କବିଇଇଇଇ.......ଫୋନ ସେପାଖୁ ଡାକିବ ସେ । ଏପାଖୁ ମୁଁ ବି ଚିଲ୍ଲେଇବି କବିଇଇଇଇ.......

ସେତିକି । ଅଖିଳ ଆଉ ମୋ ଭିତରେ ଗୋଟେ ସରୁନଥିବା ପ୍ରତିଧ୍ବନି । ତିରିଶ ବର୍ଷ ଧରି ଆମେ ସାଙ୍ଗ । ଆମେ କବି । ଆମେ ବୋଇଲେ ଚାରିଜଣ । ମୁଁ, ଭାରତ, ପବିତ୍ର ଆଉ ଅଖିଳ । କେବଳ ଭାରତ ଡାକେ ପ୍ରଭୁ ଆଉ ଆମେ ସମସ୍ତେ କବି । ବେଳେବେଳେ ଅତି ପ୍ରେମରେ ପବିତ୍ର ଆମର ମହାକବି । ପରସ୍ପରକୁ କବି ବୋଲି ଡାକିବାବେଳେ ଆମେ ଜାଣିଥିଲୁ ଆମ କବିତ୍ଵର ସୀମା କେତେ । ଆମେ ଧୂଳି ଓ ମାଟିର ମଣିଷ । ଆମ କବିତା ସେଇ ଧୂଳିମାଟି ପରି ନଶ୍ଵର । ଆଜି ଯେତେବେଳେ ଆମ ଭିତରୁ ପ୍ରଥମେ ଅଖିଳ ଲିଭି ଯାଉଛି, ସେତେବେଳେ ଆମର କବିତା ଲାଗୁଛି ଆହୁରି ଧୂଆଁଳିଆ, ଆହୁରି ଫିକା । ଆମେ ସବୁ ଧୂଆଁ ଓ ଧୂଳିର କବି । ଆମ ଭିତରେ ଅଖିଳ ସବୁଠୁ ବେଶୀ ଧୂଳିଆ । ସେ ନିଜ ଜୀବନକୁ ଧୂଆଁ କରି ଫୁଙ୍କେ । ଶାଳପତ୍ରରେ ଜୀବନକୁ ମହୁଲି ପରିକା ଢକଢକ ପିଏ । ତା ପିଇବା ଗୋଟେ ପ୍ରକାର ଉତ୍ସବ । ସେ ପିଇଲେ ରୋଳା କରିବ, ଉତ୍ପାତ କରିବ, ଆମକୁ ଶୋଧାବକା କରିବ, ସାନପିଲା ପରି ଡେଇଁବ ଆଉ କାନ୍ଦିବ । ତାର ସବୁ ଉତ୍ପାତ ସାଙ୍ଗମାନଙ୍କ ସହିତ । ବାହାରେ ସେ ସୁଧାର ଓ ଶାନ୍ତ ପିଲା ।

ତାର ପିଇବା ପ୍ରକ୍ରିୟା ଇ ଗୋଟେ କବିତା । ସେ କବିତାକୁ ପିଏ, ଆଉ କବିତା ବି ତାକୁ ପିଏ । ସେଥିଲାଗି ତା କବିତାରେ ପ୍ରଚୁର ଧୂଆଁ ଓ ନିଶା । ତା କବିତା ଆପଣଙ୍କୁ ଆକ୍ତାମାକ୍ତା କରିଦେବ । ଛାତି ଭିତରେ ପବନ ଅଟକିଲା ପରି ତା କବିତା ବଡ କଷ୍ଟ ଦିଏ । ଆମ ସମୟର ବିଦ୍ଵେଷ ଓ ବିଭୀଷିକା, ବିଭାଜନ ଓ ବିଷାଦ ଏବଂ ସର୍ବୋପରି ସାମାଜିକ ସଙ୍କଟର ବିଷଚକ୍ରକୁ ଅଖିଳ ନିଜ କବିତାରେ ଅନ୍ଧାରର ଅକ୍ଷରରେ ଲେଖେ । ତେଣୁ ତା କବିତାରେ ଏତେ ଧୂଆଁ, ଧୂଳି, ଅନ୍ଧାର ଓ କ୍ଷତଚିହ୍ନ । ତା କବିତାରେ ପୁଲିସର ଗୁଳି ଖାଇଥିବା ଆଦିବାସୀର ରକ୍ତପାଦ । ତା କବିତାରେ ନିୟମଗିରି ପାହାଡର ଦୀର୍ଘଶ୍ଵାସ ।

ନବେ ଦଶକରେ ଆମେ ସବୁ କବିତା ଲେଖିବା ଆରମ୍ଭ କରୁଛୁ । ସେ ସମୟ ଗୋଟେ ବିଚିତ୍ର ସନ୍ଧିକାଳ । ଗୋଟେ ଭୟଙ୍କର ପରିବର୍ତ୍ତନର ପୂର୍ବବର୍ତ୍ତୀ ନିରବତାର ସେ ସମୟ । ଇଣ୍ଟରନେଟ ଆସିବା ପୂର୍ବରୁ ନାଲି ଡାକବାକ୍ସ ଓ ଅପହଞ୍ଚ ଦୂରତାମାନଙ୍କର ସେ ସମୟ । ସେଇ ସମୟରେ ଅଖିଳ ଆମ ଲାଗି ସବୁଠୁ ଆଗରେ ଥିବା କବି । ୧୯୯୦ ବେଳକୁ ଓଡିଶାର ସବୁ ବଡ ପତ୍ରପତ୍ରିକାରେ ତା’ କବିତା । ସବୁ ବଡ କବିଙ୍କ ମୁହଁରେ ତା ନାଁ । ଆମେ ସବୁ ନୂଆଙ୍କ ଭିତରେ ସେ ଟିକେ ପୁରୁଣା । ବୟସରେ ନୁହଁ ପ୍ରତିଷ୍ଠାରେ । ୧୯୯୩ରେ ତାର ପ୍ରଥମ ବହି “ଗାଧୁଆ ବେଳ” ପ୍ରକାଶ ପାଉଛି । ଆମେ ସବୁ ହତବାକ । ତା କବିତା ସବୁ ୧୮ ରୁ ୨୫ ଧାଡି ଭିତରେ । ଯେମିତି ଛାଟି ଛାଟି ସେ ବସେଇଛି ଚିତ୍ର । କବିତାରେ ଗୋଟେ ବି ଅନାବଶ୍ୟକ ଶବ୍ଦ କି ଚିତ୍ର ନାଇଁ । କଥାକୁହା ଭାଷାରେ ଗୋଟେ କୁହୁକ ସେ ତିଆରି କରୁଛି । ମୋ ଲାଗି ଅଖିଳର କଥକତା ଇ ତାର କବିତା । କଥା କହୁକହୁ କେଉଁ ଛଟକରେ ସେ ଚମକେଇ ଦେବ ପାଠକକୁ । ଆମେ ସବୁ ନିଜ କବିତାର ବାଟ ଖୋଜୁଥିବାବେଳେ ଅଖିଳ ନିଜ ବାଟ ତିଆରି କରି ସାରିଥିଲା ।

ଅଖିଳର କବିତା ଗୋଟେ ପ୍ରକାର ଚିତ୍ରଶାଳା । କଥାବାର୍ତ୍ତା ଛଳରେ ସେ ଗୋଟେ ଗ୍ୟାଲେରୀ ଭିତରକୁ ଆପଣଙ୍କୁ ଟାଣିନେବ । ଚିତ୍ର ଦେଖାଇବା ଛଳରେ ଆପଣଙ୍କୁ ନେଇ ସେ କେତେବେଳେ ଠିଆ କରେଇଦେବ ଗୋଟେ କୁହୁକ ଦର୍ପଣ ଆଗରେ । ସେଇ ଦର୍ପଣରେ ଆପଣ ଦେଖିବେ ନିଜର ଚର୍ମ ଚଉରାଶି । ଦେଖିବେ ନିଜ ଭିତରର କପଟୀ ଅନ୍ଧାର । ନିଜ ରକ୍ତର ଟକମକ ଉତ୍ତେଜନା ଓ ଅଶାନ୍ତ ଘୂର୍ଣ୍ଣି ବି ଦିଶିବ କବିତାର ଦର୍ପଣରେ । ହଁ, ଅଖିଳର କବିତା ସେୟା ।

ଅଖିଳ ନାୟକ, ମୋ ବନ୍ଧୁ । ଅଖିଳ ନାୟକ, ଆମ ସମୟର ଗୋଟେ ଅଲଗା ଧାରାର କବି । ମୁଁ ମୋ ବନ୍ଧୁକୁ ହରାଇଛି, ତେଣୁ ଆଜି ବନ୍ଧୁତାର କଥା କହିବି । ବନ୍ଧୁତାର କଥା କହିବାବେଳେ କବିତା କଥା ବି ଅବଶ୍ୟ ଆସିବ, କାରଣ ଆମ ବନ୍ଧୁତାର ମୂଳରେ କବିତା ଇ ରହିଥିଲା । ବୋଧେ ୧୯୯୧ କି ୯୨ରେ ତାର ଗୋଟେ କବିତା ମୋତେ ଭୀଷଣ ଆଘାତ ଦେଇଥିଲା । ସେ କବିତାକୁ ପ୍ରଚଣ୍ଡ ଆକ୍ଷେପ କରି ମୁଁ ତାକୁ ପୋଷ୍ଟକାର୍ଡରେ ଗୋଟେ ଚିଠି ଲେଖିଥିଲି । ଉତ୍ତରରେ ଫେରିଥିଲା ଗୋଟେ ଇନଲାଣ୍ଡ ଲେଟର । ବେଶ ଲମ୍ବା ଚିଠି । ହେଲେ ମୋ ଆଲୋଚନାର କିଛି ଉତ୍ତର ନାଇଁ । ଖାଲି ଧାଡିଏ ଲେଖିଛି - “ତମକୁ ମୋ କବିତା ଭଲ ନ ଲାଗିଲେ ନାଇଁ ହୋ, ତମ କବିତା ମୋତେ ଭଲ ଲାଗେ” । ଏମିତି ଆମର ଚିଠି ଦିଆନିଆ ଚାଲିଥାଏ । ଭାରତ ସାଙ୍ଗେ ସେତେବେଳକୁ ଦେଖାହେଲାଣି । ପବିତ୍ର ସାଙ୍ଗେ ବି ବନ୍ଧୁତା ବଢିଲାଣି । ହେଲେ ୧୯୯୩ ଯାଏ ଅଖିଳ ସହ ମୋର ଦେଖା ହୋଇନଥାଏ । ଯଦିଓ ପବିତ୍ର ମାଧ୍ୟମରେ ଅଖିଳର ସବୁ ଖବର ମୋ ପାଖେ ରହିଥାଏ ।

ପୁରୀର ଗୋଟେ ଶୀତୁଆ ରାତି । ପ୍ରାୟ ରାତି ଆଠଟାବେଳେ ମୋ ମାଉସୀଙ୍କ ଦତ୍ତତୋଟା ଘରେ ପବିତ୍ର ଆସି ଡାକିଲା - କହିଲା, ଅଖିଳ ଆସିଛି । ଦାଣ୍ଡରେ ଠିଆ ଅଖିଳ । ତା ସାଙ୍ଗେ କବି ସୁରେଶ ନାୟକ ଓ ବିଶ୍ବଭୂଷଣ ଓରଫ ଟୁଲା । ( ବିଶ୍ବଭୂଷଣ ଅଳ୍ପ କିଛି କବିତା ଲେଖିଥିଲେ, ହେଲେ ବେଶ ଭଲ କବିତା । ଅକାଳରେ ସେ ଚାଲିଗଲେଣି ବହୁ ବର୍ଷ ଆଗରୁ) ସେଇ ପ୍ରଥମ ଦେଖାରେ ଲାଗିଥିଲା - ୟାକୁ ତ ମୁଁ ନୂଆ ଦେଖୁନି । ତା ପରଠୁ ପ୍ରାୟ ତିରିଶ ବର୍ଷର ପାରିବାରିକ ସମ୍ପର୍କ ।

ଆମ ସମ୍ପର୍କର ସୂତ୍ର ତିନୋଟି । ୧ - କବିତା ଆମର ପ୍ରଥମ ଓ ଅନ୍ତିମ ପ୍ରେମ । ୨ - ସାମାଜିକ ସମାନତା ଓ ସାମାଜିକ ନ୍ୟାୟ ଆମର ଅଙ୍ଗୀକାରବଦ୍ଧତା । ୩ - ମାର୍ଗ ଓ ମାଧ୍ୟମ ଅଲଗା ହେଲେ ବି ଭଲପାଇବା ଆମର ଆଧାର । ବିଚାରରେ ଅଖିଳ ଚରମପନ୍ଥୀ । ମାର୍କ୍ସ ଓ ଆମ୍ବେଦକରଙ୍କର ମାର୍ଗରେ ତାର ଆସ୍ଥା । ମୁଁ ଟିକେ ଗାନ୍ଧୀଙ୍କୁ ଭଲପାଏ । ମୋ ସାଙ୍ଗେ ପବିତ୍ର । ଗାନ୍ଧୀ ବନାମ ଆମ୍ବେଦକରଙ୍କ ବିଚାରକୁ ନେଇ ଆମ ଭିତରେ ଦିନ ଦିନର ବିତର୍କ । ହେଲେ ସବୁ ବିତର୍କ ଶେଷରେ ଅଖିଳର ଶେଷ ଶବ୍ଦ - “ଖାଏମା ଚାଲରେ ବୁଆ“ । ତେବେ ନିଜ ବିଚାରର ଦୃଢତା ସହିତ ସେ କେବେ ବି ସାଲିସ କରିନଥିଲା । ତା ଲାଗି ଲେଖକର ବିଚାର ବଡକଥା । ସାମାଜିକ ନ୍ୟାୟ ଓ ସମତା ଲାଗି ଅଖିଳର କବିତାରେ ଯେଉଁ ଅଙ୍ଗୀକାରବଦ୍ଧତା ରହିଥିଲା, ତାହା ଓଡିଆ କବିତାର ଏକ ନୂଆ ସଂକଳ୍ପ ।

ଅଖିଳର ପ୍ରଥମ ତିନୋଟି କବିତା ସଂକଳନ “ଗାଧୁଆ ବେଳ” “ଗୁଲିଖଟି” ଓ “ଧୋବ ଫରଫର” ରେ କବିତାର କାରିଗରୀ ମୁଖ୍ୟ । ଏ ସବୁ କବିତାର ଭାଷା ସୂକ୍ଷ୍ମ ଓ ସଚିତ୍ର । ଭାଷାରେ ଗୋଟେ ଚିତ୍ରନାଟ୍ୟ ତିଆରି କରିବା କଥାଟି ମୁଁ ବାରମ୍ବାର କହୁଛି, କାରଣ ଅଖିଳ କବିତାରେ ଆପଣ ଏକ ନାଟକୀୟ ସଙ୍ଘାତକୁ ବାରମ୍ବାର ଦେଖୁଛନ୍ତି । ତାର ଶେଷ ଦୁଇ କବିତା ବହି “ଧିକ” ଓ “ଖେତ ପୁରାଣ” ରେ ସେ ସ୍ପଷ୍ଟତଃ ରାଜନୈତିକ ବିଚାରର କବି । ଓଡିଆ କବିତାରେ ଦଳିତ ଚେତନା ଓ ସାମାଜିକ ନ୍ୟାୟ ପାଇଁ ଆରମ୍ଭ ହୋଇଥିବା ଆଂଦୋଳନର ସେ ସଚେତନ ନାୟକ । ଶେଷ କବିତା ସବୁରେ ସେ ଅସ୍ଥିର, ବିଦ୍ରୋହୀ ଓ ଭୀଷଣ ଭାବରେ କ୍ରୋଧୀ । ଏ କ୍ରୋଧ ସ୍ଵାଭାବିକ । ବିଦ୍ରୋହର ଏବଂ ଶୋଷିତ ମଣିଷ ଭିତରେ ଗୁମୁରୁଥିବା କ୍ରୋଧର ଏକ କଳାପକ୍ଷ ଯେ ଓଡିଆ କବିତାକୁ ଆସିବା ଜରୁରୀ ଥିଲା ଏବଂ ସେଟା ଅଖିଳର କବିତା ବାଟ ଦେଇ ଆସିଲା । ଅଖିଳ ସହିତ ଏକ ବଡ ସଂଗଠିତ ଧାରା ଓଡିଆ ଦଳିତ କବିତାର ନବ କଳେବର ନିର୍ମାଣ କରୁଛନ୍ତି । ଏ ଧାରା ଅବ୍ଯାହତ ଥିବାବେଳେ ଅକସ୍ମାତ ଅଖିଳ ଆକାଶର ତାରା ହୋଇଗଲା ।

ଅଖିଳ କଥା ଲେଖିବାବେଳେ ବ୍ୟକ୍ତିଗତ ଭାବେ ଆଉ ଗୋଟେ କଥା ମୋତେ କନ୍ଦାଇବାକୁ ବାଧ୍ୟ । ସେ ଯେଉଁଠି ଥିବ, ସେଠି ହୋ ହୋ ହେବା ବାଧ୍ୟ । ୨୦୦୯ରେ ଅଖିଳ ଆମ ସାଙ୍ଗରେ ଯାଇଥାଏ ଆଲ୍ଲାହାବାଦ । ହିନ୍ଦୀ କବି ବଦ୍ରି ନାରାୟଣଙ୍କ ଆୟୋଜିତ ଏକ ସାହିତ୍ୟିକ ସମ୍ପାନରେ ଆମେ ସବୁ ନିମନ୍ତ୍ରିତ କବି । ଅଖିଳ ଓ ମୋ ସମେତ ଓଡିଆ ଭାଷାରୁ ସେଥିରେ ଭାଗ ନେଉଥାନ୍ତି ଚିରଶ୍ରୀ ଇନ୍ଦ୍ର ସିଂ, ବିଷ୍ଣୁ ମହାପାତ୍ର, ମନୁଆ ଦାସ, ପବିତ୍ର ମୋହନ ଦାଶ ଓ ଅକ୍ଷୟ ବେହେରା । ଉତ୍ସବକୁ ଆସିଥାନ୍ତି ପ୍ରଖ୍ୟାତ ମରାଠୀ ଲେଖକ ଶରଣ କୁମାର ଲିମ୍ବାଲେ । ଉତ୍ସବ ସରିଲା ପରେ ସ୍ଥିର ହେଲା, ଆମେ ସମସ୍ତେ ଶରଣ କୁମାରଜୀଙ୍କୁ ବାରାଣସି ଏୟାରପୋର୍ଟରେ ଛାଡି ଆସିବୁ ଓ ବାରାଣସି ବୁଲିକି ଫେରିବୁ । ଆଲ୍ଲାହାବାଦରୁ ବାରାଣସି ଯିବା - ଆସିବା ବାଟତକ କେବଳ ଅଖିଳର ଜୋକ୍ସ । ସେ ହସେଇ ହସେଇ ଆମକୁ ବେଦମ କରି ଚାଲିଥାଏ । ଶରଣ କୁମାର ଲିମ୍ବାଲେ ଆମ ଓଡିଆଙ୍କ ଘୋ - ଘୋ ଭିତରେ ଟିକେ ଅସହଜ ଲାଗୁଥାନ୍ତି । ଅଳ୍ପ ବାଟ ପରେ ସେ ବି ଆମ ହସ ଉତ୍ସବରେ ସାମିଲ ହୋଇଗଲେ । ମୋ ଜୀବନରେ ଏତେ ଲମ୍ବା ଖୁସିର ଯାତ୍ରା ଆଉ କେବେ ଆସିନାହିଁ ।

ବାରାଣସିରୁ ଆମେ ଗଲୁ ସାରନାଥ । ସାରନାଥର ବୌଦ୍ଧସ୍ତୂପ ପରିକ୍ରମା କରୁଥାନ୍ତି ଶହଶହ ତିବ୍ବତୀୟ ପର୍ଯଟକ । ପବିତ୍ର ଆଉ ମୋତେ ଗୋଟେ ସୁଯୋଗ ମିଳିଲା ଅଖିଳର ଗୋଡ ଟାଣିବା ପାଇଁ । ସ୍ତୂପ ଚାରିପଟେ ଆମେ କୀର୍ତ୍ତନ କରି ଚାଲିଲୁ - “ଓମ ମଣି ପଦ୍ମେ ହୁମ, ଅଖିଳକୁ ଶୀଘ୍ର କନିଆଁ ପ୍ରାପ୍ତ ହେଉ” । ଆମର କୀର୍ତ୍ତନ ଚାଲିଥିବାବେଳେ ଆମକୁ ମାରି ଗୋଡାଉଥାଏ ଅଖିଳ । ଆଜି ତା ବିଷୟରେ ଏତେ କଥା ଲେଖିବାବେଳେ ଭାବୁଛି, କୋଉଠୁ ଗୋଟେ ହଠାତ ଆସି ମୋ ପିଠିରେ ଦୁମ କିନା ବିଧାଟେ ପକାନ୍ତା ନାଇଁ !!