ଚିତ୍ର - ରାଜା ରବି ବର୍ମା । ଉନବିଂଶ ଶତାବ୍ଦୀର ଆଦ୍ୟ କାଳ।- ୱିକି ମିଡିଆ

ଓମ ନମୋ ଆଦ୍ୟାୟୈ ।
ହେ ଆଦ୍ୟରୂପା ମୁଁ ତମକୁ ପ୍ରଣିପାତ କରୁଅଛି ।

ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ଆଦ୍ୟ ଭାଗର ତନ୍ତ୍ର ସାଧକ ଶ୍ରୀଶ୍ରୀ କୃଷ୍ଣାନନ୍ଦ ଆଗମବାଗୀଶଙ୍କ ରଚିତ ଏକ ବିଖ୍ୟାତ ପୁସ୍ତକ ହେଉଛି "ତନ୍ତ୍ରସାର" ।

"ତନ୍ତ୍ରସାର" ର ପ୍ରକାଶିତ ସମୟ ୧୬୦୪ ଖ୍ରୀଅ । ଭାରତରେ ସେତେବେଳେ ମୁଗଲ ଶାସନ । ଇଉରୋପରୁ ଭିନ୍ନ ଭିନ୍ନ ବଣିକ ଦଳ ଆସି ଏଠାରେ ବାଣିଜ୍ୟ ବ୍ୟବସାୟ କରି ବେଶ୍ ଦୁଇ ପଇସା ଲାଭ ଅର୍ଜନ କରୁଥାନ୍ତି । ଅନ୍ୟପକ୍ଷରେ ଭାରତୀୟ ଦ୍ରବ୍ୟର ଚାହିଦା ପାଇଁ ଗୋଟିଏ ସମର୍ଥ ଇଉରୋପୀୟ ବଜାର କ୍ରମଶଃ ଖୋଲିବାକୁ ଆରମ୍ଭ କରୁଥାଏ । ପରେ ଯେଉଁ ବଣିକ ଦଳ ଇଉରୋପରୁ ଆସି ଏଠାରେ ପ୍ରଭୁ ହୋଇଗଲେ ସେମାନେ ଏଇ ସମୟବେଳକୁ ଅତ୍ୟନ୍ତ ଅନାମ ।

ସମସ୍ତ ଗହନ ଏବଂ ଜଟିଳ କଥାକୁ ଅନାୟାସରେ ପ୍ରକାଶ କରିପାରିବା ଭଳି ତାଙ୍କର ଦକ୍ଷତା ଥିଲା ବୋଲି ସମସ୍ତେ ତାଙ୍କୁ କହୁଥିଲେ ସେ ଆଗମବାଗୀଶ । ସମସ୍ତ ଆଗମ ବାକ୍ ର ଈଶ ଅର୍ଥାତ୍ ଦକ୍ଷ ସେ । ସେଇଥିପାଇଁ ସେ ଆଗମବାଗୀଶ । ତାଙ୍କର ପିତୃଦତ୍ତ ନାମ କିନ୍ତୁ କୃଷ୍ଣାନନ୍ଦ ମୁଖୋପାଧ୍ୟାୟ । ୧୫୩୩ ଖ୍ରୀଅରେ ବଙ୍ଗଳାର ନବଦ୍ୱୀପର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ । ପରିବାର ବୈଷ୍ଣବ, ସେଇଥିପାଇଁ ନାଆଁ କୃଷ୍ଣାନନ୍ଦ । ଖାଲି ବୈଷ୍ଣବ ନୁହଁ ପରିବାରଟି ହେଉଛି ଏକ କାବ୍ୟ ଶାସ୍ତ୍ର ବିନୋଦନରେ କାଳ ଅତିବାହିତ କରୁଥିବା ପଣ୍ଡିତଙ୍କ ପରିବାର । ସବୁବେଳେ ସଂସ୍କୃତ ଆଉ ଭକ୍ତି ରସର ଫୁଆର ଚାରିଆଡେ । କୃଷ୍ଣାନନ୍ଦ କିନ୍ତୁ କ୍ରମଶଃ ଶାକ୍ତ ହୋଇ ଉଠିଲେ ଏବଂ ତନ୍ତ୍ର ଆରାଧନାରେ ନିଜର ରୁଚି ଜାହିର କରିବାକୁ ଲାଗିଲେ । ସେତିକିବେଳେ ସେ ଆଗାମବାଗୀଶ, ସବୁ ଗହନ କଥା କରିପାରିବାର ଦକ୍ଷତା ତାଙ୍କର କିମ୍ବଦନ୍ତୀ ପର୍ଯ୍ୟାୟର ।

ଗୋଟିଏ ଅଦ୍ଭୁତ ଘଟଣା ଘଟିଥିଲା ।

କୃଷ୍ଣାନନ୍ଦ ଦିନେ ପାହାନ୍ତାପହରବେଳକୁ ଗୋଟିଏ ଅଲୌକିକ ସ୍ୱପ୍ନ ଦେଖିଥିଲେ । ତାଙ୍କର ସ୍ୱପ୍ନରେ ଆଦ୍ୟାଶକ୍ତି ଆବିର୍ଭୂତା ହୋଇଗଲେ ଏବଂ କହିଲେ, "ଦେଖ୍ କୃଷ୍ଣ, ଏବେ ମୋତେ ଏକ ନିର୍ଦ୍ଦିଷ୍ଟ ରୂପରେ ପରିଚିତ କରାଇବାର ଦାୟିତ୍ୱ ଖାସ୍ ତୋ'ର । ତୋ ଉପରେ ଏହି ଭାର ରହିଲା । ମନେ ରଖିଥିବୁ ।" କୃଷ୍ଣାନନ୍ଦଙ୍କ ନିଦ ହଠାତ୍ ଭାଙ୍ଗିଗଲା । ବ୍ରାହ୍ମ ମୁହୂର୍ତ୍ତ ହେବାକୁ ଆଉ କିଛି ସମୟ ବାକି ଅଛି । ଅଂଧାରରୁ ଆଲୋକିତ ହେବାର ଆୟୋଜନରେ ଛଟପଟ ହେଉଛି ସମୟ । ଯେମିତି ପହରାଦାରମାନେ ନିଜନିଜର କର୍ତ୍ତବ୍ୟ ହସ୍ତାନ୍ତର କରିବା ପୂର୍ବର, ହଁ ଏମିତି ତ ସବୁଦିନ ହୁଏ" ସେହିଭଳି ସ୍ୱାଭାବିକତାର କାରଣରୁ ଅଳସ ଭାଙ୍ଗୁଛନ୍ତି । କୃଷ୍ଣାନନ୍ଦଙ୍କ ଶେଜ ନିକଟରେ ଭିନ୍ନ ପ୍ରକାରର ବାସ୍ନା । ସାଧକର ସାଧନା ବିଘ୍ନିତ ହେବ ବୋଲି ଅନେକ ଦିନରୁ ତାଙ୍କର ପୃଥକ ଶଯ୍ୟା । ତାଙ୍କର କୁଶରେ ତିଆରି ଶେଜଟି କିନ୍ତୁ ସବୁଦିନ ତାଙ୍କର ପତ୍ନୀ ପ୍ରସ୍ତୁତ କରି ଆଢୁଆଳକୁ ଚାଲିଯାଆନ୍ତି । ସାଧକ ତାହାର ସାଧନାରେ ଭିନ୍ନ ଲୋକରେ ନିମଜ୍ଜିତ ହୋଇ ରହିଥାଏ । କୃଷ୍ଣଚନ୍ଦ୍ରଙ୍କ ଦାମ୍ପତ୍ୟ ଜୀବନ ରହିଥାଏ କେବଳ ଗୋଟିଏ ବାସ୍ନାରେ । ମଲ୍ଲୀଫୁଲର ବାସ୍ନାରେ ତାଙ୍କର ନିଦ ବ୍ରାହ୍ମମୁହୂର୍ତ୍ତ ପୂର୍ବରୁ ଭାଙ୍ଗିଥାଏ । ରାତି ଅଂଧାରରୁ ମାଳେ ମଲ୍ଲୀଫୁଲ ତୋଳି କୌଣସି ନିଦ୍ରିତ ସାଧକ ସ୍ୱାମୀର ଶେଜରେ ପକାଇବା ଏମିତିରେ କୌଣସି ପତ୍ନୀର ଏକ ଗର୍ହିତ କାର୍ଯ୍ୟ ବୋଲି ଧରାଯିବନାହିଁ । ସବୁଦିନ ତ ଆଉ ମଲ୍ଲୀ ଫୁଲ ଫୁଟିବ ନାହିଁ । ଗମ୍ଭୀର ଆଉ ଜଟିଳ କଥା କହିବାରେ ବିଦ୍ୱଜ୍ଜନଙ୍କ ସମକ୍ଷରେ ଶାର୍ଦ୍ଦୁଳ ସମ ଏହି ଆଗମବାଗୀଶ କିନ୍ତୁ ବ୍ରାହ୍ମ ମୁହୂର୍ତ୍ତରେ ମଲ୍ଲୀଫୁଲର ଅଦିନିଆ ସମୟରେ ସେଇ ପରିଚିତ ବାସ୍ନାକୁ ନିଜ ଶେଜରେ କାହିଁକି ଅନୁଭବ କରିଥାନ୍ତି ସେ କଥାକୁ ସେ ନିଜକୁ ସେମିତି ପରିଷ୍କାର ଭାବରେ ବୁଝାଇ କହିପାରନ୍ତି ନାହିଁ ।

ସେଦିନର ବାସ୍ନା କିନ୍ତୁ ଭିନ୍ନ ପ୍ରକାରର । ତାଙ୍କର ଶେଜ ନିକଟରେ ସେଦିନ ଥିଲା ଝୁଣା ଗୁଗୁଳର ବାସ୍ନା । ଅଗନାଅଗନି ବନସ୍ତରୁ ଯେମିତି ସେଇ ବାସ୍ନାରେ କାହାର ଆଗମନୀ ।

କୃଷ୍ଣାନନ୍ଦଙ୍କ ସର୍ବାଙ୍ଗରେ କମ୍ପନ । ସେ ବୁଝି ପାରୁନଥିଲେ ଦେବୀଙ୍କୁ କେମିତି ଗୋଟିଏ ରୂପରେ ଉପସ୍ଥାପନ କରାଯାଇପାରିବ ? ଆଦ୍ୟାଶକ୍ତି ସେ । ଆରମ୍ଭର ଶକ୍ତିରୂପ କେମିତି ସମ୍ଭବ ? ଗୋଟିଏ ବିନ୍ଦୁ କି ଗୋଟିଏ ଶୂନ୍ୟ ଛଡା କେମିତି ଆଦ୍ୟାଶକ୍ତିର ରୂପ ପ୍ରତିମା ଉଦ୍ଭାସିତ ହେବ ?

ଏମିତି ସମୟ ଅଛି ଯେଉଁଠି ଆଗାମବାଗୀଶମାନେ ଅନୁଭବ କରନ୍ତି ଯେ ସେମାନେ ନିରର୍ଥକ ଆଉ ଅପଦାର୍ଥ ।

କୃଷ୍ଣାନନ୍ଦ ନିଜର ସ୍ମୃତି ଉପରେ ଚାପ ଦେଲେ । ସ୍ମରଣ କରିବାକୁ ଚାହିଁଲେ ଟିକିଏ ଆଗରୁ ଦେଖିଥିବା ସ୍ୱପ୍ନରେ ଯେଉଁ ଆଦ୍ୟାଶକ୍ତି ଆସି ସ୍ୱରୂପରେ ପ୍ରକଟିତ ହେବାପାଇଁ କହିଯାଇଛି, ତାହାର ସେହି ରୂପଟି କେମିତି ଥିଲା । ସେଥିରୁ ଗୋଟିଏ ଝଲକ ଯଦି ସେ ନିଜର ମାନସ ଚକ୍ଷୁରେ ଏବେ ଦେଖିପାରନ୍ତେ ତେବେ ଆଉ କୌଣସି ଅସୁବିଧା ରହନ୍ତା ନାହିଁ । ତାହାପରେ ସେ ସେହି ରୂପକୁ ବିସ୍ତାର କରି ସମସ୍ତଙ୍କୁ କହିପାରନ୍ତେ, ଏଇ ହେଉଛି ଆମର ସେଇ ଆଦ୍ୟାର ରୂପ । ଦେଖ । ଦେଖ ।

ନିଜର ଆଖିକୁ ଜୋର୍ ରେ ବୁଜିଲେ, ଜୋର୍ ରେ ବାଧିବା ଯାଏଁ ବିସ୍ଫାରିତ କରି ଚାହିଁଲେ ସାଧକପ୍ରବର ଶ୍ରୀଶ୍ରୀ କୃଷ୍ଣଚନ୍ଦ୍ର ଆଗାମବାଗୀଶ ।

ଆମେ ଆଖି ଖୋଲିଲେ ମଣିଷକୁ ଦେଖୁଛୁ ତେଣୁ ମଣିଷକୁ କୌଣସି ଗୋଟିଏ ରୂପ ଦେବା ଭାରି ସହଜ । ମାତ୍ର ଦେବୀଦେବତା ? ବଡ ଜଟିଳ ଆଉ ବଡ କଷ୍ଟ ସେମାନଙ୍କୁ ଚିତ୍ରପ୍ରତିମାରେ ସଠିକ ଭାବରେ ସବୁଦିନ ଧାରଣ କରି ରଖିବା । ସେଇଥିପାଇଁ ତ ସବୁଠୁ ସହଜବାଟ ହେଉଛି ଦେବତାକୁ ଚିରକାଳ ଅଧାଗଢା ଆକାରରେ ରଖିଦେବା । ଯାହାଫଳରେ ଦେବତାର ବାକି ଅଧକ ଭକ୍ତ ନିଜନିଜର କଳ୍ପନାରେ ଗଢି ମନ ଆନନ୍ଦରେ ସେତକ ପୂରଣ କରିପାରିବ । ନାରୀ ସଂପର୍କରେ କବିଗୁରୁ ରବୀନ୍ଦ୍ରନାଥଙ୍କ ଏକ ବିଖ୍ୟାତ ମନ୍ତବ୍ୟକୁ ଟିକିଏ ପରିବର୍ତ୍ତନ କରି "ଅର୍ଦ୍ଧେକ ଦେବତା ତମେ, ଅର୍ଦ୍ଧେକ କଳ୍ପନା" ବୋଲି ଦେବତାଙ୍କ ଉଦ୍ଦେଶ୍ୟରେ ନିବେଦନ କରି କହିଲେ କଥାଟି ସେତେ ତ୍ରୁଟିପୂର୍ଣ୍ଣ ହୋଇଯିବ ନାହିଁ ।

ଶ୍ରୀଶ୍ରୀ କୃଷ୍ଣାନନ୍ଦ ଆଗମବାଗୀଶଙ୍କର ସେଦିନ ପାହାନ୍ତାରେ ନିଦ ଭାଙ୍ଗିଯିବା ପରର ଡହଳବିକଳ ହେବା ଭଳି ସମସ୍ୟାକୁ ଆମେ ଆମର ଅତି ତୁଚ୍ଛ ଚକ୍ଷୁରେ ନିଶ୍ଚୟ କିଛି ପରିମାଣରେ ବୁଝିପାରିବା । ଆଦ୍ୟାଶକ୍ତିକୁ କେମିତି ରୂପ ଦିଆଯିବ ଆଉ ତାହା ପୁଣି ସଠିକ ହୋଇଥିବା ଦରକାର ? ତାହା ହିଁ ହେଉଛି ସମସ୍ୟା । ଶ୍ରୀଶ୍ରୀ ଆଗମବାଗୀଶଙ୍କର ମୁହଁରୁ ତାହାପରେ ଉଦଭ୍ରାନ୍ତ ଭଳି ଅବାରିତ କେତେକ ଶ୍ଳୋକ ବାହାରିଯାଇଥିଲା । ସେ ସବୁକୁ ପୋଥିରେ ଲେଖି ରଖିବା ଭଳି କୌଣସି ଆବଶ୍ୟକତା ସେ ଅନୁଭବ କଲେ ନାହିଁ । ସେହି ଶ୍ଳୋକମାନ ତୁଚ୍ଛ ବାଗାଡମ୍ବର ହୋଇ ଧ୍ୱନୀମୟ ହୋଇ ହଜିଯାଉଥିଲେ । କୌଣସି ଇପ୍ସିତ ରୂପ ସେଥିରେ ପ୍ରତିଭାସିତ ହେଉନଥିଲା । ଶ୍ରୀଶ୍ରୀ ଆଗମବାଗୀଶ ଅଥୟ ହେଉଥିଲେ । ଚାରିପଟରେ ପରିଷ୍କାର ଦେଖି ହେଉନଥିବା ଆଲୁଅରେ ଆଦ୍ୟାଶକ୍ତିଙ୍କର ଯେଉଁ ରୂପ ତାଙ୍କୁ ଦେଖାଯାଉଥିଲା ତାହା କେବଳ ଗୋଟିଏ ବିନ୍ଦୁ ଅଥବା ପରିବ୍ୟାପ୍ତ ଶୂନ୍ୟତା ଆଉ ଭିନ୍ନ କିଛି ନୁହଁ । ଏହାକୁ କେମିତି ଏକ ଇନ୍ଦ୍ରିୟଗ୍ରାହ୍ୟ ରୂପରେ ସମସ୍ତଙ୍କର ମନବୋଧ ହେଲା ଭଳି ସ୍ପଷ୍ଟ କହିହେବ ।

ରାତି ପୂରାପୂରି ଫର୍ଚ୍ଛା ହୋଇନାହିଁ । କବାଟ ଖୋଲି ସେ ବାହାରକୁ ଆସିଲେ । ଆଉ ଠିକ୍ ସେତିକିବେଳେ ତାଙ୍କର ସାମ୍ନାସାମ୍ନି ହୋଇଗଲା ମାଆ କାଳୀଙ୍କ ସହିତ । ଶ୍ରୀଶ୍ରୀ ଆଗମବାଗୀଶ ଆନନ୍ଦରେ ବିହ୍ୱଳ ହୋଇଗଲେ । ଆଉ ଏହାପରେ ବିଭ୍ରାନ୍ତ ହେବାର ନାହିଁ । ମାଆ କାଳୀ ସ୍ୱପ୍ନରେ ନିର୍ଦ୍ଦେଶ ଦେଇଥିଲେ ଆଉ ଏବେ ସ୍ୱୟଂ ସାମ୍ନାରେ ପ୍ରକଟିତ ହୋଇ ତାହାପରେ ପ୍ରତ୍ୟକ୍ଷରେ ନିଜର ରୂପର ବଖାଣ କରୁଛନ୍ତି । ତାଙ୍କର ଦେହରେ ବେପଥୁ ।

କୃଷ୍ଣାନନ୍ଦଙ୍କ ଉଦ୍ଦାତ୍ତ କଂଠରୁ ନିର୍ଗତ ହେଲା:

ଓମ ନମୋ ଆଦ୍ୟାୟୈ । ହେ ଆଦ୍ୟା ତମକୁ ମୁଁ ପ୍ରଣିପାତ କରୁଛି ।

ସାମ୍ନାରେ ମାଆ କାଳୀଙ୍କର ଆଧାରରୂପ ହୋଇ ସେତେବେଳେ ଉପସ୍ଥିତ ଥିଲା ଯେଉଁ କୃଷ୍ଣାଙ୍ଗିନୀ ନାରୀ ଜଣକ ତାହାର ଆଖିରେ ଅପାର ବିସ୍ମୟ । ଏତେ ବଡ ବିଦ୍ୱାନ ଆଉ ଏତେ ବଡ ସାଧକ ଜଣେ ତାହାକୁ ପ୍ରଣିପାତ କରୁଛନ୍ତି । ସେ କିଛି ବୁଝି ପାରୁନଥିଲା ।

ଅତ୍ୟନ୍ତ ଜରୁରୀ କାମ କିଛିକୁ ଅଧାରେ ଛାଡି ବାହାରକୁ ଚାଲି ଆସିଛନ୍ତି ଆଉ ସେଇକଥା ମନେ ପଡିଗଲା ବୋଲି ଏବେ ହଠାତ୍ ଯିବା ଦରକାର ଠିକ୍ ସେହିଭଳି ଘର ଭିତରୁ ଯେମିତି ବାହାରକୁ ଆସିଥିଲେ ସେ ଠିକ୍ ସେଇଭଳି ଘର ଭିତରକୁ ଚାଲିଗଲେ ସେ । ସେ କୃଷ୍ଣାନନ୍ଦ । ସେ ଶ୍ରୀଶ୍ରୀ କୃଷ୍ଣାନନ୍ଦ ଆଗମବାଗୀଶ ।

ଘରର କବାଟ ଠିଆ ମେଲା । କୌତୁହଳବଶତଃ ତାଙ୍କ ପଛେ ପଛେ ସେହି ଦେଖିବାକୁ ଅତି ସାଧାରଣ କୃଷ୍ଣାଙ୍ଗିନୀ ନାରୀ ଜଣକ ଘରର ଦୁଆର ଯାଏଁ ବି ଯାଇଥିଲା । ତାହାପରେ ସେ ଚିରତର ଉଭାନ ହୋଇଯିବାରେ ଏମିତି କୌଣସି ଆକର୍ଷକ କାହାଣୀ ନାହିଁ ।

ଘର ଭିତରେ ସେଦିନ ତାଙ୍କର ବ୍ରାହ୍ମକାଳର ସ୍ନାନାଦିରେ ବିଳମ୍ବ ଘଟିଥିଲା । କୃଷ୍ଣାନନ୍ଦଙ୍କର ମାନସ ଚକ୍ଷୁରେ ଆଦ୍ୟାଶକ୍ତିର କୃଷ୍ଣାଙ୍ଗିନୀ ରୂପ ସ୍ପଷ୍ଟ ରହିଥିଲା ଆଉ ତାଙ୍କର କଂଠରୁ ନିର୍ଗତ ହେଉଥିଲା ସେହି ରୂପର ଅନେକ ପ୍ରତିଶବ୍ଦ:

ହ୍ରୀ କାଳୀ ଶ୍ରୀ କରାଳୀ ଚ କ୍ରୀ କଲ୍ୟାଣୀ କଳାବତୀ,
କମଳା କଳିଦର୍ପଘ୍ନୀ କପର୍ଦୀଶ କୃପାନ୍ୱିତା ।

ହ୍ରୀ ହେଉଛି ସୃଷ୍ଟିର ବୀଜମନ୍ତ୍ର । ଏହି ହ୍ରୀରେ ରହିଛି ସମସ୍ତ ଆରମ୍ଭର ଆରମ୍ଭ ଏବଂ ତାହାର ବିବର୍ତ୍ତନ। କାଳୀ ହେଉଛି ଯିଏ କାଳକୁ ନିଜ ଭିତରେ ସମାହିତ କରିଅଛି ଅର୍ଥାତ ଏଇ ବିଶ୍ୱବ୍ରହ୍ମାଣ୍ଡର ଜନ୍ମନାମ । ଏଇଠୁ ବିଶ୍ୱ ଆରମ୍ଭ ହେଲା ।

ନାମଶବ୍ଦ ଆସୁଥାଏ ଗୋଟିକ ପରେ ଗୋଟିଏ ଆଉ କୃଷ୍ଣାଙ୍ଗିନୀ ନାରୀରୂପିଣୀ ଆଦ୍ୟାଶକ୍ତି ପ୍ରତିଟି ଶବ୍ଦରେ ନିର୍ଦ୍ଦିଷ୍ଟ ରୂପ ପରିଗ୍ରହଣ କରୁଥାଏ । ଆଳଙ୍କାରିକ ହୋଇ ଉଠୁଥାଏ ।

ଆଦ୍ୟାଶକ୍ତିଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ସେ । ଖ୍ରୀଷ୍ଟୀୟ ସପ୍ତଦଶ ଶତକର ଆଦ୍ୟଭାଗରେ ମାଆ କାଳୀ ଯେଉଁ ରୂପରେ ଆମ ଆଗରେ ନିର୍ଦ୍ଦିଷ୍ଟ ପରିଚିତି ପାଇଲେ ଆଉ ପୂଜିତା ହେଲେ ତାହା ଐତିହାସିକତା ଦୃଷ୍ଟିରୁ ଶ୍ରୀଶ୍ରୀ କୃଷ୍ଣାନନ୍ଦ ଆଗମବାଗୀଶଙ୍କ ନିଷ୍ଠାପର ଉଦ୍ୟମ ।

ଶ୍ରୀଶ୍ରୀ କୃଷ୍ଣାନନ୍ଦ ଆଗମବାଗୀଶଙ୍କ ରଚିତ "ତନ୍ତ୍ରସାର" ରେ ଧ୍ୟାନାଂଶର ଏକ ସଂକ୍ଷିପ୍ତ ରୂପ ଏଠାରେ ଅନୁସୃଜିତ ହୋଇଅଛି। ସାଧକ ପ୍ରବର ଉପସ୍ଥିତ ଅକିଂଚନର ଏ ଧୃଷ୍ଟତାକୁ ସଦୟ ହୃଦୟରେ କ୍ଷମା କରିଦେବେ ।

ଏଥିରେ ମାଆ କାଳୀଙ୍କର ଦୃଶ୍ୟରୂପଟି ଏହିପରି:

"ଦେଖିବାକୁ ଭୀଷଣା
ଭୟଙ୍କରା ସେ
ମୁକ୍ତକେଶ ଯାହାର ଲହରେଇ ଯାଉଥାଏ
ସାରା ଦକ୍ଷିଣ ଦିଗ
ବେକରେ ଯାହାର ପଡିଛି କଟା ମୁଣ୍ଡର ମାଳା
ଖାଲି ସେତିକି ନୁହଁ
ସଜ କଟାହୋଇଥିବା ଗୋଟିଏ ସେଥିରୁ ଧରିଛି ସେ
ତଳ ପଟ ବାଆଁ ହାତରେ ତାହାର;
ଉପରର ବାଆଁ ହାତରେ ଅଛି ଲାଲମୁଖା ଖଣ୍ଡା ପଟେ,
ବରଦାନ ଆଉ ଭୟଶୂନ୍ୟର ଭରସା ପାଇଁ
ତାହାର ତଳ ଓ ଉପରର ଦୁଇଟିଯାକ
ଡାହାଣ ହାତ
ଉଦଗ୍ରୀବ ରହିଛି
ଲହ ଲହ ଜିଭ ତାହାର ଆମ ଭଳି କଥା କହିବ ନାହିଁ,
ଦେହର ରଙ୍ଗ ବଉଦ ଭଳି ଆଉ ସେଥିରେ ପରିଧାନ ଆକାରରେ ଅଯତ୍ନରେ
ଶୂନ୍ୟକୁ ବଢାଇ ନେଇଛି ସେ,
ମଣ୍ଡିତ ମୁଣ୍ଡମାଳା ଯୋଗୁ ଦେହ ତାହାର ଓଦା ସରସର ରକ୍ତରେ
ଏଇଲେ ସେ ଯେମିତି ରକ୍ତନଦୀରୁ ଜୁଡୁବୁଡୁ ହୋଇ ଉଠିଆସିଛି,
କାନଫାଶରେ ରହିଛି ଦୁଇଟି ଶିଶୁ ଶବ,
ପାଟି ମେଲା, ଛାମୁଦାନ୍ତମାନ ଏମିତି ଯେ
ଡର ମାଡିବ ସାମ୍ନାସାମ୍ନି ହେଲେ,
ସ୍ତନ ଯୁଗଳ ତାହାର ବେଶ୍ ବଡ ଆଉ ଉନ୍ନତ,
ଚାହାଁଣୀରେ ଅମାପ ସଂତ୍ରାସ,nn
ଶବମାନଙ୍କୁ ଛିନଛତ୍ର କରି ହାତମାନଙ୍କୁ କାଟିନେଇ
ସେଥିରେ ସେ ପ୍ରସ୍ତୁତ କରିଛି ତାହାର ମେଖଳା,
ହାସ୍ୟମୁଖୀ ସେ
ପାଟିରେ ଓଠରେ ଲାଗିଛି ରକ୍ତ,
ଉଚ୍ଚକଣ୍ଠୀ ବଜ୍ରଭାଷିଣୀ ସେ
ଶ୍ମଶାନଚାରିଣୀ ହେବା ତାହାର ସବୁବେଳେ ପସନ୍ଦ,
ସୂର୍ଯ୍ୟ ସମ ଆଲୋକିତ ତାହାର ତିନୋଟି ଯାକ ଆଖି,
ତାହାର ପାଦ ତଳେ ଭୂଇଁରେ
ଲୋଟୁଛି ଗୋଟିଏ ଶବ
ତାହାକୁ କହନ୍ତି ଶିବ;
ଚତୁର୍ଦ୍ଦିଶିରୁ ଶୁଭୁଛି ଶିଆଳଙ୍କ କିଳିକିଳା ରଡି
ଏଇଟି ହେଉଛି ସେଇ ଅସଲ ସମୟ
ଯେତେବେଳେ ମହାକାଳ ମୈଥୁନରେ ପ୍ରବେଶିବେ
କାଳୀ ସହ,
ତାହାର ପଦ୍ମମୁହଁ ଝଲସି ଉଠିବ ଆନନ୍ଦରେ, ସନ୍ତୋଷରେ,
ଯଦି ତମେ ଏଇ ରୂପରେ ତାହାକୁ ଧ୍ୟାନ କର
ସକଳ ସମୃଦ୍ଧି କହିବାକୁ ଗଲେ ନିଶ୍ଚେ ତମର।"

ଓଂ ନମୋ ଆଦ୍ୟାୟୈ ।
ହେ ଆଦ୍ୟରୂପା ମୁଁ ତମକୁ ପ୍ରଣାମ କରୁଛି ।
ସମସ୍ତ ସନ୍ତାନଜନର ମଙ୍ଗଳ ବିଧାନ କୃପା ହେଉ ।