ଅକ୍ଷୟ ମହାନ୍ତି

ଅକ୍ଷୟ ମହାନ୍ତି ଯେତେ ଗପ ଲେଖିଛନ୍ତି, ତା ଠୁ ଢେର ଅଧିକ ଗପ ତାଙ୍କୁ ନେଇ ରହିଛି । ତାଙ୍କ ଜୀବନ ଥିଲା ଅସରନ୍ତି ଗପ । ସେ ଗପର ଚରିତ୍ରମାନେ ସମୟ ସହିତ ଓ ସମୟ ବାହାରେ ଏବେ ବି ବିଚରଣ କରୁଥାନ୍ତି । ଅସରନ୍ତି ସ୍ମୃତିକଥାର ନାୟକ ଅକ୍ଷୟ ମହାନ୍ତିଙ୍କୁ ନେଇ ପ୍ରସନ୍ନ କୁମାର ହୋତାଙ୍କ କଥନ।


ଚିତ୍ର - ସ୍ଵର୍ଗତ ଦେବେନ୍ଦ୍ର ଖଟୁଆ

ସେ ଏକ ପ୍ରକାରରେ ସାଧାରଣ ରସିକ, ବୁଦ୍ଧିମାନ୍, ଚଞ୍ଚଳିଆ ଓଡ଼ିଆ ଯୁବକ (ଯେତେବେଳେ ମୁଁ ପିଲା ଥିଲି); ବାରବାଟୀ ଷ୍ଟାଡିୟମର ପଡ଼ିଆରେ ୧୯୫୦ ଦଶକରେ ତାଙ୍କ ଗୀତ ଶୁଣିଥିଲି । ଏବଂ ତାପରେ ଆମେ ୧୯୫୮ରେ କ୍ୟାଣ୍ଟନମେଣ୍ଟ୍ ରୋଡରୁ ଆସି ମାନସିଂହ ପାଟଣାରେ କବିରାଜ ଚିନ୍ତାମଣି ମହାପାତ୍ରଙ୍କ ଘରେ ଭଡାରେ ରହିବା ଆରମ୍ଭ କଲୁ; ଅକ୍ଷୟ ଭାଇ ଆମ ଘର ସାମନା ରାସ୍ତାରେ ରାତିର ଦ୍ୱିତୀୟ ପ୍ରହରରେ ପ୍ରାୟ ଫେରୁଥିଲେ । ତାଙ୍କ ଘର ଆମ ଘରଠାରୁ ପ୍ରାୟ ପାଞ୍ଚଶ ସାତଶ ଗଜ ଦୂରରେ । ଅନେକ ସମୟରେ ତାଙ୍କ ସଙ୍ଗେ ନୱାଜ୍ ଆଲି ନାମକ ଯୁବକ; ଦେବଦାସ ଛୋଟରାୟ ଦଳରେ ଆବିର୍ଭାବ ହୋଇ ନ ଥାନ୍ତି । ସେତେବେଳେ ଅକ୍ଷୟ ମହାନ୍ତି ବୋଧହୁଏ ଥରେ ମୋ ବଡ଼ଭାଇ ପୂର୍ଣ୍ଣ ହୋତାଙ୍କ ନିମନ୍ତ୍ରଣରେ ଆମ ଘରେ ପାଦ ରଖିଥିଲେ । ବାପାଙ୍କ ଦୃଢ଼ ଶୃଙ୍ଖଳାରେ ଘର ଚାଲୁଥିଲା । ବାପା ସେତେବେଳର ହାତ ଗଣତା ପ୍ରଥମ ଶ୍ରେଣୀୟ ଅଫିସର ଥିଲେ । ଘରେ ସରକାରୀ ଫୋନ ଥିଲା । ସାହିରେ ଆମ ପରିଚିତି ଥିଲା । ସେ ଦୂର ଜିଲ୍ଲାକୁ ଗସ୍ତରେ ଯାଇଥିଲେ । ତେଣୁ ବିଦିତ ସୁଛାତ୍ର ବଡ ଭାଇ (ବାପାଙ୍କ ଶୃଙ୍ଖଳାର ଦ୍ଵିତୀୟ ସଂସ୍କରଣ) ସବୁ ଗାମ୍ଭୀର୍ଯ୍ୟ ଭୁଲି ଅକ୍ଷୟ ଭାଇଙ୍କୁ ଯାଇ ହାତ ଧରି ନେଇ ଆସିଲେ । ମୋର ମନେ ଅଛି - ତାଙ୍କୁ ସମ୍ମାନ ଦେବାକୁ ପଲାଉ, ମାଂସ ତରକାରୀ ଇତ୍ୟାଦି ଘରେ ତିଆରି ହୋଇଥିଲା । ଦୂର କବାଟ ଆଢ଼ୁଆଳରୁ ମୁଁ ତାଙ୍କୁ ଦେଖୁଥିଲି । ତାଙ୍କ ଚେହେରା ପ୍ରଥମ ଦେଖାରେ ମନେ ରଖି ହୁଏନାହିଁ, ଦ୍ୱିତୀୟ ଓ ତା’ପର ଦେଖାରେ ସାଧାରଣରୁ ଅସାଧାରଣ ବ୍ୟକ୍ତିତ୍ୱର ପରିଚୟ ମିଳିଯାଏ । ତାଙ୍କୁ ଜାଣିବାକୁ ନିଜର ବି ଯୋଗ୍ୟତା ଥିବା ଦରକାର । ସଙ୍ଗୀତ ହିଁ ତାଙ୍କ ବିଦିତ ପରିଚୟ; କିନ୍ତୁ ସଙ୍ଗୀତ ଛଡ଼ା ତାଙ୍କର ସାହିତ୍ୟ, ବ୍ୟକ୍ତିତ୍ୱ, ପ୍ରତ୍ୟୁତ୍ପନ୍ନମତି, ହସିବାର କଳା, ବୟସ, ପଦବୀ ନିର୍ବିଶେଷରେ ସମସ୍ତଙ୍କ ସଙ୍ଗେ ସ୍ୱଚ୍ଛନ୍ଦରେ ମିଶିବା - ଏପରି ଅନେକ ଅପୂର୍ବ ଗୁଣର ସେ ସମାରୋହ ।

ତାଙ୍କର ସଙ୍ଗୀତ ପ୍ରତିଭା ଓ ସାହିତ୍ୟକୃତି ସମସ୍ତଙ୍କୁ ଗୋଚର । ଜନରବରେ ତାଙ୍କ ମିଠା ବ୍ୟକ୍ତିତ୍ୱର ଅନେକ ମନୋରମ ସାନ୍ନିଧ୍ୟର ବେଶି ଭାଗ ନାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କୁହାଯିବା ସତ୍ତ୍ୱେ ମୁଁ ତାଙ୍କୁ ପ୍ରାୟ ସଦାସର୍ବଦା ଛୋଟବଡ଼ ପୁରୁଷ ସାଙ୍ଗମାନଙ୍କ ସଙ୍ଗେ ଦେଖିଛି । ମୁଁ ଏକଥା ଦେବଦାସ ଛୋଟରାୟଙ୍କୁ ମଧ୍ୟ ପଚାରି ନାହିଁ - ଏହା ମୋର ନିଜ ମତ । ଅକ୍ଷୟ ମହାନ୍ତି ନାରୀଙ୍କୁ ସମ୍ମାନ କରୁଥିଲେ, ଆଗ୍ରହ ରଖିଥିଲେ, ତାଙ୍କ ପାଇଁ ଗୀତ ଗାଉଥିଲେ, ଗୀତ ଲେଖୁଥିଲେ; କିନ୍ତୁ ବୋଧହୁଏ ନାରୀମାନଙ୍କ ସଙ୍ଗେ କଟକି ଗୁଲିଗପ ତାଙ୍କର ଜମୁ ନଥିଲା - ସେତେବେଳେ ସ୍ନେହ ଦେଇପାରୁଥିବା ଓ ସ୍ନେହ ପାଇ ପାରୁଥିବା ଯୁବକଦଳ ତାଙ୍କର ପ୍ରିୟ ଥିଲେ । ମୋର ତାଙ୍କୁ ଆସ୍ତେ ଆସ୍ତେ ବ୍ୟକ୍ତିଗତ ଭାବେ ଜାଣିବାର ସୌଭାଗ୍ୟ ସୃଷ୍ଟି ହେଲା ।

ଏ ଆଲେଖ୍ୟ ମୂଲ୍ୟାଙ୍କନ ନୁହେଁ । ଏତେ ବିଦିତ ପ୍ରତିଭାର ମୁଁ ଅକିଞ୍ଚନ କ’ଣ ମୂଲ୍ୟାଙ୍କନ କରିପାରିବି ? କିନ୍ତୁ ତାଙ୍କର ବ୍ୟକ୍ତିତ୍ୱର କିଛି ବିରଳ ଦିଗ ଓ ମୁହୂର୍ତ୍ତମାନଙ୍କୁ ମୁଁ ପାଠକଙ୍କ ସାମନାରେ ଉପସ୍ଥାପିତ କରିବାର ସାହସ ରଖୁଛି ।

ଦେବଦାସ ଛୋଟରାୟ କଲେଜବେଳୁ ମୋ ପ୍ରତି ଦୟାଶୀଳ । ଭଲ ଛାତ୍ର ଥିଲି, କିଛି ଅଲଗା ପ୍ରକାରର ଗପ ଲେଖାଲେଖି ଆରମ୍ଭ କରିଥିଲିି; ଦେବଦାସ ଓ ହରଦାସ ତାଙ୍କ ଚେଲାରୂପେ ମତେ ସହ୍ୟ କରିବା ଆରମ୍ଭ କରି ଦେଇଥିଲେ । ଦିନେ ଦେବଦାସ ମତେ ଧରି ଅକ୍ଷୟ ଭାଇଙ୍କ ଘରକୁ ନେଇଗଲେ । ଦେହ ଖରାପ ରହିବା ହେତୁ, ମୁଁ ମୂର୍ଖ ନବମ ଶ୍ରେଣୀସାରା ସ୍କୁଲ ନ ଯାଇ ଆମଘର ସାମନା ପଟକୁ ଥିବା ଛୋଟରୁମରେ ପଢ଼ାପଢ଼ି କରେ । ଅକ୍ଷୟ ଭାଇ, ନୱାଜ୍ ଆଲି (ଡାକ ନାମ ବୋଧେ ନାତି) ରାତି ସାଢ଼େ ଆଠ ନ ବେଳକୁ ସାଇକେଲ ଧରି କିନ୍ତୁ ଚାଲି ଚାଲି ଉଚ୍ଚସ୍ୱରରେ ହସଖୁସି କଥାବାର୍ତ୍ତା ହୋଇ ଆମଘର ସାମନା ରାସ୍ତା ଦେଇ ଫେରନ୍ତି । ମୋର ସଂକୀର୍ଣ୍ଣ ମନରେ ସନ୍ଦେହ ଉଦ୍ରେକ ହୁଏ - ସେମାନେ ପିଇକରି ଫେରୁଛନ୍ତି, ତେଣୁ ବଡ଼ପାଟିରେ କଥା ହେଉଛନ୍ତି ।

ସେସମୟରେ ମୁରବୀ ଶୃଙ୍ଖଳା ବଡ଼ କଡ଼ା ଥିଲା । ଉଚ୍ଚସ୍ୱରରେ ହସିବା ବା କଥାହେବା, ବିଶେଷତଃ ରାତିରେ - ଏତିକି ସାମାନ୍ୟ କଥା ଚରିତ୍ର ଆକଳନ ପାଇଁ ଯଥେଷ୍ଟ ଖୋରାକ ଯୋଗାଉ ଥିଲା । ମୋ ପାଟିରୁ ଅଚାନକ ବାହାରି ପଡ଼ିଥିଲା -‘ଅକ୍ଷୟ ମହାନ୍ତି ରାତିରେ ମଦ ପିଅନ୍ତି' । କେମିତି କେଜାଣି - ମୁଁ ସେତେବେଳେ କୌଣସି ପ୍ରସିଦ୍ଧିର ପାଖଆଖ ମାଡ଼ି ନ ଥିଲେ ବି - କିଏ ଏକଥା ଅକ୍ଷୟଭାଇଙ୍କ କାନରେ ପକାଇଦେଲା । ମୁଁ ବା କିପରି ଏକଥା ଜାଣନ୍ତି !

ଦେବଦାସ ଥରେ ମତେ ଛୁଟିଦିନ ମଧ୍ୟାହ୍ନରେ ତାଙ୍କ ଘରକୁ ନେଇ ଗଲେ । ମତେ ଚିହ୍ନା କରିବାର ପ୍ରୟାସ କରିବାରୁ, ଅକ୍ଷୟ ମହାନ୍ତି ଅଧାହସ ମୁହଁରେ କହିଲେ, ‘ପ୍ରସନ୍ନ କିଏ ମୁଁ ଜାଣି ନାହିଁ । ଏ ପରା କୁନିପୁଅ - ସେ କାଳେ କହିଛି ମୁଁ ରାତିରେ ମଦ ପିଏ'। ମୋର ସୀତାମାତାଙ୍କ ପରି ଅବସ୍ଥା ହେଲା, ‘ବସୁଧା ବିଦୀର୍ଣ୍ଣ ହୋଇ ଯା’ ‘ମତେ କୁଆଡ଼େ ନେଇ ପୋତି ପକା’ । ପୁଣି ସେ କହିଲେ, ‘ସେଥିରେ କିଛି ଯାଏ ଆସେ ନାହିଁ । ଏବେତ ଖରାବେଳ । ଡରିବାର ନାହିଁ । ରାତିରେ ସିନା ପିଆପିଇ - (ପରେ ମୁଁ ସଠିକ୍ ଭାବେ ଜାଣିଛି ଯେ ସେତେବେଳେ ମଦ ତାଙ୍କୁ ଛୁଇଁ ନଥିଲା ।) ଏବେ ଗୀତ ଶୁଣ ।’ ଗୋଟିକ ପରେ ଗୋଟିଏ ସେ ଛଅଟି ଗୀତ ଗାଇଲେ । ମୁଁ ମନ୍ତ୍ରମୁଗ୍ଧ ହୋଇ ବସିରହିଥାଏ, କିଛି ପ୍ରଶଂସା କରିବାର ଯୋଗ୍ୟତା ଓ ସାହସ - ଉଭୟର ଘୋର ଅଭାବ । ଛଅଟି ଅପୂର୍ବ ଗୀତ ପରେ ଦେବଦାସ ମୋ ଆଡ଼କୁ ସାମାନ୍ୟ ଭ୍ରୂକୁଟି କରି ଚାହିଁଲେ, କିଛି ତ ଭଲ କହିବା କଥା । ଦେଖନ୍ତୁ ଅକ୍ଷୟ ମହାନ୍ତିଙ୍କ ମାନବିକତା ଓ ସ୍ନେହ - ‘ଆରେ ସେ ପରା କୁନିପୁଅ (ପିଲାଦିନେ ମୋ ଡାକନାମ), ଗୀତ ଶୁଣିଲେ ଆନନ୍ଦରେ ଶୋଇପଡ଼େ । ବହୁତ କମ ମୋର ଶୁଣିଲାବାଲା ଅଛନ୍ତି ଯେଉଁମାନେ ଚୁପ୍ ହୋଇ ଆଖିରେ ମତେ ପ୍ରଶଂସା କରନ୍ତି - ଏ ହେଉଛି ତା' ଭିତରୁ ଜଣେ ।’

କିଛି ଦିନ ଗଲା । ତା'ପରେ ଦେବଦାସକୁ ଛଳେଇବାକୁ ସେ ‘ପିଲାଲୋକ’ ବୋଲି ଏକ ନୂଆ ପ୍ରକାରର ଗପ ଲେଖିଲେ । ସେଥିରେ ଦେବଦାସ ପିଲାଲୋକ ଓ ତାଙ୍କ ନାମ ସେପରି ବ୍ୟବହାର କରାହୋଇଛି । ଅକ୍ଷୟ ମହାନ୍ତିଙ୍କ କାଳ୍ପନିକ ବା ସତ କେହି ଜନୈକା ମିସେସ୍ .... ପୁରୀ ବେଳାଭୂମିର ଜହ୍ନରାତିରେ ‘ବିୟର୍ ବୋଟଲ୍’ ଲୁଚେଇଛନ୍ତି - ‘ପିଲାଲୋକ’ ଦେବଦାସ ତାହା ଖୋଜି ବାହାର କରି ଅଫୁରନ୍ତ ଉତ୍ସାହରେ ଖୋଲି ପକାଇଛନ୍ତି । ସେ ଗପରେ ତାଙ୍କ ସ୍ୱାମୀ .....- ନିଜ ସ୍ତ୍ରୀଙ୍କ ସ୍ନାନରତା ଅବସ୍ଥାର ଫଟ ଉଠାଇ ରଖିଥିଲେ - ସେ ସବୁକୁ ମଧ୍ୟ ମିସେସ୍ - ବାଲିରେ ଏଣେତେଣେ ଲୁଚାଇ ଦେଇଛନ୍ତି । ଶେଷରେ ପିଲାଲୋକ (ଦେବଦାସ) ବିୟର ବୋତଲ ଖୋଜି ପାଇଛି । ନଗ୍ନଫଟ କଥା ଆଉ କୁହାହୋଇନି - ସମୁଦ୍ର, ବାଲି ଓ ନାୟକ ନାୟିକା ପିଲାଲୋକକୁ ଦୂରକୁ ପଠାଇ ସ୍ପାନୀୟ କବି LORCA ଙ୍କ ପରି ପ୍ରକୃତିର ମିଳନ ମୁହୂର୍ତ୍ତକୁ ଉପଭୋଗ କରିଛନ୍ତି ।

ଦେବଦାସ ଛୋଟରାୟ 'ପିଲାଲୋକ' ର ପ୍ରତିଧ୍ୱନିରେ ଲେଖିଲେ 'ବଡ ମଣିଷ' । ଅକ୍ଷୟ ଭାଇଙ୍କ ପ୍ରତି ଇଙ୍ଗିତ ଥିଲା । ଦେବଦାସ ମତେ ନିଜ ଗପ ଆଣି ପଢ଼ାଇଲେ । ମୁଁ sequel ଲେଖି ପକାଇଲି । ମିଃ - ଏହାର ନାୟକ, ତାଙ୍କ ଦୁଃଖ, ତାଙ୍କ ମାନସିକତା, ତାଙ୍କ ଦେହଜ ଅସଙ୍ଗତି ଯୋଗୁ ଚିର ଅତୃପ୍ତ କାମନା ଆଦିକୁ ବିଷୟବସ୍ତୁ କରି ମୁଁ ଗପଟି ଲେଖି ବକ୍ତବ୍ୟ କହିବାକୁ ଚେଷ୍ଟା କଲି ଯେ ମିଃ ... ଦୃଶ୍ୟାନ୍ତରରେ ଥିଲେ ମଧ୍ୟ ଆମରି ଭିତରୁ ଜଣେ - ଗୋଟିଏ ଉତ୍ପୀଡିତ ସ୍ନେହ ଖୋଜୁଥିବା “ତୃତୀୟ ପୁରୁଷ” । ଦେବଦାସଙ୍କୁ ଈର୍ଷା ସ୍ପର୍ଶ କରେନାହିଁ । ସେ ତୁରନ୍ତ ଅକ୍ଷୟ ମହାନ୍ତିଙ୍କୁ ମୋ ଗପ ଶୁଣାଇଲେ ଏବଂ ଫେରି ମତେ କହିଲେ, ‘ଅକ୍ଷୟଭାଇ ବହୁତ ପସନ୍ଦ କଲେ । କହିଲେ ତୁମ ମୁଣ୍ଡରେ ମସଲା ଅଛି' । ବାସ୍ ଆଉ କ’ଣ ଦରକାର ! ଏତେ ପ୍ରସିଦ୍ଧ ବ୍ୟକ୍ତି, ତାଙ୍କଠାରୁ ସ୍ନେହ ସ୍ୱୀକୃତି, ମୋ ମନରେ ବିଶ୍ୱାସ ଭରିଦେଲା - ସେତେବେଳେ ସେହି ବୟସ ଯେତେବେଳେ ତୁମେ ଚାହଁ ଯେ ତୁମକୁ ଦୁର୍ବଳ ସ୍ୱାସ୍ଥ୍ୟ ଯୋଗୁ କେହି ‘ଧେଡ଼’ ବୋଲି ନ କହୁ, ଏବଂ ତୁମ ପାଖେ କିଛି 'ମସଲା' ଅଛି ବୋଲି ପଦେ ହେଲେ କହୁ ।

ସମୟ ଗଡ଼ିଚାଲେ, କିଛି ଜାଣିବା ଶୁଣିବା ପୂର୍ବରୁ ନୂଆ ନୂଆ ଭୂମିକା ଭାସି ଆସନ୍ତି । ପ୍ରାୟ ବାର ଚଉଦବର୍ଷ ପରେ ମୁଁ ଅବିଭକ୍ତ କଟକ ଜିଲ୍ଲାର କଲେକ୍ଟର ହୋଇ ନିଯୁକ୍ତ ହେଲି । ପ୍ରଥମ ଅବସ୍ଥାରେ ଭଗବତ କରୁଣା, ତଥା ଅକ୍ଷୟ ଭାଇଙ୍କ ପରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ୱତଃପ୍ରବୃତ୍ତ ସ୍ନେହ ଯୋଗୁ ସବୁ କାମରେ ଆଶାତୀତ ସଫଳ ହେଲି । ଲୋକପ୍ରିୟ ହେଲି । ଛତ୍ରବଜାରର ପ୍ରସିଦ୍ଧ ଷଣ୍ଢ ବି ମୋ ଗାଡ଼ି ଦେଖିଲେ ରାସ୍ତାରୁ ହଟିଯାଏ ବୋଲି ସ୍ନେହୀ କଟକିଆ ହସଖୁସିରେ କହିଲେ । ତିନୋଟି ଅପୂର୍ବ ଘଟଣା ମତେ ଅକ୍ଷୟ ମହାନ୍ତିଙ୍କ ଭଳି ପ୍ରତିଭାର ମାନବିକ ତଥା କଳା ଉତ୍କର୍ଷର ମୁହୂର୍ତ୍ତ ଦେଖିବାର ସୌଭାଗ୍ୟ ଦେଲା ।

ପ୍ରଥମ ହେଲା, ମୁଁ ବର୍ଷେ ଭିତରେ କଟକର ଗଳିକନ୍ଦିରେ ପରିଚିତ ଓ ସ୍ନେହ - ସ୍ୱୀକୃତ ହୋଇଗଲି । ମାଟ୍ରିକୁଲେସନ୍ ବେଳେ ସୟଦ ସେମିନାରୀ ପାଖ ପଡ଼ିଆରେ କଣରେ ଛୋଟ କ୍ଲବ୍ - ମାତ୍ର ୧୫ ବର୍ଷ ବୟସରେ ମୋର ବୟସରୁ ଦୁଇଗୁଣ ବଡ଼ ଖେଳାଳିମାନଙ୍କୁ ହରାଇ କଟକ କ୍ୟାରମ୍ ଚମ୍ପିଆନ୍ ହେଲି; ଏତେ ସାନପିଲା ଏପରି ଖେଳୁଛି ବୋଲି ଅନ୍ୟ ସାହିବସ୍ତିରୁ କ୍ୟାରମ୍ ପ୍ରେମୀମାନେ ଆସି ଭିଡ଼ ଜମାନ୍ତି । କଲେକ୍ଟର ହିସାବରେ କେଉଁ ଏକ ପୂଜା ବା ଇଦ୍ ମିଳନ ବା ଏହିପରି କିଛି ଭଲଦିନରେ ମତେ ମୁଖ୍ୟ ଅତିଥି କରି ଡକାହେଲା । ଛୋଟ କ୍ଲବ୍ କିନ୍ତୁ ମୋ ପିଲାଦିନର ସ୍ୱପ୍ନର ଜାଗା । ମୁଁ ‘ହଁ’ କହି ପହଞ୍ଚିଗଲି । ସଂଧ୍ୟାର ମେହଫିଲ୍, ଭୀଷଣ ଭିଡ଼ । ଏତିକି ମୋର ବୋକାମୀ ନ ଥିଲା ଯେ ମୁଁ ଭାବିବି, ଭିଡ଼ ମୋ ଯୋଗୁ ହୋଇଛି ।

ମୁଁ ଫୁଲମାଳ ଗ୍ରହଣ କରି ବସୁବସୁ ଆସିଗଲେ ଶ୍ରୀଯୁକ୍ତ ଅକ୍ଷୟ ମହାନ୍ତି । ଅନେକ ଗୀତ ଗାଇଲେ, ମୋ ଆଖିରେ ଆଖି ମିଶାଇ ତାଙ୍କ ଗୀତକୁ ବ୍ୟଙ୍ଗୋକ୍ତି କରି ଗାଇଲେ - ‘ମରିବାକୁ ଥିଲା ଅନେକ ରାସ୍ତା - ପ୍ରେମରେ କାହିଁ ଚାଲିଲି’ (ଅବା 'ପଡ଼ିଲି' ... ଠିକ ମନେନାହିଁ ।) ତା' ପରେ ତାଙ୍କ ନିରୁଦବିଗ୍ନ ସ୍ନେହ ରସାଣିତ ବ୍ୟଙ୍ଗରେ ଗାଇଲେ ‘ମରିବାକୁ ଥିଲା ଅନେକ ରାସ୍ତା, କଟକ କାହିଁ ଆସିଲ !’ ସଭାଯାକ ହସ ଓ ତାଳି । ଗୀତର ଆସର ସରିଲା, ସେ ମଞ୍ଚ ଉପରୁ ଓହ୍ଲାଇବା ଉପରେ । ମୁଁ ଶାଳୀନତା ଭୁଲି ତାଙ୍କ ଆଡ଼କୁ ଦୌଡ଼ିଗଲି, କହିଲି, ‘ପୁଣ୍ୟର ନଦୀ ତୀରେ .... ବଳିଛି ଯେ !’ ସେ କହିଲେ ‘ଆରେ ଏ ଟୋକାଦଳ କ’ଣ ବୁଝିବେ ? ତେବେ ଏ ଗୀତ ଆମ କଲେକ୍ଟରଙ୍କ ପାଇଁ’ - ତାପରେ ସେ ତାଙ୍କର ସେଇ କାଳଜୟୀ ଗୀତଟିକୁ ଗାଇଲେ । ମତେ ମିଳିଥିବା ଫୁଲମାଳ ମୁଁ ତାଙ୍କୁ ଯାଇ ପିନ୍ଧାଇଲି । ତାଙ୍କ ପାଦ ଛୁଇଁବା ପାଇଁ ନଇଁ ପଡ଼ିବାରୁ ସେ କହିଲେ, “ହାଁ, ହାଁ ସେତିକି - ଜନ ବିମସ୍ ମନ ଖରାପ କରିବେ । ତୁମେ ପରା କଲେକ୍ଟର - କଟକ”, ପୁଣି ହସ ।

ଦ୍ୱିତୀୟ ଘଟଣା ହେଲା କଟକ ସହସ୍ରବର୍ଷ ପୂର୍ତ୍ତିର ଉତ୍ସବ । ରାଜ୍ୟପାଳ ମୁଖ୍ୟ ଅତିଥି । ସେତେବେଳକୁ ମୁଁ କଟକ କଲେକ୍ଟର୍ ସଙ୍ଗେ କଟକ ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ମଧ୍ୟ । ଖୁବ୍ ଭଲରେ ଉତ୍ସବର ଆୟୋଜନ କରାହେଲା । ପୂରା ଶହୀଦ ଭବନ ଖଚାଖଚ୍ ଭରା । ମୁଁ ଆଗଚଲା ମଞ୍ଚ ପରିଚାଳନା କରୁଥାଏ । ବକ୍ତା ତାଲିକା ମୋ ହାତରେ । ପ୍ରଥମେ ମାନନୀୟ ରାଧାନାଥ ରଥ, ସମାଜ - ସଂପାଦକ ସ୍ୱାଗତ ଭାଷଣ ଦେଲେ । ରାଜ୍ୟପାଳଙ୍କ ପ୍ରୋଗ୍ରାମ ବୋଲି ସମସ୍ତେ ସମୟର ନିର୍ଦ୍ଦିଷ୍ଟତା ମଧ୍ୟରେ ବକ୍ତବ୍ୟ ସାରିବେ । ରଥ ମହାଶୟଙ୍କ ପରେ ସୁବକ୍ତା ଡଃ ଶ୍ରୀରାମଚନ୍ଦ୍ର ଦାଶ, ବାଗ୍ମୀ । ତାପରେ ମୁଖ୍ୟ ଅତିଥି ରାଜ୍ୟପାଳ । ମୁଁ ତତ୍ କାଳୀନ ଆଇ.ଜି. (ବର୍ତ୍ତମାନ ଯାହାଙ୍କୁ ଡି.ଜି. କୁହାଯାଏ) ଶ୍ରୀଯୁକ୍ତ ନରସିଂହ ସ୍ୱାଇଁଙ୍କ ସୌହାର୍ଦ୍ଦ୍ୟରୁ ପାଇଥିବା ଏକ ସୁଦୃଶ୍ୟ ବଡ଼ ପିତଳ ଚାବି ପଲିସ୍ କରି ଲାଲ୍ ଭେଲଭେଟ୍ ବାକ୍ସରେ ସଜାଇ ରଖିଥାଏ । ରାଜ୍ୟପାଳଙ୍କ ଉଦବୋଧନ ସରିବା ପରେ ମୁଁ ଉଠି କହିଲି - "ବର୍ତ୍ତମାନ କଟକର ଜନସାଧାରଣଙ୍କ ତରଫରୁ Key to The City (ପୁରୁଣା କାଳରେ ବିଶିଷ୍ଟ ଅତିଥିଙ୍କୁ ରୋମାନ୍, ୟୁରୋପିୟାନ୍ କାଇଦାରେ ବିଶେଷ ସମ୍ମାନ ପ୍ରଦର୍ଶନ) ରାଜ୍ୟପାଳଙ୍କୁ ଭେଟି ଦେଇ କଟକବାସୀଙ୍କୁ ମହାମହିମ ସଦାସର୍ବଦା ନିଜ ହୃଦୟରେ ସ୍ଥାନ ଦେବେ ବୋଲି ଅନୁରୋଧ କରିବେ ଜଣେ ନିଚ୍ଛକ କଟକିଆ । କଟକର ହୃଦୟ ପ୍ରକୃତରେ କ’ଣ ସେ ବିଷୟରେ ମହାମହିମଙ୍କୁ କିଛି କହିବେ ।" ସ୍କ୍ରିନ କଡ଼ରୁ ବାହାରିଲେ ଶ୍ରୀଯୁକ୍ତ ଅକ୍ଷୟ ମହାନ୍ତି । ସଭାରେ କିଛି ମୃଦୁ ଗୁଞ୍ଜରଣ । ଅକ୍ଷୟ ଭାଇ ସଙ୍ଗୀତ ସମ୍ରାଟ୍ ଲୋକପ୍ରିୟ; କିନ୍ତୁ ଏପରି ଏକ ରାଜକୀୟ ଉତ୍ସବରେ ସେ କ’ଣ ଠିକ୍ ବକ୍ତା ହୋଇପାରିବେ - ସଭାର ଗାମ୍ଭୀର୍ଯ୍ୟ ?? ଅକ୍ଷୟ ମହାନ୍ତି ସହଜ ପଦକ୍ଷେପରେ ଆସି ରାଜ୍ୟପାଳଙ୍କୁ ମୋ ହାତରୁ ଚାବିଥିବା ଖୋଲା ବାକ୍ସ ନେଇ ସସମ୍ମାନେ ତାଙ୍କ ହାତକୁ ବଢ଼ାଇଦେଲେ । ADC ନେବାକୁ ଦୌଡି ଆସିଲେ । ଶ୍ରୀଯୁକ୍ତ ପୁନାଚା ତାଙ୍କୁ ଇସାରାରେ ମନା କରି ଚାବିଟି କାଢ଼ି ସମସ୍ତଙ୍କୁ ହାତଟେକି ଦେଖାଇଲେ । ଅକ୍ଷୟଭାଇ ଆରମ୍ଭ କଲେ, 'ମହାମାନ୍ୟ ଏ ଚାବି ସହର ପାଇଁ ନୁହେଁ, ଆପଣ ରାଜ୍ୟର ସର୍ବୋଚ୍ଚ କର୍ତ୍ତା । ଆପଣଙ୍କ ପାଇଁ ଚାବି ଆଦି ଅନାବଶ୍ୟକ । ତେବେ ଏହା କଟକର ସଂସ୍କୃତିର ଆପଣଙ୍କୁ ମାଗୁଣି । କଟକର ହୃଦୟ ଏଥିରେ । ଅନେକ ଦିନ ତଳେ ଜଣେ ଛୋଟଲାଟ୍ ଗୋଟିଏ ଅତିସୁନ୍ଦର ରୂପା ତାରକସୀ କାମ ତିଆରି କରାଇଥିଲେ । ବଡଲାଟଙ୍କ ସ୍ତ୍ରୀ ତାହା ଦେଖି ସେଟିକୁ ନେଇଗଲେ । ଛୋଟଲାଟଙ୍କ ଇଚ୍ଛା, ସେହିପରି ଆଉ ଏକ ଅପୂର୍ବ ତାରକସୀ କାମ ସେ ବଦଳି ହେବା ପୂର୍ବରୁ ନେଇ ସ୍ୱଦେଶକୁ ଫେରିବେ । ତାଙ୍କର ଦେଶକୁ ଫେରିବା ସ୍ଥିର ହୋଇ ଯାଇଛି, ମାତ୍ର ଦଶଦିନ ପରେ ସେ ଯିବେ । ନିଜେ ଯାଇ ବିଶିଷ୍ଟ ବିଦିତ ବୟସ୍କ ଶିଳ୍ପୀଙ୍କ ଚାଳଘରେ ପହଞ୍ଚିଲେ । ଶିଳ୍ପୀ ତାଙ୍କୁ ସମ୍ମାନ ଦେଖାଇଲେ, କିନ୍ତୁ କହିଲେ, “ଅତି କମରେ ନଅ ଦିନ ଲାଗିବ!” ଛୋଟଲାଟ୍ ଅଧୈର୍ଯ୍ୟ ହୋଇ କହିଲେ, “ମୁଁ ଦୁଇଗୁଣ ଦାମ ଦେବି; ମତେ ଦୁଇତିନି ଦିନ ଭିତରେ ଦରକାର ।” ଶିଳ୍ପୀ ଧୀର ଶାନ୍ତ କିନ୍ତୁ ଗମ୍ଭୀର ସ୍ୱରରେ କହିଲେ, “ନଅ ଦିନ ଅନ୍ତତଃ !” ମୁଁ ତିନିଦିନ ଉପବାସ ରହି କଳ୍ପନା କରିବି । ଗୋଟିଏ ଜିନିଷ ମୁଁ ଦୁଇଥର କରେ ନାହିଁ; ତେଣୁ ନୂଆ ରୂପ ମୋ ମନରେ ଉଭା ହେବ, ତାପରେ ମୁଁ ଛାଞ୍ଚ ତିଆରି କରିବି, ସାତଦିନ ପରେ ଚତୁର୍ଦ୍ଦଶୀ ଓ ତାପରେ ପୂର୍ଣ୍ଣମୀ - ଜହ୍ନ ଆଲୁଅରେ ମୁଁ ତାରକସୀ କର୍ମ ନିଖୁଣ କରିପାରିବି ।” ଅକ୍ଷୟ ମହାନ୍ତି ରାଜ୍ୟପାଳଙ୍କୁ ନତମସ୍ତକରେ ଅଭିବାଦନ କରି କହିଲେ -“କଟକକୁ ପଇସା କିଣି ପାରିବ ନାହିଁ; ତ୍ୟାଗ, ନିଷ୍ଠା ଓ ସ୍ନେହ କିଣି ପାରିବ ।” ସେ ଦିନ ସଭାରେ ସବୁଠାରୁ ବେଶି ତାଳିମାଡ଼ ତାଙ୍କ ବକ୍ତବ୍ୟ ପରେ ହୋଇଥିଲା । ମୋର ଛାତି କୁଣ୍ଢେମୋଟ; ଅକ୍ଷୟ ଭାଇ କିନ୍ତୁ ମଞ୍ଚରେ ବସିଲେ ନାହିଁ; ରାଜ୍ୟପାଳଙ୍କ ସଙ୍ଗେ ଫଟ ଉଠାଇବାକୁ ସେଠାରେ ଲୁଙ୍ଗୁପୁଙ୍ଗୁ ହେଲେ ନାହିଁ; ମତେ ଚାହିଁ ହସିଦେଇ ରାଜ୍ୟପାଳଙ୍କୁ ନମସ୍କାର କରି ମଞ୍ଚରୁ ଅପସରି ଗଲେ ।

ତୃତୀୟ ଘଟଣା । ଏକାନ୍ତ ବ୍ୟକ୍ତିଗତ, କିନ୍ତୁ ମୋ ମାନସପଟରେ କୌଣସି ପୁରସ୍କୃତ ଚଳଚ୍ଚିତ୍ରର ପ୍ରଭାବଶାଳୀ ମୁହୂର୍ତ୍ତ ପରି ବାରମ୍ବାର ଭାସିଉଠେ । ଯେଉଁମାନେ AMADEUS ଚଳଚ୍ଚିତ୍ର ଦେଖିଥିବେ, ସେଥିରେ ଗୋଟିଏ ଦୃଶ୍ୟ ଅଛି - MOZARTଙ୍କ ସ୍ତ୍ରୀ ଆର୍ଥିକ ତାଡ଼ନାରେ ମୋଜାର୍ଟଙ୍କ ପାଇଁ ତାଙ୍କ ସ୍ୱାମୀଙ୍କ ଅଜାଣତରେ ଯାଇ ଅଷ୍ଟ୍ରିଆର ରାଜଦରବାର ମୁଖ୍ୟ ସଙ୍ଗୀତଜ୍ଞ ସାଲିଏରିଙ୍କୁ ମୋଜାର୍ଟଙ୍କ ଲେଖା ବିଭିନ୍ନ ସିମ୍ଫୋନୀ ଆଦିର ସ୍କ୍ରିପ୍ଟ, ମ୍ୟୁଜିକାଲ ନୋଟେସନ୍ ଦେଖାଇଛନ୍ତି । ସାଲିଏରି ମୋଜାର୍ଟଙ୍କ ପ୍ରତି ଈର୍ଷା ପରାୟଣ; ତଥାପି ଭଦ୍ରମହିଳା ଆସିଥିବା ହେତୁ ସେ ଉଦାସୀନ ଭାବେ ସେ ଲେଖାସବୁ ଦେଖିବା ଆରମ୍ଭ କରିଛନ୍ତି; ଦେଖୁ ଦେଖୁ ସେ ଅଭିଭୂତ ହୋଇ ଯାଇଛନ୍ତି - ତାଙ୍କ କର୍ଣ୍ଣ, ହୃଦୟ, ଆତ୍ମା ସବୁ ଜାଗାରେ ମୋଜାର୍ଟଙ୍କ ସଙ୍ଗୀତ ଗୁଞ୍ଜରିତ ହୋଇଯାଇଛି । ମତେ ଲାଗୁଛି ଏହି ଗୋଟିକ ଦୃଶ୍ୟରେ ଅଭିନୟ ଶୈଳୀର ଚରମ ଉତ୍କର୍ଷତା ପ୍ରଦର୍ଶନ ଯୋଗୁ F. Murray Abraham ଙ୍କୁ ସେ ବର୍ଷ OSCAR ସମ୍ମାନ ମିଳିିଲା । ସଙ୍ଗୀତର ଅପୂର୍ବ ପ୍ରଭାବରେ ମରେ ଆବ୍ରାହମଙ୍କ ଶରୀର, ମନ - ଏପରିକି ଲାଗିଲା ତାଙ୍କ ଆତ୍ମାରେ - ବିଚଳନ ସୃଷ୍ଟି ହୋଇଛି; ତାଙ୍କ କାନ, ଓଠ, ଆଖି ଇତ୍ୟାଦି ସବୁ ଥରିବାକୁ ଆରମ୍ଭ ହୋଇଛି; ସେ ବାହ୍ୟ ଜଗତକୁ ସଂପୂର୍ଣ୍ଣ ବିସ୍ମୃତ ହୋଇ ସଙ୍ଗୀତର ନାଦବ୍ରହ୍ମରେ ନିଜ ପିଣ୍ଡକୁ ହଜାଇ ଦେଇଛନ୍ତି ।

ଏତେ ବିସ୍ତୃତରେ ଏକଥା କହିବାର ତାତ୍ପର୍ଯ୍ୟ ହେଲା, ମୋର ଅଧମ ଜୀବନ ଅନେକ ବିଫଳତାରେ ଭରା; ତଥାପି ଅଦୃଶ୍ୟ ଶକ୍ତିଙ୍କର କେବେ କେବେ କରୁଣା ହୁଏ - ଏପରି ଦୃଶ୍ୟ ବା ଅନୁଭୂତି ଏ ଅର୍ବାଚିନକୁ ବିରସ ଜୀବନର ବିରାଗ ମୁହୂର୍ତ୍ତମାନଙ୍କୁ ଆଡେଇ ଦେଇ ତାରକାଖଚିତ ଛାୟାପଥକୁ ଘେନିଯାଏ । ମୋ ଘରେ ମଙ୍ଗଳ କାର୍ଯ୍ୟ ଉପଲକ୍ଷେ ବାପାଙ୍କ ଇଚ୍ଛାରେ ଏକ ସାତ୍ତ୍ୱିକ ‘ଅବଢା’ ଭୋଜିର ଆୟୋଜନ । ମୁଁ ଯାଇ ଅକ୍ଷୟ ଭାଇଙ୍କୁ ଭେଟି ନିମନ୍ତ୍ରଣ କରିଥାଏ । ସେ ତାଙ୍କ ସ୍ୱଭାବସୁଲଭ ଭାଷାରେ କହିପକାନ୍ତି - ‘ଆରେ ମତେ ଅବଢା ଖାଇବାକୁ କହନା, ମୋର ସନ୍ଧ୍ୟା ଖତମ ହୋଇଯିବ ।’ ମୁଁ ତାଙ୍କ ସଙ୍ଗେ ତାଳଦେଇ କହେ,‘ନା ଗୋଟେ ବ୍ଲାକ୍ ସ୍କଚ୍ ଯୋଗାଡ଼ ହୋଇଛି । ଘର ଆରପଟ କଡ଼କୁ ବାପା ଆସିବେ ନାହିଁ । ତୁମେ ସେଠି ବସି ଡ୍ରିଙ୍କ ପିଇ ପାରିବ ।’ ସେତେବେଳକୁ ତାଙ୍କର ଟିକେ ଅଭ୍ୟାସ ଆରମ୍ଭ ହେଲାଣି ବୋଲି ମୁଁ ଶୁଣି ସାରିଥାଏ । ସେ ହସିଲେ, କହିଲେ ‘ଠିକ୍ ଅଛି । ଠିକ୍ ଆଠରେ ଆସିବି, ସାଢ଼େ ନ ସୁଦ୍ଧା ଖସି ଆସିବି । ଅନ୍ୟମାନଙ୍କ ଆଗକୁ ମତେ ନେବ ନାହିଁ ।’ କିନ୍ତୁ ଏ ଆଡ଼େ ବାପାଙ୍କୁ ସମ୍ଭାଳିବା ଦରକାର । ମୁଁ ବୁଦ୍ଧି ପ୍ରୟୋଗ କରି ସବୁ ତୁଲାଇବାରେ ଲାଗିଲି । ଅକ୍ଷୟ ଭାଇ ଖୋଲା ନ ହୋଇଥିବା ଜନିୱାକର ଦେଖି ଖୁସି । ମୁଁ ତ ପିଇ ପାରେନି । ସେ ନିଜ ଗ୍ଲାସରେ ନିଜେ ବୋତଲ ଖୋଲି ଢାଳିଲେ । ତାପରେ ସୋଡା ମିଶାଇବା ପର୍ବ । ମୋ ମନରେ ଏକ ଅପୂର୍ବ ଖିଆଲ; ମୁଁ ଆଗରୁ ରେଡ୍ଡିକରି ରଖିଛି । ନୂଆ ବଢ଼ିଆ Stereo Phonic Music System - ସେଥିରେ ରଖିଛି Beethovenଙ୍କ CD । ସେଦିନ ଯୋଗକୁ ପୂର୍ଣ୍ଣମୀ ରାତି । ଅକ୍ଷୟ ଭାଇ ସୋଡ଼ା ବୋତଲ ଆଡ଼କୁ ଯେମିତି ହାତ ବଢ଼ାଇଛନ୍ତି, ମୁଁ ବାପାଙ୍କୁ ଦେଖି ଆସୁଛି ବୋଲି ବାହାନା କରି ଦ୍ରୁତଗତିରେ ଅନ୍ୟରୁମରେ ରଖା ହୋଇଥିବା ମ୍ୟୁଜିକ୍ ସିଷ୍ଟମ୍ ପାଖକୁ ଧାଇଁ ସୁଇଚ୍ ଅନ୍ କରିଦେଲି; ପୁଣି ପ୍ରାୟ ଏକ ନିଃଶ୍ୱାସରେ ଦୌଡ଼ି ଅକ୍ଷୟ ଭାଇଙ୍କ ପାଖକୁ ଫେରି ଆସିଲି । ବିଥୋଭେନଙ୍କ କାଳଜୟୀ piano ସଙ୍ଗୀତ ଗୁଞ୍ଜରି ଉଠିଲା । ମୁଁ ଅକ୍ଷୟ ଭାଇଙ୍କ ପାଖରେ ପହଞ୍ଚି ଦେଖିଲି ସେ ସ୍କଚ୍ ଗ୍ଲାସ ଗୋଟେ ହାତରେ ଧରି ଅନ୍ୟ ହାତରେ ସୋଡ଼ା ଢାଳୁଛନ୍ତି - କିନ୍ତୁ ତାଙ୍କ ଆଖିକାନ ତାଙ୍କ ବୋଲ ନ ମାନି ସେ ରୁମ ଛାଡ଼ି ବିଥୋଭେନଙ୍କୁ ଖୋଜିବାକୁ ବାହାରି ଗଲେଣି । ସୋଡ଼ା ଗ୍ଲାସରେ ଭର୍ତ୍ତି ହୋଇ ତଳେ ପଡ଼ିବାରେ ଲାଗିଲାଣି । ଅକ୍ଷୟ ଭାଇ ସେ ବିଷୟରେ ସଂପୂର୍ଣ୍ଣ ବିସ୍ମୃତ । ସେଠି ତ କିଛି ଆଗରୁ ଲେଖା ସ୍କ୍ରିପ୍ଟ ବା ନିର୍ଦ୍ଦେଶକ ନ ଥିଲେ; ଯାହା ଘଟିଲା ତାହା ମୋର ଭାଗ୍ୟରେ ଦିବ୍ୟଦର୍ଶନର ଯୋଗ ଥିଲା ବୋଲି ଘଟିଲା । ସେ ବିହ୍ୱିଳିତ ହୋଇ ମତେ କହିଲେ, ‘ମୁନ୍ ଲାଇଟ୍ ସନାଟା - ବିଥୋଭେନ୍ । ତୁମେ ଏମିତି ଜିନିଷସବୁ ରଖିଛ ଜାଣିଥିଲେ ମୁଁ କେବେଠାରୁ ତୁମ ଘରେ ଆସି ଆସର ଜମାଇଥାନ୍ତି ।’ ବୋଧେ ତାପରେ ଆଉ ଥରେ ଗ୍ଲାସ୍ ଭିତରେ ନୂଆ ସ୍କଚ୍ ଢଳାହେଲା ଏବଂ ସେ ଗ୍ଲାସଟିକୁ ଔପଚାରିକତା ଦୃଷ୍ଟିରୁ ଓଠ ପାଖକୁ ନେଲେ । କିନ୍ତୁ ସେଇ ଜହ୍ନରାତିରେ ତାଙ୍କ ଆତ୍ମା ବିଥୋଭେନଙ୍କ ନିଶାରେ ବିଭୋର ହୋଇ ସାରିଥିଲା । ସେ ପିଆପିଇରେ ଏତେ ଧ୍ୟାନ ଦେଲେ ନାହିଁ ।

ଉଲ୍ଲିଖିତ ଘଟଣା ସମୂହରେ ଗୋଟିଏ ବି ଶବ୍ଦ ଅତିରଞ୍ଜିତ ନୁହେଁ । ସତ୍ୟର ଆପଣା ସୌନ୍ଦର୍ଯ୍ୟ ରହିଛି ।
ଅକ୍ଷୟ ମହାନ୍ତି ସକଳ ମାନବିକ ସୌନ୍ଦର୍ଯ୍ୟ ଏବଂ ଉତ୍କର୍ଷର ଏକ ସର୍ବକାଳୀନ ପ୍ରତିକୃତି ।

ବି.ଦ୍ର. ବାପା ବାଞ୍ଛାନିଧି ହୋତାଙ୍କୁ କର୍ମ ଜୀବନର ଛୋଟବଡ଼ କୃତି ବଖାଣିବା ମୋ ଅଭ୍ୟାସ । ତାଙ୍କୁ ରାଜ୍ୟପାଳଙ୍କ ସଭାରେ ଅକ୍ଷୟ ଭାଇଙ୍କ ଅପୂର୍ବ ଭାଷଣ କଥା କହିଲି । ବୋଧେ ସେ ଏଥିରେ ମୋ ବଡ଼ିମାର ଗନ୍ଧ ପାଇଲେ । ମୋ ପ୍ରଗଳଭତାକୁ ଅଟକାଇ ଆକାଶ ଆଡକୁ ଚାହିଁ କହିଲେ - "ସେ 'ଟୋକା' ଅଲଗା । କି ସ୍ୱର ! ମାନସିଂହ ପାଟଣାରେ ସେ ରହୁଥିବା ମୁଁ ଜାଣିଥିଲି । ଘରକୁ ଡାକିବାକୁ ଇଚ୍ଛା ଥିଲା । ତୋ ମା'ଙ୍କୁ ଗୀତ ଭଲ ଲାଗେ ତ । କିନ୍ତୁ ସେ ପିଲା ମୁଣ୍ଡରେ ସଦାବେଳେ ବୋଝେ ଚୁଟି; ସେ ସମୟରେ ବାଳ କାଟେନାହିଁ " ଅକ୍ଷୟଙ୍କ ପ୍ରଶଂସକ ଅସୀମିତ ।