
(୧୯)
ମୁଁ ସେତେବେଳେ ହାଇ ସ୍କୁଲ ରେ ପଢୁଥାଏ । ଦେଖିବାକୁ ପରୀ ନହେଲେ ବି ବେଶ ସୁନ୍ଦରୀ ଥିଲି । ଅନ୍ତତଃ ଆଖପାଖର ଯୁବକମାନେ ସେଇଆ ଧାରଣା ଯୋଗେଇଥିଲେ । ସପ୍ତାହକୁ ଗୋଟେ ଦିଇଟା ଚିଠି, ରାସ୍ତାରେ ଗଲା ବେଳେ କମେଣ୍ଟ, ବସରେ ପାଖାପାଖି ଠିଆ ହେବାର ଚେଷ୍ଟା ଏଇ ସବୁ ଆଉ କଣ ।
ସେ ଯାହା ବି ହଉ, ମୋ ଚେହେରା ନେଇ ମନରେ ଟିକେ ଗର୍ବ ଗର୍ବ ଭାବ ଆସିବାକୁ ଲାଗିଥାଏ ।
ସେତେବେଳେ ଫଟୋ ଉଠେଇବା ଏତେ ସହଜ ନଥିଲା । ଭାଇଙ୍କର ଥାଏ ଗୋଟେ ଜେନିଥ କ୍ୟାମେରା । ପଇସା ପାଇଲା ମାତ୍ରେ ସେଥିରେ ରିଲ ପକା ହୁଏ ଆଉ ମୁଁ ହୁଏ ତାଙ୍କ ମଡେଲ । ସେ ଏକ ଜଟିଳ ପ୍ରକ୍ରିୟା । ମୁଁ ଝରକା ସାମ୍ନାରେ ବା ଛାତ ଉପରେ ପୋଜ ଦେଇ ଠିଆ ହେବି । ଭାଇ କ୍ୟାମେରା ଧରି ତୈୟାର ହେବେ । ଏଥର ପରୀକ୍ଷା ଆରମ୍ଭ । ଧୈର୍ଯ୍ୟର ପରୀକ୍ଷା । ଭାଇ ଲାଇଟ ମାପିବେ, ଏକ୍ସପୋଜର ମାପିବେ ଇତ୍ୟାଦି ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମ । ପୁରାପୁରି ନିଶ୍ଚିନ୍ତ ହବା ପରେ ସେ ଫଟୋ ଉଠେଇବେ । ଗୋଟିଏ ଶଟ ନବାକୁ ପ୍ରାୟ କୋଡ଼ିଏ ପଚିଶ ମିନିଟ ଲାଗୁଥିଲା । ସେଇତକ ସମୟ ମତେ ଟିକେ ବି ନ ହଲି, ମୁହଁର ଭାବ ସାମାନ୍ୟତମ ପରିବର୍ତ୍ତିତ ନ କରି ଅବିଚଳିତ ଭାବରେ ଠିଆ ହବାକୁ ପଡ଼ୁଥିଲା । ନହେଲେ ମଡେଲ କ୍ୟାନସେଲ । ଅବଶ୍ୟ ମୁହଁରେ ଯାହା ବି କୁହନ୍ତୁ, ଏତେ ଧୈର୍ଯ୍ୟଶିଳା ଅନ୍ୟ ମଡେଲ ପାଇବା ତାଙ୍କ ପାଇଁ ଅସମ୍ଭବ ସେକଥା ସେ ବି ଜାଣିଥିଲେ ।
ଏ ଭିତରେ ଆଉ ଗୋଟେ ସୁଯୋଗ ଆସିଲା ମୋ ଚେହେରାକୁ ଅମରତ୍ୱ ପ୍ରଦାନ କରିବାର ।
ମୋ ବଡ଼ ଭଉଣୀ ଚିତ୍ରଶିଳ୍ପୀ । ଉଚ୍ଚ ମାନର ଶିଳ୍ପୀ । କିନ୍ତୁ ସେତେବେଳେ ସେ ଏତେ ଉଚ୍ଚ ମାନର ହେଇ ନଥିଲେ । ଅଏଲ ପେଣ୍ଟିଙ୍ଗ, ପୋଟ୍ରେଟ ଇତ୍ୟାଦିରେ ନୂଆ ନୂଆ ହାତ ସାଇଜ କରୁଥାନ୍ତି ।
ତାଙ୍କର ହଠାତ ମନ ହେଲା ଯେ ମୋ ପୋଟ୍ରେଟ ବନେଇବେ । ବୋଧହୁଏ ଏଠି ବି ସେଇ ସହଜଲଭ୍ୟ ମଡେଲର ଆକର୍ଷଣ ।
ସେ ଯାହା ହଉ ଏକଦା ଏକ ଅଳସ ସକାଳେ କାନ୍ଥରେ ଗୋଟିଏ ନୀଲ ଚଦର ଟାଣି ତା ସାମନାରେ ମତେ ବସାଗଲା । ସର୍ତ୍ତ ଏଠି ବି ସମାନ, ଅପରିବର୍ତ୍ତିତ ଭାବ ସହ ସ୍ଥିର ନିଶ୍ଚଳ ହେଇ ବସିବା ।
ଭାଇଙ୍କ ଫଟୋଗ୍ରାଫି ସେସନ ର ଅଭିଜ୍ଞତା କାମକୁ ଆସିଲା । କିନ୍ତୁ ଏଠି କଥା କୋଡ଼ିଏ ମିନିଟର ନୁହଁ, ଦିନକୁ ଦୁଇ ଘଣ୍ଟା କରି ତିନି ଚାରି ଦିନ ବସିବାକୁ ପଡ଼ିଲା ।
ମୁଁ ଲକ୍ଷ୍ମୀଙ୍କ ଭଳି ଚପଳା । ବେଶୀ ସମୟ ହାତ ଗୋଡ଼ ସ୍ଥିର ରୁହେନି । ଏତେ ହଲେ ଯେ ଯିବା ଆସିବା ବାଟରେ ହାତ ବାଜି ବାସନ ପଡ଼ିବା, ଗୋଡ଼ ବାଜି ଗିଲାସ ଭାଙ୍ଗିବା ନିତିଦିନିଆ କଥା ।
ହେଲେ ଦିଦିଙ୍କୁ ମୋର ହାଡ଼େ ଭୟ । ତେଣୁ ସେ ତିନି ଚାରି ଦିନ ପ୍ରାୟ ମୂର୍ତ୍ତି ବନି ସିଟିଂ ଦେଲି । ପେଣ୍ଟିଂ ସରିଲା । ପେଣ୍ଟିଙ୍ଗ ଦେଖି ମନ ପୂରି ଗଲା । ଯିଏ ବି ଦେଖିଲେ ଖୁସି ହେଲେ । ବାସ୍ତବତା ସହିତ ଶୈଳ୍ପିକ ଚାତୁରୀ ର ଏଭଳି ମିଶ୍ରଣ ମୁଁ ମୋ ଆଖପାଖର ଖୁବ କମ ପୋଟ୍ରେଟରେ ଦେଖିଛି ।
ଛବିଟି ଆମ ଦାଣ୍ଡ ଘରେ ଟଙ୍ଗା ହେଲା । ମୋ ମନ ଅହଙ୍କାରରେ ପୂରା ଓଦା ପଚ ପଚ ।
କିଛି ଦିନ ପରେ ରବୀନ୍ଦ୍ର ମଣ୍ଡପରେ ଗୋଟିଏ ନାଟକ ହେଲା । ବାବୁଜୀ ମଞ୍ଚ ସଜେଇବାର ଦାୟିତ୍ବ ରେ । କୌଣସି ସରକାରୀ ଡିପାର୍ଟମେଣ୍ଟର ନାଟକ । ଅଭିନେତା ଅଭିନେତ୍ରୀ ସମସ୍ତେ ନୂଆ । ନିର୍ଦେଶକ ବାବୁଜୀଙ୍କୁ ସେଟ ବିଷୟରେ ବୁଝେଇ ଥାଆନ୍ତି । ଜଣେ ଚିତ୍ରଶିଳ୍ପୀଙ୍କ ଘର । ସେ ଘରେ ଇଜେଲ ଉପରେ ଗୋଟିଏ ଝିଅର ପୋଟ୍ରେଟ ରଖା ହେଇଛି, ଯାହାକୁ ଦେଖି ନାୟିକା ନାୟକଙ୍କ ଉପରେ ସନ୍ଦେହ କରୁଛନ୍ତି ।
ବାବୁଜୀଙ୍କ ଅଭ୍ୟାସ ଥିଲା ଯେ ସେଟରେ କିଛି କମ ପଡ଼ିଲେ ଘରୁ ନେଇଯିବା । ବେଳେବେଳେ ଘରର ସୋଫା ବି ପଳାଉଥିଲା । ସେଇ କ୍ରମରେ ସେଦିନ ସେ ମୋ ପୋଟ୍ରେଟ ଟି ଧରିଲେ । ଦିଦି ଟିକେ ଆପତ୍ତି କରିଥିଲେ କିନ୍ତୁ ବାବୁଜୀ କହିଲେ ନାଟକ ସରିଲା କ୍ଷଣି ସେ ଛବିଟିକୁ ଫେରେଇ ଦେବେ ।
ନାଟକ ଆରମ୍ଭ ହେଲା । ମଞ୍ଚ ଉପରେ ଶୋଭା ପାଉଛି ମୋ ପୋଟ୍ରେଟ । ସାମ୍ନା ଟେବୁଲ ଉପରେ କିଛି ରଙ୍ଗ ତୁଳୀ । କାହାଣୀ ଆଗେଇ ଚାଲିଛି । ନାୟିକା ସନ୍ଦେହ ଜର ଜର ହେଇ କେତେ କଥା କହିଯାଉଛନ୍ତି । ଭାରି ଅଭିମାନ ତାଙ୍କର । ଖୁବ ରାଗ । ହଠାତ ଝଗଡ଼ା ଭିତରେ ସେ ଗୋଟିଏ ରଙ୍ଗ ବୋଳା ତୁଳୀ ଉଠେଇ ନେଲେ ଆଉ ସିଧା ହାମଲା କଲେ ମୋ ପୋଟ୍ରେଟ ଉପରେ । ନେପଥ୍ୟରେ ଠିଆ ହେଇ ବାବୁଜୀ ହାୟ ହାୟ କରି ଉଠିଲେ । ହେଲେ କିଛି କରି ହେଲାନି । ମୋ ପୋଟ୍ରେଟ କଳା, ନାଲି ରଙ୍ଗର ବେପରୁଆ ମାଡ଼ରେ ତା ସତ୍ତା ହରେଇ ସାରିଥିଲା ।
ୟା ପରେ ବାବୁଜୀ ପ୍ରାୟ ସପ୍ତାହେ ଘରକୁ ଆସିଲେନି । ପରେ ଦିଦିଙ୍କୁ ପ୍ରତିଶ୍ରୁତି ଦେଲେ ଯେ ସେ ନିଜେ ସେଇ ପୋଟ୍ରେଟକୁ ବାଗେଇ ଦେବେ । ହେଲେ ଆଉ ସେ ଛବି ଘରକୁ ଆସିଲାନି । କୁଆଡ଼େ କେଜାଣି ଗାୟବ ହେଇ ଗଲା ।
ଧୀରେ ଧୀରେ ସମସ୍ତେ ତାକୁ ଭୁଲି ଗଲେ । ଭୁଲି ପାରିଲିନି କେବଳ ମୁଁ । ସେଇଟା ଯେ ମୋର ଏକମାତ୍ର ପୋଟ୍ରେଟ ଥିଲା! ଆଉ କେହି ତ କେବେ ମୋ ଛବି ଆଙ୍କିନାହାନ୍ତି!
(୨୦)
ମୁଁ ଟିକେ ପାଗଳ । ଦୁନିଆର ନୀତି, ରୀତି, ନିୟମ ଠାରୁ ଟିକେ ଦୂରେଇ, ଟିକେ ଆଲୁରୁ ବାଲୁରୁ ମୋ ଚାଲିଚଳନ । ଚେହେରା ଦୃଷ୍ଟିରୁ ବି ମୁଁ ଟିକେ ଭଙ୍ଗାରୁଜା । ମୋ ନାକ, ଓଠ ଉଭୟ ବଙ୍କା, ଆଖି ଗୋଟେ ଅନ୍ୟଟି ଅପେକ୍ଷା ଛୋଟ, ଇତ୍ୟାଦି ବେଶ କିଛି ବିଚ୍ୟୁତି ଅଛି । ପାଗଳାମି ପାଇଁ ମୋ ମତରେ ଦୁଇ ତିନୋଟି କାରଣ ଅଛି । ପ୍ରଥମ କାରଣଟି ମୋ ଚେହେରା ପାଇଁ ବି ଦାୟୀ । ସେ କାରଣଟି ହେଲା, ମତେ ଗଢ଼ିଲା ବେଳେ ବୋଧହୁଏ ମୁଁ ବିଧାତାଙ୍କ ହାତରୁ ଗଳି ପଡ଼ିଥିଲି । ତଳୁ ଗୋଟେଇ ବିଧାତା ଭଦ୍ରଲୋକ ଡ୍ୟାମେଜ ରିପେଆର ପାଇଁ ଯଥେଷ୍ଟ ଚେଷ୍ଟା କରି ମଧ୍ୟ ପୁରା ସଫଳତା ପାଇ ପାରିନାହାଁନ୍ତି । ଦ୍ଵିତୀୟ ଆନୁମାନିକ କାରଣ ଜଣା ପଡ଼ିଥିଲା ମୋ ବ୍ରେନ ସ୍କାନିଂ ବେଳେ । ବହୁତ ଭୁଲି ଯାଉଥିବାରୁ ଥରେ ଡାକ୍ତର ଦେଖେଇଥିଲି । ସେ ମତେ ବ୍ରେନ ସ୍କାନ କରିବାକୁ କହିଲେ ଏବଂ ରିପୋର୍ଟ ଦେଖି କହିଲେ -"କାଇଁ, ମୁଣ୍ଡରେ ତ କିଛି (ଅସୁବିଧା) ନାହିଁ!"
ମୁଁ ବି ଜାଣେ ଯେ ମୋ ମୁଣ୍ଡରେ କିଛି ନାହିଁ । ତେଣୁ...
ଆଉ ତୃତୀୟ କାରଣ...
ମୁଁ ସେତେବେଳେ ଏକଦମ କୁନି ଛୁଆ । ବାବୁଜୀଙ୍କ ମତେ ଗେଲ କରିବାର ଗୋଟିଏ ପ୍ରମୁଖ ଷ୍ଟାଇଲ ଥିଲା ମତେ ଉପରକୁ ଫୋପାଡ଼ି ଦେଇ ପୁଣି ଧରି ପକେଇବା । ଏଇ କର୍ମଟି ସେ କେତେଥର ମୋ ଆଠ ବର୍ଷର କୁନି ଦିଦି ସାମ୍ନାରେ ବି କରିଥିଲେ ।
ପ୍ରବଳ ଉତ୍ସାହିତ ଦିଦି ଥରେ ମୋ ପାଞ୍ଚ ବର୍ଷୀୟ ଦାଦା (ବଡ଼ ଭାଇ)ଙ୍କୁ ମ୍ୟାଜିକ ଦେଖେଇବାକୁ ଚାହିଁଲେ ଏବଂ ଠିକ ବାବୁଜୀଙ୍କ ଭଳି ମତେ ଉପରକୁ ଫୋପାଡିଲେ ହେଲେ ଧରି ପାରିଲେନି । ମୁଁ ଧାପପୁ ହେଲି । ବାବୁଜୀଙ୍କ ଦୋଷରୁ ଦିଦି ଗାଳି ଶୁଣିଲେ ଆଉ ମୁଁ ହୁଏତ ଏମିତି.... ମୋର ଅବଶ୍ୟ ନିଜର ଏହି ସବୁ ବିଚ୍ୟୁତି ଖୁବ ପସନ୍ଦ । ଯାହା ବି ହଉ, ମୁଁ ଏ ପୃଥିବୀରେ ଜନ୍ମ ହେଇଛି, ଏଇଟା କଣ ମୋ ପାଇଁ କମ କଥା!
ମୋ ଜନ୍ମ ବେଳର ବେଶ କିଛି କଥା ନେଇ ମୋ ମାଆଙ୍କର ଭାରି ଅଭିମାନ ରହିଛି ।
ସେ କୁହନ୍ତି ଯେ ମୋ ଜନ୍ମ ସମୟରେ ବାବୁଜୀ କୌଣସି କାରଣରୁ ଉପସ୍ଥିତ ନ ଥିବାରୁ ପରବର୍ତ୍ତୀ ସମୟରେ ଜନ୍ମର ଦିନ, ବାର, ସମୟ ଆଦିରେ ପ୍ରଚୁର ଘୋଟାଲା ହେଇଛି ।
-"ମୁଁ ତତେ ଜନ୍ମ ଦେଇଥାନ୍ତି ନା ଘଣ୍ଟା ଦେଖି ଥାଆନ୍ତି ? ସେ କାମଟା ତୋ ବାବୁଜୀ କରିଥାନ୍ତେ ନା ?"
(ଏହି ଘୋଟାଲା ଯୋଗୁଁ ହିଁ ମୋର ଜାତକ ନାହିଁ, ରାଶି ଜଣା ନାହିଁ ।)
ମୋ ଜନ୍ମ ପରେ କୁଆଡ଼େ ଡାକ୍ତର ଆଉ ନର୍ସମାନେ ମାଆଙ୍କୁ ନେଇ ଏତେ ବ୍ୟସ୍ତ ହେଇ ପଡ଼ିଥିଲେ ଯେ ମତେ ସଫା ନ କରି ଗୋଟେ ଟ୍ରେ ଉପରେ ଶୁଏଇ ରଖିଥିଲେ ଆଉ ମୁଁ ବିଚାରୀ ଖୁକ ଖୁକ କାଶୁଥିଲି । ସେଥିପାଇଁ ବି ମାଆଙ୍କ ଅଭିମାନ ।
ବେଙ୍ଗଲି ପରମ୍ପରା ଅନୁସାରେ ଛୁଆକୁ ମହୁ ଚଟା ଯାଏ । ମତେ କେହି ଚଟେଇ ନଥିଲେ (ମୁଁ କିନ୍ତୁ ମହୁ ନ ଚାଟି ବି ମଧୁର କଥା କୁହେ), ଅଭିମାନ ସେଥିପାଇଁ ମଧ୍ୟ ।
ମୋଟ ଉପରେ ମାଆଙ୍କ ଅଭିମାନର କଥା ଶୁଣି ଶୁଣି ହିଁ ବଡ଼ ହେଇଛି ।
ସେ ଯାହା ବି ହେଇଥାଉ, ମୁଁ ଜନ୍ମ ବେଳୁ ବେଶ ସ୍ପେଶାଲ ଥିଲି । ଯଦିଓ ଶୁଣା କଥା ତଥାପି ଗୋଟେ ଦିଇଟା ଘଟଣା କହୁଛି ।
ଦିଦି ଆଉ ଦାଦା ବାବୁଜୀଙ୍କ ସହିତ ନୂଆ ଜନ୍ମ ହେଇଥିବା ମତେ ଦେଖିବାକୁ ଯାଇଛନ୍ତି... ଦାଦା କୁହନ୍ତି ତାଙ୍କୁ ଦେଖି କୁଆଡ଼େ ମୁଁ ସେ ବୟସରେ ବି ପଚାରି ଦେଇଥିଲି -"କିଏ ?"
ମୋ ଚେହେରା କୁଆଡ଼େ ଏତେ ଗୋଲ ଥିଲା ଯେ ସେ ସମସ୍ତଙ୍କୁ ଆସି ବର୍ଣ୍ଣନା କରିଥିଲେ -"ମୋର ଗୋଟେ ସାନ ଭଉଣୀ ହେଇଛି । ମୁହଁଟା ଜହ୍ନ ଭଳି ଗୋଲ । ଉପରେ ଗୋଟେ ଡେମ୍ଫ ଲଗେଇ ଦିଅ, ଠିକ କଖାରୁ ଭଳି ଦିଶିବ ।"
ମୁଁ ଚନ୍ଦ୍ରକଳା ଭଳି ବଢ଼ିବାକୁ ଲାଗିଲି । ଆଉ ମୋର ଗୁଣାବଳୀ ବି ବଢ଼ିଲା ।
ମୋର ଛ ମାସ ବୟସର ସ୍ମୃତି ମୋର ମନେ ରହିଗଲା ଯଦିଓ ଏବେ ସକାଳେ କଣ ଖାଇଛି ସେ କଥା ସଞ୍ଜବେଳେ ମନେ ରହୁନି ।
ମାଆଙ୍କର ଗୋଟେ କଂସା ଢାଳ ଥିଲା । ମୋର ମନେ ଅଛି ଆମ ଭଡ଼ା ଘର ବାରଣ୍ଡାରେ ଗୋଡ଼ ଝୁଲେଇ ବସି ଗୋଟିଏ କଣ୍ଟା ଭଳି ଜିନିଷ ଧରି ଜଣେ ଲୋକ ସେ ଢାଳରେ ମାଆଙ୍କ ନାଁ ଖୋଦେଇ କରୁଥିଲେ । କଲମ ଧରି ମା ନିଜେ ଢାଳ ଉପରେ ଇଂରାଜୀ ଅକ୍ଷରରେ ନାଁ ଲେଖି ଦେଇଥିଲେ ।
ସେ ସମୟରେ ମୁଁ ମାଆଙ୍କ କୋଳରେ ଥିଲି, ହେଲେ ମୋର ମନେ ଅଛି ।
ଥରେ ମୁଁ ଗୁରୁଣ୍ଡି ଗୁରୁଣ୍ଡି ରୋଷେଇ ଘର ଆଡ଼କୁ ଯାଉଥିଲି । ମତେ ଦେଖି ମାଆ କବାଟ ପଛରେ ଲୁଚି ଗଲେ । ମୁଁ ଯାଇ କବାଟ ପଛରେ ମାଆଙ୍କୁ ଦେଖିଦେଲି ଆଉ ସେ ଜୋରରେ ହସି ମତେ କୋଳକୁ ଉଠେଇ ନେଲେ । ଏ କଥା ବି ମୋର ମନେ ଅଛି । ହେଲେ ଏସବୁ କଥା କେହି ବିଶ୍ୱାସ କରନ୍ତିନି ।
ଛାଡ଼ । ପାଗଳାମି କଥା କୁହେ ।
ମୁଁ ଦେଢ଼ କି ଦୁଇ ବର୍ଷର ହେଇଥିବି କି କଣ, ବାବୁଜୀ ଦିଦି ଆଉ ଦାଦାଙ୍କୁ ରାଉରକେଲାରେ ରହୁଥିବା ଆମ ବଡ଼ବାପାଙ୍କ ପାଖରେ ଛାଡ଼ି ଦେଇ ଆସିଲେ । ସେଠି ରହି ସେମାନେ ପାଠ ପଢ଼ିଲେ । ମୁଁ ନିହାତି ସାନ ଥିଲି ତେଣୁ ମାଆଙ୍କ ପାଖରେ ରହିଗଲି ।
କିଛି ସାଙ୍ଗ ସାଥି ଥିଲେ, ହେଲେ ମୁଁ ବେଶୀ ସମୟ ଏକା ରହିବାକୁ ଭଲ ପାଉଥିଲି
ମା ଘର କାମରେ ବ୍ୟସ୍ତ ଥିଲା ବେଳେ ମୁଁ ଏକା ଏକା ମନକୁ ମନ ବକ ବକ ହଉଥିଲି । କେତେ କଣ ଗପ ବନେଇ ଅଦୃଶ୍ୟ କାହାକୁ ଶୁଣେଇ ଚାଲୁଥିଲି । ଗପ ଶୁଣେଇଲା ବେଳେ ହାତ ହଲେଇ ଆଖି ବୁଲେଇ ଅଭିନୟ ବି କରୁଥିଲି ।
ଅସମ୍ଭବ କଳ୍ପନା ସବୁ ଥିଲା ମୋର ।
ଥରେ କଣ ମନ ହେଲା କେଜାଣି, ମାଆଙ୍କ ସିନ୍ଦୁର ଡବାରୁ ପୁଳାଏ ସିନ୍ଦୁର ନିଜ ମୁଣ୍ଡରେ ଢାଳି ଦେଲି ।
ମା ଦେଖି ଭାରି ବିରକ୍ତ । କଳ ପାଖରେ ମୋ ମୁଣ୍ଡ ଧୁଏଇ ଦଉ ଥାଆନ୍ତି ଆଉ ଚିଡୁଥାନ୍ତି । ମୁଁ ତାଙ୍କୁ ବୁଝେଇ ଚାଲିଥାଏ ଯେ ଝରକା ବାଟେ ଦାଦା ଦିଦି ଆସିଥିଲେ ଆଉ ମୋ ମୁଣ୍ଡରେ ସିନ୍ଦୁର ଢାଳି ଦେଇ ପଳେଇ ଗଲେ ।
ମୋ କଥାଟା ମତେ ନିଜକୁ ଭାରି ବିଶ୍ୱାସଯୋଗ୍ୟ ଲାଗୁଥାଏ । ମାଆ ଯେ କାହିଁକି ବିଶ୍ୱାସ କରୁ ନାହାନ୍ତି ସେ କଥା ମୋ ବୁଝିବା ବାହାରେ ।
ଥରେ ଗୁଡ଼ାଏ ଲୁହା କଣ୍ଟା ପାଇଥିଲି । ଗୋଟେ ହାତୁଡ଼ି ନେଇ ବାରଣ୍ଡା ସାରା କଣ୍ଟା ପୋତି ଦେଇଥିଲି । ମାଆଙ୍କୁ ମିସ୍ତ୍ରୀ ଡକେଇବାକୁ ପଡ଼ିଥିଲା କଣ୍ଟା ତକ ବାହାର କରିବା ପାଇଁ ।
ଆମ ବାରଣ୍ଡାର ଦୁଇ ପଟେ ଦୁଇଟି ପିଲର ଥିଲା । ସେ ପିଲର ଦୁଇଟି ମଝିରେ ଗୋଟେ ଲେଖାଏଁ ଭାଙ୍ଗ ରହିଥିଲା । ମୁଁ ବାରଣ୍ଡା ଉପରେ ଚକରେ ଘର କାଟୁଥିଲି । ଶୋଇବା ଘର, ଦାଣ୍ଡ ଘର ଇତ୍ୟାଦି ଆଙ୍କୁଥିଲି । ପିଲର ର ସେଇ ଭାଙ୍ଗରେ ଆଙ୍କୁଥିଲି ବାଥରୁମ, ଯୋଉଥିରେ ଅଙ୍କା ଯାଉଥିଲା ଇଣ୍ଡିଆନ ଟଏଲେଟ ପ୍ୟାନ ।
ମାଆ ଦେଖିଲା ମାତ୍ରେ ଲିଭେଇ ଦଉଥିଲେ, କାଳେ କିଏ ଘରକୁ ଆସି ଦେଖିଦେଲେ ଲାଜ ଲାଗିବ ବୋଲି ।
ହେଲେ ମୁଁ ପୁଣି ଆଙ୍କି ପକଉଥିଲି ।
ଥରେ କଣ ମନ ହେଲା ମୋର ଗୋଟେ ନୂଆ ଡ୍ରେସକୁ ତଳେ ପିଟି ପିଟି ଫଟେଇ ଦେଇଥିଲି ।
କାଳୀ ପୂଜାରେ ଆମ ଘରକୁ ବାଣ ଆସୁନଥିଲା । ମୁଁ ଛୋଟିଆ ଥିଲି, ଫୁଟେଇ ପାରିବିନି । ମାଆ ଫୁଟେଇବାକୁ ପସନ୍ଦ କରନ୍ତିନି । ବାବୁଜୀ ପ୍ରାୟତଃ ବାହାରେ ରହୁଥିଲେ । ଦାଦା ଦିଦି ରାଉରକେଲା । ଅତଏବ ବାଣ ଆଣିବ କିଏ ଆଉ ଫୁଟେଇବ ବା କିଏ ?
ଦାଦା ଦିଦି କିଛି ବର୍ଷ ପରେ ରାଉରକେଲା ରୁ ଫେରିଲେ । ଦିଦି ପଳେଇଲେ ହଷ୍ଟେଲ ଆଉ ଦାଦା ଆମ ଘର ଠାରୁ ତିନି ଗଳି ଛାଡ଼ି ପିଉସୀଙ୍କ ଘରେ ରହିଲେ ।
ଥରେ ଦାଦା କାଳୀ ପୂଜାରେ ଘରକୁ ଆସିଲେ । ସାଙ୍ଗରେ କିଛି ବାଣ ବି ଆଣିଲେ । ସେ ଫୁଟେଇଲେ । ମତେ କହିଲେ -"ଫୁଟେଇବୁ ? ନଉ ନୁ!"
ନା ବାବା, ମତେ ଭାରି ଡର ।
ଦିନେ ଦୁଇ ଦିନ ପରେ ଦାଦା ପୁଣି ପିଇସୀଙ୍କ ଘରକୁ ଚାଲିଗଲେ ।
ମାସେ ଖଣ୍ଡେ ପରେ ହଠାତ ମୁଁ ତାଳ ଫୋଟକାଟିଏ ପାଇଲି । ଦାଦା ବୋଧେ ଫୁଟେଇବାକୁ ଭୁଲି ଯାଇଥିବେ ।
ଆମ ବାରଣ୍ଡା ତଳେ ଗୁଡ଼ାଏ ଅନାବନା ଗଛର ଜଙ୍ଗଲ ଭଳି ହେଇଥାଏ । ମୁଁ ବାରଣ୍ଡାରେ ଫୋଟକା ଧରି ଠିଆ ହେଇ ଭାବିବାକୁ ଲାଗିଲି -"ହଁ ମ, ବାଣ ଫୁଟେଇବା କୋଉ ବଡ଼ କଥା କି ? ଚେଷ୍ଟା କଲେ ମୁଁ ବି ପାରିବି । ଏଇ ପଟୁ ହାଲକା କରି ଧରିବି । ଏଇ ସୁତରେ ନିଆଁ ଲଗେଇବି । ନିଆଁ ଧରି ଗଲା ମାତ୍ରେ ହୁସ କିନା ଏଇମିତି ଫୋପାଡ଼ି ଦେବି ।"
ଭାବୁ ଭାବୁ ମୋର ଏକମାତ୍ର ବାଣଟିକୁ ହୁସ କିନା ସତରେ ଫୋପାଡ଼ି ଦେଲି ସେଇ ଅରମା ଜଙ୍ଗଲ ଭିତରକୁ ।
ଏ ହେ... ଯାଃ!
ଆଉ କେବେ ବି ମୁଁ ବାଣ ଫୁଟେଇ ପାରିନି ।
ମୁଁ ଏବେବି ସେଇମିତି ପାଗଳ । ଏବେବି ବେଳେବେଳେ ଭାବେ, ପିଲାବେଳ ଟା ଫେରି ପାଇଲେ ଜୀବନକୁ ଅଲଗା ଭାବରେ ଗଢ଼ନ୍ତି । ଚେଷ୍ଟା କରେ ପିଲାବେଳର ସେଇ ମନଟାକୁ ଧରି ରଖିବାକୁ । ହେଲେ କଣ ହବ ? ପିଲାବେଳ ଯେ ହାତରୁ ଖସି ଯାଇଛି ସେଇ ତାଳ ଫୋଟକା ଭଳି । ହୁସସ... ।