ଫଟୋ - ୱିକି ମିଡିଆ

ବାଣ ବା ଫାୟାରୱାର୍କସ୍ ବିଷୟରେ ଚର୍ଚ୍ଚାର ଆରମ୍ଭରୁ ଆମେ ଗୋଟିଏ ଇଂରେଜୀ ଶବ୍ଦ ସହିତ ପରିଚିତ ହେବା । ସେଇଟି ହେଉଛି "ପାଇରୋଟେକନିକସ୍" । ଯେଉଁମାନେ ଏହି ଶବ୍ଦଟି ସହ ପରିଚିତ ସେମାନେ ଜାଣନ୍ତି, ଏହାର ଅର୍ଥ ହେଉଛି ବାଣ ତିଆରିର କୌଶଳ ବା ବାଣମରା ପ୍ରଦର୍ଶନ । ବାଣ ଅସଲରେ କ'ଣ ଆଉ ଏହା କାହିଁକି ଏକଥା ବୁଝିବାକୁ ଗଲାବେଳେ ଆମକୁ ଆଗ ମନେ ରଖିବାକୁ ହେବ ଯେ ବାଣମରା କୌଶଳ ବା ପାଇରୋଟେକନିକସ୍ ସହ ମଣିଷ ସଭ୍ୟତା ଜଡିତ ହୋଇଗଲା ପରେ ଆମେ ବାଣକୁ ଗୋଟିଏ ଚିତ୍ରକଳ୍ପ ଆକାରରେ ବ୍ୟବହାର କରିଆସିଛୁ । ସାଧାରଣତଃ ବାଣ ଚିତ୍ରକଳ୍ପଟିକୁ ଏକ ଉଡାଣ ଆକାରରେ ଦେଖାଯାଇଛି । ଏହା ଆମର କଥା କହିବାରେ ଲେଖାଲେଖିରେ, ଆମର ଶତ୍ରୁ ସଂହାରର ଏକ ସଂକ୍ଷିପ୍ତ ଆଖିକୁ ଦେଖିବା ଭଳି ଆୟୋଜନ ହୋଇ ରହିଆସିଛି । ଅନେକ ସମୟରେ ଏହାର ପୃଷ୍ଠଭୂମି ଚଟୁଳ ବ୍ୟଙ୍ଗ । କହିବା କଥା ହେଉଛି ବାଣକୁ ଆମେ ଯେଉଁଭଳି ଗୋଟିଏ ଚିତ୍ରକଳ୍ପ ଆକାର ବ୍ୟବହାର କରି ଆସିଛୁ ସେଥିରୁ ଆମେ ବାଣର ଗୋଟିଏ ସାଧାରଣ ସଂଜ୍ଞା ବାହାର କରିପାରିବା । ସେଦୃଷ୍ଚିରୁ ଦେଖିଲେ ବାଣ ହେଉଛି ଏକ ସାମୟିକ ମନଲୋଭାକାରୀ ଆକାଶୀ ଆୟୋଜନ ଯାହାକୁ କେହି ଗମ୍ଭୀରତାର ସହ ନେବ ନାହିଁ ।

ବାଣ ହେଉଛି ନିଆଁ ଦ୍ୱାରା ପ୍ରସ୍ତୁତ ଏକ ଆମୋଦ ଏବଂ ଏହା ଏମିତି ଏକ କଳା ଯାହା ପ୍ରକୃତି ସହିତ ପ୍ରତିଦ୍ୱନ୍ଦ୍ବିତା କରିଥାଏ । ପ୍ରାକୃତିକ ରଂଗ ଆଉ ଆଲୁଅକୁ ମୁକାବିଲା କରିବାବେଳେ ଆକାଶ ହେଉଛି ଏହାର କାନଭାସ୍ । ନିଜର ଆଲୁଅ ଆଉ ରଙ୍ଗରେ ବାଣ ପ୍ରକୃତି ସହ ମୁକାବିଲା କରିବାବେଳେ ତାହାର ସ୍ଥାୟିତ୍ୱ ସାମୟିକ ହୋଇଥିବାରୁ ତାହା ଆମକୁ ଏକାଠି ଆନନ୍ଦ ଆଉ ବିଷାଦ ପ୍ରଦାନ କରିଥାଏ । ହଠାତ୍ ନିଆଁ ଯେଉଁ ପ୍ରଖର ଉଜ୍ଜଳତା ପ୍ରଦର୍ଶନ କରି ଆମର ଆଖିକୁ ଆଲୋଡିତ କରିଥାଏ ତାହା ପରବର୍ତ୍ତୀ କ୍ଷଣରେ ଆମର ଆଖି ଆଗରେ ମୁଠାଏ ପାଉଁଶ ପାଲଟି ଯାଏ । ବାଣର ଏହି "କ୍ଷଣିକ ମାତ୍ର" ଯାହାର କେବଳ ପ୍ରଦର୍ଶନମୂଳକ ଉପଯୋଗିତା ବ୍ୟତୀତ ଆଉ କୌଣସି ଉପଯୋଗିତା ନାହିଁ । ସେଇଥିପାଇଁ ମଣିଷକୁ କେବଳ ଆମୋଦଦାୟକ ହେଉଛି ବାଣ ।

ଇତିହାସ ଦୃଷ୍ଟିରୁ ଦେଖିଲେ ଚାଇନା ପ୍ରାୟ ଅନେକ ଯୁଗାନ୍ତକାରୀ ଉଦ୍ଭାବନର ବିଶ୍ୱବିଜୟୀ ଶିରୋପା ପିନ୍ଧିଛି । ତାହାର ସେହି ଉଦ୍ଭାବନର ତାଲିକାଟି ବେଶ୍ ଦୀର୍ଘ । ଲେଖିବା କାଗଜଠାରୁ ଆରଂଭ କରି ଶୌଚ ହେବା କାଗଜ ଯାଏଁ ସେମାନେ ନିଜର ଉଦ୍ଭାବନୀ ଶକ୍ତିର କରାମତି ଦେଖାଇଛନ୍ତି । ଭାରି ଅଜବ କଥା ଯେ ଆମେ ଯାହାକୁ ଭାରତୀୟ କାଳି ବା ଇଣ୍ଡିଆନ୍ ଇଙ୍କ୍ ବୋଲି କହୁ ତାହା ମୁଖ୍ୟତଃ ଚାଇନାର ଅବଦାନ । ଆଜି ଆମେ ବାଣ ବୋଲି ଯେଉଁ ଦ୍ରବ୍ୟକୁ ଆମର ବିଜୟ ଘୋଷ ବୋଲି ପ୍ରକଂପିତ କରିଚାଲିଛୁ, ଖାଲି ଆମେ କ'ଣ ସାରା ପୃଥିବୀ, ସେଇ ବାଣଟିର ମୂଳ ଆଧାର ହେଉଛି ବାରୁଦ । ବାରୁଦ ବୋଲି ଯାହାକୁ କୁହାଯାଉଛି ତାହା ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀରେ ଜଣେ ଚୈନୀକ ପାଚକର ଉଦ୍ଭାବନ । ପାଚକ ସହିତ ବାରୁଦର କେଉଁଭଳି ସଂପର୍କ ରହିବ ତାହା ଆମକୁ ଆଶ୍ଚର୍ଯ୍ୟ କରିପାରେ ମାତ୍ର ନିଶ୍ଚିତ ଭାବରେ ସେଇ ରୋଷେଇଆ ଜଣକ ଆମର ପ୍ରିୟ "ଚାଓମିନ୍" ରାନ୍ଧୁନଥିଲା ସେତେବେଳେ । ଏମିତିରେ ଆମର ଫାଷ୍ଟଫୁଡ୍ ରେ ଯେଉଁ ଚୈନୀକ ଖାଦ୍ୟର ୟୋଜନମାନ ହେଉଥାଏ ଯାହା ତରୁଣମାନଙ୍କ ସହିତ କିଛି ଅପରିଣତ ବୟସ୍କଙ୍କର ପ୍ରିୟ ଖାଦ୍ୟ ହୋଇ ରହିଛି ତାହାକୁ ଚୈନୀକମାନେ ଛୁଅଁନ୍ତି ନାହିଁ ବୋଲି ଉପସ୍ଥିତ ଲେଖକ କେଉଁଠି ପଢିଅଛି । ପ୍ରତ୍ୟକ୍ଷ ଗଣତନ୍ତ୍ର, ଅପ୍ରତ୍ୟକ୍ଷ ଗଣତନ୍ତ୍ର ସହ ଭାରତୀୟ ଗଣତନ୍ତ୍ର ବୋଲି ଗଣତନ୍ତ୍ରର ଯେମିତି ତିନୋଟି ପ୍ରକାର ଭେଦ କରାଯାଇଛି, ସେମିତି ଇଣ୍ଡିଆନ - ଚାଇନିଜ୍ ଏକ ପ୍ରକାର ଭାରତୀୟ ଖାଦ୍ୟ । ସେ ଯାହାହେଉ ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀର ସେଇ ପାଚକ ଜଣକ କ'ଣ ରାନ୍ଧିବାକୁ ବସିଥିଲା ତାହା ଜଣାନାହିଁ କିନ୍ତୁ ତାହାର ରାନ୍ଧଣାଟି ଏକ ପ୍ରକାର ଘାଣ୍ଟ ଥିଲା । ଆଉ ଏଇ ଅଜ୍ଞାନ ଘାଣ୍ଟରେ ପଡିଥିଲା, ଗନ୍ଧକ, କୋଇଲା ଆଉ ସଲଟପିଟର୍ ବା ପଟାସିଅମ୍ ନାଇଟ୍ରେଟ୍ । ଏଇ ପଟାସିଅମ୍ ନାଇଟ୍ରେଟ୍ ଟି ମାଂସକୁ ବେଶି ଦିନ ସଂରକ୍ଷିତ ରଖିବା କାମରେ ଲାଗେ । ଏଇ ତିନିଟିର ଘାଣ୍ଟରୁ ବାହାରିଲା ଯେଉଁ ଆଲାଦୀନର ବଶଂବଦ ଦୈତ୍ୟ ତାହାକୁ ଆମେ ନାଆଁ ଦେଲୁ ବାରୁଦ।

କହିବାକୁ ଗଲେ ସେତେବେଳର ଚୀନ୍ ତଥା ଭାରତର ପାକଶାଳାରେ ମାଂସକୁ ବେଶି ଅଧିକ ଦିନ ସତେଜ ରଖିବା ପାଇଁ ପଟାସିଅମ୍ ନାଇଟ୍ରେଟ୍ ବ୍ୟବହୃତ ହେଉଥିଲା । ସେଇ ପାକଶାଳାରେ ବ୍ୟବହାର କରାଯିବା ପାଇଁ ରଖାଯାଇଥିବା ଜାଳେଣୀକୁ ଆହୁରି ଅଧିକ ଉତ୍ତାପଯୁକ୍ତ କରିବା ଉଦ୍ଦେଶ୍ୟରେ ଗନ୍ଧକ ଏବଂ ସେଠାରେ ରୋଷେଇରେ ଖାସ୍ ଜାଳେଣୀ ହିସାବରେ କୋଇଲା ବି ମହଜୁଦ୍ ହୋଇ ରହୁଥିଲା । ତେଣୁ ସେହି ସମୟର ପାକଶାଳାରେ ହିଁ କେବଳ ପଟାସିଅମ୍ ନାଇଟ୍ରେଟ୍, ଗନ୍ଧକ ଆଉ କୋଇଲା, ଏହି ତିନୋଟି ଯାକ ପଦାର୍ଥ ଉପଲବ୍ଧ ଥିଲା । ତେଣୁ କୌଣସି ଅଘଟଣ ଯୋଗୁ ଏଇଟି ତିନୋଟି ପଦାର୍ଥ ମିଶିଯାଇ ବାରୁଦ ହୋଇ ବାହାରିଥିଲେ ପାକଶାଳାରୁ । ଚାଇନା ଆଉ ଭାରତ ଉଭୟ ମାଂସକୁ ଅଧିକ ଦିନ ରଖିବା ପାଇଁ ପଟାସିଅମ୍ ନାଇଟ୍ରେଟ୍ ର ବ୍ୟବହାର ଜାଣିଥିଲେ ବି ଚାଇନାରେ ବାରୁଦର ଉଦ୍ଭାବନ ହେଲା କାହିଁକି ବୋଲି ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ରହିଛି । ସଂକ୍ଷେପରେ କହିଲେ ଭାରତର ଖାଦ୍ୟ ଇତିହାସରେ ବୌଦ୍ଧ ଧର୍ମ ତଥା ବ୍ରାହ୍ମଣ ଧର୍ମର ପ୍ରଭାବରୁ ଭାରତୀୟ ଖାଦ୍ୟରେ ମାଂସ ଭାଗ ସେମିତି ରହୁ ନଥିଲା । ଆରବର ଲୋକମାନେ ଭାରତ ଆସିବା ପରଠାରୁ ସେମାନଙ୍କର ପ୍ରଭାବରେ ଖ୍ରୀଷ୍ଟୀୟ ନବମ ଶତାବ୍ଦୀବେଳକୁ ଭାରତୀୟ ଖାଦ୍ୟରେ ମାଂସ ଭାଗ ଦେଖିବାକୁ ମିଳିଲା ଆଉ ଏହା ପୂର୍ଣ୍ଣରୂପ ନେଇଥିଲା ମୁଗଲମାନଙ୍କ ସମୟରେ । ଅନ୍ୟପକ୍ଷରେ ଚାଇନାର ଲୋକମାନେ ଭାରତୀୟମାନଙ୍କ ତୁଳନାରେ ଯଥେଷ୍ଟ ମାଂସାହାରୀ । ସେଇଥିପାଇଁ ଭାରତୀୟ ପାକଶାଳା ତୁଳନାରେ ସେଠାରେ ଅଧିକ ପଟାସିଅମ୍ ନାଇଟ୍ରେଟ୍ ରହୁଥିବା ସମ୍ଭବ ।

ବାଣ ନିର୍ମାଣ ବା ପାଇରୋଟେକନିକସ୍ ର ଆଦ୍ୟକାଳରେ ବାଣରେ ଥିବା ନିଆଁକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା । ଏମିତିରେ ଦେଖିଲେ ମଣିଷ ସଭ୍ୟତାରେ ନିଆଁର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନିଆଁ ଯେହେତୁ ସଭ୍ୟତାର ଆରମ୍ଭରୁ ଖାଦ୍ୟ ଆଉ ସୁରକ୍ଷା ପାଇଁ ଅପରିହାର୍ଯ୍ୟ ସେଦୃଷ୍ଟିରୁ ମଣିଷ ନିଆଁ ସହିତ ଯାହା ଜଡିତ ତାହା ପ୍ରତି ଅଧିକ ଆକର୍ଷଣବୋଧ କରିବା ସମ୍ଭବ । ତେଣୁ ସଂଭବତଃ ବାଣ ନିର୍ମାଣର ଆଦ୍ୟକାଳରେ ବାଣ ନିର୍ମାତା ଯେତେବେଳେ ନିଆଁକୁ ଅଧିକ ଉଜ୍ଜଳ କରିଦେଲା ସେତେବେଳେ ତାହାକୁ କେଉଁପରି ନିଜର ବ୍ୟବହାରରେ ନିୟୋଜିତ କରାଯାଇ ପାରିବ ସେଥିପ୍ରତି ସେ ସମୟର ଚିନ୍ତାଶୀଳ ମସ୍ତିଷ୍କମାନ ବିଚାର କରିବା ନିଶ୍ଚିତ । ସେହି କ୍ଷଣିକ ନୂତନ ଉଜ୍ଜଳ ନିଆଁରେ ତ ଆଉ କୌଣସି ଖାଦ୍ୟପଦାର୍ଥ ପ୍ରସ୍ତୁତ କରିବା ସମ୍ଭବ ନୁହଁ, ତେଣୁ ସେମାନେ ତାହାକୁ ନିଆଁର ଅନ୍ୟତମ ବିକଳ୍ପ ଅର୍ଥାତ୍ ନିଜର ସୁରକ୍ଷା ପାଇଁ ବ୍ୟବହାର କରିବାକୁ ଲାଗିଲେ ।

ଫିଲୋଷ୍ଟାଟସ (୧୭୦-୨୫୦ଖ୍ରୀଅ) ନାମକ ଜଣେ ଗ୍ରୀକ୍ ପରିବ୍ରାଜକ ତାଙ୍କର ଏକ ବିବରଣୀରେ ଉଲ୍ଲେଖ କରିଛନ୍ତି ଯେ ଗ୍ରୀକ୍ ବୀର ଆଲେକଜାଣ୍ଡର୍ ତାଙ୍କର ଭାରତ ଆକ୍ରମଣ ସମୟରେ (ଖ୍ରୀପୂ ୩୨୬) "ହାଇଫାସିସ୍ ନଦୀ" ବା ବିପାଶା ନଦୀକୂଳ ନିକଟବର୍ତ୍ତୀ ଅଂଚଳରେ ଯେଉଁ ଯୁଦ୍ଧର ସାମ୍ନା କରିଥିଲେ ସେଥିରେ "ଆଲୋକ ଏବଂ ବଜ୍ର" ର ବ୍ୟବହାର ହୋଇଥିଲା । ଗ୍ରୀକ୍ ମାନେ ଯୁଦ୍ଧରେ ଏକପ୍ରକାର ନିଆଁକୁ ବ୍ୟବହାର କରୁଥିଲେ ଯାହାକୁ ଗ୍ରୀକ - ଅଗ୍ନି ବା "ନାପଥା" ବୋଲି କୁହାଯାଉଥିଲା । ଏହି "ନାପଥା" ରେ ସାଧାରଣତଃ ଗନ୍ଧକ, କିଛି ପରିମାଣର ଅତ୍ୟନ୍ତ ପ୍ରାଥମିକ ସ୍ତରର ବାରୁଦ ଏବଂ ଏକପ୍ରକାର ଗଛର ଅଠାଳିଆ ପଦାର୍ଥ ବା ରେସିନ୍ ଦ୍ୱାରା ସେହି ଦହନଶୀଳ ପଦାର୍ଥ ସବୁକୁ ଏକାଠି କରି ଗୋଲକମାନ ମାନ ତିଆରି କରାଯାଉଥିଲା ଆଉ ସେଥିରେ ନିଆଁ ଲଗାଇ ପ୍ରତିପକ୍ଷ ଉପରକୁ ବାଟୁଳିଖଡାରେ ବାଟୁଳି ଛାଡିବା ଭଳି ତାହାକୁ ଫୋପଡାଯାଉଥିଲା । ଏହିଭଳି ଗ୍ରୀକ୍ - ଅଗ୍ନିର ସର୍ବପ୍ରଥମ ଉଲ୍ଲେଖର କଥା ଖ୍ରୀପୂ ୬୬୭ର କନଷ୍ଟାଣ୍ଟିନୋପଲ୍ ଯୁଦ୍ଧରେ ହୋଇଥିବାର ପ୍ରମାଣ ଅଛି । କହିବା କଥା ହେଉଛି ଗ୍ରୀକ୍ ମାନଙ୍କର ଯୁଦ୍ଧରେ ଆଲୋକର ଉଜ୍ଜଳତା ଏବଂ ଦହନ ଶକ୍ତିକୁ ପ୍ରତିପକ୍ଷ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଥାଏ । ଆଲେକଜାଣ୍ଡରଙ୍କ ଭାରତ ଆକ୍ରମଣ କାଳରେ ସେହି ବିପାଶା ନଦୀ କୂଳରେ ଗ୍ରୀକ୍ - ଅଗ୍ନିର ବିରୁଦ୍ଧରେ ଆକାଶମାର୍ଗରେ ଯେଉଁ "ଆଲୋକ ଆଉ ବଜ୍ର" ର ବ୍ୟବହାର ହୋଇଥିଲା ତାହା ଯୁଦ୍ଧରେ ଏପଟୁ ବାଣ ବା ପାଇରୋଟେକନିକସ୍ ର ବ୍ୟବହାର ହୋଇଥିଲା ବୋଲି କହିଲେ ଭୁଲ୍ ହେବ ନାହିଁ । ଏସିଆର ଏହି ଅଂଚଳରେ ବାଣର ଉପଯୋଗିତା ଯୁଦ୍ଧରେ କେବଳ ଭୟର ପ୍ରଦର୍ଶନ କରିବା ମାତ୍ର ଏହାଦ୍ୱାରା କୌଣସି ମୃତାହତ ଭଳି ଭୟାବହତା ସୃଷ୍ଟି କରିବା ସମ୍ଭବ ନୁହଁ ।

ଚାଇନିଜ ଆନାଲସ୍ ବା ଚାଇନା - ନଥି ଅନୁସାରେ ଚାଇନାର "ଲୋ ୟାଙ୍ଗ" ଅଂଚଳ ଅଧିକାର ସମୟରେ ୧୨୩୨ ଖ୍ରୀଅରେ ବାରୁଦକୁ ଲୁହାପାତ୍ରରେ ସେଥିରେ ନିଆଁ ଲଗାଯାଇଥିଲା । ସେଥିରୁ ଯେଉଁ ନିଆଁ ବାହାରିଥିଲା ତାହା ଅର୍ଦ୍ଧ ଏକର ପରିମିତ ସ୍ଥାନକୁ ବ୍ୟାପି ଯାଇଥିଲା ଏବଂ ସେଥିରୁ ଯେଉଁ ଶବ୍ଦ ବାହାରିଥିଲା ତାହା ବଜ୍ର ଭଳି ଆକାଶକୁ ଥରାଇ ଦେଇଥିଲା, ଏଇଭଳି ସମକାଳ ଉଲ୍ଲେଖ ରହିଛି । ୧୨୫୮ ଖ୍ରୀଅରେ ମଙ୍ଗୋଲିଆନମାନେ ବାଗଦାଦ ଆକ୍ରମଣ କରିବା ସମୟରେ ବାରୁଦ ଓ ଲୁହାପାତ୍ରର ବ୍ୟବହାର କରି ପ୍ରତିପକ୍ଷକୁ "ଆଲୋକ ଏବଂ ଶବ୍ଦ" ର ଭୟ ଦେଖାଇଥିଲେ । ବିଶିଷ୍ଟ ପରିବ୍ରାଜକ ମାର୍କୋପୋଲୋ ତାଙ୍କର ଭ୍ରମଣ ବୃତ୍ତାନ୍ତରେ ଖ୍ରୀଅ ୧୨୬୮ ରୁ ଖ୍ରୀଅ ୧୨୭୩ ଭିତରେ ଚାଇନାର ଭିନ୍ନ ଭିନ୍ନ ସହର ମଧ୍ୟରେ ଯୁଦ୍ଧବେଳେ ବାରୁଦ ଏବଂ ଲୁହାପାତ୍ରରେ ନିଆଁ ଧରାଇ ତାହାକୁ ପ୍ରତିପକ୍ଷ ଉପରକୁ ଫୋପାଡିବାର କଥା ପ୍ରତ୍ୟକ୍ଷ କରିଥିବାର କଥା ଲେଖିଛନ୍ତି ।

ବାଣ ବା ପାଇରୋଟେକନିକସ୍ ର ଭୂମିକା ଯୁଦ୍ଧରେ ଯଥେଷ୍ଟ ସଂକୁଚିତ । ଏହା କେବଳ ପ୍ରତିପକ୍ଷକୁ ଭୟ ପ୍ରଦର୍ଶନ କରିବା ଭିତରେ ସୀମିତ ଆଉ ସେହି ପ୍ରକାରର ଭୟ ପ୍ରଦର୍ଶନର ଆୟୁଷ ବି ସ୍ୱଳ୍ପ । ତେଣୁ ଚୈନୀକମାନେ ବାରୁଦକୁ ନେଇ ଯୁଦ୍ଧ କ୍ଷେତ୍ରକୁ ଯିବାରେ କ୍ରମଶଃ ଅନିଚ୍ଛୁକ ହୋଇପଡିଲେ । ସେମାନେ କ୍ରମଶଃ ଦେଖିଲେ ଏଇ ବାରୁଦକୁ ଫମ୍ପା ବାଉଁଶନଳୀରେ ଭର୍ତ୍ତି କରି ନିଆଁ ଲଗାଇଲେ ତାହା ଖୁବ୍ ଧମାକଦାର ଶବ୍ଦ କରି ଆକାଶକୁ ଉଠିଯାଉଛି । ସେଇଠୁ ସେମାନଙ୍କର ମୁଣ୍ଡକୁ ଗୋଟିଏ ସୁନ୍ଦର ବୁଦ୍ଧି ଜୁଟିଲା । ଏଇ ଜୋରଦାର୍ ଶବ୍ଦ ଆଉ ଆଲୁଅକୁ ଆଉ ଆକାଶମୁଖୀ ଶୂନ୍ୟତାର ତୀବ୍ର ଗତିକୁ ସମ୍ଭବତଃ ଅନ୍ୟପ୍ରକାରେ ବ୍ୟବହାର କରାଯାଇପାରିବ । ଏହାକୁ ବ୍ୟବହାର କରି ସେ ସମସ୍ତଙ୍କୁ ସଂପୂର୍ଣ୍ଣ ଭୟଭୀତ କରି ଏଠାରୁ ତଡି ଦିଆଯାଇପାରିବ । ସେମାନେ ସମସ୍ତେ, ଅର୍ଥାତ୍ ସେମାନେ, ଯେତେକ ଦୁଷ୍ଟ ଆତ୍ମା ଅଛନ୍ତି ଏଇଠେ ସେମାନେ । ସେମାନଙ୍କୁ ଏହାଦ୍ୱାରା ଆକାଶକୁ ତଡି ଦିଆଯାଇପାରିବ । ପରେ ଏହି ଧମାକାଦାର ଆନନ୍ଦକୁ ସେମାନେ ବିବାହରେ, ବିଜୟରେ, ଆଉ ନୂଆବର୍ଷର ଉତ୍ସବପାଳନର ଅଂଶ ହିସାବରେ ବ୍ୟବହାର କରିବାକୁ ଆରମ୍ଭ କଲେ । ସେମାନେ ସେତେବେଳେ ବାରୁଦର ଗୋଟିଏ କାବ୍ୟିକ ନାମକରଣ କରିଥିଲେ ଯାହା ହେଉଛି, "ଉଡନ୍ତା ନିଆଁର ତୀର" ।

"ଉଡନ୍ତା ନିଆଁର ତୀର" ଆଉ ପରେ କବିତା ହୋଇ ରହିଲା ନାହିଁ । ରହିପାରିଲା ନାହିଁ।

ତ୍ରୟୋଦଶ ଶତାବ୍ଦୀରେ ଜର୍ମାନୀର ଜଣେ ସାଧୁ ବେରଥୋଲଡ୍ ସ୍କୁୱାଜ୍ ଏଥିରେ ପ୍ରକୃତରେ ନିଆଁ ଲଗାଇବା କହିଲେ ଯାହା ବୁଝାଏ ସେଇ କାମଟି କଲେ । ଏଇ ସାଧୁଜଣକ ତିଆରି କରିଥିଲେ ପୃଥିବୀର ସର୍ବପ୍ରଥମ ଆଗ୍ନେୟାସ୍ତ୍ର ।

ସେ ଯାହାହେଉ ଏଇ ପ୍ରସଂଗରେ ଜଣେ କଳ୍ପନାପ୍ରବଣ ଚୈନୀକଙ୍କୁ ଆମର ଜାଣିବା ଉଚିତ । ତାଙ୍କର ନାଆଁ ୱାନ୍ ହୁ । ୱାନ୍ ହୁ ବାରୁଦକୁ ଉତ୍ସବ ପାଳନ ବ୍ୟତୀତ ଅନ୍ୟ କେଉଁ ପ୍ରାୟୋଗିକ କୌଶଳ ହିସାବରେ ବ୍ୟବହାର କରିହେବ ସେଇକଥାରେ ମନ ଦେଇଥିଲେ । ସେ ପ୍ରଥମେ ବ୍ୟୋମଯାନଟିଏ ତିଆରିକଲେ । ଦୁଇଟି ଗୁଡି ଆଉ ତାହା ମଝିରେ ନିଜେ ବସିବା ପାଇଁ ଗୋଟିଏ କାଠ ଚେୟାର୍ ଆଉ ତାହାକୁ ଆକାଶକୁ ପଠାଇବା ପାଇଁ ବୟାଳିଶଟି ରକେଟ ସଦୃଶ ବାଣରେ ତିଆରି ହୋଇଥିଲା ସେଇ ବ୍ୟୋମଯାନ । ୱାନ୍ ହୁ ନିଜେ ଆରାମରେ ସେଇ କାଠଚେୟାର୍ ରେ ବସି ନିଜର ସହଯୋଗୀମାନଙ୍କୁ ଅଗ୍ନିସଂଯୋଗର ନିର୍ଦ୍ଦେଶ ଦେଲେ । ଆକାଶ ଯାତ୍ରା ଆରଂଭ ହେଲା । କିଛି ସମୟ ପରେ କିନ୍ତୁ ଆକାଶରୁ ଖସିପଡିଲା କାଗଜ ଗୁଡି, କାଠଚେୟାର ଆଉ ୱାନ ହୁଙ୍କ ଶରୀରର ଅବଶେଷ ପାଉଁଶ ହୋଇ । ତେଣୁ ୱାନ ହୁ ହେଉଛନ୍ତି ବାଣ - ବ୍ୟବସାୟର ସର୍ବପ୍ରଥମ ନଥିଭୁକ୍ତ ଶହୀଦ ।

ସାର୍ ଜନ୍ ଷ୍ଟ୍ରାଟନ୍ ବୋଲି ଜଣେ ଇଂରେଜ ରାଜଦୂତ ଚୀନ୍ ଯାତ୍ରା କରିଥିଲେ । ତାଙ୍କର ସ୍ମୃତି କଥାରେ ଖ୍ରୀଅ ୧୭୯୮ରେ ସେ ଚାଇନାରେ ଆଉ ଭାରତରେ ବାରୁଦ ବା ସଲପିଟର୍ ନିୟମିତ ଭାବରେ ଉତ୍ପାଦନ କରାଯାଉଥିଲା ବୋଲି ଉଲ୍ଲେଖ କରିଛନ୍ତି । ଏହି ବାରୁଦର ବ୍ୟବହାର ମୁଖ୍ୟତଃ ସୁରକ୍ଷା ଅପେକ୍ଷା ଆମୋଦ ପ୍ରମୋଦରେ ଅଧିକ ବ୍ୟବହୃତ ହେଉଥିଲା । ସାର୍ ଜନ୍ ଷ୍ଟ୍ରାଟନ୍ ଙ୍କ ଉଲ୍ଲେଖ ଅନୁସାରେ ଭାରତ ଏବଂ ଚାଇନାରେ ବାରୁଦକୁ କେମିତି ଭୟାବହ କରାଯାଇ ପାରିବ ସେ ସଂପର୍କରେ ସେମାନଙ୍କର ବିଶେଷ ଧାରଣା ନଥିଲା । ତେଣୁ ସେମାନଙ୍କର ପାଇରୋଟେକନିକସ୍ ଅଧିକରୁ ଅଧିକ ଆମୋଦ ପ୍ରମୋଦଭିତ୍ତିକ ହୋଇପଡିଲା । ତାଙ୍କ ମତରେ ଇଉରୋପୀୟ ଦେଶମାନେ ବାରୁଦକୁ ନେଇ ଅନେକ ଚିନ୍ତାଭାବନା କରିବା ଫଳରେ ବାରୁଦ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇପାରିଥିଲା । ଇଉରୋପୀୟମାନେ ଏସିଆ ମହାଦେଶର ବାରୁଦକୁ ଯଥେଷ୍ଟ ଶକ୍ତିଶାଳୀ କରିବା କ୍ରମରେ ପାଇରୋଟେକନିକସ୍ ବା ବାଣନିର୍ମାଣରେ ବି ଅଧିକ ରଂଗ, ଆଲୁଅ, ଡିଜାଇନ୍ ଏବଂ ଶବ୍ଦର ସଂଯୋଜନା କରିପାରିଥିଲେ।

ପ୍ରାୟ ସପ୍ତଦଶ ଶତାବ୍ଦୀବେଳକୁ ବିଗତ ଆଠ ଶତାବ୍ଦୀ ଧରି ଦିଶିଆସୁଥିବା ହଳଦିଆ ଆଉ ଇଷତ୍ ଲାଲ୍ ଆମ୍ବର୍ ରଂଗର ବାଣ ରଂଗୀନ ହୋଇଗଲା ।

ବାଣରେ ରଂଗଦେବା କାମଟି ଆରଂଭ ହୋଇଥିଲା ଫ୍ରାନ୍ସର ପ୍ରସିଦ୍ଧ ବରବୋଁ ରାଜବଂଶର ପ୍ରସିଦ୍ଧ ରାଜପ୍ରାସାଦ ଭର୍ସାଇରେ ରାଜକୀୟ ବ୍ୟସନ ପାଇଁ । ଆଉ ତାହା ପରଠାରୁ ଏହା ଇଉରୋପରେ ସର୍ବତ୍ର ଭିନ୍ନ ଭିନ୍ନ ଆନନ୍ଦମୟ ଉତ୍ସବ ଯେପରି ରାଜାଙ୍କ ଅଭିଷେକ, ଧାର୍ମିକ ପର୍ବ, ଯୁଦ୍ଧ ବିଜୟ, ସଂଭ୍ରାନ୍ତ ତଥା ରାଜପରିବାରର ବିବାହ ଉତ୍ସବ ତଥା ରାଜ ପରିବାରରେ ଜନ୍ମଜାତକକୁ ଅଭ୍ୟର୍ଥନା ଆଦି ଉତ୍ସବରେ ସର୍ବସାଧାରଣଙ୍କର ଆନନ୍ଦ ଅଭିବ୍ୟକ୍ତିକୁ ପ୍ରକାଶ କରିବା ପାଇଁ ବାଣର ବ୍ୟବହାର ଆରମ୍ଭ ହୋଇଥିଲା । ସେ ସମୟରେ ବାଣମରାବେଳେ ସୁରକ୍ଷା ବ୍ୟବସ୍ଥା ଅତି ନିମ୍ନମାନର ଥିଲା । ଲୋକେ ନିଆଁ ଗୋଲକମାନଙ୍କୁ ହାତରେ ଧରି ମୁହଁରେ ମୁଖାପିନ୍ଧି ଖେଳୁଥିଲେ ବୋଲି ଏକ ଉଲ୍ଲେଖ ୧୫୩୩ ଖ୍ରୀଅ ରେ ଜଣେ ଭେନିସ୍ ରାଜଦୂତଙ୍କର ଲଣ୍ଡନ ସଂପର୍କରେ ରହିଛି । ତାଙ୍କ ଅନୁସାରେ ଏହି ବାଣମାରିବା ପାଇଁ ବିଶେଷଜ୍ଞ ବ୍ୟକ୍ତିକୁ "ଗ୍ରିନ୍-ମ୍ୟାନ୍" ବୋଲି କୁହାଯାଉଥିଲା । ସେମାନଙ୍କୁ "ଗ୍ରିନ-ମ୍ୟାନ୍" ବୋଲି ଏଇଥିପାଇଁ କୁହାଯାଉଥିଲା ଯେ ବାଣମାରିବାବେଳେ ସେମାନଙ୍କର ମୁହଁ ମୁଖାରେ ଢାଙ୍କି ହୋଇ ରହୁଥିଲା ଏବଂ ବାଣମାରିବାବେଳେ ନିଆଁ ପଡି କିଛି ଦୁର୍ଘଟଣା ଘଟିବା ଆଶଙ୍କାରୁ ସୁରକ୍ଷିତ ରହିବାପାଇଁ ସେମାନଙ୍କ ନିକଟରେ ଗୋଛାଏ ସଦ୍ୟ ସଂଗୃହୀତ ଡାଳପତ୍ର ରହୁଥିଲା । ପାଖରେ ଡାଳପତ୍ର ରହୁଥିବାରୁ ସେମାନେ "ଗ୍ରିନ୍-ମ୍ୟାନ୍"।

ବାଣମରାର କୌଶଳ ଓ ସ୍ୱରୂପକୁ ଅନୁଧ୍ୟାନ କଲେ ଇଉରୋପରେ ସପ୍ତଦଶ ଶତାବ୍ଦୀବେଳକୁ ମୁଖ୍ୟତଃ ଦୁଇ ପ୍ରକାରର ବାଣର କୌଶଳ ପ୍ରଦର୍ଶନ କରାଯାଉଥିଲା । ଇଉରୋପର ଦକ୍ଷିଣଭାଗରେ ଆଲୋକ ଆଉ ଶବ୍ଦର ସିଧା ପ୍ରତିଫଳନ ଦେଖାଯାଉଥିଲା ମାତ୍ର ସେତିକିବେଳେ ଇଉରୋପ ଉତ୍ତରରେ ବାଣ ମାରିବାବେଳେ ସେଥିରେ ନୂଆ ରୂପକଧର୍ମୀ ଚିତ୍ରର ସର୍ଜନା କରାଯାଉଥିଲା । ଗୋଟିଏ ଉଦାହାରଣରୁ ଏକଥା ସହଜରେ ବୁଝି ହେବ । ୧୭୪୯ ଖ୍ରୀଅରେ ଫ୍ରାନ୍ସର ରାଜା ପଞ୍ଚଦଶ ଲୁଇଙ୍କ ବାରବର୍ଷର ଝିଅର ବିବାହ ଉତ୍ସବ ଇଂଲଣ୍ଡର ରାଜା ଫିଲିପ ପଞ୍ଚମଙ୍କର ଅଠରବର୍ଷର ପୁଅ ସହିତ ସଂଘଟିତ ହୋଇଥିଲା । ସେଇ ବିବାହ ଉପଲକ୍ଷେ ସେଠାରେ ଯେଉଁ ବାଣମରା ହୋଇଥିଲା ତାହା ଇଉରୋପର ତତ୍କାଳୀନ ଉତ୍ତରର ଧାରା ଅନୁସାରେ ହୋଇଥିଲା ଅର୍ଥାତ୍ ସେହି ବାଣମରାରେ ତଳୁ ରକେଟମାନ ଛୁଟି ଯାଇ ଏକ ସୂର୍ଯ୍ୟର ବିସ୍ଫୋରଣ କରିଥିଲେ ଆଉ ସେଥିରୁ ଯେଉଁ ନାଲିନୀଳ ଆଲୁଅ ବିଛାଡି ହୋଇଥିଲା ସେଥିରେ ଏହି ନବଦଂପତ୍ତିଙ୍କର ନାଆଁର ଆଦ୍ୟ ଅକ୍ଷର ଲେଖି ହୋଇ ଯାଇଥିଲା । ଏହାର ମୁକାବିଲା କରିବାକୁ ଯାଇ ଇଟାଲୀରେ ଇଉରୋପର ଦକ୍ଷିଣ ଭାଗର ବାଣମରା କୌଶଳ ପ୍ରଦର୍ଶିତ ହୋଇଥିଲା । ସେଥିରେ ବାଣର ରଂଗ, ଆଲୁଅ ଆଉ ଶବ୍ଦରେ ଆକାଶରେ ଗୋଟିଏ ସମୁଦ୍ର ଯୁଦ୍ଧର ଛବି ସୃଷ୍ଟି କରାଯାଇଥିଲା । ଲୋକେ ଏହାକୁ ଦେଖି ବିସ୍ମୟରେ ଅଭିଭୂତ ହୋଇଯାଇଥିଲେ ।

ଏମିତି କହିଲେ ଫରାସୀ ରାଷ୍ଟ୍ରବିପ୍ଳବ ପୂର୍ବରୁ ପୃଥିବୀରେ ବାଣମାନ ରଂଗୀନ ହୋଇଯାଇଥିଲେ । କଳାଧଳା ବାଣର ଚାହିଦା ଉଚ୍ଚବର୍ଗରୁ ନିମ୍ନବର୍ଗ ଆଡକୁ ଢଳି ଆସିଥିଲା ।

ଇତିହାସ ଦୃଷ୍ଟିରୁ ଚାଇନାରୁ ଭାରତକୁ ବାଣ ଆସିଲା ମୁଗଲମାନଙ୍କ ଦରବାରକୁ । ଅନେକ ମୁଗଲ୍ ମିନିଏଚର୍ ପେଣ୍ଟିଙ୍ଗରେ ଏହା ଚିତ୍ରିତ ହୋଇରହିଅଛି । ତେଣୁ ପ୍ରାୟ ଷୋଡଶ ଶତାବ୍ଦୀର ମଧ୍ୟଭାଗରୁ ଏହା ରାଜକୀୟ ବ୍ୟସନର ଏକ ଭବ୍ୟ ଅଂଶ ବିଶେଷ ହୋଇ ରହିଥିଲା । ଶବ୍ଦ ଓ ଆଲୋକର ବିସ୍ମୟକର ଆକର୍ଷଣକୁ ମୁଗଲ ନରପତିମାନେ ନିଜର ରାଜକୀୟ ପ୍ରତିଷ୍ଠାର ଶ୍ରେଷ୍ଠତ୍ୱ ପାଇଁ ବ୍ୟବହାର କରୁଥିଲେ । ଏମିତିରେ ଇତିହାସର ସବୁ ଶାସକ ବର୍ଗ ଭବ୍ୟତାର ପ୍ରଦର୍ଶନ ପାଇଁ ସବୁବେଳେ ନୂତନ ନୂତନ କୌଶଳର ସଂଧାନରେ ଥାଆନ୍ତି । ମୁଗଲ ନରପତିଙ୍କଠାରୁ ଉଚ୍ଚ ବର୍ଗ ଓ ସେମାନଙ୍କଠାରୁ ସାଧାରଣ ବର୍ଗ ଏହି ବାଣ ବ୍ୟବହାରଟି ଏଠାରେ ଶିଖିଥିଲେ ।

ତେଣୁ ଷୋଡଶ ଶତାବ୍ଦୀରୁ ଭାରତକୁ ଚାଇନାରୁ ଯେଉଁ ବାଣ ଆସିଥିଲା ତାହା ସହିତ ବି ବାଣର ଏକ ବ୍ୟବହାରଜନିତ ଅଲିଖିତ ନିର୍ଦ୍ଦେଶିକା ବି ଆସିଥିଲା ଏଠିକୁ । ଦୁଷ୍ଟ ଆତ୍ମାକୁ ତଡିବା, ଶବ୍ଦ ଓ ଆଲୋକର ଆମୋଦ, ବିବାହ ସାମାଜିକ ଓ ସାମୂହିକ ପ୍ରଦର୍ଶନ, ବିଜୟ ଉଲ୍ଲାସ ଆଦି କ୍ରମଶଃ ଆମ ଆନନ୍ଦଚର୍ଯ୍ୟାର ଅଂଶ ହୋଇଗଲା ।

ଦୀପାବଳି ଅମାବାସ୍ୟା ଆମର ଏକମାତ୍ର ଅଂଧାର ପାଳନ ତଥା ଅମାବାସ୍ୟାର ସାମୂହିକ ପର୍ବ । ତେଣୁ ଅଂଧାରରେ ଆଲୋକ ଆଉ ଶବ୍ଦ ମାଧ୍ୟମରେ ନିଜର ଉପସ୍ଥିତି ଜାହିର୍ କରିବା ପାଇଁ ଆମ ପାଇଁ ବାଣ ସହଜଲଭ୍ୟ ହୋଇଗଲା । କିନ୍ତୁ ଆଲୋକସଜ୍ଜାରେ ଅର୍ଥାତ୍ ଦୀପାବଳିରେ ଯେଉଁ ଉତ୍ସବଟି ଝଲମଲ ହୋଇପାରୁଛି ତାହାକୁ ଧମାକାଦାର କରିବାର ପ୍ରୟୋଜନ କ'ଣ ଅଛି ? ତାହା ହିଁ ହେଉଛି ଗୋଟିଏ ମୌଳିକ ପ୍ରଶ୍ନ ।

ଆପଣମାନେ ସମସ୍ତେ ଆଲୋକଦୀପ୍ତ ହୁଅନ୍ତୁ । ଯେଉଁ ଗୋଟିକ ବୋଲି ମାନବ ଜନ୍ମର ପରମ ସୌଭାଗ୍ୟ ଆମକୁ ମିଳିଛି ସେହି ବିଶେଷ କାରଣରୁ ଆମେ ସମସ୍ତେ ଆଲୋକର ପୁତ୍ରକନ୍ୟା ।

ଶବ୍ଦରେ, ବିଶେଷତଃ ଅଧିକ ଶବ୍ଦରେ ଆମର ଅହଙ୍କାର ଥାଏ । ତେଣୁ ଶବ୍ଦର ଆଡମ୍ବର ଯଥା ସଂଭବ ବର୍ଜନୀୟ । ନୁହଁ ?