କୋଡେକ୍ସ ଓ ଇନକୁନାବୁଲା: ଦୁଇଟି ପ୍ରାଥମିକ ବହି - ଶବ୍ଦ

ସଂପ୍ରତି କଂପ୍ୟୁଟରର ମନିଟରରେ ଯେଉଁ ପାଠଟି ଆମେ ପଢୁ ଯାହାକୁ ହାଇପର ଟେକ୍ସଟ ବୋଲି କୁହାଯାଏ । ଆଉ ଏହି ହାଇପର ଟେକ୍ସଟକୁ ପଢିବା ପାଇଁ ଉପରକୁ ତଳକୁ କରିବା କାମକୁ "ସ୍କ୍ରଲ୍" କୁହାଯାଏ । "ସ୍କ୍ରଲ୍" ହେଉଛି ପ୍ରାଚୀନ ପୋଥି ଭଳି ପଠନ ପ୍ରକ୍ରିୟା ।


ଚିତ୍ର - ୱିକିପିଡିଆ

ବହି କହିଲେ ଆମେ ପ୍ରକୃତରେ କ'ଣ ବୁଝିବା ?

ଦୁଇଟି ମଲାଟ ଭିତରେ ବନ୍ଦୀ, କଳା ରଂଗରେ ଛପା ଯାଇଥିବା କିଛି ଚିତ୍ର (ଅକ୍ଷର ବୋଲି ଆମେ ଯାହା ଦେଖୁ ତାହାକୁ ଚିହ୍ନି ପାରିଲେ ତାହା ଅକ୍ଷର, ଚିହ୍ନି ନପାରିଲେ ତାହା କେବଳ ଚିତ୍ର) ସଂବଳିତ କେତେଗୁଡିଏ ପୃଷ୍ଠା ଆଉ ଏହିଭଳି ଏକ ବିଚିତ୍ର ବନ୍ଦୀଦଶାର ସାମଗ୍ରିକ ସ୍ୱରୂପକୁ ଆମେ ସାଧାରଣରେ ବହିର ପୂର୍ଣ୍ଣ ରୂପ ବୋଲି କହିଥାଉ । ବେଳେବେଳେ ମଲାଟ ନଥାଇ କିଛି କିଛି ମୁଦ୍ରିତ ପୃଷ୍ଠାକୁ ଯଦି ଏକାଠି ବଂଧା ଯାଇଥାଏ ତେବେ ତାହାକୁ ବି ଆମେ ବହି ବୋଲି କହିଥାଉ । ଏଇ ପ୍ରକାରର ବହିଟି ଅବଶ୍ୟ ହେଉଛି ଗୋଟିଏ ଖଣ୍ଡିଆ ବହି । କାରଣ କୌଣସି ଘରକୁ ପଶିବା ପାଇଁ ଆଗ ଯେମିତି ସୁନ୍ଦର କବାଟ ବୋଲି କଥାଟିକୁ ଆମେ ସାଧାରଣତଃ ଭେଟିଥାଉ ଠିକ୍ ସେମିତି ପ୍ରତିଟି ବହିର ପହିଲି କବାଟ ହେଉଛି ତାହାର ମଲାଟ । ବହିଟିର ମଲାଟ ନାହିଁ ମାନେ କବାଟ ନଥିବା ଘରଭଳି ତାହାର ଶିରୀ ବୋଲି କିଛି ନାହିଁ । ତଥାପି କବାଟ ନଥିବା ଘର ଯେମିତି ଏକ ଘର ସେମିତି ମଲାଟ ନଥିବା ବହି ମଧ୍ୟ ସେମିତି ବହି । କିଂତୁ ଯେତେ ଦାମିକା ବର୍ମା ଶାଗୁଆନ କାଠରେ ରନ୍ଦା ମାରି ଯେତେ ରନ୍ଧା ଲାଖଝୁଣାରେ ଭଲଭାବରେ ପାଲିସ୍ କରାହୋଇଥିବା କବାଟଟି ଯଦି କେଉଁ ଘର ସହିତ ଯୋଡି ହୋଇ ରହି ନାହିଁ ତେବେ ତାହା ଆଦୌ ସୁନ୍ଦର ଦିଶିବ ନାହିଁ । ସେମିତି ମରକ୍କୋ ଚମଡାରେ ଯେତେ ବନ୍ଧେଇ କରାଯାଉ ଆଉ ତାହାର ଉପରେ ଯେତେ ସୁନାପାଣିରେ ନାମକରଣ କରାଯାଉ, ଯଦି ଭିତରେ ପୃଷ୍ଠାଏ ବୋଲି ଛପା ପାଠ ନାହିଁ ତେବେ ତାହା ଖାଲି ମଲାଟ, ଅଲୋଡା ମଲାଟ । ଆମର ଜାମାଯୋଡ ଚହଟଚିକଣ ସ୍ନୋ ପାଉଡର ଆଉ ଅତରମଖା ଫୁଲ୍ ବାବୁଙ୍କ ଭଳି ତାହା ଶୂନ - ବାବୁ । ଖାଲି ମଲାଟକୁ କେବେହେଲେ ବହି କୁହାଯାଏ ନାହିଁ । ଏବଂ ମଲାଟ ନ ଥିବା ବହିକୁ ବହି କୁହାଗଲେ ବି ତାହା ଅସଂପୂର୍ଣ୍ଣ ବହି ।

ବହିର ମଲାଟ ହେଉଛି ଏକ ପ୍ରକାର ଶୀର୍ଷକ, ଯାହା ବହି ଭିତରକୁ ପ୍ରବେଶ ପାଇଁ ଆମକୁ ପ୍ରାଥମିକ ନିମନ୍ତ୍ରଣ ଜଣାଇଥାଏ । ଆଉ ଖାସ୍ ସେଇଥିପାଇଁ ହିଁ ମଲାଟକୁ କ୍ରମଶଃ ଅଧିକରୁ ଅଧିକ ଆକର୍ଷଣୀୟ କରାଯାଉଛି ଯାହାଫଳରେ ଆମର ଆଖି ପଡିବାମାତ୍ରେ ଆମେ ସେହି ବହିପ୍ରତି ସ୍ୱତଃ ଆକର୍ଷିତ ହୋଇ ଆସିବୁ । ଏଇ କଥାଟି କିନ୍ତୁ ବହିର ଆଦ୍ୟକାଳରେ ନଥିଲା । ଖ୍ରୀଷ୍ଟୀୟ ପନ୍ଦରଶହ ଶତାବ୍ଦୀ ପରେ ମୁଦ୍ରଣ ଯନ୍ତ୍ରର ଉଦ୍ଭାବନ ପରେ ଛପା ବହିର ସଂଖ୍ୟା ବଢିବା ପରେ ହିଁ ଏହିଭଳି ବହି ବିପଣନ ପାଇଁ ମଲାଟର ସୁନ୍ଦରପଣର ଅଭିବୃଦ୍ଧି ଘଟିଛି ।

ଏଇଭଳି ଗୌରଚନ୍ଦ୍ରିକାରୁ ଆମେ ଶିଖିଲେ ଯେ, ପ୍ରଥମରେ, ବହି କହିଲେ ଏକାଧିକ ଛପା ପୃଷ୍ଠାର ଏକ ସମାହାର । ଆଉ ସେହି ଛପାପୃଷ୍ଠାଗୁଡିକ ପୁଣି କ୍ରମ ଅନୁସାରେ ଏକ ଦୁଇ ଆକାରରେ କ୍ରମାଙ୍କରେ ଚିହ୍ନିତ ହୋଇଥିବା ଦରକାର । ଦ୍ୱିତୀୟରେ କ୍ରମାଙ୍କରେ ଥିବା ସେହି ପୃଷ୍ଠାଗୁଡିକ ପୁଣି ଦୁଇଟି ମଲାଟର ଠିକ୍ ମଝିରେ ସଂରକ୍ଷିତ ହୋଇ ରହିବା ଆବଶ୍ୟକ । ଏହାପରେ ବହିଟିକୁ ପଢିବା ପାଇଁ ପାଠକକୁ ପ୍ରତିଟି ପୃଷ୍ଠାକୁ ଓଲଟାଇବାକୁ ପଡିବ । ଏହି ପୃଷ୍ଠା ଓଲଟାଇବା କାମଟି ବାମରୁ ଡାହାଣକୁ ଅବା ଡାହାଣରୁ ବାମକୁ ହୋଇଥାଏ । ପୃଥିବୀର ଅଧିକାଂଶ ବହିକୁ ପଢିବାବେଳେ ବାମରୁ ଡାହାଣକୁ ପୃଷ୍ଠା ଓଲଟାଇବାକୁ ପଡିଥାଏ । ଅଳ୍ପ କିଛି ବହିକୁ ଡାହାଣରୁ ବାମକୁ ପୃଷ୍ଠା କ୍ରମାନ୍ୱୟରେ ଓଲଟାଇ ପଢାଯାଏ । ଏହିଭଳି ପୃଷ୍ଠା ଓଲଟାଇ ଓଲଟାଇ ପଢିବା ହେଉଛି ଗୋଟିଏ ବହିର ତୃତୀୟ ପ୍ରମୁଖ ଆବଶ୍ୟକତା । ବହିର ଆକୃତି ସଂପର୍କରେ ଶେଷ କଥାଟି ହେଉଛି ବହିରେ ଅନ୍ୟ କୌଣସି ପଦାର୍ଥ ନୁହଁ କେବଳ ଯେ କୌଣସି ଦୁଇଟି ପୃଷ୍ଠା ହିଁ ପାଖାପାଖି ବିନ୍ୟସ୍ତ ହୋଇ ରହିବା ବିଧେୟ । କହିବା କଥା ହେଉଛି, ଧରାଯାଉ ଗୋଟିଏ ଛପା ପୃଷ୍ଠା ପରେ ଗୋଟିଏ ସୁନ୍ଦର ଗୋଲାପ ଫୁଲର ଚାଙ୍ଗୁଡି ଆଉ ତାହାପରେ ଛପା ପୃଷ୍ଠାଏ ଓ ତାହାପରେ ସୁନାପାତର ପୁଣି ପୃଷ୍ଠାଟିଏ, ଏହିଭଳି କିଛିକୁ ଏକାଠି ଗୋଟିଏ ମଲାଟ ଭିତରେ ଯଦି ଏକାଠି ବଂଧାହୋଇ ଆମକୁ ଦିଆଯାଏ, ତେବେ ତାହା ଯେତେ ଦାମିକା ଅଥବା ସୁନ୍ଦର ଦିଶୁଥିଲେ ବି ତାହାକୁ ଅନ୍ୟ କ'ଣ କୁହାଯାଇପାରେ ମାତ୍ର ଗୋଟିଏ ବହି ବୋଲି କୁହାଯାଇପାରିବ ନାହିଁ ।

ବହିର ଏହିଭଳି ଏକ ଆକୃତିର କଥା, ଆମେମାନେ ବେଶ୍ ଭଲଭାବରେ ଜାଣୁ । ଏଇଭଳି ଯେଉଁ ବହି - ରୂପ ସହିତ ଆମେ ଖୁବ୍ ବେଶି ପରିଚିତ ତାହାର ଗୋଟିଏ ପରିଭାଷିକ ନାଁ ରହିଅଛି । ତାହାକୁ "କୋଡେକ୍ସ" ବୋଲି କୁହାଯାଏ ।

କୋଡେକ୍ସ ବ୍ୟତୀତ ଅନ୍ଯାନ୍ଯ ପାଠ୍ୟ - ପ୍ରକ୍ରିୟା ବି ସମ୍ଭବ । ଛାପାଖାନା ଉଦ୍ଭାବନ ହେବା ପରେ ସିନା ପୃଷ୍ଠାମାନଙ୍କୁ ଛାପାଖାନାରେ ଛପା ଯାଇ କୋଡେକ୍ସ ବା ଆଜିର ଏଇ ବହିର ସୃଷ୍ଟି ହେଲା । କିନ୍ତୁ ତାହା ପୂର୍ବର କଥାକୁ ଦେଖାଯାଉ । ସେହି ପ୍ରାକ୍ - ମୁଦ୍ରଣ ଶିଳ୍ପ ଯୁଗର ମଣିଷର ବି ପଠନ ଅଭ୍ୟାସ ଥିଲା । ସରଳ ଭାବରେ କହିଲେ ମଣିଷ କୌତୁହଳ ସହ ଜନ୍ମ ନେଇଛି । ସେଇ କୌତୁହଳରୁ ଚାରିଆଡକୁ ନିରେଖିବା, ନିରେଖିବାରୁ ପୁଣି ଅଧିକ କୌତୁହଳ ଆଉ ତାହାପରେ ପୁଣି ନିରେଖିବାରେ ମଣିଷର ଅଧିକ ମନୋନିବେଶ । ଏହା ଭିତରେ ମଣିଷ ଯେ ଅନ୍ୟ ସବୁ କାମ ସହିତ ଆଉ ଗୋଟିଏ ବିଚିତ୍ର କାମ ସହ କ୍ରମଶଃ ଜଡିତ ହୋଇ ପଡୁଥାଏ ଯାହାକୁ କୁହାଯିବ ପାଠପଢା ।

ଆଦିମ କାଳରୁ ଯଥା ଖାଦ୍ୟ - ଉତ୍ପାଦନ ପୂର୍ବର ଖାଦ୍ୟ - ସଂଗ୍ରହ ଯୁଗରୁ ମଣିଷ ନିଜକୁ ସଂରକ୍ଷିତ କରି ରଖିବା ପାଇଁ ପରସ୍ପରର କୌଶଳର ସହଭାଗୀ ହୋଇ ରହି ଆସିଛି । ସେଇ ପାରସ୍ପରିକ କୌଶଳ - "ମୁଁ ଯାହା ଜାଣିଛି ତାହା ଅନ୍ୟର ଜାଣିବା ଦରକାର, ନହେଲେ ଏହା ହଜିଯାଇପାରେ" - ର ବିକଶିତ ରୂପଟି ହେଉଛି ଏଇ ଲେଖନକ୍ରିୟା ଓ ପାଠ୍ୟ - ପ୍ରକ୍ରିୟା ।

ସେଇଥିପାଇଁ ଆମର କୌତୁହଳର ଅବସାନ ପାଇଁ ଆମେମାନେ ମିଶରୀୟ ସଭ୍ୟତାର ମାଟି - ଫଳକ ବା "କ୍ଲେ - ଟାବଲେଟ", ପାପିରସ୍ ଗଛର ବକଳରେ ଲେଖନ, ସିନ୍ଧୁନଦୀ ସଭ୍ୟତାର ସିଲମୋହର, ମାୟା ସଭ୍ଯତାର ମାଳା - ବହି ବା "ବିଡ୍ ବୁକ୍" ଆଦିଙ୍କୁ ଦେଖିଛୁ । ବହି ହିସାବରେ ଯଦିଓ ଏମାନଙ୍କର ମଧ୍ଯରୁ କୌଣସିଟି ବସ୍ତୁତଃ ଟେକନିକାଲି ପରିଭାଷିତ କୋଡେକ୍ସ ବା ବହି ନୁହଁନ୍ତି । ତଥାପି ବହିର ଇତିହାସ ଆଲୋଚନା କଲାବେଳେ ସେମାନେ ଆଲୋଚନାର ପରିସର ଭିତରକୁ ନିଶ୍ଚୟ ଆସିବେ । ଏପରିକି ଖବରକାଗଜ, ପତ୍ରିକା, ହାଣ୍ଡବିଲ୍, ପୋଷ୍ଟର, ଲଟେରୀ ଟିକେଟ, ବିଭିନ୍ନ ଧରଣର ବିଜ୍ଞାପନ, ରସିଦ ପ୍ରଭୃତି ଆମ ବହିର ଇତିହାସରେ ବିବେଚ୍ୟ । କାରଣ କୌଣସି ନିର୍ଦ୍ଦିଷ୍ଟ ଘଟଣା ବା କାହାଣୀର କ୍ରମବିକାଶ ସଂପର୍କରେ ଜାଣିବା ପାଇଁ ଏସବୁ ଗୋଟିଏ ଗୋଟିଏ ଦିଶା ନିର୍ଦ୍ଦେଶକାରୀ ଉତ୍ସ ସ୍ରୋତ । ଏଇକଥାକୁ ଏମିତି ବୁଝିଲେ ହେବ ଯେ ଧରାଯାଉ ଉପରଲିଖିତ ଛପା କାଗଜଗୁଡିକ କେବଳ ଗୋଟିଏ ଗୋଟିଏ ପୃଷ୍ଠା, ଅନ୍ୟତ୍ର ବିଛାଡି ହୋଇ ପଡିଛନ୍ତି । ମଲାଟ ଭିତରେ ସେମାନଙ୍କୁ ବଛାବଛି କରି ବାନ୍ଧି ରଖି ଦେଲେ ସେମାନେ ନିଶ୍ଚୟ ବହି ବା କୋଡେକ୍ସ ହୋଇ ଆମର ଉପକାର କରିବେ।

ଅସଲରେ ବହିର ସଂଭାବନା ଯେଉଁଠି ରହିଛି ତାହା ବି ଏକ ବହି, ସେମିତି ଏକ ଦାର୍ଶନିକ ଅବବୋଧ ଆମର ସ୍ୱାଭାବିକ ଭାବରେ ରହିଥାଏ ।

ସଭ୍ୟତାର ବିକାଶରେ ଆମର ଏଇ କୋଡେକ୍ସର ଆବିର୍ଭାବକୁ ନେଇ ଅନେକ ସଂଶୟ ରହିଛି । ଖ୍ରୀଷ୍ଟୋତ୍ତର ଦ୍ୱିତୀୟ ଶତାବ୍ଦୀ ପରଠାରୁ ଖ୍ରୀଷ୍ଟିଆନ୍ ଜଗତରେ ଆଗରୁ ଗୋଲ୍ କରି ଗୁଡାଇ ରଖାଯାଉଥିବା ପୋଥି ବା ସ୍କ୍ରଲ୍ ର ସ୍ଥାନରେ ପାପିରସ୍ ରେ ଲିଖିତ କୋଡେକ୍ସର ପ୍ରଚଳନ ଆରମ୍ଭ ହେବା ଲକ୍ଷ୍ୟ କରାଯାଏ । ଏଇ କୋଡେକ୍ସର ସିଂହଭାଗ ବାଇବେଲ୍ ବା ଚର୍ଚ୍ଚ - ପିତାମାନଙ୍କର ଜୀବନୀ ସଂକ୍ରାନ୍ତ ( ହାଜିଓଗ୍ରାଫି) ହାତଲେଖା । ଯଦିଓ ସମସାମୟିକ ଗ୍ରୀକ୍ ସାହିତ୍ୟିକ ଓ ବୈଜ୍ଞାନିକ ରଚନା ସେତେବେଳେ ଅନେକ ପରିମାଣରେ ଗୋଲ୍ କରି ଗୁଡା ହୋଇରଖାଯାଉଥିବା ପୋଥି ବା ସ୍କ୍ରଲ୍ ରେ ଲେଖାଯାଉଥିଲା। ଖ୍ରୀଷ୍ଟୀୟ ଧର୍ମ ଓ ଧାରଣାକୁ ବିସ୍ତୃତ ଓ ବ୍ୟାପକ କରିବା ଲକ୍ଷ୍ୟରେ ସେମାନେ ହୁଏତ କୋଡେକ୍ସକୁ ତାଙ୍କର ପ୍ରକୃତ ମାଧ୍ୟମ ବୋଲି ବିବେଚନା କରୁଥିଲେ । କାରଣ ଗୁଡା ହେଉଥିବା ପୋଥି ବା ସ୍କ୍ରଲ୍ ତୁଳନାରେ କୋଡେକ୍ସରେ ସେମାନେ ଅଳ୍ପ ଜାଗାରେ ଅଧିକ ଲେଖି ତାହାକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବାର ଉତ୍ତମ ବିକଳ୍ପଟି ପାଇଯାଇଥିଲେ ।

ପ୍ରାୟ ଖ୍ରୀଷ୍ଟୋତ୍ତର ଚତୁର୍ଥ ଶତାବ୍ଦୀଠାରୁ କୋଡେକ୍ସ ବା ଆମର ଏହି ପାଠ୍ୟ - ପ୍ରକ୍ରିୟାର ରୂପ ବହି ପାଶ୍ଚାତ୍ଯ ଜଗତରେ ପ୍ରାଧାନ୍ଯ ବିସ୍ତାର କରିବାକୁ ଆରମ୍ଭ କଲା ।

ପରବର୍ତ୍ତୀ ହଜାରେ ବର୍ଷ କୋଡେକ୍ସର ଜୀବନରେ ଅନେକ ପରିବର୍ତ୍ତନର ସମୟ । ଏହି ସମୟରେ ଏହା ସହିତ ଚିତ୍ରକଳା ଜଡିତ ହୋଇଗଲା । ଚିତ୍ରକରମାନେ ନିଜର ଚିତ୍ରକଳାରେ ଯେଉଁ ନୂତନ ପରୀକ୍ଷା ନିରୀକ୍ଷା କରୁଥିଲେ ତାହାକୁ ବିନା ସଂଶୟରେ ପ୍ରୟୋଗ କରିବାର ସୁଯୋଗ ପାଉଥିଲେ କୋଡେକ୍ସର ପାଣ୍ଡୁଲିପିକୁ ଅଳଙ୍କରଣ କରିବାରେ । ତେଣୁ କହିବାକୁ ଗଲେ ଚିତ୍ରକରମାନେ ନିଜର ଚିତ୍ରରେ କରିଥିବା ପରୀକ୍ଷାର ତାତକ୍ଷଣିକ୍ ଦର୍ଶକୀୟ ପ୍ରତିକ୍ରିୟା ସଂପର୍କରେ ଅବଗତ ହୋଇ ପାରୁଥିଲେ । ସକାରାତ୍ମକ ପ୍ରତିକ୍ରିୟାମାନ ସେମାନଙ୍କୁ ନିଜ ନିଜର ଚିତ୍ରରେ ଅଧିକ ପ୍ରୟୋଗଶୀଳ କରିବାକୁ ଏକପ୍ରକାରେ ପ୍ରୋତ୍ସାହିତ କରୁଥିଲା । ଅନ୍ଯପକ୍ଷରେ କୋଡେକ୍ସର ପାଣ୍ଡୁଲିପି ନୂଆନୂଆ ଅଳଙ୍କରଣର ବୈଚିତ୍ର୍ୟରେ ଅଧିକ ସୁନ୍ଦର ଦିଶୁଥିଲା ।

ଏହାପରେ ଯେଉଁମାନେ ଅବଗତ ନୁହଁନ୍ତି ସେମାନଙ୍କୁ ଗୋଟିଏ ନୂଆ ଶବ୍ଦ ସହ ପରିଚିତ ହେବାକୁ ପଡିବ । ସେହି ଶବ୍ଦଟି ହେଉଛି "ଇନକୁନାବୁଲା", incunabula । ଶବ୍ଦଟି ୧୫୦୦ ଖ୍ରୀଷ୍ଟାବ୍ଦର ଏକ ବିଖ୍ୟାତ ଶବ୍ଦ । ତାହାର ଅର୍ଥ ହେଉଛି ବହିର ଜନ୍ମସ୍ଥାନ । ଅର୍ଥାତ୍ ୧୫୦୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ବହିକୁ ଯେଉଁ ସ୍ଥାନରେ ମୂଳତଃ ଯାନ୍ତ୍ରିକ ପଦ୍ଧତିରେ ପ୍ରସ୍ତୁତ କରାଯାଉଥିଲା ତାହାକୁ କୁହାଯାଉଥିଲା, ଇନକୁନାବୁଲା ।

କୋଡେକ୍ସର ଇତିହାସରେ ସେଇ ବିଶେଷ ଶତାବ୍ଦୀ ଅର୍ଥାତ୍ ପନ୍ଦରଶହ ଖ୍ରୀଷ୍ଟାବ୍ଦରେ ଏକ ଅଦ୍ଭୁତ ପୂର୍ବ ବିପ୍ଳବ ଘଟିଥିଲା । ଜର୍ମାନୀର ମାଇନସ୍ ସହରରେ ୟୋହାନ ଗୁଟେନବର୍ଗ ମୁଦ୍ରଣ ଯନ୍ତ୍ରର ଉଦ୍ଭାବନ କରିଥିଲେ । ସେ ମୁଭେବଲ୍ ଟାଇପ୍ ବା ଖଂଜା ଟାଇପ୍ ନିର୍ମାଣ କରି ମୁଦ୍ରଣ ପ୍ରକ୍ରିୟାକୁ ବ୍ୟାପକ କରିଥିଲେ । ଏହାଫଳରେ ବହିର ବହୁଳ ପ୍ରସାର ସହ ଏହାର ଉତ୍ପାଦନ ଓ ବଣ୍ଟନ ବହୁ ଗୁଣ ବୃଦ୍ଧି ପାଇଥିଲା ।

ସେହି ମୁଦ୍ରଣ ପ୍ରକ୍ରିୟାରେ କୋଡେକ୍ସର ସମସ୍ତ ମୂଳ ସର୍ତ୍ତକୁ ଅକ୍ଷୁଣ୍ଣ ରଖାଯାଇଥିଲା।

ପ୍ରଥମେ ଗୁଟେନବର୍ଗ ଶହେଟି ସୀସା ଅକ୍ଷର ବା ମୁଭେବଲ୍ ଟାଇପ୍ ତିଆରି କରିଥିଲେ । ସେଇ ଶହେଟି ସୀସା ଅକ୍ଷରର ସେ ଗୋଟିଏ ଚମତ୍କାର ନାମକରଣ କରିଥିଲେ, "ଗୁଟେନବର୍ଗଙ୍କ ସେନାବାହିନୀ" ବା "ଗୁଟେନବର୍ଗସ୍ ଆର୍ମି" । ଏହି ସେନାବାହିନୀ ଦ୍ୱାରା ତାଙ୍କର ବର୍ଣ୍ଣାଢ୍ୟ ଏବଂ ଅବିସମ୍ବାଦିତ ବିଶ୍ୱ ବିଜୟ ଆରମ୍ଭ ହୋଇଥିଲା ।

ଗୁଟେନବର୍ଗ ପ୍ରକ୍ରିୟାର ଅନେକ ଆଗରୁ କିନ୍ତୁ ପ୍ରାଚ୍ୟ ଜଗତରେ ମୁଦ୍ରଣ ପ୍ରଚଳିତ ଥିଲା । ଏଗାର ଶହ ଶତାବ୍ଦୀରେ ଚାଇନାରେ ଟେରାକୋଟାର ଅକ୍ଷର, ୧୩ଶହ ଶତାବ୍ଦୀରେ କୋରିଆରେ ଧାତବ ଅକ୍ଷର ମୁଦ୍ରଣ କାମରେ ବ୍ୟବହୃତ ହେଉଥିଲା । ଏହାର ବହୁ ପୂର୍ବରୁ ଅଷ୍ଟମ ଆଉ ନବମ ଶତାବ୍ଦୀରେ ଏଇ ଦୁଇ ଦେଶରେ କାଠକୁ ଖୋଳି ଅକ୍ଷର ତିଆରି କରି ଛାପା କାମ ବା "ଜାଇଲୋଗ୍ରାଫି" ହେଉଥିଲା । ତେଣୁ ଭ୍ରାମ୍ୟମାଣ ଅକ୍ଷର ଯେ ଗୁଟେନବର୍ଗଙ୍କ ଏକମାତ୍ର ଅବଦାନ ତାହା ବିଚାରିବା ଠିକ୍ ନୁହଁ । କିଂତୁ ଗୁଟେନବର୍ଗ ବହିର ପ୍ରସାରକୁ ଏକ ନୂତନ ଦିଗନ୍ତ ଦେଇଥିବା ହେତୁ ତାଙ୍କର ଅବଦାନ ସ୍ୱୀକାର୍ଯ୍ୟ ।

ଉତ୍ତର ଖ୍ରୀଷ୍ଟ ପ୍ରଥମ ସହସ୍ରାବ୍ଦୀରେ ବହି ବା କୋଡେକ୍ସର ଖ୍ରୀଷ୍ଟଧର୍ମ ସଂପର୍କିତ ସୁସମାଚାର, ପ୍ରାର୍ଥନା ଏବଂ ପୂଜାବିଧି ଆଦିକୁ ସଂରକ୍ଷଣ ତଥା ଲୋକାଭିମୁଖୀ କରିବା ହିଁ ପ୍ରାଥମିକ ଆବଶ୍ୟକତା ଥିଲା । ଚର୍ଚ୍ଚର ସନ୍ୟାସୀମାନେ ବସ୍ତୁତଃ ଏହିଭଳି ବହିମାନଙ୍କୁ ନିଜ ହାତର ଲେଖି ନକଲ କରି ଅନେକ "କପି" ପ୍ରସ୍ତୁତ କରୁଥିଲେ । ସେହି ସବୁ ହାତଲେଖା ନକଲ କରାଯାଇଥିବା କୋଡେକ୍ସ ମାନ ଚର୍ଚ୍ଚମାନଙ୍କର ପୋଥି - ସଂଗ୍ରହାଳୟ ବା ଆର୍ମାରିଅମ୍ ମାନଙ୍କରେ ରଖାଯାଉଥିଲା । ଚର୍ଚ୍ଚ ଇତିହାସ (ଇତିହାସତତ୍ତ୍ୱ ଅଧ୍ୟୟନରେ ଚର୍ଚ୍ଚ - ଇତିହାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକ କାଳର ଇତିହାସ - ଚିନ୍ତା । ଗ୍ରୀକ୍ - ରୋମାନ ଇତିହାସତତ୍ତ୍ୱର ପରବର୍ତ୍ତୀକାଳୀନ ଏହି ଇତିହାସ - ଚିନ୍ତାରେ ଭିନ୍ନ ଭିନ୍ନ ପ୍ରମୁଖ ଚର୍ଚ୍ଚର ଉତ୍ପତ୍ତି ତଥା ପ୍ରତିପତ୍ତିର କାଳାନୁକ୍ରମିକ ଅଧ୍ୟୟନ ହିଁ ପ୍ରମୁଖତା ଗ୍ରହଣ କରିଥିଲା ।) ରେ ଏହି କୋଡେକ୍ସ ମାନ ହେଉଛନ୍ତି ପ୍ରାଥମିକ ତଥ୍ୟ - ଉତ୍ସ । ଚର୍ଚ୍ଚର ଆର୍ମାରିଅମ୍ ରେ ଥିବା ଗୋଟିଏ ପୋଥି ବା କୋଡେକ୍ସରେ ବିଷ ଲେପନ କରାଯାଇ ଜଣେ ଖ୍ରୀଷ୍ଟ ସନ୍ୟାସୀକୁ ହତ୍ୟା କରାଯିବା ଓ ସେହି ରହସ୍ୟର ଉଦଘାଟନ ଭଳି ଏକ ରୋମାଞ୍ଚକର ଖାଲି ରହସ୍ୟ କାହାଣୀ ନୁହଁ ଏକ ପଥପ୍ରଦର୍ଶକ ଉପନ୍ୟାସକୃତି ରଚନା କରିଛନ୍ତି ପ୍ରଖ୍ୟାତ ଇଟାଲୀୟ ଲେଖକ ଅମ୍ବେର୍ତୋ ଇକୋ, ତାଙ୍କ ଉପନ୍ୟାସର ନାଆଁ "ଦି ନେମ୍ ଅଫ୍ ଦି ରୋଜ୍" । ସେ ଯାହାହେଉ ସେତେବେଳେ କିନ୍ତୁ ଏହି କୋଡେକ୍ସମାନଙ୍କର ପ୍ରଚଳନ ଚର୍ଚ୍ଚର ଭିତରେ ସୀମାବଦ୍ଧ ଥିଲା । ମାତ୍ର "ଭ୍ରାମ୍ୟମାଣ ଅକ୍ଷର" ମାନ ଉଦ୍ଭାବନ ହେବା ଫଳରେ ଏହି ସବୁ ବହି ବା କୋଡେକ୍ସ ଆଉ ଧର୍ମର ବଳୟରେ ରହିଲା ନାହିଁ । ଧର୍ମର ଆନୁଷ୍ଠାନିକ ନିୟନ୍ତ୍ରଣରେ ଆଉ ରହିଲା ନାହିଁ । ଛାପାଖାନାରେ ସେହି "ଭ୍ରାମ୍ୟମାଣ ଅକ୍ଷର" ମାନେ ବହିକୁ ଯଥାର୍ଥରେ ଗଣତାନ୍ତ୍ରିକ ଅର୍ଥାତ୍ ସର୍ବସାଧାରଣଙ୍କର ଅଧିକାର ରହିବା ଭଳି ଧର୍ମ ନିରପେକ୍ଷ ପରିପ୍ରେକ୍ଷ୍ୟ ପ୍ରସ୍ତୁତ କରିଦେଇଥିଲେ । ଧାର୍ମିକ ଅନୁବନ୍ଧରୁ ଅନେକ ପରିମାଣରେ ମୁକ୍ତ ହେବା ପରେ ଏଇଠାରୁ ହିଁ ଯାହାକୁ କହନ୍ତି ବହିର ଧର୍ମ - ନିରପେକ୍ଷ ଅଧ୍ୟୟନ ଏବଂ ଧର୍ମ - ନିରପେକ୍ଷ ସାହିତ୍ୟ ଅର୍ଥାତ୍ "ସିକୁଲାର୍ ଲିଟରେଚର୍" ର ବିସ୍ତାର ଘଟିଥିଲା । ଏବଂ ଧର୍ମ - ନିରପେକ୍ଷ ସାହିତ୍ୟ ସହିତ ଆଉ ଯେଉଁ କଥାଟି ଓତଃପ୍ରୋତ ଭାବରେ ଜଡିତ ଯଥା ବହିର ବ୍ୟାପକ ପ୍ରସାର ବି ଦେଖିବାକୁ ମିଳିଲା । ଚାହିଦା ବଢିବା ସହିତ ଛାପାଖାନାରେ ବହିର ଉତ୍ପାଦନ ମୂଲ୍ୟ ଯେମିତି କମ୍ ରହେ ଆଉ ଯାହା ଫଳରେ ଚାହିଦାର ଯେମିତି ଏକ ନିରନ୍ତରତା ରହେ ସେହିଭଳି ଏକ ଉତ୍ପାଦନନୀତିକୁ ଅନୁସରଣ କରି ତାହାପରେ କାଗଜର ଉଭୟପଟରେ ଛପେଇ କରାଯିବାର ଆରମ୍ଭ ହୋଇଥିଲା । ପୃଥିବୀର ସବୁ ପ୍ରାଥମିକ "କୋଡେକ୍ସ" ର ଲେଖା କିନ୍ତୁ ଗୋଟିଏ ପଟରେ ହେଉଥିଲା, ଉଭୟ ପଟରେ ନୁହଁ ।

ବହିର ଆଦ୍ୟକାଳ ଅର୍ଥାତ୍ କୋଡେକ୍ସ କାଳରେ ବହି ଲେଖା ହୋଇ ରହିଥିଲେ ବି ସେହି ଲେଖା ବିଶେଷତଃ ଅନେକ ପରିମାଣରେ ମଣିଷର ସ୍ମୃତି ନିର୍ଭର ଥିଲା । ଗୋଟିଏ କୋଡେକ୍ସରୁ କିଛି ଅଂଶ ପଢା ହୋଇଥିଲେ ବି ପରବର୍ତ୍ତୀ ସମୟରେ ସେହି ପୁରୁଣା ପଢାସରିଥିବା ଅଂଶକୁ ଫେରି ସେହିଠୁ ପରବର୍ତ୍ତୀ ଅଂଶକୁ ପଢିବା ସହଜ ନଥିଲା । ତେଣୁ ସେଥିପାଇଁ କୋଡେକ୍ସରୁ କେତେ ପଢା ସରିଛି ଆଉ କେଉଁଠୁ ପଢା ଆରମ୍ଭ ହେବ ସେକଥାକୁ ମନେ ପକାଇଦେବା କାମ ତରୁଣ ଶିକ୍ଷାନବିସ୍ ଖ୍ରୀଷ୍ଟ ସନ୍ୟାସୀର ଦାୟିତ୍ୱ ଥିଲା । କିନ୍ତୁ ଏବେ ବହିର ପ୍ରତିପତ୍ତି ବଢିଛି । ବହି ଆଉ ଆଗଭଳି ପ୍ରବୀଣର ସ୍ମୃତି ନିର୍ଭର ହୋଇ ରହିନାହିଁ । ବହିର କ୍ରମାଙ୍କରେ ପୃଷ୍ଠା ସଂଖ୍ୟା ରହିଛି । ସୂଚୀପତ୍ର ଓ ଇଣ୍ଡେକ୍ସ ରହିଛି । ଏହାଫଳରେ ବହିର ସାର୍ବଜନୀନ ବ୍ୟବହାର ସହଜ ଓ ସରଳ ହୋଇଛି । ଆଉ ଆଗଭଳି ବହିକୁ ପଢିବା ପାଇଁ ଅର୍ଥାତ୍ ଗୁଡାହୋଇ ରହିଥିବା ବହିକୁ ଖୋଲିଖୋଲି ପଢିବା ପାଇଁ ଦୁଇଟିଯାକ ହାତର ପ୍ରୟୋଜନୀୟ ନାହିଁ । ଏବେ କିନ୍ତୁ ଗୋଟିଏ ହାତରେ ବହି ପଢିବା ଭଳି ସୁଖକର ଅଭ୍ୟାସ ଆମ ପାଇଁ ସମ୍ଭବ । ଏହା ସହିତ ଆଉ ଗୋଟିଏ ବିବର୍ତ୍ତନ ଘଟିଛି । କୋଡେକ୍ସରେ ମୁଖ୍ୟତଃ ଧର୍ମ - ଅନୁସଙ୍ଗ ଥିବା କାରଣରୁ ଏହାକୁ ପାଠ କରିବା ଭିତରେ ବି ଏକ ଧର୍ମୀୟ ଆନୁଗତ୍ୟର ଶ୍ରଦ୍ଧା ଆଚରଣ ଭଳି ଆନୁଷ୍ଠାନିକତା ରହୁଥିଲା । ଚର୍ଚ୍ଚ - ପିତାମାନେ ଏହାକୁ ପଢିବା ସମୟରେ ଏହାକୁ ସମ୍ମାନର ସହ ଲେକଟର୍ଣ୍ଣ ଉପରେ ସ୍ଥାପନା କରି ରଖୁଥିଲେ । କୋଡେକ୍ସକୁ ପଢିବାବେଳେ ଭକ୍ତି ପରବଶ ହୋଇ ସମସ୍ତଙ୍କୁ ଠିଆ ହୋଇ ପଢିବାକୁ ହେଉଥିଲା । "ଭ୍ରାମ୍ୟମାଣ ଅକ୍ଷର" ର ଉଦ୍ଭାବନ ଫଳରେ ବହି ଯେତେବେଳେ ଧାର୍ମିକତାରୁ ମୁକ୍ତ ହେଲା ଆଉ ବହି ସର୍ବସାଧାରଣଙ୍କ ନିକଟରେ ଉପଲବ୍ଧ ହେଲା । ଏବଂ ଯେତେବେଳେ ବହିକୁ ପାଠ କରିବା କେବଳ ଆଉ ଧର୍ମୀୟ - ଅନୁଷ୍ଠାନ ହୋଇ ରହିଲା ନାହିଁ ଏବଂ ସିକୁଲାର୍ ଲିଟେରେଚର୍ ର ଉଦ୍ଭବ ହେଲା ସେତେବେଳେ ମଣିଷର ବହି - ପାଠ କ୍ରମଶଃ ଏକ ପ୍ରକାର ବିନୋଦରେ ପରିବର୍ତ୍ତିତ ହେବାକୁ ଆରମ୍ଭ କଲା । ତାହାଫଳରେ ବହିକୁ ଠିଆ ହୋଇ ପଢିବା ଭଳି ବ୍ୟବସ୍ଥାପନା ଆଉ ଏକମାତ୍ର ପଠନ - ମୁଦ୍ରା ହୋଇ ରହିଲା ନାହିଁ । ଲୋକେ ନିଜର ନିଜର ଆନନ୍ଦରେ ବହିକୁ ବସିବା ମୁଦ୍ରାରେ ବା ଶୋଇବା ମୁଦ୍ରାରେ ପଢିବାକୁ ଆରମ୍ଭ କଲେ । ବହି ଆଉ ବହି ପଢିବା ପଛରେ କୋଡେକ୍ସ ଯୁଗର ଆଉ କୌଣସି ନିୟନ୍ତ୍ରଣ ରହିଲା ନାହିଁ ।

ସଂପ୍ରତି କଂପ୍ୟୁଟରର ମନିଟରରେ ଯେଉଁ ପାଠଟି ଆମେ ପଢୁ ଯାହାକୁ ହାଇପର ଟେକ୍ସଟ ବୋଲି କୁହାଯାଏ । ଆଉ ଏହି ହାଇପର ଟେକ୍ସଟକୁ ପଢିବା ପାଇଁ ଉପରକୁ ତଳକୁ କରିବା କାମକୁ "ସ୍କ୍ରଲ୍" କୁହାଯାଏ । "ସ୍କ୍ରଲ୍" ହେଉଛି ପ୍ରାଚୀନ ପୋଥି ଭଳି ପଠନ ପ୍ରକ୍ରିୟା । ଏହାଦ୍ୱାରା ଆମେ ଆମର ପାରପାଂରିକତାକୁ ଏକ ସର୍ବାଧୁନିକ ପରିଭାଷା ପ୍ରଦାନ କରିଅଛୁ।

ସେ ଯାହାହେଉ, ସବୁଠୁ ବଡ କଥା ହେଉଛି ବହିର ଇତିହାସରେ ଗୁଟେନବର୍ଗ ଗୋଟିଏ ବିଭେଦକ ରେଖା ଟାଣି ପାରିଛନ୍ତି । ତାଙ୍କ ପୂର୍ବରୁ ଅର୍ଥାତ୍ ୧୫୦୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ଯେତେ ସବୁ ବହି ପ୍ରସ୍ତୁତ କରାଯାଇଥିଲା ସେଇ ସବୁକୁ ଚିହ୍ନିତ କରାଯାଇଛି ଗୋଟିଏ ଶବ୍ଦରେ । ଆଗରୁ ସେଇ ଶବ୍ଦର ଉଲ୍ଲେଖ କରାଯାଇଛି । ସେଇ ବିଶେଷ ଶବ୍ଦ, ଇନକୁନାବୁଲା ।