ରବିନାରାୟଣ ଦାସ: ଏକ ଅପୂର୍ବ ବ୍ୟକ୍ତିତ୍ୱ

ରବିନାରାୟଣ ଦାସ ଥିଲେ ଜଣେ କାଳଜୟୀ ଦକ୍ଷ ପ୍ରଶାସକ ଏବଂ ସ୍ନେହର ଅମାପ ଓ ଅସରନ୍ତି ଭଣ୍ଡାର । ଉତ୍କଳ ବିଶ୍ୱବିଦ୍ୟାଳୟରେ ରବି ଦାସ ଚେୟାର ଅଫ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ଆରମ୍ଭ ହେବା ଉଚିତ୍।


ଫଟୋ - ପ୍ରଶାନ୍ତ ପଟ୍ଟନାୟକ

୧୯୫୯ ସୁଦ୍ଧା ଓଡ଼ିଆ ଆଇ.ଏ.ଏସ୍ ଅଫିସର ହାତଗଣତା ଥିଲେ । ଶ୍ରୀଯୁକ୍ତ ରବିନାରାୟଣ ଦାସ ସେହିବର୍ଷ ସିଭିଲ ସର୍ଭିସ୍ ପରୀକ୍ଷାରେ କୃତିତ୍ୱ ପ୍ରଦର୍ଶନ କରି ଓଡ଼ିଶାରେ ଆଇ.ଏ.ଏସ୍. ଅଫିସର ହିସାବରେ ନିଜ ପ୍ରଶାସନିକ କର୍ମଜୀବନ ଆରମ୍ଭ କଲେ । ତା’ ପୂର୍ବରୁ ଅବଶ୍ୟ ସେ କିଛିସମୟ ଛାତ୍ରପ୍ରିୟ ଅଧ୍ୟାପକ ହିସାବରେ ସୁନାମ ଅର୍ଜନ କରିସାରିଥିଲେ ।

ଜନ୍ମ, ଆଇ.ଏ.ଏସ୍. ହେବା ଏବଂ ତା’ପରେ କାଳର କବଳରେ ମୃତ୍ୟୁ ବରଣ କରିବା - ଏପରି କିଛି ଅତି ବିଶିଷ୍ଟ ଘଟଣା ନୁହେଁ । କିନ୍ତୁ ରବିଦାସ ସାର୍ ପ୍ରକୃତରେ ବିଶିଷ୍ଟ ପ୍ରଶାସକ ଥିଲେ । ତାଙ୍କ ପରି ସମର୍ଥ ପ୍ରଶାସକ ଓଡ଼ିଶା ଶାସନ ଇତିହାସରେ ବିରଳ । ତାଙ୍କ କର୍ମକୁଶଳତା ଉପରେ ଶ୍ରୀଯୁକ୍ତ ପ୍ରସନ୍ନକୁମାର ମିଶ୍ର ଏବଂ ଶ୍ରୀଯୁକ୍ତ ବିବେକ ପଟ୍ଟନାୟକ ଦୁଇଟି ଭଲ ନିବନ୍ଧ ସ୍ମୃତିଚାରଣ ରୂପେ ଲେଖିଛନ୍ତି । ରବିଦାସ ସାରଙ୍କ କର୍ମନିପୁଣତା ଉପରେ ସମସ୍ତେ ଏକମତ । ମୁଁ ଅବା ଅଧିକ କ’ଣ ଲେଖିବି ! ତେବେ ତାଙ୍କ କର୍ମକୁଶଳତା ସଙ୍ଗେ ମାନବିକତା ଏବଂ କର୍ମକୁଶଳତାର ମୂଳ ଉତ୍ସ ଉପରେ ମୋର କିଛି ପ୍ରତ୍ୟକ୍ଷ ଅନୁଭୂତି ଅଛି ।

ସାର୍ ଚାଲିଗଲେ, ଗୋଟିଏ ଯୁଗର ଅବସାନ ହେଲା । ଓଡ଼ିଶାର ପ୍ରଶାସନିକ ସାହିତ୍ୟର ଯଥେଷ୍ଟ ଆଲୋଚନା ହୋଇନାହିଁ । ଯଦି କେହି ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ପ୍ରଫେସର ଚେଷ୍ଟା କରନ୍ତେ ଓଡ଼ିଶାର ପ୍ରଶାସନିକ ଇତିହାସ ଉପରେ ସମ୍ୟକ ଆଲୋଚନା ସୃଷ୍ଟି ହୁଅନ୍ତା । ବ୍ୟକ୍ତି ପ୍ରଚାର ପାଇଁ ନୁହେଁ, ବିଦିତ ପ୍ରଶାସକଙ୍କ ଜୀବନ ଓ କର୍ମକୁଶଳତାର ନିୟମ କଣ, କର୍ମ ତତ୍ପରତାର ଉତ୍ସ କଣ ଏ ବିଷୟରେ ଅଧୁନା ପ୍ରଶାସକମାନେ କିଛି ଶିକ୍ଷାଲାଭ କରନ୍ତେ । ଦୁର୍ଭାଗ୍ୟ ଯେ Public Administration ପଢ଼ା ଓ Public Administrator ଙ୍କ ଭିତରେ ଯେଉଁ ବୌଦ୍ଧିକ ସମ୍ପର୍କ ରହିବା କଥା, ତାର ଏପର୍ଯ୍ୟନ୍ତ ସୂତ୍ରପାତ ହୋଇ ନାହିଁ।

ଭାବି ଦେଖନ୍ତୁ ପ୍ରଶାସକ ହେବା ଏକମାତ୍ର ଜୀବିକା ନୁହେଁ । ସମାଜ ଭଲଭାବରେ ଚାଲିବାକୁ ହେଲେ ବହୁପ୍ରକାରର କୁଶଳତାର ସମନ୍ୱୟ ଆବଶ୍ୟକ । କିନ୍ତୁ ଗୋଟାଏ ବିକାଶଶୀଳ ଏବଂ ଏପର୍ଯ୍ୟନ୍ତ ଅନଗ୍ରସର ରାଜ୍ୟର ଉନ୍ନତି ନିମନ୍ତେ ଭଲ ପ୍ରଶାସନର ଅବଦାନ ସ୍ୱୀକାର୍ଯ୍ୟ । ପ୍ରଶାସକଙ୍କୁ ମୁଣ୍ଡରେ ବସା ନଯାଉ । ସେମାନେ ପବ୍ଲିକ୍ ସର୍ଭେଣ୍ଟ, ସେମାନେ ବିନୀତ, ସହାନୁଭୂତିଶୀଳ ଓ ଆଡମ୍ୱରମୁକ୍ତ ବ୍ୟବହାର କରି ନିଜ ନିଜ କ୍ଷେତ୍ରରେ ଜନସାଧାରଣଙ୍କ ମଙ୍ଗଳ ପାଇଁ ସମର୍ପିତ କାମ କରିବା ଉଚିତ୍ । କିନ୍ତୁ କେବଳ ମିଠା ବ୍ୟବହାର ଅବା ବାକ୍ ପଟୁତାରେ ପ୍ରଶାସନ ଚଳିବ ନାହିଁ । ପ୍ରତ୍ୟେକ ଜନସଂସ୍ଥା ଓ ସେବାର ଯେଉଁ ଲକ୍ଷ୍ୟ ରହିଛି ତାହା ତ୍ୱରାନ୍ୱିତ କରି ଫଳ ଦେଖାଇବାକୁ ହେବ । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ବଢୁଥିବା ଆବଶ୍ୟକତାକୁ ପୂରଣ କରିବାକୁ Goods and services ସହଜ, ସୁଲଭ ଓ ବହୁତ ପରିମାଣରେ ବ୍ୟବସ୍ଥା କରିବା ପ୍ରଶାସନର ପ୍ରାଣକେନ୍ଦ୍ର ।

ରବିଦାସ ସାରଙ୍କ କର୍ମକୁଶଳତାରେ ଏହିସବୁ ଗୁଣ ସଦାବେଳେ ପରିଲକ୍ଷିତ ହେଉଥିଲା । ମୁଁ ତାଙ୍କ ଅଧୀନରେ ତିନିଚାରି ଥର କାମ କରିବାର ସୁଯୋଗ ପାଇଥିଲି । ସଦାସର୍ବଦା ତାଙ୍କଠାରୁ ଶିଖିବାର ଅନେକ ଜିନିଷ ଜାଣିହେଉଥିଲା ଏବଂ ସବୁଠାରୁ ଚମତ୍କାର କଥା ହେଲା, ସେ କେବେ ତୁମକୁ କାମ ଉପରେ ଲମ୍ୱାଚଉଡ଼ା ଭାଷଣ ଦେବେନାହିଁ । ପୁସ୍ତକପଢ଼ା ବା ନିୟମକାନୁନ୍ ବିଷୟ ଜାଣିଥିବେ, ଆଲୋଚନାରେ ପ୍ରୟୋଗ କରିବେ, କିନ୍ତୁ ମିଟିଙ୍ଗ ଶେଷରେ କାମ କିପରି ଆଗକୁ ପରେ ବଢ଼ିବ -ତାର ବାଟ ସିଧାସଳଖ ବତାଇବେ: ଆରାମରେ ତୁମ କଥା ଶୁଣିବେ; ମଞ୍ଜକଥା ଚଟ୍ କରି କହିବେ ଏବଂ ତୁମ ଉପାୟ କଥା ପଚାରି ସଠିକ୍ ନିର୍ଣ୍ଣୟ ଦେବେ ।

ତାଙ୍କର ଏକ ଈଶ୍ୱରଦତ୍ତ ଅନ୍ତର୍ଦୃଷ୍ଟି ଥିଲା । କିଏ କାମିକା, କିଏ ଭୀରୁ, କିଏ ଅକାମିକା ସେ ଚବିଶଘଣ୍ଟା ଭିତରେ ପରଖ କରିପାରୁଥିଲେ । ଭଲ କାମକଲେ ତାଙ୍କଠାରୁ ସମର୍ଥନ ମିଳିବାଟା ନିଶ୍ଚିତ ଥିଲା ।

ମୁଁ ଇପିକଲର ଏମ୍.ଡି. ଥିଲାବେଳେ ସେ ଶିଳ୍ପସଚିବ ହେଲେ । ଶିଳ୍ପମନ୍ତ୍ରୀ କୌଣସି କାରଣରୁ ମତେ ବଦଳାଇବାକୁ ଚାହିଁଲେ; ମୁଖ୍ୟମନ୍ତ୍ରୀ ଅମଙ୍ଗ ହେଲେ । ଶିଳ୍ପସଚିବଙ୍କୁ ଖଣ୍ଡାଧାରରେ ଚାଲିବାକୁ ପଡ଼ିଲା । ବିଭାଗୀୟ ମନ୍ତ୍ରୀଙ୍କୁ ବିରକ୍ତ କରାଇ କୌଣସି ସଚିବ ଭଲଭାବେ କାମ କରିବା ପ୍ରାୟ ଅସମ୍ଭବ । ଅଯଥା ଟେନସନ ଓ କାମରେ ବାଧା । ଏଆଡ଼େ ଗୋଟିଏ ଟୋକା ଅଫିସର୍, ଆଗଚଲା ପ୍ରକୃତି, କିନ୍ତୁ କାମରେ ସମର୍ପିତ -ଗୋଟିକ ପରେ ଗୋଟିଏ ଫଳ ଦେଖାଉଛି - ରାଜ୍ୟର ଶିଳ୍ପବିକାଶ କରାଇ ପାରୁଛି । ସେ କିଛି ନକହି ମଧ୍ୟ ମତେ ଅନେକ ଉପାୟରେ ରକ୍ଷା କରିଥିଲେ ।

କେତେମାସ ପରେ ମୋର ଇପିକଲରେ ଅନେକ ଦିନ ହୋଇଯାଇଥିଲା । ମୁଁ କଟକ କଲେକ୍ଟର ହୋଇ ବଦଳି ହୋଇଗଲି । ରବିଦାସ ସାରଙ୍କ ରାଜନୀତିଜ୍ଞ ମାନଙ୍କୁ ସୁଚାରୁରୂପେ ଚଳାଇବାର କଳା ଜଣାଥିଲା । ‘ପଙ୍କ ମଧ୍ୟେ ଥାଇ ପଙ୍କ ନ ଲାଗଇ’ ନ୍ୟାୟରେ ସେ ତତ୍କାଳୀନ ପ୍ରଶାସନର ଉଚ୍ଚନୀଚ ରାସ୍ତାକୁ ଅତିକ୍ରମ କରିଚାଲିଥିଲେ । ଅଧିକାଂଶ ପ୍ରଭାବଶାଳୀ ଏମ୍.ଏଲ୍.ଏ. ତାଙ୍କୁ ଭଲ ପାଉଥିଲେ; କାରଣ ସେ ଦକ୍ଷ, କୁଶଳୀ ଥିଲେ ଓ ସମସ୍ତଙ୍କ ସଙ୍ଗେ ଉପଯୁକ୍ତ ବ୍ୟବହାର କରୁଥିଲେ । ସରକାର ବଦଳିଲେ । ଦୁଇଜଣ ଏମ୍.ଏଲ୍.ଏ. ବିରୋଧୀଦଳର ପ୍ରଭାବଶାଳୀ ନେତା । ସେମାନେ ଭୁଲ ଧାରଣାର ଶିକାର ହେଲେ ଯେ ମୁଁ ରାଜନୀତିରେ ଭାଗ ନେଉଛି । କଲେକ୍ଟର ହିସାବରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ତାଙ୍କ କାମ ଠିକ୍ ଭାବେ ହେଉନାହିଁ । ବିଶଦ ବର୍ଣ୍ଣନା ଆବଶ୍ୟକ ନାହିଁ । ମୋର କର୍ମଜୀବନ ଉପରେ ଗୋଟିଏ ବହି ଲେଖିଛି - ‘India Ably Served’; Amazon.in ରେ ମିଳୁଛି । ସେଥିରେ ସବୁକଥା ପ୍ରାଞ୍ଜଳ ଭାବରେ ଲେଖାହୋଇଛି ।

କିନ୍ତୁ ସେ ବହିରେ ମୁଁ ରବିଦାସ ସାରଙ୍କ ମୋ ପ୍ରତି ଅକୁଣ୍ଠଚିତ୍ତରେ ସମର୍ଥନ କଥା ଲେଖିନାହିଁ । ସେତେବେଳେ ସେ ବୋଧହୁଏ ଅର୍ଥସଚିବ ଅବା ହୋମ୍ (ଘରୋଇ ବିଭାଗ) ସେକ୍ରେଟାରୀ । ତାଙ୍କ ପାଖରେ ସବୁ ସତ ଖବର ଥାଏ । ମୋ ବିରୁଦ୍ଧରେ ଜନୈକ କ୍ଷୁବ୍ଧ ସଂପାଦକ (ଦୋଷଟା ମୋର, ମୁଁ ତାଙ୍କ ସଙ୍ଗେ ଥରେ ମୋ ବ୍ୟବହାରରେ ଅବହେଳା ପ୍ରଦର୍ଶନ କରି ଚିରକାଳ ପାଇଁ ତାଙ୍କ ବିରାଗଭାଜନ ହୋଇ ଯାଇଥିଲି ।) ପ୍ରଥମପୃଷ୍ଠାରେ ଚାଞ୍ଚଲ୍ୟକର ଖବର ଛପାଇଲେ ଯେ, କଟକ କଲେକ୍ଟର ଦୁର୍ନୀତିରେ ତତ୍କାଳୀନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆନ୍ତୁଲେଙ୍କଠାରୁ ବଳିଗଲେ । ବିଧାନସଭାରେ ମୁଲତବି ପ୍ରସ୍ତାବ ଦୁଇ ପ୍ରଭାବଶାଳୀ ଏମ୍.ଏଲ୍.ଏ. ଆଣିଲେ । ସେମାନେ ରବିଦାସ ସାରଙ୍କ ଅନ୍ତରଙ୍ଗ ବୋଲି ଜନସାଧାରଣରେ ଜଣା, କିନ୍ତୁ ସାର୍ ମତେ ଫୋନ୍ କରି କହିଲେ: ‘ଏଗୁଡ଼ା ଅଭଦ୍ର, ତୁମେ ଜମା ବ୍ୟସ୍ତ ହୁଅ ନାହିଁ, ସତ୍ୟର ଜୟ ହେବ’ । ଭାବନ୍ତୁ ସେ ମୋଠାରୁ ଦଶବର୍ଷ ସିନିୟର, ତାଙ୍କର ମୁଁ ସେପରି କିଛି ବ୍ୟକ୍ତିଗତ କାମରେ ଲାଗିନଥିଲି । କିନ୍ତୁ ସେ ଥିଲେ ପ୍ରକୃତ ଆଇ.ଏ.ଏସ୍. । ବିଦିତ ପ୍ରଶାସକ ହେବାକୁ ହେଲେ ଯେଉଁଆଡ଼େ ପବନ ସେଆଡ଼େ ଛତା କଲେ ଚଳିବ ନାହିଁ -ସତର୍କ ରହିବ, ଭଲ ବ୍ୟବହାର କରିବ, କିନ୍ତୁ ସୁବିଧାବାଦୀ ହେବନାହିଁ । ରବିଦାସ ସାର୍ ଏତକ ଫୋନ କରି କହୁ କହୁ ଆଇ.ଜି. ଭିଜିଲାନ୍ସ ଶ୍ରୀଯୁକ୍ତ ଗୋବିନ୍ଦଚନ୍ଦ୍ର ସେନାପତି ଘଟଣାର ସଂପୂର୍ଣ୍ଣ ସତ୍ୟତାକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଦେଲେ । ଦୁଃଖର ବିଷୟ ଯେଉଁ ବ୍ୟକ୍ତି କ୍ଷଣିକ କ୍ରୋଧରେ ଏ କୁମନ୍ତ୍ରଣାର ସୂତ୍ରଧାର ହୋଇଥିଲେ ତାଙ୍କର ହୃଦଘାତ ହୋଇଗଲା । ସେ ଡାକ୍ତରଖାନାରେ ଆଇ.ଜି. ଭିଜିଲାନ୍ସଙ୍କୁ ଖବର ପଠାଇ ନିଜର ସ୍ୱୀକାରୋକ୍ତି ଲିପିବଦ୍ଧ କଲେ । ସତକଥା କ’ଣ ଲେଖି ଦସ୍ତଖତ କଲେ । ତାପରେ ତାଙ୍କର ପରଦିନ ବିୟୋଗ ଘଟିଲା । ମତେ ତା ପୂର୍ବରୁ ରବିଦାସ ସାରଙ୍କ ଛଡ଼ା ମୋ ପରିବାର ମଧ୍ୟ ସମର୍ଥନ କରିନଥିଲେ-ଅନ୍ୟଙ୍କ କଥା ଛାଡ଼ । ବିନାସ୍ୱାର୍ଥରେ ରବିଦାସ ସାର୍ ସମସ୍ତଙ୍କୁ ମୋର କର୍ମଦକ୍ଷତା ଓ ସଚ୍ଚୋଟପଣିଆ ଉପରେ ନିଜଆଡୁ କହିଥିଲେ । ଏପରି ପ୍ରଶାସକ ବିରଳ ।

ଆଉ ଗୋଟିଏ ଘଟଣା । ସ୍ୱାସ୍ଥ୍ୟଗତ କାରଣରୁ ମୁଁ ସସ୍ତ୍ରୀକ ଦିଲ୍ଲୀ ଯାଇଥାଏ । ଓଡ଼ିଶା ଭବନରେ ପହଞ୍ଚି ଦେଖିଲୁ ପ୍ରତିଶ୍ରୁତି ସତ୍ତ୍ୱେ ଆମ ନାମରେ କୌଣସି ରୁମ ରଖାହୋଇନାହିଁ । ଶୀତ ରାତି, ପ୍ରାୟ ଦଶଟା ବାଜିଲାଣି । ଆମ ପାଖରେ ସାଧନ ନାହିଁ ଯେ କୌଣସି ହୋଟେଲ ଆଦିରେ ଯାଇ ରହିପାରିବୁ । ଅନେକ ଅଫିସର ରିସେପସନ୍ ଡେସ୍କ ପାଖରେ ଛିଡ଼ାହୋଇ ନିଜ ନିଜ ରୁମର ଚାବି ନେଇ ଚାଲିଗଲେ । ଆମ ସ୍ୱାମୀସ୍ତ୍ରୀଙ୍କ ଦୁରବସ୍ଥା ଅନେକଙ୍କୁ ଜଣାଥିଲା, କିନ୍ତୁ ସେମାନେ ବାଟକାଟି ନିଜନିଜ ସୁବିଧାରେ ଚାଲିଗଲେ । ରବିଦାସ ସାର୍ ଆମଦୁହିଁଙ୍କୁ ସେଠି ବିଚଳିତ ଅବସ୍ଥାରେ ଠିଆ ହୋଇଥିବାର ଲକ୍ଷ୍ୟକଲେ । ସେ ପ୍ଲାନିଙ୍ଗ୍ କମିସନ୍ ଆଲୋଚନା ପାଇଁ ଅନ୍ୟାନ୍ୟଙ୍କ ପରି ପହଞ୍ଚିଥିଲେ । ତାଙ୍କୁ ତାଙ୍କ ପଦବୀ ଅନୁସାରେ ଗୋଟିଏ ବଡ଼ରୁମ ମିଳିଥିଲା । ସେ କହିଲେ, ‘ଆରେ ପ୍ରସନ୍ନ, ତୁମର ରୁମ ନାହିଁ କି ? ଏତେ ରାତିରେ କୁଆଡ଼େ ଯିବ ? ’ ଆମେ ଦୁହେଁ ନିରୁତ୍ତର ହୋଇ ଛିଡ଼ାହୋଇ ରହିଲୁ । ସେ ଓଡ଼ିଶା ଭବନର ପରିଚାରକଙ୍କୁ କହିଲେ, ‘ତାଙ୍କ ଜିନିଷ ମୋ ଜିନିଷ ସଙ୍ଗେ ଏକାଠି ନେଇଚାଲ, ସେମାନେ ମୋ ରୁମରେ ରହିବେ ।’ ଆମେ ଲଜ୍ଜା ଆଉ ଗ୍ଲାନିରେ ଅସ୍ଥିର ହୋଇ ତାଙ୍କ ପଛେ ପଛେ ଚାଲିଲୁ । ରୁମରେ ପହଞ୍ଚି ସେ ପରିଚାରକଙ୍କୁ କହିଲେ, ‘ଅଧିକା ଚାଦର, ତକିଆ ଓ କମ୍ୱଳ ଆଣ । ଆଉ ପାଣି ଓ ଗ୍ଲାସ୍ ବ୍ୟବସ୍ଥା କର । ମ୍ୟାନେଜରଙ୍କୁ କହିବ ମୁଁ କହିଛି ବୋଲି ।’

ତା’ପରେ ସେ ଆମକୁ ବାଧ୍ୟକରି ବଡ଼ ଡବଲ୍ ବେଡରେ ଶୁଆଇଲେ ଏବଂ ନିଜେ ସେ ରୁମର ଗାଲିଚା ଉପରେ ହୋଇଥିବା ବିଛଣାରେ ଶୋଇଲେ । ସେପର୍ଯ୍ୟନ୍ତ ଆମେ ଦୁହେଁ କେବେହେଲେ ତାଙ୍କର କୌଣସି ବ୍ୟକ୍ତିଗତ କାମ କରିନଥିଲୁ । ତାଙ୍କ ଘରକୁ ମଧ୍ୟ ଯାଇ ସମ୍ଭାଷଣ ଆଦି ଜଣାଇ ନଥିଲୁ । ଏପରି ମାନବିକତା କେଉଁ ପ୍ରଶାସକ ନିଜ ଅଧସ୍ତନ ଅଫିସର ପ୍ରତି ଦର୍ଶାଇ ପାରିବେ ! ଆର୍ମି ଆଦିରେ ମୁଁ ଲକ୍ଷ୍ୟ କରିଛି -ଶୃଙ୍ଖଳା ଅଛି, ସିନିୟର-ଜୁନିୟର ଆଦି ପ୍ରଥା ଅଛି । କିନ୍ତୁ ଅଲିଖିତ ସୌହାର୍ଦ୍ଦ୍ୟର ଚଳଣି ଅଛି ଯାହା ଆଇ.ଏ.ଏସ୍. ଆଦିରେ ବିରଳ । ରବିଦାସ ସାର୍ ପ୍ରକୃତରେ ଜଣେ Stylist IAS ଥିଲେ; ସୁଟ୍ ବୁଟ୍ style ନୁହେଁ; ସହକର୍ମୀ ପ୍ରତି ସହାନୁଭୂତି, ନିଜ ପଦବୀର ଠିକ୍ ଉପଯୋଗ -ଏହା ହେଉଛି ପ୍ରକୃତ ଷ୍ଟାଇଲ୍ । ତା’ପରେ ବିଡିଏ; ମୁଁ ଉପାଧ୍ୟକ୍ଷ ହୋଇ କିଛି କାମକରି ତୁରନ୍ତ ମୁଖ୍ୟମନ୍ତ୍ରୀ ଆଦିଙ୍କ ବିଶ୍ୱାସଭାଜନ ହୋଇଗଲି । ଚଉଦ କୋଟି ଟଙ୍କାର କ୍ଷତିକୁ ହଟାଇ ବିଡିଏର ଦୁଇବର୍ଷରେ ୨୦ କୋଟି ଟଙ୍କା ଲାଭ କରାଇ ପାରିଲି । ରବିଦାସ ସାର୍ ସବୁ ଖବର ରଖିଥାନ୍ତି ।

ମୁଖ୍ୟମନ୍ତ୍ରୀ ମିଟିଙ୍ଗ୍ କଲେ -ସଚିବାଳୟ ସାମନା ପ୍ୟାରେଡ ଗ୍ରାଉଣ୍ଡ ଯେଉଁଠାରେ ଇନ୍ଦିରାଜୀ ତାଙ୍କ ଶେଷ ଭାଷଣ ଦେଇଥିଲେ, ତାହା ଏକ ଭଲ ପାର୍କରେ ପରିଣତ କରାହେବ ; ଏବଂ ରୁଷିଆରୁ ନିର୍ମିତ ହୋଇ ଶ୍ରୀମତୀ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସେଠାରେ ସ୍ଥାପନ କରାହେବ । କିଏ ଏ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଆଡ଼କୁ ଚାହିଁ କହିଲେ -ବିଡିଏ ଏହି କାମକୁ ତୁଲାଇବେ । ସରକାର ବିଡିଏକୁ ଏଥିପାଇଁ ଖର୍ଚ୍ଚ ଦେବେ । ଅଗ୍ରିମ ଏକକୋଟି ଟଙ୍କା ପର୍ଯ୍ୟାୟକ୍ରମେ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ କଥା ଉପରେ ଆଉ କିଏ କ’ଣ ବା କହିବେ । ମିଟିଙ୍ଗ ସରିଲାପରେ ସମସ୍ତେ ବାହାରି ଗଲାବେଳେ ରବିଦାସ ସାର୍ ମତେ କହିଲେ, ‘ହଇରେ ଶଳା !(ଏଇଟା ତାଙ୍କ ଗାଳି ନୁହେଁ ; ସ୍ନେହର ନିଦର୍ଶନ) କ’ଣ କରିବୁ ନା କୋଟିଏ ଟଙ୍କା ନେଇ ପାର୍କ କରିବୁ । ଲୋକଙ୍କୁ ପାଣି ଯୋଗାଇବାକୁ ପଇସା ନାହିଁ; କହିଲୁ କ’ଣ ନା କୋଟିଏ ଟଙ୍କା ନେବୁ ।' ମୁଁ ଦରହସା ମୁହଁରେ ତାଙ୍କୁ କହିଲି, ‘ଆପଣ ଭିତରେ ମନା କଲେନି । ଏବେ ମୋ ଉପରେ ରାଗିଲେ ମୁଁ କ’ଣ କରିବି; ମତେ କାମ ଆରମ୍ଭ କରିବାକୁ ହେବ; ମାତ୍ର ସାଢ଼େ ପାଞ୍ଚମାସ ଭିତରେ ପୁରାପାର୍କ କରିବାକୁ ହେବ । ଆପଣ ଆଉ ୱାର୍କସ ସେକ୍ରେଟାରୀ, ପ୍ଲାନ୍ ଏଷ୍ଟିମେଟ୍ ମଧ୍ୟ ମଞ୍ଜୁର କରିବେ । ନହେଲେ ମୁଁ କାମ କରିବି ନାହିଁ ।’ ସେ କହିଲେ, ‘ଦସକତ୍ କରିବି, ତୁ ତିଆରି କର କିନ୍ତୁ ତତେ ଗୋଟେ ଟଙ୍କା ଦେବିନାହିଁ ।’ ମେ ଦ୍ଵିତୀୟ ସପ୍ତାହରେ ପଡ଼ିଆ ଆମକୁ ଦିଆଗଲା । ମୁଁ କାମ ଆରମ୍ଭ କରିଦେଲି । ଜୁନ୍ ୩ ତାରିଖ ଦିନ ପଡ଼ିଆରେ ଯାଇ ପହଞ୍ଚି କାମର ସମୀକ୍ଷା କଲି । ପଡ଼ିଆ ଚାରିଭାଗରେ ବିଭକ୍ତ ହୋଇ ଚାରିଜଣ କଣ୍ଟ୍ରାକ୍ଟରଙ୍କୁ ବଣ୍ଟା ହୋଇଥିଲା । ପୁରାଦମରେ କାମ ଆରମ୍ଭ -ଅବା ସେପରି ଆମ ଇଂଜିନିୟର ବନ୍ଧୁ ଓ ଉଦ୍ୟାନବିତ୍ ଭାବୁଥାନ୍ତି । ସମୀକ୍ଷାରେ ଅଳ୍ପସମୟରେ ଜଣାପଡ଼ିଲା ପ୍ରତ୍ୟେକ କଣ୍ଟ୍ରାକ୍ଟର ଆଉ ଆଠରୁ ଦଶ ଲେବର୍ ଓ ଦୁଇରୁ ତିନି ଅଧିକା ଟ୍ରକ୍ କାମରେ ଲଗାଇଲେ ଯାଇ ସମୟରେ ମାଟିକାମ ଓ ମାଟିର ଆବଶ୍ୟକୀୟ କମ୍ପାକ୍ଟିଙ୍ଗ ଓ ସେପିଙ୍ଗ ହୋଇପାରିବ -ତା ଉପରେ ଘାସ ଗାଲିଚା ଆଦି ହୋଇ ପାର୍କ ଜୀବନ୍ୟାସ ନେବ । ପ୍ରତ୍ୟେକ କଣ୍ଟ୍ରାକ୍ଟର ନିଜ ତରଫରୁ ଏ କଥା କହିଲେ, ଇଂଜିନିୟର ଆଦି ମଧ୍ୟ ସହମତ ହେଲେ । ସମସ୍ତେ କହିଲେ ‘ରଜପରେ ଅଧିକ ଶ୍ରମିକ ଆଦି ଲଗାଇବା’ । ମୁଁ କାମରେ ଓ ଗପବହି ପଢ଼ିବାରେ ଭୋଳ । ପିଲାଦିନେ ରଜରେ ଉତ୍ସାହର ସହ ଖେଳୁଥିଲି, କଲେଜ ପରେ ସେସବୁ ଭୁଲି ଯାଇଥିଲି । ବୁଝ୍ ବୁଝ୍ କ’ଣ ଯେ ମାଟିକାମ ବିଶାରଦ ସବୁ ଶ୍ରମିକ ସାନ୍ତାଳୀ ଲେବର୍ । ଜୁନ୍ ୧୨ ତାରିଖରୁ ରଜ ପାଳିବାକୁ ତାଙ୍କ ଗାଁକୁ -କେଉଁଝର ମୟୁରଭଞ୍ଜ ସୀମାନ୍ତ ଗ୍ରାମମାନଙ୍କରେ ତାଙ୍କ ଘର- ସମସ୍ତେ ଯିବେ । ରଜ ତିନିଦିନ, ଜୁନ ୧୩-୧୫ ପରେ ୧୬ ତାରିଖ ଆଡ଼କୁ ଅଧିକା ଶ୍ରମିକସାଥୀ ଧରି ଫେରିବେ ।

ଏକଥା ଶୁଣି ମୋ ମୁଣ୍ଡରେ ବଜ୍ରପାତ । ମୁଁ ଭାବିଲି, ଏମାନେ ଗାଁକୁ ଯିବା ମନସ୍ଥ କଲେ ୧୧ ତାରିଖରୁ କାମ ଢ଼ିଲାକରି ବଜାରହାଟରେ ମାତିବେ । ୧୬ରେ ନଫେରି ଆସୁ ଆସୁ ୧୭-୧୮ ଜୁନ୍ ହୋଇପାରେ । କାମ ଅକ୍ଟୋବର ୨୮ ସୁଦ୍ଧା ସଂପୂର୍ଣ୍ଣ ହେବା ଦରକାର । ପ୍ରତିଟି ଦିନ ଅଶେଷ ମୂଲ୍ୟବାନ୍ - ବର୍ଷା ଆଦି ମଧ୍ୟ ଆଗକୁ ଅଛି । ମୁଁ ଦିନେ ଦୁଇ ଦିନ ସକାଳେ ସଞ୍ଜେ ଯାଇ ସେ ପାର୍କ ପଡ଼ିଆର ଗୋଟେ ପଟକୁ ପଲ୍ଲାମାରି ରହିଥିବା ଶ୍ରମିକ ପରିବାରମାନଙ୍କ ସଙ୍ଗେ ବନ୍ଧୁତା ଆରମ୍ଭ କଲି । ୯ ତାରିଖ ଦିନ ପୁଣି ପଡ଼ିଆରେ ସମସ୍ତେ ଏକାଠି ହେଲୁ । ମୁଁ କହିଲି -‘ଏବର୍ଷ ରଜ ତୁମେମାନେ ଏଇଠି ପାଳିବ । ପୁରୁଷମାନଙ୍କୁ ନୂଆ ଧୋତି ଦିଆଯିବ, ରଜ ତିନିଦିନ ଦୁଇଗୁଣା ମଜୁରୀ ଦିଆଯିବ, ସ୍ତ୍ରୀଲୋକଙ୍କୁ ଶାଢ଼ି ଦିଆହେବ, ପିଲାମାନଙ୍କୁ ଖେଳଣା, ଲୁଗାପଟା ଓ ମିଠେଇ ଦିଆହେବ ।’ ଏବଂ ଏବେ ସ୍ୱୀକାର କରିବାକୁ ବାଧ୍ୟ ହେଉଛି - ଚାରିଜଣ କଣ୍ଟ୍ରାକ୍ଟରଙ୍କୁ କହିଲି - ‘ଏଇ ଦେଖ, ରଜରେ ଏମାନଙ୍କର କିଛି ଊଣା ଯେପରି ନହୁଏ । ସବୁ ସନ୍ଧ୍ୟାରେ ଯାହା ଖାଇବେ, ଯାହା ପୁରୁଷମାନେ ପିିଇବେ ତୁମେ ଦେବତ ?’ ସବୁ କଣ୍ଟ୍ରାକ୍ଟର ହସିପକାଇଲେ, ହଁ ଭରିଲେ । ମୁଁ ପୁଣି କହିଲି, ‘ଜଣେ ଯାଇ ଗାଁରୁ ଆଉ ଶ୍ରମିକସାଥୀ ନେଇଆସୁ । ପ୍ରତି ଅଧିକା ଶ୍ରମିକ ଆସିବା ପାଇଁ ଏକଶହ ଟଙ୍କା ପୁରସ୍କାର ଦିଆଯିବ ।’ ଏଥିରେ ମଧ୍ୟ କଣ୍ଟ୍ରାକ୍ଟରମାନେ ଖୁସିରେ ସହମତ ହେଲେ । ଯାହା କହନ୍ତି ଧମାଧମ୍ କାମ ଚାଲିଲା । ଜୁନ୍ ତେର ଅବା ଚଉଦ, ରବିବାର । ତଥାପି ମୁଁ ଅଫିସରେ ବସି କିଛି କାମ କରୁଥାଏ । ଫୋନ୍ ବାଜିଲା । ମୋବାଇଲ ଯୁଗ ଆରମ୍ଭ ହୋଇନଥିଲା । ମୁଁ ନିଜେ ଫୋନ୍ ଉଠାଇଲି -‘ସାର୍, ମୁଁ ଫାଇନାନ୍ସ ସେକ୍ରେଟାରୀଙ୍କ ପି.ଏ. କହୁଛି । ଦାସ ସାର୍ କଥାହେବେ ।’ କିଛି ସେକେଣ୍ଡ ପରେ ସାରଙ୍କ ସ୍ୱର -‘କିରେ ପ୍ରସନ୍ନ ! ରବିବାରରେ ଅଫିସରେ କ'ଣ କରୁଛୁ ?’ ମୁଁ ଚଗଲା; କହିଲି, ‘ଯଥା ଗୁରୁ ତଥା ଚେଲା -ଆପଣ ରବିବାରରେ ଅଫିସରେ । ମୁଁ ମଧ୍ୟ ।’ ସେ ହସି କହିଲେ, ‘ଜବାବ୍ ଦେବା ଛାଡ୍ । ଆଗ କହ ଗୋଟେ କଥା । ହଇରେ ପିଲାଦିନୁ ମୁଁ କେବେହେଲେ ଓଡ଼ିଶାରେ ରଜରେ କାହାକୁ କାମ କରିବା ଦେଖିନାହିଁ । ଆଜି ସକାଳୁ ମୁଁ ଗାଡ଼ି ଚଲାଇ ମାଛ କିଣିବାକୁ ଚାରିନମ୍ୱର ମାର୍କେଟକୁ ଯାଇଥିଲି । ରାସ୍ତାରେ ଦେଖିଲି, ମାଟିକାମ ଖୁବ୍ ଜୋରସୋରରେ ଚାଲିଛି ।’ ମୁଁ ତାଙ୍କୁ ଆଉ ଟିକେ ଚିଡ଼ାଇବାକୁ କହିଲି, ‘ସାର୍, ଆପଣଙ୍କ ନାଁ ନେଇ ଧମକାଇ ଦେଇଛି । କହିଛି, କାମ ନକଲେ ସାର୍ ଗୋଟେ ଟଙ୍କାବି ଦେବେ ନାହିଁ । ମୁଁ ତୁମ ମଜୁରୀ କେଉଁଠୁ ଦେବି?' ସାର୍ କହିଲେ, ‘ରହ ମ, ୟାଡୁ ସାଡୁ କହନା । ପରିଷ୍କାର କହ, ରଜରେ ମାଟିକାମ କିପରି କରାଉଛୁ ?’ ମୁଁ ତାଙ୍କୁ ସବୁକଥା କହିଲି । ସେ ସଂକ୍ଷେପରେ ଜବାବ ଦେଲେ, ‘ଏବେ ମୁଁ ମାନିଗଲି ; ତୁ ପାର୍କ କରିଦେବୁ । କାଲି ସକାଳେ ସାଢ଼େ ଦଶଟା ସୁଦ୍ଧା ତୋ ପାଖରେ ଏକାବନ ଲକ୍ଷ ଟଙ୍କାର ବ୍ୟାଙ୍କଡ୍ରାଫ୍ଟ ପହଞ୍ଚିବ ।’ ସତକୁ ସତ ତା ଆରଦିନ ଠିକ୍ ଦଶଟା ପଚିଶରେ ମୋ ଅଫିସ କବାଟ ଖୋଲି ଅର୍ଥବିଭାଗର ଅଣ୍ଡର ସେକ୍ରେଟାରୀ ଆସି ପହଞ୍ଚି ମତେ ଲଫାପା ବଢ଼ାଇ କହିଲେ, ‘ସାର୍ ମତେ ଆପଣଙ୍କ ହାତରେ ଦେବାକୁ କହିଛନ୍ତି। ଏହା ଭିତରେ ୫୧ ଲକ୍ଷ ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ ଅଛି ।’ ସେ ପାର୍କର ପ୍ଲାନ୍ ଏଷ୍ଟିମେଟ୍ ଏକ କୋଟି ଟଙ୍କାର ତିଆରି ହୋଇଥିଲା । ୱାର୍କସ ସେକ୍ରେଟାରୀ ନିଉଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ମୁଖ୍ୟ ଉଦ୍ୟାନବିତ୍ ଓ ଅର୍ଥସଚିବ ମଞ୍ଜୁର କରି ଦସଖତ କରିଥାନ୍ତି । ପାର୍କରେ ସମୁଦାୟ ଖର୍ଚ୍ଚ ଚଉଷଠି ଲକ୍ଷ ଟଙ୍କା ଭିତରେ ସମାପ୍ତ ହେଲା । ବର୍ଷେ ପରେ ସରକାର ବଦଳିଲେ, ନୁଆ ସରକାର ଆସେମ୍ୱଲି ଯାଞ୍ଚକମିଟି ବସାଇଲେ । ଅଠଚାଳିଶ ଘଣ୍ଟା ପରେ ଯାଞ୍ଚ ବନ୍ଦ କରିଦେଲେ ଯେତେବେଳେ ସବୁ ତଥ୍ୟ ଜଣାପଡ଼ିଲା । ଆମେ ଟ୍ରକଭରା ମାଟି ୧୩୦ଟଙ୍କାରେ କିଣିଥିଲୁ । ସାରା ଇରିଗେସନ୍ ଡିପାର୍ଟମେଣ୍ଟ ୧୮୦ରୁ ୨୦୦ରେ କିଣୁଥିଲେ । ଜଳସଂପଦ ବିଭାଗର କଣ୍ଟ୍ରାକ୍ଟରମାନେ ଜନତାଦଳର ମୁଖ୍ୟ ଚାନ୍ଦାଦାତା ଥିଲେ । ସେମାନେ ଯାଇ କହିଲେ, ‘ଯଦି ଯାଞ୍ଚ ଚାଲିବ; ଏକଥା ବାହାରକୁ ଆସିବ । ସମସ୍ତେ ହଇରାଣ ହେବା । ପ୍ରସନ୍ନ ହୋତାଙ୍କର କିଛି ଗୋଳମାଳ ନାହିଁ । ବନ୍ଦ କରନ୍ତୁ ।’ ମୁଁ ସେତେବେଳକୁ ବଦଳି ହୋଇ ଦିଲ୍ଲୀରେ । କାହା ଆଗେ ସଫେଇ ଦେବାକୁ ସୁଯୋଗ ବି ନଥିଲା । ପରେ ଶୁଣିଲି ରବିଦାସ ସାର୍ ଏଇ କଥାର ଗୁରୁତ୍ୱ କିଛି ପ୍ରଭାବଶାଳୀ ଏମ୍.ଏଲ୍.ଏ.ଙ୍କ କାନରେ ପକାଇ ଦେବାରୁ ସେମାନେ ଯାଞ୍ଚ ବନ୍ଦ କରାଇଦେଲେ ।

ତା’ପରେ ମୁଁ ଦିଲ୍ଲୀରୁ ଫେରି ସ୍ୱାସ୍ଥ୍ୟ-ସଚିବ ହୋଇ ସାରଙ୍କ ପାଖେ କାମ କଲି । ସାର୍ ସେତେବେଳକୁ ଚିଫ୍ ସେକ୍ରେଟାରୀ । ଯେବେ ମୁଁ ତାଙ୍କ ରୁମକୁ କାମ ପାଇଁ ଯାଏ, ପାଞ୍ଚ ମିନିଟରେ ନିର୍ଣ୍ଣୟ ପାଏ । ଅପୂର୍ବ ତାଙ୍କ ଦକ୍ଷତା । ମୋ ଟେବୁଲ୍ ମୋ ଶତ ଚେଷ୍ଟା ସତ୍ତ୍ୱେ କାଗଜରେ ଭରା ଥାଏ । ମୁଁ ବିଳମ୍ୱିତ ରାତିଯାଏ ବସି, ଆଗାମୀ ଦିନକୁ କେଉଁ ବି କାଗଜ ବାକି ରଖୁନଥାଏ । କିନ୍ତୁ ରବିଦାସ ସାରଙ୍କ କଥା ନିଆରା । ସେ କେବେ କହନ୍ତିନି, 'ଆଚ୍ଛା, ପ୍ରସ୍ତାବ ପଠାଅ । ମୁଁ ନିରୀକ୍ଷଣ କରି ଉପଯୁକ୍ତ ଆଦେଶ ଦେବି'। ତୁମେ ଯଦି ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଥିବ, ତତ୍ କ୍ଷଣାତ୍ ମଞ୍ଜୁରୀ ପାଇବ । ତାଙ୍କ ଟେବୁଲ ସଦାବେଳେ ସଫା । ଫାଇଲ୍ ଆସିଲା କ୍ଷଣି ସେ ତୁମ ସଙ୍ଗେ କଥା ହେଉ ହେଉ ପିଅନ ଆସି ଫାଇଲ୍ ନେଇ ଗଲେଣି । ଫଟାଫଟ୍ କାମ । ମୁଁ କାମିକା ବୋଲି ମୋର ଗର୍ବ । କିନ୍ତୁ ରବିଦାସ ସାରଙ୍କ ଆଗରେ ମୋର ସବୁ ଗର୍ବ ଖର୍ବ । ତାଙ୍କ ପରି ସୁଦକ୍ଷ ପ୍ରଶାସକ ଅନେକ ଦଶନ୍ଧିରେ ଜଣେ ଅଧେ ବାହାରନ୍ତି ।

ଏବେ ଅନେକ ବର୍ଷପରେ ତାଙ୍କ ଫୋନ୍ ନମ୍ୱର ପାଇଲି । ସାହସ କରି ଯୋଗାଯୋଗ କଲି । ସେ ଅତି ସ୍ନେହରେ ଫୋନରେ କଥାବାର୍ତ୍ତା କଲେ । ମତେ ବିସ୍ମିତ କରି ତା’ ଆରଦିନ ବଙ୍ଗଳା ଓ ଓଡ଼ିଆ ଗୀତ ଆଦି ପଠାଇଲେ । ଆମମାନଙ୍କ ମଧ୍ୟରୁ (ଅନ୍ତତଃ ମୋର) ସାଂସାରିକ ଲାଳସା ସରିନାହିଁ ; ଏପରି କାମ କରିଥିଲି, ସେପରି କୃତିତ୍ୱ କରିଥିଲି(ଇତ୍ୟାଦି) ବଖାଣିବାକୁ ଆଗ୍ରହୀ । ରବିଦାସ ସାର୍ ନିଜର କୃତି ବିଷୟରେ କେବେବି ବଖାଣୁ ନଥିଲେ । ଯେଉଁ ବ୍ୟକ୍ତିତ୍ୱଙ୍କର ପ୍ରଶଂସା ସ୍ୱାଭାବିକ ପ୍ରାପ୍ୟ, ସେ ନିଜ ଦୈନ୍ୟ କାହିଁକିବା ଦେଖାଇବେ ! ମୁଁ ତାଙ୍କୁ ସାର୍ ସାର୍ ବାରମ୍ବାର କହିବାରୁ, ସେ ହସିଲେ, କହିଲେ 'ମତେ ଖବର ଅଛି ଯେ ଏବେ ତତେ ମୁଁ ସାର୍ କହିବି। ତତେ କୁଆଡେ ଭଲ କାମ ଯୋଗୁ Knighthood ଉପାଧି ମିଳିଚି ।' ଉଭୟେ ବହେ ହସିଲୁ ।

ସାର୍ ମୋ କଥାରେ ପ୍ରଭାବିତ ହୋଇ Indian Liver Patient Foundation ପାଇଁ ଏକ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ନିଜ ତରଫରୁ କହିଥିଲେ । କୋଭିଡ୍ ମହାମାରୀ ସମୟରେ ଗରୀବଲୋକଙ୍କ ପରିବାରବର୍ଗକୁ ଖାଦ୍ୟ ଯୋଗାଇବା ପାଇଁ ପନ୍ଦର ହଜାର ଟଙ୍କା ଦେଇଥିଲେ । ମୁଁ ସାହସ କରି କିଛି ଲେଖା ଓ ଗପ ଆଦି ତାଙ୍କୁ ପଠାଇଥିଲି । ଫୋନରେ କହିଥିଲେ, ‘ତୋର ଅନେକ ଦିଗ ଅଛି । ତୁ ସେ ପାର୍କ କଲାଦିନୁ ମୁଁ ତୋ କ୍ଷମତା ଜାଣି ପାରିଥିଲି; ତୁ ଇଚ୍ଛା କଲେ ଅନେକ କାମ କରିପାରୁ ।’

ରବିନାରାୟଣ ଦାସ ଥିଲେ ଜଣେ କାଳଜୟୀ ଦକ୍ଷ ପ୍ରଶାସକ ଏବଂ ସ୍ନେହର ଅମାପ ଓ ଅସରନ୍ତି ଭଣ୍ଡାର । ଉତ୍କଳ ବିଶ୍ୱବିଦ୍ୟାଳୟରେ ରବି ଦାସ ଚେୟାର ଅଫ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ଆରମ୍ଭ ହେବା ଉଚିତ୍। ପ୍ରତ୍ୟେକ ଆଇ.ଏ.ଏସ୍ ଅଫିସର୍ ତାଙ୍କ କାର୍ଯ୍ୟକାଳର ପନ୍ଦର ବର୍ଷ ସମାପ୍ତି ପରେ ତିନି ମାସ ପାଇଁ ବାଧ୍ୟତାମୂଳକ ଭାବେ ବିଶ୍ଵବିଦ୍ୟାଳୟକୁ ଯାଇ ପଢ଼ିବେ ଏବଂ ପଢ଼ାଇବେ । ପ୍ରଶାସନରେ ଏକ ନୂତନ ପ୍ରଚେଷ୍ଟା ସ୍ୱର୍ଗତ ରବି ଦାସଙ୍କ ପାଇଁ ଯଥୋଚିତ ସମ୍ମାନ ହେବ ।