ଫଟୋ - ନୋବେଲ ଡଟ ଅର୍ଗ

ଅନେକଦିନ ତଳେ ..ସେବର୍ଷ ପ୍ରବଳ ଖରା ପଡିଥାଏ । ପରୀକ୍ଷା ସରି ଯାଇଥାଏ । ଆମେ ସବୁ ମେସ୍ ରେ ପଖାଳ ଗଣ୍ଡେ ଗଣ୍ଡେ ବାଡେଇଦେଇ ତାସ୍ କି କ୍ୟାରମ ଖେଳୁଥାଉ । ମଝି ମଝିରେ ମୁଁ ୟା ତା ଥାକ କି ମୋ ଥାକ ଖେଳେଇ ପୁରୁଣା ଗପ ବହି ଓଟାରି ପଢୁଥାଏ । ସେମିତି ଏକ ନିର୍ମମ ଖରାବେଳେ ମୋ ହାତରେ ପଡିଲା ଆଇଜାକ ବାଶେଭିସ ସିଙ୍ଗରଙ୍କ "ବୁଦ୍ଦୁ ଘିମ୍ଫେଲ ଓ ଅନ୍ୟାନ୍ୟ ଗପ" । ବହିଟିକୁ କିଏ ଆଣିଥାଏ ମୁଁ ଜାଣିନଥାଏ । ଅନୁବାଦକ କମଳାକାନ୍ତ ମହାପାତ୍ର ..ତାଙ୍କ ନାଁ ବି ମୁଁ ଶୁଣି ନଥାଏ । (ମୁଁ କାହୁଁ ଜାଣିବି ଆଉ କେଇଟି ବର୍ଷ ପରେ ଏ ଲେଖକ ତାଙ୍କ ଲେଖାରେ ମୋର ଗପକୁ ନେଇ ଯାବତୀୟ ପ୍ରକାର ଧାରଣା ବଦଳେଇ ଦେବେ ଆଉ ମୁଁ ପାଗଳଙ୍କ ପରି ବହି ଖୋଜି ଖୋଜି ପଢ଼ିବି ବୋଲି !)

ସେ ଯାହା ବି ହେଉ ମୁଁ ପଢ଼ିଲି ସେ ବହି । ଆଉ ସେ ଖରାବେଳେ ସେ ବହି ପଢିଲାବେଳେ କୋଉଠି ଗୋଟେ ଅଜାଣତରେ ମୋ ଭିତରେ ଭଲ ଗପର ସଂଜ୍ଞା ତିଆରି ହେଇଗଲା ...ତା' ହେଲା ନିର୍ମମ ସତ୍ୟକୁ ଉଚ୍ଚାରଣ କରିବାକୁ ହେଲେ ଓ ତାହା ସାଧାରଣ ଲୋକ ପାଖରେ ପହଞ୍ଚେଇବାକୁ ହେଲେ . .ଆପ୍ତ ବାକ୍ୟ ନଲେଖିକି ପ୍ରବଳ ଦର୍ଶନ ବାନ୍ତି ନ କରିକି ..ସିଧା ସିଧା ଘଟଣା, ଚରିତ୍ରମାନଙ୍କ କାର୍ଯ୍ୟକଳାପ ଦେଖେଇଦେବାର ବାଗଟି ହିଁ ଭଲ ଗପର କଳା ଓ ପାଠକର ଅନ୍ତର୍ନିହିତ ବୋଧଶକ୍ତି ହିଁ ସେ ଗପରୁ ଯେ ଦର୍ଶନ ଉଠେଇପାରିବ, ଲେଖକଟିଏ ଅନ୍ତତଃ ଏ ବିଷୟରେ ଦ୍ବନ୍ଦ୍ବହୀନ ରହୁ । ତାପରେ ମୋ ହାତରେ ପଡିଲା "Spinoza of market street and other stories " ଓ "The Slave "..କଣ ସେ ଗପ ...ପୂରା ମୁଣ୍ଡ ଖରାପ ହେଇଗଲା । ତାଙ୍କର "Love and Exile " ସ୍ମୃତିଲେଖ ପଢିଲାପରେ ମଣିଷର ଆଶାବାଦ, ସ୍ୱପ୍ନପ୍ରବଣତା ଓ ନିଜ ଦୁଃସ୍ଥିତିକୁ ନଗ୍ନ ଭାବେ ଚିତ୍ରଣ କରିବାର କଳାହୀନ କଳାରେ ମୁଁ ବହୁଦିନ ଧରି ମୁଗ୍ଧ ହେଲି (ଓ ଆଜି ବି ହେଉଛି ) । ସିଙ୍ଗର, ରିଚାର୍ଡ ବୁର୍ଗିଂଙ୍କୁ ଦେଇଥିବା ଏ ସ୍ମରଣୀୟ ସାକ୍ଷାତକାର ଅନୁବାଦ କଲାବେଳେ ମୋର ଅନେକଥର ମନେହେଇଛି ମଣିଷ ନିଜ ଜୀବନ ଗୋଟାଏ କାହାଣୀ ଯାହାକୁ ସାମଗ୍ରିକ ଭାବେ ପ୍ରକାଶ ନକରିପାରିବାର ଅକ୍ଷମତା ଓ ତାକୁ ଚେଷ୍ଟାକରିବାର ପ୍ରକ୍ରିୟା ଭିତରେ ଗୋଟେ ସଫଳ ଗାଳ୍ପିକ ବଂଚିରୁହେ।

ରିଚାର୍ଡ ବୁର୍ଗିଂ: ଆପଣ ଯେତେବେଳେ ପ୍ରଥମେ ଆମେରିକା ଆସିଲେ, ଆମେରିକା ଉପରେ ଆପଣଙ୍କ ଧାରଣା କେମିତି ଥିଲା ?

ସିଙ୍ଗର: ମୁଁ ଯେତେବେଳେ ପ୍ରଥମେ ଆସିଲି ମତେ ତ ଯେମିତି ବିଭୀଷିକା ଭିତରେ ଫସିଗଲା ଭଳି ଲାଗିଲା । ମୁଁ ପୋଲାଣ୍ଡରୁ ଗୋଟେ ବିଭୀଷିକାରୁ ବାହାରି ଆସିବି କଣ ଏଇଠି ଆଉ ଗୋଟେ ବିଭୀଷିକାରେ ଫସିଗଲା ଭଳି ଲାଗିଲା ।

ମୁଁ ୱାରସ୍ଵରେ (ପୋଲାଣ୍ଡ )ରେ ଗୋଟେ ୟିଦ୍ଧିସ ସାମ୍ବାଦିକ ହିସାବରେ କାମ କରୁଥିଲି ଯୋଉଠି ଇହୁଦୀଙ୍କ ଅଵସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଥିଲା । ୧୯୩୫ରେ ତ ହିଟଲର ପୂରା ଶକ୍ତିଶାଳୀ ଥିଲା, ଶାସନରେ ଥିଲା । ସେତେବେଳେ ନାଜିମାନେ ପୋଲାଣ୍ଡକୁ ଆସୁଥିଲେ, ଶିକାର କରୁଥିଲେ ଫେରି ଯାଇକି ପୋଲାଣ୍ଡର ରାଜନୀତି ବିଷୟରେ ମନ୍ତ୍ରଣା କରୁଥିଲେ । ଆମେରିକା ହିଁ ସେତେବେଳେ ମୋ ପାଇଁ ଏକମାତ୍ର ଆଶା ଥିଲା । ମୋତେ ପୋଲାଣ୍ଡର ଭବିଷ୍ୟତ ଧୂଆଁଳିଆ ଦିଶୁଥିଲା । ମୁଁ ତ କହିବି ଆମର ବହୁତ ଲୋକ ଅନ୍ଧ ଥିଲେ, କି ଆଶାବାଦୀ ଥିଲେ କେଜାଣି, ଯୋଉମାନେ ଏସବୁ କିଛି ଦେଖିପାରୁ ନ ଥିଲେ ।

ରିଚାର୍ଡ ବୁର୍ଗିଂ: ଆପଣ କଣ ଏମିତି ବିଭୀଷିକା ଭିତରେ ଫସିଗଲେ ?

ସିଙ୍ଗର: ମୁଁ ଆସୁ ଆସୁ ତୁରନ୍ତ ଠଉରେଇପାରିଲି ଯେ ୟିଦ୍ଧିସ ଭାଷାର ଅବସ୍ଥାଟି ଏଇଠି କଣ କହିଲ । ମତେ ତ ପ୍ରଥମେ ଏମିତି ବି ଲାଗିଥିଲା ଯେ ୟିଦ୍ଧିସ ବୋଧେ ଆମେରିକାରେ ଅତିବେଶୀରେ ପାଞ୍ଚ ଛ ବର୍ଷରୁ ଅଧିକା ତିଷ୍ଠି ପାରିବ ନାହିଁ । ୧୯୩୫ ବେଳକୁ ୟିଦ୍ଧିସ ଏକମାତ୍ର ଭାଷା ଥିଲା ଯୋଉଥିରେ ମୁଁ ଆରାମରେ କଥାବାର୍ତ୍ତା କରିପାରୁଥିଲି; ଅବଶ୍ୟ ମୁଁ ହିବ୍ରୁ, ଜର୍ମାନ ଆଉ ପୋଲିଶ ଭାଷା ବି ଟିକେ ଟିକେ ଜାଣିଥିଲି । ଏଠିକି ଆସି ମୋତେ ଲାଗିଲା ମୋର ଏମିତି ମୂଳୋତ୍ପାଟନ ହେଇଗଲା ଯେ ମୋର ମୂଳଟି ଆଉ କୌଣସି ଦେଶରେ ମୁଁ ରୋପିପାରିବି ନାହିଁ କି ବଢ଼େଇ ପାରିବି ନାହିଁ । ସେତେବେଳେ ମୁଁ ଯେତେ ଯୁବବର୍ଗଙ୍କୁ (ଟୋକା ଟାକଲିଆଙ୍କୁ) ଭେଟିଲି ସମସ୍ତେ କମ୍ୟୁନିଷ୍ଟ ଥାନ୍ତି । ସମସ୍ତେ କମ୍ରେଡ ଷ୍ଟାଲିନକୁ ଏମିତି ଦେଖୁଥାନ୍ତି ସତେକି ସିଏ ସାମାନ୍ୟ ତ୍ରାଣକର୍ତ୍ତା ନୁହେଁ ପୂରାକୁ ପୂରା ଭଗବାନ ଯଦିଓ ମୁଁ ଜାଣିଥାଏ ଯେ ଏଇଟା ଗୋଟେ ବିରାଟ ମିଛ । ମୁଁ ବି କିଛି କାମଧନ୍ଦା ପାଉ ନଥାଏ । "The Jewish Daily Forward" ରେ ମୋର ଯୋଉ କିଛି ଗପ ବାହାରିଥାଏ ତାକୁ ମୁଁ ଆଣିକି ଆସିଥାଏ । କିନ୍ତୁ ମୁଁ ଜାଣିନି କଣ ପାଇଁ କେଜାଣି ମୋ ଭିତରେ ଲେଖିବାର ଇଚ୍ଛାଟି ଉଡି ଯାଇଥାଏ । ମୁଁ ବଡ ଖରାପ ପରିସ୍ଥିତିରେ ଥାଏ । କିଛି ନହେଲେ ୱାରସ୍ଵରେ କିଛି ତରୁଣୀ ଥିଲେ, ମୁଁ ଏଇଠି କାହା ସଂଗେ ସମ୍ପର୍କ ବଢ଼େଇ ପାରୁନଥାଏ । ଏଇଠି ଝିଅମାନେ ଖାଲି କଞ୍ଚା ଇଂରାଜୀ କହୁଥାନ୍ତି । ଆଉ ଯିଏ ସବୁ ୟିଦ୍ଧିସ କହୁଥାନ୍ତି ସବୁ ଦରବୁଢ଼ୀ କିମ୍ବା ମୋ ମନକୁ ଗଲା ଭଳିଆ କେହିନଥାନ୍ତି । ଆପଣ ତ ଜାଣନ୍ତି ଇହୁଦୀତ୍ୱ (ୟିଦ୍ଧିସପଣ) ଆଉ ସେକ୍ସ କେବେ ହାତ ଧରାଧରି ହେଇଯାନ୍ତିନାହିଁ । ତେଣୁ ମୁଁ ସମ୍ପୂର୍ଣ୍ଣ ନିରାଶ ହେଇଯାଇଥାଏ ।

ରିଚାର୍ଡ ବୁର୍ଗିଂ: ସେତେବେଳକୁ ଆପଣଙ୍କର କିଛି ବହି ବାହାରି ସାରିଥିଲା କି ?

ସିଙ୍ଗର: ପୋଲାଣ୍ଡରେ ଥିଲାବେଳେ ମୋର ଏକମାତ୍ର ବହି “Satan in Goray.” ପ୍ରକାଶିତ ହେଇଥିଲା । ଏଇଠି ତ ମୁଁ ଲଜ୍ ରେ ରହି, କ୍ୟାଫେଟେରିଆରେ ଖାଇପିଇ କି ଜୀବନ ଚଳେଇଲି । ତାପରେ ମୁଁ ଆଉ ଟିକେ ଭଲ ଘରଟେ ନେଲି । ଗୋଟେ ପ୍ରେମିକା ବି ମିଳିଗଲା । ଯଦିଓ ସେ ମୋଠୁ ବୟସରେ ବଡ ଥିଲା କିନ୍ତୁ ବହୁତ ସୁନ୍ଦରୀ ଥିଲା । ତାପରେ ମୋତେ ଆଉ ଜଣେ ବି ମିଳିଗଲା । ପ୍ରକୃତରେ ସେତେବେଳେ ମୁଁ ଭାବୁଥିଲି ଯେ ମୁଁ ବୋଧେ ସେଇ ଲେଖକମାନଙ୍କ ଭିତରୁ ଜଣେ ଯିଏ ଖଣ୍ଡିଏ ବହି ଲେଖିକି ଅବଶିଷ୍ଟ ଜୀବନ ନୀରବତାରେ କାଟିଦିଏ । ସେମିତି ତ ଲେଖକ ବି ଅଛନ୍ତି । ମୁଁ ଏବେ ବି ଭାବେ ଯେ ଯଦି ଜଣେ ଗୋଟିଏ ବି ଭଲ ବହି ଲେଖିଥାଏ, ଯାହାର କିଛି ଅର୍ଥ ଥାଏ ..ମୂଲ୍ୟ ଥାଏ ତାହେଲେ ବି ସିଏ ଲେଖକଟିଏ । ଏଇ ଧାରଣାରେ ମୁଁ ମୋର ଶାନ୍ତିରେ ଥାଏ । କିନ୍ତୁ କଥା ହେଲା ଯେ ମୁଁ ବଞ୍ଚିବି କେମିତି । ଗୁଜୁରାଣ କେମିତି ମେଣ୍ଟେଇବି ? ୱାସ୍ଵାରେ ଛପା ହେଇଥିବା ଖଣ୍ଡିଏ ବହିରେ ତ ଆଉ ମୁଁ ସାରାଜୀବନ କାଟି ପାରିବିନି, ତାପରେ ୧୯୪୩ରେ ଏଇଠି ଆଉଥରେ ପୁଣି କିଛି ନୂଆ ଗପ ମିଶେଇ “Satan in Goray.” ଆଉଥରେ ଛପା ହେଲା । ସେତେବେଳେ ଏଇଥିପାଇଁ ମୋର ପ୍ରାପ୍ୟ ଥିଲା ୯୦ଡଲାର । ଏମିତି ଥିଲା ସେ ସମୟ ।

ରିଚାର୍ଡ ବୁର୍ଗିଂ: ସେତେବେଳ ଆପଣଙ୍କର ବାହାଘର ହେଇସାରିଥିଲା ?

ସିଙ୍ଗର: ମୁଁ ୧୯୩୭ ବେଳକୁ ଆଲମାକୁ ଭେଟିଲି । ମୋର ସାକ୍ଷାତ ହେବା ଆଉ ବାହାଘର ହେବା ଭିତରେ ଦି ତିନି ବର୍ଷ ଗଡିଯାଇଥାଏ । ଅସଲରେ ମୁଁ ମୋ ନିଜ ଗୁଜୁରାଣ ମେଂଟେଇ ପାରୁନଥାଏ । ପୁଣି ସ୍ତ୍ରୀକୁ ଆଣିଲେ ପୋଷିବି କେମିତି ଏଇ ଚିନ୍ତାରେ ଥାଏ । ଯେହେତୁ ସିଏ ଜର୍ମାନ (ଯଦିଓ ଇହୁଦୀ) ରୁ ଥାଏ, ତାକୁ ବିଲକୁଲ ୟିଦ୍ଧିସ ଜଣା ନଥାଏ । ଏଣେ ମୁଁ ତାକୁ ନିଜେ ଲେଖକ ବୋଲି ଜଣେଇଥାଏ ଅଥଚ ତାକୁ ପ୍ରମାଣିତ କରିପାରୁନଥାଏ । ସେତେବେଳକୁ ମୋର କୌଣସି ଲେଖା ଅନୁବାଦ ହେଇନଥାଏ । ତାକୁ ଖାଲି ବିଶ୍ୱାସ କରିବାକୁ ପଡୁଥାଏ । ଅସଲରେ ମୁଁ ମୋ ନିଜକୁ ଲେଖକ ବୋଲି ହେଜିଥାଏ, ଭାବୁଥାଏ ସେଇ ଲେଖକ ଯିଏ କେବେ ଅତୀତରେ ଲେଖାଲେଖି କରୁଥିଲା ଅଥଚ ଏବେ ସେ ସ୍ପୃହା ନାହିଁ କି ଶକ୍ତି ନାହିଁ !

ରିଚାର୍ଡ ବୁର୍ଗିଂ: ବଡ କଷ୍ଟକର ଥିଲା ନା ?

ସିଙ୍ଗର: ହଁ ଯେ, ମୁଁ ତୁମକୁ କହି ରଖେ ଯେ ଅସଲରେ ଯେହେତୁ ମୁଁ ପ୍ରଚୁର ନିରାଶାବାଦୀ, ମୁଁ ସହଜରେ ନିଜେ ପ୍ରତ୍ୟାହାର କରିପାରେ । ମୁଁ ନିଜକୁ କହେ "କୋଉ ଗୁଣରେ ମୁଁ ପୋଲାଣ୍ଡରେ ଥିବା ଇହୁଦୀଙ୍କ ଠୁ ଭଲରେ ଅଛି ? ସେମାନେ ତ ସେମିତି ଇହୁଦୀ ଗାରଦରେ ଭର୍ତ୍ତି ହେଇଛନ୍ତି", ମୁଁ ସହଜରେ ଓହରି ଆସିପାରେ । ବ୍ୟକ୍ତିଗତ ଜୀବନରେ ମୁଁ ସଦାବେଳେ "ହେଲେ ହୋ ନହେଲେ ଢ଼ୋ" ଭାବି ବଂଚି ଆସିଛି । ହେଇଥିଲେ ହେଇଥାନ୍ତା, ନହେଲା ବୋଲି ଆଉ କାହା କାନ୍ଧରେ ମୁଣ୍ଡ ରଖି ସକେଇହେବି ନା କଣ, ମୁଁ ତ ମୋ ନିଜ କାନ୍ଧରେ ବି ମୁଣ୍ଡ ରଖି ସକେଇହେବା ଲୋକ ନୁହେଁ ।

ରିଚାର୍ଡ ବୁର୍ଗିଂ: ଆପଣ ଏଠିକୁ ଆସିଲାବେଳେ କେତେ ଇଂରାଜୀ ଜାଣିଥିଲେ ?

ସିଙ୍ଗର: ବିଲକୁଲ ଜାଣିନଥିଲି । "ଏଇ ଚୌକି ରେ ବସନ୍ତୁ" ଛଡା ମତେ ଆଉ କିଛି କହିବା ଜଣା ନଥିଲା । ସେମିତିରେ ବି ମୁଁ ଯୋଉଠି ରହୁଥିଲି ସେଠି ବସିବାପାଇଁ ଖଣ୍ଡିଏ ମାତ୍ର ଚୌକି ଥିଲା ଆଉ ମୋ ପାଖକୁ ସେମିତିରେ କେହି ଦେଖା କରିବାକୁ ଆସୁନଥିଲେ ।

ରିଚାର୍ଡ ବୁର୍ଗିଂ: ତାହେଲେ କେମିତି ଆପଣ ଏ ଭାଷାକୁ ଆୟତ୍ତ କଲେ ?

ସିଙ୍ଗର: ମତେ ଗୋଟେ ଶିକ୍ଷକ ମିଳିଗଲା । ଗୋଟେ ଅତି ଭଲ ଝିଅ ମତେ ରାଜି ହେଲା ଇଂରାଜୀ ଶିଖେଇ ଦେବାକୁ । ମୁଁ ବି ଚେଷ୍ଟା କଲି । ସବୁ କାର୍ଡ ଆଣି ଗୋଟିଏ ଗୋଟିଏ ଶବ୍ଦ ଲେଖି, ଅଭିଧାନରୁ ତା ଅର୍ଥ ଖୋଜି ତାକୁ ପ୍ରତ୍ୟେକ ଦିନ ଶେଜକୁ ଯିବା ପୂର୍ବରୁ ଘୋଷି ହେଉଥିଲି । ମୁଁ ଇଂରାଜୀରେ ବାଇବେଲ ବି ପଢିବାକୁ ଚେଷ୍ଟା କଲି । ମୁଁ ତ କହିବି ମୁଁ ନିଜେ ଠିକ ସେ ଏ ଭାଷାକୁ ବୁଝିବାକୁ ବର୍ଷେ ଖଣ୍ଡେ ଲାଗିଗଲା । ମୁଁ କ୍ୟାଫେଟେରିଆରୁ ନିଜେ ନିଜେ ଖାଦ୍ୟ ବରାଦ କରିପାରିଲି । ଟିକେ ଟିକେ ମୋ ଇଂରାଜୀ ଶିକ୍ଷକ ସଂଗେ ବି କଥାବାର୍ତ୍ତା ବି କରିପାରିଲି । ମୁଁ ଜାଣି ଯାଇଥାଏ ଯେ ଯଦି ମୁଁ ଏ ଭାଷା ନ ଶିଖୁଛି ତାହେଲେ ମୁଁ ସବୁଦିନ ପାଇଁ ହଜିଯିବି । ପ୍ରବାସୀ ନାଗରିକ ପ୍ରାୟ କେହି ବି ଠିକ ସେ ଇଂରାଜୀ ଶିଖନ୍ତି ନାହିଁ - ନବୋକୋଭ ଭଳିଆ କ୍ଵଚିତ ଲୋକ ଅଛନ୍ତି ଯିଏ କି ଇଂରାଜୀ ପ୍ରଫେସର ହେଇପାରିଥିଲେ, ହଁ ଏୟା ନିଶ୍ଚିତ ଯେ ମୁଁ କେବେ ଇଂରାଜୀରେ ଲେଖିବା କଥା ଭାବି ନାହିଁ । ଏମିତି ଅବସ୍ଥା ଥିଲା ।

ରିଚାର୍ଡ ବୁର୍ଗିଂ: ଆପଣଙ୍କୁ ଗପ ଲେଖିବାକୁ ଫେରିବା ପାଇଁ କେତେସମୟ ଲାଗିଗଲା ?

ସିଙ୍ଗର: ୧୯୩୫ରେ ମୁଁ ଏଇଠି କି ଆସିଲି, ସେଠୁ ଆରମ୍ଭକରି ୧୯୪୫ ଯାଏ ମୁଁ କିଛି ଲେଖିନଥିଲି । ତାପରେ ମୁଁ ହଠାତ “The Forward." ପାଇଁ “The Family Muskat” ଲେଖିବା ଆରମ୍ଭ କଲି । ସେତେବେଳକୁ ମତେ ଚାଳିଶ କି ଏକଚାଳିଶ ଚାଲୁଥାଏ । ମୁଁ ସେତେବେଳକୁ ଅତୀତର ବିସ୍ମୃତିରେ ଲୀନ ହେଇସାରିଥବା ଲେଖକଟିଏ ହେଇ ଯାହା ଥାଏ । ଯେତେବେଳକୁ ତମକୁ ୪୧ ହେଇଯାଇଥିବ ଆଉ ସେତେବେଳକୁ ତମର ଖଣ୍ଡିଏ ଛୋଟ ବହିଛଡା ଆଉକିଛି କୃତି ନଥିବ ତାହେଲେ ତ ତମେ ଜାଣ ଚାରି ପାଞ୍ଜିରୁ ଗଲ ।

ରିଚାର୍ଡ ବୁର୍ଗିଂ: ଆଛା, ଆଜିକାଲି "The Forward" କେତେ ସଂଖ୍ୟାରେ ବିକ୍ରି ହୁଏ ?

ସିଙ୍ଗର: ଅଶୀହଜାର କି ତାଠୁ କିଛି କମ ହେଇପାରେ । ମୋ ଉପନ୍ୟାସକୁ ସମସ୍ତେ ପଢ଼ିପାରିଲେ କାରଣ Forward ଗୋଟେ ଦଶବାର ପୃଷ୍ଠାର ଛୋଟ ଖବରକାଗଜ ଥିଲା । ଲୋକ ସବୁକିଛି ପଢିବା ପାଇଁ ୟାକୁ କିଣୁଥିଲେ । ତ ଏ ଖବରକାଗଜର ଯିଏ ସେକ୍ରେଟେରୀ ଥିଲେ ଶ୍ରୀମାନ ଡାୟନ ଫେଡେରର ସିଏ ନିଜ ଆଡୁ ମୋ ଲେଖା ନେଇ ଆବେ ନଫଁଙ୍କ ପାଖକୁ ଗଲେ, ଯେହେତୁ ମୋ ଲେଖା ଇଂରାଜ଼ୀରେ ଅନୁବାଦ ହେଇ ନଥାଏ , ସେଥିପାଇଁ ଆବେ ନଫଁଙ୍କ ଆଗ୍ରହ ଊଣାପଡିଗଲା । କିନ୍ତୁ ସେକ୍ରେଟେରୀ କହିଲେ ଯେ ଯେତେ ୟିଦ୍ଧିସ ଲୋକ ଅଛନ୍ତି ସେମାନେ ସମସ୍ତେ ଏଇପ୍ରକାର ଲେଖା ପଢିବାକୁ ଚାହାନ୍ତି । ତେଣୁ ନଫଁଙ୍କ ଜଣେ ସାଙ୍ଗ ଥାଏ ମୋରିସ ସାମୁଏଲ ...ତାଙ୍କର ଆଉ ଗୋଟେ ସାଙ୍ଗ ଥାଏ ଆବା ଗ୍ରାସ, ଯିଏ ଅନୁବାଦ କରନ୍ତି । ତାଙ୍କ ହାତରେ କିଛି କାମ ନଥାଏ । କିଛି ଗୋଟେ ଅନୁବାଦ ପାଇଁ ତାଙ୍କୁ ଗୋଟେ ବହି ଦରକାର ଥାଏ । କେମିତି କଣ ହଉ ସମସ୍ତେ ମିଶିକି ନଫଁଙ୍କୁ ମନେଇ ପାରିଲେ । ଆମର ୫୦୦ଡଲାରର ଗୋଟେ ଚୁକ୍ତି ହେଲା । ଅବଶ୍ୟ ମୋ ଭାଇ ଜୋଶୁଆଙ୍କ ସବୁ କୃତିକୁ ନଫଁ ଛାପିଥାନ୍ତି, ସେ ହିସାବରେ ମୁଁ ନଫଁଙ୍କ ପାଖେ ଅଜଣା ନଥାଏ ।

ରିଚାର୍ଡ ବୁର୍ଗିଂ: ଏମିତି ତ ସମୟ ଆସିଥିବା ଆପଣଙ୍କୁ ହଠାତ ଲାଗିଥିବା ହେ "ଆରେ ହେଇ, ହେ ଭଗବାନ ମୁଁ ତ ଦିନଦିନ ଧରି ସବୁଦିନ ଲେଖି ପାରିଲିଣି !"

ସିଙ୍ଗର: ଯଦି ତମେ ତମ ଉପନ୍ୟାସ "The Forward" ରେ ଆରମ୍ଭ କଲ ତାହାଲେ ତମକୁ ସାରିବାକୁ ପଡିବ । ଯେହେତୁ ଲୋକେ ଲେଖାକୁ ଅପେକ୍ଷା କରନ୍ତି, ମତେ ପ୍ରତି ସପ୍ତାହରେ ଗୋଟିଏ ଲେଖାଏ ଉପନ୍ୟାସର ଭାଗ ଦାଖଲ କରିବାକୁ ପଡୁଥାଏ ।

ରିଚାର୍ଡ ବୁର୍ଗିଂ: ତାହେଲେ ଆପଣ "The Forward" ରେ ଧାରାବାହିକ ଭାବେ ଲେଖା ଦେଉଥିଲେ ?

ସିଙ୍ଗର: ମୁଁ ଯାହା ବି ଲେଖେ, ଧାରାବାହିକ ଭାବେ ଲେଖେ । ଗୋଟେ ଶିଳ୍ପୀ ବି ଘୋଡା ଭଳି ଚାବୁକ ପାହାର ଲୋଡ଼େ । ମୋତେ କିଛି ନା କିଛି ଲେଖା ଦେବାର ଏମିତି ଅଭ୍ୟାସ ପଡିଗଲାଣି ଯେ, ଏଇଟା ମୋର ପ୍ରକୃତିଗତ ହେଇଗଲାଣି । ମୁଁ ତୁମକୁ କହିରଖେ ଯେ ବର୍ଷକୁ ମୋତେ ଚାରିସପ୍ତାହ ଛୁଟିକୁ ଛାଡିଦେଲେ ଏମିତି କୌଣସି ସପ୍ତାହ ନାହିଁ ଯୋଉଥିରେ ମୁଁ ଲେଖିନଥିବି । ପୁଣି ସେଇ ଯୋଉ ଚାରିସପ୍ତାହ ଛୁଟି ମିଳେ ସେଥିରେ ମତେ ବେଶୀ ଲେଖିବାକୁ ପଡେ, ଛୁଟି ପର କାମ କମେଇବା ପାଇଁ ।

ରିଚାର୍ଡ ବୁର୍ଗିଂ: ଆପଣ କୋଉଠି ଠାଏ କହିଥିଲେ ଯେ ଆପଣ ଜଣେ ନିଃସଙ୍ଗ ମଣିଷ ..

ସିଙ୍ଗର: ମୁଁ ଯେବେ ପହିଲା ଆମେରିକାରେ ପହଂଚିଲି ମୁଁ ନିଃସଙ୍ଗ ଥିଲି । ପ୍ରକୃତରେ ମୋ ଉପରେ ଦିଟା ଶକ୍ତି କାମ କରୁଥିଲା: ଗୋଟାଏ ଶକ୍ତି ଚାହୁଁଥିଲା ସବୁ କିଛି ଛାଡି, ସବୁ ନିଷ୍ଠୁରତା ସବୁ ବିଦ୍ବେଷକୁ ପଛକରି କୁଆଡେ କୌଣସି ନିର୍ଜନ ଦ୍ବୀପକୁ ଚାଲିଯିବାକୁ .. ନିଜକୁ ସମସ୍ତଙ୍କଠାରୁ ଦୂରେଇନେଇ ବନ୍ଦୀ କରି ରଖିବାକୁ ... ପୁଣି ସେଇ ସମାନ ସମୟରେ ଆଉ ଗୋଟେ ଶକ୍ତି ଚାହୁଁଥିଲା ଯେ "ଯା ..ଲୋକଙ୍କ ସଂଗେ ମିଶି ..ତାଙ୍କ ସଂଗେ କଥା ହ..ସେମାନଙ୍କୁ ବୁଝିବାକୁ ଚେଷ୍ଟା କର .." ଏପ୍ରକାର ସଂଘର୍ଷ ମୋ ସଂଗେ ସବୁବେଳେ ରହିଛି । ହେଲେ ବି ମୁଁ ଏକଥା ବି ହୃଦୟଙ୍ଗମ କରିଛି ଯେ ଯେତେବେଳେ ଆଉ କେହିନଥାନ୍ତି ..ତୁମେ ଏକୁଟିଆ ହେଇଯାଅ ତୁମର ଅହଂକାର, କମିବା ବଦଳେ ବଢିଯାଏ .. ବିଦ୍ବେଷ ବଢିଯାଏ , ସନ୍ଦେହ ଦ୍ଵିଗୁଣ ହେଇଯାଏ .. ପୂର୍ବଠାରୁ ଆଉରି ବେଶୀ ତମେ ଦିନକୁ ଦିନ ଅଜ୍ଞାନ ହେଇଯାଅ ।

ରିଚାର୍ଡ ବୁର୍ଗିଂ: କେମିତି ତାହେଲେ ଆପଣ ଏ ଦିଟି ବିରୁଦ୍ଧାତ୍ମକ ଶକ୍ତିକୁ ନେଇ ବୁଝାମଣା କରନ୍ତି ?

ସିଙ୍ଗର: ସତ କଥା ହେଲା ମଣିଷକୁ ମଣିଷପଣିଆ ସଂଗେ ଯୋଡି ହେବାକୁ ପଡିବ । ଆଉ ମୁଁ ତ କହିବି କେବଳ ପ୍ରେମ ଆଉ ଯୌନତା (ସେକ୍ସ) ହିଁ ମଣିଷକୁ ନିବିଡ କରିପାରେ । ଏହା ହିଁ ଜୀବନକୁ ଅର୍ଥମୟ କରେ । ପ୍ରେମରେ, ଯୌନତାରେ ହିଁ ମଣିଷ ଚରିତ୍ରର ସର୍ବୋତ୍କୃଷ୍ଠ ପରିପ୍ରକାଶ ଘଟେ । ଧରି ନିଆଯାଉ ଜଣେ ଲୋକ ଅଛି ଯିଏ କି ବହୁତ ବଡ ଲୋକ, ଶକ୍ତିଶାଳୀ, ଏକଛତ୍ରବାଦୀ ହେଲେ ଦେଖ ସେକ୍ସ କଥା ପଡିଲାବେଳକୁ ସତେ କି ମୂଷା ..ନପୁଂସକ ..। ମୋ ଜାଣିବାରେ ମଣିଷର ଯୌନାଙ୍ଗମାନେ ହିଁ ଅନ୍ୟ ସବୁ ଅଙ୍ଗମାନଙ୍କଠୁ ସମ୍ବେଦନଶୀଳ । ଆପଣ ଦେଖନ୍ତୁ ଆଖି ଯଦି କିଛି ଦେଖିବାକୁ ଚାହୁଁ ନାହିଁ ତଥାପି ସିଏ ଦେଖିକି ଚଳେଇ ନେଇପାରିବ .. ହେଲେ ଯୌନାଙ୍ଗ ଯାହା ଦେଖିବାକୁ ଚାହୁଁ ନାହିଁ ତାହା ଦେଖେଇଲେ ଯୌନାଙ୍ଗ ଆପେ ଆପେ କାମ କରିବା ବନ୍ଦ କରିଦେବ । ମୁଁ ତ କହିବି ଯେ ଯୌନାଙ୍ଗମାନେ ହିଁ ମଣିଷର ଆତ୍ମାକୁ ସବୁଠୁ ଚମତ୍କାର ଭାବେ ପରିପ୍ରକାଶ କରିପାରନ୍ତି । ସେମାନେ ଆଦବକାଇଦା ଵାଲା ନୁହନ୍ତି ...ସେମାନେ ନିର୍ଘାତ ଭାବେ ସତ୍ୟକୁ ପ୍ରକାଶ କରନ୍ତି ...ତେଣୁ ସେମାନଙ୍କୁ ବାଗେଇକି ଭଲଭାବେ ମଣ କରିବାକୁ ପଡେ...କିନ୍ତୁ କଣ କରିବା ଏମାନେ ମନଠୁ ବି ବେଶୀ ଅମାନିଆ ହୁଅନ୍ତି ..

ରିଚାର୍ଡ ବୁର୍ଗିଂ: ଶୁଣିଚି, ଯେ ଆପଣ କାଳେ ଆମେରିକାରେ ପ୍ରଚୁର ଲେଖକଙ୍କର ଧ୍ୱଜିଆ ଉଡ଼େଇଥିଲେ .

ସିଙ୍ଗର : ନା ନା ଜମାନୁହେଁ ...ଯେତେବେଳେ ମୁଁ ଟୋକା ଥିଲି ସେବେ ମୁଁ ମୋର ପ୍ରତିକ୍ରିୟା ବହି ଉପରେ ହିଁ ରଖୁଥିଲି ..ମୋର ସେ ବହିର ଲେଖକ କିଏ ସେଥିପ୍ରତି ଖାତର ନଥିଲା ..କଣ ବା ଫରକ ପଡେ । ମତେ ଯେତେବେଳେ ବାରବର୍ଷ ହେଇଥିଲା ସେବେ ମୁଁ ଟଲଷ୍ଟୟଙ୍କୁ ପଢ଼ିଥିଲି । ସେତେବେଳେ ମତେ ସେ ଲେଖା ଟଲଷ୍ଟୟ ଲେଖିଥିଲେ ବୋଲି ବି ଜଣା ନଥିଲା ..ମୋର ଗପରେ ଆଗ୍ରହ ଥିଲା ..ତାକୁ କିଏ ଲେଖିଛି ସେଥିରେ ନୁହେଁ । ପ୍ରକୃତ ପାଠକ ..ନୂଆ ପଢାଳି ପ୍ରକୃତରେ ଲେଖକକୁ ଗୁରୁତ୍ୱ ଦିଏନି । ବାସ୍ ସିଏ ବହି ପଢେ ..ତାର ମଜା ନିଏ । ଯେତେବେଳେ ଲୋକେ କଳାରୁ ମଜା ନେଇପାରନ୍ତିନି ସେତେବେଳେ କଳାକାର ଉପରେ ଦୃଷ୍ଟି ଦିଅନ୍ତି । ମତେ କୁହ, ହେମିଙ୍ଗୱେ କେତେ ବା ଲେଖିଛନ୍ତି ..ତାହେଲେ ଏତେ ତାଙ୍କ ଉପରେ କାଇଁକି ଲେଖା ହଉଛି ମୁଁ ଶୁଣେ । ଲୋକେ ହେମିଙ୍ଗୱେ କଣ ଲେଖିଛନ୍ତି ସେଥିରେ ନ ମାତି ହେମିଙ୍ଗୱେଙ୍କ ଉପରେ ମାତିଛନ୍ତି । ଯେତେବେଳେ ସାହିତ୍ୟ ଅତି ପଣ୍ଡିତିଆ ହେଇଯାଏ ..ସେତେବେଳେ କଳାର ସରଳ ରହସ୍ୟ, ସୌନ୍ଦର୍ଯ୍ୟ ନଷ୍ଟ ହେଇଯାଏ ...ଲୋକେ କିଏ ଏମିତି ଲେଖିଛି ଗୁରୁତ୍ୱ ଦିଅନ୍ତି । ୟାକୁ ପ୍ରାଣହୀନ ମୂର୍ତ୍ତି ପୂଜା ଛଡା ଆଉ କଣ କହିହେବ ..

ରିଚାର୍ଡ ବୁର୍ଗିଂ: ଆପଣ ଯାହା କହୁଛନ୍ତି ମତେ ଠିକ ଲାଗୁଚି ..ହେଲେ ଗୋଟାଏ କଥା କହିଲେ, ଆପଣଙ୍କୁ ଯଦି ସତରେ ଟଲଷ୍ଟୟଙ୍କୁ ଭେଟିବାର ସୁଯୋଗ ମିଳିଥାନ୍ତା ତାହେଲେ ଆପଣ କଣ ଉତ୍ସାହିତ ହେଇନଥାନ୍ତେ ..ସୁଯୋଗ ହାତଛଡା କରିଥାଆନ୍ତେ ?

ସିଙ୍ଗର: କହୁଛି ପା ଯଦି ଟଲଷ୍ଟୟ ସଡକ ସେପାଖେ ବି ରହୁଥାନ୍ତେ ମୁଁ ତାଙ୍କୁ ଭେଟିବାକୁ ନଯାଇ ସିଏ କଣ ଲେଖିଛନ୍ତି ପଢ଼ିଥାନ୍ତି ।

ରିଚାର୍ଡ ବୁର୍ଗିଂ: ଆଛା ଯଦି ସେକ୍ସପିଅର ହେଇଥାନ୍ତେ ତାହେଲେ ଆପଣ କଣ ଆଗ୍ରହ ଦେଖେଇଥାନ୍ତେ ?

ସିଙ୍ଗର: ନା ନା ଜମା ନୁହେଁ , ବିଲକୁଲ ନୁହେଁ ..ସିଏ ଯାହା ଲେଖିଛନ୍ତି ତାକୁ ସତରେ ସିଏ ଲେଖନ୍ତୁ କି ବେକନ କି ଆଉ କୋଉ ଢ଼ିଙ୍କି ବଗ ଛଦ୍ମ ଲେଖକ ଲେଖୁ ସେ ସବୁ ଅନୁସନ୍ଧାନ କରିବା ପାଇଁ ପ୍ରଫେସର ଅଛନ୍ତି ..ମୁଁ ଭାଇ ହେଲି ନିରୁତା ପାଠକ । ତମେ ଯେତେବେଳେ ଭୋକିଲା ଥିବ ସେତେବେଳେ ତମେ ପାଉଁରୁଟି ଖାଇବ ନା ତାକୁ ଯିଏ ତିଆରି କରିଛି ତା ଜୀବନୀ ଘାଣ୍ଟିବ ?

ରିଚାର୍ଡ ବୁର୍ଗିଂ: “The Family Moskat”ରେ ଆପଣ ଗୋଟେ ଜାଗାରେ ଲେଖିଛନ୍ତି ଯେ "ଇହୁଦୀମାନେ ସେଇ ଲୋକେ ଯୋଉମାନେ ନା ନିଜେ ଶୋଇବେ ନା ଅନ୍ୟକୁ ଶୋଇବାକୁ ଦେବେ" ଆପଣ ଟିକେ ବୁଝେଇ କହିବେ କି ଅସଲ ଇହୁଦୀ ଚରିତ୍ରଟି କଣ ?

ସିଙ୍ଗର: ମୁଁ ଏୟା କହିବାକୁ ଚାହୁଁଥିଲି ଯେ ଇହୁଦୀମାନେ ଗୋଟେ ଥକି ନପଡ଼ୁଥିବା ଜାତି । ପ୍ରତିଟି ଇହୁଦୀ ଏମିତି ଏକ ଜୀବ ଯିଏ କିଛି ନା କିଛି କରୁଥିବ, କଣ ଗୋଟାଏ ପ୍ରସ୍ତୁତିରେ ଲାଗିଥିବ । ସିଏ ଗୋଟିଏ ଏମିତି ପ୍ରାଣୀ ଯେ ଯେତେ ବାଧା ବିଘ୍ନ ଆସୁ, ଯେତେ ବିଫଳତା ଆସୁ ତାକୁ ପଛ କରିଦେଇ ..ସବୁ କିଛି ପାଶୋରି ପକେଇ ପୁଣି କଣ ଗୋଟାଏ ନୂଆ କାମରେ ମାତିଯିବ । ଏଧରଣର କାର୍ଯ୍ୟକଳାପ ସାଧାରଣ ବୁଦ୍ଧିଜୀବୀଙ୍କ ପାଖେ ଦେଖାଯାଏ ଯୋଉମାନେ ଟିକେ ବି ଫୁରସତ ଭଲପାଆନ୍ତିନି । ଆଉ ଯେହେତୁ ଇହୁଦୀ ଜାତିରେ ଶହେରେ ଶହେ ବୁଦ୍ଧିଜୀବୀ ତେଣୁ ଏମିତି ଭଲ ହେଉ ବା ମନ୍ଦ କଣ ନା କଣ ଗୋଟେ କାମରେ ବ୍ୟସ୍ତ ରହିବା ଇହୁଦୀମାନଙ୍କର ଗୋଟିଏ ଜାତୀୟ ଚରିତ୍ର । ଗୋଟାଏ ଗପ କହୁଛି ଶୁଣ - ଥରେ ଗୋଟେ ଇହୁଦୀ ଟୋକା ଭିଂଲା ସହରକୁ ଗଲା । ସେଠୁ ଫେରିକି ତା ସାଙ୍ଗକୁ କହିଲା - "ବୁଝିଲୁ ସାଙ୍ଗ ଭିଂଲାରେ ଭାଇ ଯାହା କହ, ମାର୍କାମରା ଲୋକ ଦଳେ ଅଛନ୍ତି ..ମୁଁ ଦେଖିଲି ଗୋଟେ ଇହୁଦୀକୁ ଯିଏ ସାରାଦିନ ବସି ତାଳମୁଡ଼ ଭଳି ପବିତ୍ର ଗ୍ରନ୍ଥ ପଢୁଛି , ପୁଣି ଦେଖିଲି ଗୋଟେ ଇହୁଦୀକୁ ଯିଏ ପୂରା ଦିନଯାକ ମସୁଧା ଚଳେଇଚି କେମିତି ଧନୀ ହେବ ..ସେମିତି ଗୋଟେ ଇହୁଦୀ ଦେଖିଲି ଯିଏ ବିପ୍ଳବ କରିବା ପାଇଁ ନାଲି ଝଂଡା ଉଡ଼ଉଛି ..ପୁଣି ଗୋଟେ ଇହୁଦୀକୁ ଦେଖିଲି ଯିଏ ଦିନଯାକ ଟୋକୀଙ୍କ ପଛରେ ନୁଁଗୁଡ଼େଇ ହଉଚି ଆଉ ଗୋଟେ ଇହୁଦୀ ଯିଏ ନାରୀଜାତିଠୁ ଦୂରରେ ରହି କେମିତି ବୈରାଗ୍ୟ ପାଳନ କରିବ ସେ ବ୍ୟବସ୍ଥାରେ ଅଛି । "

ତା ସାଙ୍ଗ କହିଲା "ଭାଇ ଭିଂଲା ତ ଗୋଟେ ବଡ ସହର ..ସେଠି ଅନେକ ଇହୁଦୀ ରୁହନ୍ତି ..ମୁଁ ବୁଝିପାରୁନି ଏଥିରେ ଏତେ ଆଶ୍ଚର୍ଯ୍ୟ ହେବାର କଣ ଅଛି "

ସେ ଟୋକା କହିଲା " ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଏ ସବୁଯାକ କାମ ଜଣେ ଇହୁଦୀ କରୁଛି "

ମତେ ଲାଗେ ଏ କଥାର କୋଉଠି ନା କୋଉଠି ସତ ଲୁଚି ରହିଚି ..

ବୁଦ୍ଧିଆ ଇହୁଦୀର ଅବସ୍ଥା ପ୍ରାୟ ଏଇୟା ..ସେ ଏତେ ବ୍ୟସ୍ତ ଯେ ସେ ଏକ ସାଙ୍ଗେ ସବୁ କିଛି କରିପକେଇବାକୁ ଚାହେଁ ।

ରିଚାର୍ଡ ବୁର୍ଗିଂ: ଆପଣ ବହୁତ ଥର କହିବାର ଶୁଣାଯାଇଛି ଯେ ସାହିତ୍ୟର ମୁଖ୍ୟ କାମଟି ହେଲା ଆମୋଦ ଦେବା ... କଣ ସେଇ ଆନନ୍ଦ ବା ଆମୋଦ ଯାହା ପାଠକ ବହିଟିଏ ପଢ଼ିଲେ ପାଏ ?

ସିଙ୍ଗର: ତମେ ଦେଖିଥିବ ଆମେ ଯେତେବେଳେ କିଛି ଛୋଟମୋଟ ଭୋଜିଭାତ କରୁ କି ସେମିତି କିଛି ଘଟଣାରେ ଏକାଠି ହଉ ସେତେବେଳେ ତମେ ଶୁଣିବ ସଭିଏ କୋଉ ନା କୋଉ ଚରିତ୍ର ବିଷୟରେ କଥାଭାଷା ହୁଅନ୍ତି, ଯେମିତି ଏଇଟା ଭଲଲୋକ, ସେଇଟା ଫାଲତୁ ଲୋକ, ଦେଖିଲଣି ସିଏ କେତେ ବୋକା ..ଓଃ କି କୃପଣ ..ଏମିତି ପ୍ରକାର ଫୁସୁରୁଫାସରରେ କଥାବାର୍ତ୍ତା ଆଗକୁ ବଢ଼େ । ସମସ୍ତେ ଲୋକ ଚରିତ୍ରକୁ ସମୀକ୍ଷା କରିବାକୁ ଭଲ ପାଆନ୍ତି । ମତେ ଲାଗେ ଯେ ଚରିତ୍ର ବିଶ୍ଲେଷଣ କରିବା ବୋଧେ ସର୍ବୋତ୍କୃଷ୍ଟ ମାନବୀୟ ପ୍ରମୋଦ । ଆଉ ସାହିତ୍ୟ ବି ସେଇ କାମ କରେ ..ଯଦିଓ ଫୁସୁରୁଫାସରଠୁ ଟିକେ ଅଲଗା କରି..କୌଣସି ଚରିତ୍ରର ପ୍ରକୃତ ନାଆଁ ନନେଇ । ଯୋଉ ଲେଖକ ଚରିତ୍ରକୁ ଛାଡି ..ଅସୁବିଧା.. ସମସ୍ୟାରେ ମାତେ - ସେ ସାମାଜିକ ସମସ୍ୟା ହଉ କି ଆଉ ଯାହା କିଛି ବି ସମସ୍ୟା ହେଉ - ସେ ଅବାଂଛିତ ଭାବେ ସାହିତ୍ୟରେ ନିହିତ ଥିବା ନିରୋଳା ରସପୂର୍ଣ୍ଣ ଆନନ୍ଦଟିକୁ ଅପହୃତ କରିନିଏ । ସେ ଆଉ ପାଠକକୁ ଆମୋଦ ଦେଇପାରେନି । ଆମେ ସମସ୍ତେ କୌଣସି ନା କୌଣସି କାରଣରୁ ଚରିତ୍ରକୁ ପଢୁ ଆଲୋଚନା କରୁ କାରଣ ପ୍ରତିଟି ଚରିତ୍ର ଅଲଗା, ମଣିଷର ଚରିତ୍ର ବୁଝିବା ବୋଧେ ଦୁନିଆର ସବୁଠୁ ବଡ ଗୋଲକ ଧନ୍ଦା । ମୁଁ ଯେତେ ମଣିଷକୁ ବୁଝିଛି ବୋଲି ବୋଲେଇ ହେଲେ ବି ପ୍ରକୃତରେ ମଣିଷକୁ ବୁଝିବା ପାଇଁ ଆଉ ବହୁତ ବାକି ଅଛି ।

ରିଚାର୍ଡ ବୁର୍ଗିଂ: ନାରୀଚାରିତ୍ରକୁ ବୁଝିବା ଭଳି ଏକ ଅଦ୍ଭୁତ ବିଶେଷ ଦକ୍ଷତା ଆପଣଙ୍କ ଲେଖାମାନଙ୍କରେ ଦିଶେ । ଆପଣଙ୍କୁ ଲାଗେ କି ଅନେକ ଆମେରିକୀୟ ଔପନ୍ୟାସିକଙ୍କ ପାଖେ ଏଇ ଦକ୍ଷତାର ଅଭାବ ଅଛି ?

ସିଙ୍ଗର: ଯଦି ଜଣେ ପୁରୁଷକୁ ବୁଝିପାରେ ସିଏ ନାରୀଙ୍କୁ ବି ସମାନ ବୁଝିପାରିବ । ଅନ୍ୟପଟରୁ ବି ଏ ସମାନ କଥା ପ୍ରଯୁଜ୍ୟ । ଏମିତି କେହି ନାହିଁ ଯିଏ ପୂରା ପୁରୁଷ ମାନସିକତାକୁ ବୁଝିପାରିଛି ଅଥଚ ତିଳେ ମାତ୍ର ନାରୀ ଚରିତ୍ରକୁ ବୁଝିପାରିନାହିଁ । ତମେ ସମସ୍ତଙ୍କୁ ବୁଝିପାର ବା କାହାକୁ ବୁଝି ନପାର । ଅସଲରେ ଅନେକ ଲେଖକ କେବଳ ନିଜ ଛଡା ଆଉ କାହା କଥା ଚିନ୍ତା କରନ୍ତିନି ..ଖାଲି ତାଙ୍କର କାମ , ବେଉସା ଗୋଷ୍ଠୀ ଛଡା ଆଉ କାହାକୁ ବୁଝିବା କଥା ତାଙ୍କ ପାଇଁ ନଥାଏ ।

ରିଚାର୍ଡ ବୁର୍ଗିଂ: ମତେ ତ ଲାଗେ ନାରୀମାନଙ୍କ ପ୍ରତି ଆପଣଙ୍କ ପାଖରେ ଏକ ବିଶେଷଧରଣର ଆକର୍ଷଣ ଅଛି ..

ସିଙ୍ଗର: ନା ମ .. ଅନେକ ମହିଳା ତ ଭାବନ୍ତି ଯେ ମୁଁ ନାରୀ ବିଦ୍ୱେଷୀ । ତମେ ତ ଜାଣିଥିବ ମୁକ୍ତିକାମୀ ସ୍ୱାଧୀନଚେତା ମହିଳାମାନେ ସମସ୍ତଙ୍କୁ ସନ୍ଦେହ କରନ୍ତି । ଯେମିତି ଇହୁଦୀ ଲୋକଟେ ସବୁ ଅଣଇହୁଦୀଙ୍କୁ ଇହୁଦୀ ବିରୋଧୀ ଭାବେ ସେମିତି ସବୁ ବାମାବାଦୀ ମହିଳା ସବୁ ପୁରୁଷକୁ ଅଣ ବାମାବାଦୀ ମନେକରନ୍ତି । ସେମାନେ ଚାହାନ୍ତି ଲେଖକଟେ ସବୁ ସ୍ତ୍ରୀ ଲୋକଙ୍କୁ ସତୀ, ସାବିତ୍ରୀ ଲେଖୁ ଆଉ ସବୁ ପୁରୁଷ ହିଂସ୍ର, କିନ୍ତୁ ଲମ୍ପଟ, ଚରିତ୍ରହୀନ ବୋଲି ଚିତ୍ରଣ କରୁ । କିନ୍ତୁ କଥା ହେଲା ସୃଜନ କର୍ମରେ ଯଦି କୌଣସି - "ବାଦ" ଆଗୁଆ ଚାଲିଆସିଲା ତାହା ସବୁବେଳେ ବିରକ୍ତିକର ନକଲି ହୁଏ ।

ରିଚାର୍ଡ ବୁର୍ଗିଂ: ଲେଖକର ସୃଜନ କର୍ମ ଲେଖକ ସହ କି ପ୍ରକାର ସମ୍ବନ୍ଧ ରଖେ ?

ସିଙ୍ଗର: ମୋ ବିଶ୍ୱାସରେ ସାହିତ୍ୟରେ ନୂଆ ଶୈଳୀ ଅପେକ୍ଷା ମଣିଷ ଜୀବନର ବିଭିନ୍ନ ଦିଗ, ବିଭିନ୍ନ ସମୟଖଣ୍ଡ ଲେଖାରେ ଯେତେ ଆସିବ ସେତେ ସାହିତ୍ୟର ନୂଆ ନୂଆ ଦିଗ ଉନ୍ମୋଚିତ ହେବ । ଯୋଉ ଲେଖକ କେବଳ ନିଜ ଲେଖାର ଶୈଳୀ, ନିଜ ଉପରେ ସମୟ ଦିଏ ସେ ସେମିତି କିଛି ଆଖିଦୃଶିଆ ନୂଆ କାମ କରିପାରେନି । କେବଳ ସେଇ ଲେଖକ ଭଲ ସାହିତ୍ୟ ଲେଖେ ଯିଏ ଅନ୍ୟମାନଙ୍କ ବିଷୟରେ ଲେଖେ । ଟଲଷ୍ଟୟ, ଦସ୍ତୋଭସ୍କି, ବାଲଜାକ, ଗୋଗୋଲ ସେମାନେ ନିଜ କଥା କେହି ଲେଖୁନଥିଲେ । ସେମାନେ କାଁ ଭାଁ ପ୍ରଥମ ପୁରୁଷରେ ଲେଖୁଥିଲେ । ମୁଁ ଟିକେ ଅନ୍ତର୍ମୁଖୀ ବୋଲି କେବେକେବେ ପ୍ରଥମ ପୁରୁଷରେ ଲେଖେ ..କିନ୍ତୁ ମୋ ଲେଖା କଥା ଯଦି କହିବେ ସବୁଗୁଡିକ ବହିର୍ମୁଖୀ, ବେକାରରେ ନିଜ ବିଷୟରେ ନିଜ ସାହିତ୍ୟ କୃତି ବିଷୟରେ ନ ଭାବି ମୁଁ ବାହାରକୁ ଯାଏ, ଚରିତ୍ର ଖୋଜେ ...ମୁଁ ଭାବେ ଲେଖକକୁ ନିଜକୁ ପ୍ରଥମେ ନିଜ କଥା ଭୁଲିଯିବାକୁ ପଡିବ ..ଅନ୍ତତଃ କିଛିସମୟ ପାଇଁ ..ଯାହା ଟଲଷ୍ଟୟ କରି ପାରିଥିଲେ ହେଲେ ପ୍ରୌଷ୍ଟ ପାରିଲେନି ..ଆପଣ ଦେଖିବେ ତାଙ୍କର "ଇର"ର ସବୁ ଖଣ୍ଡ ଖାଲି ନିଜ ପରିବାର କଥା, ନିଜ କଥାରେ ସୀମିତ ।

ରିଚାର୍ଡ ବୁର୍ଗିଂ: ଆଜିର ସାହିତ୍ୟରେ ଏବେ ବିଶେଷକରି ଶ୍ଵେତାଙ୍ଗମାନଙ୍କ ଲେଖାମାନ ପ୍ରାୟ ତ ଏବେ ବହିର୍ମୁଖୀ, ଅନ୍ତର୍ମୁଖୀ ଲେଖା ନାହିଁ କହିଲେ ଚଳେ ସେମାନେ, ଏବେ ବେଶୀ ଖୋଲାଖୋଲି ମଣିଷର ସୁଖ ଦୁଃଖ ସମ୍ପର୍କମାନଙ୍କୁ ନେଇ ଲେଖୁଛନ୍ତି, ଆପଣ ଏଇ ବିଷୟରେ କଣ କହିବେ ?

ସିଙ୍ଗର: ଦେଖନ୍ତୁ ଆମ ସମୟରେ ଯୋଉ ଗୋଟାଏ ପ୍ରକାର ହୋପ୍ପା ଚାଲିଥିଲା ଏଇ ନିଜ ବିଷୟରେ ଗଭୀର ଚିନ୍ତା କରିବା କିମ୍ବା ସବୁ ଜିନିଷର ଗୋଟେ ଅନୁଶୀଳନ କରିବା ତାର ଆଧାର ଥିଲା ଫ୍ରଏଡିୟ ମନସ୍ତତ୍ତ୍ୱ ଯାହାଫଳରେ ଆମ ସମୟରେ ଅନେକେ କେବଳ ନିଜ ବିଷୟରେ ଆଗ୍ରହୀ ଥିଲେ । ନିଜର ଇଛା, ଆକାଂକ୍ଷା, ଯନ୍ତ୍ରଣା ଦୁଃଖକୁ ନେଇ ବ୍ୟସ୍ତ ରହୁଥିଲେ । କିନ୍ତୁ ଉନବିଂଶ ଶତାବ୍ଦୀରେ ଲେଖକ ବୁଝିଗଲାଣି ଯେ ଯଦି ସାହିତ୍ୟରେ ସୁନା ଖଣି ଥାଏ ତା ହେଉଛି "ମୁଁ" । " ମୁଁ " ଛାଡିକି ଅନ୍ୟ ଲୋକକୁ ବୁଝିବା ଓ ଲେଖିବାରେ । ଦେଖନ୍ତୁ ଚେକଭଙ୍କ ଗୋଟିଏ ବି ଗପ ପ୍ରଥମପୁରୁଷରେ ଲେଖାହେଇନି, ଯଦିଓ ମୁଁ ନିଜେ ବେଳେବେଳେ ପ୍ରଥମ ପୁରୁଷରେ ଲେଖେ ଓ ଏକଥା ବି ମାନୁଛି ଯେ ଏହା ସାହିତ୍ୟ ଦୃଷ୍ଟିରେ ଏତେ ବେଶୀ ସୁସ୍ଥକର ଅଭ୍ୟାସ ନୁହେଁ । ମୁଁ ଏଇ ଚେତନାଶୀଳଧାରା ଯୋଉଥିରେ ନିଜ ବିଷୟରେ ବୁଡ଼ବକ କରିବା ଛଡା କିଛି ନଥାଏ ..ତାର ମୁଁ ଘୋର ବିରୋଧୀ । ଧର ତମେ ଜଣଙ୍କୁ ଭେଟିଲ ଯିଏ ଖାଲି ତା ନିଜ କଥା ବଜର ବଜର କଲା, ତମେ ସେଥିରେ ବୋର ହେଇଯିବ କି ନାହିଁ । ସେମିତି ସାହିତ୍ୟ କ୍ଷେତ୍ର ବି ସେୟା, ଯେତେବେଳେ ଲେଖକଟିଏ ନିଜେ ତ ଲେଖାର କେନ୍ଦ୍ରବିନ୍ଦୁ ହେବା ଆରମ୍ଭ କରେ ସେତେବେଳେ ତାକୁ ପଢିବା ବିରକ୍ତିକର ହେଇଯାଏ । ପୁଣି ଆଉରି ଅସହ୍ୟ ବିରକ୍ତିକର ହେଇଯାଏ ଯେତେବେଳେ ସେଇ ଲେଖକ ନିଜକୁ ସବଜାନତା ଭାବିବା ଆରମ୍ଭ କରେ ।

ରିଚାର୍ଡ ବୁର୍ଗିଂ: ତାହେଲେ ଆମର ଯୋଉ ସାହିତ୍ୟରେ ଚେତନାଶୀଳ ଧାରାକୁ ନେଇ ଲେଖାଯିବାରେ କଳା ଯାହା ବିଷୟରେ ବହୁତ ବେଶୀ ଆଲୋଚନା ହୁଏ, ଯୋଉଥିପାଇଁ ଜେମ୍ସ ଜୟସ କିମ୍ବା ଫଲକନର ବହୁ ବେଶୀ ଆଲୋଚିତ ଯାହାଙ୍କ ଲେଖାରେ ଏକାଧିକ ଚରିତ୍ର ମୁହଁରେ ବର୍ଣ୍ଣନା କରି ନିଜର ଲେଖାଟିକୁ ପ୍ରକାଶ କରନ୍ତି ସେମାନଙ୍କ ବିଷୟରେ ଆପଣ କଣ କହିବେ ?

ସିଙ୍ଗର: ମୋ ଜାଣିବାରେ ସେମାନେ ମନେ ରଖିଲାଭଳି ସେମିତି କିଛି ସାଙ୍ଘାତିକ ଗପ ଲେଖିନାହାନ୍ତି । ଅପ୍ରିୟ ସତଟି ହେଲା ଜଣେ କଣ ଭାବୁଛି ସେ ବିଷୟରେ ଫେଣେଇ ହେଇ ନକହି ଯାହା ଭାବୁଛି ତାକୁ କାମରେ କରିଦେଖେଇଲେ, ସିଏ ଯାହା ଭାବୁଛି ତା ପ୍ରତିପାଦିତ ହୁଏ । ମୋର ଗୋଟେ କଥା ମନେପଡ଼ିଲା - ଥରେ ଗୋଟେ ଟୋକା ଚାଟଶାଳୀରେ ଆସିକି ମାଷ୍ଟ୍ରଙ୍କୁ କହିଲା ଆଜ୍ଞା ଜାଣନ୍ତି ମୋ ବାପା ମତେ କର୍ଣ୍ଣମୁଳିଆ ଜାଵଡାଟେ ଲଗେଇବେ ବୋଲି ଭାବୁଛନ୍ତି ବୋଲି ମୁଁ ଜାଣିନଥିଲି । ମାଷ୍ଟ୍ର ପଚାରିଲେ ଯେ ତୁ କେମିତି ଜାଣିଲୁ ସିଏ ଭାବୁଛନ୍ତି ବୋଲି । ସେ ଟୋକା ଉତ୍ତର ଦେଲା,"ଆରେ ସେ ପା ମୋତେ କର୍ଣ୍ଣମୁଳିଆ ଲଗେଇଦେଲେ "ଜଣେ ବସି ଘଣ୍ଟା ଘଣ୍ଟା ଧରି ସେ କଣ ଭାବୁଛି କହିପାରେ ହେଲେ ତମେ ତାକୁ ସେତିକିବେଳେ ବିଶ୍ୱାସ କରିଯାଅ ଯାହା ସିଏ କହୁଥାଏ ଯଦି ଥରେ କରିକି ଦେଖେଇଦିଏ । ଆମ ସମୟର ମନସ୍ତତ୍ତ୍ୱରେ, ମାନସିକତାରେ ସବୁଠୁ ବିବ୍ରତ କଲା ପରି ଜିନିଷ ହେଇଚି ଆମେ ଜଣକ ମୁଡ୍ କି ସେ କଣ ଭାବୁଛି ସେଇ ହିସାବରେ ତାକୁ ବିଚାରକୁ ନଉ..

ରିଚାର୍ଡ ବୁର୍ଗିଂ: "ଆମେ ଯେ ଆଉ ଅର୍ଥପୂର୍ଣ୍ଣ ଭାବେ ପ୍ରକାଶ କରିବାକୁ ଅସମର୍ଥ" ଏ କଣ ତାର କାରଣ ହେଇପାରେ କି ?

ସିଙ୍ଗର: ହେଇପାରେ, ଦେଖ ଖବରକାଗଜ ପଢିଲାବେଳେ ସେଥିରେ ଜଣେ କଣ ଭାବୁଛି ଲେଖା ହେଇନଥାଏ । ସିଧା କଣ ହେଇଚି ..ଘଟଣା ଟି ଲେଖା ହେଇଥାଏ । ବୋଧେ ଏଇଥିପାଇଁ ଲୋକେ ବହି ପଢିବା ଅପେକ୍ଷା ଖବରକାଗଜ ପଢିବାକୁ ବେଶୀ ଭଲପାଆନ୍ତି । ପେପରରେ ଲେଖା ଥାଏ ଯେ ଜଣେ ତା ସ୍ତ୍ରୀକୁ ହତ୍ୟା କରିଦେଇଛି ..ସେ କରିବା ପଛରେ, ତାର କଣ ଦୁଃସ୍ଥିତି ଥିଲା, ମାନସିକତା କଣ ଥିଲା ସେକଥା ଖବରକାଗଜରେ ଲେଖାହୁଏନି ...କାରଣ ପଢ଼ୁଥିବା ଲୋକକୁ ଜଣା କୋଉ ପରିସ୍ଥିତିରେ ପଡିଲେ ଜଣେ ହତ୍ୟା କରେ । ଧର, ଜଣେ ଘରକୁ ଆସିକି ଦେଖିଲା ତା ସ୍ତ୍ରୀ ସଂଗେ ଆଉ ଜଣେ ଶୋଇଛି ଓ ସେ ସେଇଠି ତାକୁ ଗୁଳି କରି ହତ୍ୟାକଲା, ପାଠକ ଆରାମରେ ବୁଝିପାରେ ଯେ ସେଲୋକ ସେ ସମୟରେ କେତେ ରାଗିଥିଲା ବା ଆରେଷ୍ଟ ହେଲାବେଳେ ତାକୁ କଣ ଲାଗୁଥିବ । ପ୍ରକୃତ ସାହିତ୍ୟ ଘଟଣା ଓ ପରିସ୍ଥିତିର ସଫଳ ବର୍ଣ୍ଣନା କରେ । କେବେକେବେ ଟଲଷ୍ଟୟ ତାଙ୍କ କାହାଣୀରେ ନାୟକ ତା ହୃଦୟରୁ କଣ ଭାବୁଛି ବି କୁହନ୍ତି । ସେମିତି ଦସ୍ତୋଭସ୍କି ଏପ୍ରକାର ଖୁବ କହିଛନ୍ତି । ତମେ “Crime and Punishment,” ପଢିବାର ଶେଷପୃଷ୍ଠା ଯାଏ ବି ଜାଣିନଥାଅ ଯେ ରା଼ସ୍କୋଳିଙ୍କବ ଯାହା କଲା କଣ ପାଇଁ କଲା । ଏଥିରେ ରା଼ସ୍କୋଳିଙ୍କବ ଯାହା କରେ ସେ ତାର ଚେତନାରେ ମନକୁ ମନ କଥାବାର୍ତ୍ତା କରୁନଥାଏ ବରଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଗରେ ସେସବୁ ସେ କହୁଥାଏ । ମୁଁ ଭାବେ ଆମେ ଏଇ ଯୋଉ "stream of consciousness" ବା ଚେତନାର ପ୍ରବାହ ଲେଖାଲେଖିରେ କହୁଚୁ ସେଇଟା ଗୋଟେ ବାହାନା, ତମ ପାଖରେ ଗପ ନାହିଁ, କାହାଣୀର ଅଭାବ ପଡୁଛି, ଚରିତ୍ରକୁ ବୁଝେଇପାରୁନା ତେଣୁ ଏସବୁ କଥା କହି ଖସିଯିବାର ଗୋଟେ ଇଏ ବାହାନା । ଚରିତ୍ର କଣ ଭାବୁଛି ତାକୁ ଲେଖିବା ପାଇଁ ହୁଏତ ୧୦୦ ଫର୍ଦ୍ଧ ସରିଯାଇପାରେ କିନ୍ତୁ ଅସଲ କାଇଦା ଜାଣିଥିବା ଲେଖକ ସିଏ ଯିଏ ତା ଚରିତ୍ରର କାର୍ଯ୍ୟକଳାପରେ ସେ ଚେତନାର ପ୍ରବାହମାନ ଧାରାକୁ ଫୁଟେଇପାରେ ।

ରିଚାର୍ଡ ବୁର୍ଗିଂ: ଜଣେ ଲେଖକ ନିଜକୁ ସାମାଜିକ ବା ରାଜନୈତିକ ହିସାବରେ ଗୋଷ୍ଠୀଭୁକ୍ତ କରିବା କଥା କି, ଆପଣ କଣ ଭାବନ୍ତି ?

ସିଙ୍ଗର: ଏଇଟା ଅତି ଜମା ବି ସ୍ୱାସ୍ଥ୍ୟକର ନୁହେଁ । ମୁଁ ଆଜି ଯାଏ ଗୋଟିଏ ବି କାଳଜୟୀ ସାମାଜିକ କି ରାଜନୈତିକ ଉପନ୍ୟାସ ପଢିନାହିଁ । ସବୁବେଳେ ସମାଜତତ୍ତ୍ୱ ଗୋଟେ ବ୍ୟକ୍ତି ଉପରେ କାମ କରେନି ଏହା ଗୋଟିଏ ଗୋଷ୍ଠୀ ଉପରେ କାମ କରେ । ସବୁପ୍ରକାର ତତ୍ତ୍ୱ, ଏମିତି କି ମନସ୍ତତ୍ତ୍ୱ ବି ଗୋଷ୍ଠୀ ଉପରେ ପର୍ଯ୍ୟବସିତ । ଦସ୍ତୋଭସ୍କି ଅପରାଧ ଜୀବନ ଉପରେ ସାର୍ବଜନୀନ ସାହିତ୍ୟ ଲେଖିନଥିଲେ "CRIME AND PUNISHMENT" ର ରା଼ସ୍କୋଳିଙ୍କବର କାହାଣୀ ସବୁପ୍ରକାର ଅପରାଧୀଙ୍କଠୁ ଅଲଗା । ମୋ କହିବା କଥା ହେଲା ସାହିତ୍ୟର କାମ ହେଲା ସେୟା , ସାଧାରଣ ଭିତରୁ ଅସଧାରଣକୁ ଆବିଷ୍କାର କରିବା । ଏଇ ଧରନ୍ତୁ “The War and Peace” କୁ ନିଅନ୍ତୁ ..ସେଥିରେ ଆମେ ନେପୋଲିଅନ କି ତାଙ୍କ ଯୁଦ୍ଧ ବିଷୟରେ ସେତିକି ଆଗ୍ରହୀ ନଥିଲୁ ଯେତିକି ଆମେ ଆନ୍ଦ୍ରେ ଓ ନତାଶା ବିଷୟରେ ଥିଲୁ ।

ରିଚାର୍ଡ ବୁର୍ଗିଂ : ଆପଣ ଅନେକଥର ବିଶେଷ ଭାବେ ପୃଥିବୀ ଇତିହାସରେ ଇସ୍ରାଏଲର ସ୍ଥାନକୁ ନେଇ ଆପଣଙ୍କର ଧାରଣା ବିଷୟରେ କହିଛନ୍ତି..

ସିଙ୍ଗର: ମୁଁ ତ କହିବି ପୃଥିବୀ ଇତିହାସରେ ଏମିତି କୌଣସି ଦେଶ ନାହିଁ ଯାହାର ଲୋକେ ଭୌଗୋଳିକ ଭାବେ ବିଚ୍ୟୁତ ହେଇଗଲା ପରେ, ଗୋଟେ ଦିଟା ପିଢ଼ି ପରେ ପୁଣି ମିଶିପାରିଛନ୍ତି । ଲକ୍ଷ ଲକ୍ଷ ଜର୍ମାନ ବିତାଡିତ ହେଇ ଆମେରିକାକୁ ଆସିଲା ପରେ ଆଉ କୋଉ ଜର୍ମାନ ହେଇ ରହିଛନ୍ତି ? ସମସ୍ତେ ତା ଷୋଳଅଣା ଆମେରିକାନ ହେଇଗଲେଣି । ନିଜ ନାଁ ଟି ଛଡା ଜର୍ମାନ ବୋଲି ତାଙ୍କର ଆଉ ଚିହ୍ନ ବର୍ଣ୍ଣ ନାହିଁ । ଏମିତିକି ସେମାନେ ଜର୍ମାନ ଭାଷା ବି କହିବା ଭୁଲିଗଲେଣି ।

କିନ୍ତୁ ଆପଣ ଇସ୍ରାଏଲିଙ୍କୁ ଦେଖନ୍ତୁ । ସେମାନେ ୨୦୦୦ ବର୍ଷ ଧରି ବିତାଡିତ ହେବା ପରେ ବି ପୃଥିବୀର ଯୋଉଠି ଥାଆନ୍ତୁ ନା କାହିଁକି ସେମାନେ ତାଙ୍କ ବିଶ୍ୱାସ ଟିକକ ରଖିଛନ୍ତି, ଶହ ଶହ ଭାଷା ଭିତରେ ବି ହିବ୍ରୁ ବଂଚି ରହିଛି । ପୃଥିବୀ ଇତିହାସରେ ୟାଠାରୁ ଆଉ ବିଚିତ୍ର କଣ ହେଇପାରେ ଯେ କକ୍ଷଚ୍ୟୁତ ହେବାର ୨୦୦୦ ବର୍ଷ ପରେ ବି, ଭୌଗୋଳିକ ଭାବେ ଏତେବର୍ଷ ଧରି ବିଛିନ୍ନ ହେଇଗଲା ପରେ ବି ଗୋଟେ ସମଗ୍ର ଜାତି ତାର ଅସ୍ତିତ୍ୱ ଟିକକ ବଂଚେଇ ରଖିଛି ...ସେହି ଦୃଷ୍ଟିରୁ ଇହୁଦୀମାନେ ସମଗ୍ର ମାନବ ଜାତିରେ ଅଦ୍ଭୁତ ଭାବେ ଗୋଟେ ସାଙ୍ଘାତିକ ଜାତି ..ଏଇ ସଂଖ୍ୟାଲଘୁ..ବିସ୍ଥାପିତ ଜାତି ନିଜର ସାଂସ୍କୃତିକ, ଧାର୍ମିକ ଅସ୍ତିତ୍ୱ ବଂଚେଇରଖିବା ସବୁ ପ୍ରକାର ସାମାଜିକ ନିଷ୍କର୍ଷ ..ମନସ୍ତ୍ବାତ୍ତିକ ନିଷ୍କର୍ଷକୁ ଚାଲେଞ୍ଜ କରେ ।

ରିଚାର୍ଡ ବୁର୍ଗିଂ: ଇହୁଦୀ ମଣିଷ ଓ ଇହୁଦୀ ଧର୍ମ ଭିତରେ ଚାଲିଥିବା ସଂଘର୍ଷ ଆପଣଙ୍କର ଲେଖାର ଅନ୍ୟତମ ମୁଖ୍ୟ ଉପାଦାନ, ଆପଣଙ୍କୁ ଲାଗେ କି ଆପଣ କୋଉଠି ନା କୋଉଠି ସେଇ କକ୍ଷଚ୍ୟୁତ ଇହୁଦୀ ?

ସିଙ୍ଗର: ନା, ମତେ କେବେ ସେମିତି ଲାଗିନି, ମୁଁ ତ ଏବେ ବି ୟିଦ୍ଧିସରେ କଥାବାର୍ତ୍ତା କରେ ଯୋଉଭାଷାରେ ମୋ ବାପା, ମା, ଜେଜେ ବାପା କଥାବାର୍ତ୍ତା କରୁଥିଲେ ।

ରିଚାର୍ଡ ବୁର୍ଗିଂ: ଆପଣ ତାହେଲେ ଇହୁଦୀ ଧର୍ମ ସଂଗେ କେତେ ସତ୍ୟନିଷ୍ଠ ରହିଛନ୍ତି ?

ସିଙ୍ଗର: ମୋ ବାପା, ମାଙ୍କ ଭଳି ମୁଁ ସେତେ ଧର୍ମ ପରାୟଣ ନୁହେଁ । ହଁ, ଧାର୍ମିକ ଦୃଷ୍ଟିକୋଣରେ ଆପଣ ମତେ କକ୍ଷଚ୍ୟୁତ କହିପାରନ୍ତି କିନ୍ତୁ ସାଂସ୍କୃତିକ ଦୃଷ୍ଟିକୋଣରୁ ମୁଁ କକ୍ଷଚ୍ୟୁତ ନୁହେଁ..ମୁଁ ଏବେ ବି ମୋ ଲୋକଙ୍କ ସାଙ୍ଗେ ରୁହେ । ମୁଁ କେବେ ବି ଇହୁଦୀ ବୋଲି ସଂକୁଚିତ ଅନୁଭବ କରିନାହିଁ ଓଲଟା ମୁଁ ସେଥିପାଇଁ ପ୍ରଚୁର ଗର୍ବ ଅନୁଭବ କରେ ..ଆଉ କହିବୁଲେ ଯେ ମୁଁ ଇହୁଦୀ ..ସେଇମାନଙ୍କ ବିଷୟରେ ଲେଖେ ..ଆଜିକାଲି ତ ହିବ୍ରୁରେ ବି ଲେଖିବା ଶିଖୁଛି ।

ରିଚାର୍ଡ ବୁର୍ଗିଂ: ତାହେଲେ ଆପଣଙ୍କ ମତରେ କକ୍ଷଚ୍ୟୁତ ଇହୁଦୀର ସଂଜ୍ଞା କଣ ?

ସିଙ୍ଗର: କକ୍ଷଚ୍ୟୁତ ଇହୁଦୀ ସିଏ ଯିଏ ନିଜ ମୂଳ ଠିକଣାକୁ ନେଇ ଲଜ୍ୟା କରେ ନାହିଁ, ଯିଏ ନିଜ ଗୋଷ୍ଠୀ ଲୋକଙ୍କଠୁ ନିଜକୁ ଅଲଗା ଭାବେ ..।

ରିଚାର୍ଡ ବୁର୍ଗିଂ: ମୁଁ ମୋ ନିଜ କଥା ମୁଁ କହେ । ମୁଁ ଯୋଉ ସହରରେ ବଢ଼ିଲି ସେଠି ପ୍ରାୟ ସମସ୍ତେ ଇହୁଦୀ ଥିଲେ, ଆଉ ସଭିଏ କକ୍ଷଚ୍ୟୁତ ଥିଲେ ।

ସିଙ୍ଗର: ଦେଖ ଯଦି ତୁମେ ପିଲାଦିନୁ ସେପରି ଇହୁଦୀମାନଙ୍କ ଭିତରେ ବଢ଼ିଛ ତାହେଲେ ସେଥିପାଇଁ ତମକୁ ଦୋଷ ଦେବା କଥା ନୁହେଁ । ଯଦି ତମ ବାପା, ଜେଜେ ସବୁ ମୂଳ ଇହୁଦୀଙ୍କଠୁ ବାହାରି ଆସିଛନ୍ତି ତାହେଲେ ତମ ଦୋଷ କଣ ?

ରିଚାର୍ଡ ବୁର୍ଗିଂ: ତାହେଲେ ଆପଣଙ୍କ ମତରେ କକ୍ଷଚ୍ୟୁତ ଇହୁଦୀ କିଏ ଯେ ? ମୋ ବାପାଙ୍କ କଥା କୁହେ, ତାଙ୍କର କୌଣସି ଧର୍ମ ସଂଗେ ସମ୍ପର୍କ ନଥିଲା ..ନା ସେ ଇହୁଦୀ ଧର୍ମକୁ ହେୟ କରୁଥିଲେ ନା ସେବିଷୟରେ ବହୁତ କିଛି କହି ବୁଲୁଥିଲେ ।

ସିଙ୍ଗର: ତୁମକୁ ସେ କୌଣସି ଇହୁଦୀ ଶିକ୍ଷା ଦିଆ ହେଉଥିବା ସ୍କୁଲକୁ ପଠେଇଥିଲେ ?

ରିଚାର୍ଡ ବୁର୍ଗିଂ: ନା

ସିଙ୍ଗର: ସେ ତୁମକୁ ହିବ୍ରୁ କି ୟିଦ୍ଧିସ ପଢ଼େଇଥିଲେ ?

ରିଚାର୍ଡ ବୁର୍ଗିଂ: ନା ସେକଥା ନୁହେଁ, ନା ସେ କେବେ ଇହୁଦୀ ବୋଲି ନା ନିଜକୁ ଡିଣ୍ଡିମ ପିଟୁଥିଲେ ନା କେବେ ଲଜ୍ୟା କରଥିଲେ ନିଜେ ଇହୁଦୀ ବୋଲି । କିନ୍ତୁ ଯୋଉଠି ଇହୁଦୀମାନଙ୍କ ଉପରେ ଇଉରୋପରେ ବିପଦ ଥିଲା ସେ ସେଠିକୁ ଯାଉନଥିଲେ ।

ସିଙ୍ଗର: ମୋ ହିସାବରେ ସେ ଆଂଶିକ କକ୍ଷଚ୍ୟୁତ ଥିଲେ, ମୁଁ ବୁଝିପାରୁନି ଯଦି ଜଣେ ଇହୁଦୀତ୍ୱକୁ ସେତିକି ଗୃରୁତ୍ଵପୂର୍ଣ୍ଣ ନ ଭାବିବ ତାହେଲେ ସେ କଣ ପାଇଁ ନିଜ ଛୁଆଙ୍କୁ ୟିଦ୍ଧିସ କି ହିବ୍ରୁ ପଢେଇବାକୁ ଛାଡିବନି ? ଏଇ ମୋପିଲାଙ୍କ କଥା ଦେଖ, ବେଶୀ ହଉ କି କମ ସେମାନେ ଅନ୍ତତଃ ନିଜ ଅନ୍ତଃକରଣରେ କେବେ ଇହୁଦୀ ଛଡା ଆଉ କିଛି ଭାବିନାହାନ୍ତି । ଏବେ ମୋ ପୁଅ ଗୋଟେ ହିବ୍ରୁ ଲେଖକ । ଯିଏ ନିଜ ମୂଳକୁ ଅସ୍ବୀକାର କରେ ..ସେ ବହୁତ ସଫଳ ହେଇପାରେ, ବିଭିନ୍ନ ମାର୍ଗରେ ବହୁତ ଉପରକୁ ଯାଇପାରେ କିନ୍ତୁ ମୁଁ ହଲପ କରି କହିପାରେ ଯେ ସେ କେବେ ସଫଳ ଲେଖକ ହେଇପାରିବ ନାହିଁ ।

ରିଚାର୍ଡ ବୁର୍ଗିଂ: କଣ ପାଇଁ ଏମିତି ?

ସିଙ୍ଗର: କାରଣ ସାହିତ୍ୟ ଲୋକମାନଙ୍କ ପାଇଁ ଓ ଲୋକଙ୍କ ଆଧାର, ମୌଳିକତାକୁ ନେଇ । ତମେ ଯେତେ ମହାନ ଲେଖକ ଦେଖ କେହି କେବେ ନିଜର ମୌଳିକତାକୁ ଅସ୍ବୀକାର କରିନାହିଁ, ଦସ୍ତୋଭସ୍କି କୁହ, ଗୋଗୋଲ କୁହ ..ମୋ ଜାଣିବାରେ ସେମିତି ଜଣେ ନିଜ ମୂଳରୁ ବିଚ୍ଛିନ ଥିଲା ..ଯାହାର କିଛି ଠିକ ଠିକଣା ନଥିଲା ସେ ହେଲା କାଫକା । ମତେ ଲାଗେ ତାର ସମଗ୍ର ସୃଜନରେ ସେ ନିଜ ମୂଳକୁ ଆବିଷ୍କାର କରିବାରେ ଲାଗିଥିଲା ତାକୁ ସେ ପରେ ପାଇଥିବାର ବି ଲାଗିଲା । କିନ୍ତୁ କୋଷ୍ଟଲୱେର ଭଳିଆ ବି କିଛି ଲେଖକ ଅଛନ୍ତି ଯୋଉମାନେ ଇହୁଦୀଙ୍କୁ ନିଜଲେଖାରେ ଇହୁଦୀ ବୋଲି ମାନନ୍ତିନି ..ଯୋଉଥିପାଇଁ ଲେଖକ ଭାବେ ସେ ସାଙ୍ଘାତିକ ବିଫଳ । ମୋ ମତରେ ଯଦି ଜଣେ ଇହୁଦୀ ଲେଖକ ଇହୁଦୀତ୍ୱକୁ ମାନେ ନାହିଁ ସେ ନା ଘରର ହୁଏ ନା ଘାଟର ହୁଏ ।

ରିଚାର୍ଡ ବୁର୍ଗିଂ: ଯଦି ଆପଣ କୋଉ ଅଣ ଇହୁଦୀ ଝିଅର ପ୍ରେମରେ ପଡ଼ିଥାଆନ୍ତେ ତାହେଲେ ତାକୁ ବାହା ହେଇଥାନ୍ତେ ?

ସିଙ୍ଗର: ମୁଁ ଜାଣିନି ..ନା ମୁଁ ଜାଣିନି ..ପ୍ରେମ ବେଳେବେଳେ ସବୁପ୍ରକାର ମାନବୀୟ ପ୍ରତିବଦ୍ଧତାଠୁ ବି ଅଧିକ ଶକ୍ତିଶାଳୀ ହେଇଥାଏ ।