ଚିତ୍ର ସୌଜନ୍ୟ - ୱିକି କମନ୍ସ

ଲେଖିଲେ ତ ଏମିତି ଲେଖିଦେଇ ପାରିବି ଅସରନ୍ତି ଶବ୍ଦ
ହୁଏତ ସେମାନେ ପ୍ରବାହିତ ମଧ୍ୟ ହୋଇପାରନ୍ତି ମୋର ଶିରା ଧମନିରେ
କବିତାର ପ୍ରଥମ ଧାଡି ମୁଁ ଲେଖିଦେଇପାରେ,
ପ୍ରବାହ ହିଁ ଜୀବନ ।

ରକ୍ତାକ୍ତ ନ ହେଲେ ଶବ୍ଦ କଣ କେବେ କବିତା ହୋଇପାରେ ।
କ୍ଷତ ଜୀବନ୍ୟାସ ଦିଏ ଶବ୍ଦକୁ ।

ଶବ୍ଦକୁ ମୁଁ ପିନ୍ଧେଇ ଦେଇପାରେ ଡେଣା ହଳେ ଓ ଉଡିଯିବାକୁ କହି ନିଜେ ଆକାଶ ସାଜିପାରେ ।

ଏଇ ଯେଉଁ ଗଛ ବୃକ୍ଷ ପାହାଡ଼ ନଦୀ ଦେଖୁଛ
ସେ ସବୁ ଗୋଟାଏ ଗୋଟାଏ କବିତା ।
ପତ୍ରଟିଏ ପଲ୍ଲବିବା
ଟୋପା ଟୋପା ବର୍ଷା ଜଳ ଏକାଠି ମିଶି ବହିଯିବା
ପଥରଟିର ଅଙ୍କୁରୋଦଗମ
ସବୁଜ ଦୁବଘାସ କାକର ପିନ୍ଧି ପାହାନ୍ତି ସକାଳର
ଛିଡା ହେବା
ପ୍ରଜାପତି ଏ ଗଛରୁ ସେ ଗଛ ବୁଲିବା
ସବୁକିଛି କବିତା ।

ରାତି ଏବେ କାନଭାସରେ
କିଏ ଜଣେ ଆଙ୍କି ଚାଲିଛି ଜହ୍ନ ତାରା ମେଘଖଣ୍ଡ
କବିଟିଏ କବିତା ପାଠ କରୁଛି ବଜ୍ର ଗମ୍ଭୀର ପାଟିରେ
ଆକାଶକୁ ଚିରି ଦେଉଛି ଉଜ୍ଜଳତମ ଶେଷ ଧାଡିଟି କବିତାର ।

ଶୋଇଥିବା କୁକୁର ବି ଚିତ୍ରଟିଏ
ନବଜାତ ବାଛୁରୀ ଛୁଆକୁ ନେଇ ମାଟିଏ ଖୋଜୁଛି ତା ପାଇଁ ଚାଖଣ୍ଡେ ମାଟି
ଫୁଲ ଫୁଟିବାକୁ ପ୍ରସ୍ତୁତ
ଅଧଖୋଲା ଆଖିର ଝର୍କାରୁ ଦିଶୁଛି ଆକାଶ ସମ୍ଭାବନାମୟ ।

ମୁଁ ଯାଏଁ, ଦେଖିଆସିବି
ଶୋଇପଡିଲେଣି ନା ନାହିଁ କୁନି କୁନି ପକ୍ଷୀମାନେ ଗଛରେ
ହାଇ ପାଟି ମେଲାକରି କୁଆଡେ ଚାଲିଗଲା
କେମିତି ଖୋଜିବି
ସବୁତକ କବାଟ ମେଲା କରି ଦେହ ଫେରାର
ଧୂଳିସବୁ ଉଡି ବସିଲେଣି ଖର ନିଃଶ୍ଵାସରେ
ଶୁଖିଲା ପତ୍ରମାନଙ୍କୁ ସାଉଁଟି ବେଶ ଅଭ୍ୟସ୍ତ ମୁଁ ଏବେ
ସାରା ରାତି ଆକାଶରେ କେହିଜଣେ ଗୋଟେଇ ଚାଲିଛି ତାରାସବୁଙ୍କୁ
ଶବ୍ଦ ବହି ଚାଲିଛି ମୋ ରକ୍ତରେ
ଜମାଟ ବାନ୍ଧୁଛି ବେଳେବେଳେ ପାହାଡ଼ ରୂପରେ ଓ ମୋତେ ଚଢ଼ିବାକୁ ଡାକୁଛି
କେତେଥର ଖସିଲେ ଶିଖିହୁଏ ପାହାଡ଼ ଚଢ଼ା, କାହାକୁ ପଚାରିବି ?

ଆଉ କିଛି ସମୟ ପରେ ତ ଉଭାନ ହୋଇଯିବେ ତାରାମାନେ
ପାହାଡ଼ ପରି ସ୍ଥାଣୁ ହୋଇଯିବେ ମଣିଷ ସବୁ
ପକ୍ଷୀ ସବୁ ଗଛ ପାଳଟିଯିବେ
ମୋ ଆଖିରେ କୁଳ ଖାଉଥିବ ଟୋପାଏ ଲୁହ ଯାହା ।