
ପାଦ ହଳକ ପାଲଟିଯାଏ ତରଙ୍ଗ ।
ଲୋଟିପଡେ ବେଳାଭୂମିରେ
ଲେଉଟି ଯାଏ ସମୁଦ୍ର ଭିତରକୁ
ସମୁଦ୍ରରୁ ଭୂମି ଓ ଭୂମିରୁ ବ୍ୟୋମକୁ
ନୀହାରିକାର ରାସ୍ତାରେ ତାରାଙ୍କର ଧୂଳି ଉଡେଇ
ଚହଲୁଥାଏ ସେ ପାଦ ହଳକ ।
ସେ ପାଦର ଗତି ଓ ଗମକ
ସେ ପାଦର ଯତି ଓ ଯମକ
ସେ ପାଦର ଛଇ ଓ ଛଟକ
ସେ ପାଦର ରସ ଓ ନାଟକ
ସେ ପାଦର କାନ୍ଦ ଓ କରୁଣା
ସେ ପାଦର ପ୍ରେମ ଓ ପ୍ରତାରଣା
ସେ ପାଦର ବିରହୀ ଅବସାଦ
ସେ ପାଦର ପରମ ଉନ୍ମାଦ ।
ଅନନ୍ତକାଳକୁ ତାଳ କରି ପିନ୍ଧିଥାଏ ସେ ପାଦ
କାଳ ଭିତରେ ଗୋଟି ଗୋଟି ଘୁଙ୍ଗୁର କରି ଗୁନ୍ଥିଥାଏ
ସୁଖ ଓ ଦୁଃଖକୁ, ହାସ୍ୟ ଓ କରୁଣକୁ
ନବ ରସ - ଅନନ୍ତ ଭାବକୁ
ଛନ୍ଦ ଓ ଛଟାକୁ, ପ୍ରେମ ଓ ମୋକ୍ଷକୁ ।
ସେ ପାଦରେ ଜଗତ ନାଚେ
ସବୁ ଦୁଃଖକୁ ତରଙ୍ଗ କରିଦେବାର ଉଚ୍ଛ୍ଵାସ ଥାଏ ସେ ପାଦରେ
ସେ ପାଦରେ ପୃଥିବୀ ଦିଶିଯାଏ
ବିରହିଣୀ ନାୟିକାର ଶିଥିଳ ଛନ୍ଦ ପରି ।
ସେ ପାଦ ମୋକ୍ଷ ହୋଇ ଚମକୁଥାଏ
ସବୁ ମଣିଷର ଛାତିରେ ।