ରିଦମ୍ - ଜିରୋ, ଏକ ଭୟଙ୍କର ପରଫରମାନ୍ସ

ମରିନାଙ୍କ ଏଇ ରିଦମ୍ ଜିରୋ କାମ ପରେ ପରଫରମାନ୍ସ ଆର୍ଟ ଅଭ୍ୟାସ ନେଇ ଅନେକ ପ୍ରଶ୍ନ ଉଠିଥିଲା ଓ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଲା । ଯେମିତିକି ପରଫରମାନ୍ସ ଆର୍ଟରେ ଦର୍ଶକମାନଙ୍କର କ’ଣ ଓ କେତେ ପର୍ଯ୍ୟନ୍ତ ଭୂମିକା ରହିବ । ଗ୍ୟାଲେରୀର ଭୂମିକା କ’ଣ ରହିବ ।


ଫଟୋ - ୱିକି କମନ୍ସ

ବିଶ୍ୱ କଳା ରାଜ୍ୟରେ ପର୍‌ଫର୍‌ମିଙ୍ଗ୍ ଆର୍ଟ ତା’ର ଚେର ଭଲରେ ଭିଡ଼ିନଥାଏ । ସେଥର ସର୍ବିଆର ତେଇଶି ବର୍ଷର ଝିଅ ମରିନା ଆବ୍ରାମୋଭିଚ୍ (୧୯୪୬) ନିଜ ଶରୀରକୁ ଏକ ବସ୍ତୁ ଭାବରେ ଗ୍ୟାଲେରୀ ପରିସରରେ ଦର୍ଶକମାନଙ୍କ ଜିମାରେ ପୂରା ଛଅ ଘଣ୍ଟା ପାଇଁ ଛାଡ଼ିଦେଲେ । ତାଙ୍କ ସାମ୍ନାରେ ଏକ ଧଳା କପଡ଼ା ପଡ଼ିଥିବା ଲମ୍ବା ଟେବୁଲ୍ ଉପରେ ବାଆସ୍ତରିଟି ଜିନିଷ ବି ସଜେଇ ରଖିଥିଲେ । ଯେଉଁଥିରେ ଥିଲା ଗୋଟେ କଣ୍ଟା ଯୁକ୍ତ ଡାଳରେ ଫୁଟିଥିବା ଗୋଲାପ ଫୁଲ, ଚଢ଼େଇର ପର, ଚ଼ାମଚ଼, ମହମବତୀ, ମୁଣ୍ଡ କଣ୍ଟା, ବହି, କଲମ, ମହୁ, ବଇଁଶୀ, ରୁମାଲ, ଅତର, ରୁଟି, ଅଙ୍ଗୁର, ସେଓ, ଜୋତା, ଡବାଏ ବ୍ଲେଡ୍, ଲୁଣ, ଖବର କାଗଜ, କରତ, ସେପଟିପିନ୍, ଆଇନା, ପାନିଆ, ମଦ, ହାତୁଡ଼ି, କୁରାଢ଼ୀ, କଇଁଚି, ପରିବା କଟା ଛୁରୀ, କଣ୍ଟା, ଧାତବ ଦଣ୍ଡ, ଗୁଳି ଭରାଯାଇଥିବା ଗୋଟେ ବନ୍ଧୁକ ସହ ଆହୁରି ଅନେକ କିଛି । ଏମିତି ଏକ ଜିନିଷମାନଙ୍କର ତାଲିକା ଥିଲା ଯାହାକି ଉଭୟେ ଭଲ ଓ ଖରାପରେ ବ୍ୟବାହାର କରାଯାଇପାରିବ । ଉଭୟେ ଶାନ୍ତି ଓ ଆତଙ୍କ ପାଇଁ ବ୍ୟବହାର କରାଯାଇପାରିବ । ଭଲରେ ବ୍ୟବହାର କରାଯାଇପାରିବ ଓ ପୁଣି ଅନ୍ୟର କ୍ଷତି ବି କରିପାରିବ । ଜିନିଷଗୁଡ଼ିକ ଏମିତି ଭାବରେ ମରିନା ସଂଗ୍ରହ କରିଥିଲେ ଯାହାକି ଲୋକମାନଙ୍କର ନିତିଦିନିଆ ବ୍ୟବହାରରେ ପ୍ରାୟତଃ ଲାଗିଥାଏ । ସୂଚ଼ନା ଦିଆଯାଇଥିଲା ଯେ, ଟେବୁଲ୍ ଉପରେ ସଜେଇକି ରଖାଯାଇଥିବା ଜିନିଷମାନଙ୍କୁ ପରିଦର୍ଶକମାନେ ଯେମିତି ଚାହିଁବେ ସେମିତି ମରିନାଙ୍କ ଶରୀର ଉପରେ ବ୍ୟବହାର କରିପାରିବେ । ପର୍‌ଫର୍‌‌ମାନ୍ସଟିକୁ ଆୟୋଜନ କରାଯାଇଥିଲା ଇଟାଲୀର ନାପଲେସ୍‌‌ର ମୋରା ଷ୍ଟୁଡିଓରେ । ଏଥିପାଇଁ ଅଲଗା କିଛି ମଞ୍ଚର ବ୍ୟବସ୍ଥା କରାଯାଇନଥିଲା । ଦର୍ଶକ ଓ କଳାକାର ସମାନ ସମତଳରେ ସମାନ ଯାଗାରେ ରହିଥିଲେ । ପର୍‌ଫର୍‌‌ମାନ୍ସର ନାମ ରଖାଯାଇଥିଲା ‘ରିଦମ୍ - ଜିରୋ’ ।

ପର୍‌ଫର୍‌‌ମାନ୍ସର ସମୟସୀମା ଧାର୍ଯ୍ୟ କରାଯାଇଥିଲା ଛଅ ଘଣ୍ଟା । କଥା ଥିଲା, ମରିନା ରାତି ଆଠଟାରୁ ରାତି ଦୁଇଟା ପର୍ଯ୍ୟନ୍ତ ଗ୍ୟାଲେରୀ ଭିତରେ ଚୁପ୍‌ଚାପ୍ କେବଳ ଛିଡ଼ା ହେବେ । ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଟେବୁଲ୍ ଉପରେ ରଖାଯାଇଥିବା ଜିନିଷମାନଙ୍କୁ ଯେ କେହିବି ତାଙ୍କ ଉପରେ ଯେମିତି ଚାହିଁବ ବ୍ୟବହାର କରିପାରିବ ଓ ପର୍‌ଫର୍‌‌ମାନ୍ସର ସମୟରେ ଯାହା କିଛି ଘଟଣା ଅଘଟଣ ଘଟିବ ସେକଥା ସେ ବୁଝିବେ । ମରିନାଙ୍କର ଉଦ୍ଦେଶ୍ୟ ଥିଲା ସେ ଏମିତି ଏକ ପରୀକ୍ଷା କରିବେ ଯେଉଁଠି ଜଣେ ପର୍‌ଫର୍‌‌ମାନ୍ସର କଳାକାର ଭାବରେ ସେ କିଛିବି ଆଙ୍ଗିକ କି ବାଚିକ ପ୍ରତିକ୍ରିୟା ବିନା ଦର୍ଶକମାନଙ୍କର ବ୍ୟବହାରକୁ ପରଖିବେ । ଜାଣିବେ ପ୍ରକୃତରେ ଅନ୍ୟ ସବୁ ବସ୍ତୁ ସହ ଦର୍ଶକ ତାଙ୍କୁ ଏକ ବସ୍ତୁ ଭାବରେ ଗ୍ରହଣ କରିନେଇ ତାଙ୍କ ସହ ଓ ତାଙ୍କ ଶରୀର ସହ କ’ଣ କ’ଣ ସବୁ ବ୍ୟବହାର କରୁଛନ୍ତି ।

ଛଅ ଘଣ୍ଟାର ପର୍‌ଫର୍‌‌ମାନ୍ସର ଅବଧିର ପ୍ରଥମ କିଛି ଘଣ୍ଟା ସବୁ ଠିକ୍ ଠାକ୍ ଥିଲା । ଦର୍ଶକମାନେ ପ୍ରଥମେ ମରିନାଙ୍କୁ ପାଖକୁ ଆସି ଦେଖିଲେ । ଟେବୁଲ୍ ଉପରେ ଥିବା ଜିନିଷପତ୍ରକୁ ପରଖିଲେ । ରଖାଯାଇଥିବା କାଗଜକୁ ପଢ଼ିଲେ । ତାପରେ କେହି କେହି ଚୁପ୍‌ଚାପ୍ ଛିଡ଼ା ହୋଇଥିବା ମରିନାଙ୍କୁ ଗୋଲାପ ଫୁଲ ଦେଲେ ଓ କେହି ତାଙ୍କୁ ଛୁଇଁଲେ, ତାଙ୍କ ଚାରିପାଖରେ ଘୂରିଲେ ଏବଂ ତାଙ୍କ ଗାଲରେ ଚୁମ୍ବନ ବି ଦେଲେ । ଦର୍ଶକମାନଙ୍କର ଏସବୁ ବ୍ୟବହାର ପ୍ରତି ନିର୍ବିକାର ରହି ମରିନା କିନ୍ତୁ ଚୁପ୍‌ଚାପ୍ ନିଜ ଯାଗାରେ ଛିଡ଼ା ହୋଇ ରହିଥିଲେ । କିନ୍ତୁ ରାତି ବଢ଼ିବା ସହ ଗ୍ୟାଲେରୀ ପରିସର ଯେମିତି ଧିରେ ଧିରେ ଉଷ୍ମ ହେବାକୁ ଲାଗିଲା । କାଳିସି ଲାଗିଲା ପରି ଉପସ୍ଥିତ ଦର୍ଶକମାନେ ଧିରେ ଧିରେ ଅଲଗା ବ୍ୟବହାର କରିବାକୁ ଆରମ୍ଭ କରିଦେଲେ । ତିନିଘଣ୍ଟା ବେଳକୁ ଦର୍ଶକମାନେ ଟେବୁଲ୍‌ରେ ରଖାଯାଇଥିବା ରେଜର୍ ବ୍ଲେଡ୍‌ରେ ମରିନାଙ୍କର ପୋଷାକକୁ ଟିକେ ଟିକେ କରି କାଟିବା ଆରମ୍ଭ କରିଦେଲେ । ଚାରି ଘଣ୍ଟା ବେଳକୁ ସେଇ ବ୍ଲେଡ୍‌ରେ ମରିନାଙ୍କ କଟା ସରିଥିବା ପୋଷାକ ତଳ ଦରଲଙ୍ଗଳା ଶରୀରକୁ ବି କିଏ କିଏ କାଟିବା ଆରମ୍ଭ କଲେ । ଗୋଲାପ ଡାଳରେ ଥିବା କଣ୍ଟା ବାଜି ମରିନାଙ୍କ ଦେହରେ ଅନେକ କ୍ଷତ ହୋଇସାରିଥାଏ । ସେତିକିବେଳେ ଜଣେ ଦର୍ଶକ ତାଙ୍କ ବେକ ପାଖକୁ ବ୍ଲେଡ୍‌ରେ କାଟି କିଛି ରକ୍ତ ପିଇବାର ଉପକ୍ରମ କଲା । ଜଣେ ଦର୍ଶକ ତ ସେଠାରେ ଆଗରୁ ରଖାଯାଇଥିବା ବନ୍ଧୁକରେ ଗୁଳି ଭରି ମରିନାଙ୍କ ହାତରେ ବନ୍ଧୁକ ଧରେଇ ଦେଲା ଓ ବନ୍ଧୁକର ମୁହଁ ମରିନାଙ୍କ ବେକ ପାଖରେ ରଖି ଟ୍ରିଗର ଦବାଇବାର ଉପକ୍ରମ କରୁଥିଲା । ଠିକଣା ସମୟରେ ଗ୍ୟାଲେରୀର ଜଣେ କର୍ମଚାରୀ କିନ୍ତୁ କିଛି ଦୁର୍ଘଟଣା ଘଟିବା ଆଗରୁ ସେ ଲୋକ ହାତରୁ ବନ୍ଧୁକ ଛଡ଼ାଇ ଝରକା ପଟେ ବାହାରକୁ ଫିଙ୍ଗି ଦେଲା । ଏତେ ପରେ ବି ମରିନା ଚୁପ୍‌ଚାପ୍ ଛିଡ଼ାହେୋଇ ରହିଥିଲେ । କେବଳ ତାଙ୍କ ଆଖିରୁ ଲୁହ ଧାର ଧାର ହୋଇ ଝରିଯାଉଥିଲା । ସେଠାରେ ଉପସ୍ଥିତ ଥିବା ଜଣେ କଳା ସମାଲୋଚକଙ୍କ କହିବା କଥା ଅନୁସାରେ ସେଇ ଛଅ ଘଣ୍ଟା ଭିତରେ ଚୁପ୍‌ଚାପ୍ ଦରଲଙ୍ଗଳା ହେଇ ଛିଡ଼ା ହୋଇଥିବା ମରିନାକୁ ହତ୍ୟା କିମ୍ବା ଧର୍ଷଣ କରାଯାଇଥିଲେ ମଧ୍ୟ ସେ କଦାପି ସେଦିନ ବିରୋଧ କରିନଥା’ନ୍ତେ । ଠିକ୍ ମରିନାଙ୍କ ପର୍‌ଫର୍‌‌ମାନ୍ସର ଦଶ ବର୍ଷ ଆଗରୁ ଜାପାନୀ ଶିଳ୍ପୀ ‘ୟକୋ ଓନୋ’(୧୯୩୩) ଠିକ୍ ଏମିତି ଏକ ପରଫରମାନ୍ସ ୧୯୬୪ରେ କରିଥିଲେ, ଯେଉଁଠି ସେ ମଞ୍ଚରେ ଥିଲେ ଓ ସେଠାରେ ଉପସ୍ଥିତ ଦର୍ଶକଙ୍କୁ କଇଁଚିରେ ତାଙ୍କ ପୋଷାକ କାଟିବାକୁ ଅନୁମତି ଦେଇଥିଲେ । ପ୍ରଥମେ ଦର୍ଶକମାନେ ତାଙ୍କ ପୋଷାକରୁ ଅଳ୍ପ ଅଳ୍ପ କରି କାଟିବା ଆରମ୍ଭ କରି ଶେଷରେ ତାଙ୍କର ସବୁ ପୋଷାକକୁ କାଟି ପକାଇଥିଲେ ।

ମରିନା ତାଙ୍କର ବ୍ୟକ୍ତିଗତ କଳା ଦର୍ଶନ ସମ୍ପର୍କରେ କୁହନ୍ତି ଯେ, ସେ ସାଜସଜା ପାଇଁ କଳା ସୃଷ୍ଟି କରନ୍ତିନି କି ସୁନ୍ଦର ଭାବରେ ଫ୍ରେମିଂ ହେଇଥିବା ଓ ଆଖିକୁ ଭଲ ଲାଗୁଥିବା ରଙ୍ଗ ବ୍ୟବହାର କରାଯାଇ କାନ୍ଥରେ ଟଙ୍ଗା ଯିବା ପାଇଁ ଖାସ୍ ତିଆରି କରାଯାଇଥିବା କଳା ସୃଷ୍ଟି କରିବାକୁ ପସନ୍ଦ କରନ୍ତିନି । ତାଙ୍କ ପାଇଁ କଳା ହେଉଛି ଅନ୍ୟକୁ ବିବ୍ରତ କରିବା, ପ୍ରଶ୍ନ ପଚାରିବା ଓ ଭବିଷ୍ୟତ ବିଷୟରେ ପୁର୍ବାନୁମାନ ଲଗାଇବା ଏବଂ ବିଭିନ୍ନ ପ୍ରସ୍ଥରେ ତାକୁ ବୁଝିବା ପାଇଁ ସୁଯୋଗ ତିଆରି କରିବା ।

ପରେ ମରିନା ‘ରିଦମ୍ - ଜିରୋ’ ପର୍‌ଫର୍‌‌ମାନ୍ସ ନେଇ ତାଙ୍କ ଅନୁଭବ ଓ ଅନୁଭୂତିକୁ ବର୍ଣ୍ଣନା କରିବାକୁ ଯାଇ କହିଥିଲେ ଯେ, ଯଦି ଦର୍ଶକମାନଙ୍କୁ ତାଙ୍କ ଇଚ୍ଛାରେ ସ୍ୱାଧୀନ ଭାବରେ ଏମିତି କରିବାକୁ ଛାଡ଼ିଦିଆଯାଏ, ତେବେ ସେମାନେ ତାଙ୍କୁ ଜୀବନରେ ପୂରାପୂରି ମାରି ବି ଦେଇପାରନ୍ତି । କିଛି ସମୟ ପରେ କେତେ ଜଣ ଦର୍ଶକ ମରିନାଙ୍କୁ ଧରି ଟେକିନେଇ ଟେବୁଲ ଉପରେ ଚିତ୍ କରି ଶୁଆଇ ପକାଇଲେ । ଜଣେ ଗୋଟେ ପରିବା କଟା ଛୁରୀ ଧରି ତାଙ୍କ ଦୁଇ ଗୋଡ଼ ଫାଙ୍କରେ ଟେବୁଲ୍ ଉପରେ ଛୁରୀକୁ ଭୁସି ଦେଲା । ପ୍ରତୀକାତ୍ମକ ଭାବରେ କାର୍ଯ୍ୟଟିକୁ ଆମେ ଉଭୟେ ହତ୍ୟା ଓ ଧର୍ଷଣ ଭାବରେ ଧରିନେଇ ପାରିବା ।

ପର୍‌ଫର୍‌‌ମାନ୍ସ ଆର୍ଟ ଓ ଥିଏଟର ଅନେକ ସମୟରେ ଏକା ପରି ଦିଶୁଥିଲେ ମଧ୍ୟ ଏଇଠି ସେମାନଙ୍କ ଭିତରେ ଥିବା ପ୍ରଭେଦକୁ ଠିକ୍‌ରେ ବୁଝିହେବ । ପର୍‌ଫର୍‌‌ମାନ୍ସ ଆର୍ଟର ଓଡ଼ିଆ ଅନୁବାଦ କରିବାକୁ ମୁଁ ଚେଷ୍ଟା କରିନି । କାରଣ ଆମର ସେପରି କିଛି ଶବ୍ଦ ନାହିଁ ଯାହା ପ୍ରକୃତ ଅର୍ଥରେ ପର୍‌ଫର୍‌‌ମାନ୍ସ ଆର୍ଟକୁ ବୁଝାଇ ପାରିବ । ମରିନାଙ୍କ ଏଇ ପର୍‌ଫର୍‌‌ମାନ୍ସ ଧାରଣା ପଛରେ କିଛିବି ପୂର୍ବ ପ୍ରସ୍ତୁତି ସ୍କ୍ରିପ୍ଟ ନଥିଲା । ନା’ ଉପସ୍ଥିତ ଦର୍ଶକ ଭାବିଥିଲେ ସେମାନେ ପରିବେଶ ଓ ପରିସ୍ଥତିକୁ ନେଇ କେମିତି ବ୍ୟବହାର କରିବେ । ସେମାନେ ହୁଏତ ଏତକ ମଧ୍ୟ ଜାଣିନଥିଲେ ସେମାନଙ୍କ ଭିତରେ ଏତେ ପରିମାଣରେ ହିଂସା, ଯୈାନ ପ୍ରବଣତା ଲୁଚିକି ରହିଛି । ତା’ ପୁଣି ଏକୁଟିଆ ନୁହେଁ ଅନ୍ୟମାନଙ୍କ ଉପସ୍ଥତିରେ ମଧ୍ୟ ପ୍ରକାଶ ପାଇବାକୁ ସଙ୍କୋଚ କରୁନି । ମଞ୍ଚରେ ଭୟକୁ କୃତ୍ରିମ ଉପାୟରେ ପରିବେଷଣ କରାଯାଏ, ଏଠି କିନ୍ତୁ ଭୟ ଓ ଆତଙ୍କ ସ୍ୱତଃ ପ୍ରକାଶ ପାଇଥିଲା । ଦୁହିଁଙ୍କ ଭିତରେ ଥିବା ଫରକ୍ ହେଉଛି ମିଛ ଓ ସତର ଫରକ । ସେତେବେଳର ପର୍‌ଫର୍‌‌ମାନ୍ସ ଆର୍ଟରେ କଳାକାରମାନଙ୍କର ଆଙ୍ଗିକ ପ୍ରତିକ୍ରିୟା ଓ ଶାରିରୀକ କାର୍ଯ୍ୟକୁ କିଛି କଳା ସମାଲୋଚକ ସମାଲୋଚନା କଲା ପରେ ମରିନା ଏମିତି ଏକ ପର୍‌ଫର୍‌‌ମାନ୍ସ ବିଷୟରେ ଚିନ୍ତା କରିଥିଲେ, ଯେଉଁଠି ସେ ଶାରିରୀକ ଭାବରେ କିଛିବି ପ୍ରତିକ୍ରିୟା ନକରି ଦର୍ଶକଙ୍କୁ ସେମାନଙ୍କ ଇଚ୍ଛାରେ କିଛିବି କରିବାକୁ ଛାଡ଼ିଦେବେ । ଜଣେ ଜୀବନ୍ତ ସୁନ୍ଦରୀ ଯୁବତୀ ତା’ର ଶରୀରକୁ ଅନେକ ମଣିଷଙ୍କ ଗହଣରେ ଗୋଟିଏ ବସ୍ତୁ ଭାବରେ ଛାଡ଼ିଦେବା ଓ ଉପସ୍ଥିତ ଦର୍ଶକ ମଧ୍ୟ ସେ ଜୀବନ୍ତ ଶରୀରକୁ ଏକ ବସ୍ତୁ ଭାବରେ ଗ୍ରହଣ କରି ଯଦୃଚ୍ଛା ବ୍ୟବହାର କରିବା ସତରେ ଆଶ୍ଚର୍ଯ୍ୟର ବିଷୟ ।

ସବୁଠାରୁ ମଜାକଥା ହେଲା ଛଅ ଘଣ୍ଟାର ପର୍‌ଫର୍‌‌ମାନ୍ସ ପରେ ମରିନା ଯେତେବେଳେ ସେ ଛଅଘଣ୍ଟା ଧରି ଚୁପ୍ ଚାପ୍ ଥିବା ଜାଗାରୁ ଉଠିପଡି ଦର୍ଶକମାନଙ୍କ ଆଡକୁ ଚାଲିବାକୁ ଉପକ୍ରମ କଲେ, ସେତେବେଳେ ସେଠାରେ ଉପସ୍ଥିତ ଥିବା ଦର୍ଶକ ତାଙ୍କୁ ସାମ୍ନା କରିନପାରି ତରତରରେ ଗ୍ୟାଲେରୀ ପରିସର ଛାଡି ବାହାରକୁ ପଳେଇଥିଲେ । ମାନେ ଏକ ବସ୍ତୁ ଭାବରେ ସେମାନେ ମରିନାଙ୍କ ଶରୀର ଉପରେ ଯାହାକଲେ ବି ଜଣେ ମଣିଷ ଭାବରେ ମରିନାଙ୍କୁ ସାମ୍ନା କରିପାରିନଥିଲେ । ବିଶ୍ୱ ପର୍‌ଫର୍‌‌ମାନ୍ସ ଇତିହାସରେ ମରିନା ଆବ୍ରାମୋଭିଚଙ୍କ ଏହି ରିଦମ୍ - ଜିରୋ ପର୍‌ଫର୍‌‌ମାନ୍ସଟିକୁ ବେଶ୍ ଗୁରୁତ୍ୱ ଦେଇ ସବୁବେଳେ ବିଚାର କରାଯାଏ । ମରିନାଙ୍କର ରିଦମ୍ ସିରିଜର ଦଶଟି ପର୍‌ଫର୍‌‌ମାନ୍ସର ଏଇଟି ଶେଷ ପର୍‌ଫର୍‌‌ମାନ୍ସ ଥିଲା । ମରିନାଙ୍କ ଏଇ ରିଦମ୍ ଜିରୋ କାମ ପରେ ପର୍‌ଫର୍‌‌ମାନ୍ସ ଆର୍ଟ ଅଭ୍ୟାସ ନେଇ ଅନେକ ପ୍ରଶ୍ନ ଉଠିଥିଲା ଓ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଲା । ଯେମିତିକି ପର୍‌ଫର୍‌‌ମାନ୍ସ ଆର୍ଟରେ ଦର୍ଶକ ମାନଙ୍କର କ’ଣ ଓ କେତେ ପର୍ଯ୍ୟନ୍ତ ଭୂମିକା ରହିବ । ଗ୍ୟାଲେରୀର ଭୂମିକା କ’ଣ ରହିବ । କଳାକାର ନିଜର କାମରେ ଦର୍ଶକଙ୍କୁ କେତେ ମାତ୍ରାରେ ସାମିଲ କରିବେ କି ନକରିବେ ଇତ୍ୟାଦି ।

Report an Error