ଜୀବନ କଥା: ବାଟ ଅବାଟ - ୧୩

ଏଇଟା ଜୀବନ କଥା । ବିଶିଷ୍ଟ ଅଭିନେତ୍ରୀ ଓ କବି ଭାସ୍ଵତୀ ବସୁଙ୍କ ଜୀବନ କଥା । ସହଜରେ, ସରଳ ଭାବରେ ଓ କୌଣସି ଚାତୁରୀ ନ ରଖି, ସେ ନିଜ କଥା ଲେଖୁଛନ୍ତି । ଏ ଏକ ଚମତ୍କାର ଓ ଚମକପ୍ରଦ ଜୀବନାନୁଭୂତି ।


ଫଟୋ - ଭାସ୍ଵତୀ ବସୁ

(୨୨)

ସକାଳୁ ନିଦ ଭାଙ୍ଗିଲା ସିଗାରେଟ ର ବାସ୍ନା ରେ । ଝରକାରେ ଉଣ୍ଡିଲି । ପାଚେରୀ ସେପାଖେ କେହି ଠିଆ ହେଇଛନ୍ତି କି! କେହି ଦିଶିଲେନି । ତା ପରେ ସାରାଦିନର ବ୍ୟସ୍ତତା ଭିତରେ ରହି ରହି ସେଇ ସିଗାରେଟ ର ବାସ୍ନା ଆଉ ଟିକେ ବ୍ୟସ୍ତ କରୁଥାଏ । ମୁଁ ବାରମ୍ବାର ସେ ବାସ୍ନାର ଉତ୍ସ ଖୋଜୁ ଥାଏ ଆଉ ବିଫଳ ହଉଥାଏ । ଦିନ ବିତି ଗଲା । ରାତିରେ ହଠାତ ମନେ ପଡିଗଲା ଯେ ଆସନ୍ତା କାଲି ଫେବୃଆରୀ ପହିଲା । ସେହିକ୍ଷଣି ବୁଝି ପାରିଲି ସେ ବାସ୍ନାର ଉତ୍ସ କୋଉଠି । ସେ ବାସ୍ନା ମୋ ସ୍ମୃତିରୁ ଆସୁଥିଲା, ମୋ ଅବଚେତନ ମନରୁ ଆସୁଥିଲା, ମୋ ଅପୂର୍ଣ୍ଣ ଶୈଶବ ରୁ ଆସୁଥିଲା ।

ବାବୁଜୀ ଆମ ସହିତ ରହୁନଥିଲେ । ଘରେ ମାଆଙ୍କର, ମୋର ଏକା ରହୁଥିଲୁ । ହଁ, ଆମେ ଦିହେଁ ମିଶି ମଧ୍ୟ ଏକା ହିଁ ଥିଲୁ । ଚାରି ପାଞ୍ଚ ବର୍ଷ ବୟସରୁ ଯେବେ ଠାରୁ ସ୍ମୃତି ଜାଗ୍ରତ ହେଲା, ମନେ ଅଛି ପ୍ରତି ସପ୍ତାହରେ ମୁଁ ବାବୁଜୀଙ୍କ ପାଖକୁ ଯାଉଥିଲି ଟଙ୍କା ଆଣିବାକୁ । ସେ ମତେ କୋଡ଼ିଏ ଟଙ୍କା ଦଉଥିଲେ ଆମ ମାଆ ଝିଅଙ୍କ ସାପ୍ତାହିକ ଖର୍ଚ୍ଚ ବାବଦରେ ।

ସେ କାହିଁକି ଅଲଗା ରହୁଛନ୍ତି, କାହିଁକି ମତେ ଟଙ୍କା ଆଣିବାକୁ ଯିବାକୁ ପଡୁଛି, ଏସବୁ ମୋର ସେତେବେଳେ ବୁଝିବା କଥା ନୁହଁ । ବାବୁଜୀଙ୍କ ପାଖରେ ଦିନଟିଏ ବିତେଇବା ହିଁ ମୋ ପାଇଁ ଯଥେଷ୍ଟ ସୁଖକର ଥିଲା । ସାରା ସପ୍ତାହ ଅପେକ୍ଷା କରୁଥିଲି ସେଇ ଦିନଟିକୁ।

ମୁଁ ଚାହୁଁଥିଲି ସେ ବି ମତେ ଅପେକ୍ଷା କରନ୍ତୁ । ମୁଁ ପହଞ୍ଚିଲା ମାତ୍ରେ ମତେ କୋଳେଇ ନିଅନ୍ତୁ, ଗେଲ କରନ୍ତୁ । ସାରା ସପ୍ତାହ କେତେ କେତେ ଅଳି, ଅର୍ଦ୍ଦଳି, ଅଭିମାନ, ଅଭିଯୋଗ ଜମା ହେଇ ରହୁଥିଲା ମୋ କୁନି ଛାତି ଭିତରେ ।

କିନ୍ତୁ ବାସ୍ତବରେ ସେମିତି କିଛି ହଉନଥିଲା ।

ବହୁତ ସମୟରେ ମୁଁ ପହଞ୍ଚିଲା ବେଳେ ସେ ତାଙ୍କ ରୁମ ରେ ନଥାନ୍ତି । ସକାଳୁ ବାହାରି ଯାଇ ଥାଆନ୍ତି । ଫେରୁ ଫେରୁ କେବେ କେବେ ଦିନ ଗଡ଼ିଯାଏ ।

ମୁଁ କିନ୍ତୁ ତାଙ୍କ ଅପେକ୍ଷାରେ ସେଇଠି ରହିଥାଏ । ତାଙ୍କ ରୁମ ର କବାଟ ବନ୍ଦ କରି ତାଙ୍କ ଖଟରେ ଶୋଇ ରହେ । ଘର ସାରା ବିଛେଇ ହେଇଥାଏ ରଙ୍ଗ, ତୁଳୀ, କାଗଜ, ଅଇଁଠା ଚା କପ ଆଉ ପୋଡ଼ା ସିଗାରେଟ ।

ତାଙ୍କ ଚାଦରରେ ବୋଳି ହେଇଥାଏ ସିଗାରେଟ ର ବାସ୍ନା । ବହୁତ ବଡ଼ ହେଲା ଯାଏଁ ମତେ ଲାଗୁଥିଲା ଯେ ସେଇଟା ହିଁ ତାଙ୍କ ଦେହର ବାସ୍ନା ବୋଲି । ମୁଁ ସେଇ ଚାଦରରେ ଘୋଡେଇ ନିଏ ମୋ କୁନି ଦେହ ଆଉ ସେ ଆସିବା ଯାଏଁ ସେମିତି ପଡ଼ିଥାଏ ।

କେବେ କେବେ ଅନ୍ୟ ଭଡାଟିଆମାନେ ଡାକନ୍ତି ଗଣ୍ଡେ ଖାଇଦବାକୁ ହେଲେ ମୁଁ ଯାଏନି । ହେଲେ ଜଣେ ସେଠି ସେଇ ଭଡାଟିଆମାନଙ୍କ ଗହଣରେ ଥିଲେ, ଯିଏ ଡାକିଲେ ମୁଁ ଯାଉଥିଲି । ସେ ମତେ କ୍ଷୀର ଭାତ ଖୁଏଇ ଦଉଥିଲେ । ସେ ବାବୁଜୀଙ୍କୁ ଭଲ ପାଉଥିଲେ । ତାଙ୍କ ଭଲ ମନ୍ଦ ବୁଝୁଥିଲେ ଆଉ ତାଙ୍କ ପାଇଁ ଦୁର୍ନାମ ଗୋଟାଉଥିଲେ । ଅବଶ୍ୟ ଅନ୍ୟ ଅନେକ ଦୁର୍ନାମ ଭିତରେ ସେ ଦୁର୍ନାମ ଲୁଚି ଯାଉଥିଲା ।

ସେଠି ସମସ୍ତେ ବାବୁଜୀଙ୍କୁ ଭଲ ପାଉଥିଲେ । ବିଶେଷ କରି ସାନ ପିଲାମାନେ । ସେଠି ଦୁଇ ଚାରୋଟି ଛୁଆ ଥିଲେ । ବାବୁଜୀ ଆସିଲାକ୍ଷଣି ସେମାନେ ଦାଦା ଦାଦା କହି ଘେରି ଯାଉଥିଲେ । ବାପା ଠାରୁ ପୁଅ ଯାଏଁ ସମସ୍ତଙ୍କ ଦାଦା ସିଏ । ସେମାନଙ୍କ ପାଇଁ ସେ ଆଣୁଥିଲେ ଚକଲେଟ । ନିଜ ଲମ୍ବା ପାପୁଲିରେ ଚକଲେଟ ଲୁଚେଇ, ଉପରକୁ ହାତ କରି, ମନ୍ତ୍ର ପଢ଼ି ହୁସ କରି ମ୍ୟାଜିକ ରେ ସେମାନଙ୍କ ଆଡ଼କୁ ବଢ଼େଇ ଦଉଥିଲେ ।

ସେମାନେ ଓହଳୁଥିଲେ ତାଙ୍କ କାନ୍ଧରେ, କାଗଜରେ ଚିତ୍ର କରି ଦେଖଉଥିଲେ ତାଙ୍କୁ, ପେନ୍ସିଲ ନଉଥିଲେ ତାଙ୍କ ବ୍ୟାଗ ରୁ ଆଉ ମୁଁ.. ଟିକକେ ଦୂରରେ ଠିଆ ହେଇ ମନେ ମନେ ସେଇ ପିଲାମାନଙ୍କୁ ଭିତରୁ ଜଣେ ହେଇ ଯାଉଥିଲି ।

ବାବୁଜୀ ମୋ ଆଡ଼କୁ ଆସୁଥିଲେ, ମୋ ହାତରେ ଟଙ୍କା ଧରେଇ ଦଉଥିଲେ । ବେଳେବେଳେ ମଟର ସାଇକେଲ ରେ ଛାଡି ଦେଇଯାଉଥିଲେ ଆଉ ବେଳେବେଳେ ରିକ୍ସା ଡାକି ସେଇଥିରେ ପଠେଇ ଦଉଥିଲେ ଘରକୁ।

ବହୁତ ବଡ଼ ବୟସ ଯାଏଁ ମୋର ଖୁବ ଅଭିମାନ ଥିଲା ତାଙ୍କ ଉପରେ । ନିଜକୁ ଭାରି ଦୟା କରୁଥିଲି ।

ହେଲେ ଶେଷ କିଛି ବର୍ଷ ବହୁତ କିଛି ବଦଳି ଗଲା । ସେ ଅସୁସ୍ଥ ହେଲେ, ଘରକୁ ଫେରିଲେ, ପୁଣି ସୁସ୍ଥ ହେଲେ, ପୁଣି ଅସୁସ୍ଥ ।

ଏଇ ସୁସ୍ଥତା ଆଉ ଅସୁସ୍ଥତା ଭିତରେ ବଦଳି ଗଲା ଆମ ସମ୍ପର୍କ । ଆମେ ନିକଟତର ହେଲୁ ।

ମୁଁ ଟିକେ ଅର୍ବାଚିନ । ସାନ ବଡ଼ ଜ୍ଞାନ ନାହିଁ । ଆମେ ବନ୍ଧୁ ହେଇ ଗଲୁ । ଖୁବ ଗପିଲୁ । ନାଟକ ଠାରୁ ରାଜନୀତି, କବିତା ଠାରୁ ପ୍ରେମ, ଦେହ ଠାରୁ ଦେହାତୀତ ସବୁ କିଛି ଆଲୋଚନା କଲୁ । ସେ ଲୋଡ଼ିଲେ ମତେ । ଦୁଇ ତିନି ଦିନ ଫୋନ ନ କଲେ ତାଙ୍କ କଲ ଆସେ - "କି ରେ! ଖବର ନାହିଁ ଯେ! "ମୁଁ ତାଙ୍କ ପାଖକୁ ଗଲେ ସାଙ୍ଗେ ସାଙ୍ଗେ ତାଙ୍କ ବିଛଣାରୁ ଚାଖଣ୍ଡେ ଜାଗା ଛାଡ଼ି ଦିଅନ୍ତି ଆଉ ମୁଁ ତାଙ୍କ ପାଖରେ ଗେଞ୍ଜି ହେଇ ଶୋଇଯାଏ । ସେ ମତେ ପଢ଼ାନ୍ତି ପତ୍ରିକା ଆଉ ମୁଁ ତାଙ୍କୁ ଦେଖାଏ ନେଟ ରୁ ସିନେମା।

ଆମେ ବନ୍ଧୁ । ଆମେ ସାଙ୍ଗ ଭଳି ମିଶୁ । ମୁଁ କିନ୍ତୁ ଭୁଲି ପାରେନା ସେଇ ଚକଲେଟ ଆଉ ପେନ୍ସିଲ କୁ ।

ମୋର ଅଭିଯୋଗ ନାହିଁ । ମୁଁ ବୁଝିପାରେ ତାଙ୍କୁ । ବୁଝିପାରେ ତାଙ୍କ ସେ ସମୟର ନିସ୍ପୃହ ବ୍ୟବହାରକୁ ।

ଅସଲରେ ସେ ଡରୁଥିଲେ । କୌଣସି ବାପା କଣ ଏଡ଼େଇ ପାରନ୍ତି ସନ୍ତାନର ଆକର୍ଷଣ ? ସେ ବି ପାରୁନଥିଲେ । କିନ୍ତୁ ସେ ବାନ୍ଧି ହବାକୁ ଚାହୁଁ ନଥିଲେ । ଥରେ ବାନ୍ଧି ହେଇଗଲେ ସେ ଆବଦ୍ଧ ହେଇଯାଇଥାନ୍ତେ ସଂସାର ଭିତରେ । ତାଙ୍କ ପରିବାର ବହୁତ ବିଶାଳ ଥିଲା । ବହୁତ ଜଣ ଚାହିଁ ରହୁଥିଲେ ତାଙ୍କ ହାତ ଟେକାକୁ । ଅନେକଙ୍କୁ ମଣିଷ କରିଛନ୍ତି ସେ । ପ୍ରତ୍ୟନ୍ତରୁ ଆସିଥିବା କେତେ କେତେ ଯୁବ ଶିଳ୍ପୀ ତାଙ୍କ ସାହାଯ୍ୟରେ ଭୁବନେଶ୍ୱର ରେ ରହି ନିଜକୁ ଗଢ଼ି ପାରିଛନ୍ତି । ସେ ଯଦି ବାନ୍ଧି ହେଇ ଯାଇଥାନ୍ତେ ନିଜର ସୀମିତ ପରିବାର ଭିତରେ ତାହେଲେ ଏଇ ଏତେ ବଡ଼ ପରିବାରର ଦେଖାଶୁଣା କିଏ କରନ୍ତା ? ସେଇଥିପାଇଁ ସେ ମତେ କୋଳରେ ବସେଇ ପାରିନଥିଲେ । ମୋ ବେକରେ ମୁହଁ ରଖି ମୋ ଶୈଶବ ର ବାସ୍ନା ନେଇ ପାରିନଥିଲେ । ମୁହଁ ଖୋଲି ନ କହିଲେ କଣ ହବ, ମୁଁ ବୁଝିପାରେ ।

ମୁଁ ବୁଝିପାରେ ହେଲେ ଭୁଲିପାରେନି । ବହୁ ବର୍ଷ ଆଗରୁ ସେ ସିଗାରେଟ ଛାଡ଼ି ଦେଇଥିଲେ । ମୁଁ କିନ୍ତୁ ଛାଡ଼ି ପାରିନି । ମୁଁ ଏବେବି ଛାତି ତଳେ ବୋହି ବୁଲୁଛି ସେଇ ବାସ୍ନାର ଅଭିଶାପ । ଥରଟିଏ ତାଙ୍କୁ ଏତକ ନ କହିପାରିବାର ଅଭିଶାପ ଯେ - "ବାବୁଜୀ ମୁଁ ବୁଝିପାରେ ତମକୁ । ମୁଁ ଜାଣେ ତମେ ସେତେବେଳେ କାହିଁକି..."

ସେ ଯୋଉଠି ବି ଅଛନ୍ତି ଆନନ୍ଦରେ ରୁହନ୍ତୁ । ଶାନ୍ତିରେ ରୁହନ୍ତୁ । ଯଦି ପୁଣି ଥରେ ଜନ୍ମ ନିଅନ୍ତି ତେବେ ଆଉ ଜଣେ ଅସୀମ ବସୁ ହେଇ ଜନ୍ମ ନିଅନ୍ତୁ ।

ଜୀବନ କଥା: ବାଟ ଅବାଟ - ୧୨