ପାଶୋରା ନଈର ଡାକ

ନଈ ଓ ପ୍ରେମର ଏ ଏକତାଳୀୟ ଗତି, ପ୍ରେମ ଓ ପ୍ରବାହର ଏକ ସୁନ୍ଦର ସହଯାତ୍ରା ।


ଫଟୋ - କେଦାର ମିଶ୍ର

ଜାଣିଛୁ ସରିତା !!
ମୋ ପାଇଁ ସବୁଦିନ ଅବୁଝା ରହିଲା
କେବେ ଡାକରେ ପଡିନଥିବା
ହାତଲେଖା ଚିଠିର ଭାଗ୍ୟ,
ସପନ ସାଉଁଟୁ ସାଉଁଟୁ
ଆଖି ପଲକରେ ସରି ଯାଇଥିବା
ଏ ନିରୀହ ବୟସ
ଓ କୁଆଁରୀ ନଈକୁ ମୁହଁମୋଡି ଦେଇ
ମରୁଭୂମି ଛାତି ଉହାଡରେ
ପାଣି ଟୋପେ ଖୋଜିବାର
ଏକ ନିଷ୍ଫଳ ପ୍ରୟାସ !!

ଜୀବନ ଏକ ସଫା କାଗଜ ବୋଲି
କଣ କେବେ ଆଂକିପାରିଲି କି
ଥରକରେ କେଉଁ ନିଖୁଣ ଚିତ୍ର ?
ଯାହା ଖାଲି ପ୍ରବୀଣ ହେବାର ନିଶାରେ
ଚିରକାଳ ଆକ୍ତାମାକ୍ତା
ଏହି କୀଟଦ୍ରଂଷ୍ଟ ମନ
ଚିରକାଳ ଝାପ୍ସା ଏଠି ମାତାଲ୍ ଜହ୍ନ
ଦିଗନ୍ତ ବି ପ୍ରହେଳିକା ବୋଲି ବୁଝୁବୁଝୁ
ଲିଭିଯାଏ ସବୁଥର ଏ ରକ୍ତିମ ଆକାଶ ।

ସମୟ ବି ନଈ ପରି ଏକମୁହାଁ...ସରିତା !
ଫରୁଆରେ ସାଇତି ରଖିଲେ
ସ୍ମୃତି କଣ ହେଇପାରେ ସଜଫୁଲ ?
ବରଂ ତା' ଦଂଶନରେ
ବିଷ ରତରତ ବର୍ତ୍ତମାନ ଦେଖୁଥାଏ
ଜିଭକାଢି ହସୁଥିବା
ଅସଜଡା ଅତୀତର ମୁହଁ
ଓ ଶୁଣିପାରେ ଭୁଲି ବି ଭୁଲି ପାରି ନ ଥିବା
ପାଶୋରା ନଈର ଡାକ ।

ସେ ଡାକକୁ ଏଡେଇଯିବା ସହଜ ନୁହେଁ ସରିତା,
କେବଳ ପ୍ରେମରୁ ପଥର
ନଈରୁ ନିଆଁ ପାଲଟିଥିବା
ହୃଦୟ ପାଇଁ ଏ ସମ୍ଭବ ।