ଆବାହନ

ଖୁବ... ଖୁବ ଦୂରରୁ କିଏ ଜଣେ ଡାକେ - ଏମିତି ଅଜଣା ଡାକର ପୁଲକ ଇ ଜନ୍ମ ଦିଏ କବିତାକୁ ।


ଖୁବ... ଖୁବ ଦୂରରୁ
କିଏ ଜଣେ ଡାକେ
ଅଶ୍ରୁତ, ନିଃଶବ୍ଦ, ନିରବ ସ୍ୱର

ସୁତା ଖିଏ ଭଳି ଧାରେ ଆଲୁଅ
ସ୍ମୃତି ଆଉ ବିସ୍ମୃତିର ଠିକ ମଝିରେ ବସି
ମନ ଭିତରେ ପାଦ ବୁଡ଼େଇ ଦିଏ

ସେ ପାଦରେ ଅଳତାର ଗାର
ଭାରି କୋମଳ

କିଶୋରୀର ନଖ ଭଳି
ଗୋଲାପି ଗୋଲାପି ନରମ କୋଳାହଳ କିଛି
ହାତ ବୁଲେଇ ଦେଇଯାଏ
ଆଖିପତାରେ

କଣ ଗୋଟେ ମନେ ପଡ଼େ
କଣ ତାହା ବୁଝି ହୁଏନା
ହେଲେ
ଲାଗେ ଯେମିତି ପିଲାବେଳ ପରି କିଛି

ଠିକ ସେମିତି ହିଁ
ଆଲୁରୁ ମାଲୁରୁ, ଅନାବନା
ଖରାଖିଆ ଇଗଲ ର ଡେଣା
ପବନରେ କାଗଜ ଟୁକୁଡା

ସାଉଁଟୁ ସାଉଁଟୁ
ଏପଟେ ମୋ ଘର ଅସଜଡ଼ା
ରଂଗଛଡ଼ା
ଆଲମାରୀ ଥାକ, ଚୁଲି ନିଆଁ

ଦୁଆର ସେପାଖେ
ଗୋଟେ ଲମ୍ବା ରାସ୍ତା
ଅଜଗର ଭଳି ନିରବ ଅପେକ୍ଷାରେ
ମୁଁ ଇଆଡ଼େ
ବ୍ୟସ୍ତ ଥାଏ ଘର କୋଣରୁ ଅଳନ୍ଧୁ ଝଡ଼ାରେ

ଆଉ
ଖୁବ... ଖୁବ ଦୂରରୁ
କିଏ ଜଣେ ଡାକେ
ଅଶ୍ରୁତ, ନିଃଶବ୍ଦ, ନିରବ ସ୍ୱରରେ
ଡାକି ଚାଲେ... ଡାକି ଚାଲେ
ଅବିରତ ନିରବଧି କାଳ