ଫଟୋ - ପାରମିତା ଶତପଥି

ପାରମିତା ଶତପଥିଙ୍କୁ ଏ ପ୍ରଶ୍ନସବୁ ମୁଁ ସେତେବେଳେ ପଚାରିଥିଲି ଯେତେବେଳେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ବା ସାରଳା ପୁରସ୍କାର ପାଇନଥିଲେ । ତେଣୁ ଏ କଥାବାର୍ତ୍ତା ଅନେକ ପୁରୁଣା । ହେଲେ ପୁରସ୍କାର ତାଲିକା ସହିତ ପାରମିତାଙ୍କ ଗପ ଓ ଉପନ୍ୟାସର ଆଧାର କିନ୍ତୁ ନିତ୍ୟ ନୂତନ। ମୁଁ ପଚାରିଥିବା ପ୍ରଶ୍ନ ଓ ସେ ଦେଇଥିବା ଉତ୍ତର ଆଜି ବି ବେଶ ପ୍ରାସଙ୍ଗିକ ଲାଗୁଛି। ମୋଟାମୋଟି ଆଜି ବି ତାଙ୍କୁ ଏଇ ସମାନ ପ୍ରଶ୍ନ ମୁଁ ତାଙ୍କୁ ପଚାରିବାକୁ ଚାହିଁବି । "ଅଭିପ୍ରେତ କାଳ" ପାଇଁ ତାଙ୍କୁ "ସାରଳା ପୁରସ୍କାର" ମିଳିଛି, ସେଥିଲାଗି ତାଙ୍କୁ ବହୁତ ଅଭିନନ୍ଦନ । ଆଜି ତାଙ୍କ ସହିତ ଏକ ପୁରୁଣା କଥାବାର୍ତ୍ତାର ନବ୍ୟ ରୂପାନ୍ତର । - କେଦାର ମିଶ୍ର

ସାହିତ୍ୟର ପରିବେଶ ଓ ଏକ ସାହିତ୍ୟିକ ପରିବାରରେ ଆପଣଙ୍କର ଜନ୍ମ । ଆପଣଙ୍କ ନିଜ ଜୀବନରେ ଲେଖକୀୟ ପୃଷ୍ଠଭୂମି ତିଆରି କରିବା ଲାଗି, ଏହା କେତେ ପରିମାଣରେ ଦାୟୀ ?

ପିଲାଦିନୁ ଅନେକବର୍ଷ ହେବାଯାଏଁ ଭାବୁଥିଲି ସାହିତ୍ୟିକଟିଏ ହିଁ ସର୍ବୋତ୍ତମ ମଣିଷ ଓ ସାହିତ୍ୟ ରଚନା ହେଉଛି ସର୍ବୋତ୍କୃଷ୍ଟ ବୃତ୍ତି । ବୁଝେ ନ ବୁଝେ ପିଲାଦିନେ ପଢ଼ୁଥିଲି ପ୍ରଚୁର । ଯେଉଁ ବୟସରେ ଝିଅମାନେ କେବଳ ଖେଳୁଥିଲେ ବୁଲୁଥିଲେ (ଯଦିଓ ମୁଁ ମଧ୍ୟ କମ୍ କରିନାହିଁ) ମୁଁ ଆମଘରେ ଥିବା ଲାଇବ୍ରେରୀରେ ବସି ପଢି ଯାଉଥିଲି ମୋଟା ମୋଟା ବହି । ସବୁଠାରୁ ମୋତେ ସେଇ କାମଟି ଭଲ ଲାଗୁଥିଲା । ବୋଧହୁଏ ଅନୁଭବର ସ୍ଫୁଟନ ଓ ଭାଷା ପ୍ରୟୋଗରେ ପ୍ରଣାଳୀ ସେ ପଢିବା ଦ୍ୱାରା ମୋ ଅବଚେତନରେ ଗୁଂଫିତ ହୋଇ ରହିଯାଇଥିଲା ।

ଭାଷାର ଐତିହ୍ୟ ଦୃଷ୍ଟିରୁ ଆମେ ଭାରତର ଅନ୍ୟତମ ପ୍ରାଚୀନ ଭାଷାର ସ୍ୱୀକୃତି ପାଇଛୁ । ସେହିପରି ସାହିତ୍ୟର ବିପୁଳ ଇତିହାସ ଆମର ରହିଛି । ଏହି ବିଶାଳତା ଓ ଵିପୁଳତା ଭିତରେ ଓଡ଼ିଆ ନାରୀର ସ୍ୱର ଖୁବ କ୍ଷୀଣ କାହିଁକି ?

ନାରୀର ସୃଜନଶୀଳତାକୁ ସ୍ୱୀକୃତି ଦେବା ଗୋଟିଏ ଜାତିର ସଭ୍ୟତା, ସଂସ୍କୃତି ଓ ମାନସିକ ଅଭିବୃଦ୍ଧି ଉପରେ ନିର୍ଭର କରେ । ମୁଁ ବିଶ୍ୱାସ କରିପାରୁନାହିଁ ଯେ ଅନେକ ପ୍ରାଚୀନ ଆମର ଏହି ସାହିତ୍ୟର ଇତିହାସରେ ନାରୀ ଲେଖିକାଙ୍କର ସ୍ୱର ନ ଥିବ । ହୁଏତ ସେମାନେ ଛଦ୍ମ ନାମରେ ଲେଖିଥିବେ, ହୁଏତ ସେମାନଙ୍କ ଲେଖା କୌଣସିପ୍ରକାରେ ଲୋକଲୋଚନକୁ ଆସିନଥିବ । ପ୍ରାଚୀନ କାଳରେ ସାମାଜିକ ସଂସ୍କାରର ଦ୍ୱାହି ଦେଇ, ଆଦର୍ଶର ଦ୍ୱାହି ଦେଇ ଓ ଗୃହ ସଂସ୍କାର ପ୍ରତି କର୍ତ୍ତବ୍ୟକୁ ଏକମାତ୍ର ଧ୍ୟେୟ ବୋଲି ଦର୍ଶାଇ ହୁଏତ ନାରୀମାନଙ୍କୁ ଲେଖିବାକୁ ଅନୁତ୍ସାହିତ କରାଯାଇଥିବ ବା ସ୍ଥଳବିଶେଷରେ ବାରଣ କରାଯାଇଥିବ । ଏମିତି ହିଁ ହୋଇପାରେ ଯାହା କିଛି ବି ସେମାନେ ଲେଖୁଥିବେ ତାକୁ ନଷ୍ଟ କରିଦିଆଯାଉଥିବ ବା ଉଦାରତାର ସହ ଗ୍ରହଣ କରାଯାଇନଥିବ । ସମସାମୟିକ ସାହିତ୍ୟିକମାନେ ସାମାଜିକ ଅନୁବନ୍ଧ ଦ୍ୱାରା ପ୍ରଭାବିତ ହୋଇ ନାରୀ ଲେଖନୀକୁ ଲିପିବଦ୍ଧ କରିବାକୁ ନିବୃତ୍ତ ହୋଇଥିବେ । କନ୍ନଡ଼, ତାମିଲ ଇତ୍ୟାଦି ଭାଷାରେ ନାରୀ ଲେଖିକାଙ୍କ ଭାବନା ଅନେକାଂଶରେ ପଂଜୀକୃତ କରାଯାଇପାରିଛି । ପର୍ଯ୍ୟାପ୍ତ ନ ହେଲେ ବି ମଧ୍ୟ ଖୁବ ପ୍ରାଚୀନ ନାରୀ ଲେଖିକା / କବିଙ୍କର କିଛି ଲେଖା ସଂଗୃହୀତ ହୋଇଛି ।

ଆଧୁନିକ ଶିକ୍ଷାର ବିକାଶ ସହିତ ଆମ ସାହିତ୍ୟରେ ନାରୀର ସ୍ୱର ପ୍ରବେଶ କରିଛି । ତଥାପି ଲିଙ୍ଗ ଆଧାରିତ ଏକ ଶକ୍ତିଶାଳୀ (gender based discourse) ବିମର୍ଶ ନିର୍ମାଣରେ ଆମେ ସମର୍ଥ ହୋଇଛୁ କି ?

ଲିଙ୍ଗ ଆଧାରିତ ଏକ ଖୁବ ଶକ୍ତିଶାଳୀ ସ୍ଵର ବୋଧହୁଏ ଓଡ଼ିଆ ଭାଷାରେ ପ୍ରଥମେ ଉଚ୍ଚାରଣ କରିଥିଲେ ସରଳା ଦେବୀ । ଭାରତୀୟ ସମାଜର ରକ୍ଷଣଶୀଳତା ଓ ନାରୀର ପରାଧିନତା ଉପରେ ଏକ ଶକ୍ତ ପ୍ରହାର ଥିଲା ତାଙ୍କର ପ୍ରବନ୍ଧ ‘ନାରୀ ଦାବୀ’ । ତେବେ ତା ସୃଜନଶୀଳ ସାହିତ୍ୟର ଉଚ୍ଚାରଣ ଅପେକ୍ଷା ନାରୀର ଲିଙ୍ଗଗତ ଵୈଷମ୍ୟ ଓ ଅଧିକାରକୁ ନେଇ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଅଧିକ ଭାବରେ ଉଦ୍ଦିଷ୍ଟ ଥିଲା ।

ସୃଜନଶୀଳ ରଚନାରେ ପର ପର୍ଯ୍ୟାୟରେ ଅନେକ ଲେଖିକା / କବି ନିଜ ସୃଷ୍ଟି ମାଧ୍ୟମରେ ନାରୀର ପରାକାଷ୍ଠା, ନାରୀର ଅଧିକାର, ନ୍ୟାଯ୍ୟଦାବି, ନାରୀର ମାନସିକତାକୁ ପ୍ରକାଶ କରିଛନ୍ତି । ଆମେ ସଚେତନ ଭାବରେ, ପର୍ଯ୍ୟାପ୍ତ ଭାବରେ ଏହି ରଚନା ସବୁର ଆକଳନ କରିନାହୁଁ । ଆମ ଭାଷାରେ ଏହା ଆଉ ଏକ ଦୁର୍ବଳତା । ଉପଯୁକ୍ତ ସୃଜନ ଆକଳନ ହେଲେ ଆମେ ନିଶ୍ଚୟ ଲେଖିକାମାନଙ୍କର ନିର୍ଦ୍ଦିଷ୍ଟ ରଚନାରୁ ଏହି ବିମର୍ଶର ସୂତ୍ର ପାଇପାରିବା ।

ତେବେ ଭାରତରେ ଅନ୍ୟ କେତୋଟି ଭାଷା - ଯଥା ତାମିଲ, ମାଲୟାଲମ୍, କନ୍ନଡ଼, ତେଲୁଗୁ, ବଙ୍ଗଳା ଆଦିରେ ଏହି ବିମର୍ଶ ଖୁବ ଉଦାର ଜଣାପଡେ ଯଦିଓ ଓଡ଼ିଆ ଭାଷାରେ ଏହା ମୃଦୁ ଭାବରେ ପ୍ରତିଭାତ ହୁଏ ।

ଜଣେ ସୃଜନଶୀଳ ସ୍ରଷ୍ଟା ଭାବରେ ଆପଣ ସଚେତନ ଭାବରେ ଲିଙ୍ଗ ଆଧାରିତ ଵିମର୍ଶର ବିଶ୍ୱାସୀ କି ? ଆଉ ଟିକେ ସ୍ପଷ୍ଟ ଭାବରେ କହିଲେ ଆପଣ ନିର୍ଦ୍ଦିଷ୍ଟ ରୂପେ ନିଜକୁ ‘ଫେମିନିଷ୍ଟ’ ବୋଲି ଭାବନ୍ତି କି ?

ଯଦି ନାରୀର ସ୍ଵର, ପ୍ରତିବାଦ, ଅଧିକାର, କର୍ତ୍ତବ୍ୟ, ମାନସିକତା ଓ ସର୍ବୋପରି ଜୀବନକୁ ନେଇ ଚିନ୍ତିତ ହେବା ଓ ନାରୀକୁ ତାର ଉପଯୁକ୍ତ ସ୍ଥାନ, କାର୍ଯ୍ୟ ସମ୍ମାନ ମିଳୁ ବୋଲି ଆଶା କରିବାକୁ ଫେମିନିଜମ କୁହାଯାଏ, ତାହେଲେ ମୁଁ ନିଶ୍ଚୟ ଜଣେ ଫେମିନିଷ୍ଟ । କିନ୍ତୁ ଜଣେ ସୃଜନଶୀଳ ମଣିଷ ଭାବରେ ମୁଁ ନାରୀ ଚରିତ୍ରକୁ ପରଖିଲାବେଳେ କେବଳ ଏତିକି ଖୋଜେ ନାହିଁ, ବରଂ ସର୍ବତୋ ଭାବେ ନାରୀ ଜୀବନର ବୈଚିତ୍ର୍ୟ ମୋତେ ଅଭିଭୂତ କରେ । ନାରୀର ପ୍ରାପ୍ତି, ଅପ୍ରାପ୍ତି, ହର୍ଷ ବିଷାଦ, ପୁଲକ ପରାଭଵ, ପ୍ରେମ, ଅପ୍ରେମ, ପାପ ପ୍ରାୟଶ୍ଚିତ ଖୁବ ଅନ୍ତରଙ୍ଗ ଭାବରେ ମୋତେ ଆକର୍ଷିତ କରନ୍ତି । ନାରୀ ଚରିତ୍ରରେ ଵିପୁଳତା, ବ୍ୟାପ୍ତି, ବିବିଧତା, ବୌଦ୍ଧିକତା, ସ୍ଥିତି ସ୍ଥାପକତା, ସହନଶୀଳତା ମୋତେ ଉଦବୁଦ୍ଧ କରିଛି । ନାରୀ ପ୍ରତି ହେଉଥିବା ଅତ୍ୟାଚାର, ଅବିଚାର, ନିର୍ଯ୍ୟାତନା ବ୍ୟଥିତ କରିଛି । ସେଇସବୁ ଅନୁଭବ ନିଶ୍ଚିତ ଭାବରେ ମୋର ସୃଜନଶୀଳତାକୁ ପ୍ରଭାବିତ କରିଛନ୍ତି । ହୁଏତ ଏଥିପାଇଁ ଯେ ମୁଁ ଜଣେ ନାରୀ ଓ ନାରୀର ମନଃସ୍ଥିତିକୁ ତୀବ୍ର ଭାବରେ ଅନୁଭବ କରିପାରେ । ଜଣେ ଲେଖକ ଭାବେ ଲିଙ୍ଗ ଆଧାରିତ ବୈଷମ୍ୟକୁ ମୁଁ ସଚେତନ ଭାବରେ ରୂପାୟିତ କରିଛି । ସେଥିରେ ବିମର୍ଶର ସୂତ୍ର ରହିଛି କି ନାହିଁ ତାହାର ଆକଳନ ଆଲୋଚକମାନେ କରିପାରିବେ ।

ଆପଣଙ୍କ ଗଳ୍ପରେ ସମ୍ପନ୍ନ, ମଧ୍ୟବିତ୍ତ ଓ ସାଧାରଣ ବର୍ଗର ଚରିତ୍ରମାନେ ପର୍ଯ୍ୟାୟକ୍ରମେ ଆସିଛନ୍ତି । ଯେମିତି ପ୍ରଥମେ ଆପଣଙ୍କ ଚରିତ୍ରମାନେ ମୁଖ୍ୟତଃ ସହରୀ ସମ୍ପନ୍ନ ଓ ମଧ୍ୟବିତ୍ତ ବର୍ଗରୁ ଆସୁଥିଲେ । ସମ୍ପ୍ରତି ଏହା ଅଧିକରୁ ଅଧିକ ସାଧାରଣ ବର୍ଗ ଓ ଅବହେଳିତ ବର୍ଗର କଥା କହୁଛନ୍ତି । ଏହି ପରିବର୍ତ୍ତନର କାରଣ ବିଷୟରେ କହିବେ କି ?

ଏମିତି କିଛି ପରିବର୍ତ୍ତନ ମୋ ଦ୍ୱାରା ନିର୍ଣ୍ଣିତ ବୋଲି ମୁଁ ଭାବିପାରୁନାହିଁ । ମଣିଷ ନିଜ ଜୀବନରେ ଭୋଗୁଥିବା ବିଭିନ୍ନ ଅବସ୍ଥା ପରି ଜଣେ ସୃଜନଶୀଳ ବ୍ୟକ୍ତିର ସୃଷ୍ଟି ମଧ୍ୟ ବିଭିନ୍ନ ସ୍ତର ଓ ପର୍ଯ୍ୟାୟ ଦେଇ ଗତିଶୀଳ ହୋଇଥାଏ । ଆଗରୁ କୁହାଯାଇଥିବା କଥାକୁ ବାରମ୍ବାର ଦୋହରାଯାଏ ନାହିଁ । କିଛି ନୂଆ କଥା ନୂଆ ଢଙ୍ଗରେ କହିବାକୁ ଇଛା ହୁଏ । ଜୀବନର ନୂଆ ଭିନ୍ନ ଉପଲବ୍ଧି ଜଣେ ଲେଖକକୁ ପରିବର୍ତ୍ତନର ଖୋରାକ ଯୋଗାଏ । ବିଭିନ୍ନ ଚରିତ୍ର ଅବଲୀଳା କ୍ରମେ ଆସନ୍ତି ଓ ରୂପାୟିତ ହୁଅନ୍ତି । ଯେତେବେଳେ ଯେଉଁ ପରିସ୍ଥିତିରେ ଯାହା ମନକୁ ଛୁଏଁ ଓ ମନରେ ସ୍ଥାୟୀ ଦାଗଟିଏ ସୃଷ୍ଟି କରେ, ତାହା ପ୍ରକାଶିତ ହୁଏ ।

ମୋର ପ୍ରତେକ ଗଳ୍ପ ସଂକଳନରେ ପ୍ରାୟ ସମସ୍ତ ବର୍ଗର ମଣିଷମାନଙ୍କୁ ନେଇ କିଛି ଗପ ଘଟିଛି । ସମାଜରେ ଅବହେଳିତବର୍ଗଙ୍କୁ ନେଇ କାହାଣୀ କେତୋଟି ଆପଣ ସବୁ ସଂକଳନରେ ପାଇପାରିବେ ।

‘ଅପଥଚାରିଣୀ’ ଆପଣଙ୍କ ଏକ ଚର୍ଚ୍ଚିତ ବହି । ତେବେ ମୋ ପ୍ରଶ୍ନଟି ବହି ବାହାରେ ଆଉ ଟିକେ ବ୍ୟାପକ । ଆପଣଙ୍କ କଥାରେ ଅଧିକାଂଶ ଚରିତ୍ର ‘ ପଥ’ ଅପେକ୍ଷା ‘ଅପଥ’ରେ ଚାଲିବାକୁ ଚେଷ୍ଟା କରିଥାନ୍ତି । ଏହି ‘ଅପଥଚାରିଣୀ’ ଏକପ୍ରକାର ସଚେତନ ପ୍ରତିବାଦ ନୁହେଁ କି ?

ମଣିଷ ପାଇଁ ପଥ ଅପଥ ଆପେକ୍ଷିକ ଶବ୍ଦ । ମୋ ପରି ଜଣେ କାହାଣୀକାର ପାଇଁ ସୁବିଧା ହେଉଛି ଯେକୌଣସି ଚରିତ୍ରରୁ ନେଇ କାହାଣୀ ସୃଷ୍ଟି କରିପାରେ । ମଣିଷ ତା ଜୀବନକୁ ବଞ୍ଚିଥାଏ । ଯଦି ନିର୍ଦ୍ଦିଷ୍ଟ କେତେକ କର୍ମ ନିର୍ଦ୍ଦିଷ୍ଟ ଭାବରେ ସମ୍ପନ୍ନ କରିବାକୁ ପଥ କୁହାଯାଏ, ତେବେ ସେଇ ପଥରେ ଚାଲୁଥିବା ଚରିତ୍ରମାନେ ହୁଏତ ମୋ କାହାଣୀର ପରିସରକୁ ଆସିନାହାନ୍ତି । ଏଇଥିପାଇଁ ଯେ ସେମାନଙ୍କୁ ନେଇ ଅଧିକ କିଛି କହିବାର ନଥାଏ । ସେମାନେ ତାଙ୍କ କଥା ଆରମ୍ଭରୁ ହିଁ କହି ଦେଇଥାନ୍ତି । ତେବେ ଏଇ ‘ପଥ’ର ଚରିତ୍ରମାନଙ୍କୁ ପ୍ରସ୍ତ ପ୍ରସ୍ତ କରି ଚିରିଦେଇ ସେମାନଙ୍କର ମଞ୍ଜକୁ ପରଖି ଦେଖିଛି ଯେ କୋଉଠି ନା କେଉଁଠି ଅପଥ ଆହ୍ୱାନ କରନ୍ତି, ଉଦ୍ଦୀପତ କରନ୍ତି । ରହସ୍ୟ ନଥିବା ଚରିତ୍ର ମୋତେ ଆକର୍ଷିତ କରିପାରନ୍ତି ନାହିଁ । ମୋତେ ଲାଗେ ଜୀବନର ସତ, ନିଚ୍ଛକ ରୂପାୟନ ତା ନୁହେଁ ।

ଆପଣଙ୍କ ଗପରେ ‘ପାପବୋଧ’ ବା sense of guilt ବିଲକୁଲ ନଥାଏ । ଏହା ଆଧୁନିକ କଥାସାହିତ୍ୟର ଏକ ବିଶିଷ୍ଟ ଗୁଣ । ଏ ସମ୍ପର୍କରେ କିଛି କୁହନ୍ତୁ ।

ଲେଖକ ଭାବରେ ମୁଁ ଜୀବନ - କଥାକୁ କାହାଣୀ ମାଧ୍ୟମରେ ପ୍ରକାଶ କରିବାକୁ ଚେଷ୍ଟା କରିଥାଏ । ପାପ ପୁଣ୍ୟର ନିର୍ଣ୍ଣାୟକ ଭାବେ ନୁହେଁ । ସତ୍ୟକୁ ଉଦାର ପୁଟ ଦେଇ ପ୍ରକାଶ କରିବା ହେଉଛି ମୋର ବୃତ୍ତି । ଯେକୌଣସି ମଣିଷ, ଯେକୌଣସି ଘଟଣା ତେଣୁ ମୋର କାହାଣୀର ଚରିତ୍ର ବା କାଳ ହୋଇପାରନ୍ତି । ମୁଁ ଚରିତ୍ର ବା କାହାଣୀ ପ୍ରତି ନିଷ୍ଠାବାନ ହେବାକୁ ଚେଷ୍ଟା କରେ । କୌଣସି ଚରିତ୍ରକୁ ନେଇ ମୁଁ ଲେଖିବା ଯାହା ସେଇ ଚରିତ୍ର ନିଜକଥା ନିଜକୁ କହିବା ସେଇଆ । ନିଜ ସହ କଥାବାର୍ତ୍ତା ହେଲାବେଳେ ମଣିଷ ପାପବୋଧରେ ଭାରାକ୍ରାନ୍ତ ହୁଏ ନାହିଁ ।

ଗପ ଲାଗି ‘କାହାଣୀ’ ବା ‘ରଚନା କୌଶଳ’ - କେଉଁଟି ବେଶୀ ଗୁରୁତ୍ୱପୂର୍ଣ୍ଣ ?

ମୋ ବିଚାରରେ ଦୁଇଟିଯାକ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ତେବେ ବ୍ୟକ୍ତିଗତ ଭାବରେ ମୁଁ ରଚନା କୌଶଳରେ ପକ୍ଷ ଅଧିକ ଗ୍ରହଣ କରେ । ପୃଥିବୀରେ ଅନେକକାଳରୁ ଅନେକ କାହାଣୀ କୁହାଯାଇଛି । ହୁଏତ ଏମିତି କିଛି କଥା ନାହିଁ ଯାହା ପ୍ରଥମଥର ପାଇଁ କୁହାଯିବ,
ତେବେ ପ୍ରତ୍ୟେକ କଥନଭଙ୍ଗୀ ଅନ୍ୟଠାରୁ ଭିନ୍ନ । ରଚନା କୌଶଳ ବିଶେଷ କରି ଜଣେ ଲେଖକକୁ ଅନ୍ୟଠାରୁ ସ୍ୱତନ୍ତ୍ର କରି ଚିହ୍ନାଏ ।

ନୂଆ ପ୍ରଜନ୍ମର ଲେଖିକା ଭାବରେ ସମୟ ଓ ସମାଜର ବ୍ୟାପକ ରୂପାନ୍ତରଣ ଆପଣ ଅନୁଭବ କରିଛନ୍ତି । ଏହି ରୂପାନ୍ତରଣର ଅନୁଭବ ଆପଣଙ୍କ ଲେଖାରେ କି ପ୍ରକାର ପ୍ରତିଫଳିତ ହୋଇଛି ?

ଅନ୍ୟ ପ୍ରଶ୍ନମାନଙ୍କ ମାଧ୍ୟମରେ ଆପଣ ମୋର ଗଳ୍ପର ବିଶେଷତ୍ବକୁ ନେଇ ଦେଉଥିବା ମନ୍ତବ୍ୟ ବୋଧହୁଏ ଏହି ପ୍ରଶ୍ନର ଯଥାର୍ଥ ଉତ୍ତର ହେବ । ମୋ ଗଳ୍ପରେ ସମୟ ଓ ସମାଜର ରୂପାନ୍ତରଣର ପ୍ରଭାବକୁ ନେଇ ପାଠକଙ୍କ ମତାମତ ଗ୍ରହଣଯୋଗ୍ୟ ହୁଅନ୍ତା ।

ଟେକ୍ନୋସେଭି ନୂଆ ଓଡ଼ିଆ ପାଠକ ଲାଗି ଆମ ଗପରେ ନୂଆ ଆକର୍ଷଣ ଅଛି ବୋଲି ଆପଣ ଭାବୁଛନ୍ତି କି ?

ପ୍ରତି ଯୁଗରେ ସାହିତ୍ୟର ପାଠକ ଅଲଗା ଥାଆନ୍ତି । ସେଇ ଯୁଗରେ ମଧ୍ୟ ନିର୍ଦ୍ଦିଷ୍ଟ ମନନଶୀଳ ମଣିଷକୁ ଆନମନା କରିବାକୁ ପ୍ରଲୋଭିତ କରିବାକୁ ଆହୁରି ଅନେକ ପ୍ରକାର ଆକର୍ଷଣ ଥାଏ । କିନ୍ତୁ ସାହିତ୍ୟର ପାଠକ, ବହି ପଢିବାକୁ ଭଲ ପାଉଥିବା ଲୋକ ସେମିତି ନିଜ ଭଲ ପାଇବାକୁ ନେଇ ରହିଥାନ୍ତି । ଟେକ୍ନୋସେଭି ମଣିଷମାନଙ୍କର ମଧ୍ୟ କଳାତ୍ମକତା ପ୍ରତି ରୁଚି ରହିଥାଏ । ସେମାନେ ମଧ୍ୟ ଅନ୍ୟ ପ୍ରକାର ଜୀବନ ବଂଚୁଥିଲାବେଳେ ସମୟ ଓ ସତ୍ୟ ସହ ମୁହାଁମୁହିଁ ହୁଅନ୍ତି । ପୁଲକ ଓ ବ୍ୟଥା ସହ ପରିଚିତ ହୁଅନ୍ତି । ତେବେ ରୁଚିଶୀଳତା ହେଉଛି ମୂଳକଥା ।

ଓଡ଼ିଆରେ ଏମିତି ପାଠକ ସଂଖ୍ୟା ଖୁବ ଆଶାଜନକ ନୁହେଁ । ଜଣେ ଲେଖକଙ୍କୁ ଉତ୍ସାହିତ କରିବାକୁ, ଭଲ ଲେଖାକୁ ନ୍ୟାଯ୍ୟ ସମ୍ମାନ ଦେବାକୁ ପାଠକମାନେ କଦବା କେମିତି ଆଗଭର ହୁଅନ୍ତି । ଅନଲାଇନ ବହି, ଇ ପବ୍ଲିଶ ଜରିଆରେ ଯୁବଗୋଷ୍ଠୀଙ୍କୁ କେତେକ ପରିମାଣରେ ଆକୃଷ୍ଟ କରାଯାଇପାରିବ । ପଢିବା ସହ ଶୁଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଅଡିଓ ସିଡ଼ି କରାଯାଇପାରିବ । କିନ୍ତୁ ମୁଁ ଭାବେ ଯେ ବହିର ବିକଳ୍ପ ନାହିଁ । ନିଜ ପ୍ରିୟ ଲେଖକଙ୍କର ବହିଟିକୁ ଦେହରେ ଲଗାଇ ଆରାମରେ ପଢିବା ମୋ ପାଇଁ ସବୁଠାରୁ ଆନନ୍ଦଦାୟକ କାର୍ଯ୍ୟ ।

ଆପଣଙ୍କ ଗପରେ ନାରୀର ‘ସୀମା ଓ ସଂକୋଚ’ ଉପରେ ଆପଣ ପ୍ରଚୁର ପ୍ରହାର କରିଛନ୍ତି । ‘ସୀମା ଓ ସଂକୋଚ’ ବିରୋଧରେ ପ୍ରତିବାଦ କରୁଥିବା ଆପଣଙ୍କ ଚରିତ୍ରମାନେ ଗୋଟେ ରକ୍ଷଣଶୀଳ ସମାଜରେ କେମିତି ଗ୍ରହଣୀୟ ହେଉଛନ୍ତି ?

‘ସୀମା ଓ ସଂକୋଚ’ ରହିବା କଥା ମଣିଷର ଆଚାର ବ୍ୟବହାରରେ, ପୋଷାକ ପରିଧାନରେ, ସବୁପ୍ରକାର ବାହ୍ୟ ଆଚରଣରେ । ମଣିଷର ଚେତନାରେ, ମାନସିକତାରେ, ଉପଲବ୍ଧିରେ, ଅନୁଭବରେ, ଅନୁଭୂତିରେ ସୀମା ଓ ସଂକୋଚ ନଥାଏ, ନା ନାରୀର ନା ପୁରୁଷର । ସାହିତ୍ୟରେ ତାହାର ହିଁ ପରିପ୍ରକାଶ ହୁଏ । ମୋ କାହାଣୀରେ ନାରୀ ଚରିତ୍ରମାନେ ସେମାନଙ୍କର ମନଃପୁତ ଜୀବନ ବଂଚନ୍ତି ବା ବଂଚିବାକୁ ଚେଷ୍ଟା କରନ୍ତି ବା ବଂଚିପାରନ୍ତି ନାହିଁ । କାହାଣୀର ବର୍ଣ୍ଣନା ସେଇ ଚରିତ୍ରମାନଙ୍କ ମାନସିକତାକୁ ନେଇ ଗତିଶୀଳ ହୁଏ ।

ଆପଣଂକର ଏଇ ପ୍ରଶ୍ନଟି ଖୁବ ଗୁରୁତ୍ୱପୂର୍ଣ୍ଣ । ଏଇଥିପାଇଁ ସେ ଏଇ ଯୁଗରେ ମଧ୍ୟ ସାହିତ୍ୟରେ ବା କଳାତ୍ମକ ପରିପ୍ରକାଶରେ ଆମେ ସୀମା ଓ ସଂକୋଚ କଥା ଭାବୁଛେ ଓ ତା ମଧ୍ୟ କେବଳ ନାରୀ ଲେଖିକାଙ୍କ ଲେଖନୀକୁ ନେଇ କାହିଁକି ?

କରିସୂର୍ଯ୍ୟ ବଳଦେବ ରଥ ମୋର ପ୍ରିୟ କବି । ମୋ ମତରେ ଓଡ଼ିଆ ସାହିତ୍ୟରେ ଆଧୁନିକତାର ପ୍ରବର୍ତ୍ତକ ସେ । ତାଙ୍କର ଅନେକ ଗୀତ କବିତାକୁ ମୁଁ ସମୟ ଅସମୟରେ ଗୁଣୁଗୁଣାଉଥାଏ । ଗୋଟିଏ ଗୀତି କବିତାରେ ଉଦାହରଣ ଦେବି -

କି ହେଲାରେ, କହିତ ନୁହଁଇ ଭାରତୀରେ …

ନିଜ ପ୍ରେମିକ (କୃଷ୍ଣ)ଙ୍କୁ ଦୂରରୁ ଦେଖି ପ୍ରେମିକାଙ୍କ (ରାଧାଙ୍କ ପରି ଜଣେ ଉତ୍ତମ ନାରୀ) ମାନସିକତାକୁ ବର୍ଣ୍ଣନା କରିଛନ୍ତି କବି ସୂର୍ଯ୍ୟ । କାହିଁ କେଉଁଠି ଅଛି ସୀମା ଓ ସଂକୋଚ ? ଆମ ସମାଜ ଯଦି କବି ସୂର୍ଯ୍ୟଙ୍କ ପ୍ରଭୁତ୍ୱ ରଚନା ସମ୍ଭାରକୁ ଜାତୀୟ ଗର୍ବ ବୋଲି ଗ୍ରହଣ କରିପାରିଲା, ଆଜି ଅନେକଯୁଗ ପରେ ସାହିତ୍ୟରେ ଆଉ ସେ ବିତର୍କ କାହିଁକି ?

ହଁ, କେବେ କେମିତି ଶୁଣିଚି ଥରେ ଅଧେ ଆପଣ ନାରୀ ହୋଇ ଏମିତି କେମିତି ଲେଖିପାରିଲେ ?

ମୁଁ ଯାହା ଲେଖୁଛି, ତା ଲେଖୁନଥିଲେ, ଜଣେ ଆଦର୍ଶ ଗୃହିଣୀ ହୋଇ ବଞ୍ଚିଥାନ୍ତି, ବେଶ ଆରାମରେ । ‘ସୀମା ଓ ସଂକୋଚ’ର ଦାଢ଼ରେ ଛଟପଟ ହେଉଥିବା ଅନେକ ନାରୀ …. ତାଙ୍କ କଥା ଓ ବ୍ୟଥାକୁ ନେଇ ମୋତେ ଏମିତି ରାତି ରାତି ଅନିଦ୍ରା ରହନ୍ତେ ନାହିଁ ।

ପାରମିତା ଶତପଥୀ ନିଜକୁ ପାଠିକା ରୂପେ ପଢିଲାବେଳେ ନିଜକୁ କେମିତି ଦେଖନ୍ତି ?

ଅନେକ ସମୟରେ ଆଶ୍ଚର୍ଯ୍ୟ ହୁଏ, ଏମିତି କଣ ସତରେ ମୁଁ ଲେଖିଛି ? ମୋରି ଲେଖା ନିଜେ ପଢିବାରେ ମଜ୍ଜି ଯାଏ । କେତେବେଳେ କେମିତି ଲାଗିଛି ଯେ ଏଇଟିକୁ ଅନ୍ୟପ୍ରକାର ଲେଖିପାରିଥାନ୍ତି । ଲାଗେ ଆହୁରି କିଛି କହିବାକୁ ଚାହୁଁଥିଲି ପାରିଲି ନାହିଁ ।