ଫଟୋ - ଅଙ୍କନ ମିତ୍ର, ଫଟୋଗ୍ରାଫର - ଏମ. ରାଜେନ୍ଦ୍ରନ

ପିଲାବେଳେ କାଗଜ ଭଙ୍ଗାର ମଜା ବହିରୁ ଦେଖି ଘର, ଉଡ଼ାଜାହାଜ, ଡଙ୍ଗା ଠୁ ଆରମ୍ଭ କରି ଏ, ବି, ସି, ଡି ଆଦି ଇଂରାଜୀ ଅକ୍ଷର ସବୁ ତିଆରି କରିପକାଉଥିଲି । ଭାରି ମଜା ଲାଗୁଥିଲା । ଖବରକାଗଜ, ପୁରୁଣା ଖାତା ବାଦେ ନୂଆ ଖାତାକୁ ବି ବାଦ୍ ଦେଉନଥିଲି ନୂଆ ଜିନିଷଟେ କରିବାର ଥିଲେ । ସେ ଆଗ୍ରହ, ଅଭ୍ୟାସ, ଅନ୍ୱେଷା ଉପରେ କେଇ ପରସ୍ତ ପଡ଼ିଯାଇଥିଲା କିଛି ବର୍ଷ ହେଲା । ସ୍ଥପତି ଓ ଶିଳ୍ପୀ ଅଙ୍କନ ମିତ୍ରଙ୍କ ସହ ଭେଟ ହେବା ପରେ ସେସବୁ ପୁଣି ସତେଜ ହୋଇଗଲେ । ଆମେ ସବୁ କାଗଜ ଭଙ୍ଗା କହିଲେ ବର୍ଷାଦିନେ ପାଣି ସୁଅରେ ଭସାଉଥିବା କାଗଜ ଡଙ୍ଗାକୁ ହିଁ ବୁଝୁ । ବେଶୀ କିଛି ନହେଲେ ନାହିଁ ଆମେ ସମସ୍ତେ କିନ୍ତୁ ଓରିଗାମିର ସବୁଠୁ ସରଳ କାମ କାଗଜ ଡଙ୍ଗା ତିଆରିର କଳା କୌଶଳ ନିଶ୍ଚୟ ପିଲାଦିନେ ଶିଖିଛେ । କେହି କେହି ଅନ୍ୟ କେତେ ପ୍ରକାରର କାଗଜ ଭଙ୍ଗା ଅବଶ୍ୟ ଶିଖିଥା’ନ୍ତି । କିନ୍ତୁ କାଗଜ ଭଙ୍ଗାକୁ ନେଇ ଏତେ ବଡ଼ ଓ ଏତେ କିଟିମିଟିଆ ଡିଜାଇନ୍ ଇନଷ୍ଟଲେସନ୍ ସବୁ କରାଯାଇପାରୁଛି ନ ଦେଖିଲେ ବୁଝା ପଡ଼ିବନି । ବିଶ୍ୱର ଅନ୍ୟ ପ୍ରାନ୍ତରର ସମସାମୟିକ ଚିତ୍ରକଳା ରାଜ୍ୟରେ ଅନେକ ଶିଳ୍ପୀ ଏଥିରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି । କିନ୍ତୁ ଭାରତୀୟ କଳା ଜଗତରେ ଏହାର ଆଦର ଏତେଟା ଦେଖିବାକୁ ମିଳିନଥିଲା । 

ଦିଲ୍ଲୀ ନିବାସୀ ଅଙ୍କନ ମିତ୍ରଙ୍କ ଜନ୍ମ ୬ ଏପ୍ରିଲ୍ ୧୯୮୨ରେ । ଭିଟାମାଟି କଲିକତା, କିନ୍ତୁ ବେଶ୍ କେଇ ପୁରୁଷ ହେଲାଣି ଆସି ରହୁଛନ୍ତି ଦିଲ୍ଲୀରେ । ଭାରତର ରାଜଧାନୀ ୧୨ ଡିସେମ୍ବର ୧୯୧୧ ମସିହାରେ ଯେତେବେଳେ କଲିକତାରୁ ଦିଲ୍ଲୀକୁ ଚାଲି ଆସିଲା ସେଇ ସମୟରେ ସରକାରୀ ପ୍ରେସ୍‌ରେ କାମ କରୁଥିବା ତାଙ୍କ ଜେଜେବାପାଙ୍କର ବାପା ବି ଦିଲ୍ଲୀ ଚାଲିଆସିଥିଲେ । ସେବେଠୁ ସମସ୍ତେ ଦିଲ୍ଲୀରେ । ଅଙ୍କନଙ୍କର ଜନ୍ମ, ପିଲାଦିନ, ପାଠପଢ଼ା ସବୁ ସେଇ ଦିଲ୍ଲୀରେ । ସ୍କୁଲ୍ ଅଫ୍ ପ୍ଲାନିଂ ଓ ଆର୍କିଟେକଚର୍, ନୂଆଦିଲ୍ଲୀରୁ ଆର୍କିଟେକ୍‌ଚର୍‌ରେ ସ୍ନାତକ କରିବା ପରେ ସେ ଚାଲିଯାଇଥିଲେ ଦ ବାର୍ଟଲେଟ୍, ୟୁନିଭର୍ସିଟି କଲେଜ ଲଣ୍ଡନ ସ୍ନାତକୋତ୍ତର କରିବା ପାଇଁ । ସେଇଠି ହିଁ ଗୋଟିଏ ସାଧାରଣ ଘଟଣାରୁ କାଗଜ ଭାଙ୍ଗ ପ୍ରତି ତାଙ୍କର ଏ ଅଦ୍ଭୁତ ଆକର୍ଷଣ, ପ୍ରେରଣା ଓ ନୂତନ ଆବିଷ୍କାର ।

୨୦୦୮ ମସିହା କଥା । ସକାଳ ସମୟ । ସାଉଥ୍ - ୱେଷ୍ଟ ଲଣ୍ଡନର କିଉ ଗାର୍ଡେନରେ ବୁଲୁଥାଆନ୍ତି ଶିଳ୍ପୀ ଅଙ୍କନ । ଦେଖୁଥାଆନ୍ତି ସିକାମୋରେ ଗଛର ପତ୍ରକୁ ନିରିଖେଇ । ପତ୍ର ତ ନୁହେଁ ଫୁଲ କଢ଼ି ପରି କିଛି ଗୋଟେ ବୁଜି ହୋଇ ରହିଥାଏ । ଧୀରେଧୀରେ ଭାଙ୍ଗ ସବୁ ଖୋଲି ଖୋଲି ହୋଇ ଗଲେ ଯାଇ ଜଣାପଡେ଼ ସେଇଟା ପତ୍ର ବୋଲି । ହଠାତ୍ ବଗିଚାର ଅପରିଚିତ ମାଳୀ ଜଣେ ଆସି ଅଙ୍କନଙ୍କୁ କହିଲେ ଶୀତ ଦେଶରେ କେମିତି ଅନେକ ଗଛର ପତ୍ର ଏମିତି ଭାଙ୍ଗ ଭାଙ୍ଗ ହୋଇ ଛୋଟ ହୋଇ ରହିଥାଆନ୍ତି । ସେ ଆହୁରି ବି ବୁଝାଇଲେ କେମିତି ଭାଙ୍ଗ ଗୁଡ଼ିକ ଖୋଲିଗଲେ ପତ୍ରଟି ବଡ଼ ହୋଇଯାଏ । ଅଚିହ୍ନା ଲୋକଟିର କଥାକୁ ବେଶୀ ଗୁରୁତ୍ୱ ଦେଇନଥିଲେ ସେଦିନ ସେଇ ସମୟରେ ଶିଳ୍ପୀ । କିନ୍ତୁ ରାତିରେ ଶୋଇବା ପରେ କଥାଟି ପୁଣି ମୁଣ୍ଡ ଭିତରକୁ ଫେରି ଆସିଲା । ଶିଳ୍ପୀ ଭାବିଲେ ଅଚିହ୍ନା ଲୋକ ଜଣେ ପବ୍ଲିକ୍ ଜାଗାରେ ହଠାତ୍ ଏମିତି ଆସି କଥା ହେବା, କିଛି ପଚାରିବା ଆଗରୁ ବୁଝେଇବା ସତରେ ଅପ୍ରତ୍ୟାଶିତ ନିଶ୍ଚୟ । ତେବେ ଏପରି ଘଟିଲା କେମିତି ଓ କାହିଁକି ? ଏମିତି କିଛି ବିଶେଷ କାରଣ କି ସଂଯୋଗ ରହିଛି କି ? ମନେ ପଡ଼ିଲା ବଡ଼ ଆକାରର ପତ୍ର ଛୋଟ ହୋଇ ରହିପାରିବାର କଥା । ଅଙ୍କନ ଭାବିଲେ କାଗଜକୁ ନେଇ ବି ତ ଏମିତି କିଛି କରିହୁଅନ୍ତା ! ଏକଥା ବି ବୁଝି ପାରିଲେ ଯେ କାହିଁରେ କେତେ ଫୋଲ୍ଡିଂ ବା ଭାଙ୍ଗ କେମିତି ଘେରି ରହିଛି ଆମ ଚାରିପାଖରେ । ପ୍ରକୃତି ଭିତରେ କେମିତି ନିଖୁଣ ଭାବେ ମିଶି ରହିଛି ପ୍ରକାର ପ୍ରକାରର ଫୋଲଡିଂ ସବୁ । ସବୁକିଛି ଆମ ଆଖି ସାମ୍ନାରେ ରହିଛି । କେବଳ ଦେଖିବାର ବାଗ ବଦଳାଇଲେ ସେ ସବୁ ସହଜରେ ଆଖିରେ ପଡିଯିବ । ଏଥର ଅଙ୍କନଙ୍କର ମନେପଡ଼ିଲା ପିଲାଦିନେ କରୁଥିବା କାଗଜ ଡଙ୍ଗା ଆଉ ଚଢେ଼ଇମାନଙ୍କ କଥା । ସେସବୁ ଆଉ ଖାଲି ପିଲାଖେଳ ହୋଇ ରହିଲେନି ତାଙ୍କ ଆଖିରେ, ସେମାନେ ମନ ଆକାଶରେ ବିଭିନ୍ନ ବିଶାଳକାୟ ଜ୍ୟାମିତିକ ଆକାର, ଚିତ୍ର, ସ୍ଥାପତ୍ୟର ରୂପ ନେଇ ଉଭା ହେଲେ । ସେଇ ପରଠୁ ଲ୍ୟାଣ୍ଡସ୍କେପ୍ ଡିଜାଇନ୍ ସହ ଯୋଡ଼ା ହେଲା କାଗଜ ଭାଙ୍ଗର ବଡ଼ ବଡ଼ ଭାସ୍କର୍ଯ୍ୟ । କାଗଜ ଭଙ୍ଗାକୁ କୁହାଯାଏ ଓରିଗାମି । ସେ ସେଇ ଓରିଗାମିରୁ ‘ଓରି’ ଓ ଆର୍କିଟେକ୍ଚରୁ ‘ଟେକ୍ଚର’ ନେଇ ତିଆରି କଲେ ତାଙ୍କ ବ୍ରେନ୍ ଚାଇଲ୍ଟ “ଓରିଟେକ୍ଚର୍” ।

ଆର୍କିଟେକ୍ଚର ଫାର୍ମରେ ବରାଦି କାମ କରିବା ସାଙ୍ଗରେ ଅଙ୍କନ ନିଜର ପେପର ଫୋଲ୍ଡିଂ କାମ ମଧ୍ୟ କରୁଥିଲେ । କିଛି କିଛି ପଇସା ସଞ୍ଚୟ ବି କରୁଥିଲେ ନିଜର ପ୍ରଥମ ଏକକ ପ୍ରଦର୍ଶନୀର ଆୟୋଜନ ନିଜେ କରିବା ପାଇଁ । ଇଣ୍ଡିଆ ହାବିଟାଟ୍ ସେଣ୍ଟରର ଭିଜୁଆଲ ଆର୍ଟ ଗ୍ୟାଲେରୀରେ ଏକକ ପ୍ରଦର୍ଶନୀ ପାଇଁ ଆବେଦନ କରି ଦୁଇ ଦୁଇ ଥର ଅସଫଳ ହୋଇ ବି ନିଜ ଜିଦ୍ ରୁ ହଟିନଥିଲେ ସେ । ପୁର୍ନବାର ଆବେଦନ କରିଥିଲେ । ଶେଷରେ ତାଙ୍କୁ ତାରିଖ ମିଳିଲା ଓ ପ୍ରଦର୍ଶନୀକୁ ଅନେକ ଲୋକ ଦେଖିବାକୁ ଆସିଲେ । ଅଙ୍କନ ତାଙ୍କ କାମରେ କୌଣସି ଚିହ୍ନାଜଣା ବସ୍ତୁକୁ ଆଦୌ ତିଆରି କରିନଥିଲେ । ବରଂ କିଛି ଜ୍ୟାମିତିକ ଓ ଅମୂର୍ତ୍ତ ରୂପ ତିଆରି କରିଥିଲେ କାଗଜକୁ ଭାଙ୍ଗି ।  ରଙ୍ଗ ପ୍ରତି ଆକର୍ଷଣ ପାଇଁ ଅନେକ ରଙ୍ଗୀନ୍ କାଗଜ ବ୍ୟବହାର କରିଥିଲେ । ଏଇଠି ଅଙ୍କନ ବିଭିନ୍ନ ଲୋକଙ୍କ ପାଖରୁ ବିଭିନ୍ନ ମତ ଶୁଣିଲେ । ନିଜର କାମକୁ ଏଯାଏଁ ସର୍ବଶ୍ରେଷ୍ଠ ଭାବିଥିବା ଶିଳ୍ପୀ ଏଥର ଜାଣିଲେ କ’ଣ କ’ଣ ଅସୁବିଧା ରହିଛି ଆପଣା କାମରେ । ତାପରେ ଅଧିକ ସିରିଅସ୍ ଭାବରେ ପରୀକ୍ଷା ଆରମ୍ଭ କଲେ ଆକାରରେ, ପ୍ରକାରରେ, ମ୍ୟାଟେରିଆଲ୍ ବ୍ୟବହାରରେ, ବର୍ଣ୍ଣ ପ୍ରୟୋଗରେ ଓ କାମ ସହ ଆଲୋକର ବ୍ୟବହାରରେ ।

ଅଙ୍କନ ଯେ କେବଳ କାଗଜ ଭାଙ୍ଗର ବ୍ୟବହାର କରନ୍ତି ସ୍ଥାପତ୍ୟରେ ତାହା କହିଲେ ଭୁଲ୍ ହେବ । ସେ କାଗଜ ବଦଳରେ ଅନ୍ୟ ଜିନିଷ ମଧ୍ୟ ବ୍ୟବହାର କରନ୍ତି । ଏଇ ଯେମିତି ଥରେ ରାଜୀବ ସେଠୀଙ୍କ ଅନୁରୋଧ କ୍ରମେ ଛେଳି ଚମଡାରେ ଆନ୍ଧ୍ରର ସ୍ୟାଡୋ ପପେଟ୍ ତିଆରି କରୁଥିବା କାରିଗରମାନଙ୍କୁ ସେମାନଙ୍କ ଲ୍ୟାମ୍ପ ସେଡ୍ ଡିଜାଇନ୍ ରେ ସାହାଯ୍ୟ କରିବାକୁ ପଡ଼ିଥିଲା ତାଙ୍କୁ । ସେତେବେଳେ ଅଙ୍କନ ବାହାରି ଯାଇଥିଲେ ପୂରା ଗୋଟେ ମାସ ପାଇଁ ଆନ୍ଧ୍ର । ଏବେ ସେଠାର କାରିଗରମାନେ ଅଙ୍କନଙ୍କ ଡିଜାଇନ୍‌କୁ ବ୍ୟବହାର କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ପରମ୍ପରା ଓ ଆଧୁନିକ ଡିଜାଇନ୍‌ର ଯୁଗଳ ବନ୍ଦୀରେ ତିଆରି ଲ୍ୟାମ୍ଫ ସେଡ୍‌ର ୟୁରୋପ ବଜାରରେ ଭଲ ଚାହିଦା ରହିଛି । ସେଉଠୁ ଫେରିଲା ପରେ ଧଳା ରଙ୍ଗର ଟ୍ରାନ୍ସଲୁସେଣ୍ଟ ଛେଳି ଚମଡାକୁ ତାଙ୍କ କାମରେ ବ୍ୟବହାର କଲେ ଅଙ୍କନ । ପ୍ରଥମେ ଅସୁବିଧା ହେଲା ଯେତେବେଳେ କିଛି ଦିନ ପରେ ଛେଳି ଚମଡା ତା’ ଭାଙ୍ଗଠୁ ସମୟକ୍ରମେ ବାହାରିଗଲା । ସେଥିପାଇଁ ତାଙ୍କୁ ଷ୍ଟୁଡିଓରେ ଅନେକ ପରୀକ୍ଷାନୀରିକ୍ଷା କରିବାକୁ ହେଲା । ପରୀକ୍ଷାରୁ ଜଣା ପଡିଲା, ପ୍ରଥମେ ପାଣି ବ୍ୟବହାର କରି ଚମଡାରେ ଭାଙ୍ଗ ପକେଇଲେ ତାହା ଆଉ ପରେ ପୂର୍ବ ଅବସ୍ଥାକୁ ଫେରୁନି । ସେବେଠୁ ଏ ନୂଆ ଜିନିଷଟି ସାମିଲ୍ ହେ‌‌ଇଗଲା କାମରେ । ଚଳିତ ବର୍ଷ ବି ଆର୍ଯ୍ଯା ଫାଉଣ୍ଡେସନ୍, ବଡ଼ବିଲ୍ ଓ ଉତ୍ସ ଫାଉଣ୍ଡେସନ୍, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ହେଉଥିବା ବଡ଼ବିଲ୍ ଆର୍ଟ ପ୍ରୋଜେକ୍ଟ - ୫ରେ ସେ କାଇଁସ (ଗୋଲଡେନ୍ ଗ୍ରାସ୍)କୁ ବ୍ୟବହାର କରୁଛନ୍ତି ଫୋଲ୍ଡିଂ ପାଇଁ । ବିଭିନ୍ନ ଅବସରରେ ଯୋଡ଼ି ହୋଇ ହୋଇ ଯାଇଛି ଭିନ୍ନ ଭିନ୍ନ କ୍ରାଫ୍ଟ ମେଟେରିଆଲ୍ । କାଗଜ ନୁହେଁ ଫୋଲଡିଂ ହୋଇଯାଇଛି ତାଙ୍କ ପରିଚୟ । ମିଳିଛି ପୁରସ୍କାର ଓ ଆନ୍ତର୍ଜାତୀୟ ସ୍ୱୀକୃତି । ପ୍ରଫୁଲ୍ଲ ଧାନୁକର ଫାଉଣ୍ଡେସନ୍ ତରଫରୁ ସ୍ଥାପତ୍ୟରେ ୨୦୧୮ରେ ଅଲ୍ ଇଣ୍ଡିଆ ଗୋଲ୍ଡ ମେଡାଲ୍ ମିଳିଥିବାବେଳେ ୨୦୨୦ରେ ମିଳିଛି ଲେକସସ୍ ଡିଜାଇନ୍ ଆୱାର୍ଡ ଫର୍ କ୍ରାଫ୍ଟ ଡିଜାଇନ୍ ।

ତାଙ୍କ କାଗଜ ଭାଙ୍ଗ କାମ ସବୁ ଦେଶ ଓ ଦେଶ ବାହାରେ ଅନେକ ଜାଗାରେ ପ୍ରଦର୍ଶିତ ହେବା ସହ ସଂଗୃହୀତ ହୋଇ ରହିଛି ମଧ୍ୟ । ସେ ଭିତରେ ଅଛନ୍ତି କେତେକ ମ୍ୟୁଜିୟମ୍ । ଏଇ ଯେମିତି ସିଓଡିଏ ମ୍ୟଜିୟମ୍, ଆପେଲ୍ଡର୍ଣ୍ଣ, ନେଦରଲ୍ୟାଣ୍ଡ; ଭିକ୍ଟୋରିଆ ଓ ଆଲବର୍ଟ ମ୍ୟୁଜିୟମ୍, ଲଣ୍ଡନ; ଫେଙ୍ଗଜିଆନ୍ ମ୍ୟୁଜିୟମ୍, ସାଙ୍ଘାଇ, ଚାଇନା; ମ୍ୟୁଜିଓ ଡି ଫିରେଞ୍ଜ, ଫ୍ଲୋରେନ୍ସ, ଇଟାଲୀ ଇତ୍ୟାଦି । ଏତଦ୍ ବ୍ୟତୀତ ମାଲଡିଭସ୍, ଇଟାଲି, ଚୀନ୍, ଲଣ୍ଡନ ଓ ଭାରତର ଅନ୍ୟାନ୍ୟ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ସଂଗ୍ରହରେ ମଧ୍ୟ ରହିଛି ତାଙ୍କ କାମ । ଏଥିସହିତ ଚେନ୍ନାଇ, ନୂଆଦିଲ୍ଲୀ, ଜାପାନ, ଇଟାଲୀ, ଚୀନ୍, ନ୍ୟୁୟର୍କ, ସିଙ୍ଗାପୁର, ଲଣ୍ଡନ, ଆମେରିକାର ବିଭିନ୍ନ ଜାଗାରେ ଅନେକ ଏକକ ଓ ଦଳଗତ ପ୍ରଦର୍ଶନୀରେ ମଧ୍ୟ ସେ ଭାଗ ନେଇସାରିଛନ୍ତି ଏ ଭିତରେ ।

ଅଙ୍କନ କହନ୍ତି, କାଗଜ ମଣିଷର ସବୁଠାରୁ ଆଶ୍ଚର୍ଯ୍ୟତମ ଆବିଷ୍କାର । କାଗଜ ବିନା ଆମେ ଏବେ ବି ପ୍ରସ୍ତର ଯୁଗରେ ଥାଆନ୍ତେ । ଆମର ଭାବନା, ସୃଜନଶୀଳତାକୁ ରୂପ ଦେବା ପାଇଁ ଏହା ଆମକୁ ପ୍ରକୃତିର ସର୍ବୋତ୍ତମ ଉପହାର । କାଗଜକୁ କଳାକୃତି ପାଇଁ ବ୍ୟବହାର କରିବାର ମୂଳ କଥା ହେଲା, ନା ଏଥିରେ କିଛି ଯୋଡ଼ିବାକୁ ପଡେ଼ ନା କିଛି ଛିଡେ଼ଇବାକୁ ପଡେ଼ । କିଛି ବି ନଷ୍ଟ କରିବାକୁ ପଡେ଼ନି ଏଥିରେ ଅନ୍ୟ କ୍ରାଫ୍ଟ ମେଟେରିଆଲ୍ ମାନଙ୍କ ପରି । ସେଇ ବିଶେଷତ୍ୱ ହିଁ ଅଙ୍କନଙ୍କୁ ଆକର୍ଷିତ କରି ରଖିଛି ଏଯାଏଁ । ଆଉ ଫୋଲ୍‌ଡିଂ ଏମିତି ଏକ ସୂକ୍ଷ୍ମ କାରିଗରୀ ଯାହା ବିନା କିଛି ବି ସମ୍ଭବ ନୁହେଁ । ଏଇ ଯେମିତି ଆମ ଘରର ଦୁଇ କାନ୍ଥ ବି ନବେ ଡିଗ୍ରୀ ଫୋଲ୍‌ଡ ହେଲା ପରେ ଯାଇ ଯୋଡେ଼, ଯୋଡେ଼ କବାଟ, ଝରକା କେତେ ଫୋଲ୍‌ଡରେ । ଲେଡିବଗ୍ ପୋକ ବି ତା କୁନି ଡେଣାକୁ ଲୁଚେଇ ରଖିଥାଏ ଫୋଲ୍‌ଡ କରି । ଆମେ ଖାଉଥିବା ଛତୁରେ ବି ଅଛି କେତେ ସୁନ୍ଦର ଫୋଲ୍‌ଡ ସବୁ ! ନିତି ବ୍ୟବହାର କରୁଥିବା ଛତାକୁ ଦେଖୁନାହାନ୍ତି; ଫୋଲ୍‌ଡିଂର କି ଅଦ୍ଭୁତ ପ୍ରୟୋଗ ! ଏ ସମସ୍ତେ କେବେ ଥରେ ଅନୁପ୍ରାଣିତ କରିଛନ୍ତି ଆମର ଏଇ ଶିଳ୍ପୀ, କଳାକାର, ସ୍ଥପତି ଅଙ୍କନ ମିତ୍ରଙ୍କୁ ।