ଅଖିଳ ମୋହନ ପଟ୍ଟନାୟକ, ଏକ ବିଚାର

ଆଜି ଓଡିଆ କଥାସାହିତ୍ୟର ଅନନ୍ୟ ଓ ଅତୁଳନୀୟ କଥାଶିଳ୍ପୀ ଅଖିଳ ମୋହନ ପଟ୍ଟନାୟକଙ୍କ ଜନ୍ମଦିନ । ଓଡିଆ ସାହିତ୍ୟରେ ନିଜର ନିଆରା ଶୈଳୀ ଓ ଭାବ ବିନ୍ୟାସ ପାଇଁ ପରିଚିତ ଏହି ମହାନ କଥାନାୟକଙ୍କୁ ଆମର ବିନମ୍ର ଶ୍ରଦ୍ଧାଞ୍ଜଳି ।


ଫଟୋ - ଅଖିଳ ମୋହନ ଫାଉଣ୍ଡେସନ

ଆଜି ଅଖିଳ ମୋହନ ପଟ୍ଟନାୟକ ବଞ୍ଚିଥିଲେ ତାଙ୍କୁ ୯୪ ପୂରି ୯୫ ବର୍ଷ ଚାଲିଥାନ୍ତା । ହେଲେ ସେ ଏ ପୃଥିବୀରୁ ବିଦାୟ ନେଇଗଲେଣି ୩୯ ବର୍ଷ ତଳୁ । ତେବେ ବୟସ କେବଳ ଏକ ସଂଖ୍ୟା ମାତ୍ର । ଅଖିଳ ମୋହନ ପଟ୍ଟନାୟକ ଦେହ ଘେନି ଥିବା କି ନଥିବା ସହିତ ତାଙ୍କ କଥାକାର ସତ୍ତାର କିଛି ସମ୍ପର୍କ ନାଇଁ । ସେ ଗପ ଭିତରେ ଜୀବନ ହୋଇ ଏବଂ ଚରିତ୍ରମାନଙ୍କ ଭିତରେ ସମୟ ହୋଇ ଆମ ସାଙ୍ଗରେ ବାଟ ଚାଲୁଛନ୍ତି । ତାଙ୍କ ସହିତ ମୋର କେବେ ଦେଖା ହୋଇନାହିଁ । କାରଣ ସେ ଯେବେ ପୃଥିବୀରୁ ବିଦାୟ ନେଉଛନ୍ତି, ସେତେବେଳେ ମୋର ବୟସ ୧୧ । ସାହିତ୍ଯ କଣ ବୁଝିବାର ବୟସ ସେ ନୁହଁ ।

ମୁଁ ସୋନପୁରରେ ଜନ୍ମ ନେଇଛି । ସୋନପୁରରେ ମହାନଦୀ ଓ ମାଛ ଦେଖିଛି । ଦେଖିଛି ବି ଜହ୍ନରାତିରେ କେମିତି କୁହୁକର ଏକ ଚାଦର ପାଲଟିଯାଏ ମହାନଦୀ । ହେଲେ, ଆମ ନଦୀରେ ଯେ ମତ୍ସ୍ୟକନ୍ୟାମାନେ ଥାନ୍ତି ଓ ସେମାନଙ୍କ ସହିତ ଯେ କୌଣସି ଜହ୍ନରାତିରେ ଭେଟ ହୋଇ ଯାଇପାରେ, ସେ ସମ୍ଭାବନା ବିଷୟରେ ମୁଁ କେବେ ବି ସଚେତନ ନଥିଲି । ନିଜ ସହର ଓ ନିଜର ପ୍ରିୟ ନଦୀକୁ ନୂଆ କରି ଚିହ୍ନିବାର ସୁଯୋଗ ଯିଏ ଦେଲେ, ସେ ସୋନପୁରର ଲୋକ ନୁହନ୍ତି । ଗୋଟେ ବାଟଭୁଲା ପର୍ଯ୍ଯଟକ ଭାବରେ ନଦୀ ଭିତରେ ମତ୍ସ୍ୟଗନ୍ଧାର ସନ୍ଧାନ ପାଇଥିବା ସେ ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକ । କୌଣସି ବି ରୂପକଥାକୁ ସତକଥାରେ ରୂପାନ୍ତରିତ କରି ପାରିବାର ଏକ ଅଦ୍ଭୁତ ସାମର୍ଥ୍ୟ ଅଖିଳ ମୋହନଙ୍କ ଗପରେ ରହିଥିଲା । ମୁଁ ଯେଉଁ ଗପର କଥା କହୁଛି, ସେ ଗପର ନାଁ “ମତ୍ସ୍ୟଗନ୍ଧା” । ଅଖିଳ ମୋହନ ପଟ୍ଟନାୟକଙ୍କର ତୃତୀୟ ଗଳ୍ପ ସଂକଳନ “ନଦୀର ନାମ ଗଣତନ୍ତ୍ର” ବହିରେ ରହିଛି ଏ ଗପ । ଏ ଗପର ପୃଷ୍ଠଭୂମି ଓ ଭାବଭୂମି ସହିତ ମୁଁ ଗଭୀର ଭାବେ ଜଡିତ । ସୋନପୁର ସହରରେ ମୁଁ ଜନ୍ମ ନେଇଛି ଓ ସେହି ସହରରେ ବଢିଛି । ହେଲେ ସେ ସହରର ଏ ବିଚିତ୍ର ଯାଦୁକରୀ ଓ ସେ ଯାଦୁକରୀ ଜୀବନ ଭିତରେ ଗୋଟେ ହାହାକାରକୁ କାଇଁ ମୁଁ କେବେ ଦେଖି ପାରିନଥିଲି ତ !

ସବୁ ମହାନ ଗପର ଚମକ ଓ ଚମତ୍କାରିତା ହେଉଛି, ଏଇ ଗୋଟିଏ କଥା । ଯାହା ଆଉ କିଏ ଦେଖନ୍ତି ନାଇଁ ତାକୁ ଗାଳ୍ପିକ ଦେଖେ ଓ ଲେଖେ । ସୋନପୁର ଓ ମହାନଦୀ ଭିତରେ ଏମିତି ଏକ ବିସ୍ମୟକର ଟ୍ରାଜେଡି ଅଛି ବୋଲି ବୁଝିଲା ବେଳକୁ, ଏ ଟ୍ରାଜେଡ଼ିର ନାୟକ କିନ୍ତୁ ଆମ ସହିତ ନାହାନ୍ତି । ତାଙ୍କର ଜନ୍ମ ୧୮ ଡିସେମ୍ବର, ୧୯୨୭ ଓ ମୃତ୍ୟୁ ୨୯ ନଭେମ୍ବର ୧୯୮୨ । ମାତ୍ର ୫୫ ବର୍ଷର ଜୀବନ। ଜୀବନକାଳରେ ପ୍ରକାଶ ପାଇଥିଲା ମାତ୍ର ଦୁଇଟି ଗଳ୍ପ ସଂକଳନ- “ଝଡର ଈଗଲ ଓ ଧରଣୀର କୃଷ୍ଣସାର’’ ଏବଂ “ଓ ଅନ୍ଧଗଳି”। ଦୁଇଟି ବହିରୁ “ଓ ଅନ୍ଧଗଳି”, ୧୯୮୧ ମସିହା ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା । ଓଡିଆ ସାହିତ୍ୟର ଇତିହାସରେ ବୋଧହୁଏ ଏମିତି ଘଟନା ଆଉ ଘଟିନାହିଁ । ମାତ୍ର ଦୁଇଟି ବହି ଲେଖି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାର ବିରଳ ସୌଭାଗ୍ୟ ଆଉ କେହି ପାଇନାହାନ୍ତି। ତେବେ ଦୁଇଟା କାହିଁକି, ସେ ଯଦି ଗୋଟିଏ ମାତ୍ର ଗପ ଲେଖିଥାନ୍ତେ, ତାହେଲେ ବି ତାଙ୍କୁ ଏ ପୁରସ୍କାର ମିଳିବାର ଅଧିକାର ରହିଥିଲା ।

ନିଜ ଗପ ଭିତରେ ଏକ ଅଦ୍ଭୁତ କୁହୁକ ରଚନା କରିବା ଓ ତାରି ଭିତରେ ମଣିଷ ଜୀବନର କରୁଣ କାହାଣୀଟିକୁ କହିଦେବାର ଅପୂର୍ବ କଳା କୌଶଳ ସେ ଜାଣିଥିଲେ । ଆପଣ ଯେ କୌଣସି ଗପ ଭିତରୁ ଅଖିଳ ମୋହନଙ୍କ ଗପକୁ ବାରି ଦେଇ ପାରିବେ । ତାଙ୍କ ଗପରେ ଗୋଟେ ନିଆରା ବାସ୍ନା ଥାଏ । ତାଙ୍କ ଚରିତ୍ରମାନେ ବାରି ହୋଇପଡନ୍ତି ନିଜର ମୌଳିକ ଚେହେରା ଓ ହୃଦୟ ଯୋଗୁଁ । ଅଖିଳ ମୋହନଙ୍କ ପ୍ରାୟ ଗପର ଚରିତ୍ରମାନେ କରୁଣ ରସର ପ୍ରତିନିଧି । ସେମାନେ ଏକଲା, ଏକବାଗିଆ, ଉଦାସୀନ ଓ ଅନେକ ସମୟରେ ପରାଜିତ । ପରାଜିତ ନାୟକର କାହାଣୀ ଆମକୁ ବିଶ୍ଵ ସାହିତ୍ଯର ବହୁ ନାମୀ କଥାକାର ଶିଖେଇଛନ୍ତି । ଦସ୍ତୋଭସ୍କିଙ୍କଠାରୁ ହେମିଙ୍ଗୱେଙ୍କ ପର୍ଯ୍ଯନ୍ତ, ଏ ତାଲିକା ଢେର ଲମ୍ବା । ପରାଜୟର କାହାଣୀ କହିଲାବେଳେ ଅଖିଳ ମୋହନ କିନ୍ତୁ ଜୀବନର ଜୟଗାନ କରୁଥାନ୍ତି । ସ୍ରଷ୍ଟାର ଜୀବନରେ ଏଇଟା ସବୁଠୁ ବଡ ବିରୋଧାଭାସ । ସେଇ ବିରୋଧାଭାସରୁ ଜନ୍ମ ନେଇଥିବା ଅଖିଳ ମୋହନଙ୍କ ଗପ ସବୁ କରୁଣ ରସ ଭିତରେ ସାମଗ୍ରିକ ଜୀବନକୁ ସେ ଗୋଟେ ଆଶାବାଦର ପୃଷ୍ଠଭୂମି ଦେଇଥାନ୍ତି ।

ଅଖିଳ ମୋହନଙ୍କୁ ସାଧାରଣତଃ ବୈଚାରିକ ଦୃଷ୍ଟିରୁ ବାମପନ୍ଥୀ ବୋଲି କୁହାଯାଇଥାଏ । ରାଜନୈତିକ ବିଚାର ଦୃଷ୍ଟିରୁ ସେ କିଛିକାଳ ବାମପନ୍ଥୀ ଥିଲେ । ହେଲେ ବାସ୍ତବ ଜଗତରେ ସେ ଆମ ସମୟର ସବୁଠୁ ବଡ ଲିବରାଲ ଓ ରୋମାଣ୍ଟିକ । ତାଙ୍କ ଭିତରେ ସ୍ଵପ୍ନ ପ୍ରବଣତା ଓ ବିଦ୍ରୋହର ଏକ ଅପୂର୍ବ ବୌଦ୍ଧିକ ମିଶ୍ରଣ ରହିଥିଲା । ନୂଆ କରି ଗଢି ଉଠୁଥିବା ଏକ ଗଣତାନ୍ତ୍ରିକ ସମାଜରେ ଅଖିଳ ମୋହନଙ୍କ ମଧ୍ୟବିତ୍ତ ଚରିତ୍ରମାନେ କେବଳ ଜୀବନ ଜୀବିକାର ସଙ୍ଘାତରେ ସୀମିତ ନାହାନ୍ତି, ସେମାନଙ୍କର ସଙ୍ଘାତ ଅନେକାଂଶରେ ମାନସିକ ଓ ବୌଦ୍ଧିକ ।

ଅଖିଳ ମୋହନଙ୍କ ଗଳ୍ପ ଅନନ୍ୟ । ତାଠୁ ଅଧିକ ଆକର୍ଷଣୀୟ ତାଙ୍କର ଅନ୍ୟାନ୍ୟ ଗଦ୍ୟ ରଚନା। ବନ ବିଭାଗର ପୂର୍ବତନ ଅଧିକାରୀ ତଥା ଅଖିଳ ମୋହନଙ୍କ ସମ୍ବନ୍ଧୀୟ ସରୋଜକାନ୍ତ ଚୌଧୁରୀଙ୍କ ପୋଷା ବାଘୁଣୀ “ଖଇରୀ” କୁ ନେଇ ତାଙ୍କର ରଚନା, ଅଦ୍ଭୁତ ଭାବରେ ସୁନ୍ଦର। ସେଇ ସ୍ତରର ଗଦ୍ୟ ରଚନା, ଆମ ସାହିତ୍ୟରେ ପ୍ରାୟ ନାହିଁ କହିଲେ ଚଳେ । ଭ୍ରମଣ କାହାଣୀ “ଅନ୍ୟଦେଶ”, ପ୍ରେମପତ୍ରର ସଂକଳନ “ଅନାଗତ ଫାଲଗୁନ” ସମେତ ତାଙ୍କର ଆହୁରି ଅନେକ ଅପ୍ରକାଶିତ ରଚନା ରହିଛି ।

ଏକଦା ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା “ସମାବେଶ” ର ସମ୍ପାଦକ ଭାବରେ ସେ ବହୁ ନୂଆ ଲେଖକଙ୍କୁ ଆଗକୁ ଆଣିଥିଲେ । ପତ୍ରିକା ସମ୍ପାଦନାରେ ଅନେକ କ୍ରାନ୍ତିକାରୀ ପରିବର୍ତ୍ତନ ତାଙ୍କରି ନେତୃତ୍ବରେ ଆସିଥିଲା । ସାହିତ୍ୟ ତାଙ୍କର ପ୍ରବୃତ୍ତି ଥିବାବେଳେ ବୃତ୍ତି ଥିଲା ଓକିଲାତି । ଛାତ୍ର ଜୀବନରେ ସେ ଥିଲେ କଠୋର ବାମପନ୍ଥୀ । ବୃତ୍ତି ଜୀବନରେ ଗଣତନ୍ତ୍ର ଓ ସମ୍ବିଧାନର ସେ ଥିଲେ ଜଗୁଆଳି । ସାହିତ୍ୟରେ ସେ ଥିଲେ ମାନବିକତାର ଅଖିଳ ନାୟକ । ସେ ଏକ, ଅନନ୍ୟ ଓ ଅତୁଳନୀୟ - ଅଖିଳ ମୋହନ ପଟ୍ଟନାୟକ।