ଫଟୋ - ୱିକି କମନ୍ସ

ଆଜିର କଥା ଆରମ୍ଭ ହେଉଛି ଏକ ଟ୍ୱିଟ୍‌ରୁ । ସେଲିବ୍ରିଟିମାନଙ୍କ ଗୋଟିଏ ଗୋଟିଏ ଟ୍ୱିଟ୍‌କୁ ନେଇ ଦେଶରେ ଝଡ଼ ଉଠିବା କଥା ଆମେ ଦେଖିଛେ ଓ ଶୁଣିଛେ । ଆଜି କିନ୍ତୁ ଅଲଗା କଥା । ନିକଟରେ ଦେଶର ପ୍ରତିଷ୍ଠିତ ଚାରିଚକିଆ ଯାନ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କ ଏକ ଟ୍ୱିଟ୍ କରିଥିଲେ । ଏମିତି ତ ସେ ଅନେକ ସମୟରେ ବିଭିନ୍ନ ରୋଚକପୂର୍ଣ୍ଣ କଥା ଟ୍ୱିଟ୍ କରିଥା'ନ୍ତି । କେବଳ ସେତିକି ନୁହେଁ ସେ ଦେଶର ନୂଆ ଉଦ୍ୟୋଗୀମାନଙ୍କୁ ଅନେକ ସମୟରେ ବ୍ୟକ୍ତିଗତ ଭାବେ ଉତ୍ସାହିତ କରି ଆସିଛନ୍ତି । ଆଲୋଚ୍ୟ ଟ୍ୱିଟ୍‌ରେ ସେ ନିଜ ଯୁବ ବୟସର ଏକ ଫଟୋ ଶେୟାର୍ କରିଥିଲେ, ଯେଉଁ ଫଟୋରେ ସେ ଏକ ଟ୍ରକ୍ ଡାଲାରେ ବସିଥିବାର ଦେଖାଯାଇଥିଲା । ଏହି ଫଟୋଟି ତାଙ୍କ ବନ୍ଧୁ ଉତ୍ତୋଳନ କରିଥିଲେ । ୧୭ ବର୍ଷର ଆନନ୍ଦ ମହିନ୍ଦ୍ରା ସେତେବେଳେ ପଚୁର ଭ୍ରମଣପ୍ରିୟ ଥିଲେ । ବମ୍ବେରୁ ପୁନା ଅନେକ ସମୟରେ ସେ ଓ ତାଙ୍କ ବନ୍ଧୁଙ୍କ ଟ୍ରକ୍ ଡାଲାରେ ବସି ଯାଉଥିଲେ । ଏହି ଯାତ୍ରା ହିଁ ତାଙ୍କୁ ଭାରତୀୟ ସଡ଼କ ବିଷୟରେ ପରିଚୟ କରାଇଥିଲା । ସ୍ପପ୍ନବିଳାସୀ ମହିନ୍ଦ୍ରା ଭାରତୀୟ ବାହନ ଇତିହାସରେ ପାଦ ଦେବା ପୂର୍ବରୁ ଭାରତୀୟ ସଡ଼କକୁ ପ୍ରେମ କରିବସିଥିଲେ ।

ନିକଟରେ ସେ ଭାରତ ସରକାରଙ୍କ ଦ୍ୱାରା ସମ୍ମାନଜନକ ପଦ୍ମ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିବା ପରେ ପରେ ମଧ୍ୟ ଏକ ଫଟୋ ଶେୟାର୍ କରି ନିଜକୁ ପଦ୍ମ ସମ୍ମାନର ଯୋଗ୍ୟ ନୁହନ୍ତି ବୋଲି ସ୍ପଷ୍ଟ କରିଥିଲେ । ସେ କହିଥିଲେ କି ସେ ଏପରି କିଛି କରିନାହାନ୍ତି ଅନ୍ୟ ପ୍ରାପକମାନଙ୍କ ତୁଳନାରେ, ଯେଉଁଥିପାଇଁ ସେ ପଦ୍ମ ସମ୍ମାନରେ ସମ୍ମାନିତ ହେଉଛନ୍ତି । ଏଥିପାଇଁ ସେ ନିଜକୁ ଯୋଗ୍ୟ ମଣୁନାହାନ୍ତି । ମହାନତାର ଅନନ୍ୟ ରୁପ ସେ ଦର୍ଶାଇଥିଲେ ନିଜ ସ୍ପଷ୍ଟୋକ୍ତିରେ ।

କୁହାଯାଇଥାଏ କି ସଫଳତାର କାହାଣୀ ଗୋଟିଏ ଦିନରେ ଲେଖାଯାଇନଥାଏ । ସଫଳତା ଏପରି ଏକ ଫଳନ୍ତି ବୃକ୍ଷ, ଯାହା ବୃକ୍ଷରୋପଣ କରିଥିବା ବ୍ୟକ୍ତି ଅତିରିକ୍ତ ବୃକ୍ଷରେ ପାଣି ସିଞ୍ଚି ଜୀବିତ କରି ରଖିଥିବା ବ୍ୟକ୍ତିକୁ ଲାଭ ମିଳିଥାଏ । ଆନନ୍ଦ ମହିନ୍ଦ୍ରାଙ୍କ ବ୍ରାଣ୍ଡ୍ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଏପରି ଏକ ବ୍ରାଣ୍ଡ୍ ଯାହାର ବୀଜ ବପନ ହୋଇଥିଲା ସ୍ୱାଧୀନତା ପୂର୍ବରୁ ୧୯୪୫ ମସିହାରେ । ଦଶନ୍ଧି ଦଶନ୍ଧି ଧରି ଏହି ବୀଜରେ ପାଣି ସିଞ୍ଚନ ପରେ ହିଁ ଆଜି ଭାରତର ବାହନ, ଟେଲିକମ୍ କ୍ଷେତ୍ରରେ ଏକ ସୁପରିଚିତ ନାମରେ ପରିବର୍ତ୍ତିତ ହୋଇପାରିଛି ।

ଏମ୍ ଆଣ୍ଡ୍ ଏମ୍ ଗ୍ରୁପ୍‌ର କାହାଣୀ ଆରମ୍ଭ ହୁଏ ୧୮୯୨ ମସିହାରୁ । ଜଗଦୀଶଚନ୍ଦ୍ର ମହିନ୍ଦ୍ରାଙ୍କ ଜନ୍ମରୁ । ୧୮୯୪ରେ ଜନ୍ମହେଲେ କୈଳାଶଚନ୍ଦ୍ର ମହିନ୍ଦ୍ରା । ଉଭୟ ଜେ. ସି ଓ କେ. ସି ମହିନ୍ଦ୍ରା ସମୁଦାୟ ୯ ଭାଇ-ଭଉଣୀ ଥିଲେ । ପିଲାବେଳୁ ଭାଇ-ଭଉଣୀମାନେ ହରାଇଲେ ପିତାଙ୍କୁ । ସାରା ପରିବାରର ବୋଝ ପଡ଼ିଲା ଜେ.ସିଙ୍କ ଉପରେ । ଜେ.ସି ମହିନ୍ଦ୍ରା ପିତା ହରାଇବା ଦୁଃଖରେ ଭାଙ୍ଗି ପଡ଼ିଲେ ନାହିଁ । ସେ ଶିକ୍ଷାର ମହତ୍ତ୍ୱ ବୁଝିଥିଲେ । ନିଜ ଭାଇ-ଭଉଣୀମାନଙ୍କ ଶିକ୍ଷାକୁ ନେଇ ସେ କୌଣସି ପ୍ରକାରର କୋହଳ ହୋଇନଥିଲେ । ନିଜ ଛୋଟ ଭାଇ କେ. ସି ମହିନ୍ଦ୍ରାଙ୍କୁ ସେ ଉଚ୍ଚ ଅଧ୍ୟୟନ ପାଇଁ କେମ୍ବ୍ରିଜ୍ ପଠାଇଥିଲେ । ପାଠପଢ଼ା ସରିଲା ପରେ କେ. ସି ଆମେରିକାରେ ଚାକିରୀ କରିଥିଲେ । ୧୯୪୨ ସେ ଭାରତୀୟ ପର୍ଚେଜିଂ ମିଶନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତିି ପାଇଥିଲେ ।

୧୯୪୫ରେ କେ. ସି ଭାରତ ଫେରିଲେ । ଲୋଭନୀୟ ସରକାରୀ ପଦ ତଥା ଘରୋଇ କ୍ଷେତ୍ରରେ ଉଚ୍ଚତର ପଦକୁ ପ୍ରତ୍ୟାଖ୍ୟାନ କରି ସେ ନିଜ ବଡ଼ ଭାଇ ଓ ତାଙ୍କ ମିତ୍ର ମଲିକ୍ ଗୁଲାମ ମହମ୍ମଦଙ୍କ ସହିତ ମିଳିତ ଭାବେ ନୂଆ କିଛି କରିବାର ପ୍ରୟାସ ଆରମ୍ଭ କଲେ ।

୧୯୪୫ରେ ମହିନ୍ଦ୍ରା ଆଣ୍ଡ୍ ମହମ୍ମଦ କମ୍ପାନୀର ମୂଳଦୁଆ ପଡ଼ିଲା । ଆଜି ଏମ୍ ଆଣ୍ଡ୍ ଏମ୍ ଏକ ବାହନ କମ୍ପାନୀ ଭାବେ ଦେଶରେ ଖ୍ୟାତିଲାଭ କରିଛି । ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଏକ ଷ୍ଟିଲ୍ କମ୍ପାନୀ ଭାବେ ଆରମ୍ଭ ହୋଇଥିଲା । ତାପରେ ଘଟିଲା ଦେଶରେ ବିଭାଜନ । ଗୋଟିଏ ଭୂଖଣ୍ଡ ଦୁଇଭାଗ୍ ହୋଇଗଲା । ଗୋଟିଏ ସୀମାରେଖା ଭାଙ୍ଗିଦେଲା ଅସଂଖ୍ୟ ହୃଦୟ । ସମ୍ପର୍କ । ଭାଇଚାରା ବଦଳିଗଲା । ଦେଶ ଧର୍ମ ଆଧାରରେ ଦୁଇଭାଗ ହୋଇଗଲା । ପାକିସ୍ତାନ ଗଠନ ହେବା ସହିତ ମଲିକ୍ ଗୁଲାମ ମହମ୍ମଦ୍ ପାକିସ୍ତାନ ଚାଲିଯିବାକୁ ସ୍ଥିର କଲେ । ସମ୍ପର୍କରେ ଭଟ୍ଟା ପଡ଼ିଗଲା । ଶେଷରେ ମଲିକ୍ ଗୁଲାମ ମହମ୍ମଦ ପାକିସ୍ତାନ ଚାଲିଗଲେ । ସେଠାରେ ସେ ପାକିସ୍ତାନର ପ୍ରଥମ ଅର୍ଥମନ୍ତ୍ରୀ ଓ ପରେ ତୃତୀୟ ଗଭର୍ଣ୍ଣର୍ ଜେନେରାଲ୍ ଭାବେ କାର୍ଯ୍ୟ କରିଥିଲେ ।

ମଲିକ୍‌ଙ୍କ ପାକିସ୍ତାନ ପ୍ରତ୍ୟାବର୍ତ୍ତନ ମହିନ୍ଦ୍ରା ଭାଇଙ୍କୁ ଦେଇଥିଲା ଗଭୀର ଝଟ୍‌କା । ସେମାନେ ମଲିକ୍‌ଙ୍କ ବିନା କମ୍ପାନୀ ଚଳାଇ ପାରିବେ କି ନା ସେ ପ୍ରସଙ୍ଗରେ ସନ୍ଦିହାନ ଥିଲେ । ହେଲେ ଉଭୟ ଭ୍ରାତା ସାହାସ ହାରି ନଥିଲେ । ଏବେ କମ୍ପାନୀର ନାମ ବଦଳାଇବା ଥିଲା ପ୍ରଥମ କାମ । ଏହା ଏକ ସମସ୍ୟା ନଥିଲା । ମାତ୍ର ଏହା ଯୋଗୁଁ ବହୁସଂଖ୍ୟକ ଷ୍ଟେସ୍‌ନାରୀ ନଷ୍ଟ ହେବାର ସମ୍ଭାବନା ଥିଲା । କମ୍ପାନୀକୁ ଏମ୍ ଆଣ୍ଡ୍ ଏମ୍ ନାମ ରଖିବା ଜରୁରୀ ଥିଲା । ଫଳରେ ମହିନ୍ଦ୍ରା ଆଣ୍ଡ୍ ମହମ୍ମଦ ବଦଳରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ରହିଲା । କେସି ମହିନ୍ଦ୍ରା ଆମେରିକାରେ ଜିପ୍ ଦେଖିଥିଲେ । ତ ଦେଶରେ ସେ ଜିପ୍ ନିର୍ମାଣର ସ୍ୱପ୍ନ ଦେଖିଲେ ଓ କାଳାନ୍ତରରେ ଏହାକୁ ସାକାର କଲେ । ଜେ . ସି ମହିନ୍ଦ୍ରାଙ୍କ ନାତି ଆନନ୍ଦ ଗୋପାଳ ମହିନ୍ଦ୍ରା ସମ୍ପ୍ରତି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଭାବେ ଦେଶସେବା ପାଇଁ ଯୋଗ୍ୟ ବିବେଚିତ ହୋଇ ସମ୍ମାନଜନକ ପଦ୍ମ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ତାଙ୍କ ନମ୍ରତା ଆଜି ଦେଶବାସୀଙ୍କ ହୃଦୟକୁ କିଣି ନେଇଛି ।