ବ୍ୟାସ କବି ଫକୀର ମୋହନଙ୍କ ଜନ୍ମ ଦିବସ ଉପଲକ୍ଷେ

ଆଜି ଓଡିଆ ସାହିତ୍ଯର କ୍ରାନ୍ତି ପୁରୁଷ ଫକୀର ମୋହନଙ୍କ ଜନ୍ମଦିନ । ତାଙ୍କ ଜୀବନ ଓ ସାହିତ୍ୟକୁ ଦେଖିବାର ଓ ପରଖିବାର ଏକ ଅଭିନବ ପ୍ରୟାସ ଏ ନିବନ୍ଧରେ ରହିଛି । ଫକୀର ମୋହନଙ୍କ ଦୃଷ୍ଟି ଓ ଦର୍ଶନକୁ ତାଙ୍କ ଉତ୍ତରସୂରୀ ବାମାଚାରଣ ମିତ୍ରଙ୍କ ଦର୍ପଣରେ ଦେଖିବାର ଇଏ ଏକ ଚମତ୍କାର ସାହସ ।


(ମାନନୀୟ ବାମାଚରଣ ମିତ୍ରଙ୍କୁ କ୍ଷମା ମାଗି । ମିତ୍ରଙ୍କ ଗଳ୍ପରେ ମିମି ଗୋଟିଏ ଅବାଧ୍ୟ୍ୟ ଶିଶୁ; ସେ ତା' ବାପା ପଢ଼ାଉଥିବା ସାହିତ୍ୟ ନବୁଝି ତା' ପୋଷା ବିରାଡ଼ିର ସଂଗେ ଖେଳୁ ଥାଏ । ଏବଂ ଶେଷରେ 'କବି' କିଏ, 'ସଭା' କଣ, ପଚାରି ତା' ନିରୀହତାରେ ଜଗନ୍ନାଥଙ୍କୁ ଚର୍ଚ୍ଚା ଭିତରକୁ ଟାଣି ଆଣେ । ମୁଁ ସାହିତ୍ୟ ଜଗତରେ ସେହି ମିମି ପରି ଅବୋଧ ।)

ବ୍ୟାସ କବି ଓ ମିମିର ସାହିତ୍ୟ ଶିକ୍ଷା - ୧

ସମୟ ୨୦୦୧-୦୨ ମସିହା । ସ୍ଥାନ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀର ଏକ ବିଶିଷ୍ଟ ପ୍ରକୋଷ୍ଠ । ମାନ୍ୟବର ରମାକାନ୍ତ ରଥ ବୋଧହୁଏ ସେତେବେଳେ ସାହିତ୍ୟ ଏକାଡେମୀର ସଭାପତି ଥାନ୍ତି । ସେ ଭୁବନେଶ୍ୱରରେ ରହୁଥାନ୍ତି । କିନ୍ତୁ ସେ ଆସିଲେ ଉତ୍ସାହୀ ଓଡ଼ିଆମାନେ (ବିଶେଷତଃ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସାହିତ୍ୟାନୁରାଗୀ ଅଫିସର ଏବଂ ଅନ୍ୟ କେତେକ ବିଶିଷ୍ଟ ଓଡ଼ିଆ ଯଥା ଶ୍ରୀଯୁକ୍ତ ଜଗନ୍ନାଥ ପ୍ରସାଦ ଦାସ ଓଗେର) କେନ୍ଦ୍ର ସାହିତ୍ୟ ଏକାଡେମୀର ସେ ବିଶିଷ୍ଟ ପ୍ରକୋଷ୍ଠରେ ଏକାଠି ହୁଅନ୍ତି । ସାହିତ୍ୟ ଆଲୋଚନା ହୁଏ । ରଥସାର୍ ଭୂବନେଶ୍ୱର ଫେରିଗଲା ପରେ ମଧ୍ୟ, ପ୍ରତିମାସରେ ଏକ ନିର୍ଦ୍ଦିଷ୍ଟ ଶନିବାର ଅପରାହ୍ନରେ ସମସ୍ତେ ଏକାଠି ହୁଅନ୍ତି । ବିଶେଷ କରି କବିତା ପାଠ ହୁଏ । ସବୁ ଅଫିସର କବି ନିଜ ପକେଟରୁ ଖଣ୍ଡେ ଖଣ୍ଡେ କାଗଜ କାଢ଼ି, ସ୍ୱରଚିତ ବା ଅନୁଦିତ କବିତା ପଢ଼ନ୍ତି; କରତାଳି, ଆଲୋଚନା ଓ ଚାହାପାନ ପରେ ଏକ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ, ସୌହାର୍ଦ୍ଦ୍ୟପୂର୍ଣ୍ଣ ସମୟ ଅତିବାହିତ ହୁଏ । ପରିଶେଷରେ ସମସ୍ତେ ନିଜ ନିଜ ରାସ୍ତାରେ ଯାନ୍ତି ।

ମୁଁ ରାଜହଂସଙ୍କ ଗହଣରେ ବକ ଯଥା । କାକ ବୋଲି କହିବା ବେଶି ଉପଯୁକ୍ତ ହେବ । ପିଲାଦିନୁ ମୁଁ ଟିକେ ରୋଗିଣା, ଶଯ୍ୟାଶାୟୀ ଓ ପୁସ୍ତକକୀଟ । ଚତୁର୍ଥ ଶ୍ରେଣୀରୁ ଗପ ପଢ଼ିବା ଆରମ୍ଭ କଲି ଯେ, ପ୍ରତିଦିନ ଦୁଇ ତିନି ଗପ ନ ପଢ଼ିଲେ ଦିନ କଟେ ନାହିଁ । ବୟସ୍କଙ୍କ ପାଇଁ ତଥାକଥିତ ଉପନ୍ୟାସ ଓ ଗଳ୍ପ ଆଦି ମତେ ଆଦୌ ଦୁର୍ବୋଧ୍ୟ ବୋଧ ହୁଅନ୍ତି ନାହିଁ । ପିଲାଦିନେ ପାଠ୍ୟପୁସ୍ତକ ଆଦିରେ କବିତା ମଧ୍ୟ ପଢ଼ୁଥିଲି । କିନ୍ତୁ ବୋଧହୁଏ ଭଗବତ୍ କରୁଣାର ଅଭାବ ହେତୁ କ୍ରମଶଃ କବିତା ପ୍ରତି ଆକର୍ଷଣ କମିଯାଏ । କବିମାନେ ଆଧୁନିକ କବିତା ରଚନାରେ ଲାଗନ୍ତି; ମୁଁ କବିତା - କଳାର ମାଧୁର୍ଯ୍ୟ ଆଦୌ ଜାଣିପାରେ ନାହିଁ । ତେଣୁ ଲେଖିବା ତ ଦୂରର କଥା, ଆଲୋଚନାରେ ମଧ୍ୟ ଭାଗ ନେଇ ପାରେ ନାହିଁ । ତେବେ ସାହିତ୍ୟ ଏକାଡେମୀରେ ସାହିତ୍ୟ ଅନୁରାଗୀ - ବନ୍ଧୁ ମିଳନରେ ଗଦ୍ୟ ପ୍ରତି ଅନାଦର ମତେ କ୍ରମଶଃ ଏକ ଆନ୍ଦୋଳିତ ଚିନ୍ତାରେ ଘାରିବା ଆରମ୍ଭ କରେ । ଏବଂ ଏ ସୁଧୀ ବୃନ୍ଦ ମଧ୍ୟରେ ଏକ ଚହଳ ସୃଷ୍ଟି କରିବାକୁ ଇଚ୍ଛା ମତେ ବଶୀଭୂତ କରେ ।

କିଛି ଅଖାଡୁଆ ଗପ ଲେଖି ମୁଁ ଅଳ୍ପ କେତେକ ସୁଧୀବୃନ୍ଦଙ୍କ ଦ୍ୱାରା ସାହିତ୍ୟ ଅନୁରାଗୀ ହିସାବରେ ପରିଚିତ ହୋଇ ସାରିଥାଏ । ମୋର ‘ଯୁଗଳବନ୍ଦୀ’ ବହି ଭଲ ଗପ ପଢ଼ିବାକୁ ଧୈର୍ଯ୍ୟ ଥିବା କେତେକଙ୍କ ସମର୍ଥନ ପାଇଥାଏ । ଶ୍ରୀଯୁକ୍ତ ହରପ୍ରସାଦ ଦାସ ମୋ ବହିର ଭୂମିକା ଲେଖିଥାନ୍ତି । ମୋ ବହି ତାଂକ ଆଖିରେ ଲୁହ ଭରିଲା ବୋଲି ସ୍ୱତଃପ୍ରବୃତ୍ତ ହୋଇ କହିଥାନ୍ତି । କିଂତୁ ମୋ ବହିର ସାହିତ୍ୟିକ ମୂଲ୍ୟ କିଛି ନାହିଁ ବୋଲି ମଧ୍ୟ କହିଥାନ୍ତି । ତେବେ ମୁଁ ବି ଚେଷ୍ଟା କରି ନ ଥାଏ; ଏବଂ ମତେ ସାହିତ୍ୟିକ ମହଲରେ ନଗଣ୍ୟ ସଭ୍ୟ ରୂପେ ମଧ୍ୟ ଗଣାଯାଇ ନ ଥାଏ । ମୁଁ ମାନ୍ୟବର ନଟବର ସାମନ୍ତରାୟ ଓ ଅନ୍ୟାନ୍ୟ ପ୍ରଖ୍ୟାତ ଆଲୋଚକଙ୍କ ଓଡ଼ିଶା ସାହିତ୍ୟର ଇତିହାସ, ଆକଳନ ଆଦି ପଢ଼ିଥାଏ । ନଟବର ସାର୍ ଙ୍କ ଏକ ପ୍ରବନ୍ଧରେ ବ୍ୟାସକବି ଯୋଗଜନ୍ମା ଫକୀର ମୋହନଙ୍କ ପ୍ରସିଦ୍ଧ, ଓଡ଼ିଶାର ପୁରପଲ୍ଲୀରେ ଆଦୃତ ‘ପେଟେଣ୍ଟ ମେଡିସିନ୍’ ଗପ ଏକ ଜାପାନିଜ୍ ମୂଳଗପର ଅବନୀନ୍ଦ୍ରନାଥ ଟାଗୋରଙ୍କ ଛାୟାରେ ଲିଖିତ ଗପର ଅନୁକରଣ ବୋଲି କୁହାଯାଇଥିଲା । ଶ୍ରୀଯୁକ୍ତ ନଟବର ସାମନ୍ତରାୟଙ୍କ ଓଡ଼ିଆ ସାହିତ୍ୟରେ ଏତେ ଗଭୀର ଗବେଷଣା ଥିଲା ଯେ ତାଙ୍କର ଏ ଲିଖିତ ମନ୍ତବ୍ୟ ସେତେବେଳେ ତାଙ୍କ ଉପରେ କୌଣସି ବିରାଗ ସୃଷ୍ଟି କରାଇ ନ ଥିଲା । ମୋ ମନରେ କିନ୍ତୁ ତାଙ୍କର ଗବେଷକ ଅନୁସନ୍ଧିତ୍ସାର ଏ ତଥ୍ୟ ଆବିଷ୍କାର ମତେ ଚକିତ କରିଥିଲା; ଏବଂ ମୁଁ ଏହି କଥା ଏକାନ୍ତରେ ବେଳେବେଳେ ଭାବୁଥିଲି ।

ଏକ ଶନିବାର ଅପରାହ୍ନ ପାଇଁ ମୁଁ ମୋ କାର୍ଯ୍ୟକ୍ରମ ସ୍ଥିର କରିଦେଲି । ମାନନୀୟ ଜେ.ପି.ଦାସଙ୍କୁ ବଙ୍କିମଚନ୍ଦ୍ରଙ୍କ ‘ବିଷବୃକ୍ଷ’ ଉପନ୍ୟାସର ନବମ ପରିଚ୍ଛେଦର କିଛି ଅଂଶ ବଙ୍ଗାଳୀରେ ପଢ଼ି ଶୁଣାଇବାକୁ ପ୍ରସ୍ତୁତ କରାଇଲି । ସେ ମତେ ସ୍ନେହ ଓ ବିଶ୍ୱାସ କରୁଥିଲେ -‘ଯୁଗଳବନ୍ଦୀ’ର ରଚନା ସମୂହ ପଢ଼ି ଉତ୍ସାହିତ କରିଥିଲେ । ତେଣୁ ସେ ମୋର ମୂଳ ଉଦ୍ଦେଶ୍ୟ ନ ପଚାରି ମୋ ପ୍ରସ୍ତାବରେ ରାଜି ହୋଇଗଲେ । ସଭା ଆରମ୍ଭ ହେଲା । ମୁଁ ଉଠି କହିଲି ଯେ ସେଦିନ କବିତାପାଠ ପରେ ହେଉ । ପ୍ରଥମେ ମୁଁ ଗଦ୍ୟ ସାହିତ୍ୟ ଉପରେ କିଛି ଆଲୋଚନା କରାଇବାକୁ ଆଗ୍ରହୀ । ସମସ୍ତେ ସାମାନ୍ୟ ଉତ୍ସୁକତାର ସହିତ ନୀରବ ସମ୍ମତି ଜଣାଇଲେ । ପ୍ରଥମେ ଜେ.ପି.ଦାସ ସାର୍ ଉଠି ‘ବିଷବୃକ୍ଷ’ ଉପନ୍ୟାସର ନବମ ପରିଚ୍ଛେଦ ‘ହରିଦାସୀ ବୈଷ୍ଣବୀ’ର ମୋ ଦ୍ୱାରା ଚୟନ କରାହୋଇଥିବା ନିମ୍ନୋକ୍ତ ଅଂଶ ପଢ଼ିଲେ ।

ହରିଦାସୀ ବୈଷ୍ଣବୀ - “ବିଧବା କୁନ୍ଦନନ୍ଦିନୀ ନଗେନ୍ଦ୍ରଙ୍କ ଘରେ କିଛିଦିନ ରହିଲେ । ଦିନେ ମଧ୍ୟାହ୍ନ ସମୟରେ ପୁରୁଣା କୋଠାର ଅନ୍ତଃପୁର ମଧ୍ୟରେ ସ୍ତ୍ରୀଲୋକମାନେ ଏକତ୍ର ହୋଇଥିଲେ । ସେମାନେ ବିଭିନ୍ନ କାର୍ଯ୍ୟରେ ନିଜେ ନିଜକୁ ବ୍ୟାପୃତ କରିଥାନ୍ତି । ସେମାନଙ୍କ ମଧ୍ୟରେ ଥିଲେ ଅନୂଢ଼ା କନ୍ୟା ଏବଂ ପକ୍ୱକେଶା ବୃଦ୍ଧା । କେହି ଗଭା ବାନ୍ଧୁଥିଲା ତ ଅନ୍ୟ କେହି ମୁଣ୍ଡବାଳରୁ ଉକୁଣି ମାରୁଥିଲା । କେହି ହୁଏତ ଧାନଟିଏ ଧରି ମୁଣ୍ଡରୁ ପାଚିଲା ବାଳ ଓପାଡୁଥିଲା । କେହିବା ନିଜ ଛୁଆକୁ ଦୁଧ ଖୁଆଉଥିଲା । କେହି ବେଣୀ ବାନ୍ଧୁଥିଲା ତ ଅନ୍ୟ କେହି ପିଲା ଉପରେ ମାଡ଼ ଚଢ଼ାଉଥିଲା । ପିଲାଟା ରଡ଼ି ଛାଡ଼ି ସପ୍ତପୁରକୁ କମ୍ପାଇ ଦେଉଥିଲା । କୌଣସି ବୃଦ୍ଧା ନିଜ ପୁତ୍ରର ନିନ୍ଦା କରି ଶ୍ରୋତାମାନଙ୍କୁ ଖୁସି କରାଉଥିଲା । କୌଣସି ଯୁବତୀ ବିରହିଣୀ ବ୍ୟଥାତୁରା ଭାବରେ ଫୁସ୍ ଫୁସ୍ କରି ଶୁଣାଉଥିଲା ନିଜ ସ୍ୱାମୀର ପ୍ରେମ କାହାଣୀ । କେହି ଗୃହିଣୀର ନିନ୍ଦା କରୁଥିଲା ତ, କେହି ଗୃହସ୍ଥର ନିନ୍ଦା କରୁଥିଲା । କେହି ହୁଏତ ପଡ଼ୋଶୀଙ୍କ ନିନ୍ଦା କରୁଥିଲା ତ ଅନେକେ ଆତ୍ମପ୍ରଶଂସା କରୁଥିଲେ ।

ଯେଉଁ ସ୍ତ୍ରୀ ଲୋକଟି ନିଜ ବୋକାମି ଯୋଗୁଁ ସୂର୍ଯ୍ୟମୁଖୀଙ୍କଠାରୁ ଗାଳି ଖାଇଥିଲା ସେ ଦେଖାଉଥିଲା ତାର ପ୍ରଖରା ବୁଦ୍ଧିର ବିଭିନ୍ନ ଉଦାହରଣ । ଯେ ତରକାରିରେ ଠିକ୍ ଭାବରେ ଲୁଣ ଟିକେ ବି ପକାଇବା ଜାଣି ନାହିଁ, ସେ ନିଜ ରନ୍ଧନ ନୈପୁଣ୍ୟ ସମ୍ପର୍କରେ ଦେଉଥିଲା ଅନର୍ଗଳ ବକ୍ତୃତା । ଗ୍ରାମ ମଧ୍ୟରେ ଯାହାର ସ୍ୱାମୀ ଗଣ୍ଡମୂର୍ଖ, ସେ ନିଜ ସ୍ୱାମୀର ଅଲୌକିକ ପାଣ୍ତିତ୍ୟ ବିଷୟରେ ବର୍ଣ୍ଣନା କରି ନିଜ ବାନ୍ଧବୀକୁ ବିସ୍ମିତ କରାଉଥିଲା । ଯାହାର ସନ୍ତାନମାନେ କଳା କଳା, ସେ ଆସ୍ଫାଳନ କରି କହୁଥିଲା ଯେ ସେ ଜଣେ ରତ୍ନଗର୍ଭା । ସୂର୍ଯ୍ୟମୁଖୀ ଏଠାରେ ନ ଥିଲେ । ତାଙ୍କର ଟିକିଏ ଗର୍ବ ଅଛି । ସେ ଏଭଳି ଲୋକଙ୍କ ଗହଣରେ ବସିବାକୁ ଭଲ ପାଆନ୍ତି ନାହିଁ । ସେ ଉପସ୍ଥିତ ରହିଲେ ଏମାନଙ୍କର ଆମୋଦ ପ୍ରମୋଦରେ ମଧ୍ୟ ବିଘ୍ନ ସୃଷ୍ଟି ହୁଏ । ସମସ୍ତେ ତାଙ୍କୁ ଭୟ କରୁଥିଲେ । ତାଙ୍କୁ ନିଜ ମନକଥା ଖୋଲି କହୁ ନ ଥିଲେ । କିନ୍ତୁ କୁନ୍ଦନନ୍ଦିନୀ ବର୍ତ୍ତମାନ ଏହିମାନଙ୍କ ସାଙ୍ଗରେ ହିଁ ଥାଏ । ବର୍ତ୍ତମାନ ମଧ୍ୟ ସେ ଏଠାରେ ଥିଲା । ସେ ଗୋଟିଏ ବାଳକକୁ ତା’ର ମାଆର ଅନୁରୋଧରେ ‘କ’ ‘ଖ’ ଶିଖାଇ ଦେଉଥିଲା । କିନ୍ତୁ ବାଳକଟି ଚାହିଁଥିଲା ଅନ୍ୟ ଏକ ବାଳକର ହାତରେ ଥିବା ସନ୍ଦେଶକୁ ।” ….

……..ସମସ୍ତେ ବିସ୍ମିତ ହୋଇ ଦେଖିଲେ ଯେ ବୈଷ୍ଣବୀ ଜଣେ ସୁନ୍ଦରୀ ଯୁବତୀ । କେବଳ ସୁନ୍ଦରୀ କହିଲେ ଚଳିବ ନାହିଁ, ସେ ଥିଲେ ଅସାମାନ୍ୟା ସୁନ୍ଦରୀ । ସେହି ବହୁସୁନ୍ଦରୀଶୋଭିତା ରମଣୀ ମହଲରେ ମଧ୍ୟ କେବଳ କୁନ୍ଦ ଛଡ଼ା ତା’ଠାରୁ ଅଧିକ ରୂପବତୀ କେହି ନ ଥିଲେ । ତା’ର ପୂରିଲା ପୂରିଲା ଲାଲ୍ ଓଠ, ସୁଗଠିତ ନାକ, ବିସ୍ଫାରିତ ଚକ୍ଷୁ, ଚିତ୍ରରେଖା ପରି ଭ୍ରୂ, ନିଟୋଳ ଲଲାଟ, ମୃଣାଳ ପରି ବାହୁଯୁଗଳ ବାସ୍ତବିକ୍ ଅତି ଆକର୍ଷଣୀୟ ଥିଲା । କିନ୍ତୁ ସୌନ୍ଦର୍ଯ୍ୟର ଜଣେ ବିବେକୀ ବିଚାରକ ଯଦି ସେଠାରେ ଥା’ନ୍ତା, ସେ ଦେଖି ଥାଆନ୍ତା ଏହି ସୁନ୍ଦରୀ ବୈଷ୍ଣବୀର ଗଠନରେ କିଛି ଲାଳିତ୍ୟର ଅଭାବ ରହିଛି । ବୈଷ୍ଣବୀ କଳାପାଢ଼ି ଧୋତି ପିନ୍ଧିଥିଲା ଏବଂ ହାତରେ ଏକ ଖଞ୍ଜଣି ଧରିଥିଲା । ଏହା ଛଡ଼ା ହାତରେ ପିତ୍ତଳର ବାଲା ଏବଂ ଜଳତରଙ୍ଗ ଚୁଡ଼ି ମଧ୍ୟ ସେ ପିନ୍ଧିଥିଲା ।

………...

“ହରିଦାସୀ ଚାଲିଗଲା । କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ସ୍ତ୍ରୀ ଲୋକମାନେ କେବଳ ତାହାର ଚର୍ଚ୍ଚା କରୁଥିଲେ । ପ୍ରଥମେ ତା’ର ଉଚ୍ଚ ପ୍ରଶଂସା ଶୁଣାଗଲା । କିନ୍ତୁ ପରେ କେତେକ ଖୁଣ ବାହାରିଲା । ଜଣେ କହିଲା - ‘ସେ ଯେତେ ସୁନ୍ଦର ହେଉ ପଛକେ ତା’ର ନାକଟା କିନ୍ତୁ ଚେପା ।’ ଅନ୍ୟ ଜଣେ କହିଲା - “ରଙ୍ଗଟା ମଧ୍ୟ ଭଲ ନୁହେଁ ।” ଏହି ମନ୍ତବ୍ୟ ଶୁଣି ଚନ୍ଦ୍ରମୁଖୀ କହିଲା, “ତା’ ବାଳଗୁଡ଼ାକ ଛଣପଟର ଦଉଡ଼ି ପରି ।” ଚମ୍ପା କହିଲା - “ଦେଖିଲ ନାହିଁ, କେତେ ଉଚ୍ଚ ତା’ କପାଳ ?” କମଳା କହିଲା, “ଖାଲି ସେତିକି ନୁହେଁ, ଓଠ ଦି’ଟା ମୋଟା ମୋଟା ।” ହାରାଣୀ କହିଲା, “ଗଢ଼ଣଟା ବଡ଼ କଟା କଟା ।” ପ୍ରମଦା କହିଲା - “ମାଇକିନାର ଛାତିଟା ଯାତ୍ରାଦଳର ଦୂତୀଙ୍କ ପରି; ଦେଖିଲେ ଘୃଣା ଲାଗେ ।”

ଏହିପରି ଭାବରେ ସେହି ଅସାମାନ୍ୟା ସୁନ୍ଦରୀ ବୈଷ୍ଣବୀ ଜଣେ କୁତ୍ସିତା ସ୍ତ୍ରୀରେ ପରିଣତ ହୋଇଗଲା । ଲଳିତା କହିଲା, “ଦେଖିବାକୁ ଯାହାହେଉ ପଛକେ, ମାଇକିନାଟା ଗାଉଛି ଭଲ” । କିନ୍ତୁ ଚନ୍ଦ୍ରମୁଖୀ ଉତ୍ତର ଦେଲା, “ଗାଉଛି ଭଲ କ’ଣ ମ ? ଗଳାଟା ତ ମୋଟା । ଗୀତ ଗାଏନା ଯେ, ମନେହୁଏ ଷଣ୍ଢ ହାକୁଡ଼ି ଖାଉଛି” । ଅନୁ କହିଲା - “କ’ଣ ସେ ଗାଏ ମ ! ଦାଶୁରାୟଙ୍କ ଗୋଟିଏ ହେଲେ ଗୀତ ବି ବୋଲି ପାରିଲା ନାହିଁ “। କନକ କହିଲା, ”ମାଇକିନାର କିନ୍ତୁ ତାଳବୋଧ ନାହିଁ” । ଏହିପରି ଭାବରେ ପ୍ରମାଣିତ ହୋଇଗଲା ଯେ, ହରିଦାସୀ ବୈଷ୍ଣବୀ କେବଳ ଯେ ଅସୁନ୍ଦରୀ ତାହା ନୁହେଁ, ତା’ର ଗୀତ ବି ଅତି ବେସୁରା ।” ….

ଜେ.ପି.ସାର୍ ଏତିକି ପଢ଼ି ବସିଯିବା ପରେ ମୁଁ ଉଠି ‘ଛମାଣ ଆଠଗୁଣ୍ଠ’ ପରିଚ୍ଛେଦ ୧୬ - ‘ଟାଙ୍ଗୀ ମାଉସୀ’ (ନିମ୍ନରେ ଉଦ୍ଧୃତ) ପଢ଼ିବା ଆରମ୍ଭ କଲି:

“ରତନପୁରମୌଜା ଗୋହିରିରେ ଗଉଡ଼ ଡାକ ଶୁଭିଲା । ଆଗରେ ଗୋଟାଏ ଡୋଲି, ପଛଲାଗି ପାଞ୍ଚଟା ଭାର ଚାଲିଅଛି । ଡୋଲିଟା ଦଶିଆ ଲୁଗାରେ ସମ୍ପୂର୍ଣ୍ଣ ଢଙ୍କା । ଗ୍ରାମରେ ପୁରୁଷ ଲୋକ ପ୍ରାୟ କେହି ନାହାନ୍ତି ।... ଗାଁ ଏମୁଣ୍ଡ ସେମୁଣ୍ଡ ଚହଳ ପଡ଼ିଗଲା -ସୁଆରି ଅଇଲା, ସୁଆରି ଅଇଲା । ବୁଢ଼ୀ ଦରବୁଢ଼ୀ ମାଇକିନିଆମାନେ ଧଡ଼କରି କବାଟ ମେଲାଇ ଦେଇ ଗୋହିରିକୁ ବାହାରି ପଡ଼ିଲେ । ବୋହୂଗୁଡ଼ାକ କବାଟ ଦରଆଉଜା କରି ଫାଙ୍କବାଟେ ମୁହଁ ଗଳାଇ ନାକବସଣି କାଢ଼ିଦେଲେ । ଗାଁ ମାଇକିନିଆଙ୍କ ମଧ୍ୟରେ କନିଆ ବୋହୂ; କେହି ପିଲା କାଖେଇ, କେହି ପିଲା ହାତ ଧରି ଚଲାଇ, କେହି ଜଣକ ପଛରେ, କେହି ଏକାକିନୀ ଧାଇଁ ଅଛନ୍ତି । ଶୁକ୍ରାମା ଘର ଲିପୁଥିଲା, ଛୁଞ୍ଚ ପାଣି ହାତ ଧୋଇବାକୁ ବେଳ ନାହିଁ; ସାପଫେଣI ପରି ହାତଟି ଟେକିଅଛି ।

ବାଘସିଂହଙ୍କ ଅଗଣା ପୂରିଗଲା, ଦେବୀପ୍ରତିମା ଦେଖିଲା ପରି ମାଇକିନିଆମାନେ ଏକ ଧ୍ୟାନରେ ମାଉସୀଙ୍କ ରୂପମାଧୁରୀ ଅନୁଭବ କରୁ ଅଛନ୍ତି; କିନ୍ତୁ ବନିଆ, ବାଙ୍କିଆ, କାଳିଆ, ବନମାଳିଆ, ଗୋପାଳିଆ, ରାମିଆ, ଉମେଷିଆ, କାଶୀ, ଦୈତ୍ୟାରି ପ୍ରଭୃତି ଗ୍ରାମର ଦୁଷ୍ଟ ପିଲାଗୁଡ଼ାକ ମାଉସୀଙ୍କ ସୌନ୍ଦର୍ଯ୍ୟ ଦର୍ଶନ ବିଷୟରେ ମନୋଯୋଗ ନ କରି ବିରାଡ଼ି ଶୁଖୁଆ ଖଳେଇକୁ ଅନେଇଲା ପରି ବାହାରେ ଥୁଆ ହୋଇଥିବା ପାଚିଲା କଦଳୀ, ପାଚିଲା ଆମ୍ୱକୁ ଅନାଇ ରହିଛନ୍ତି । ଏହା ଯେ ଅସଭ୍ୟତା ଓ ନୀତିଶାସ୍ତ୍ର ବିରୁଦ୍ଧ କାର୍ଯ୍ୟ, ସେଥିରେ ସନ୍ଦେହ ନାହିଁ । ଆଉ ସେମାନଙ୍କର ବୃତ୍ତରେଖା କ୍ରମାଗତିରେ ଯେପରି ସଙ୍କୋଚଭାବ ଧାରଣ କରି ଆସୁଥିଲା, ବୁଦ୍ଧିମତୀ ମାଣିକ ସେଥିରେ ପ୍ରଚ୍ଛନ୍ନ ଅସଦାଭିପ୍ରାୟ ହୃଦୟଙ୍ଗମ କରି ଈଷତ୍ ତର୍ଜନପୂର୍ବକ ଡାହାଣ ହାତ ବୁଲାଇ ସେମାନଙ୍କୁ ଅପସାରିତ କରିଦେଇ ନ ଥିଲେ ଗୋଟାଏ ଲୁଟତରାଜ ମାମଲା ଉକୁ ହେବାର ଖୁବ୍ ସମ୍ଭାବନା ଥିଲା ।

ବୋହୂ-ମାଉସୀ ମୁଣ୍ଡରେ ମା ମଙ୍ଗଳା ପରି ମୁଣ୍ଡାଏ ସିନ୍ଦୂର, ଆଖିରେ କଜ୍ଜ୍ୱଳ, ନାକରେ ଗୁଣା, ତା ଉପରେ ନାଟ ମୟୂର, ବାଁପୁଡ଼ାରେ ବସଣି, ଦୁଇ କାନରେ ଦୁଇଟା ବଡ଼ ବଡ଼ କାପ, ବେକରେ ଚାପସରି, ତା ତଳେ ପାଟସୂତାରେ ଗୁନ୍ଥା ମାଳେ କୁରୁଜାତକ, ବାହୁରେ ବିଦ, ହାତରେ ପଇଞ୍ଚ, ତାହା ଉପରେ କଟା, ତାହା ଉପରେ ଚୁଡ଼ି, ହାତ ପାଞ୍ଚ ଆଙ୍ଗୁଳିରେ ରୂପା ଛାପ ମୁଦି ସାତଗୋଟା; ଗୋଡ଼ରେ ଚବିଶପଳ ଓଜନର ଦୁଇଟା କଂସାବାଙ୍କ, ଗୋଡ଼ ଦଶ ଅଙ୍ଗୁଳିରେ ଝୁଣ୍ଟିଆ, ମୁଣ୍ଡରେ ଦଶ ବାର କେରା ପାଟଥୋପରେ ବିଶାଳ ଜୁଡ଼ା, ତାହା ଉପରେ ତିନିଟା ବେଙ୍ଗପାଟିଆରେ ତିନିକେରା ଶିକୁଳଲଗା ଗୋଜିକାଠି ଖୋସା । କୁମ୍ଭକର୍ଣ୍ଣିଧାଡ଼ି ଷୋଳହାତି ବରମପୁରୀ ପାଟଶାଢ଼ି ପିନ୍ଧା, ଗାଲରେ ଗାଲେ ପାନ ।”…….

“ଡୋଲି ଗାଁରୁ ବାହାରି ବିଲବାଟ ଅନ୍ଧାରରେ ମିଶିଗଲା । ଏଣେ ସାହାନ୍ତମାନଙ୍କୁ ଦେଖିବା ସକାଶେ ଭାର ସବୁ ରଖାଇ ଦିଆଗଲା । ବୋହୂ - ମାଉସୀ ବିଦାୟ ହୋଇଗଲା ବାଦ୍ ତାଙ୍କ ରୂପ ଗୁଣ ବିଷୟରେ ଢେର୍ ସମାଲୋଚନା ହେଲା । ସମସ୍ତେ ପ୍ରଶଂସା କଲେ - କେହି ରୂପର, କେହି ଗୁଣର, କେହି ଅଳଙ୍କାରର, କେହି ପାଚିଲା କଦଳୀର । ମାତ୍ର ମାଣିକ କହିଲା, “ହେଲା ହଁ; ବଡ଼ଲୋକ ଘର; ରୂପଟା ଏକା, ସେ ରୂପ ନୁହେଁ, ଛାମୁଦାନ୍ତ ଦୁଇଟା ବାହାଡ଼ା, ଗାଲ ଦୁଇଟା ଉଆଉଫଡ଼ା ପରି । ” ହଗୁରା ମା କହିଲା, “କଥାଟାରେ ଏକା ମିଠା ନାହିଁ, ଠୋସଠୋସ୍ ।” ମୁତୁରୀମା କହିଲା, “ଚାଲିଟା ଧସ୍ ଧସ୍ ।” ଶଂକ୍ରି କହିଲା, “ହଁ ହଁ, ହସଟା ଫସ୍ ଫସ୍ ।” ଶୁକ୍ରୀ କହିଲା, “ଚାହାଣୀଟା କସ୍ ମସ୍ ।” ମୁହୂର୍ତ୍ତ ମଧ୍ୟରେ ଏକୋହି ଗୁଣରେ ଦୋଷ ସନ୍ନିପାତ ହୋଇଗଲା । ନୂଆବୋହୂକୁ ମାଉସୀ ସମ୍ୱନ୍ଧରେ ଅନେକ ପ୍ରଶ୍ନ କରାଗଲା; ମାତ୍ର ସେ ଏତିକି କହିଲା - "ଟାଙ୍ଗୀ-ମାଉସୀ।”

ମୁଁ କେବଳ ଫକୀର ମୋହନଙ୍କ କାଳଜୟୀ ଲେଖା ପଢ଼ିଛି । ଉଦ୍ଦେଶ୍ୟ ବିଧେୟ କିଛି ବଖାଣି କୌଣସି ଇଙ୍ଗିତ ବା ମନ୍ତବ୍ୟ ମଧ୍ୟ ଦେଇ ନାହିଁ । ପାଖାପାଖି ତିରିଶରୁ ଚାଳିଶ ଜଣ ପୁରୁଷ ଉପସ୍ଥିତ ଥିଲେ । ସେଥିମଧ୍ୟରୁ ସମସ୍ତେ ପରିଚିତ । ଶତକଡ଼ା ନବେ ଭାଗ ଭାରତ ସରକାରରେ ପ୍ରଥମଶ୍ରେଣୀର ଅଫିସର ।

ମୁଁ ପଢ଼ିବା ନ ସାରୁଣୁ ସଭାରେ ଗୁଞ୍ଜରଣ ଆରମ୍ଭ ହୋଇଗଲା ଏବଂ କୋଳାହଳ ମଧ୍ୟ । ଶ୍ରୀଯୁକ୍ତ ହରପ୍ରସାଦ ଦାସ ଆଉ ସମ୍ଭାଳି ପାରିଲେ ନାହିଁ । ଉଠିପଡ଼ି ଉଚ୍ଚସ୍ୱରରେ ଚିତ୍କାର କଲେ, “ପ୍ରସନ୍ନ, ତୁମର ଏ କି ଅଭଦ୍ରାମୀ ! ଏ କି ଆସ୍ପର୍ଦ୍ଧା ! ତୁମେ କଣ କହିବାକୁ ଚେଷ୍ଟା କରୁଥିଲ । ଶାଳୀନତାର ସୀମା ଲଂଘନ କର ନାହିଁ ।” ସଭାର ଅନ୍ୟ ସଦସ୍ୟମାନେ ମଧ୍ୟ ଠିଆ ହୋଇ ହଟ୍ଟଗୋଳ ଆରମ୍ଭ କଲେ । କେତେକ ମୋ’ ଆଡ଼କୁ ମାଡ଼ି ଆସିଲେ । ମୁଁ ନିର୍ବିକାର କୌତୁହଳରେ ସମସ୍ତଙ୍କୁ ସ୍ନେହର ସହିତ ଦେଖୁଥାଏ । ମୋର ଅବିଚଳିତ ସ୍ନେହଭରା ଚାହାଣୀ ଦେଖି ସେମାନେ ଧୀରେ ଧୀରେ ପ୍ରକୃତିସ୍ଥ ହେଲେ । ତେବେ ଜେ.ପି.ସାର୍ ଯାହାଙ୍କୁ ମୁଁ ଏକ ଅପୂର୍ବ ପ୍ରତିଭାରୂପେ ସଦାବେଳେ ସମ୍ମାନ କରେ, ସେ ମଧ୍ୟ ପୃଷ୍ଠଭଙ୍ଗ ଦେଲେ; କହିଲେ, “ପ୍ରସନ୍ନ, ତୁମେ ଏପରି ଉଦ୍ଦେଶ୍ୟରେ ମତେ ଲେଖା ପଢ଼ାଇଦେଲ, ମୁଁ ଜାଣି ନ ଥିଲି । ତୁମେ କଣ କହିବାକୁ ଚେଷ୍ଟା କଲ ମୋର ସେଥିପ୍ରତି କୌଣସି ସମର୍ଥନ ନାହିଁ । ମୁଁ ଜାଣିଥିଲେ ପଢ଼ି ନ ଥାନ୍ତି ।”

ଓଡ଼ିଆ ବୌଦ୍ଧିକତା କେତେ ଯେ ସ୍ପର୍ଶକାତର ଓ ସଂସ୍କୃତି-ସୀମିତ ତାହା ମୁଁ ନୀରବରେ ସେଦିନ ଅନୁଭବ କରିି ପାରିଲି । ମୋର ସାମାନ୍ୟ ଉଦ୍ଦେଶ୍ୟ ଥିଲା ଯେ ଉଭୟ ଯଶସ୍ୱୀ କଥାକାରଙ୍କ ରଚନାକୁ ଉଦ୍ଧୃତ କରି ସମକାଳୀନ ସାହିତ୍ୟର ପରସ୍ପର ଉପରେ ପ୍ରଭାବ, ଏ ବିଷୟରେ କିଛି ଆଲୋଚନ କରାଇବା ଏବଂ ଉପସ୍ଥିତ ବିଶିଷ୍ଟ ସଭ୍ୟମାନଙ୍କଠାରୁ ଏ ବିଷୟରେ କିଛି ରସପୂର୍ଣ୍ଣ ଆଲୋଚନା ଶୁଣିବା ।

ଫକୀର ମୋହନଙ୍କ ପ୍ରତିଭା ମୂଲ୍ୟାଙ୍କନର ଆବଶ୍ୟକତା ଆଦୌ ନାହିଁ । ତାଙ୍କ ମହାପ୍ରୟାଣ ଲଭିବାର ଶହେ ବର୍ଷରୁ ଅଧିକ ସମୟ ବିତିଗଲାଣି । ଏ ପର୍ଯ୍ୟନ୍ତ ସେ ଓଡ଼ିଆ ଗଦ୍ୟ ସାହିତ୍ୟର ମଉଡ଼ମଣି । ଅବଶ୍ୟ ମୁଁ ଗୋପୀନାଥ ମହାନ୍ତିଙ୍କର ଜଣେ ଶତମୁଖୀ ପ୍ରଶଂସକ; ଶ୍ରୀଯୁକ୍ତ ମହାନ୍ତିଙ୍କ ଅନବଦ୍ୟ କୃତି ନୋବେଲ ପୁରସ୍କାର ପାଇଁ ଯୋଗ୍ୟ । ଏହା ଭାଗ୍ୟର ବିଡ଼ମ୍ୱନା ଯେ ଅନେକ ଡେରିରେ ତାଙ୍କୁ ଜ୍ଞାନପୀଠ ପୁରସ୍କାର ଅର୍ଦ୍ଧଭାଗ ମିଳିଲା ।

ମିମିର ମାଡୁଆ ପ୍ରକୃତି - ୨

ଏବେ ବିଷବୃକ୍ଷର ଅନୁବାଦ ଆହୁରି ଥରେ ପଢ଼ିଲି । ଦୁଇଟି ନିର୍ଣ୍ଣୟରେ ପହଞ୍ଚିଲି । ଫକୀର ମୋହନଙ୍କ ଗ୍ରାମ୍ୟନାରୀଙ୍କ ବିଷୟରେ ରଚନା, ସେଥିରେ ଚମ୍ପାର ଚାତୁରୀ ଏବଂ ଗ୍ରାମୀଣ ବର୍ଣ୍ଣନାର କଳା ସ୍ୱତନ୍ତ୍ର ଓ ରସପୂର୍ଣ୍ଣ । ବଙ୍କିମଙ୍କ ନବମ ପରିଚ୍ଛେଦ ବୈଷ୍ଣବୀ ଓ ତାର ଚାରିତ୍ରିକ ଇତରତାରେ ବେଶୀ ଭାଗ ପୂର୍ଣ୍ଣ । କିନ୍ତୁ ଗ୍ରାମ୍ୟନାରୀଙ୍କ ବର୍ଣ୍ଣନାରେ ସାମଞ୍ଜସ୍ୟ ପରିଲକ୍ଷିତ ।

ମୋର ତ ମାଡୁଆ ଅଭ୍ୟାସ । ସୁଧୀବୃନ୍ଦଙ୍କ ଠାରୁ ଭଲଭାବେ ତିରସ୍କୃତ ନ ହେଲେ ଏ ପରିଣତ ବୟସରେ, ଏ ମହାମାରୀ କାଳରେ କିଛି ଉଷ୍ଣତାର ସନ୍ଧାନ ଅପୂର୍ଣ୍ଣ ରହିଯିବ ।

ଏବେ ପଢୁ ପଢୁ ବଙ୍କିମଚନ୍ଦ୍ରଙ୍କ ବିଷବୃକ୍ଷର ଦଶମ ପରିଚ୍ଛେଦର କିୟଦଂଶ ଏ ଚଞ୍ଚଳିଆ ଆଖିରେ ପଡ଼ିଗଲା - ଉଦ୍ଧୃତ କରୁଛି : “…କଲିକତାରୁ ଦେବେନ୍ଦ୍ର ଅନେକ ଢଙ୍ଗ ଶିଖୁଥିଲେ । ଦେବୀପୁରୀକୁ ଫେରିଆସିବା ପରେ ସେ ନିଜେ ଜଣେ ରିଫର୍ମର୍ ବୋଲି ଘୋଷଣା କରିଦେଲେ । ପ୍ରଥମେ ସେ ଏକ ବ୍ରାହ୍ମସମାଜ ସ୍ଥାପନ କଲେ । ଫଳରେ ସେଠାରେ ଅନେକ ବ୍ରାହ୍ମ ଜୁଟିଲେ । ବକ୍ତୃତାର ଆଉ ସୀମା ରହିଲା ନାହିଁ । ଏକ ଫିମେଲ୍ ସ୍କୁଲ ପାଇଁ ମଧ୍ୟ ମଝିରେ ମଝିରେ ଖୁବ୍ ପ୍ରଚାର କଲେ । କିନ୍ତୁ କାର୍ଯ୍ୟକ୍ଷେତ୍ରରେ ବିଶେଷ କିଛି କରି ପାରିଲେ ନାହିଁ । ବିଧବା ବିବାହ ସଂପର୍କରେ ମଧ୍ୟ ସେ ବିଶେଷ ଉତ୍ସାହ ଦେଖାଇଲେ । ଅନ୍ତଃପୁର ରୂପକ କାରାଗାରର ଶିକୁଳି ଭାଙ୍ଗିବା ସଂପର୍କରେ ତାଙ୍କର ଓ ତାରାଚରଣଙ୍କର ଏକମତ ଥିଲା । ଉଭୟେ କହୁଥିଲେ ଯେ, ଝିଅମାନଙ୍କୁ ବାହାରକୁ ଅଣାଯାଉ I ଏ ବିଷୟରେ ଦେବେନ୍ଦ୍ର ବିଶେଷ କୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ତାହା ଥିଲା ବାହାରକୁ ଆଣିବାର ଅନ୍ୟ ଅର୍ଥରେ ।”

ମୋର ଫକୀର ମୋହନଙ୍କ ଗଳ୍ପ ସବୁ ପିଲାଦିନୁ, କଲେଜ ତଥା ପରବର୍ତ୍ତୀ ଜୀବନରେ ବାରମ୍ବାର ପଢ଼ି ପଢ଼ି ପ୍ରାୟ ମୁଖସ୍ତ । ସବୁ ଗପ ପରି ‘ପେଟେଣ୍ଟ ମେଡିସିନ୍’ରେ ତାଙ୍କ ବ୍ୟଙ୍ଗ - ‘ଏ ତ ସେହି ଭଦରଖିଆ ଟୋକା’, ବାଲେଶ୍ୱର ଓ ଭଦ୍ରକ ଅଲଗା ଜିଲ୍ଲା ହେଲାପରେ ମତେ ବେଶୀ ଆନନ୍ଦ ଦେଇଥିଲା । ମୋର ପିଆପିଇରେ ଦକ୍ଷତା ନାହିଁ । ତେଣୁ ବହୁ ବର୍ଷ ଲାଗିଗଲା - ଦିଲ୍ଲୀ ଆସିବା ପରେ ଜଣେ ଧନୀ ପଞ୍ଜାବୀ ଓ ଆମେରିକାରେ ରହୁଥିବା ସଫଳ ଓଡ଼ିଆ ସଙ୍ଗେ ବସି ତାଙ୍କ କଥା ଶୁଣି ପେଟେଣ୍ଟ ମେଡିସିନର ସେ ବାକ୍ୟ ବିଷୟରେ ଜାଣି ପାରିଲି - ‘ତୁଚ୍ଛା ର, ଟୋପେ ପାଣି ମିଶି ନାହିଁ ।’ ସିଙ୍ଗଲ -ମଲ୍ଟ, ଏ ହ୍ୱିସ୍କିରେ ସୋଡା ମିଶାଯାଏ ନାହିଁ - ‘ର’ (କଞ୍ଚା) ପିଆଯାଏ । ଏବଂ ମତେ ସବୁଠାରୁ ଆନନ୍ଦ ମିଳେ, ଯେବେ ମୁଁ ‘ସଭ୍ୟ ଜମିଦାର’ ଗଳ୍ପଟି ମନେ ପକାଏ । ବିଶେଷକରି କଲିକତାରେ ବକ୍ତୃତା ଅଭ୍ୟାସ କରିଥିବା ଯୁବା ଜମିଦାର ଗ୍ରାମକୁ ଆସୁ ଆସୁ ଗୋଟିଏ ସଭା କରି ଗ୍ରାମର ନୀରିହ ବାସିନ୍ଦାଙ୍କୁ ଆଧୁନିକ କରିବାକୁ ପ୍ରୟାସ କଲେ -ଦୁଇଟି ସମିତି ପାଇଁ ପ୍ରସ୍ତାବ ଦେଲେ - “ନାରୀଶିକ୍ଷା ବିବର୍ଦ୍ଧନୀ ଓ କୁସଂସ୍କାର ବିମର୍ଦ୍ଦିନୀ।” ଶ୍ରୀ ହରିବୋଲ ପଟ୍ଟନାୟକ ଉଠିପଡ଼ି ଏହାର ସମର୍ଥନ କଲେ ।

ଅସାହିତ୍ୟିକର ସାହିତ୍ୟ ଚର୍ଚ୍ଚା ଏତିକି ଯଥେଷ୍ଟ ??

ମିମିର ପ୍ରକୃତ ସାହିତ୍ୟଶିକ୍ଷା - ୩

କେନ୍ଦ୍ର ସାହିତ୍ୟ ଏକାଡେମୀର ପ୍ରକୋଷ୍ଠରେ ସେହି ଦିନ ମତେ ସୁଧୀବୃନ୍ଦ ବାଡ଼େଇବାକୁ ନ ବାହାରିଥିଲେ, ମୁଁ ମୋର ଅପରିପକ୍ୱ ବକ୍ତବ୍ୟ କହି ପକାଇଥାନ୍ତି । ସମକାଳୀନ ସାହିତ୍ୟର ବିଶିଷ୍ଟ ଲେଖକ ବଙ୍କିମଚନ୍ଦ୍ରଙ୍କ ଫକୀର ମୋହନଙ୍କ ଉପରେ ପ୍ରଭାବ ଉପରେ କିଛି ଅଗଭୀର ସାମଞ୍ଜସ୍ୟ କଥା କହି ଚାଞ୍ଚଲ୍ୟ ସୃଷ୍ଟି କରିବାର ଇତରତାରେ ଦୋଷୀ ହୋଇଥାନ୍ତି । ଏବେ ଜାନକୀ ପଟ୍ଟନାୟକଙ୍କ ଦ୍ୱାରା ଅନୁଦିତ ସବୁ ବଙ୍କିମ-ରଚନା ଆହୁରି ଥରେ ମନଯୋଗ ଦେଇ ପଢ଼ିଲି।

ଫକୀର ମୋହନ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ମନିକା ଦାସ ଧୈର୍ଯ୍ୟ ଧରି ଦୁଇ ଥର ମୋ ଲେଖାର ଅସମ୍ପୂର୍ଣ୍ଣତା ବିଷୟରେ ମତେ ସଚେତନ କଲେ । ମୁଁ ତାଙ୍କ ପ୍ରତି ଅଶେଷ କୃତଜ୍ଞ । ତାଙ୍କ ସହାୟତାରେ କଲିକତାରେ ରହୁଥିବା ଜନୈକା ବଙ୍ଗାଳି ଭାଷା ଅଧ୍ୟାପିକା ଡ଼କ୍ଟର ମୁନମୁନ ଘୋଷଙ୍କ ସହ ଯୋଗାଯୋଗ କଲି । ସେ ବଂକିମଚନ୍ଦ୍ରଙ୍କ ବିଷୟରେ ଗବେଷଣା କରିଛନ୍ତି । ସେ ଜଣାଇଲେ ଯେ ବଂକିମଚନ୍ଦ୍ର ତାଙ୍କ ୩୧-୩୨ ବର୍ଷ ସରକାରୀ କାର୍ଯ୍ୟକାଳ ମଧ୍ୟ୍ୟରେ ବିଚାର ବିଭାଗୀୟ କାର୍ଯ୍ୟ ଅଧିକ କରିଥିଲେ । ସେ ଯାଜପୁର ତଥା ଭଦ୍ରକରେ ମଧ୍ୟ କିଛି ସମୟ ଡେପୁଟି କଲେକ୍ଟର କାର୍ଯ୍ୟ କରିଥିଲେ । ବିଦୁଷୀ ଅଧ୍ୟାପିକା ବଂକିମଚନ୍ଦ୍ରଙ୍କ 'କମଳାକାନ୍ତେର ଦପ୍ତର' ରଚନା ଟି ପଢ଼ି ଶୁଣାଇଲେ । ଏବଂ ତାଙ୍କର ବଂକିମଚନ୍ଦ୍ରଙ୍କ ଉପରେ ଗବେଷଣାର ନିଷ୍କର୍ଷ ଧୈର୍ଯ୍ୟ ଧରି ମତେ ଫୋନରେ ବହୁତ ସମୟ ଦେଇ ବୁଝାଇ ବାଧିତ କଲେ I

ବଂକିମଚନ୍ଦ୍ର ଅସାଧାରଣ ମେଧାବୀ ଛାତ୍ର ଥିଲେ; ସେ ଭେଟିଥିବା ଇଂରେଜ ଗୋଷ୍ଠୀରେ ଅନେକଙ୍କ ପାଖରେ ବିଦ୍ୱତ୍ତାର ଅଭାବ ଦେଖିଥିବେ I କିନ୍ତୁ ସେମାନେ Heaven-born ହେଇଥିବା ହେତୁ ସେମାନଙ୍କ ଅଧୀନରେ କାମ କରିବାକୁ ବାଧ୍ୟ୍ୟ ବଂକିମଚନ୍ଦ୍ର ବିଚାର ବିଭାଗ ଓ ଜଜ ହେବା ଶ୍ରେୟସ୍କର ମଣିଛନ୍ତି I କେଉଁ ହେଲେ ଜାଗାରେ ସେ ବର୍ଷକରୁ ଅଧିକ ପ୍ରାୟ ରହିନାହାନ୍ତି I ସବୁବେଳେ ଗୋରା ପୋଲିସ କର୍ମଚାରୀଙ୍କୁ କଟୁ ମନ୍ତବ୍ୟ ଦେଇ, ଏପରିକି ଦଣ୍ଡ ବିଧାନ କରି ରାୟ ଦେଇଛନ୍ତି; ତେଣୁ ବାରମ୍ବାର ବଦଳି ।

ଅଧ୍ୟାପକ ଡଃ କୃଷ୍ଣଚରଣ ବେହେରାଙ୍କ ସଂପାଦନାରେ ପ୍ରସ୍ତୁତ ଫକୀର ମୋହନଙ୍କ ଗ୍ରନ୍ଥାବଳୀ ସବୁ ମନଦେଇ ପଢ଼ିଲି । ଡଃ କଇଳାଶ ପଟ୍ଟନାୟକଙ୍କ ସଂକଳନ ମଧ୍ୟ ପଢ଼ିଲି । ଡ଼କ୍ଟର ମାୟାଧର ମାନସିଂହଙ୍କ ଫକୀର ମୋହନଙ୍କ ଉପରେ ରଚିତ ଦୀର୍ଘ ଜୀବନ। ବଳି ଯତ୍ନର ସହ ପଢ଼ିଲି ।

ମୁଁ ପ୍ରାଦେଶିକ ସଂକୀର୍ଣ୍ଣତାରୁ ମୁକ୍ତ ହୋଇ ପାଠକ ହିସାବରେ ଦୃଢ଼ମତ ଦେଇପାରେ ଯେ ଫକୀର ମୋହନଙ୍କ ସାଧାରଣ ମଣିଷ ପ୍ରତି ଦରଦୀ ହୃଦୟ ଅନନ୍ୟ । ତାଙ୍କ ଲେଖା ଆଧୁନିକତା ଓ ବାସ୍ତବତାରେ ପରିପୂର୍ଣ୍ଣ । ବଙ୍କିମଚନ୍ଦ୍ର ଅସାଧାରଣ -ମୁଁ ଅକିଞ୍ଚନ କିପରି ତାଙ୍କ ପ୍ରତିଭାକୁ କମ୍ ବୋଲି କହି ପାରିବି । ତେବେ ସେ ଫକୀର ମୋହନଙ୍କ ପୂର୍ବର । ସେ ଫକୀର ମୋହନଙ୍କ ଠାରୁ ବୟସରେ ପାଞ୍ଚ ବର୍ଷ ବଡ; ଆୟୁରେ କୋଡିଏ ବର୍ଷ କମ୍ । ବଂକିମଙ୍କ ପିତା ନିଜେ ଡେପୁଟି କଲେକ୍ଟର ଥିଲେ।। ବଂକିମଚନ୍ଦ୍ର ମେଧାବୀ ଓ ବିଶ୍ୱବିଦ୍ୟାଳୟ ଶିକ୍ଷା ପ୍ରାପ୍ତ । ସେ 'ଆଇନ ଶିକ୍ଷା' ଡିଗ୍ରୀ ମଧ୍ୟ୍ୟ ହାସଲ କରିଥିଲେ । ବାଲ୍ୟରୁ ଶେଷ ସମୟ ପର୍ଯ୍ୟନ୍ତ ସ୍ଵଚ୍ଛଳ ଅବସ୍ଥା ।

ବ୍ୟାସକବି ଶୈଶବରୁ ନିର୍ଦ୍ଧନ, ରୁଗ୍ଣ ଓ ସାଧାରଣ ପାରିବାରିକ ସ୍ଵାଚ୍ଛନ୍ଦ୍ୟରୁ ବଞ୍ଚିତ । ତେବେ ପୁଣ୍ୟାତ୍ମା ଠାକୁର ମାଆ ସବୁ ପ୍ରତିକୂଳ ପରିସ୍ଥିତିରୁ ଫକୀର ମୋହନଙ୍କୁ ତାଙ୍କ ସ୍ନେହ ଓ ଆଶିଷ ବଳରେ ମୁକ୍ତ କରାଇ ପାରିଥିଲେ । ମାତ୍ର ଅଢେଇ ତିନି ବର୍ଷର ଶ୍ରେଣୀଗତ ଶିକ୍ଷା ଫକୀର ମୋହନଙ୍କ ପାଥେୟ । କିନ୍ତୁ ଅପୂର୍ବ ମେଧା ଓ ଦୃଢ଼ ସଂକଳ୍ପ ତାଙ୍କୁ ଓଡ଼ିଆ ଜାତିର ନମସ୍ୟ କରି ତୋଳି ଗଢିଲା ।

୧୮୮୫ ପରଠାରୁ ନୂଆ ଭାରତର ବୀଜ ଅଙ୍କୁରିତ ହୋଇ ସାରିଥିଲା । ୧୮୯୭ ସୁଦ୍ଧା ଅବଶ୍ୟ ଅନେକ ପରିବର୍ତ୍ତନ ଘଟିଥିବ । ବଙ୍କିମଚନ୍ଦ୍ରଙ୍କ ଲେଖାରେ କଳ୍ପନା ବିଳାସର ଆଧିକ୍ୟ । ତାଙ୍କର ଉପନ୍ୟାସ ଓ ଗଳ୍ପରେ ଘଟଣାବଳିର ଅଗ୍ରସରତା ଅନେକ ବେଳେ କାଳ୍ପନିକ; ସ୍ୱତଃପ୍ରବୃତ୍ତ ନୁହେଁ । ଫକୀର ମୋହନଙ୍କ ଉତ୍ତର ବୟସର ଲେଖା ଅତ୍ୟନ୍ତ ବାସ୍ତବବାଦୀ ଓ ଘଟଣାବଳୀର ପ୍ରବାହ ସାବଲୀଳ ।

ତେବେ ମୋ ମାଡୁଆ ପ୍ରକୃତି ଯୋଗୁଁ ଗୋଟିଏ ମତ ପ୍ରକାଶ କରୁଛି । ଫକୀର ମୋହନଙ୍କ ସବୁ ଲେଖା କାଳ଼ଞ୍ଜୟୀ ଓ ପାଠକକୁ ଜଡ଼େଇ ରଖେ । ଶହେ ବର୍ଷ ପରେ ପଢ଼ିଲେ ମଧ୍ୟ ଘଟଣା ସମୂହ ଲେଖା-ଚାତୁରୀ ଯୋଗୁଁ ଚଳଚିତ୍ର ପରି ପାଠକର ମାନସପଟରେ ପ୍ରବହମାନ ହୁଅନ୍ତି । ତେବେ ତାଙ୍କର ଲିଖିତ ‘ଜୀବନ ଚରିତ’ ଓ 'ଭାରତବର୍ଷର ଇତିହାସ'ର ମାନ ତାଙ୍କର ଅନ୍ୟ ଲେଖା ପରି ଏତେ ଉଚ୍ଚକୋଟୀର ନୁହେଁ । ବୋଧହୁଏ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକର ଅଭାବ ପୂରଣ କରିବାକୁ ଯୁବ ବୟସରେ ଏ ଚେଷ୍ଟା; ତାହା ଏତେ ସଂଘଟିତ ଭାବେ ରଚିତ ନୁହେଁ । ଯଶସ୍ୱୀ ଗବେଷକମାନେ ଏ କଥା ଉପରେ ଆଲୋକପାତ କରିବେ ବୋଲି ଅନୁରୋଧ । ଡଃ କଇଳାଶ ପଟ୍ଟନାୟକ ଏହା ଉପରେ ସୁଚିନ୍ତିତ ମତ ଓ ତଥ୍ୟ ଦେଇଛନ୍ତି । ଫକୀର ମୋହନ ସ୍ୱୟଂ ତାଙ୍କ 'ଭାରତବର୍ଷର ଇତିହାସ'କୁ 'କୁତ୍ସିତ' ବୋଲି ଅଭିହିତ କରିଛନ୍ତି । ଅବଶ୍ୟ ଏହା ତାଙ୍କ ନମ୍ରତା ଓ ଅହଂକାର ଶୂନ୍ୟତାର ମଧ୍ୟ ପରିଚାୟକ । ଫକୀର ମୋହନଙ୍କ ୧୮୯୫ ପରର ଲେଖା ବେଶୀ ସମର୍ଥ । ତାଙ୍କ ୧୮୯୭ ପର ଲେଖା ହିଁ ପ୍ରକୃତ ସାହିତ୍ୟ ।

୫୫ ବର୍ଷ ବୟସରେ ବ୍ୟାସ କବି, କବିତା ଛଡ଼ା ଗଦ୍ୟ ରଚନାରେ ମନୋନିବେଶ କଲେ । ତାଙ୍କ ଜୀବନର ବ୍ୟକ୍ତିଗତ ସୁଖର ସଙ୍ଗିନୀ ତାଙ୍କ ଦ୍ଵିତୀୟା ପତ୍ନୀ କୃଷ୍ଣକୁମାରୀଙ୍କ ଅକାଳ ବିୟୋଗ ଅପୂରଣୀୟ ଶୋକ ସୃଷ୍ଟି କରିଥିବ । କିଂତୁ ସ୍ନେହ, ପ୍ରେମ ଓ ତ୍ୟାଗର ପ୍ରତିମୂର୍ତ୍ତି ସେହି ଦେବୀ ଫକୀର ମୋହନଙ୍କ ବଦଭ୍ୟାସ ନିବୃତ କରାଇଲେ; ଏବଂ ଇହ ଜଗତ ଛାଡ଼ିଗଲେ ସିନା, କିଂତୁ ଫକୀର ମୋହନଙ୍କ ମନରେ ନିଶ୍ଚୟ ଅପୂର୍ବ କରୁଣା ସୃଷ୍ଟି କରି ଗଲେ । ଫକୀର ମୋହନ ତତ୍କାଳୀନ କାବ୍ୟିକ ପ୍ରୟୋଗରୁ ହଟି ସାଧାରଣ ମନୁଷ୍ୟ ଏବଂ ତା' କଥିତ ଭାଷାକୁ ସମ୍ମାନ ଦେଇ ତାଙ୍କ ରଚନା ସମୂହର କେନ୍ଦ୍ରବିନ୍ଦୁ କଲେ । ଓଡ଼ିଆ ଭାଷାରେ ଆଧୁନିକ ଗଳ୍ପ ଓ ଗଦ୍ୟ ରଚନାର ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା, ଫକୀର ମୋହନ କାଳଞ୍ଜୟୀ ସାହିତ୍ୟ ରଚିଲେ ।

ଫକୀର ମୋହନଙ୍କ ପରିଣତ ବୟସର ସାହିତ୍ୟର ଉତ୍ସ - ୪

ଏ ଏକ ଅସମାହିତ ପ୍ରଶ୍ନ - ଏତେ ପରିଣତ ବୟସରେ ଏତେ ଅଭୂତପୂର୍ବ ସାହିତ୍ୟ ରଚନା ଏତେ ବିଳମ୍ବରେ କାହିଁକି ଘଟିଲା? ଫକୀର ମୋହନଙ୍କ ସବୁ ବିଶିଷ୍ଟ ଆଲୋଚକ ତଥା ପୁସ୍ତକ ରଚିଥିବା ପ୍ରଶଂସକଗଣ ବୋଧହୁଏ ଭାଷା ଅଧ୍ୟାପକ ଅବା ସୁରେନ୍ଦ୍ର ମହାନ୍ତିଙ୍କ ପରି ସୁସାହିତ୍ୟିକ । ଫକୀର ମୋହନ ପ୍ରଶାସକ ହିସାବରେ ଯଥେଷ୍ଟ ଆଲୋଚିତ ନୁହନ୍ତି । ମୁଁ ତ ମୂଳରୁ କହିଛି ଯେ ମୋର ମାଡୁଆ ପ୍ରକୃତି - ତେଣୁ କହିବା କଥା କହିବି; ମାଡ଼ ଖାଇଲେ ଖାଇବି । ଓଡିଶାରେ କିଛି ପ୍ରଶାସକ ସାହିତ୍ୟ କୃତିରେ ଅସାମାନ୍ୟ ସଫଳତା ଅର୍ଜନ କରିଛନ୍ତି; ମାନ୍ୟବର ଗୋପୀନାଥ ମହାନ୍ତି ମଧ୍ୟ ପ୍ରଶାସକ ଥିଲେ I କିଂତୁ ପ୍ରଶାସକ-ସାହିତ୍ୟିକ ମହଲରେ ପ୍ରଶାସନିକ ସାହିତ୍ୟର ଆଲୋଚନା ବିରଳ । 'ଦାନାପାଣି' ପ୍ରଶାସନରେ ସୋପାନ ଚଢ଼ିବା ଆନ୍ତସାର ବିହୀନ ଶୁଷ୍କ ମରୀଚିକା ଜୀବନ ଯାତ୍ରାର ନିଖୁଣ ଚିତ୍ର I କିନ୍ତୁ କେହି ପ୍ରଶାସକ ସୁସାହିତ୍ୟିକ ଫକୀର ମୋହନଙ୍କ ପ୍ରଣୀତ ତଥା ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସୁଶାସନ କଣ ସେ ବିଷୟରେ ଯଥେଷ୍ଟ ଆଲୋଚନା କରିନାହାନ୍ତି । ଫକୀର ମୋହନଙ୍କ ପ୍ରଶାସନ ମୂଲ୍ୟାଙ୍କନ 'ଚତୁର ଫକୀର' ଘଟଣା ବର୍ଣନାରେ ଅଧିକାଂଶ ସମୟରେ ସୀମିତ ରହିଯାଇଛି । ବାସ୍ତବରେ ଫକୀର ମୋହନ ତାଙ୍କ ଜୀବନରେ ପ୍ରଶାସନରେ ବ୍ୟବହାରିକ ଜ୍ଞାନ ପ୍ରୟୋଗ କରିବାରେ ଅଦ୍ଵିତୀୟ ବ୍ୟକ୍ତିତ୍ୱ । A great Management Expert & Administrator who ought to be studied and his work । ife shou। d be contemp। ated upon by ବର୍ତ୍ତମାନର ଆତ୍ମମୁଗ୍ଧ ଅର୍ଦ୍ଧ-ସମର୍ଥ ପ୍ରଶାସକ ଗୋଷ୍ଠୀ!

ତୁଳସୀ ଦୁଇ ପତ୍ରରୁ ବାସେ! ମାତ୍ର ଏକୋଇଶି ବାଇଶି ବର୍ଷର ଅର୍ଦ୍ଧ ଶିକ୍ଷିତ, ଇଂରାଜୀ ଭାଷାରେ ସୀମିତ ଜ୍ଞାନ ଥିବା, ଭଲ ପୋଷାକ ପାଇଁ ସ୍ୱଚ୍ଛଳତା ନଥିବା ଫକୀର ମୋହନ କିପରି ଜିଲ୍ଲା କଲେକ୍ଟରଙ୍କ ସାନ୍ନିଧ୍ୟ ଓ ଅନୁରାଗ ଲାଭ କଲେ, ତାହା ଏକ ବିରଳ ପ୍ରତିଭାର ଆଦ୍ୟ ପରିଚୟ ।

୧୮୯୭ ପରର ଫକୀର ମୋହନଙ୍କ ଗଦ୍ୟ ରଚନାର ବାସ୍ତବତା ଓ ସାବଲୀଳତା ମୂଳରେ ମତେ ତିନୋଟି ମୁଖ୍ୟ କାରଣ ଦୃଷ୍ଟ ହେଉଛି । ପ୍ରଥମ ହେଇପାରେ ଯେ ସେ କଟକରେ ବାସଗୃହ କରି ରହିବା ଦ୍ୱାରା ଅନେକ ଗୁଣୀଜନଙ୍କ ସଂସ୍ପର୍ଶରେ ଆସିଲେ । ସେତେବେଳୁ କଟକ ଓଡିଶାର ପ୍ରାଣକେନ୍ଦ୍ର ହେଇସାରିଥିଲା । ମାନନୀୟ ମଧୁସୂଦନ ରାଓ ଓ ବିଶ୍ୱନାଥ କରଙ୍କ ତାଙ୍କୁ ଗଦ୍ୟ ରଚନା କରିବାକୁ ପ୍ରୋତ୍ସାହିତ କରିଥିବା ଅନୁମେୟ । ପରେ ବାଲେଶ୍ୱର ଅବସ୍ଥିତି ବେଳେ ନନ୍ଦକିଶୋରଙ୍କ ବନ୍ଧୁତ୍ୱର ଅବଦାନ ମଧ୍ୟ ସ୍ୱୀକୃତିଯୋଗ୍ୟ । ସଂସର୍ଗାନି ଦୋଷ। ନୀ ଗୁଣ। ନି ଭବନ୍ତି ।

ଦ୍ଵିତୀୟରେ ଡ଼କ୍ଟର କୃଷ୍ଣଚରଣ ବେହେରାଙ୍କ ଆକଳନ ସମ୍ଭବତଃ ସତ୍ୟ । କବିତା ସାହିତ୍ୟରେ ଫକୀର ମୋହନ, ରାଧାନାଥ ବା ମଧୁସୂଦନଙ୍କ ପରି ବିଦିତ ହେଇ ନଥିଲେ । ଏହା ତାଙ୍କୁ ଗଳ୍ପ ଉପନ୍ୟାସ ଆଦି ରଚନା ପ୍ରତି ଆକୃଷ୍ଟ କରିଥାଇପାରେ ।

ମୋ କ୍ଷୁଦ୍ର ମତରେ ତୃତୀୟ କାରଣର ପ୍ରଭାବ ମଧ୍ୟ୍ୟ ପ୍ରଣିଧାନ ଯୋଗ୍ୟ ।

ଅଦ୍ଵିତୀୟ ପ୍ରଶାସକ - ୫

ପ୍ରଶାସକ ଫକୀର ମୋହନ ଶେଷ ଜୀବନରେ ନିଜର ବ୍ୟାପକ ପଢ଼ା -ସେ ସ୍ଵ ଚେଷ୍ଟାରେ ଆଦ୍ୟ ଯୌବନରୁ ଅନେକ ଭାଷା ଓ ସାହିତ୍ୟ ଆୟତ୍ତ କରିପାରିଥିଲେ- ସଙ୍ଗେ ସ୍ୱକୀୟ ପ୍ରଶାସନିକ ଅନୁଭୂତିକୁ ଆଧାର କରି ପ୍ରଚଳିତ ଭାଷାରେ ସାହିତ୍ୟ ରଚନା ଆରମ୍ଭ କଲେ । ଫକୀର ମୋହନଙ୍କ ଜୀବନୀକୁ ଗଭୀର ଅନୁଧ୍ୟାନ କଲେ ତାଙ୍କ ଏକ ଅପୂର୍ଵ ବୈଶିଷ୍ଟ୍ୟ ଦୃଶ୍ୟ ହୁଏ - ଯେ ଭଲ ପ୍ରଶାସକ ସେ ସମସ୍ତଙ୍କୁ, ବିଶେଷ କରି ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ସ୍ନେହରେ ବାନ୍ଧି, ସମସ୍ତଙ୍କ ଅନୁରାଗ ଭାଜନ ହୋଇ ଦୁଃସାଧ୍ୟ କର୍ମ ଆୟାସରେ ସାଧନ କରିପାରେ । ପ୍ରଶାସକ ଫକୀର ମୋହନ ଯେଉଁ ଭିନ୍ନ ଭିନ୍ନ ଜାଗାରେ ଦେବାନ/ମ୍ୟାନେଜର କାମରେ ନିଯୁକ୍ତ ହେଇଥିଲେ, ସବୁ ଜାଗାରେ ଜନସାଧାରଣଙ୍କ ସମସ୍ୟା ସହିତ ନିଜକୁ ଯୋଡ଼ି ଥିଲେ । ବିଦ୍ୟାଳୟ ମାଧ୍ୟମରେ ଶିକ୍ଷା ବିସ୍ତାର (ସ୍ତ୍ରୀ ଶିକ୍ଷା ମଧ୍ୟ ), ଜଳାଶୟ, ନଦୀ ବନ୍ଧ, ନୂତନ ହାଟ ବଜ଼ାର ସ୍ଥାପନ, ଉନ୍ନତ ଚାଷ ପ୍ରଣାଳୀ, ନୂଆ ପରିବା ପ୍ରଚଳନ କରିବାକୁ ଚେଷ୍ଟା , ନୂତନ ରାସ୍ତାଘାଟ, ଉଦ୍ୟାନ, ଭୁ-ବନ୍ଦୋବସ୍ତ, ଖଣ୍ଟ ଓ ଶୋଷଣକାରୀଙ୍କ ଦମନ ତାଙ୍କ ପ୍ରଶାସନର ବିଶେଷ ଗୁଣ । ଯେଉଁ ଯେଉଁ ଠାରେ ତାଙ୍କୁ ସାମ, ଦାମ, ଦଣ୍ଡ, ଭେଦ ପ୍ରୟୋଗ କରିବାକୁ ପଡ଼ିଛି, ସେ ରାଜ୍ୟ ହିତରେ ତାହା କରିଛନ୍ତି । କିଂତୁ ଏ ସବୁରେ କେଉଁ ବ୍ୟକ୍ତି ବିଶେଷ ଯଦି ଅଧିକ କଷ୍ଟ ପାଇଛନ୍ତି, ଫକୀର ମୋହନ ନିଃସଙ୍କୋଚରେ ନିଜ କଠୋରତାକୁ ସ୍ନେହ ପ୍ରଦର୍ଶନ ଦ୍ୱାରା ସେହି ବ୍ୟକ୍ତି ବିଶେଷଙ୍କ ଗ୍ଲାନି ଦୂର କରିବାକୁ ପରେ ପରେ ଚେଷ୍ଟା କରିଛନ୍ତି ।

ଆମ ଆଲୋଚନା ନୀଳଗିରି ଦେୱାନୀ (ଉତ୍କଳ ଦୀପିକା ରେ ଦେୱାନୀ ଶବ୍ଦ ବ୍ୟବହାର ହୋଇଛି, 'ଆତ୍ମଚରିତ'ରେ ଦେବାନୀ) ରୁ ଆରମ୍ଭ କରିବା । ଏହା ତାଙ୍କର ପ୍ରଥମ ପ୍ରଶାସନିକ ଦାୟିତ୍ୱ । ନୀଳଗିରି ଯାହା, ଡୋମପଡା ତାହା, ଢେଙ୍କାନାଳ, ଦଶପଲ୍ଲା, ପାଲହଡା ତଥା କେଉଁଝର ମଧ୍ୟ ପ୍ରଶାସନିକ ପାରଦର୍ଶିତାର ଭିନ୍ନ ଭିନ୍ନ ରଙ୍ଗମଞ୍ଚ । ସେନାପତି ସର୍ବତ୍ର ଫକୀର ମୋହନ । ପ୍ରଶାସନ କଣ -ଏ କଥା ଏବେ ମଧ୍ୟ ଅନିର୍ଦ୍ଧିଷ୍ଟ ଓ ଅସ୍ପଷ୍ଟ । IAS ଅଧିକାରୀ ହୋଇ ୩୮ ବର୍ଷ ଲାଗିଗଲା ମତେ ଜାଣିବାକୁ ପ୍ରକୃତ ପ୍ରଶାସନ କଣ । ଫକୀର ମୋହନଙ୍କୁ କେହି ଟ୍ରେନିଂ ଦେଇନାହାନ୍ତି । ଆମେ ମାସେରୀରେ ଠିକ ହେଉ ଭୁଲ ହେଉ, ଅସମ୍ପୂର୍ଣ୍ଣ ହେଉ କିଛି ଶିକ୍ଷାନବିଶ ହିସାବରେ ପ୍ରଶାସକ ହେବାକୁ ପ୍ରସ୍ତୁତି ପାଇଥିଲୁ । ଫକୀର ମୋହନ ଏକ ଡିଆଁରେ ପ୍ରଶାସନର କର୍ଦାମକ୍ତ ଗଭୀର ଜଳରେ । ମାନନୀୟ ଗୋପୀନାଥ ମହାନ୍ତିଙ୍କ ଆତ୍ମଜୀବନୀ ସ୍ରୋତସ୍ୱିନୀ -3 ଆଉ ଥରେ ପଢ଼ିଲି । ସତୁରି ଅଶୀ ବର୍ଷ ପରେ ମଧ୍ୟ ସେହି ଅବସ୍ଥା । Baptism by fire! ଟ୍ରେନିଂର ସୁବ୍ୟବସ୍ଥା ନାହିଁ, ନିଜେ ଠିକି ଶିଖି କାମ କରିବାକୁ ପଡେ ।

ଜଣେ ଭଲ ପ୍ରଶାସକ ହେବାକୁ ଚାହିଁଲେ ପ୍ରଥମେ ଯେଉଁ ବି କାମ ମିଳିବ, ତାହା ଭଗବତ ଆଶୀର୍ବାଦ ବୋଲି ଗ୍ରହଣ କରିବା ଅତ୍ୟାବଶକ । କାମକୁ ମନପ୍ରାଣ ଦେଇ ବୁଝିବ, ଓ ଭଲ ପାଇବ । ଲୋକଙ୍କ ସେବା କରିବାକୁ ଏକ ସୁଯୋଗ ମିଳିଛି ଭାବି କାମରେ ନିଜକୁ ଅଜାଡି ଦେବ । ପାରିପାର୍ଶ୍ଵିକ ପରିସ୍ଥିତି କଣ, ନୀରବରେ ପୁଙ୍ଖାନୁପୁଙ୍ଖ ଆନୁଧ୍ୟାନ କରିବ । ପୂର୍ବରୁ ଘଟିଥିବା ଜଟିଳ ପରିସ୍ଥିତି କାହିଁକି ହୋଇଛି ତାକୁ ଖୋଲା ମନରେ ଅନୁଧ୍ୟାନ କରି କଣ ସମାଧାନ ସମ୍ଭବ ସେ ବିଷୟରେ ଚିନ୍ତନ କରିବ, ପରାମର୍ଶ ନେବ । ସେ କାର୍ଯ୍ୟରେ ତଥା ରାଜ୍ୟରେ କିଏ ଉପଦ୍ରଵୀ, କିଏ କର୍ମଠ ଏ ସବୁ ଶୀଘ୍ର ନୀରବରେ ଜାଣିବାକୁ ହେବ । ଦେବାନ ଯାହା, କଲେକ୍ଟର ହେବା ପାଖାପାଖି ସେୟା । ତେବେ ଫକୀର ମୋହନଙ୍କ ଦାୟିତ୍ୱ ଆହୁରି ଜଟିଳ । କର୍ମ ପରିସର ଆପେକ୍ଷକୃତ ଛୋଟ ହୋଇ ପାରେ, କିନ୍ତୁ ସମସ୍ୟା ଅଧିକ ଦୁନିର୍ବାର । ଶୁନ୍ୟ ରାଜକୋଷ, ରାଜ୍ୟର ବହୁବିଧ ଆବଶ୍ୟକତା, ରାଜାମାନଙ୍କ ପ୍ରଥମ ଅବସ୍ଥାରେ ତାଙ୍କ ପ୍ରତି ସନ୍ଦେହ, ଅନାସ୍ଥା, ଓ ଅସହଯୋଗ କାର୍ଯ୍ୟକୁ ବିପଦ ସଂକୁଳ ମଧ୍ୟ କରି ପକାଇଛି । ସେତେବେଳର ତଥା ଏବେର ମଧ୍ୟ ଅନେକ ପ୍ରଶାସକ କିଛି ଅସୁବିଧା ଦେଖିଲେ ହାତ ଉପରକୁ ଟେକି ଧର୍ମ ବା ସାହିତ୍ୟ ଅବା ପାରିବାରିକ ଆନନ୍ଦ ପ୍ରବଚନରେ କାଳ ବିତାନ୍ତି । ବିଶ୍ୱାସଯୋଗ୍ୟ ନ ହେଲେ ମଧ୍ୟ ବାଧ୍ୟ୍ୟ ହୋଇ କହୁଛି - ଏପରି ବି IAS ଅଧିକାରୀ ଓଡ଼ିଶାରେ ଥିଲେ ଯେ ଏତେ ଆତ୍ମମୁଗ୍ଧ ଯେ ଦ୍ବିପ୍ରହର ଭୋଜନ ପାଇଁ ଘରକୁ ଯାଇ ଆଉ ଅଫିସ ଆସୁ ନଥିଲେ । ଏବଂ ଅନ୍ୟ ମାନଙ୍କ ଅସାଧୁତା ଉପରେ ମନ ଗଢ଼ା ପର ଚର୍ଚ୍ଚା ପର ନିନ୍ଦାରେ କାରିୟର ଗଢି ତଥାପି ଭାରତ ସରକାର ଅଧୀନରେ ସଚିବ ହୋଇ ଅବସର ଗ୍ରହଣ କଲେ ।

କିନ୍ତୁ ଭାବି ଦେଖନ୍ତୁ ଆମ ସେନାପତି କିପରି ପ୍ରକୃତ ଜନସେବାକୁ ତାଙ୍କ ପ୍ରତ୍ୟେକ ଜାଗାରେ ଦାୟିତ୍ତ୍ଵର ମୁଳ କଥା ବୋଲି କର୍ମ ଆରମ୍ଭରୁ ସ୍ଥିର କରି ଗୋଟିଏ ପରେ ଗୋଟିଏ ବାଧାକୁ ନିଜ କର୍ମ କୁଶଳତା ଦ୍ୱାରା ଅତିକ୍ରମ କରିଛନ୍ତି । କେଉଁଠି କେଉଁଠି କିଛି ବ୍ୟଙ୍ଗ କରିଛନ୍ତି; କିନ୍ତୁ କାହାର କୁତ୍ସାରଟନା କରିନାହାନ୍ତି ।

ଫକୀର ମୋହନ ପରୋକ୍ଷରେ ମୋ ପାଇଁ ପ୍ରଶାସନିକ ପରମାତ୍ମା ; ସେ ବିଶାଳ ବଟବୃକ୍ଷ, ମୁଁ ଦୁର୍ବାଦଳ ମାତ୍ର । କିନ୍ତୁ କିଛି ପ୍ରଶାସନିକ ଅଭିଜ୍ଞତା ଏକାପରି । ଆଠଟି କ୍ଷତିରେ ଚାଲୁଥିବା ସରକାରୀ କର୍ପୋରେସନକୁ ଡେପୁଟେଟେସନରେ ଯାଇ ପ୍ରତ୍ୟେକଟିକୁ ଲାଭରେ ଚଳାଇବା ଅଭିଜ୍ଞତାରୁ କହିବି, ମୋ କାମ ଅପେକ୍ଷାକୃତ ସହଜ ଥିଲା । ଥରେ ଭଲ କାମ ଆରମ୍ଭ ହେଲେ ବ୍ୟାଙ୍କ ମାନେ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ । ଏ ଯୁଗର ଜନସାଧାରଣ ମଧ୍ୟ ପୂର୍ବପେକ୍ଷା ଆର୍ଥିକ ସ୍ୱଚ୍ଛଳତା ସମ୍ପନ୍ନ ଏବଂ ଭଲ କାମ ଦେଖିଲେ ଆଗ୍ରହରେ ଭାଗ ନେବାକୁ ଆଗେଇ ଆସୁଥିଲେ । ମାନ୍ୟବର ଫକୀର ମୋହନ କେମିତି ଓ କେତେ ଯେ କଷ୍ଟ ସ୍ଵୀକାର କରି ପଙ୍କରେ ଲାଖି ଯାଇଥିବା ରାଜ୍ୟ କାର୍ଯ୍ୟ ହାତୀକୁ ଉଦ୍ଧାର କରି ଜନସାଧାରଣଙ୍କ ସେବାରେ ନିୟୋଜିତ କରାଇ ପାରିଛନ୍ତି ତାହା ପ୍ରକୃତରେ ପ୍ରତେକ ଆଧୁନିକ ପ୍ରଶାସକର ଜ୍ଞାନ ବର୍ଦ୍ଧନ କରିବାକୁ ବ୍ୟବହାର ହେବା ଉଚିତ ।

ଏହି ନିବନ୍ଧ ରଚନା କରିବା ସମୟରେ ଏକ ଅତୀବ ଦୁଃଖଦାୟକ ଘଟଣା ଘଟିଲା । ଆଜିର ସବୁ ପ୍ରଶାସକ ସ୍ଵାର୍ଥୀ, ଆତ୍ମ-ଅଭିମାନୀ ଓ ନିଜ ପାର୍ଥିବ ସୁଖ ଲାଳସାରେ ମଗ୍ନ ନୁହନ୍ତି । ମହାପାତ୍ର ନୀଳମଣି ସାହୁଙ୍କ ସୁଯୋଗ୍ୟ ପୁତ୍ର ଗୁରୁ ପ୍ରସାଦ ଭାରତ ସରକାରଙ୍କ ବିଶିଷ୍ଟ ବିଭାଗରେ ସଚୀବ ଥିଲେ । କୋଭିଡ ବିରୁଦ୍ଧରେ ସଂଗ୍ରାମରେ ସେ ଦାୟିତ୍ୱପୂର୍ଣ କାର୍ଯ୍ୟ ନିର୍ବାହ କରୁଥିଲେ । ଭାଗ୍ୟର ବିଡମ୍ବନା, ସେ ଏବେ କୋଭିଡରେ ଚାଲିଗଲେ । ତାଙ୍କ ବିଷୟରେ ଶୋକବାର୍ତ୍ତାର ସ୍ରୋତ ମାନ୍ୟବର ପ୍ରଧାନ ମନ୍ତ୍ରୀ ସମେତ ଚତୁଃର୍ଦିଗରୁ ସ୍ୱତଃପ୍ରବୃତ୍ତ ଆସୁଛି । ଜନୈକ ଅଣ- ଓଡ଼ିଆ ପୁରୁଣା ପ୍ରଶାସକ କହିଛନ୍ତି - “Guru cou। d convert any difficu। t situation into a positive opportunity with his prob। em-so। ving attitude. Whi। e his integrity was impeccab। e, he never wore it on his s। eeves." ଫକୀର ମୋହନଙ୍କ ପ୍ରଶାସନିକ ବ୍ୟକ୍ତିତ୍ତ୍ଵର ପ୍ରକୃତ ମୂଲ୍ୟାଙ୍କନ ମଧ୍ୟ ଏହିପରି ହେବ କଥା ।

ଡୋମପଡାରେ ଫକୀର ମୋହନ ଦୁଷ୍ଟ ଦମନ ଶିଷ୍ଟ ପାଳନ କଲେ । ପ୍ରଭୁତ ରାଜସ୍ବ ବ୍ୟବସ୍ଥା କଲେ । ପରିଶେଷରେ ସଂଦେହୀ ରାଜା ଦେବାନଙ୍କ ବ୍ୟକ୍ତିତ୍ୱର ମହାନତା ଜାଣିପାରିଲେ । ଫକୀର ମୋହନଙ୍କୁ ଅନେକ ଅର୍ଥ ପ୍ରଦାନ କରିବାକୁ ଇଚ୍ଛା କଲେ । ଘଟଣାବଳି ଏତେ ମନୋଜ୍ଞ ଯେ ଫକୀର ମୋହନଙ୍କ ସ୍ୱଲିଖିତ ବିବରଣୀ ଏହାର ପ୍ରକୃତ ମହନୀୟତା ଓ ଶିକ୍ଷା ଦର୍ଶାଇ ପାରିବ । - "ମୁଁ ଅସୁଲ ଟଙ୍କାଗୁଡିକ ଧରି ତାହାଙ୍କ (ରାଜାଙ୍କ) ନିକଟରେ ଉପସ୍ଥିତ ହେଲି । ଟଙ୍କା ତୋଡ଼ା ଦେଖି ରାଜସାହେବ କହିଲେ, 'ନାହିଁ ନାହିଁ, ଆମ୍ଭେ ଏ ଟଙ୍କା ନେବୁ ନାହିଁ । ତୁମେ ଅସୁଲ କରି ଆଣିଛ, ତୁମ୍ଭେ ନିଅ । '… ଏତିକି କଥା କହି ଭିତରକୁ ଉଠିଗଲେ… ରାଜାଙ୍କ ନିକଟରୁ ବାହୁଡ଼ି ଆସି ରାଣୀମାତାଙ୍କୁ ଖବର ଦେଲି । ଉଆସ ଭିତିରିଆ ପଢ଼ିଆରୀ ଆସି ସମ୍ବାଦ ଦେଲା, 'ରାଜସାହେବ ଯେ ସ୍ଥଳରେ ଟଙ୍କା ରଖିଲେ ନାହିଁ, ରାଣୀମାତା କିପରି ରଖିବେ?'

…ସେ ସମୟକୁ ରାଜସହେବଙ୍କ କଟକସ୍ଥ ଦିଓଟି ଶୁଣ୍ଢୀ ମହାଜନଙ୍କଠାରେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଦେଣା ଥିଲା । ରାଜାସାହେବଙ୍କୁ କିଛି ନ ଜଣାଇ ସେହି ଅସୁଲ ଟଙ୍କାଗୁଡିକ ଭାରୁଆ ଯୋଗେ କଟକ ଘେନିଆସିଲି । ବାଲୁବଜ଼ାର ନିବାସୀ ଜଣେ ଶୁଣ୍ଢୀ ମହାଜନକୁ ସମସ୍ତ ଟଙ୍କା ଦେଇ ରେଜେଷ୍ଟେରି ତମସୁକ ପିଠିରେ ଅସୁଲ ଲେଖିଦେଲି । "

ରାଜ୍ୟ ଗୋଟିଏ brand, ଦେବାନ ଜଣେ ଜନସ୍ୱାର୍ଥ ରକ୍ଷାକାରୀ ତ୍ରାଣକର୍ତ୍ତା, ରାଜ୍ୟର ବହୂବିଧ ସମ୍ପତ୍ତିକୁ ସଠିକ ଓ ସଦବ୍ୟବହାର କରି ଜନସାଧାରଣଙ୍କୁ ଉତପୀଡ଼ିତ ନକରି ରାଜକୋଷକୁ ବିତ୍ତଶାଳୀ କରିବା ସୁଦକ୍ଷ ପ୍ରଶାସକଙ୍କ ମହତ ଗୁଣ । ଫକୀର ମୋହନଙ୍କ ନିଜ ବାଣୀ ଉଦ୍ଧୃତ କରିବା ସମିଚୀନ । 'ଆତ୍ମଚରିତ' - ଡୋମାପଡା ପରିଚ୍ଛେଦ:

"ଆଜକୁ ଚାରିମାସ ହେଲା ଏହି ଲୋକମାନଙ୍କୁ କେତେ ପ୍ରକାର ଭୁଝାଇଛି, କେତେ ପ୍ରକାର ଯୁକ୍ତି ଦେଖାଇ ରାଜାପ୍ରଜା ମଧ୍ୟରେ ମିଳନ ସକାଶେ କେତେ ଯତ୍ନ କରି ବ୍ୟର୍ଥକାମ ହୋଇଅଛି ; ଏହି ଲୋକଙ୍କୁ ପାଞ୍ଚଥର ଡାକିଲେ ଶୁଣୁ ନଥିଲେ, ବରଂଚ ମୋ ସହିତ ଅବଜ୍ଞା ଭାବରେ କଥା କହୁଥିଲେ । ଏହି ଦୁଇଦିନ ମଧ୍ୟରେ ମୁଁ ଧର୍ମ। ବତାର ପାଲଟିଗଲିଣି । … ଏଥିର କାରଣ ଆଜିକି ତିନିଦିନ ହେଲା ମୋର ନ୍ୟାୟନ୍ୟାୟ ଜ୍ଞାନ ନାହିଁ… ମିଥ୍ୟା କଥା କହିବାକୁ ମୋର କିଛି ମାତ୍ର ଭୟ ଜାତ ହେଉନାହିଁ, ସୁତରାଂ ମୁଁ ଗୋଟିଏ ଧର୍ମାବତାର.. ମୋ ଭଳିଆ.. ଢେର ପାଇବେ । ମାତ୍ର ପ୍ରକୃତରେ ମୁଁ ସର୍ବଦା ପ୍ରଜାସାଧାରଣଙ୍କର ପକ୍ଷପାତୀ, ସେହିମାନେ ଲୋକସମାଜର ମେରୁଦଣ୍ଡ, ସେମାନଙ୍କ ଶୁଭାଶୁଭରେ ଦେଶର ଉନ୍ନତି ଓ ଅବନତି ନିର୍ଭର କରେ । ଆଉ ପ୍ରଜାଶକ୍ତି ରାଜଶକ୍ତି ରୂପ ବୃକ୍ଷର ଚେର ସ୍ୱରୂପ । ଚେରହିଁ ବୃକ୍ଷର ଜୀବନୋପାୟର ଏକମାତ୍ର ଅବଲମ୍ବନ ଏବଂ ସହାୟ । ରାଜଶକ୍ତିର ଉପାସକମାନେ ପ୍ରଜାଶକ୍ତିକୁ ଉପେକ୍ଷା କରି ରାଜା ଓ ପ୍ରଜା ଉଭୟ ପକ୍ଷର ପରମ ଶତ୍ରୁ ହୁଅନ୍ତି । "

ନୀଳଗିରିରେ 'ନିର୍ମଳା ହାଟ' ବସାଇବା ପଇସା ବା ପୁଞ୍ଜିର କଥା ନୁହେଁ, ଦୂରଦର୍ଶିତାର ସମ୍ୟକ ପ୍ରଦର୍ଶନ । ଅଗମ୍ୟ ରାସ୍ତା ଘାଟକୁ ଜନତା ସହଯୋଗରେ ସୁଗମ୍ୟ କରାଇବା ମଧ୍ୟ୍ୟ ଏହି ଶ୍ରେଣୀୟ । ଶିକ୍ଷା ବିସ୍ତାର ପାଇଁ ସଂସ୍କୃତ ଟୋଲ ଆଦି ଏକ ନିଷ୍ଠାପର ଚେଷ୍ଟା । ଉଦ୍ୟାନ, ରେଶମ ପୋକ ପାଇଁ horticu। ture, ଚାହା ଚାଷର ପ୍ରଚେଷ୍ଟା ଏକ ବିଶୁଦ୍ଧ କର୍ମପ୍ରବଣ ମାନସିକତାର ଅଦମ୍ୟ ପରିଚୟ । ନୀଳଗିରି ତଥା ଡୋମପଡାରେ ପ୍ରଜା ମେଳିର ସଠିକ ନିରାକରଣ । aw & Order କିପରି ବଜାୟ ରଖା ଯାଏ - ଅତୀବ ଶିକ୍ଷଣୀୟ । ପ୍ରଶାସନରେ ଅନେକ କ୍ଷେତ୍ରରେ ଦଲାଲ ଓ ମଧ୍ୟସ୍ଥି ମାନଙ୍କ ଦୌରାତ୍ମ କିପରି ଦମନ କରାଯାଇ ପାରେ, ତାହା ଫକୀର ମୋହନଙ୍କ କାର୍ଯ୍ୟପ୍ରଣାଳୀରୁ ଶିଖିବା କଥା । ରାଜକୋଷ ଭରିବ, କିନ୍ତୁ ନିଜ ସ୍ୱାର୍ଥକୁ ପ୍ରଶ୍ରୟ ଦେବନାହିଁ ; ତେବେ ଲୋକ ତଥା ଶାସକ ତୁମକୁ ସମ୍ମାନର ସହ ସ୍ମରଣ କରିବେ । କେତେ ସମୟରେ ଶାସକମାନେ ସ୍ଵାର୍ଥୀ ଅବା ଅହଙ୍କାରୀ ମିଳି ପାରନ୍ତି । ଆପଣଙ୍କ କର୍ମ ପରିବର୍ତ୍ତନ ଘଟିପାରେ । ପ୍ରଶାସକ ଫକୀର ମୋହନଙ୍କ ଠାରୁ ଶିକ୍ଷଣୀୟ - ଦୁଃଖେସୁ ଅନୁଦବିଗ୍ନମନା,ସୁଖେସୁ ବି୍ଗତସ୍ପୃହ...।

ଡୋମପଡା ପରେ ଢେଙ୍କାନାଳ । ଏ ପର୍ଯ୍ୟନ୍ତ ଫକୀର ମୋହନଙ୍କ ପରିଚୟ ହେଲା ରୁଗ୍ଣ ସ୍ୱାସ୍ଥ୍ୟ, ସ୍ୱଳ୍ପ ସ୍କୁଲ ଶିକ୍ଷା, ଅଦମ୍ୟ ସ୍ଵଚେଷ୍ଟାରେ ବିଭିନ୍ନ ଜ୍ଞାନ ଆହରଣ, ଓଡ଼ିଆ ଭାଷା ପ୍ରେମ ଓ କିଛି ଗଦ୍ୟ ପଦ୍ୟ ରଚନା । କର୍ମ ଓ ଜୀବିକା ସନ୍ଧାନ । ଏବଂ ଓଡ଼ିଆ ଭାଷାର ସ୍ୱତନ୍ତ୍ରତାକୁ ବଞ୍ଚାଇବା ପାଇଁ ଯୁବ ସୁଲଭ ଆପ୍ରାଣ ଚେଷ୍ଟା । ବନ୍ଧୁ ବତ୍ସଳ, ଓ କର୍ମକୁଶଳୀ । ଏହି ତାଙ୍କ ଏପର୍ଯ୍ୟନ୍ତ ସମ୍ୟକ ପରିଚୟ । Sti। । a persona। ity in the making.

ଏବେ ଢେଙ୍କାନାଳରେ କି ପରିବର୍ତନ ବା ପ୍ରଗତି ସୋପାନ ଆରୋହଣ? ତତ୍କାଳୀନ ଢେଙ୍କାନାଳ ମହାରାଜା ଵିଵେକୀ, ଶିକ୍ଷିତ, ଗୁଣୀ - ସବୁ ଦିଗରୁ ଫକୀର ମୋହନଙ୍କ ପ୍ରତିଭା ବିକାଶ ପାଇଁ ଅନୁକୂଳ ପରିସ୍ଥିତି । କିନ୍ତୁ ବାସ୍ତବରେ ହେଲା କଣ? ସରଳ ବିଶ୍ୱାସ, ସଙ୍ଗ ଦୋଷ ଓ ମଦ୍ୟପାନ ଯୋଗୁ ପ୍ରାୟତଃ ସର୍ବନାଶ । ସ୍ୱାସ୍ଥ୍ୟ ହାନି, କର୍ମ କ୍ଷେତ୍ରରେ କୌଣସି ଉଲ୍ଲେଖଯୋଗ୍ୟ କର୍ମର ଅଭାବ, ସନ୍ତାନ ବିୟୋଗ । ଏହି ଠାରେ ଓଡ଼ିଆ ଜାତି ନତମସ୍ତକ ହୋଇ ନମସ୍ୟା କୃଷ୍ଣକୁମାରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ଉଚିତ । ସେ ସତମାର୍ଗକୁ ପ୍ରଶାସକ ଫକୀର ମୋହନଙ୍କୁ ଫେରାଇ ଆଣି ପାରିଛନ୍ତି । ପ୍ରଶାସନିକ ଜୀବନରେ ବେଳେ ବେଳେ ଭୁଲ ହେଇ ଯାଇପାରେ । ପ୍ରଶାସକ କିଛି ଦେବତା ନୁହେଁ । କିନ୍ତୁ ତୁରନ୍ତ ଭୁଲକୁ ହୃଦୟଙ୍ଗମ କରି ପୁନଃଶ୍ଚ ଭଲ କାମରେ ନିଜକୁ ନିୟୋଜିତ କରି ଜୀବନକୁ ସଜାଡି ନେବା ସେନାପତିଙ୍କ କର୍ତ୍ତବ୍ୟ । ଢେଙ୍କାନାଳ ବେଳର ଉଲ୍ଲେଖ୍ୟଯୋଗ୍ୟ ଘଟଣା ହେଲା ଫକୀର ମୋହନଙ୍କ ସଂକଳ୍ପ ଯେ ମନରେ ନିର୍ଣ୍ଣୟ କଲେ ସେ କେବଳ ଓଡ଼ିଆ ଭାଷାରେ ଲେଖିବେ - ସେତେବେଳୁ ତାଙ୍କର କିଛି ବଙ୍ଗଳା ଭାଷାରେ ରଚନା ବଙ୍ଗାଳି ପତ୍ର ପତ୍ରିକାରେ ପ୍ରକାଶିତ ହୋଇଥିଲା । କିନ୍ତୁ ଏ ସବୁ ରଚନା ମୋ ଜାଣିବାରେ ଦୁଷ୍ପ୍ରାପ୍ୟ ।

ବେଳେବେଳେ ପ୍ରଶାସକକୁ ଜୁଟନ୍ତି - ରଜା ଗୋଜା । ଦଶପଲ୍ଲା । କିନ୍ତୁ ଯେ ପ୍ରକୃତ ପ୍ରଶାସକ ସେ ନିରଳସ କର୍ମୀ ; ସବୁ ବାହ୍ୟ ଅସୁବିଧା ସତ୍ତ୍ୱେ ଗଠନମୂଳକ କାର୍ଯ୍ୟ ପାଇଁ ସୁଯୋଗ ଖୋଜିଲେ ମିଳେ । ସେତେବେଳକୁ ଫକୀର ମୋହନ କୁଅଭ୍ୟାସ ଦମନ କରି ସାରିଥାନ୍ତି । ପରିଣତ ଜୀବନର କେତେକ ବିଶିଷ୍ଟ ଲେଖାରେ ମଦ୍ୟ ଓ ସେଯୋଗୁ ମଦ୍ୟପର ହୀନସ୍ତା ବିଷୟ ଶିକ୍ଷା, ବ୍ୟଙ୍ଗ ଓ ତିରସ୍କାରରେ ପୂର୍ଣ୍ଣ ।

ପ୍ରଶାସକ ଫକୀର ମୋହନ ତାଙ୍କ ନିପୁଣତା ପୁଣି ଦେଖାଇବା ଆରମ୍ଭ କରିଛନ୍ତି । ସୀମା ବିବାଦର ସମାଧାନରେ ତାଙ୍କ ଉତ୍କର୍ଷ ଚିତ୍ତାକର୍ଷକ । ସର୍ଭେ ସେଟେଲମେଣ୍ଟ କିଛି ସହଜ କଥା ନୁହେଁ । ସେ ଅଫିସରେ ବସି ହୁକୁମ ଚଳାଇ ନାହାନ୍ତି । ମହକୁମାରେ ଉପସ୍ଥିତ ରହି ନିଜେ ସର୍ବେକ୍ଷଣ କରି ଅକାଟ୍ୟ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ପରେ କେଉଁଝରରେ ମଧ୍ୟ ଏହି ଦକ୍ଷତା ତାଙ୍କୁ ବିଶେଷ ସାହାଯ୍ୟ କରିଥିଲା ।

ଯୋରମୋର ସୀମା ନିର୍ଦ୍ଧାରଣର ମୂଳଦୁଆ, ମହାନଦୀରେ ବନ୍ୟା ବିତ୍ପାତରୁ ରକ୍ଷା କରିବାକୁ ପଥର ବନ୍ଧ, କୋବି ଚାଷ ଫକୀର ମୋହନଙ୍କ ଏ ବେଳର କାମ । ସେ କାଳରେ ମୃତ୍ୟଞ୍ଜୟ ରଥ ଯଥାର୍ଥ ବିବରଣୀ ଲିପିବଦ୍ଧ କରିଛନ୍ତି -"ସୁଖର କଥା ଏହି ଯେ ଯୋରମୋ ଅଂଚଳରେ ଆମ୍ଭମାନଙ୍କ ଭକ୍ତିଭାଜନ… ସେନାପତିଙ୍କ ନାମ ଗୋଟିଏ ପାହାଡ଼ ଏବଂ ଗୋଟିଏ ବନ୍ଧରେ ଚିରସ୍ମରଣୀୟ ହୋଇ ରହିଅଛି । ତାଙ୍କରି ...ମତବଳରେ ଏହା ନିରୁପଦ୍ରଵ ହେବାରୁ ପ୍ରଜାମାନେ ଗୋଟିଏ ସୀମାନ୍ତ ଶୈଳକୁ… ଫକୀର ମୋହନ ଡୁଙ୍ଗୁରି ବୋଲି କହି ଆସୁଛନ୍ତି । …

ବଢିପାଣି ଉପଦ୍ରଵରୁ.. ରକ୍ଷା କରାଇ ଥିବାରୁ ସ୍ଥାନୀୟ ଲୋକେ ତାହାଜୁ ଫକୀରମୋହନ ବନ୍ଧ ବୋଲି କହିଥାନ୍ତି । … " (ସଭ୍ୟ ପାଠକ ବୃନ୍ଦଙ୍କୁ କ୍ଷମା ମାଗି ଏକ ଅବାନ୍ତର କଥା ଅବତାରଣା କରୁଛି । ମୁଁ ଭୁବନେଶ୍ୱର ଡେଭେଲପମେଣ୍ଟ ଅଥରିଟିରେ ଉପାଧ୍ୟାକ୍ଷ ରହି ଦିନରାତି କାମ କରି ପୂର୍ବର ସବୁ କ୍ଷତି ଭରଣା କରି ଅନେକ ଗୁଣ ଲାଭ କରାଇଦେଲି । ଅନ୍ୟାନ କାମ ଭିତରେ ରଜ ଦିନ ମଧ୍ୟ ନିଜେ ଠିଆ ହୋଇ ମାଟି କାମ କରାଇ ଇନ୍ଦିରା ପାର୍କ ସମୟରେ ସାରିଲି । ଭୁବନେଶ୍ୱର ଅଧିବାସୀ ପିଉଥିବା ବୃହତ ଜଳ ପ୍ରକଳ୍ପ ଆଦି କଲି । ବେଶୀ କାମ ଉତ୍ପ। ତରେ ହଠାତରେ ଅଣ୍ଟା ବେମାରୀ ବାହାରି ପଡିଲା । ସ୍ୱଜନ ଏପରି କର୍ମ ପାଗଳତାକୁ ତିରସ୍କାର କରନ୍ତେ ମୁଁ ବେହିଆ ନିଜ କୃତି ବଖାଣିବାରେ ଲାଗିଲି । ଅପାତତଃ ଗୋଟିଏ ଛୁଟି ଦିନ ସକାଳେ ସପରିବାର ମୁଁ କରିଥିବା ଦଶ ବାରଟି ବଡ ପ୍ରକଳ୍ପ - ପଳାଶ ପଲ୍ଲୀ କଲୋନୀ, ବରମୁଣ୍ଡା ବସ ଷ୍ଟାଣ୍ଡ, ଆଲୋକ ଭାରତୀ ବହୁତଳ ଅଫିସ କମ୍ପ୍ଲେକ୍ସ, ଇନ୍ଦିରା ପାର୍କ ଇତ୍ୟାଦି - ବୁଲାଇ ଦେଖାଇଲି । ମଧ୍ୟାନ ହୋଇ ଆସିଲା । ଅକାଟ୍ୟ ପ୍ରଶ୍ନ - 'ତୁମେ ଏ ସବୁ କରିଛ ବୋଲି ପ୍ରମାଣ କଣ ; ସବୁ ଠାରେ ତ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ କରକମଳରେ, ଶ୍ରୀଯୁକ୍ତ ଜେନାଙ୍କ ପୌରହିତ୍ୟ କଥା ଫଳକରେ ଲେଖା, ତୁମ ନାଁ କାହିଁ?' ମୋର ତୁରନ୍ତ ଉତ୍ତର - 'ଏବେ ତ ମୋର ବଦଳି ହେଇଯାଇଛି । ମୁଁ ଯିବା ପରେ ପରେ ଯେତେ ଯାଞ୍ଚ କମିଟି ବସିବେ, ସେମାନେ କେବଳ ମୋ ନାଁ ହିଁ ଖୋଜିବେ । '… କଣ କୁହନ୍ତି - କର୍ମେଣ… ମା ଫଳେଷୁ କଦାଚନ । )

ପ୍ରକୃତ ପ୍ରଶାସକର ଆତ୍ମସମ୍ମାନ ଥିବା ଏକାନ୍ତ ଆବଶ୍ୟକ । ଆତ୍ମାଶ୍ଲାଘା ନୁହେଁ । ପାଲଲହଡାରେ ଦେବନୀରେ ଦରମା ଓ ସ୍ଵାଚ୍ଛନ୍ଦ୍ୟ ଥିଲା ; କାମ ନଥିଲା । ଅଭିମାନୀ ଫକୀର ମୋହନ ମାଛବାଲି ବୁଢ଼ୀର ପଦେ କଥାରେ ଆତ୍ମସଚେତନ ହୋଇ ସ୍ୱଇଚ୍ଛାରେ ସେ ଚାକିରୀ ପରିତ୍ୟାଗ କଲେ ।

ତାପରେ କେଉଁଝର । ସେ ବେଳର କର୍ମକାଣ୍ଡ ରୋମାଞ୍ଚକ ଓ ସେଥି ଉପରେ ଅତି ବିଶିଷ୍ଟା ଲେଖିକାଙ୍କ ଦ୍ୱାରା ଉପନ୍ୟାସ ମଧ୍ୟ୍ୟ ଲେଖା ହୋଇଛି । ତେବେ ପ୍ରଶାସନିକ ମୂଲ୍ୟାଙ୍କନ ମୋ ହିସାବରେ ଅସମ୍ପୂର୍ଣ । 'ଚତୁର ଫକୀର'ଙ୍କ ବୁଦ୍ଧିମତ୍ତା ରସରଂଜିତ । କିନ୍ତୁ ତା ସଙ୍ଗେ ସଙ୍ଗେ ଆନନ୍ଦପୁର ବେଳର ବିସ୍ତୃତ ଓ ସଂଗଠିତ କାର୍ଯ୍ୟାବଳୀକୁ ମଧ୍ୟ୍ୟ ପ୍ରତ୍ୟେକ ପ୍ରଶାସକ ଅନୁଧ୍ୟାନ କରିବା ବିଧେୟ ।

ଆସନ୍ତୁ, କିଛି ସମୟ କର୍ମ ପ୍ରବଣତାର ପ୍ରାଞ୍ଜଳତାକୁ ଅନୁଭବ କରିବା ।

"ଜଙ୍ଗଲ ପରିଷ୍କାର ଉତ୍ତାରେ କଲିକତାରୁ ନନା ପ୍ରକାର କଲମୀ ଆମ୍ବ ଲିଚୁ ଜାମରୋଳ… ରୋପଣ କରାଇଲି । .. (ଫୁଲ) ଶାକ ସବଜିରେ ମଧ୍ୟ୍ୟ ଉଦ୍ୟାନ ପୂର୍ଣ୍ଣ ହୋଇଗଲା । …

ଆନନ୍ଦପୁର କଚେରୀ ଘର …(ଅସମ୍ପୂର୍ଣ ) ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇ ଦେଲି… କଲିକତାରୁ.. ଲୁହା ରେଲିଂ ଅଣାଇ ବାରନ୍ଦ। ଧାରରେ ବସାଇ ଦେଲି ।

କଚେରୀ ସିରସ୍ତା ନିତାନ୍ତ ବିଶୃଙ୍ଖଳ ଥିଲା । ନାନପ୍ରକାରର ଫାରମ… (ପାଇଁ) ଆନନ୍ଦପୁରରେ ଗୋଟିଏ ପ୍ରେସ ସ୍ଥାପନ କଲି । ସେଥିରେ… କଚେରୀ ସକାଶେ ସମନ, ଏତଲାନାମା, ଅନ୍ୟାନ୍ୟ ଚିଠିପତ୍ର ଏବଂ କ୍ଷୁଦ୍ରକ୍ଷୁଦ୍ର ପୁସ୍ତକ ଛପା ହେବାକୁ ଲାଗିଲା । ଆନନ୍ଦପୁରରେ ଗୋଟିଏ ପକ୍କା ସ୍କୁଲ ଗୃହ ନିର୍ମାଣ…" ଇତ୍ୟାଦି । ('ଆତ୍ମଚରିତ') କୁଶଳୀ ପ୍ରଶାସକ ସବୁ କାମରେ ନିପୁଣ ହେବା ଅତ୍ୟାବଶ୍ୟକ । କଲିକତା ହାଇକୋର୍ଟରେ ଲଢ଼ି କେଉଁଝର ସପକ୍ଷରେ ସଂବିଧାନ ଶ୍ରେଣୀୟ ମକଦମା ଜିତିବା ତାଙ୍କ ପ୍ରଶାସନିକ ଦକ୍ଷତାର ଏକ ମାଇଲ ଖୁଣ୍ଟ । ସେପରି ଜମିଜମା ବନ୍ଦୋବସ୍ତ ଆଦିରେ ତାଙ୍କ ନିପୁଣତା ସୁସ୍ପଷ୍ଟ ଓ ତାଙ୍କ ପରିଣତ କାଳ ଉପନ୍ୟାସ ରଚନାରେ ମଧ୍ୟ ବର୍ଣିତ ।

"କେଉଁଝର ଏବଂ ଛୋଟନାଗପୁର ସୀମାନ୍ତ ସମ୍ବନ୍ଧରେ ବହୁତ କାଳ ପୂର୍ବରୁ ବିବାଦ ଚଳି ଆସୁଥିଲା । ମୋହର କେଉଁଝର ମାନେଜରୀର ଦ୍ଵିତୀୟ ବର୍ଷରେ ସେହି ବିବାଦ ନିଷ୍ପତ୍ତି କରାଇବା ପାଇଁ କେଉଁଝର ମହାରାଜା ଏବଂ ନାଗପୁର ଚିଫ କମିଶନରଙ୍କ ତାକିତ ହୁକୁମ ଆସିବାରୁ ସେହି ମାମଲା ଚଳାଇବା ସକାଶେ ମହାରାଜା ମୋ ପ୍ରତି ଭାରର୍ପଣ କରିଥିଲେ । କେଉଁଝରର କେତେଗୁଡିଏ ଅପହୃତ ଜମି ଉଦ୍ଧାର କରାଇ ଆଣିବାରୁ ମହାରାଜା ମୋ ପ୍ରତି ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥୁଲେ । " ( ଆତ୍ମାଚରିତ ପରିଚ୍ଛେଦ 31ର ଶେଷାଂଶ) ।

ଭୂୟାଁ ମେଳି ସମ୍ବନ୍ଧରେ ଅଳ୍ପରେ କହିବି । ପ୍ରଶାସକ ମଝିରେ ମଝିରେ ଭୀଷଣ ବିପଦର ସମ୍ମୁଖୀନ ହେଇପାରେ । ବିପଦ ବେଳେ ଅଧୀର ନହୋଇ ପ୍ରତ୍ତୁତ୍ପନମତି ପ୍ରୟୋଗ କରିବାକୁ ହେବ । କାପୁରୁଷତା ବା ପଦବୀର ଆତ୍ମବଡ଼ିମା ଦେଖାଇଲେ ମରଣ ଭେଟ ବି ହୋଇ ପାରେ । ପ୍ରାୟତଃ ମୋ ଅଭିଜ୍ଞତାରୁ କହିବି, ପ୍ରଶାସକ ଯଦି ତୁଣ୍ଡ ହୁଡ଼ିବ ନାହିଁ, ବ୍ୟଭିଚାରୀ ବୋଲି ଯଦି ତା'ର ଦୁର୍ନାମ ନାହିଁ, ସେ ଯୁକ୍ତିଯୁକ୍ତ ନମ୍ର ବ୍ୟବହାର କରିବ, ତେବେ ପ୍ରଶାସକ କେଉଁ ବା କେଉଁ -କ୍ଷଣିକ ପାଇଁ କ୍ଷୁବ୍ଧ ଜନତା, କ୍ରୋଧୀ ଶାସକ, ଏପରିକି ବିକ୍ଷୁବ୍ଧ ପୋଲିସ କର୍ମୀ ଗଣ ମାରିବାକୁ ଉଦ୍ୟତ - ଦିଗରୁ ସାହାଯ୍ୟ ସମର୍ଥନ ପାଇବ। ସମ୍ଭବ । କାରଣ ପ୍ରଶାସନ ପ୍ରତି ସମର୍ଥନର ଫଲ୍ଗୁ ଧରାକୁ ଅନୁଭବ ଓ ବିଶ୍ୱାସ କରି ଅନେକ ପ୍ରାଣଶଙ୍କା ଥିବା ଘଟଣା ବଳିକୁ ସାମ, ଦାମ, ଦଣ୍ଡ, ଭେଦ ପ୍ରୟୋଗ କରି ଅସୀମ ଧର୍ଯ୍ୟ ଧରି ନିଜକୁ ଲାଳସା ଓ ଅନ୍ୟାୟରୁ ମୁକ୍ତ ରଖିଲେ ବଡ଼ବଡ଼ କୂଳୀଶ ଦୂରୀଭୂତ ହୋଇ ପାରିବେ । ଫକୀର ମୋହନ ନମସ୍ୟ କାରଣ ଉଲ୍ଲିକ୍ଷିତ ଗୁଣାବଳୀ ପ୍ରଦର୍ଶନ କରି ସେ ଅଧିକ ରକ୍ତପାତ ଏଡାଇ କେଉଁଝରରେ ଶାସନ ବ୍ୟବସ୍ଥାର ସମ୍ମାନ ପୁନଃ ପ୍ରତିଷ୍ଠିତ କରାଇ ପାରିଛନ୍ତି ।

ପ୍ରକୃତ ପ୍ରଶାସକ କୌଣସି ଚୌକି ବା ଚାକିରୀକୁ ଜାବୁଡି ଧରି ବସେ ନାହିଁ । ବଦଳି ହେଲେ 'ଉଠିଲ, ଚାଲିଲ!' ଶେଷରେ ଦିନେ ଅବସର ଗ୍ରହଣ କରିବାକୁ ପଡେ; ମୋହ ମାୟା ତ୍ୟାଗ କରିବାକୁ ପଡେ଼ । କିନ୍ତୁ ମନ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଝୁରି ହୁଏ । ମାନ୍ୟବର ଫକୀର ମୋହନଙ୍କ କ୍ଷେତ୍ରରେ ମଧ୍ୟ ସେଇଆ । -"ଆନନ୍ଦପୁର ପରିତ୍ୟାଗ ସମୟରେ କେବଳ ଦୁଇଗୋଟି ବିଷୟରେ ମୋ ମନରେ କଷ୍ଟ ଜାତ ହୋଇଥିଲା । ବୈତରଣୀ ନଦୀଠାରୁ ଦୁରବର୍ତ୍ତୀ ଗ୍ରାମମାନଙ୍କରେ ଖରାଦିନେ ଅତ୍ୟନ୍ତ ଜଳକଷ୍ଟ ହୁଏ । ଶୀତ କାଳରେ ମୁଁ ମଫସଲଗସ୍ତକୁ ଯାଇ ପ୍ରଜାମାନଙ୍କ ଦ୍ୱାରା ପୁରୁଣା ପୁଷ୍କରିଣୀମାନଙ୍କରୁ ପଙ୍କ ଉଦ୍ଧାର କରିବାକୁ ଆରମ୍ଭ କରାଇଥିଲି । କ୍ରମେ କ୍ରମେ ସମସ୍ତ ପୁଷ୍କରିଣୀରୁ ପଙ୍କ ଉଦ୍ଧାର କରୁବାକୁ ଇଛା ଥିଲା । ସେ ବାସନା ସଫଳ ହେଲାନାହିଁ । ଦ୍ଵିତୀୟତଃ, ଆନନ୍ଦପୁର ସହର ମଧ୍ୟରେ ଗୋଟିଏ ପକ୍କା ସ୍କୁଲଗୃହ ନିର୍ମାଣ କରାଇବାକୁ ଇଚ୍ଛା ଥିଲା । ଗୁଡ଼ାଏ ଟଙ୍କା ମଧ୍ୟ ସଂଗୃହୀତ ହୋଇଥିଲା । ତାହା ଅସମ୍ପନ୍ନ ଅବସ୍ଥାରେ ରହିଗଲା । "

ଦୋମାପଡାରେ ଦ୍ଵିତୀୟ ଥର ଦେବାନ ହେଲେ ଫକୀର ମୋହନ । ଏଥର ମଧ୍ୟ୍ୟ ଗଠନମୂଳକ କାର୍ଯ୍ୟ କରିବାରେ ସେନାପତି ସଦା ବ୍ରତୀ । ପୁନର୍ବାର ଭୁ-ବନ୍ଦୋବସ୍ତ, ରାଜସ୍ବ ଆଦାୟରେ ବୃଦ୍ଧି, ପାନ୍ଥଶାଳା ନିର୍ମାଣ, ନିଜ ଖର୍ଚ୍ଚରେ କୃଷ୍ଣକୁମାରିଙ୍କ ପବିତ୍ର ନାମ ବହନ କରିଥିବା ସର୍ବସାଧାରଣଙ୍କ ବ୍ୟବହାର ପାଇଁ ନିଜଗଡ଼ ଶାସନ ମୁଣ୍ଡରେ କୂପ ନିର୍ମାଣ ଇତ୍ୟାଦି ଇତ୍ୟାଦି । ପ୍ରକୃତ ପ୍ରଶାସକ ଯେକୌଣସି କର୍ମରେ ନିଯୁକ୍ତ ଥାଇ ପାରନ୍ତି, ତଥାପି ଜନ ତଥା ରାଜ୍ୟ ଉନ୍ନତି ନିମିତ୍ତ ସଂକଳ୍ପବଦ୍ଧ ହୋଇ ରହିଥାନ୍ତି । ଆମ ସେନାପତି ଏହି ପ୍ରଥାର ଆଦିସୁରୀ ।

ଫକୀର ମୋହନଙ୍କ ସର୍ବଶ୍ରେଷ୍ଠ ପ୍ରଶାସନିକ ଗୁଣ ଥିଲା, ତାଙ୍କ କର୍ମ ପ୍ରବଣତା ଏବଂ ଅନାଗତ କାର୍ଯ୍ୟ ସମୂହର ଲକ୍ଷ୍ୟ ହାସଲ ପାଇଁ ଆଗତୁରା ମାନସିକ ତଥା ପ୍ରଶାସନିକ ପ୍ରସ୍ତୁତି I 'ମୋ ଉପରିସ୍ଥ ଅଧିକାରୀ ଅହଙ୍କାରୀ ବା ଭ୍ରଷ୍ଟ - ଏଣୁ ତାଙ୍କ ଅଧୀନରେ ଭଲ କାମ କରିବା ଅସମ୍ଭବ' - ଏ ମନ୍ତ୍ର ଜପି ଜପି ବର୍ତ୍ତମାନର ଅନେକ ପ୍ରଶାସକ ନିଜର ଅପାରଗତାକୁ ସହଜରେ ଘୋଡ଼ାନ୍ତି I କିନ୍ତୁ ଫକୀର ମୋହନ ପ୍ରକୃତ ସେନାପତି I ଦଶପଲ୍ଲାର ତତ୍କାଳୀନ ରାଜା ଅହଙ୍କାରୀ ଓ ବିଚିତ୍ର; କିଂତୁ ଫକୀର ମୋହନ ସେ କଥାକୁ ଅତିକ୍ରମ କରି ଜନହିତକର ଅନେକ ଗଠନମୂଳକ କୃତି (ବନ୍ୟା ନିବାରଣ ପାଇଁ ପ୍ରଜା ସହଯୋଗରେ ପ୍ରସ୍ତର ବନ୍ଧ ନିର୍ମାଣ) ସମାପନ କରିଛନ୍ତି । ଟିମ ୱାର୍କରେ ସେ ଅଦିତ୍ୱୀୟ । ତତ୍କାଳୀନ ବେଠି ପ୍ରଥାକୁ ସେ ସମର୍ଥନ କରିନାହାନ୍ତି । ଦଶପଲ୍ଲାର ଯୋରମୋ ଅଂଚଳରେ ନଦୀ ଘାଇକୁ ପଥର ବନ୍ଧ ନିର୍ମାଣ କରି ବନ୍ୟା ନିରାକରଣ ବିଷୟରେ ତାଙ୍କ ଆତ୍ମାଚରିତରେ ବର୍ଣନା ହୋଇଛି । ସେ ବନ୍ଧ ପ୍ରଜାଙ୍କ ସହଯୋଗରେ, ପ୍ରଜାଙ୍କ ମଙ୍ଗଳ ପାଇଁ ଗଢ଼ା ହେଲା । କିନ୍ତୁ ସେଥିରେ ବେଠି ନଖଟେଇ କାମ କରିବା ଲୋକଙ୍କୁ ଚୁଡା ଖିଆ ମଜୁରୀ ନିଜେ ଫକୀର ମୋହନ ବ୍ୟବସ୍ଥା କରି ଦେଇ ଅଛନ୍ତି ।

ତାଙ୍କ ଉପନ୍ୟାସ ଓ ଗଳ୍ପରେ କର୍ମଠର ପ୍ରଶଂସା ବିଶେଷ ଭାବେ ପରିଦୃଷ୍ଟ । ସେହିପରି କ୍ଷମା ଓ ଅନୁତାପର ଉପସଂହାର ତାଙ୍କ ଗଦ୍ୟକୃତିର ବିଶେଷ ଅଙ୍ଗ । ମାନସିଂହଙ୍କ ସୁଚିନ୍ତିତ ମନ୍ତବ୍ୟ ପ୍ରଣିଧାନ ଯୋଗ୍ୟ - ଫକୀର ମୋହନ ଈଶ୍ୱର ବିଶ୍ୱାସୀ କିଂତୁ ହିନ୍ଦୁଵାଦୀ ନଥିଲେ; ସର୍ବତ୍ର ଓଡ଼ିଆ ପ୍ରେମୀ କିଂତୁ ଅନ୍ୟ ବିଦ୍ୱେଷୀ ନଥିଲେ, ଗରିବ ନିରୀହ ଜନସାଧାରଣ ପ୍ରତି ସଦା ସମ୍ବେଦନଶୀଳ କିନ୍ତୁ ବାମପନ୍ଥୀ ବା ଦକ୍ଷିଣ ପନ୍ଥୀ ନଥିଲେ । ସେ ଥିଲେ ମାନବବାଦୀ - ତାଙ୍କ ଅପୂର୍ବ ପ୍ରତିଭା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସ୍ତମିତ ହେଇନଥିଲା ; ତାଙ୍କ ମାନବବାଦ ପ୍ରଶାସନରୁ ଆରମ୍ଭ ହେ। ଇ ଗଦ୍ୟ ସାହିତ୍ୟରେ ମାଧ୍ୟମରେ ଓଡ଼ିଆ ଜାତିର ମାନସପଟକୁ ସମ୍ପୂର୍ଣ ଅଧିକାର କରିଗଲା । ମାନନୀୟ ମାନସିଂହଙ୍କ ଫକୀର ମୋହନଙ୍କ ଦୁଇଟି ଅପୂର୍ବ ଗୁଣ ଵିଷୟରେ ଉଲ୍ଲେଖର ଉଦ୍ଧୃତ୍ତି ଆବଶ୍ୟକ । ଫକୀର ମୋହନ ଇଂରେଜମାନଙ୍କ ଦ୍ୱାରା ଓଡ଼ିଆ ତଥା ଭାରତୀୟଙ୍କ ଠାରୁ ଲୁଣ ବ୍ୟବସାୟ ଏକ ପ୍ରକାରରେ ଛଡ଼ାଇନେବା କାର୍ଯ୍ୟକୁ ଗ୍ରହଣ କରିପାରିନଥିଲେ । ପରେ ପଣ୍ଡିତ ଗୋପବନ୍ଧୁ ଓ ମହାତ୍ମା ଗାନ୍ଧୀ ଏହାକୁ ଜାତୀୟ ସଂକଳ୍ପରେ ପରିଣତ କରିଥିଲେ । ଦ୍ଵିତୀୟ ବିଷୟରେ ମାନସିଂହ ମହୋଦୟ 'ମାମୁଁ' ଉପନ୍ୟାସରେ ହରିବୋଲ ବାରିକଙ୍କ ଚଞ୍ଚକ ନାଜ଼ର ମାମୁଁଙ୍କ ବିରୁଦ୍ଧରେ ଗ୍ରାମବ୍ୟାପି ନିରବ ଅଥଚ ଦୃଢ଼ ଅସହଯୋଗ ଆନ୍ଦୋଳନ ଭାରତର ଭବିଷ୍ୟତ ରାଜନୈତିକ ଇତିହାସର ଇଙ୍ଗିତ ।

ଏବଂ ଫକୀର ମୋହନ ପ୍ରତ୍ୟେକ ପ୍ରଶାସନିକ ଅଧିକାରୀଙ୍କ ଆଦର୍ଶ କାରଣ ସେ ତାଙ୍କ କର୍ମ ପ୍ରଣାଳୀ ଦ୍ୱାରା ଦର୍ଶାଇଛନ୍ତି ଯେ ଭଲ ପ୍ରଶାସକ ହେବାକୁ ହେଲେ ପ୍ରଥମେ ନିଜ ହୃଦୟକୁ ବିଶାଳ କରିବାକୁ ହେବ । ସର୍ବସାଧାରଣଙ୍କ ସୁଖଦୁଃଖରେ ସମଭାଗୀ ହେବାକୁ ପଡିବ । ଫକୀର ମୋହନ ଦୁଃଖୀରଙ୍କିଙ୍କ ଅସହାୟତା କଥା ଭାବି ଅନେକ ଦା୍ତବ୍ୟ ଚିକିତ୍ସାଳୟ ଆରମ୍ଭ କରାଇଥିଲେ ଏବଂ ଔଷଧ ପ୍ରସ୍ତୁତ କରିଥିଲେ ।

ସେ ସବୁ ଶ୍ରେଣୀର ଲୋକଙ୍କ ସଂଗେ ସ୍ୱଚ୍ଛନ୍ଦରେ ମିଶି ପାରୁଥିଲେ । ପଞ୍ଚସ୍ତରୀ ବୟସ ପାଖାପାଖି ସେ ସତ୍ୟବାଦୀରେ ପଣ୍ଡିତ ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଅପୂର୍ଵ ବନ ବିଦ୍ୟାଳୟ ବୁଲିବାକୁ ଯାଇଥିଲେ । ସେଠାରେ କିଶୋର ଛାତ୍ରମାନଙ୍କ ସଂଗେ ସହଜରେ ସଖ୍ୟ ସ୍ଥାପନ କରି ଆନନ୍ଦମୁଖର ବାତାବରଣ ସୃଷ୍ଟି କରିଥିଲେ ।

ଫକୀର ମୋହନଙ୍କୁ ଆଉ ଥରେ ଆମୂଳଚୁଳ ପଢ଼ିବାରୁ ଆଉ ଗୋଟେ କୌତୁକପୂର୍ଣ୍ଣ କଥା ଦୃଷ୍ଟିକୁ ଆସିଲା - ସେ ଓକିଲ ତଥା ବି.ଏଲ. ଉପାଧି ଧାରୀଙ୍କ ପ୍ରତି କେତେକ ସ୍ଥାନରେ ବ୍ୟଙ୍ଗୋକ୍ତି କରିଛନ୍ତି । ଫକୀର ମୋହନ ନ୍ୟାୟ ବିଚାରରେ ପେଶାଦାର ମଧ୍ୟସ୍ଥି ଜନସାଧାରଣଙ୍କୁ ନ୍ୟାୟ ଦିଆଇବା ପରିବର୍ତ୍ତେ ବିଭ୍ରାନ୍ତ କରି ନିଜ ସ୍ୱାର୍ଥ ସାଧନ କରୁଥିବା କଥାକୁ ସମର୍ଥନ କରିନାହାନ୍ତି । "କାର୍ଣ୍ଣିସମାନଙ୍କରେ ଓକିଲମାନେ ଯେପରି ଦର୍ପଣ-ଆଲମାରୀରେ ଆଇନ ପୋଥି ସଜାଡିଦେଇ ତକିଆକୁ ଆଉଜି ମକେଲ ଚାହିଁ ବସିଥାନ୍ତି, ବୁଢିଆଣୀମାନେ ସେପରି ଜାଲ ଟାଙ୍ଗି ମଶାଟିକୁ ମାଛିଟିକୁ ଚାହିଁ ବସିଅଛନ୍ତି । "- ଛମାଣ ଆଠଗୁଣ୍ଟ -ଅଷ୍ଟମ ପରିଚ୍ଛେଦ ।

ଆଉ ଏକ କଥା ଦୃଷ୍ଟି ଗୋଚର ହୁଏ ଯେ ତାଙ୍କ ପରବର୍ତ୍ତୀ ରଚନାବଳିର ବିଶେଷ କଥା ହେଲା ସ୍ୱଜନରେ ବିଶ୍ୱାସଘାତକତା । ଜଣେ ଅନୁଭବୀ ତଥା ପ୍ରଶାସକ ହିସାବରେ ଏହି ଅନୁଭବ ତାଙ୍କ ଗଦ୍ୟ କାବ୍ୟରେ ଅନେକ ଜାଗାରେ ପରଲକ୍ଷିତ ହୋଇଛି । କିନ୍ତୁ ନ୍ୟାୟ, କରୁଣା ଓ କ୍ଷମାରେ ଏ ତିକ୍ତତା ପରିବର୍ତ୍ତିତ ହୋଇ ମହାକାବ୍ୟରେ ପରିଣତ ହୋଇ ଅଧିକାଂଶ ସମୟରେ ସମାପ୍ତ ହୋଇଛି ।

ମିମିର ପ୍ରକୃତ ଶିକ୍ଷା - ୬

ପାଠକ, ପ୍ରଶାସକ ଓ ସର୍ବସାଧାରଣଙ୍କ ପାଇଁ ଫକୀର ମୋହନଙ୍କ ଶେଷ ଏବଂ ସର୍ବଶ୍ରେଷ୍ଟ ଶିକ୍ଷା ମୁଁ ନିଃସଙ୍କୋଚରେ ମାନନୀୟ ମାୟାଧର ମାନସିଂହଙ୍କୁ ସାମଗ୍ରିକ ଭାବେ ଉଦ୍ଧୃତ କରୁଛି -"... ଓଡ଼ିଆ ଜାତି ପ୍ରତି ସରସ୍ବତୀଙ୍କର ଶେଷ ଉପଦେଶ - ବାଣୀ ସେନାପତିଙ୍କ ଶେଷତମ କବିତା, ପାଠକପାଠିକାଙ୍କୁ … ଉପହାର…. । ଏହା ପଣ୍ଡିତ ମୃତ୍ୟୁଞ୍ଜୟ ରଥେ, ସେନାପତିଙ୍କ ମୃତ୍ୟୁ ପରେ ପ୍ରକାଶ କରିଥିଲେ । ସେ ସେନାପତିଙ୍କୁ ଦେଖI କରିବା ପାଇଁ ବାଲେଶ୍ୱରରେ ତାଙ୍କ ଘରେ ଥିବାବେଳେ ସେନାପତିଙ୍କ ସଦ୍ୟ ରଚିତ ଏହି କବିତାଟି ଉତାରି ଆଣି ନିଜ ପାଖରେ ରଖିଥିଲେ । ମୌନତା ଭିତରେ, ଶବ୍ଦହୀନତା ମଧ୍ୟରେହିଁ ସତ୍ୟର ସନ୍ଧାନ କରିବାକୁ ଭାରତବର୍ଷ ସମଗ୍ର ଜଗତକୁ ପ୍ରଥମେ ଶିଖାଇଥିଲା । ଆଜି କିନ୍ତୁ ଭାରତବର୍ଷ ଏକ ଅସହ୍ୟଭାବରେ ଶବ୍ଦ-ମୁଖର ଦେଶ ହୋଉପଡ଼ିଛି । … ଏ ଦେଶର ଆଜିର ଶାସକେ ଏପରି ଇତର କର୍ମ ଓ ବଚନ ବ୍ୟବହାର କରିଥାନ୍ତି, ଯାହାକି ଭାରତୀୟ ସଂସ୍କୃତିରେ ଆକଳ୍ପନୀୟ । ଆଜି ଛାତ୍ର, ଶିକ୍ଷକ ଓ ଗୁରୁଜନ ପ୍ରତି ବା ସ୍ୱାମୀ ସ୍ତ୍ରୀ ପ୍ରତି ଯେ ପ୍ରକାର ଇତର ବଚନ ପ୍ରୟୋଗ କରୁଛି, ତାହା ଧରାଯାଉଛି 'ମାନବିକ ଅଧିକାର' ବୋଲି । ... ତେବେ ଏହି 'ବଚନ ବିନ୍ୟାସ' ପ୍ରସଙ୍ଗରେ ଫକୀର ମୋହନଙ୍କ ଶେଷତମ କବିତା… -

"ବାକ୍ୟ ଉଚ୍ଚ । ରଣ କରି ମାନବପ୍ରଧାନ,
କରିଛି ତା ଯୋଗେ ପ୍ରାଣୀ ମଧ୍ୟେ ଶ୍ରେଷ୍ଠ ସ୍ଥାନ ।
ସାବଧାନେ କର ସେହି ବାକ୍ୟ ଉଚ୍ଚାରଣ,
ଅନ୍ୟଥା ମାନବଜନ୍ମ ହେବ ଅକାରଣ ।
………………………. ଯେଉଁ ଲୋକ କରିପାରେ ବଚନ ସଂଯମ,
ଜଗତରେ ପରିଚିତ ସେହି ବିଜ୍ଞତମ । "
ମାନ୍ୟବର ଫକୀର ମୋହନ ଅବଶ୍ୟ ମିଷ୍ଟଭାଷୀ ଓ ମିତଭାଷୀ ଥିବେ ।

କ୍ଷମା ପ୍ରାର୍ଥନା - ୭

ପରିଶେଷରେ ଏ ସବୁ ମନ୍ତବ୍ୟ ଦେଇଥିବାରୁ ମୋର ଦୁଃସାହସ ପାଇଁ କ୍ଷମା ମାଗୁଛି; ମୁଁ ନିଃସଙ୍କୋଚରେ ସ୍ୱୀକାର କରୁଛି ଯେ ମୁଁ ସାହିତ୍ୟିକ ନୁହେଁ, ସବୁ ପ୍ରକାର ଗଦ୍ୟ ସାହିତ୍ୟର ବିଦଗ୍ଧ ପାଠକ ମାତ୍ର । ତେବେ ପ୍ରକୃତ ଗଣତନ୍ତ୍ରରେ ପାଠକର ମଧ୍ୟ କିଛି ମୌଳିକ ଅଧିକାର ଅଛି ବୋଲି ମୁଁ ଭାବେ । ସାହିତ୍ୟ ପେଶାଦାର ସାହିତ୍ୟିକମାନଙ୍କ ଏକଚାଟିଆ ଅଧିକାର ବୋଲି ସ୍ୱୀକାର କରିଗଲେ ପାଠକର ଅଂଶଗ୍ରହଣ କମିିଯିବ । ସାହିତ୍ୟର ପ୍ରକୃତ ମାନର କ୍ଷତି ଘଟିବ । ଏ ପରିପ୍ରେକ୍ଷୀରେ ଅନ୍ୟ ଏକ ପ୍ରସଙ୍ଗ ଅବତାରଣା କରୁଛି । ୧୯୮୦ ଠାରୁ ମୁଁ ଓ’ହେନେରୀ କ୍ଷୁଦ୍ରଗଳ୍ପ ପ୍ରତିଯୋଗୀତାର ବାର୍ଷିକ ସଂକଳନର ଆଗ୍ରହୀ ଓ ନିୟମିତ କ୍ରେତା ଓ ପାଠକ ଥିଲି । ତେବେ ଲକ୍ଷ୍ୟ କଲି - ୨୦୦୨ ମସିହା ପରଠାରୁ ଏ ସଂକଳନ ଏତେ ଉଚ୍ଚକୋଟୀର ଲାଗିଲା ନାହିଁ । ଆମେରିକାର 'ନିଉୟର୍କର' ଆଦିରେ ଆଜି ମଧ୍ୟ ଉତ୍କୃଷ୍ଟ ଲେଖା ବାହାରେ । ଓ’ ହେନେରୀ କ୍ଷୁଦ୍ରଗଳ୍ପ ପ୍ରତିଯୋଗୀତା କ୍ରମଶଃ ପେଶାଦାର ଇଂରେଜୀ ପ୍ରଫେସର ବୃନ୍ଦଙ୍କ ମଧ୍ୟରେ ସୀମିତ ରହିଗଲା; ତାହା ଫଳରେ ପୁରସ୍କୃତ ଗଳ୍ପସବୁ ଆଗପରି ପାଠକକୁ ଏତେ ଅଭିଭୂତ କରି ପାରିଲେ ନାହିଁ ।

ପ୍ରକୃତ ସାହିତ୍ୟ ଜନସାଧାରଣଙ୍କର; -ଫକୀର ମୋହନଙ୍କ କୃତି କେବଳ ପୁରପଲ୍ଲୀର କଥା ନୁହେଁ; ସବୁ ଶ୍ରେଣୀର, ସବୁ ଅଞ୍ଚଳର, ସବୁ ସମୟର ପାଠକଙ୍କ ଦ୍ୱାରା ଆଦୃତ ।

ଏବଂ ଫକୀର ମୋହନ କେବଳ ବିରାଟ ସାହିତ୍ୟିକ ନୁହନ୍ତି ; ସେ ଓଡିଶାର ପ୍ରଥମ ସମର୍ଥ ପ୍ରଶାସକ ମଧ୍ୟ୍ୟ । ଫକୀର ମୋହନଙ୍କ ଦାୟାଦ କିଏ - ପାର୍ଥିବ ସମ୍ପତ୍ତି, ସାଙ୍ଗିଆ ଆଦିର ଦାୟାଦ ପରିବାର ବର୍ଗ । କିନ୍ତୁ ତାଙ୍କ ସାହିତ୍ୟର ପ୍ରକୃତ ଦାୟାଦ ହେଲେ ନଅଙ୍କ ଦୁର୍ଭିକ୍ଷ ପ୍ରପୀଡ଼ିତ ଓଡ଼ିଆ ସର୍ବସାଧାରଣ ଯେଉଁମାନଙ୍କୁ ସାହିତ୍ୟରେ କଥିତ ଭାଷାରେ ତାଙ୍କ ସୁଖଦୁଃଖର କାହାଣୀ ମୁଖର କରି ଏକ ପ୍ରକାରର ମୁକ ଜାତିକୁ ସେ ପରିଣତ ବୟସର ଅପୂର୍ବ ରଚଣାବଳୀରେ ସଜ୍ଜୀବିତ ସ୍ୱର ପ୍ରଦାନ କରିଗଲେ ।

ଫକୀର ମୋହନ ବନ୍ଧୁ ବତ୍ସଳ ଥିଲେ । ଶାରୀରିକ ଉଚ୍ଚତାରେ ଲମ୍ବା ଥିଲେ । ଫକୀର ମୋହନ ବୁଲି ଆସିଲେ ତାଙ୍କ ପାଇଁ ସେକାଳରେ ବନ୍ଧୁଗଣ ଉଚ୍ଚ ଚୌକିର ବ୍ୟବସ୍ଥା କରୁଥିଲେ ।