
(୧୮)
ଝିଅର ପରୀକ୍ଷା ଆରମ୍ଭ ହେଇଛି । ସେ ଭାରି ଚିନ୍ତିତ... କାଳେ ଭୁଲ ହେଇଯିବ! କାଳେ ନମ୍ବର କମ ଆସିବ! ମୁହଁ ଭାରି, ଆଖି ସରୁ, ଭ୍ରୁ କୁଞ୍ଚିତ, ଦାନ୍ତ ଚପା ଓଠ... ଦେଶର ପ୍ରଧାନମନ୍ତ୍ରୀ ବି ଏତେ ସିରିଅସ ଦେଖା ଯାଉନଥିବେ! ତା ଚିନ୍ତା ସାଙ୍ଗରେ ମୋ ଚିନ୍ତା ବି ବଢ଼ୁଥିଲା । କ୍ଲାସ ଫାଇଭ ର ପରୀକ୍ଷା ପାଇଁ ଯଦି ଏ ଝିଅର ଅବସ୍ଥା ଏମିତି ହୁଏ, ତା ହେଲେ ମ୍ୟାଟ୍ରିକ ବେଳେ କଣ ହବ ? ଜୀବନରେ ତ କେତ୍ତେ ପରୀକ୍ଷା ଆସିବ, ଇଏ ସମ୍ଭାଳିବ କେମିତି ?
ମୁଁ ତାକୁ ଶାନ୍ତ କରିବା ପାଇଁ ପ୍ରତିଦିନ ଟିକେ ହନୁମାନ ଚାଳିଶା ପଢ଼ିବାକୁ କହିଲି । ସେ ଗୁଗୁଲ ଖୋଜି ହନୁମାନ ଚାଳିଶା ବାହାର କଲା । ମୁଁ ଗୋଟେ ଭଏସ ଓଭର ପାଇଁ ଘରୁ ବାହାରିଲି ।
ଦୁଇ ଚାରି ଘଣ୍ଟା ପରେ ଘରକୁ ଫେରିଲି । ଝିଅର ଚେହେରା ପୂର୍ବବତ । ବରଂ ଆଉ ଟିକେ ଗମ୍ଭୀର ।
-"କଣ ହେଲା କି ରେ ?"
-"ହନୁମାନ ଚାଳିଶା ପଢ଼ୁଥିଲି । "
-"ଟିକେ ବେଟର ଲାଗିଲା ?"
-"ନା । ପ୍ରାୟ ପଚିଶ ଥର ପଢି ସାରିଲିଣି, ହେଲେ ପୁରା ମନେ ରହୁନି । ଏଇ ଚକ୍କର ରେ ମୁଁ କାଲିର ପରୀକ୍ଷା ପାଇଁ ପାଠ ବି ପଢ଼ି ପାରିନି । ଏଥର ନିଶ୍ଚୟ କମ ନମ୍ବର ପାଇବି । "
କି ମୁସ୍କିଲ! ଏ ମୋ ଝିଅଟି ?
ମୁଁ ତ ଜମା ଏମିତି ନଥିଲି!
ମୁଁ ପିଲାବେଳେ ଖୁବ ଦୁଷ୍ଟ ଥିଲି । ଷଷ୍ଠ ଶ୍ରେଣୀ ଯାଏଁ ପାଠରେ କିଛି ସମସ୍ୟା ନ ଥିଲା । କ୍ଲାସ ରେ ପ୍ରଥମ ହଉଥିଲି । ସପ୍ତମ ଶ୍ରେଣୀ ବେଳେ ଘରୁ ବାହାରି ଗୋଟିଏ ଅଲଗା ସ୍କୁଲରେ ଭର୍ତ୍ତି ହେଲି ଆଉ ହଷ୍ଟେଲରେ ରହିଲି ।
ବର୍ଷେ ପରେ ଯଦିଓ ପୁଣି ଘରକୁ ଫେରିଲି ଓ ସ୍ଥାନୀୟ ହାଇ ସ୍କୁଲରେ ଭର୍ତ୍ତି ହେଲି କିନ୍ତୁ ସେତେବେଳକୁ ମୋ କାୟକଳ୍ପ ହେଇ ସାରିଥିଲା । କେବଳ ଲମ୍ବା ଝିଅ ବୋଲି ନୁହଁ, ପାଠ କ୍ଷେତ୍ରରେ ବି ପଛ ବେଞ୍ଚ ରେ ଜାଗା କରିନେଇଥିଲି । ସବୁ ବିଷୟରେ ମୂର୍ଖ ହେଇ ସାରିଥିଲି ଆଉ ପାଠରେ ଫାଙ୍କି ଦବା ବିଷୟରେ ଦରକାର ଠାରୁ ଅଧିକ ଚାଲାଖ ।
ମନେ ଅଛି ନବମ ଆଉ ଦଶମ ଶ୍ରେଣୀ ପାଇଁ ଆମର ଗୋଟିଏ ହିଁ ବିଜ୍ଞାନ ବହି ଥିଲା ଯାହାର ଅଧା ନବମ ରେ ପଢ଼ା ଯାଉଥିଲା ଏବଂ ବାକି ଅଧକ ଦଶମ ରେ ।
ନବମ ଶ୍ରେଣୀ ପାଠ ରେ ଗୋଟିଏ ବିଷୟ ଥିଲା "ପ୍ରତିଫଳନ ଓ ପ୍ରତିସରଣ", ଇଂରାଜୀ ରେ କହିଲେ "Reflection and refraction" । ମତେ ସେଇ ବିଷୟ ଟି ସହଜ ଲାଗୁଥିଲା । ଅର୍ଥାତ ସେଇ ଗୋଟିଏ ପାଠର ଉତ୍ତର ମତେ ଆସୁଥିଲା ।
ମୋ ବଡ଼ ଭାଇ ବିଜ୍ଞାନ ର ଛାତ୍ର ଥିବାରୁ ମତେ ବିଜ୍ଞାନ ପଢେଇବାର ଦାୟିତ୍ବ ତାଙ୍କର ଥିଲା କିନ୍ତୁ ଆମେ ଗୁରୁ ଚେଲା ଦୁହେଁ ହିଁ ସେ ଦାୟିତ୍ୱ ବିଷୟରେ ଭୁଲି ଯାଉଥିଲୁ ।
କେବଳ ମୁଁ ଅତ୍ୟଧିକ ବଦମାସି କଲେ ଭାଇ ରାଗିକି କହୁଥିଲେ -"ଆଣିଲୁ ତୋ ବିଜ୍ଞାନ ବହି.."
ମୁଁ ବାଧ୍ୟ ହେଇ ବହି ଖାତା ଧରି ବସୁଥିଲି । ଭାଇ ପଚାରୁଥିଲେ-" କୋଉ ବିଷୟ ଟା ବୁଝିପାରୁନୁ ?"
ମୁଁ ଚଟାପଟ ସେଇ ଉପରୋକ୍ତ ବିଷୟ ଟି ଖୋଲି ଧରୁଥିଲି । କାରଣ ବୁଝି ସାରିଥିବା ବିଷୟ ଟି ଆଉ ଥରେ ବୁଝି ନେବାରେ ମୂର୍ଖାମୀ ଧରା ପଡ଼ିବାର ରିସ୍କ କମ ଥାଏ ।
ଭାଇ ଘଣ୍ଟେ ବସି ଧୈର୍ଯ୍ୟର ସହ ପାଣି ଭଳି ବୁଝଉଥିଲେ । ଶେଷରେ ଆସନ୍ତା କାଲି ଏଇ ବିଷୟରେ ପ୍ରଶ୍ନ ପଚାରିବେ ବୋଲି ଧମକ ଦଉଥିଲେ । ଏବଂ ଆଉ ଦୁଇ ଘଣ୍ଟା ପରେ ସବୁ ଭୁଲି ଯାଉଥିଲେ ।
ଆଠ ଦଶ ଦିନ ପରେ ପୁଣି ଯେବେ ବଦମାସି କରୁଥିଲି, ପୁଣି ସେଇ ଏକା ଘଟଣାର ପୁନରାବୃତ୍ତି ଘଟୁଥିଲା ।
ବଡ଼ ଭାଇଙ୍କ ଭୁଲାପଣ ଯୋଗୁଁ ମୁଁ ନବମ ଓ ଦଶମ ଦୁଇ ବର୍ଷ ଯାକ ସେଇ ଗୋଟିଏ ପାଠ ପଢ଼ି ପଢ଼ି ପ୍ରାୟ ପିଏଚଡି ସ୍ତରର ବୁତ୍ପତ୍ତି ହାସଲ କରି ପାରିଥିଲି ।
ଏଥର ଅଙ୍କ କଥା କହିବି ।
ବହିର ଅଙ୍କ ଅପେକ୍ଷା ମୁଁ ବଜାର ସଉଦା ର ହିସାବ ବେଶି ବୁଝୁଥିଲି ( ବହୁତ ବର୍ଷ ଅଭ୍ୟାସ ନ ଥିବାରୁ ଏବେ ତାହା ବି ପାରୁନି) ।
ଅଙ୍କ ବହି କିମ୍ବା ଖାତା ଦୂରରୁ ଦେଖିଲେ ବି ମୋର ଆଲର୍ଜି ହଉଥିଲା... ଜ୍ୱର, ମୁଣ୍ଡ ବିନ୍ଧା, ପେଟ ମୋଡ଼ା, ଇତ୍ୟାଦି ଇତ୍ୟାଦି ଲକ୍ଷଣ ଖୁବ ସ୍ପଷ୍ଟ ଦିଶୁଥିଲା । ଅଷ୍ଟମ ଶ୍ରେଣୀ ବେଳୁ ଏସବୁ ଆରମ୍ଭ ହେଲା ଏବଂ ଅଙ୍କରେ ଫେଲ ହେବା ବି ଏଇ ବେଳୁ ହିଁ ଆରମ୍ଭ ।
ତ୍ରୈମାସିକ ବା ସଣମାସିକ ପରୀକ୍ଷା ରେ ଫେଲ ହଉଥିଲି ଆଉ ବାର୍ଷିକ ପରୀକ୍ଷା ବେଳେ ବୋଧହୁଏ ସାର ଆଉ ଦିଦିମାନେ ଦୟା କରି ପାସ ମାର୍କ ଦେଇ ଦଉଥିଲେ ।
ପ୍ରଥମ ଥର ଫେଲ ବେଳେ ସମସ୍ତେ ଖୁବ ଆଶ୍ଚର୍ଯ୍ୟ ହେଇଯାଇଥିଲେ କିନ୍ତୁ ପରେ ପରେ ସମସ୍ତେ ଏଥିରେ ଅଭ୍ୟସ୍ତ ହେଇଗଲେ ଆଉ ମୁଁ ଅଭ୍ୟସ୍ତ ହେଇଗଲି ସମସ୍ତଙ୍କ ଗାଳି ଆଉ ବର୍ଷ ସାରାର ଖୁଣ୍ଟାରେ ।
ଥରେ କିନ୍ତୁ ବାର୍ଷିକ ପରୀକ୍ଷାରେ ବି ଫେଲ ହେଇଗଲି । ଏମିତିରେ ଅବଶ୍ୟ ମୁଁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଇଥିଲି କିନ୍ତୁ ଅଙ୍କରେ...
ଆମ ବେଳେ ବାର୍ଷିକ ପରୀକ୍ଷାର ରିପୋର୍ଟ କାର୍ଡ ଅବିଭାବକ ଙ୍କ ଦସ୍ତଖତ ସହ ସ୍କୁଲରେ ଫେରେଇବାକୁ ପଡ଼ୁନଥିଲା (ଏବେବି ତ ପଡେନି ବୋଧେ ?) ।
ମୁଁ ଦେଖିଲି ମତେ ଅଙ୍କରେ ଅଣତିରିଶ ମିଳିଛି । ମୋ ମୁଣ୍ଡକୁ ଦୁଷ୍ଟ ବୁଦ୍ଧି ଜୁଟିଲା । ମୁଁ କଲମ ଧରି ଦୁଇ ଟାକୁ ତିନ ବନେଇ ଦେଲି । ଅନ୍ତତଃ ଫେଲ ହବାର ଗାଳିରୁ ତ ମୁକ୍ତି ମିଳିବ! ହେଲେ କେଡ଼େ ଭୁଲ କଲି!! ପୁରା ପାଶୋରି ଗଲି ଯେ ରିପୋର୍ଟ କାର୍ଡରେ ମାର୍କ କେବଳ ସଂଖ୍ୟା ରେ ଲେଖା ଯାଏନି, ପାଖରେ ଶବ୍ଦରେ ବି ଲେଖା ହେଇ ଥାଏ!!! ...
ଉଃ କି ଗାଳି... ପାଠ ଚୋର.. ମୂର୍ଖ.. ତା ସହିତ ଫ୍ରଡ ବି! ମୋ ଯୋଗୁଁ ଆଉ କେହି କାହାକୁ ମୁହଁ ଦେଖେଇ ପାରିବେ ?
ମୁଁ ଅବଶ୍ୟ ସେଇ ମୁହୂର୍ତ୍ତରେ ଚୋରି ପାଇଁ ଦୁଃଖ ନକରି ଚୋରି ଧରା ପଡିଯିବା ହେତୁ ଅଧିକ ଦୁଃଖ କରିଥିଲି ।
ବେଳେ ବେଳେ ଭାବୁଥିଲି କେମିତିକା ପିଲା ସେଇ ଭାଗ୍ୟବତୀମାନେ ଯୋଉମାନେ ମୋ କ୍ଲାସରେ ପ୍ରଥମ ଦଶ ଜଣଙ୍କ ଭିତରେ ରୁହନ୍ତି ?
ଏ କଥା ସତ ଯେ ମୋର ସବୁଠୁ ଭଲ ସାଙ୍ଗ ଶିବାନୀ ବହୁତ ଭଲ ପଢୁଥିଲା ଏବଂ ଖୁବ ଭଲ ମଣିଷ ମଧ୍ୟ । ନିଜ ପାଠ ପାଇଁ ଅହଙ୍କାର ମୁଁ କେବେ ତା ଭିତରେ ଦେଖି ନଥିଲି । ମତେ କେବେ ମୁହୂର୍ତ୍ତକ ପାଇଁ ବି ହୀନମନ୍ୟତା ଶିକାର ହବାକୁ ଦଉନଥିଲା ।
କିନ୍ତୁ ସମସ୍ତେ ତ ଶିବାନୀ ନଥିଲେ..
ଥରେ ରେଜଲ୍ଟ ହାତକୁ ଆସିଲା ପରେ ହଠାତ ପ୍ରଥମ ବେଞ୍ଚରେ ବସୁଥିବା, ମୋ ସହିତ କେବେ କଥା ନ ହଉଥିବା ସାଙ୍ଗଟିଏ ମତେ ପୁରା କ୍ଲାସ ସାମ୍ନାରେ ପଚାରିଲା -"ଭାସ୍ବତୀ, ତୁ ଅଙ୍କରେ କେତେ ପାଇଛୁ ?"
ମୁଁ ତ ସଦାବେଳେ ନିର୍ଲଜ୍ଜ । ବଡ଼ ପାଟିରେ କହିଲି -" ବତ୍ତିସ । ଆଉ ତୁ ?"
ସେ ଟିକେ ଆଖି ବୁଲେଇଲା -" ମୋର ଏଥର ଭଲ ହେଇନି । "
-"ତଥାପି କହୁନୁ.."
ସେ ଏଥର ଭିଡିମୋଡ଼ି ହେଲା । ତାପରେ କହିଲା
-"ଉଣେଇଶ"
ମୋ ଛାତି ଦାଉଁ କିନା ପଡ଼ିଲା । କଣ ଶୁଣୁଛି ମୁଁ! ମୋ ନିଜ ଦୁଃଖ ଉଭେଇ ଗଲା । ସେ ଆଜି ଘରକୁ ଯାଇ କଣ କହିବ ?
ସେ କିନ୍ତୁ ନିର୍ବିକାର ଥିଲା । ମୋ ଢିମା ଢିମା ଆଖି ଆଉ ମେଲା ହେଇଯାଇଥିବା ପାଟିକୁ ଅନେଇ ଟିକେ ମୁରୁକି ହସି କହିଲା -"ଓଲଟେଇ ଦେ । "
-"ହେଁ ?"
-"ଉଣେଇଶ କୁ ଓଲଟେଇ ଦେ । "
ସେ ଚାଲିଗଲା ହେଲେ ମତେ ପକ୍କା ତିନି ମିନିଟ ଲାଗିଲା ଉଣେଇଶ କୁ ଓଲଟେଇ ଏକାନବେ କରିବାକୁ ।
ମ୍ୟାଟ୍ରିକ ପରୀକ୍ଷା ବେଳକୁ ମୋ ରକ୍ଷା କର୍ତ୍ତା ହେଇ ଆଗେଇ ଆସିଲା ଟାଇଫଏଡ । ଠିକ ପରୀକ୍ଷା ପୂର୍ବରୁ ମତେ ହେଲା ଭୀଷଣ ଜ୍ୱର । ପରୀକ୍ଷା ବେଳକୁ ଜ୍ୱର ଛାଡ଼ିଥାଏ କିନ୍ତୁ ଦେହ ନିହାତି ଦୁର୍ବଳ । ପନ୍ଦର ମିନିଟ ବି ସିଧା ବସି ପାରୁନଥାଏ । ଘରେ କହିଲେ -"ଏବେ ପରୀକ୍ଷା ନଦେଇ ସପ୍ଲିମେଣ୍ଟାରୀ ଦେ । " ହେଲେ ମୁଁ ମୋ ନିଜକୁ ବେଶ ଭଲରେ ଜାଣେ । ଏବେ ପରୀକ୍ଷା ଦେଲେ ଯାହା ରେଜଲ୍ଟ ହବ, ସପ୍ଲିମେଣ୍ଟାରୀ ରେ ସେଥିରୁ କୋଉ ଭଲ ଟା ହେଇଯିବ ଯେ ? ବରଂ ଏଥର କମ ମାର୍କରେ ପାସ କଲେ ବି ଘର ଲୋକଙ୍କ ସହାନୁଭୂତି ଭୋଟ ଟା ମିଳିଯିବ ।
ଜୋର କରି ପରୀକ୍ଷାରେ ବସିଲି । ଢୋଳେଇ ଢୋଳେଇ ପରୀକ୍ଷା ଦେଲି ଆଉ ରେଜଲ୍ଟ ଯେବେ ଆସିଲା ସେତେବେଳେ ଭାରି ଆଶ୍ଚର୍ଯ୍ୟ ହେଇ ଦେଖିଲି ଯେ ପାସ ହେଇଯାଇଛି!
ମାର୍କ ? ଅଠଚାଳିଶ ପରସେଣ୍ଟ ।
ସେଇ ମୁଁ, ଦିନେ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିଲି ଆଉ ଖୋଜି ପାଇଲି ମୋ ପ୍ରିୟ ପାଠ, ନାଟକ । ହଜିଗଲି ନାଟକର ଗଳିରେ, ରାଜରାସ୍ତାରେ । ପାଠ ପଢ଼ିବା ପାଇଁ ଘୁରି ବୁଲିଲି ସାରମାନଙ୍କ ଠାରୁ ଆରମ୍ଭ କରି ସିନିଅର ଭାଇମାନଙ୍କ ଦୁଆର ପର୍ଯ୍ୟନ୍ତ ।
ସ୍ନାତକୋତ୍ତର ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି ।
ଏବେ ସମସ୍ତେ ମତେ ଅଭିନେତ୍ରୀ, ଶିକ୍ଷୟତ୍ରୀ, କବି ଭାବରେ ଜାଣନ୍ତି । ବିଭିନ୍ନ ସଭାକୁ ଡାକନ୍ତି ସମ୍ମାନିତ କରିବା ପାଇଁ, ଭାଷଣ ଦବା ପାଇଁ ।
କେହି ଜାଣନ୍ତିନି ମୋ ମ୍ୟାଟ୍ରିକ ର ରେଜଲ୍ଟ । ଜାଣିବାକୁ ଚାହାଁନ୍ତିନି ।
କିନ୍ତୁ ମୁଁ କହେ ।
ମୁଁ ମୋ ଝିଅକୁ କହେ, ମୋ ସାଙ୍ଗମାନଙ୍କୁ କହେ । ଏଥିପାଇଁ ନୁହେଁ ଯେ ସେ ସମୟକୁ ନେଇ ମୁଁ ଖୁବ ଗର୍ବିତ ବା ସବୁ ପିଲା ମୋ ଭଳି ହବା ଉଚିତ...
ବରଂ ଏଥିପାଇଁ କହେ କାରଣ ମୁଁ ଚାହେଁ ପ୍ରତିଟି ପିଲା ନିଜ ହୀନମନ୍ୟତା ରୁ ବାହାରି ଆସନ୍ତୁ । ଅବିଭାବକ ନିଜ ପିଲାଙ୍କ ସମସ୍ୟା ବୁଝନ୍ତୁ । ମୋ ଅବସ୍ଥା ବୁଝିବା ପାଇଁ, ମତେ ବୁଝିବା ପାଇଁ ସେତେବେଳେ କେହି ନଥିଲେ । ହେଲେ ମୋ ଝିଅକୁ ବୁଝିବା ପାଇଁ, ତାକୁ ସାହାଯ୍ୟ କରିବା ପାଇଁ ମୁଁ ଯେମିତି ପଛେଇ ନଯାଏ ।