ଜୀବନ କଥା: ବାଟ ଅବାଟ - ୧

ଏଇଟା ଜୀବନ କଥା । ବିଶିଷ୍ଟ ଅଭିନେତ୍ରୀ ଓ କବି ଭାସ୍ଵତୀ ବସୁଙ୍କ ଜୀବନ କଥା । ସହଜରେ, ସରଳ ଭାବରେ ଓ କୌଣସି ଚାତୁରୀ ନ ରଖି, ସେ ନିଜ କଥା ଲେଖୁଛନ୍ତି । ଏ ଏକ ଚମତ୍କାର ଓ ଚମକପ୍ରଦ ଜୀବନାନୁଭୂତି ।


ଫଟୋ - ଭାସ୍ଵତୀ ବସୁ

(୧)

ଚାଲିବାକୁ କେବେ ଆରମ୍ଭ କଲି, ମନେ ନାହିଁ । ମନେ ଥିବା କଥା ବି ତ ନୁହଁ, ହେଲେ ଯେବେ ସ୍ମୃତି ଉଜାଗର ହୁଏ, ମନେ ପଡ଼େ ମୋ ସାମନାରେ ପଡ଼ିଥିଲା ଗୋଟେ ଲମ୍ବା ପିଚୁ ରାସ୍ତା। ଖୁବ ଦୁଷ୍ଟ ଥିଲି । ସାରା ବାପୁଜୀ ନଗର ମାପି ପକଉଥିଲି ମୋ କୁନି କୁନି ପାଦରେ। ଚପଲ ମୋ ପାଦରେ ରହୁନଥିଲା, ମୋ ଆଗେ ଆଗେ ଚାଲୁଥିଲା । ରେସ ଲାଗୁଥିଲା ଯେ କିଏ ଜିତିବ, ମୁଁ ନା ଚପଲ । ଘରେ ପାଦ ତିଷ୍ଠୁ ନଥିଲା । ମା ଖରାବେଳେ କବାଟ କିଳି ଘରେ ବନ୍ଦ ରଖୁଥିଲେ ଆଉ ମୁଁ ଚେଆର ଉପରେ ଚଢ଼ି ଆସ୍ତେ ଫିଟାଉଥିଲି ଛିଟିକିଣି, ଡେଣା ମେଲେଇ ଉଡ଼ିଯାଉଥିଲି.. ଫୁରରର..

ଜାମା ଗୋଟେ ପିନ୍ଧୁଥିଲି ଯାହାର ବୋତାମ ସବୁ ଅଦୃଶ୍ୟ ହେଇଯାଉଥିଲା ଛାଏଁ ଛାଏଁ । ଅନିଚ୍ଛୁକ ସେଫଟିପିନ ବିଚରା ବଡ଼ କଷ୍ଟରେ ଦାନ୍ତରେ କାମୁଡ଼ି ଧରି ରଖୁଥିଲା ଦୁଇ ପ୍ରାନ୍ତ । କେତେ ଯେ ପଡ଼ୁଥିଲି.. ଏବେ ବି ମୋ ଗୋଡ଼ ସାରା ଯୁଦ୍ଧ ଫେରନ୍ତା ସୈନିକର ଦେହ ଭଳି ପୁରୁଣା କ୍ଷତ ମାନଙ୍କର ଚିହ୍ନ ସ୍ପଷ୍ଟ ଦେଖା ଯାଏ ଯାହା ମୋ ବୀରତ୍ୱର ଗାଥା ଶୁଣାଏ ।

ଆଖ ପାଖର କୋଉ ପିଲା ସାଙ୍ଗରେ ମାରପିଟ ନ ହେଇଛି ଯେ ? ଫିନ ଫିନ ଚେହେରାରେ ବାଡ଼ଉଥିଲି ଯେତେ ମାଡ଼ ଖାଉଥିଲି ଢେର ବେଶୀ । ହେଲେ ଘଟଣା ଦୁର୍ଘଟଣା ସବୁ ପ୍ରାୟତଃ ଘର ଯାଏଁ ପହଂଚୁନଥିଲା । ଖୁବ ଏକା ଥିଲି । ନା ଏବେକାର ପିଲାଙ୍କ ଭଳି ଏକମାତ୍ର ସନ୍ତାନ ନଥିଲି, ତଥାପି ଖୁବ ଏକା ଥିଲି । ଶାରୀରିକ ଭାବରେ, ମାନସିକ ସ୍ତରରେ । ସାଙ୍ଗ ନଥିଲେ। ସାଙ୍ଗ ଖୋଜିନି। ଖୋଜିଲେ ବି ପାଇନି । ମାଆ ଥିଲେ, ମାଆଙ୍କ ଗପ ଥିଲା, ଥିଲା ବହୁତ ବହି, ତଥାପି ଏକା ।

କାହିଁକି ଏକା ? ସେ କଥା ପରେ କେବେ ।

(୨)

ଖୁବ ଦୁଷ୍ଟ ଥିଲି । କହୁଥିଲି ନା ? ବୋତାମ ଛିଣ୍ଡା ଜାମା ଆଉ ରବର ଚପଲରେ ଜୟ କରୁଥିଲି ମୋ ରାଜ୍ୟ । ବାପୁଜୀ ନଗର । ରାଜମହଲ ଛକରୁ ମାଉସୀ ମା ମନ୍ଦିର ପଟ ଲେଭେଲ କ୍ରସିଂ (ଏବେ ଫ୍ଲାଇ ଓଭର) ଯାଏଁ ବିସ୍ତୃତ ମୋ ରାଜ୍ୟ । ପିନ ପିନ ଦୌଡ଼ୁଥିଲି । କେହି ଯଦି ସାଇକେଲ ରେ ଯାଆନ୍ତି, ତାଙ୍କ ସହ ରେସ ଲଗେଇବା ଥୁଆ । ମୁଁ ଜିତୁଥିଲି କି ସେମାନେ ଛୋଟିଆ ଝିଅଟି ପାଖରୁ ଇଚ୍ଛା କରି ହାରିଯାଉଥିଲେ କେଜାଣି, ମୁଁ କିନ୍ତୁ ପ୍ରାୟ ସବୁବେଳେ ବିଜୟୀର ମୁକୁଟ ପିନ୍ଧୁଥିଲି ।

ବର୍ଷା ହେଲେ ପାଣି ଜମୁଥିଲା ରାସ୍ତାରେ । ନା ଡ୍ରେନ ପାଣି ନୁହଁ। ରାସ୍ତାର କାଦୁଅରେ ଲାଲ । ମୁଁ ସେଥିରେ କରୁଥିଲି ଖୁଉବ ପଚର ପଚର ।

ଖପରା ପକେଇ କିତ କିତ ଖେଳିବାରେ କି ମଜା । ସ୍କୁଲ ଯାଇଥିଲି ଟିକେ ଡେରିରେ । ଦ୍ଵିତୀୟ ଶ୍ରେଣୀରୁ । ଘର ଠୁ ବେଶ ଦୂର, ବିଜେବି କଲେଜ ପାଖରେ । ଏତେ ଦୂରରେ କାହିଁକି ? କେଜାଣି । ପ୍ରାୟ ଥଣ୍ଡା ହଉଥିଲା, ସ୍କୁଲ ବନ୍ଦ ହଉଥିଲା, ନାକ ବୋହୁଥିଲା । ଆଉ ଅଦିନିଆ ଛୁଟିର ମଜା ଯିଏ ପାଇଛି ସିଏ ଜାଣିଛି । ଖୁବ ମଜା ଥିଲା ପିଲାଦିନ। କଷ୍ଟ ନଥିଲା ? ଥିଲା । ଭୟଙ୍କର କଷ୍ଟ ଥିଲା । ଅପମାନ ଥିଲା । ଥିଲା ଭୟ, ବିପଦ । ଅରକ୍ଷିତ ର ବିପଦ। ମୁଁ କିନ୍ତୁ ବେଶ ନିର୍ଭୟ ଥିଲି । ସାରା ବାପୁଜୀ ନଗର ମୋ ଭାଇ, ମାଉସୀ, ଦାଦା, ମାମୁଁ। ତାଙ୍କୁ କଣ ଡାକୁଥିଲି ? ମାମୁଁ ? ହଁ ମାମୁଁ ବୋଧହୁଏ । ଏକୁଟିଆ ରହୁଥିଲେ । ଦୁଆର ସବୁବେଳେ ଖୋଲା ରହୁଥିଲା । ଘର ଭିତରକୁ ମୋର ଥିଲା ଅବାଧ ଗତି। କାହା ଘରେ ପଶୁନଥିଲି ଯେ ? ଓଲେଇ ବିଲେଇ ତ । ତାଙ୍କ ଘରେ କିନ୍ତୁ ଏ ବିଲେଇ ପାଇଁ ଥୁଆ ଯାଉଥିଲା ପୁଳାଏ ଚକଲେଟ, ଲଜେନ୍ସ ଆଉ ବହୁତ ଗେଲ। ମତେ କୋଳେଇ ନେଇ ସେ ଶୁଣଉଥିଲେ ସିନ୍ଦବାଦର ଗପ । ମୁଁ ଥିଲି ତାଙ୍କର ଭାରି ଗେହ୍ଲା । ହେଲେ ସେଦିନ ସେ ଗେଲର ରୂପ ବଦଳି ଗଲା ।

ମୋ ବୋହୁଥିବା ନାକ ଆଉ ବୋତାମ ଛିଣ୍ଡା ଜାମା ଖରାବେଳେ ତାଙ୍କ ଘରେ ପଶିଲା କ୍ଷଣି ହଠାତ ବନ୍ଦ ହେଇଗଲା ସବୁଦିନିଆ ଠିଆ ମେଲା ଦୁଆର। ଜୋର କରି ଫୋପଡ଼ା ହେଲି ତାଙ୍କ ବିଛଣାରେ । ମୁଁ ଭାବିପାରିଲିନି ଯେ ସେ ମତେ ବାଡଉଛନ୍ତି କାହିଁକି ? କାନ୍ଦିବା ଆଗରୁ ତାଙ୍କ ହାତ ବନ୍ଦ କଲା ମୋ ପାଟି । ସାତ ବର୍ଷର ଟିକି ଦେହ ଉପରେ ବୟସ୍କ ଶରୀରର ଅସହ୍ୟ ଚାପ । ବୋଧହୁଏ ଚେତା ହରେଇଲି ।

ଆଖି ଯେବେ ଖୋଲିଲି ଦୁଆର ମେଲା । ଠିକ ଆଗ ପରି । ଘର ଫାଙ୍କା । ଦେହ ହାତ ବ୍ୟଥା କିନ୍ତୁ ଅକ୍ଷତ । ନା ସମ୍ପୂର୍ଣ୍ଣ ଅକ୍ଷତ ନୁହଁ, ମୋ ଶୀର୍ଣ୍ଣ ବାହୁରେ ଗୋଟିଏ ଗଭୀର କ୍ଷତ । ବୋଧହୁଏ ଦାନ୍ତର (ଅସ୍ପଷ୍ଟ ସେ ଦାଗ ଏବେବି ଅଛି) । କିଛି ବି ବୁଝିଲିନି । କିଛି ବି ଜାଣିଲିନି। କିନ୍ତୁ କାହିଁକି କେଜାଣି କାହାକୁ କିଛି କହିଲିନି ବି । ସେତେବେଳେ ବୁଝି ନଥିଲି କିନ୍ତୁ ଘଟଣାର ଅସ୍ୱାଭାବିକତା ମତେ ତାକୁ ଭୁଲିବାକୁ ଦେଲାନି । ବଡ଼ ହଉ ହଉ ବୁଝିପାରିଲି । ହେଲେ ଗୋଟେ କଥା ବୁଝିଲିନି, ମତେ ସେଦିନ କିଏ ବଞ୍ଚେଇଲା ? ବନ୍ଦ କବାଟ ସେପାଖର କୌଣସି ଶବ୍ଦ ? କାହାରି ଡାକ ? ତାଙ୍କ ଭୟ ନା ତାଙ୍କ ବିବେକ ? ଶାରୀରିକ କ୍ଷତିରୁ ବଞ୍ଚିଗଲି । ମୁଁ ଏବେ ବେଶ ସ୍ୱାଭାବିକ । ପରିପୂର୍ଣ୍ଣ ଜୀବନ ମୋର । କାହାକୁ ଡରେନା । କିନ୍ତୁ ମୋ ଝିଅକୁ ଏକୁଟିଆ ବାହାରକୁ ଛାଡ଼େନା । ଯିଏ ବି ମୋ ଝିଅକୁ କୋଳରେ ବସାଏ, ତାକୁ ମୁଁ ବିଶ୍ୱାସ କରେନା ।

କ୍ରମଶଃ