ଜୀବନ କଥା: ବାଟ ଅବାଟ - ୧୨

ଏଇଟା ଜୀବନ କଥା । ବିଶିଷ୍ଟ ଅଭିନେତ୍ରୀ ଓ କବି ଭାସ୍ଵତୀ ବସୁଙ୍କ ଜୀବନ କଥା । ସହଜରେ, ସରଳ ଭାବରେ ଓ କୌଣସି ଚାତୁରୀ ନ ରଖି, ସେ ନିଜ କଥା ଲେଖୁଛନ୍ତି । ଏ ଏକ ଚମତ୍କାର ଓ ଚମକପ୍ରଦ ଜୀବନାନୁଭୂତି ।


ଫଟୋ - ଭାସ୍ଵତୀ ବସୁ

(୨୧)

ପିଲାବେଳେ ଲଣ୍ଡା ହେଇଛି ଅନେକ ଥର । ଆରମ୍ଭ ବୋଧହୁଏ ବର୍ଷେ ବୟସରୁ । ଦିଦି କୁହନ୍ତି ଯେ ମାଆ ମତେ ବର୍ଷେ ଯାଏଁ ଲଣ୍ଡା ହେବାକୁ ଦେଇନଥିଲେ । ମୋ ମ୍ୟାଗି ଭଳି କୁଞ୍ଚ କୁଞ୍ଚ ଚୁଟି ତା ଘନତ୍ୱର ଅଭାବ ବିଷୟରେ କାହାକୁ ଜାଣିବାକୁ ଦଉନଥିଲା ହେଲେ ଚୁଟିକୁ ଘନ କରିବା ପାଇଁ ମାଆଙ୍କ ପ୍ରୟାସ ପୁରା ଦମରେ ଚାଲିଥିଲା । ମୁଣ୍ଡରେ ପ୍ରଚୁର ପରିମାଣରେ ସୋରିଷ ତେଲ ମରା ଯାଉଥିଲା ଏବଂ ମାଆଙ୍କର ଏକ ଅଦ୍ଭୁତ ଧାରଣା ଥିଲା ଯେ ଶ୍ୟାମ୍ପୁ କଲେ ଚୁଟି ଉପୁଡ଼େ । ତେଣୁ ମୁଣ୍ଡ ସଫା କ୍ଵଚିତ କରାଯାଉଥିଲା । ଦିଦି ମୋ ଠାରୁ ପ୍ରାୟ ଆଠ ବର୍ଷ ବଡ଼ । କୁନି ଦିଦି ତାଙ୍କର ତତୋଧିକ କୁନି ଭଉଣୀର ଏମତ ଦୁର୍ଦ୍ଦଶା ଦେଖି ସହି ପାରିଲେନି । ମାଆଙ୍କୁ କିଛି କହିଲେନି ସିନା ହେଲେ ତାଙ୍କୁ ଲୁଚେଇ ମତେ ନେଇଗଲେ ସେଲୁନ । ସେତେବେଳେ ଏ ପାର୍ଲର କନସେପ୍ଟ ଆସି ନଥିଲା । ଖୁବ ବଡ଼ ଝିଅମାନେ ଲମ୍ବା ଚୁଟି ରଖୁଥିଲେ । ସ୍କୁଲ କଲେଜ ଝିଅମାନେ ନିର୍ଦ୍ବିଧାରେ ସେଲୁନବାଲାଙ୍କ ଆଗରେ ମୁଣ୍ଡ ପାତି ଦଉଥିଲେ ।

ଦିଦି ମତେ ସେଲୁନ ର ସେଇ ଉଚ୍ଚା ଚେୟାର ଉପରେ ବସେଇ ଦେଇ କହିଲେ -"ଲଣ୍ଡା କରି ଦିଅନ୍ତୁ ।"

ମୁଁ ପ୍ରଥମେ ଏମିତି ଚେୟାରରେ ବସିବାର ସୌଭାଗ୍ୟରେ ଖୁସି ହେଇ ଗଲି । ଆଗରେ ଥିବା ମିରର ଦେଖି ଆହୁରି ଉତଫୁଲ୍ଲିତ ହେଲି । କଇଁଚି ଚାଲିଲା ଯାଏଁ ଠିକ ଥିଲା ହେଲେ ଯେମିତି କ୍ଷୁର ଚାଲିଲା (ସେତେବେଳେ ସତସତିକା କ୍ଷୁର ହିଁ ଚାଲୁଥିଲା), ବାସ, ମୋ ବିଖ୍ୟାତ କାନ୍ଦ ଆରମ୍ଭ ହେଇଗଲା । ତା ସହିତ ଚାଲିଲା ମୁଣ୍ଡ ଝଙ୍କେଇବା । ଅବସ୍ଥା ଅସମ୍ଭାଳ । କ୍ଷୁର ବାଜି ମୁଣ୍ଡ ସାରା ଖଣ୍ଡିଆ । ଦିଦି ଡରିଯାଇ ଅଧା ଲଣ୍ଡାରେ ମତେ ଘରକୁ ନେଇ ଆସିଲେ । ମାଆ ଦେଖି ଇଲୋ ଇଲୋ! ଦିଦିଙ୍କ କାନ ଧରି ରଗଡ଼ି ବି ତାଙ୍କ ମନ ଶାନ୍ତ ହଉନଥାଏ । ହେଲେ କଣ ବା କରିବେ! ଅଧା ଲଣ୍ଡା କୁ ପୁରା ଲଣ୍ଡା କରିବାକୁ ବାଧ୍ୟ । ସେଲୁନବାଲାଙ୍କୁ ଘରକୁ ଡକେଇ କୌଣସି ମତେ ଧରିବାନ୍ଧି ମୋ ରୂପ ପରିବର୍ତ୍ତନ କରା ହେଲା ।

ପରବର୍ତ୍ତୀ ସମୟରେ ମତେ କେବେ କେମିତି ଲଣ୍ଡା ହବାକୁ ପଡ଼ିଛି ହେଲେ ମୁଁ ଆଉ ସେଭଳି ଅବସ୍ଥା କରିନି ।

ଶେଷ ଥର ଲଣ୍ଡା ହବାର କାରଣ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏଥର ବାଧ୍ୟବାଧକତାରେ ଲଣ୍ଡା ହବାକୁ ପଡ଼ିଲା । ମୁଁ ସେତେବେଳେ କ୍ଲାସ ଥ୍ରୀରେ ପଢୁଥାଏ । କାନ୍ଧ ତଳ ଯାଏଁ ଲମ୍ବା ଚୁଟି ରଖି ସେଥିରେ ଦୁଇ ବେଣୀ ପକେଇ ସ୍କୁଲ ଯାଏ । ବେଳେବେଳେ ରାଗ ହେଲେ ବେଣୀକୁ ଛାଟି ଦିଏ ଆଉ ଖୁସି ହେଲେ ମୋ ଡିଆଁ ସାଙ୍ଗକୁ ବେଣୀ ବି ଡିଏଁ । ଏଭଳି ଲମ୍ବା ବେଣୀ ଭିତରେ ଥରେ ବସା ବାନ୍ଧିଲେ ଉକୁଣୀ ।

ଭୟଙ୍କର ହାଲ । ଘଞ୍ଚ କୁଞ୍ଚୁକୁଞ୍ଚିଆ ଚୁଟିରେ ଉକୁଣୀ ରହିଲେ କଣ ହୁଏ ସେକଥା ଭୁକ୍ତଭୋଗୀ ହିଁ ଜାଣନ୍ତି । ସରୁ ପାନିଆ ମୁଣ୍ଡରେ ପଶୁନି, ବାଛି ବାଛି ନୟାନ୍ତ ହେଲେ ବି ଯୋଉ କଥା କୁ ସେଇ କଥା, କେବେ କେମିତି ବେକ ମୂଳରେ କିମ୍ବା କାନ ପାଖରେ ନିଜ ଚେହେରା ଦେଖେଇ ମତେ ସମସ୍ତଙ୍କ ସାମ୍ନାରେ ଅପଦସ୍ତ କରି ସେମାନେ ମଜା ନିଅନ୍ତି । ଚୁଟିର ପ୍ରତିଟି ରେଖାରେ ସେମାନଙ୍କ ଅସଂଖ୍ୟ ଅଣ୍ଡା ବିରାଜମାନ ।

ସାରା ପରିବାର ବୈଠକରେ ବସିଲେ । ଧୀର ମସ୍ତିଷ୍କରେ ଭାବିଚିନ୍ତି ନିଷ୍ପତ୍ତି ନିଆଗଲା ଯେ ମତେ ଲଣ୍ଡା କରା ଯିବ ।

ମୁଁ ବହୁତ କାନ୍ଦିଲି । ଗୁହାରୀ କଲି । ହେଲେ ନିରୀମାଖୀ କୁଆଁରୀ ମୁଁ, ମୋ କଥା କେହି ଶୁଣିଲେନି । ମୁଁ ଲଣ୍ଡା ହେଲି । ସେଇ ଶେଷ ଥର ।

ଏଥର ଆସିବା ଏବେର ଘଟଣା କୁ । ମୋ ଝିଅ ଚୁଟି ବି ଠିକ ମୋ ଭଳି । ମୁଁ ସବୁବେଳେ ତାକୁ ବୟ କଟ କରେଇ ଦଉଥିଲି । ଯତ୍ନ ନବାକୁ ସୁବିଧା । ଖୁବ ସାନବେଳେ ଥରେ ଦୁଇ ଥର ଲଣ୍ଡା ବି କରିଛି କିନ୍ତୁ ଟିକେ ବଡ଼ ହେଲା ପରେ ସେ ତାର ନାଗରିକ ଅଧିକାର ସାବ୍ୟସ୍ତ କରି ଲଣ୍ଡା ହବାକୁ ସଫା ମନା କରିଦେଲା ଏବଂ ବୟ କଟକୁ ମଧ୍ୟ ବୟକଟ କରି ଚୁଟି ଲମ୍ବା କରିବାକୁ ଆରମ୍ଭ କଲା ।

ସ୍କୁଲରେ ତା ସାଙ୍ଗ ସଂଖ୍ୟା ଖୁବ ବେଶୀ ନୁହେଁ । ସେ ଏ ମାମଲାରେ ଭାରି ଚୁଜି । ତେଣୁ ତା ମଣ୍ଡକୁ ନେଇ ବି ମତେ ବିଶେଷ ଚିନ୍ତା କରିବା ଦରକାର ପଡ଼ୁନଥିଲା ।

ହେଲେ ଭାବିତବ୍ୟକୁ ଖଣ୍ଡିବ କିଏ ? ତା ମୁଣ୍ଡରେ ବି ଉକୁଣୀ ଦେଖା ଗଲା ।

ସୌଭାଗ୍ୟକୁ ଏବେ ବିଭିନ୍ନ ପ୍ରକାର ଔଷଧ, କ୍ରିମ, ଲୋଶନ ଆଦି ବାହାରିଲାଣି । ତେଣୁ ଉକୁଣୀ ସମୂଳେ ବିନାଶ ହେଲେ ଆଉ ଝିଅକୁ ବି ଲଣ୍ଡା କରିବାକୁ ପଡିନି ।

ଝିଅ ମୁଣ୍ଡରେ ପ୍ରଥମ ଥର ଉକୁଣୀ ଆବିଷ୍କୃତ ହବା ଦିନର କଥା । ଦୁଇ ତିନି ଦିନ ଧରି ମୁଁ ଲକ୍ଷ୍ୟ କଲି ଯେ ତିଥି ରହି ରହି ଖଚ ଖଚ କରି ମୁଣ୍ଡକୁ କୁଣ୍ଡେଇ ଚାଲିଛି । ମତେ ଟିକେ ସନ୍ଦେହ ହେଲା । ଦୋକାନରୁ ଗୋଟେ ସରୁ ପାନିଆ ଆଣି ତା ମୁଣ୍ଡ କୁଣ୍ଡେଇଲି ।

ମୋ ସନ୍ଦେହ ସତ! ପାନିଆ ଦେହରେ ଲାଗିଛି ବେଶ ହୃଷ୍ଟ ପୁଷ୍ଟ ଉକୁଣୀଟିଏ ।

-"ଏହେ ତୋ ମୁଣ୍ଡରେ ଉକୁଣୀ ହେଇଛି!"

-"ସେଇଟା କଣ ?"

-"ଗୋଟେ ପ୍ରକାର ପୋକ ।"

-"ହେଁ!!"

-"ହଁ ଏଇ ଦେଖୁନୁ ।"

ଝିଅ ତାକୁ ଦେଖି ଆଶ୍ଚର୍ଯ୍ୟ! ମୁଣ୍ଡରେ ବି ପୋକ ହୁଏ!

ମୁଁ ସେଇଟାକୁ ମାରିବାକୁ ବାହାରିଲି । ଝିଅ ପ୍ରବଳ ବାଧା ଦେଲା ।

-"ଏତେ ସୁନ୍ଦର, କୁନି, ନିରୀହ ପ୍ରାଣୀକୁ ତମେ ମାରିଦବ ?"

-"ମାନେ! ଆଉ ୟାକୁ କଣ କରିବି ?"

-"ମତେ ଦିଅ । ମୁଁ ପାଳିବି ।"

ମୋ ମୁହଁରୁ କଥା ହଜିଗଲା । ବହୁତ ବୁଝେଇଲି । ହେଲେ ସିଏ ନାଛୋଡ ।

-"ତମେ ଅନ୍ୟମାନଙ୍କୁ ମାରିଦିଅ । ହେଲେ ଏଇ ପ୍ରଥମଟାକୁ ମୁଁ ପାଳିବି ।"

ଗୋଟେ ଛୋଟ ପ୍ଲାଷ୍ଟିକ ବକ୍ସରେ ତାକୁ ରଖାଗଲା । ତା ନାଁ ରଖାଗଲା "ଗୋଲୁ" ।

ଝିଅ ଇଣ୍ଟରନେଟରେ ଗବେଷଣା ଆରମ୍ଭ କଲା । ଫଳ ସ୍ୱରୂପ ପ୍ରତି ତିନି ଘଣ୍ଟାରେ ଗୋଲୁକୁ ବକ୍ସରୁ ବାହାର କରି ସେ ତା ପାପୁଲିରେ ଥୋଇଲା ଆଉ ଗୋଲୁ ତା ପାପୁଲିରେ ଶୁଣ୍ଢ ଗଳେଇ ରକ୍ତ ପିଇଲା । ପାପୁଲି କୁଣ୍ଡେଇ ହଉଥିଲେ ବି ତିଥି ଶାନ୍ତ ହେଇ ଗୋଲୁର ପେଟ ପୂରିବା ଯାଏଁ ଅପେକ୍ଷା କରେ ।(ଆପଣମାନେ ତଳେ ସେ ଛବି ଦେଖି ପାରିବେ ।)

ମୁଁ ଏ ମହତ କର୍ମ ଦେଖି ଗର୍ବରେ ସ୍ଫୁରିତ ଓ ଛଳଛଳ ହେଲି ।

ହେଲେ ଦୁଇ ଦିନ ପରେ ସକାଳେ ବକ୍ସ ଖୋଲିଲା ପରେ ଗୋଲୁର ମୃତଦେହ ମିଳିଲା ।

ଆହା... କେମିତି ମଲା ? କଣ ହେଲା ? କିଛି ବୁଝି ହେଲାନି । ଝିଅ ମନ ଭାରି ଖରାପ । ବହୁତ ସାନ୍ତ୍ବନା ଦେଲା ପରେ ସେ ଶାନ୍ତ ହେଲା ହେଲେ ଏବେ ବି ବେଳେବେଳେ ତା କଥା ମନେ ପକେଇ ଦୀର୍ଘଶ୍ବାସ ପକାଏ ।

ଉକୁଣୀ କାହା ଜୀବନରେ କଣ ପ୍ରଭାବ ପକେଇଛି ଜାଣିନି କିନ୍ତୁ ଆମ ଜୀବନର ଏକ ସ୍ମୃତି ହେଇ ରହିଗଲା "ଗୋଲୁ" ।

ଜୀବନ କଥା: ବାଟ ଅବାଟ - ୧୦