର ଅବଶିଷ୍ଟ ଅଂଶ ସିଟ ଭିତରେ ଗଳି ଯାଇଛି । ଟିକିଏ ଟିକିଏ କରି ମୁଁ ଭିତରକୁ ଭିତରକୁ, ତଳକୁ ତଳକୁ ଖସୁଛି। ବାବୁଜୀ ସାଙ୍ଗେ ସାଙ୍ଗେ ମତେ ଟାଣିକି ବାହାର କଲେ । - "ଗଳି ଗଲ କେମିତି ?"

-- "ଆଉଜେଇ ହଉଥିଲି ।"

ବାବୁଜୀ ସାବଧାନରେ ମତେ ଟିକେ ଆଗେଇକି, ଟିକେ ପଛେଇକି ଏମିତି ବାଗରେ ବସେଇଦେଲେ ଯେ ମୋ କାନ୍ଧ ଆଉ ମୁଣ୍ଡ ଆଉଜି ହେଇ ରହିଲା । କିଛି ସମୟ ପରେ କାନ୍ଧ ବିନ୍ଧିବାକୁ ଆରମ୍ଭ କଲା କିନ୍ତୁ ମୁଁ ପୁଣି ଥରେ ପାତାଳଗାମୀ ହବା ଡରରେ ସିନେମା ସରିବା ଯାଏଁ ସେଇମିତି କାଠ ହେଇ ବସି ରହିଲି । ଆଉ ଥରକ କଥା ମନେ ଅଛି । ମୁଁ ଆଉ ଟିକେ ବଡ଼ ହେଇସାରିଥାଏ (ଟିକିଏ ନାକୁରୁ) । "ତଅପୋଇ" ରିଲିଜ ହେଲା । ସେ ସିନେମା ବାଲେଶ୍ବରରେ ଶୁଟିଂ ହେଇଥିଲା । ଅନେକ ଦୃଶ୍ୟ ଆମ ବାଲେଶ୍ବର ଘରର ପୋଖରୀ, ଅଗଣା, ବାରିପଟ ଜମି ଇତ୍ୟାଦି ଜାଗାରେ ଶୁଟ କରାଯାଇଥାଏ । ପାଖ ପଡ଼ିଶା ଲୋକେ ସିନେମା ଦେଖି ଆସି ମାଆଙ୍କୁ କହିଲେ - "(ଗୀତା... ଭାଉଜ... ଖୁଡ଼ି ଇତ୍ୟାଦି) ତଅପୋଇ ଦେଖିଲଣି ? ଏଯାଏଁ ଦେଖିନ ? ଅସୀମ ବାବୁଙ୍କ ନାଁ ଦେଖାଉଛି !"

ବାସ୍ । ଆମେ ମାଆ ଝିଅ ଚାଲିଲୁ ପରଦା ଉପରେ ବାବୁଜୀଙ୍କ ନାଁ ଦେଖିବାକୁ ।

ସିନେମା ଆରମ୍ଭ ହେଲା । ଏଡେ ବଡ଼ ବଡ଼ ଅକ୍ଷରରେ ଲେଖା ଆସିଲା "କଳା ନିର୍ଦ୍ଦେଶନା: ଅସୀମ ବସୁ" ମୁଁ ଖୁସିରେ ତାଳି ବଜେଇଲି । ଆଖ ପାଖ ସିଟ୍ ର ଲୋକେ ବୁଲି ଚାହିଁଲେ । ମାଆ ମୁରୁକି ହସି ମୋ ହାତ ଧରିଲେ । ହେଲେ ମୋ ଖୁସି ବେଶୀ ସମୟ ରହିଲାନି । ଇରେ ବାବାରେ ! କି ଦୁଃଖ ! -"ନିରୀମାଖୀ କୁଆଁରୀ ମୁଁ..." ଘରମଣି ହଜିଯାଇଛି । ତଅପୋଇ କାନ୍ଦି କାନ୍ଦି ଲହରେଇକି ଡାକୁଛି -"ଘରମଣି ଇ ଇ ଇ.... " ମୋ ପେଟ ଭିତରୁ, ଛାତି ଭିତରୁ କାନ୍ଦର ଲହର ଉଠୁଛି -"ହିଁ ଇ ଇ ଇ..." ଏଥର ଆଖ ପାଖ ସିଟ୍ ରେ ବସିଥିବା ଲୋକଙ୍କ ମୁରୁକି ହସିବା ପାଳି । ମାଆଙ୍କ ମୁହଁ ଲାଲ । ଲାଲ ମୁହଁରେ ଦାନ୍ତ ଚିପି ମତେ ପଚାରିଲେ -"ଘରକୁ ଯିବୁ ?" (ବାବୁଜୀ ରାଗିଲେ ତମେ କୁହନ୍ତି ଆଉ ମାଆ ରାଗିଲେ ତୁ) ମୁଁ ହିକ୍କା ଉଠେଇ ଉଠେଇ ମୁଣ୍ଡ ହଲେଇ ହଁ କହିଲି । ମାଆ ମୋ ହାତ ଧରି ଝଡ଼ ଭଳି ହଲ ବାହାରେ । ସେଇ ତଅପୋଇ ଦେଖି ବହୁତ ବର୍ଷ ପରେ ଆଉ ଜଣଙ୍କୁ କାନ୍ଦିବାର ଦେଖିଲି ।

କିଛି ବର୍ଷ ତଳେ ମୁଁ ଗୋଟିଏ ଘରୋଇ ଚ୍ୟାନେଲରେ ଚାକରି କଲି । ମୋ କାମ ପାଇଁ ମତେ ବେଶ କିଛି ପୁରୁଣା ସିନେମା ସଂଗ୍ରହ କରିବାକୁ ପଡ଼ିଥିଲା । ତାଆରି ଭିତରେ ଥିଲା ତଅପୋଇ । ଦେଖିଲା କ୍ଷଣି ପିଲାବେଳ ଝାମ୍ପି ଆସିଲା । ହଠାତ ମନେ ପଡ଼ିଗଲେ ବାବୁଜୀ । ବାବୁଜୀ ସେତେବେଳକୁ ଅସୁସ୍ଥ । ପ୍ରାୟ ଗୃହ ବନ୍ଦୀ । ଗୋଟେ ପେନ ଡ୍ରାଇଭରେ ସିନେମାଟା ନେଇ ତାଙ୍କ ପାଖରେ ପହଞ୍ଚିଗଲି । କି ଖୁସି ! ମୋ ବଡ଼ ଭାଇଙ୍କର ଗୋଟେ ପ୍ରୋଜେକ୍ଟର ଅଛି । ଲ୍ୟାପଟପରେ ପେନ ଡ୍ରାଇଭ ଗେଞ୍ଜି ପ୍ରୋଜେକ୍ଟର ସାହାଯ୍ୟରେ ସିନେମାର ଆଲୁଅ ପଡ଼ିଲା ବାବୁଜୀଙ୍କ କୋଠରୀର ହଳଦିଆ କାନ୍ଥରେ ।

ବାବୁଜୀଙ୍କୁ ଘେରି ବସିଲୁ ଆମେ । ସିନେମା ଚାଲିଲା । ବାବୁଜୀ ମୁଗ୍ଧ ହେଇ ଦେଖୁଥାନ୍ତି । ମଝିରେ ମଝିରେ କୁରୁଳି ଉଠୁଥାନ୍ତି - "ହେଇ ଦେଖ ଆମ ପୋଖରୀ !... ଏଇ ଗଛଟା ଗଛ ନୁହଁ, ଲ୍ୟାମ୍ପ ପୋଷ୍ଟ... ଏଇ ସେଇଟା ଆମ କାଜୁ ଗଛ !"

ମୁହଁରେ ବୋଳା ହେଇଥାଏ କୁନି ଛୁଆର ହସ । ଆଉ ଆଖି କୋଣରେ ? ମୁଁ ସ୍ପଷ୍ଟ ଦେଖିଛି ଚିକ ଚିକ କରୁଛି ନ ଦିଶିଲା ଭଳି ଛୋଟିଆ ଦୁଇଟି ଲୁହ । ସିନେମାକୁ technically ଦେଖୁଥିବା ମଣିଷଟି ସେଦିନ ସିନେମା ଦେଖୁଥିଲେ ମୋର ସେଇ ପାଞ୍ଚବର୍ଷିଆ ଆଖିରେ । ତଅପୋଇର ଲହର ଦେଇ -"ଘର ମଣି ଇ ଇ ଇ.." ଡାକ ସହ ତାଙ୍କ ଛାତି ଭିତରେ ବି ଗୋଟିଏ ଲହର ଉଠୁଥିଲା - "ହିଁ ଇ ଇ ଇ..."

(୪)

ବଉଳ । ପଛକୁ ଚାହିଁଲେ ଯୋଉ ମୁହଁଟା ଆଖି ଆଗରେ ନାଚି ଉଠେ ଏବେ ସେ ମୁହଁ ଢେର ବଦଳି ଯାଇଛି । ଗୋଲିଆ ମୁହଁ, ଈଷତ ଚେପଟା ନାକ, ଆଖିରେ ଆଖିଏ ସରଳତା । ଇଏ ଥିଲା ବଉଳର ଚେହେରା । ମୋ ଜନ୍ମବେଳୁ ସେ ଆମ ପଡ଼ୋଶୀ । ବୋଧହୁଏ ମୋର ଏକମାତ୍ର ସାଙ୍ଗ ତନୁଜା ମହାପାତ୍ର, ଲିଲି । ଏହେଃ ନାଁ ଧରିଦେଲି ! ବଉଳ ବସିଲେ ନାଁ ଧରନ୍ତିନି ପରା ! କାଣି ଆଙ୍ଗୁଠିକୁ ଜିଭରେ ଲଗେଇ ମୁଣ୍ଡରେ ମାରିଲେ ଯାଇ ଦୋଷ କଟେ ।

ହଉ ଆଉ ନାଁ ନେବିନି । ବଉଳ ତ ଆଉ।

ଆମ ଘରକୁ ତାର ଅବାଧ ଗତି । ମୁଁ ବି ଯେତେବେଳେ ନାଇଁ ସେତେବେଳେ ତା ଘରେ ପଶି ତାକୁ ଭିଡ଼ି ଆଣୁଥିଲି । ଖୁବ ସରଳ । ସେ ସରଳତାକୁ ବୁଝିବା ଆମ ପାଇଁ କଷ୍ଟକର । ଆଜିର ଭାଷାରେ ଆମେ ତାକୁ ବୋକୀ ବୋଲି କହିପାରିବା ।

ସେତେବେଳେ ଆମେ ଷ୍ଟେଟସ ବୁଝୁନଥିଲୁ । ପିଲାମାନେ ବି ଆଉ ବଡ଼ମାନେ ବି । ତେଣୁ ମନେପଡ଼ୁନି ଆମ ଦିଜଣଙ୍କ ଭିତରେ କିଏ ଅଧିକ ସ୍ୱଚ୍ଛଳ ଘରର ଥିଲା । ପରସ୍ପରର ପୁରୁଣା ୱାଟର ଵଟଲ ଆଉ ଜୋମେଟ୍ରି ବକ୍ସ ଆମେ ଆରାମରେ ନିଜର କରିପାରୁଥିଲୁ ।

କେମିତି ଥିଲୁ ଆମେ ?

ମନେ ଅଛି ଜ୍ୱର ହେଲେ ମାଆ ମତେ ବାର୍ଲିର ସର୍ବତ ପିଇବାକୁ ଦଉଥିଲେ । ସେ ସମୟରେ ଜ୍ୱର ହେଲେ ଭାତ ବନ୍ଦ ଆଉ ବାର୍ଲି ମଷ୍ଟ । ହେଲେ ଜ୍ବରୁଆ ପାଟିରେ ବାର୍ଲି ? ଇଃ । ବଉଳ ମତେ ଦେଖିବାକୁ ଆସୁଥିଲା । (ତା ଜ୍ବରରେ ମୁଁ ଯିବା କଥା ମନେ ନାହିଁ କାରଣ ସେ ମୋଠୁ ଯଥେଷ୍ଟ ଭଲ ସ୍ୱାସ୍ଥ୍ୟର ଅଧିକାରିଣୀ ଥିଲା) ମାଆ ତାକୁ ଜଗେଇ ଦେଇ ଯିବେ - "ଦେଖିବୁ ତୋ ବଉଳ ଯେମିତି ବର୍ଲି ତକ ଝରକା ବାଟେ ଫୋପାଡ଼ି ନଦିଏ।" (ଝରକା ଗଳେଇ ଚୁପଚାପ ଖାଇବା ଜିନିଷ ଫୋପାଡ଼ି ଦବାରେ ମୋର ସୁନାମ ଥିଲା) ମୋ ବଉଳ ମତେ ଜଗି ବସୁଥିଲା । ମୁଁ ତାକୁ ଖୁବ କଅଁଳିଆ ସ୍ୱରରେ ତେଲଉଥିଲି - "ବଉଳ, ଏଇଟା ତୁ ପିଇ ଦେ ।"

-- "ନା ନା ଗୀତା ଦିଦି ରାଗିବେ ।" (କୌଣସି ଅଜ୍ଞାତ କାରଣରୁ ସେ ମାଆଙ୍କୁ ମାଉସୀ ବା ଖୁଡ଼ି ନ ଡାକି ଦିଦି ଡାକେ) -- "ଜାଣିବେ କେମିତି ଯେ ?" ସେ ବିଚାରି ପିଇ ବି ଦଉଥିଲା ।

ଆମ ଘରୁ କିଛି ଦୂରରେ ଆମେ ଜଣଙ୍କ ଘରକୁ ଖେଳିବାକୁ ଯାଉ । ତାଙ୍କର ଟିକି ପୁଅର ଗୋଟିଏ ଟ୍ରାଇ - ସାଇକଲ ଥିଲା । ଥରେ ବଉଳ ସେଥିରେ ବସି ପେଡାଲ ମାରିଲା । ସାଇକଲଟା ଭଙ୍ଗା ଥିଲା । ଗୋଟେ ବଡ଼ ଲୁହା ବଉଳର ତଳିପାରେ ପଶିଗଲା । ରକ୍ତର ସୁଅ ଛୁଟିଲା । କୌଣସି ମତେ କପଡ଼ାଟିଏ ବାନ୍ଧି ଆମେ ଘରକୁ ଫେରିଲୁ । ବାଟସାରା ମୁଁ ବଡ଼ ପାଟିରେ ଭେଁ ଭେଁ ହେଇ କାନ୍ଦୁଥାଏ, ଆଉ ବଉଳ ଛୋଟେଇ ଛୋଟେଇ ମତେ ସମ୍ଭାଳୁଥାଏ - "ବଉଳ, ତୁ କାନ୍ଦ ନା । ମୋର କିଛି ହେଇନି।"

ଏଡ଼େ ସାହସୀ ବଉଳର ତା ପରଦିନ ପୁଣି ଭିନ୍ନ ରୂପ । କମ୍ପାଉଣ୍ଡର ଆସିଥାନ୍ତି ତାକୁ ଟିଟେନସ ଇଂଜେକସନ ଦବାକୁ । ମୁଁ ଦେଖିଲି କମ୍ପାଉଣ୍ଡର ବାବୁ ଇଂଜେକସନ ଧରି ଠିଆ ହେଇଛନ୍ତି, ବଉଳ ଘର ଲୋକମାନେ ତାକୁ ବଡ଼ ପାଟିରେ ଡାକୁଛନ୍ତି, କେତେବେଳେ ସାକୁଲେଇ, କେତେବେଳେ ଧମକେଇ, ଆଉ ବଉଳ ? ବ୍ୟାଣ୍ଡେଜ ବନ୍ଧା ଛୋଟା ଗୋଡ଼ରେ ଦୌଡ଼ି ଦୌଡ଼ି ସେ ଗଳିର ଆରମୁଣ୍ଡରେ । ଇଂଜେକସନ ? ଅସମ୍ଭବ ।

ସବୁବେଳେ ସାଙ୍ଗ ହଉନଥିଲୁ । ଝଗଡ଼ା ବି ଧୁମ୍ ହଉଥିଲା । ଆଉ ଝଗଡ଼ା ହେଲେ କମ୍ପିଟିସନ ଲାଗୁଥିଲା ଖତେଇ ହବାର । ନା ନା କିଏ କେତେ ପ୍ରକାର ଖତେଇ ପାରେ ସେ କମ୍ପିଟିସନ ନୁହଁ । ଧରନ୍ତୁ ଆମ ଭିତରେ ଜଣେ ଜିଭ ଦେଖେଇ ଖତେଇ ଦେଲା, ତା ପରେ ତାର ଏକମାତ୍ର କାମ ହଉଛି ଅନ୍ୟ ଜଣର ଜିଭ ନ ଦେଖିବା ଏବଂ ଆର ଜଣଙ୍କ ସମ୍ପୂର୍ଣ୍ଣ ମନ ଧ୍ୟାନ ଲାଗେ ଅପମାନର ପ୍ରତିଶୋଧ ଅର୍ଥାତ ପାଲଟା ଖତେଇ ହବାରେ । କଟି ଫିଟି ମିଟି ନହେଲା ଯାଏଁ ପ୍ରତିଶୋଧ ଆଉ ଡବଲ ପ୍ରତିଶୋଧ ଲାଗି ରହେ ।

ତାର ଗୋଟେ ଫୋବିଆ ଥିଲା । ସେ ଏକା ରାସ୍ତା ପାରି ହେଇପାରୁନଥିଲା । କେହି ଯଦି ହାତ ଧରି ପାରି କରେଇ ନ ଦିଅନ୍ତି ତେବେ ସେ ସାରାଦିନ ସେମିତି ଠିଆ ହେଇଥିବ ସିନା ହେଲେ ଏକୁଟିଆ ପାର ହେଇପାରିବନି । ଆମେ ଯେବେ ବାପୁଜୀ ନଗର ଘର ଛାଡ଼ି ବରଗଡ଼ ବ୍ରିଟ କଲୋନୀ (ଏଇଟା ଭୁବନେଶ୍ୱରର ବରଗଡ଼)କୁ ଚାଲି ଆସିଲୁ, ସେ ରହିଗଲା ସେଇଠି । ଦେଖା ସାକ୍ଷାତ କମିଗଲା । ଥରେ ଅଧେ ତାଙ୍କ ଘର ଲୋକେ ତାକୁ ନେଇ ରିକ୍ସାରେ ଚଢ଼ି ଆମ ଘରକୁ ବୁଲି ଆସିଲେ । ହେଲେ ସବୁଦିନ କିଏ ଆସିବ ? ହଠାତ ଦିନେ କବାଟ ଖଡ଼ ଖଡ଼ ଶୁଣି ଫିଟେଇଲା ବେଳେ ସାମ୍ନାରେ ବଉଳ ଠିଆ ହେଇଛି । ଏକା ! ଘରୁ କେହି ସାଙ୍ଗରେ ଧରି ଆସିବେନି, ଏତେ ବାଟ ରିକ୍ସାରେ ଏକା ଛାଡିବେନି, ତା ଦେଖା କରିବାର ଇଚ୍ଛାକୁ କେହି ବୁଝିବେନି । ସେଇଥିପାଇଁ ସେ ଲୁଚିକି ଆସିଛି । ଗୋଟେ ଦଶ ବାର ବର୍ଷର ଛୁଆ ଦଶ କିଲୋମିଟର ପାଦରେ ଚାଲି ଚାଲି, ରାସ୍ତା ପାରି ହବାର ସବୁ ଭୟକୁ ଜୟ କରି, ହଜିଯିବାର ସମ୍ଭାବନାକୁ ମୁଣ୍ଡେଇ ଆସିଛି । ମତେ ଦେଖିବାକୁ ।

ଆମେ ଏବେ ବଡ଼ ହେଇଗଲୁଣି । ମୋ ପାଖରେ ସମୟ କାହିଁ ତାକୁ ଫୋନ କରିବାକୁ ? ଭୁବନେଶ୍ୱର ଠୁ କୋଣାର୍କ କଣ କମ୍ ବାଟ ? ଏମିତି କେମିତି ଯିବି ? ସେ ସିନା ବୋକୀଟା ଥିଲା । ଏବେ ବି ବୋକୀ । ସବୁବେଳେ ଡାକୁଛି, ହେଲେ ମୁଁ ତ ଚାଲାଖ ନା ? କିଛି କାରଣ ନ ଥାଇ, ଏମିତି କଣ ଚାଲିଯାଇ ହୁଏ ?

ଜୀବନ କଥା: ବାଟ ଅବାଟ - ୧

Report an Error