ଫଟୋ - ସାଲଭାଦର ଦାଲିଙ୍କ ପ୍ରସ୍ତୁତ ଲଲିପପ୍ ର "ଲୋଗୋ" - ୱିକିପିଡିଆ

ଲଲିପପ୍ କୁ ନେଇ ସେମିତି ଅନେକ କଥା ଅଛି । ସେଇ ସବୁ କଥା ବସ୍ତୁତଃ ଇଙ୍ଗିତର କଥା । କ୍ଷମତାଶାସ୍ତ୍ରରେ କ୍ଷମତାଧରମାନଙ୍କର ତାହା ହେଉଛି ପ୍ରଜାତୋଷଣର ସରଳତମ ଓ ସଫଳତମ ପ୍ରଚେଷ୍ଟା । ଆଉ ଏହି କୌଶଳ ଅବଲମ୍ବନ କରି ସେମାନେ ସାଧାରଣତଃ ଅତ୍ୟନ୍ତ ଚତୁରତାର ସହ ଦୟାଳୁ ଓ ପ୍ରଜାପାଳକର ଲୋଭନୀୟ ମୁକୁଟଟିକୁ ପିନ୍ଧିବା ସହ ତାହା ଯେ କାଳକାଳାନ୍ତରକୁ ଝଲମଲ କରୁଥିବ ତାହାର ବ୍ୟବସ୍ଥାପନାଟି ବି କରିଥାନ୍ତି । କହିବାକୁ ଗଲେ କ୍ଷମତାଧରମାନଙ୍କର ସ୍ୱରୂପରେ ଦ୍ୱିବିଧତା ଯଥା ସ୍ୱୈରାଚାରୀତା ଏବଂ ପ୍ରଜାନୁରଞ୍ଜନ ପରିଦୃଶ୍ୟ ହୁଏ ସେହି ଦୁଇଟି ବିରୋଧାଭାସକୁ ଯାହା ଯୋଡିଥାଏ ତାହାକୁ ଆମେ ଇଂଗିତରେ କିଛି ଲଲିପପ୍ ବୋଲି ହାଲ୍ ଅମଳର ଭାଷାରେ କହିପାରିବା ।

ଏଇଠି କିନ୍ତୁ ଲଲିପପ୍ ର କଥା ଇଙ୍ଗିତରେ ନାହିଁ । କଥାରେ କହିଲେ ତାହା ଯେମିତି ହେବ ସେ କଥା ପଛକୁ ରହୁ । ଆମର ସାଧାରଣ ଆଖିକୁ ଲଲିପପ୍ ଟି ଯେମିତି ଦିଶେ ତାହାକୁ ବିସ୍ତାରରେ କହିବା ଦରକାର ନାହିଁ । ଲଲିପପ୍ ଶବ୍ଦଟି ଉଚ୍ଚାରଣ କରିବା ମାତ୍ରକେ ଆମର ଆଖିଆଗରେ ଏମିତି ଦୃଶ୍ୟଟିଏ ଭାସିଆସିବ ନିଶ୍ଚୟ ।

ସାଧାରଣ କାଠିଟିଏ ଆଉ ତାହାରି ମୁଣ୍ଡରେ ଠିକ୍ ଠେକା ଭଳି ଲାଗି ରହିଛି କିଛି ପରିମାଣର ମିଠା । ଆଉ ସେହି ମିଠାର ରଂଗଟିକୁ ଯଥାସମ୍ଭବ ଆମକୁ ଆକର୍ଷଣ କରିବା ଭଳି ରଙ୍ଗରେ ରଞ୍ଜିତ । ଆମେ ମିଠା ଏବଂ ତାହା ଉପରେ ବୋଳା ହୋଇଥିବା ରଙ୍ଗ ଉଭୟର ଆକର୍ଷଣରେ ଲୋଭାସକ୍ତ ହୋଇ ସେହି ଅଭିଲା ପଦାର୍ଥକୁ କେମିତି ଯଥାଶୀଘ୍ର କରାୟତ୍ତ କରିପାରିବୁ ସେଥିପାଇଁ ଯଥାଶୀଘ୍ର ଚେଷ୍ଟିତ । ଲଲିପପ୍ ର ଏହିଭଳି ଆମ ଭିତରେ ଆକର୍ଷଣ ସୃଷ୍ଟି କରିପାରିବାର କ୍ଷମତା ସ୍ୱତଃସ୍ଫୁର୍ତ୍ତ ଏବଂ ଦୁର୍ନିବାର । ମାତ୍ର ସେଇଠି ଯେଉଁ ବହୁରଙ୍ଗ ମିଠା ଟିକକ ରହିଛି ତାହା ଆମର ପାଟିରେ ମିଳାଇଯିବା ପରେ ଏକ ଅଜବ ଅବବୋଧ ଆମ ଭିତରେ ସୃଷ୍ଟି ହୋଇଥାଏ । ଆମର ଆଗ୍ରହର ଅନ୍ୟ ସମସ୍ତ ମିଠା ପଦାର୍ଥ ଆଉ ଲଲିପପ୍ ଭିତରେ ତାହା ହିଁ ହେଉଛି ଏକମାତ୍ର ପାର୍ଥକ୍ୟ । ଅନ୍ୟ ସମସ୍ତ ମିଠା ଆମର ପାଟିରେ ମିଳାଇଯାଏ ଆଉ ତାହା ଆମକୁ ଆନନ୍ଦ ପ୍ରଦାନ କରିଥାଏ ଏବଂ ପରବର୍ତ୍ତୀ ମିଠା ପ୍ରତି ଆଗ୍ରହ ସୃଷ୍ଟି କରୁଥାଏ ମାତ୍ର ଲଲିପପ୍ କ୍ଷେତ୍ରରେ ଘଡିକ ପାଇଁ ହେଉ ପଛକେ କଥାଟି ଟିକିଏ ନିଆରା । ଲଲିପପ୍ ର ଆକର୍ଷଣୀୟ ମିଠାଟି ଆମ ପାଟିରେ ମିଳାଇଯିବା ପରେ ମିଠାର ଅସାରତାକୁ ମନେପକାଇଦେବା ପାଇଁ ଘଡିକ ପାଇଁ ହେଉ ପଛକେ ଆମ ପାଖରେ ରହିଥାଏ ଲଲିପପ୍ ର ସେଇ କାଠି ଖଣ୍ଡିକ, ଯାହା ମିଠାକୁ ଟିକିଏ ଆଗରୁ ଧରି ରଖିଥିଲା । ଆମେ ତାହାପରେ ସେଇ କାଠିଖଣ୍ଡିକୁ ଫୋପାଡି ଦେଉ । ମିଠା ସରିଯିବାପରେ କାଠି ଖଣ୍ଡିକ ଆମ ହାତରେ କିଛି ସମୟ ପାଇଁ ରହିଥାଏ ବୋଲି ଆମେ ତାହାପରେ ମିଠାଚକ୍ର ଦ୍ୱାରା ସ୍ୱଳ୍ପ ସମୟ ପାଇଁ ପ୍ରତାରିତ ହୋଇପାରିଲୁ ବୋଲି ବ୍ୟଥିତ ହେଉ । ଆଉ ଆମର ସେହିଭଳି ବ୍ୟଥାକୁ ଆମେ ଆଉ ସତ୍ତାପକ୍ଷର ସଂପର୍କକୁ ପରିଭାଷିତ କରିଥାଉ, କାରଣ ଜଣେ ପ୍ରଜା ହିସାବରେ ଆମର ନିରଙ୍କୁଶ ମିଠା ଭୋଗିବାର ଅଧିକାର ରହିଛି । ଏହା ସାମୟିକତାରେ ବନ୍ଧା ହେବା ଆମ ପାଇଁ ପ୍ରତାରଣା ସ୍ୱରୂପ ।

ଯଦିଓ ଲଲିପପ୍ ବୋଲି ସେମିତି କୌଣସି ନିର୍ଦ୍ଦିଷ୍ଟ ନାଆଁ ନଥିଲା ବା ସେମିତି କୌଣସି ନାଆଁ ସେଇଭଳି ଏକ ବ୍ୟବହାର - ପଦ୍ଧତିକୁ ସୂଚିତ କରିବା ପାଇଁ ନଥିଲା, ତଥାପି ହଜାର ହଜାର ବର୍ଷ ଆଗରୁ ଏହିଭଳି ପଦ୍ଧତିଟି ଅନୁସୃତ ହୋଇ ଆସୁଥିଲା । ଏହିଭଳି ପଦ୍ଧତି ଅର୍ଥାତ୍ କାଠିର ଅଗରେ ମିଠା । ସଭ୍ୟତାର ଆଦ୍ୟ କାଳରେ ପ୍ରାଚୀନ ଚୀନ୍ ରେ, ଆରବରେ ଏବଂ ଇଜିପ୍ଟରେ ଲୋକେ ବିଭିନ୍ନ ଫଳ ଏବଂ କୋଳି ଆଦିକୁ ମହୁରେ ବୁଡାଇ ରଖୁଥିଲେ । ମହୁ ସେସମୟରେ ଏହିଭଳି ଖାଦ୍ୟ ପଦାର୍ଥକୁ ଦୀର୍ଘଦିନ ପାଇଁ ସୁରକ୍ଷିତ କରି ରଖିବାର ଥିଲା ଏକମାତ୍ର ପ୍ରିଜରଭେଟିଭ୍ । ସେହି ମହୁ ମିଶ୍ରିତ ଫଳ ଆଉ କୋଳିକୁ ସେମାନେ କାଠି ସାହାଯ୍ୟରେ ସାଧାରଣତଃ ଭକ୍ଷଣ କରୁଥିଲେ । ସଭ୍ୟତାର ଆଦି କାଳର ସେହି କାଠିରେ ମହୁ ମିଶ୍ରିତ କୋଳି ବା ଫଳ ଉଠାଇ ଖାଇବାର କୌଶଳକୁ ଏକ ଅବଧାରଣା ହିସାବରେ ପରେ ଲଲିପପ୍ କ୍ଷେତ୍ରରେ ବ୍ୟବହୃତ କରାଯାଇଛି ବୋଲି କହିଲେ କଥାଟି ଭୁଲ୍ ହେବନାହିଁ ।

ମହୁ କି ତାହା ପରେ ଚିନି ଆଦି ମିଳିବା ସେତେ ସହଜ ନଥିଲା ସେତେବେଳେ ।

ପ୍ରାୟତଃ ସପ୍ତଦଶ ଶତାବ୍ଦୀବେଳକୁ ଇଂଲଣ୍ଡରେ ଚିନି ମିଳିବା ସୁଲଭ ହୋଇଥିଲା । ଇଂଲଣ୍ଡରେ ଟ୍ୟୁଡରମାନଙ୍କ ଶାସନର ଆଦ୍ୟକାଳରୁ ସେଠାରେ ଚିନି ମିଳିବାକୁ ଆରମ୍ଭ ହୋଇଥିଲା । ତେଣୁ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ସପ୍ତଦଶ ଶତାବ୍ଦୀର ଆଦ୍ୟ ବାଗରି ଚିନି କେବଳ ସମାଜର ଉଚ୍ଚବର୍ଗ ତଥା ସାମନ୍ତ ବର୍ଗର ବ୍ୟବହାର ଯୋଗ୍ୟ ଏକ ବିଳାସ ସାମଗ୍ରୀ ଥିଲା । ଇଂଲଣ୍ଡର ଉଚ୍ଚବର୍ଗର ବ୍ୟକ୍ତିମାନେ ଚିନିର ଏକ ପ୍ରକାର "ଆଡିକ୍ଟ" ହୋଇ ପଡିଥିଲେ । ଇଂଲଣ୍ଡର ତତ୍କାଳୀନ ରାଣୀ ଏଲିଜାବେଥ ଚିନି ଏବଂ ଚିନି ବହୁଳ ଖାଦ୍ୟରେ ସବୁବେଳେ ଅଧିକ ରୁଚି ରଖୁଥିଲେ । ଅତ୍ୟଧିକ ଚିନି ବ୍ୟବହାର କରୁଥିବା କାରଣରୁ ରାଣୀ ଏଲିଜାବେଥଙ୍କ ଦାନ୍ତମାନ କଳା ପଡିଯାଇଥିଲା ଆଉ ସେଥିରୁ ଅଧିକାଂଶ କ୍ଷୟିଷ୍ଣୁ ଥିଲା । ରାଣୀ ଏଲିଜାବେଥ୍ ଙ୍କର କିନ୍ତୁ ଦନ୍ତ ଚିକିତ୍ସକମାନଙ୍କ ପ୍ରତି ପ୍ରବଳ ଭୟ ଥିଲା । ଯିଏ ଯେତେ କହିଲେ ବି ସେ କୌଣସି ଦନ୍ତ ଚିକିତ୍ସକ ପାଖକୁ ଯିବାକୁ ସମ୍ମତ ହେଉ ନଥିଲେ । ସେ ମହୁରେ ନିଜର ଦାନ୍ତକୁ ଘଷୁଥିଲେ ଏବଂ ନିଜର ପାକୁଆପଣକୁ ଲୁଚାଇବା ପାଇଁ ସବୁବେଳେ ନିଜ ପାଟିଭିତରେ ଭଲ କିସମର ରେଶମ କପଡାର ଟୁକୁଡାକୁ ଚାପି ଧରି ରଖୁଥିଲେ । କେବଳ ରାଣୀଙ୍କ କଥା ନୁହଁ ଟ୍ୟୁଡର କାଳରେ ମାତ୍ରାଧିକ ଚିନି ଓ ଚିନି ବହୁଳ ଖାଦ୍ୟରେ ଆଗ୍ରହୀ ଥିବା କାରଣରୁ ସେ ସମୟର ସଂଭ୍ରାନ୍ତମାନଙ୍କର ଦାନ୍ତମାନ ମଧ୍ୟ କଳା ପଡିଯାଉଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସମୟରେ ଜଣଙ୍କର ଦାନ୍ତ କଳା ହୋଇଛି ଅର୍ଥ ଏହା ଏକ ଆଭିଜାତ୍ୟର ପ୍ରତୀକ ଥିଲା । ଆଉ ସେଇଥିପାଇଁ ସେ ସମୟରେ ନିମ୍ନବର୍ଗର ବ୍ରିଟିଶମାନେ ଉଚ୍ଚବର୍ଗକୁ ଅନୁକରଣ କରି (ଯଦିଓ ସେମାନଙ୍କୁ ସେମିତି ଚିନି ମିଳୁନଥିଲା), ଅଂଗାର ଆଉ ଅନ୍ୟାନ୍ୟ ପଦାର୍ଥରେ ନିଜ ନିଜର ଦାନ୍ତକୁ କଳା କରୁଥିଲେ । ଦାନ୍ତକୁ କଳା କରିବା ସେସମୟର ଏକ ବିଶେଷ ସାମାଜିକ ଷ୍ଟାଇଲ୍ ଥିଲା ।

ଚିନିରେ ବିଶେଷ ଆଗ୍ରହ ତତ୍କାଳୀନ ବ୍ରିଟିଶ ସମାଜରେ ଥିବା କାରଣରୁ ସପ୍ତଦଶ ଶତାବ୍ଦୀରେ ଇଂଲଣ୍ଡର ରାଜରାସ୍ତାରେ ବୁଲାବିକାଳିମାନେ ଚିନିରେ ତିଆରି ମିଠା ବା କ୍ୟାଣ୍ଡିମାନ ବୁଲି ବୁଲି ବିକୁଥିଲେ । ଏହାଛଡା ସେ ସମୟରେ ସେମାନେ ଗୋମାଂସ ବି ବୁଲି ବୁଲି ବିକୁଥିଲେ । ଏହି କ୍ୟାଣ୍ଡି ଆଉ ଏହି "ବିଫ୍"କୁ ବିକିବାବେଳେ ସୁବିଧା ହେବ ବୋଲି ସେମାନେ ସେଥିରେ ଛୋଟ କାଠିକୁ ଲଗାଇ ବିକ୍ରି କରୁଥିଲେ । ବିଫ୍ ରେ ଷ୍ଟିକ୍ ଲଗାଇ ବିକାଯାଉଥିବା କାରଣରୁ ତାହା "ବିଫ୍ ଷ୍ଟିକ୍" ବୋଲି ଜନପ୍ରିୟ ହୋଇଥିଲା । ଏବଂ ସେତେବେଳର କ୍ୟାଣ୍ଡିକୁ ଲୋକମାନେ ଆଗ୍ରହରେ କହୁଥିଲେ, ଲଲିପପ୍ । ଲଲିପପ୍ ଶବ୍ଦଟି ସେଇ ସପ୍ତଦଶ ଶତାବ୍ଦୀର ଆଦ୍ୟଭାଗରୁ ଜନପ୍ରିୟତା ଅର୍ଜନ କରିବାକୁ ଆରମ୍ଭ କରିଥିଲା । ଏହି ଶବ୍ଦର ବ୍ୟୁତ୍ପତ୍ତିଗତ ଅର୍ଥ ବି ଚମତ୍କାର । "ଲଲି" ର ଅର୍ଥ ହେଉଛି "ଜିଭ" ଆଉ "ପପ୍" ର ଅର୍ଥ ହେଉଛି "ସ୍ଲାପ୍" ବା "ଚାପୁଡା" ଅର୍ଥାତ୍ ଯାହା ଜିଭକୁ ଚାପୁଡାଏ ପକାଏ ତାହା ହେଉଛି ଲଲିପପ୍ ।

ଅକ୍ସଫୋର୍ଡ ଇଂଲିଶ ଡିକ୍ସନାରୀ ୧୭୮୪ରେ ସର୍ବପ୍ରଥମେ ଏହା ଏକ ଶବ୍ଦ ଆକାରରେ ପ୍ରବେଶ କରିଥିଲା । ଲଲିପପ୍ କହିଲେ ଏହା ପ୍ରଥମ ଆଭିଧାନିକ ଅର୍ଥ ହିସାବରେ ଏକ ସହରୀ ଗାଳି ବା ଷ୍ଟ୍ରିଟ୍ ସ୍ଲାଙ୍ଗକୁ ବୁଝାଉଥିଲା । ବିଶେଷରେ ଏହା ଜଣକୁ ମଧୁର ଭାବରେ ଗାଳି ଦେବାକୁ ବୁଝାଏ । ଏହା ଏମିତି ଏକ ଗାଳି ଜଣେ ଖାଇବ ଅଥଚ ସେହି ଗାଳି ତାହାକୁ ସେତେ ବାଧିବ ନାହିଁ ଆଉ ସେହି ଗାଳି ଖାଇବା ପରେ ସେ ହସୁଥିବ, ସେମିତି ଗାଳି ହେଉଛି ଲଲିପପ୍, ଇଂରେଜୀ ଅଭିଧାନ ଅନୁସାରେ । ପରେ ଊନବିଂଶ ଶତାବ୍ଦୀରେ ପ୍ରଖ୍ୟାତ ଇଂରେଜୀ ଔପନ୍ୟାସିକ ଚାର୍ଲସ ଡିକେନ୍ସ ନିଜର ଉପନ୍ୟାସମାନଙ୍କରେ ଏହି ଶବ୍ଦକୁ ସେ ବ୍ୟବହାର କରିଛନ୍ତି । ଡିକେନ୍ସଙ୍କର ସବୁବେଳେ ସହରୀ - ରାସ୍ତାର ଭାଷା ଅର୍ଥାତ୍ ଷ୍ଟ୍ରିଟ୍ ସ୍ମାର୍ଟ ଲାଙ୍ଗୁଏଜକୁ ବ୍ୟବହାର କରିବାରେ ଭାରି ଆଗ୍ରହ ଥିଲା । ଚାର୍ଲସ୍ ଡିକେନସ୍ ଲଲିପପ୍ କୁ ଏକ ଗାଳି ଅର୍ଥରେ ବ୍ୟବହାର କରି ନାହାଁନ୍ତି । ତାଙ୍କ ପାଇଁ ଲଲିପପ୍ ହେଉଛି ପାଟିରେ ତୁରନ୍ତ ମିଳାଇଯାଉଥିବା ଏକ ମିଠା ଯାହା ଏକ ତାରୁଣ୍ୟର ଆନନ୍ଦ ପ୍ରଦାନ କରେ ।

କହିବାକୁ ଗଲେ ଲଲିପପ୍ ବା କ୍ୟାଣ୍ଡିର କିନ୍ତୁ ଏକ ବିଚିତ୍ର ପରିବର୍ତ୍ତନ ଦେଖାଗଲା ଊନବିଂଶ ଶତାବ୍ଦୀର ମଧ୍ୟ ଭାଗ ଆଡକୁ । ସେତେବେଳକୁ ଲେଖନକର୍ମ ପାଇଁ ପେନସିଲ୍ ର ଉଦ୍ଭାବନ ହୋଇ ସାରିଥାଏ । ଲେଖିକରି କାମକୁ ସହଜ କରିବା ପାଇଁ ପେନସିଲ୍ ଉଦ୍ଭାବନ କରାଯାଇଥିଲେ ହେଁ ସମସ୍ତ ପ୍ରଥମ ଉଦ୍ଭାବନକୁ ଗ୍ରହଣ କରିନେବା ପାଇଁ ମଣିଷର ଯେଉଁ ଶଙ୍କାମୁକ୍ତ ଅବସ୍ଥାନ ରହିବାର ପ୍ରୟୋଜନ ତାହା ସବୁବେଳେ ମଣିଷ ପାଖରେ ନଥାଏ । କୌଣସି ନୂତନ ବସ୍ତୁକୁ ନିଜର ବ୍ୟବହାରଯୋଗ୍ୟ ଅଭ୍ୟାସରେ ପରିବର୍ତ୍ତନ କରିବା ପାଇଁ ବେଶ୍ ସମୟ ଲାଗେ । ୧୮୬୫ ଖ୍ରୀଅ ଅର୍ଥାତ୍ ସେତେବେଳକୁ ଆମେରିକା ଇଂଲଣ୍ଡର ଉପନିବେଶରୁ ମୁକ୍ତ ହୋଇ ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହୋଇସାରିଥାଏ ଏବଂ ତାହା ହେଉଛି ଆମେରିକାର ଗୃହଯୁଦ୍ଧ ବା ସିଭିଲ ୱାର୍ ର ସମୟ । ଠିକ୍ ସେତେବେଳେ ଆମେରିକାରେ ପେନସିଲ୍ ର ବ୍ୟବହାରକୁ ପିଲାମାନଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବା ପାଇଁ ପେନସିଲ୍ ର ମୁଣ୍ଡରେ "କ୍ୟାଣ୍ଡି" ଲଗାଇବାର ବ୍ୟବସ୍ଥା କରାଯାଇଥିଲା । ଏହିଭଳି ବ୍ୟବସ୍ଥାର ଜନପ୍ରିୟତା ଥିଲା ମାତ୍ର ଏହା କ୍ରମଶଃ କମିବାକୁ ଲାଗିଲା ଆଉ ପେନସିଲ୍ ବ୍ୟବସାୟୀଙ୍କ ଭିତରୁ କେହି ଜଣେ ପେନସିଲ୍ ମୁଣ୍ଡରେ "କ୍ୟାଣ୍ଡି" ରହୁଥିବା ସ୍ଥାନରେ "ଇରେଜର" ବା ଲିଭେଇଦେଉଥିବା ରବର ସଂଯୋଜନାର ବ୍ୟବସ୍ଥା କରିଥିଲେ । ଏବଂ ଏହା ସେବେଠାରୁ ଆଜି ଯାଏଁ ବି ଚାଲିଆସୁଛି ।

ଲଲିପପ୍ ର ପ୍ରଥମ ସ୍ୱରୂପ ଏହି "କ୍ୟାଣ୍ଡି" ବା ଚିନିମିଠା । ଟିକିଏ ଆଗରୁ କୁହାଯାଇଥିବା ପେନସିଲ୍ ର ମୁଣ୍ଡରେ "କ୍ୟାଣ୍ଡି" ଭଳି ଏହାର ବିବର୍ତ୍ତନରେ ଅନେକଗୁଡିଏ "କ୍ୟାଣ୍ଡି" କାହାଣୀ ରହିଛି । ସେଥିରୁ ଗୋଟିଏ ପ୍ରମୁଖ "କ୍ୟାଣ୍ଡି" କାହାଣୀ ଆମେରିକାର କନେକ୍ଟିକଟ୍ ର ଜର୍ଜ ସ୍ମିଥ୍ ଙ୍କୁ ନେଇ ପ୍ରଚଳିତ । ଯୁକ୍ତରାଷ୍ଟ୍ର ଆମେରିକାର କନେକ୍ଟିକଟ୍ ରାଜ୍ୟର ଜର୍ଜ ସ୍ମିଥ୍ ଥିଲେ "ବ୍ରାଡଲି - ସ୍ମିଥ୍ କ୍ୟାଣ୍ଡି କମ୍ପାନୀ" ର ଅନ୍ୟତମ ମାଲିକ । ସେ ପ୍ରଥମଥର ପାଇଁ "କ୍ୟାଣ୍ଡି" ରେ ଖଣ୍ଡିଏ କାଠି ଲଗାଇ ତାହାକୁ ସେଇଭଳି ବିକ୍ରି କରିବା ପାଇଁ ଚିନ୍ତା କରିଥିଲେ । "କ୍ୟାଣ୍ଡି" ରେ କାଠି ଲଗାଇବା ଭଳି ଆଇଡିଆ କିନ୍ତୁ ଜର୍ଜ ସ୍ମିଥ୍ ଙ୍କର ମୌଳିକ ଚିନ୍ତା ନଥିଲା । ତାଙ୍କର ଜଣେ ନିହାତି ଅମନୋଯୋଗୀ ହିସାବ ରକ୍ଷକ ଯାହାଙ୍କ ନାଆଁ ଆଣ୍ଡ୍ୟୁ ବ୍ରାଡଲି ସେ ଖଣ୍ଡିଏ କାଠି ଅଗରେ "କ୍ୟାଣ୍ଡି" ଲଗାଇବାର ବୁଦ୍ଧିଟି ତାଙ୍କୁ ପ୍ରଦାନ କରିଥିଲେ । ଫଳତଃ ବ୍ରାଡଲି ସେହି କ୍ୟାଣ୍ଡି କଂପାନୀର ଅନ୍ୟତମ ମାଲିକ ହେଲେ । ଉଭୟେ ଜର୍ଜ ସ୍ମିଥ୍ ଆଉ ଆଣ୍ଡ୍ୟୁ ବ୍ରାଡଲି ନିଜର "ବ୍ରାଡଲି - ସ୍ମିଥ୍ କ୍ୟାଣ୍ଡି କଂପାନୀ" ରୁ ତାହାପରେ ଯେଉଁ ନୂତନ "କ୍ୟାଣ୍ଡି" ଉତ୍ପାଦ ଆକାରରେ ପ୍ରସ୍ତୁତ କରିଥିଲେ ସେଥିରେ ପ୍ରଥମଥର ପାଇଁ "କ୍ୟାଣ୍ଡି" ଥିଲା ଆଉ ତାହାକୁ ସୁବିଧାରେ ଚୋଷି ଖାଇବା ପାଇଁ କାଠିର ବ୍ୟବସ୍ଥା ଥିଲା । ସେଇ କାଠି ଲଗା "କ୍ୟାଣ୍ଡି" ର ଉତ୍ପାଦ ନାମ ସ୍ମିଥ୍ ରଖିଥିଲେ, ଲଲିପପ୍ । ସବୁଠୁ ମଜାର କଥା ହେଉଛି ଜର୍ଜ ସ୍ମିଥ୍ ଏହି ନୂତନ ଆକାରରେ ପ୍ରସ୍ତୁତ "କ୍ୟାଣ୍ଡି" କୁ ଲଲିପପ୍ ନାମକରଣ କରିବା ପଛରେ କେବଳ ଗୋଟିଏ ମାତ୍ର କାରଣ ଥିଲା । ଜର୍ଜ ସ୍ମିଥ୍ ଙ୍କର ଏକମାତ୍ର ବିନୋଦନ ଥିଲା "ଡର୍ବି" ବା ଘୋଡାଦୌଡ । ତାଙ୍କର ପାଳିତ ଅନେକ ଘୋଡା ଭିତରୁ ତାଙ୍କର ପ୍ରିୟତମ ଘୋଡାର ନାଆଁ ଥିଲା ଲଲିପପ୍ । ଲଲିପପ୍ ଘୋଡାଦୌଡରେ ସବୁବେଳେ ଅପରାଜେୟ ଥିଲା । ଜର୍ଜ ସ୍ମିଥ୍ ଆଶା ପୋଷଣ କରୁଥିଲେ ଯେ ସେ ଲଲିପପ୍ ଭଳି ଏଇ ଲଲିପପ୍ ବି ସବୁବେଳେ ଆଗରେ ରହିବ । ଏବଂ "କ୍ୟାଣ୍ଡି" ବ୍ୟବସାୟରେ ଲଲିପପ୍ ସେତେବେଳେ ଈର୍ଷା କରିବା ଭଳି ଶୀର୍ଷସ୍ଥାନରେ ଥିଲା । ୧୯୩୧ ଖ୍ରୀଷ୍ଟାବ୍ଦରେ ଜର୍ଜ ସ୍ମିଥ୍ ଏହାକୁ ବିଧିବଦ୍ଧ ଭାବରେ "ପେଟେଣ୍ଟ" କରିଥିଲେ । କିନ୍ତୁ ଲଲିପପ୍ ର ବିଶାଳ ଜନଆଦୃତିର କାରଣରୁ ଜର୍ଜ ସ୍ମିଥ୍ ଙ୍କର ଏହି "ପେଟେଣ୍ଟ" ବା ବ୍ୟବସାୟିକ ଉତ୍ପାଦର ଏକଚାଟିଆ ବୈଧ ଅଧିକାରକୁ ସମ୍ଭାଳିବା ସଂପୂର୍ଣ୍ଣ ଅସମ୍ଭବ ହୋଇ ପଡିଥିଲା । ଆମେରିକାର ଅନେକ "କ୍ୟାଣ୍ଡି" କଂପାନୀ ସେମାନଙ୍କର "କ୍ୟାଣ୍ଡି" କୁ ଲଲିପପ୍ ନାଆଁରେ ବିକ୍ରୟ କରୁଥିଲେ । କହିବାକୁ ଗଲେ ବିଂଶ ଶତାବ୍ଦୀର ମଧ୍ୟଭାଗବେଳକୁ "କ୍ୟାଣ୍ଡି" ଆଉ ଲଲିପପ୍ ସମାନ ଶବ୍ଦ ପାଲଟି ଯାଇଥିଲା ।

ସେଇ ସମୟରେ ସେଇ ଯୁକ୍ତରାଷ୍ଟ୍ର ଆମେରିକାର କନେକ୍ଟିକଟ୍ ରାଜ୍ୟରୁ ଆଉ ଗୋଟିଏ "କ୍ୟାଣ୍ଡି" କାହାଣୀ ବି ମିଳିଛି । ସେଠିକାର ଆଉ ଗୋଟିଏ "କ୍ୟାଣ୍ଡି" କଂପାନି "ମାକ୍ ଆଭିନି କ୍ୟାଣ୍ଡି କଂପାନୀ" "କ୍ୟାଣ୍ଡି" କୁ ଗରମ କରି ଘାଣ୍ଟିବା ଆଉ ତାହାକୁ ଥଣ୍ଡା କରି ଖାଇବା ପାଇଁ ଏକପ୍ରକାର କାଠିର ଉତ୍ପାଦନ କରିଥିଲେ । ଏହି କାଠିକୁ ଲଲିପପ୍ ଖାଇବା ପାଇଁ କାଠି ବୋଲି କୁହାଯାଉଥିଲା । ଏହା କିନ୍ତୁ ମଧ୍ୟମ ଧରଣର ବ୍ୟବସାୟିକ ସଫଳତା ପାଇଥିଲା ।

୧୯୦୮ରେ ଯୁକ୍ତରାଷ୍ଟ୍ର ଆମେରିକାର ୱିସକନସିନ୍ ର ଆଉ ଗୋଟିଏ କଂପାନୀ ସର୍ବପ୍ରଥମେ ଏକ ସ୍ୱୟଂଚାଳିତ ମେସିନରୁ ଏକ କାଠିଲଗା ଟାଣ "କ୍ୟାଣ୍ଡି" ଉତ୍ପାଦନ କରିଥିଲା । ସେତେବେଳକୁ କିନ୍ତୁ "ବ୍ରାଡଲି-ସ୍ମିଥ୍ କ୍ୟାଣ୍ଡି କଂପାନି" ର ବୈଧ ଲଲିପପ୍ ସହିତ ବଜାରସାରା ଅନେକ ଅବୈଧ ଲଲିପପ୍ । ଏହି କଂପାନୀ କିନ୍ତୁ ତାହାର "କ୍ୟାଣ୍ଡି" କୁ "ଲଲିପପ୍" ନାଆଁରେ ବିକ୍ରୟ କରୁନଥିଲା । ଲଲିପପ୍ ଭଳି ଦେଖିବାକୁ ଅଥଚ ତାହାର ନାଆଁ ଲଲିପପ୍ ନୁହଁ ଆଉ ସେସମୟର ବଜାରରେ ମିଳୁଥିବା ଲଲିପପ୍ ର ତୁଳନାରେ ଏହି "କ୍ୟାଣ୍ଡି" ଅଧିକ ଟାଣ ଥିଲା । "କ୍ୟାଣ୍ଡି" ଭାଗଟି ଟାଣ ଥିବାରୁ ଏହା ପିଲାମାନଙ୍କୁ ଚୋଷିବା ପାଇଁ ଅଧିକ ସମୟ ଦେଇପାରୁଥିଲା । ତାହା ଫଳରେ ଏହି ଅନାମ ଲଲିପପ୍ ଯଥେଷ୍ଟ ବଜାରକୁ ନିଜର ଆୟତ୍ତକୁ ଆଣିପାରିଥିଲା । ପିଲାଏ ଯେଉଁ ନାମରେ ଏହା ଏକ ଉତ୍ପାଦ ହିସାବରେ ଥାଉ ପଛକେ ଏହାକୁ ଲଲିଲପ୍ ବୋଲି ଚିହ୍ନିତ କରୁଥିଲେ । ୱିସକନସିନର ଏହି "କ୍ୟାଣ୍ଡି" କଂପାନୀର ସ୍ୱୟଂଚାଳିତ ମେସିନର ବ୍ୟବସାୟିକ ସଫଳତାରେ ପ୍ରଭାବିତ ହୋଇ ୧୯୧୨ ଖ୍ରୀଅରେ ସାମୁଏଲ୍ ବର୍ଣ୍ଣ ନାମକ ଜଣେ ଋଷୀୟ ଶରଣାର୍ଥୀ ଏକ ଉନ୍ନତମାନର ମେସିନ୍ ଉଦ୍ଭାବନ କରିଥିଲେ ଯେଉଁଥିରୁ ଏକା ସମୟରେ କାଠିରେ ଲଗା ହୋଇଥିବା "କ୍ୟାଣ୍ଡି" ବାହାରି ପାରୁଥିଲା । ଲଲିଲପ୍ ର ଉତ୍ପାଦନର ଇତିହାସରେ ଏହା ଏକ ବୈପ୍ଳବିକ ଅବଦାନ ।

କେବଳ ପୃଥିବୀ ଇତିହାସର ଅର୍ଥନୈତିକ ଅବମୂଲ୍ୟାୟନ ବା ୧୯୨୯ - ୩୦ ମସିହାର "ଦି ଗ୍ରେଟ୍ ଡିପ୍ରେସନ୍" ସମୟକୁ ଛାଡିଦେଲେ ଲଲିପପ୍ ର ଜୟଯାତ୍ରା ଅବ୍ୟାହତ ରହିଅଛି । ଗ୍ରେଟ୍ ଡିପ୍ରେସନ୍ ସମୟରେ ଲଲିଲପ୍ ର ଉତ୍ପାଦନ ବ୍ୟାହତ ହୋଇଥିଲା ଆଉ ଜର୍ଜ ସ୍ମିଥ୍ ତାଙ୍କର କମ୍ପାନୀକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ପରେ ୧୯୩୯ବେଳକୁ ଏହାର ଉତ୍ପାଦନ ପୁଣି ଆରମ୍ଭ ହୋଇଥିଲା ଏବଂ ଆଗଭଳି ଉତ୍ପାଦନ ସହିତ ଏହା କ୍ରମଶଃ ଆମେରିକାର ପପ୍ କଲଚର୍ ରେ ସାମିଲ୍ ହୋଇଯାଇଥିଲା । ଆମେରିକାରୁ ଲଲିପପ୍ ର ଯାତ୍ରା ଅନ୍ୟତ୍ର ।

ଲଲିପପ୍ କାହାଣୀରେ ସର୍ବଶେଷ ମୋଡଟି ଆସିଛି ସ୍ପେନ୍ ରୁ । ପଚାଶ ଦଶକର ଶେଷଭାଗରେ ଜଣେ ସ୍ପେନୀୟ ଲଲିପପ୍ ର ଉପର ଭାଗ ଅର୍ଥାତ୍ "କ୍ୟାଣ୍ଡି" ଭାଗକୁ ଏକ ଫୁଟବଲ୍ ଆକୃତିରେ ସଂପୂର୍ଣ୍ଣ ଗୋଲାକାର କରିବାକୁ ଚାହିଁଲେ । ତାଙ୍କର ନାଆଁ ହେଉଛି ଏନରିକ୍ ବର୍ଣ୍ଣାତ୍ । ତାଙ୍କର ଫୁଟବଲ ଖେଳ ପ୍ରତି ପ୍ରବଳ ଆଗ୍ରହ ଥିଲା । ସେ ଏହି ଲଲିପପ୍ କୁ "ଗୋଲ୍" ବୋଲି କହୁଥିଲେ ଆଉ ବ୍ୟବସାୟ କଲାବେଳେ ସେ ଏହି କଥାର ଉଲ୍ଲେଖ ବି କରୁଥିଲେ । ଏନରିକ୍ ଙ୍କ ଏହି ଲଲିପପ୍ ର ବାଣିଜ୍ୟିକ ନାଆଁ ଥିଲା "ଛୁପା ଛୁପସ୍" । ସ୍ପେନୀୟ ଭାଷାରେ "ଛୁପା" ର ଅର୍ଥ ହେଉଛି ଚୋଷିବା । ଏନରିକ୍ ଙ୍କ ଏହି ବିଶେଷ ଉତ୍ପାଦ ଅତ୍ୟନ୍ତ ଜନପ୍ରିୟ ହୋଇଥିଲା । ଗୋଟିଏ କଥାରୁ ଏହି ସ୍ପେନୀୟ ଲଲିପପ୍ ଅର୍ଥାତ୍ "ଛୁପା ଛୁପସ୍" ର ବ୍ୟବସାୟିକ ସଫଳତାର କଥା ବୁଝାଯାଇପାରିବ । ତାହା ହେଉଛି ଏହି ବିଶେଷ ଉତ୍ପାଦର "ଲୋଗୋ" କୁ ଆଙ୍କିଥିଲେ ବିଖ୍ୟାତ ଚିତ୍ରକର ସାଲଭାଦର ଦାଲି ।

ଏହାପରେ ଲଲିପପ୍ କାହାଣୀରେ ଆଉ କୌଣସି ବାଙ୍କବୁଲାଣି ନାହିଁ ।

ଲୋଗୋଟିକୁ ଆଙ୍କି ସାରିବା ପରେ ପ୍ରଖ୍ୟାତ ଶିଳ୍ପୀ ଦାଲି କହିଥିଲେ, ଏହାକୁ ଏମିତି ଏକ ଉଚ୍ଚତାରେ ରଖାଯିବା ଦରକାର ଯାହାଫଳରେ ଏହାକୁ ସମସ୍ତେ ଦେଖିପାରିବେ ।

ଦାଲି କହିବା ଭଳି ସାମାନ୍ୟ ଏକ ଲଲିପପ୍ ର ବିଜ୍ଞାପନକୁ ଏମିତି ଏକ ଉଚ୍ଚତାରେ ରଖିବାର ଆବଶ୍ୟକତା କ'ଣ ଅଛି ? ଏମିତି ପ୍ରଶ୍ନ ଆମ ମନକୁ ଆସିପାରେ । ମାତ୍ର ଲଲିପପ୍ ଭଳି ଯେତେ ଗୋଟିଏ ଗୋଟିଏ ନାମବାଚକ ଶବ୍ଦରୁ କ୍ରମଶଃ ଗୋଟିଏ ଗୋଟିଏ ବସ୍ତୁରେ ପରିଣତ ହୋଇଯାଇଛନ୍ତି ସେମାନେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବସ୍ଥାନର କଥା ଆମକୁ ବୁଝାଇବା ଦରକାର । ଆମେ ତ ସାଧାରଣ ଭାବରେ ଗୋଟିଏ ଗୋଟିଏ ନାଆଁରେ ବନ୍ଦୀ ହୋଇ ରହିଛୁ । ଠିକ୍ ସେହିଭଳି ଫୋପାଡି ଦେବା ପୂର୍ବରୁ ଯେଉଁ ଅସାର କାଠି ଖଣ୍ଡିକ ଆମ ହାତରେ ରହିଛି ସେ ଆଉ ଯାହା ହେଉ ନା କାହିଁକି ଆମକୁ ଠିକ୍ ମନେ ପକାଇଦେବ ପୃଥିବୀରେ ସାର ପଦାର୍ଥ ବୋଲି କିଛି ଥାଏ ।