ଫଟୋ - ୱିକି କମନ୍ସ

ବାଲ୍ମିକୀ ରାମାୟଣର ବାଳକାଣ୍ଡରେ ବର୍ଣ୍ଣିତ "ଅହଲ୍ୟା" ଏକ ରହସ୍ୟମୟ ଚରିତ୍ର । ତାଙ୍କୁ ନେଇ ଅନେକ ପୁରାଣରେ ବିଭିନ୍ନ କଥା ଲେଖା ହୋଇଚି । ଅସଂଖ୍ୟ ଗପ କବିତା ଉପନ୍ୟାସ ମଧ୍ୟ ଲେଖା ହୋଇଛି । ସେ ବି ପୁରୁଷ ତାନ୍ତ୍ରିକ ମନୋବୃତ୍ତି ଦ୍ୱାରା ପୀଡିତା ଜଣେ ଦୁଃଖିନୀ ନାରୀ ଭାବରେ ଭାରତୀୟ ଜନମାନସରେ ରହିଛନ୍ତି ।

ସାଧାରଣ ଭାବରେ ଦୁଇ ପ୍ରକାର କଥା କୁହାଯାଏ । ଅହଲ୍ୟା ଗୌତମ ଋଷିଙ୍କ ପତ୍ନୀ ଥିଲେ, କିଂତୁ ଇନ୍ଦ୍ର ଦେବ ତାଙ୍କ ପ୍ରତି ଆକୃଷ୍ଟ ହୋଇ, ଗୌତମଙ୍କର ଛଦ୍ମବେଶରେ ଆସି ଅହଲ୍ୟାଙ୍କ ସହିତ ସଙ୍ଗମ କରିଥିଲେ । ଅହଲ୍ୟା ଏକଥା ଜାଣି ନଥିଲେ, ପ୍ରତାରିତା ହୋଇଥିଲେ । କିନ୍ତୁ ଆଉ ଗୋଟିଏ କଥା ରହିଛି ଅହଲ୍ୟା ଏକଥା ଜାଣିଥିଲେ ଓ ଏ ସମ୍ଭୋଗରେ ସମ୍ମତି ଦେଇଥିଲେ । ଯାହା ବି ହେଉ ଗୌତମ ଏକଥା ଜାଣିବା ପରେ ଇନ୍ଦ୍ରଙ୍କୁ ଅଭିଶାପ ଦେଇଥିଲେ ଓ ଅହଲ୍ୟାଙ୍କୁ ପଥର ହୋଇଯିବାର ଅଭିଶାପ ଦେଇଥିଲେ ଏବଂ ରାମଚନ୍ଦ୍ରଙ୍କ ପଦସ୍ପର୍ଶରେ ସେ ପୁନର୍ବାର ମୁକ୍ତ ହେବେ ବୋଲି ମଧ୍ୟ କହିଥିଲେ । ତାହାହିଁ ହୋଇଥିଲା ଓ ରାମଙ୍କ ପଦସ୍ପର୍ଶରେ ସେ ପୁନର୍ବାର ନାରୀରେ ପରିଣତ ହେଲେ ।

ଅହଲ୍ୟାଙ୍କୁ ଏପରି ଦଣ୍ଡ ଦେବା ଆମ ସମସ୍ତଙ୍କୁ ବ୍ୟଥିତ କରେ । ଯଦି ସେ ନଜାଣି ଏ କର୍ମ କରିଥିଲେ ତେବେ ସେ ଇନ୍ଦ୍ର ଓ ତାଙ୍କର ସ୍ୱାମୀଙ୍କ ଦ୍ଵାରା ଅନ୍ୟାୟରେ ଅତ୍ୟାଚାରିତ ହୋଇଥିଲେ ବୋଲି ଆମେ ମର୍ମାହତ ହେଉ । ଯଦି ସେ ଜାଣିଥିଲେ ଓ ଏ କର୍ମ କରିଥିଲେ ତେବେ ମୁକ୍ତ ଚିନ୍ତାଧାରାର ଲୋକେ କହି ପାରିବେ ଏହା କିଛି ଭୁଲ କଥା ନଥିଲା । କାରଣ ବ୍ରହ୍ମା ତାଙ୍କର ସମସ୍ତ ସୂକ୍ଷ୍ମତମ ସର୍ଜନଶୀଳତା ଦେଇ ଯେଉଁ ଅପରୂପା ନାରୀଙ୍କୁ ଗଢ଼ିଥିଲେ, ଯେ କି ସ୍ୱର୍ଗର ସମସ୍ତ ଅପ୍ସରୀ, ଏପରିକି ଉର୍ବଶୀଙ୍କଠାରୁ ବି ସୁନ୍ଦରୀ ଥିଲେ, ତାଙ୍କୁ ତାଙ୍କଠାରୁ ଏତେ ବେଶୀ ବୟସ୍କ, ପୁଣି ଜଣେ ସନ୍ନ୍ୟାସୀଙ୍କୁ କାହିଁକି ବିବାହ ଦେଲେ ? ସେ ଅହଲ୍ୟାଙ୍କ ମତ ନେଇଥିଲେ ? ନା, ସେ ଟିକିଏ ବି ଭାବି ନଥିଲେ ଯେ ଏଭଳି ଜଣେ ପ୍ରାଣବନ୍ତ ରୂପସୀ ନାରୀର ଇନ୍ଦ୍ରିୟବୃତ୍ତି କେମିତି ଓ କାହିଁକି ଏତେ ବେଶୀ ନିୟନ୍ତ୍ରଣରେ ରହିବ, ସେ କାହିଁକି ସନ୍ୟାସିନୀର ଜୀବନକୁ ବାଧ୍ୟ ହୋଇ ବରଣ କରିବେ ? ଯେଉଁ ଋଷି ତାଙ୍କୁ ବାଲ୍ୟକାଳରୁ ପାଳିଥିଲେ ତାଙ୍କ ପ୍ରତି ଏ ନାରୀଙ୍କର କାମ ଭାବ କେମିତି ଆସିବ ? ତାଙ୍କର ଉଚ୍ଛଳ, ଯୌବନଦୀପ୍ତ ନାରୀତ୍ବ କିପରି ସମାହିତ ହେବ ? ଆଉ ସ୍ୱୟଂ ଇନ୍ଦ୍ରଦେବ ଯଦି ତାଙ୍କ ନିକଟରେ ପ୍ରଣୟ ଭିକ୍ଷା କରୁଛନ୍ତି, ସେ କାହିଁକି ପ୍ରତ୍ୟାଖ୍ୟାନ କରିବେ ?

ଏସବୁ ମିଶି ଅହଲ୍ୟା ଏକ ରହସ୍ୟମୟୀ ନାରୀ ଭାବରେ ଆମ ସମ୍ମୁଖରେ ଠିଆ ହୁଅନ୍ତି । ପୁଣି ଏଭଳି ଗୋଟିଏ ଶ୍ଳୋକ ରହିଛି ଯେଉଁଠାରେ ପ୍ରାତଃ ସ୍ମରଣୀୟ ପଞ୍ଚକନ୍ୟା ଭିତରେ ପ୍ରଥମେ ଅହଲ୍ୟାଙ୍କୁ ଗ୍ରହଣ କରାଯାଇଛି । ଆଶ୍ଚର୍ଯ୍ୟର କଥା ଯେ ମୂଳ ବାଲ୍ମିକୀ ରାମାୟଣରେ ଅହଲ୍ୟା ପଥରରେ ପରିଣତ ହୋଇଯିବାର କଥା ନାହିଁ । ଅଥଚ ଏହି ଉପାଖ୍ୟାନ ବହୁ ପ୍ରଚାରିତ, ବହୁ ଆଲୋଚିତ ଓ ଅର୍ଥାନ୍ତରିତ ଓ ରୂପାନ୍ତରିତ ବି ହୋଇଚି । ପଦ୍ମ ପୁରାଣ ଓ ଅନ୍ୟ କେତୋଟି ପୁରାଣରେ ଏକଥା ରହିଛି । ଏହି ଆଳ ନେଇ ନାଉରିଆ କିପରି ରାମଚନ୍ଦ୍ରଙ୍କ ପାଦ ଧୋଇଥିଲା, ତାହା "ବୈଦେହୀଶ ବିଳାସ "ରେ ଆମେ ପଢିଚେ । କିନ୍ତୁ ମୂଳ ରାମାୟଣର ବାଳକାଣ୍ଡରେ କଥାଟି ନିମ୍ନଲିଖିତ ଭାବରେ ବର୍ଣ୍ଣିତ ହୋଇଛି ।

ବିଶ୍ଵାମିତ୍ରଙ୍କ ସହିତ ବୁଲି ବୁଲି ରାମ ଓ ଲକ୍ଷ୍ମଣ ଅନେକ ରାକ୍ଷସଙ୍କୁ ମାରି ସାରିବା ପରେ ବିଶ୍ଵାମିତ୍ର ସେମାନଙ୍କୁ ମିଥିଳାର ଜନକ ରାଜାଙ୍କର କନ୍ୟା ସୀତାଙ୍କର ସ୍ୱୟଂବର କଥା କହିଲେ ଏବଂ ଶିବ ଧନୁ ଦର୍ଶନ କରିବା ପାଇଁ ଦୁହିଁଙ୍କୁ ନେଇ ଯିବା ବାଟରେ ଗୌତମ ଋଷିଙ୍କର ଆଶ୍ରମ ଦେଖାଗଲା । ସେ ଆଶ୍ରମଟି ପରିତ୍ୟକ୍ତ, ଭାରି ଶ୍ରୀହୀନ ଓ ମଳିନ ଦେଖା ଯାଉଥିଲା । ସେଠାରେ କେହି ନଥିଲେ । ରାମ ପଚାରିଲେ "ଏ ଆଶ୍ରମ କାହାର ଓ ଏହା ଏ ଅବସ୍ଥାରେ କାହିଁକି ପଡିଛି ?'

ବିଶ୍ଵାମିତ୍ର ସେତେବେଳେ ସେମାନଙ୍କୁ ଅହଲ୍ୟା, ଗୌତମ ଓ ଇନ୍ଦ୍ରଙ୍କ ଉପାଖ୍ୟାନ କହିଲେ । ସେ କହିଲେ ଯେ ବ୍ରହ୍ମା ଅହଲ୍ୟାଙ୍କୁ ନିର୍ମାଣ କରିବା ଦିନଠାରୁ ଇନ୍ଦ୍ର ତାଙ୍କ ପ୍ରତି ଆକୃଷ୍ଟ ଥିଲେ । ସେଥିପାଇଁ ବ୍ରହ୍ମା ତାଙ୍କୁ ଗୌତମ ଋଷିଙ୍କ ନିକଟରେ ଛାଡି ଦେଇଥିଲେ । ସେ ଯୌବନ ପ୍ରାପ୍ତ ହେବାପରେ ଗୌତମ ଋଷି ତାଙ୍କୁ ବ୍ରହ୍ମାଙ୍କୁ ଫେରାଇ ଦେବାକୁ ଆସିବାରୁ ବ୍ରହ୍ମା ତାଙ୍କର କାମ ବୋଧର ନିୟନ୍ତ୍ରଣରେ ଖୁସି ହୋଇ ତାଙ୍କୁ ହି ଅହଲ୍ୟାଙ୍କୁ ବିବାହ ଦେଲେ । ଇନ୍ଦ୍ର ଏଥିପାଇଁ ଆହୁରି ଦୁଃଖିତ ହୋଇଥିଲେ ।

ତେଣୁ ଦିନେ, ଗୌତମ ବ୍ରହ୍ମମୁହୂର୍ତ୍ତରେ ଗଙ୍ଗା ସ୍ନାନ କରିବାକୁ ଯାଇଥିବାବେଳେ ଗୌତମଙ୍କ ଛଦ୍ମବେଶରେ ତାଙ୍କ ଆଶ୍ରମରେ ପହଂଚି ଇନ୍ଦ୍ର ଅହଲ୍ୟାଙ୍କୁ ପ୍ରଣୟ ଭିକ୍ଷା କଲେ । ଅହଲ୍ୟା ଜାଣିଗଲେ ଯେ ସେ ତାଙ୍କର ସ୍ୱାମୀ ନୁହନ୍ତି, ଇନ୍ଦ୍ରଙ୍କର ଛଦ୍ମବେଶ କଥା ଜାଣି ମଧ୍ୟ ତାଙ୍କର ପ୍ରଣୟ ନିବେଦନକୁ ଆଗ୍ରହ ଓ କୌତୂହଳର ସହିତ କାମନା କରିଥିଲେ । ଅହଲ୍ୟା ଏ ସଂଗମରେ ତୃପ୍ତ ହେଲେ ଓ ଗୌତମ ଫେରିବା ପୂର୍ବରୁ ଇନ୍ଦ୍ରଙ୍କୁ ଶୀଘ୍ର ପଳାଇବାକୁ କହିଲେ । ଗଙ୍ଗା ସ୍ନାନରୁ ଫେରିଆସି ଗୌତମ ଇନ୍ଦ୍ରଙ୍କୁ ଦେଖିଦେଲେ ଓ ସବୁକଥା ଜାଣିବା ପରେ କ୍ରୋଧାନ୍ୱିତ ହୋଇ ଇନ୍ଦ୍ରଙ୍କୁ ପ୍ରଚଣ୍ଡ ଅଭିଶାପ ଦେଇଥିଲେ । ପରବର୍ତ୍ତୀ ସମୟରେ ଅଶ୍ୱିନୀ କୁମାରଙ୍କ ସାହାଯ୍ୟରେ ସେ ସୁସ୍ଥତା ଫେରି ପାଇଥିଲେ । ଅହଲ୍ୟାଙ୍କୁ ସେ ଅଭିଶାପ ଦେଲେ ଯେ ସେ ହଜାରେ ବର୍ଷ ପର୍ଯ୍ୟନ୍ତ ସେହି ଆଶ୍ରମରେ ବାହ୍ୟ ଜଗତକୁ ଅଦୃଶ୍ୟ ହୋଇ ରହିବେ । ତାଙ୍କର ଶରୀର ଧୂଳି ଓ ଶୁଷ୍କ ପତ୍ରରେ ଆବୃତ୍ତ ହୋଇ ରହିବ । ସେ କେବଳ ପବନ ଆହାର କରିବେ ଓ ଅନ୍ୟ କିଛି ଖାଦ୍ୟ ଖାଇବେ ନାହିଁ । ଜଣେ ସନ୍ୟାସୀ ଜୀବନରେ ଏଭଳି ଦେହ ଲାଳସା ଓ କାମନା ଅନୁଚିତ । ତେଣୁ ପ୍ରାୟଶ୍ଚିତ ପାଇଁ ତାଙ୍କୁ କଠିନ ତପସ୍ୟା କରିବାକୁ ହେବ । ଯେତେବେଳେ ବିଷ୍ଣୁଙ୍କର ଅବତାର ରାମଚନ୍ଦ୍ରଙ୍କ ସହିତ ତାଙ୍କର ସାକ୍ଷାତ ହେବ, ସେ ଏହି ଅବସ୍ଥାରୁ ମୁକ୍ତ ହେବେ ଓ ସେଦିନ ଗୌତମଙ୍କ ସହିତ ତାଙ୍କର ମିଳନ ହେବ । ଅହଲ୍ୟା ସତ୍ୟକୁ ସ୍ୱୀକାର କରିଥିଲେ ଓ ସେହି ଅଭିଶାପକୁ ନିଷ୍ଠାର ସହିତ ପାଳନ କରିଥିଲେ ।

କ୍ରୋଧବଶତଃ ନିଜର ତପ ଶକ୍ତି ହରାଇଥିବାରୁ ଗୌତମ ମଧ୍ୟ ତପସ୍ୟା କରିବାକୁ ହିମାଳୟ ଚାଲିଗଲେ । ବିଶ୍ଵାମିତ୍ର କହିଲେ ବର୍ତ୍ତମାନ ଅହଲ୍ୟାଙ୍କ ତପସ୍ୟା ଶେଷ ହେବାର ସମୟ ଆସିଛି, ରାମଚନ୍ଦ୍ର ଓ ଲକ୍ଷ୍ମଣ ସେହି ଆଶ୍ରମରେ ପ୍ରବେଶ କରି ଅହଲ୍ୟାଙ୍କୁ ଉଦ୍ଧାର କରନ୍ତୁ । ପାଷାଣରେ ପରିଣତ ହୋଇଥିବା ଅହଲ୍ୟାଙ୍କ ଉପରେ ଶ୍ରୀରାମ ପାଦ ରଖିବା କଥା ବାଲ୍ମିକୀ ଲେଖିନାହାନ୍ତି । ବିଶ୍ଵାମିତ୍ରଙ୍କ କଥା ସ୍ଵୀକାର କରି ରାମ ଲକ୍ଷ୍ମଣ ସେହି ଆଶ୍ରମରେ ପ୍ରବେଶ କଲେ । ତାପରେ ସେ କଣ ଦେଖିଲେ ? ବାଲ୍ମିକୀ ଅହଲ୍ୟାଙ୍କୁ ଅପୂର୍ବ ସୁନ୍ଦର ଜଣେ ଆଲୋକିତା ଓ ଜ୍ୟୋତିର୍ମୟୀ ନାରୀ ଭାବରେ ଏପରି ବର୍ଣ୍ଣନା କରିଛନ୍ତି ।

"ରାମ ଓ ଲକ୍ଷ୍ମଣ ସେହି ଆଶ୍ରମରେ ପ୍ରବେଶ କଲେ । ଅହଲ୍ୟାଙ୍କର ତପସ୍ୟାର କାଳ ଶେଷ ହୋଇଥିଲା । ରାମ ସେହି ମହାଭାଗଙ୍କୁ ଦେଖିଲେ, "ଯାହାର ସୌନ୍ଦର୍ଯ୍ୟ ତପସ୍ୟା ଦ୍ୱାରା ଉଜ୍ଜଳତର ହୋଇ ଉଠିଥିଲା । ଯାହାଙ୍କୁ କୌଣସି ଦେବତା, ଅସୁର, କିମ୍ବା କୌଣସି ପାର୍ଥିବ ସତ୍ତା, ପାଖକୁ ଆସି ମୁହଁ ଉଠାଇ ଦେଖିବା ବି ଅସମ୍ଭବ, ଯାହାଙ୍କୁ ସୃଷ୍ଟିକର୍ତ୍ତା ଅତି ଯତ୍ନର ସହିତ ଗୋଟିଏ ଅପ୍ସରୀ ପରି, ଏକ ଅଲୌକିକ ମାୟମୟୀ ସତ୍ତା କରି ଗଢ଼ିଥିଲେ, ଯେକି କୁହୁଡି ବିହୀନ, ମେଘହୀନ ପୂର୍ଣ୍ଣିମା ଜହ୍ନ କିରଣ ଭଳି ଦେଖା ଯାଉଥିଲେ, ଯେ କି ଏପର୍ଯ୍ୟନ୍ତ ଶୁଖିଲା ପତ୍ର ଓ ଧୂଳି ଦ୍ୱାରା ଆବୃତ୍ତ ହାେଇ ରହିଥିଲେ, ଯେ କି ଏପର୍ଯ୍ୟନ୍ତ ଚରମ ତ୍ୟାଗରେ ରହିଥିଲେ, ଯେ କି ଏକ ଅଦୃଶ୍ୟ ସୂର୍ଯ୍ୟର କିରଣ ଭଳି ଜଳ ଭିତରେ ପ୍ରତିବିମ୍ବିତ ହୋଇ ଝଲସୁ ଥିଲେ, ଯାହାର ଅଙ୍ଗ ପ୍ରତ୍ୟଙ୍ଗ ଜ୍ୱଳନ୍ତ ଅଗ୍ନି ଶିଖା ପରି ଥିଲା, ଯାହା ଚାରିପାଖରେ ଧୂଆଁର ଆବରଣ ଘେରି ରହିଥିଲା, ଯେ ତୀବ୍ର ତପସ୍ୟା ଦ୍ୱାରା ଏପର୍ଯ୍ୟନ୍ତ କେବଳ ପବନ ପାନ କରି ବଞ୍ଚିଥିଲେ, ସେହି ତପଶ୍ଚର୍ଯ୍ୟା ତାଙ୍କୁ ଏକ ଜ୍ୱଳନ୍ତ ଯଜ୍ଞର ନିଆଁରେ ପରିଣତ କରିଥିଲା, ରାମ ସେହି ମହିମାମୟୀ ଅହଲ୍ୟାଙ୍କୁ ଦର୍ଶନ କଲେ, ଏବଂ ରାମ ଓ ଲକ୍ଷ୍ମଣ ଏହି ମହିୟସୀ ନାରୀଙ୍କର ପାଦ ସ୍ପର୍ଶ କରି ପ୍ରଣାମ କଲେ ଓ ତାଙ୍କୁ ଅକ୍ଷତ ଓ ପବିତ୍ର ନାରୀ ବୋଲି ସମ୍ବୋଧନ କରିଥିଲେ ।

ତାପରେ ଗୌତମଙ୍କ କଥା ମନେ ପକାଇ ଅହଲ୍ୟା ଦୁଇ ଭାଇଙ୍କ ହାତ ପାଦ ଧୋଇ ଦେଲେ ଓ ଅତିଥି ଭାବରେ ସତ୍କାର କଲେ । ରାମ ଓ ଲକ୍ଷ୍ମଣ ତାଙ୍କର ଆତିଥ୍ୟ ସ୍ୱୀକାର କଲେ । ଏହି ଦୃଶ୍ୟକୁ ଦେଖି ଆକାଶରେ ଦେବତା ଅପସରା ଓ ଗନ୍ଧର୍ବମାନେ ବାଦ୍ୟ ଯନ୍ତ୍ର ବଜାଇ ପୁଷ୍ପ ବୃଷ୍ଟି କରି ଉତ୍ସବ କଲେ ଓ ସାଧୁ ସାଧୁ କହିଲେ।" (ବାଳ କାଣ୍ଡ, ସର୍ଗ ୪୯)। ଏହାପରେ ଗୌତମ ଋଷି ହିମାଳୟରୁ ଫେରି ଆସିଥିଲେ ଓ ଅହଲ୍ୟାଙ୍କ ସହିତ ଅବଶିଷ୍ଟ ଜୀବନ ବିତାଇ ଥିଲେ ।

ଏହାର ମୂଳ ସଂସ୍କୃତ ଶ୍ଳୋକ ମୋ ନିକଟରେ ରହିଚି । ବ୍ରହ୍ମାଙ୍କ ଦ୍ୱାରା ଓ ଇନ୍ଦ୍ରଦେବଙ୍କ ଦ୍ୱାରା ପ୍ରତାରିତ ହୋଇ ପୁଣି ସ୍ୱାମୀ ଗୌତମଙ୍କ ଦ୍ଵାରା ଅଭିଶପ୍ତ ହୋଇ, ପଥର ହୋଇ ରାସ୍ତାରେ ପଡି ରହିଥିବାବେଳେ ତାଙ୍କୁ ପଦ ସ୍ପର୍ଶ ଦେଇ ଥିବା ରାମଙ୍କର ଦୟା ପାଇ କୃତାର୍ଥ ହୋଇଥିବା ଯେଉଁ ଅହଲ୍ୟା ଭାରତୀୟ ଜନ ମାନସରେ ରହିଛନ୍ତି, ତାଙ୍କଠାରୁ ବାଲ୍ମିକୀଙ୍କ ଅହଲ୍ୟାଙ୍କର ପାର୍ଥକ୍ୟ କଣ ?

ଏକଥା ସତ ଯେ ବ୍ରହ୍ମା ତାଙ୍କ ମତ ନ ନେଇ ତାଙ୍କୁ ଜଣେ ପ୍ରଖର ପିତୃ ପ୍ରତିମ ସନ୍ୟାସୀଙ୍କୁ ବିବାହ ଦେଇଥିଲେ । ସେ ତାଙ୍କ ସହିତ ଆଶ୍ରମ ଜୀବନ ବିତାଇଥିଲେ ମଧ୍ୟ ତାଙ୍କର ପୁତ୍ର ସନ୍ତାନଟିଏ ହୋଇ ଥିଲେ ମଧ୍ୟ ତାଙ୍କର ପ୍ରାଣବନ୍ତ ନାରୀତ୍ବ ଜଣେ ସମର୍ଥ ପୁରୁଷସଙ୍ଗ ଚାହୁଁଥିଲା । ସେ ନିଜର ଏ ଆବେଗକୁ ମୂଲ୍ୟ ଦେଇ ଇନ୍ଦ୍ରଙ୍କ କାମଭାବକୁ ସ୍ୱୀକାର କରିଥିଲେ ଓ ସେ ସନ୍ତୁଷ୍ଟ ବୋଲି ଖୋଲାଖୋଲି ଇନ୍ଦ୍ରଙ୍କୁ କହିଥିଲେ । ସେ ନିଜ କୃତକର୍ମର ପରିଣାମ ନିଜେ ସ୍ୱୀକାର କରିଥିଲେ । ସନ୍ୟାସ ଜୀବନରେ ରହି ମଧ୍ୟ ଏ ଗର୍ହିତ କର୍ମ କରିଥିବା ହେତୁ ସେଥିପାଇଁ ଉଦ୍ଦିଷ୍ଟ ତପସ୍ୟାକୁ ସେ ନିଷ୍ଠାର ସହିତ ହଜାରେ ବର୍ଷ ପର୍ଯ୍ୟନ୍ତ ପାଳନ କରି କିଭଳି ସିଦ୍ଧ ହୋଇଥିଲେ ତାହା ବାଲ୍ମିକୀଙ୍କ ବର୍ଣ୍ଣନାରୁ ଆମେ ବୁଝି ପାରୁଛେ, ରାମ ଲକ୍ଷ୍ମଣ ସମ୍ମାନର ସହିତ ତାଙ୍କ ପାଦ ସ୍ପର୍ଶ କରିଥିଲେ, ତାଙ୍କୁ ଦୟା କରିବାର ପ୍ରଶ୍ନ ଉଠିନାହିଁ। ସମସ୍ତ ସ୍ବର୍ଗୀୟ ସତ୍ତା ଏକତ୍ର ହୋଇ ଏ ଅଦ୍ଭୁତ ଦୃଶ୍ୟ ଦେଖି ପୁଷ୍ପ ବୃଷ୍ଟି କଲେ ।

ସବୁ ଅନ୍ୟାୟ ଭୋଗିଥିବା ସତ୍ତ୍ୱେ ଆମ ସାମ୍ନାରେ ବାଲ୍ମିକୀ ସେହି ଦୟନୀୟ କରୁଣ ଦୁଃଖିନୀ ଅହଲ୍ୟାଙ୍କୁ ଠିଆ କରିନାହାନ୍ତି ଏହା ନିଃସନ୍ଦେହ ନୁହେଁ କି ?

ଏ ପୃଥିବୀରେ ନାରୀ - ପୁରୁଷ, ବାଳକ - ବାଳିକା କିଏ ଭାଗ୍ୟ ଦ୍ୱାରା ବା ସମାଜ ଦ୍ୱାରା ବା ଅନ୍ୟ ମଣିଷଙ୍କ ଦ୍ୱାରା ଅତ୍ୟାଚାରିତ ହୋଇ ନାହିଁ ? ପିତାଙ୍କର ଗୋଟିଏ ଲଘୁ ଅଙ୍ଗୀକାର ଫଳରେ ରାମ ରାଜା ହେଉ ହେଉ ଚଉଦ ବର୍ଷ ବନକୁ ଗଲେ । ଅର୍ଜୁନ ସ୍ୱୟଂବରର ପରୀକ୍ଷାରେ ଜିତିବା ସତ୍ତ୍ୱେ ଦ୍ରୌପଦୀଙ୍କୁ ପାଞ୍ଚ ଭାଇ ବିବାହ କଲେ । କର୍ଣ୍ଣ ସୂର୍ଯ୍ୟ ଓ କୁନ୍ତୀଙ୍କର ପୁତ୍ର ହେବା ସତ୍ତ୍ୱେ ସାରାଜୀବନ ସୁତ ପୁତ୍ର ଭାବରେ ଅପମାନିତ ହୋଇ ରହିଲେ । ପାଣ୍ଡବମାନେ ଦୁର୍ଯ୍ୟୋଧନର ଈର୍ଷା ପାଇଁ ସମଗ୍ର ଜୀବନକାଳ ଯନ୍ତ୍ରଣାରେ କାଟିଲେ । ଅଭିମନ୍ୟୁଙ୍କୁ ଅନ୍ୟାୟରେ ହତ୍ୟା କରାହେଲା । ଆହୁରି ଉଦାହରଣ ଏ କାଳରେ ବି ରହିଛି । ମଣିଷ ଜୀବନ ବଡ ଜଟିଳ, ଏଠାରେ ଏ ସବୁ ସ୍ୱାଭାବିକ ବୋଲି ଧରାଯାଏ ।

ତେଣୁ ପୁଣିଥରେ କହୁଛି ପରିସ୍ଥିତି ଯାହା ହେଉ ନା କାହିଁକି ଜଣେ ମଣିଷ ସେ ନାରୀ ହେଉ କି ପୁରୁଷ ହେଉ, ଯଦି ସତ୍ଯତାର ସହିତ, ଦୃଢତାର ସହିତ ସେହି ପରିସ୍ଥିତିର ଉର୍ଦ୍ଧ୍ବକୁ ଉଠିଯାଏ, ତାକୁ ଆଉ ଦୟା କରାଯାଏନା । ଆମେ ଆମର ବର୍ତ୍ତମାନର ବିଚାର ବୁଦ୍ଧିରେ ବୁଝି ପାରୁଛେ ଯେ ଅତୀତ କାଳରେ ଅନେକ ଅଯଥାର୍ଥ କଥା ଘଟୁଥିଲା, ଏବେବି ଘଟୁଚି । କିନ୍ତୁ ଯେଉଁ ଚରିତ୍ରମାନଙ୍କୁ ଆମେ ଏବେବି ସ୍ମରଣ କରୁଚେ, ସମ୍ମାନ ଓ ମୂଲ୍ୟ ଦେଉଛେ ତାହା ସେମାନଂକର ଅସହାୟତା ପାଇଁ ନୁହେଁ, ତାଙ୍କର ଦୃଢ଼ ଆତ୍ମଶକ୍ତି ଓ ସତ୍ୟତା ପାଇଁ ।