ଓଡ଼ିଆ ଉପନ୍ୟାସ କ୍ଷେତ୍ରକୁ ବଳିଷ୍ଠ କରିବା ପାଇଁ ଓଡ଼ିଶାର ଲୋକପ୍ରିୟ ପତ୍ରିକା ‘କଥା’ ଓ ତପସ୍ୟା ଫାଉଣ୍ଡେସନ ତରଫରୁ ଏକ ମିଳିତ ଉଦ୍ୟମ ଆରମ୍ଭ କରାଯାଇଛି । ଚଳିତ ବର୍ଷଠାରୁ ଏକ ଉପନ୍ୟାସ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଆମ ସାହିତ୍ୟରେ ଉପନ୍ୟାସର ସଂଖ୍ୟା କମିବାରେ ଲାଗିଥିବାବେଳେ ଭଲ ଉପନ୍ୟାସ ପ୍ରାୟତଃ ବହୁତ କମ ପଢ଼ିବାକୁ ମିଳୁଛି । କଥା ଓ ତପସ୍ୟାର ଏପରି ପ୍ରୟାସ ଫଳରେ ନୂଆ ନୂଆ ଉପନ୍ୟାସ ପଢିବାକୁ ମିଳିବା ସହିତ ନୂତନ ଔପନ୍ୟାସିକଙ୍କୁ ଜାଣିହେବ । ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଉପନ୍ୟାସକୁ ୨୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ସହିତ ଧାରାବାହିକ ଭାବରେ ତାହା ‘କଥା’ରେ ପ୍ରକାଶିତ ହେବ । ପରବର୍ତ୍ତୀ ସମୟରେ ତପସ୍ୟା ଫାଉଣ୍ଡେସନର ସହଯୋଗରେ ଏକ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଦ୍ବାରା ଏହି ଉପନ୍ୟାସ ପୁସ୍ତକ ଭାବରେ ପ୍ରକାଶ କରାଯିବ । ଏଥିପାଇଁ କେବଳ ଅପ୍ରକାଶିତ ଉପନ୍ୟାସର ପାଣ୍ଡୁଲିପି ଗ୍ରହଣ କରାଯିବ । ପ୍ରତିଯୋଗିତାରେ ଭାଗନେବାକୁ ଚାହୁଁଥିବା ଲେଖକ ଲେଖିକାଙ୍କ ବୟସ ୨୦୨୧ ଡିସେମ୍ବର ୩୦ ତାରିଖ ସୁଦ୍ଧା ୪୫ ବର୍ଷ କିମ୍ବା ତହିଁରୁ କମ ହୋଇଥିବା ଆବଶ୍ୟକ । ଏହି ଅବସରରେ ‘କଥା’ର ସମ୍ପାଦକ ଡକ୍ଟର ଗୌରହରି ଦାସ ଏବଂ ତପସ୍ୟା ଫାଉଣ୍ଡେସନର ପ୍ରତିଷ୍ଠାତା ଟ୍ରଷ୍ଟି ଡକ୍ଟର ଜୁଲୀ ମିଶ୍ର ଏହି ପ୍ରତିଯୋଗିତାରେ ଅଧିକ ସଂଖ୍ୟାରେ ଲେଖକ ଲେଖିକାଙ୍କୁ ଭାଗ ନେବାକୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, କଥା ପତ୍ରିକା ଆମ ଓଡିଶାର ଏକ ମାସିକ ଓଡ଼ିଆ ଗଳ୍ପ ପତ୍ରିକା । ଏଥିରେ ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସ ଭଳି କେବଳ ଗଦ୍ୟସାହିତ୍ୟ ପ୍ରକାଶିତ ହୋଇଥାଏ । ଏହି ପତ୍ରିକା ବର୍ଷରେ ଦୁଇଥର ବିଶେଷାଙ୍କ ପ୍ରକାଶ କରିଥାଏ । ସେହିପରି ତପସ୍ୟା ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ତପସ୍ୟା ଶାଶ୍ୱତ ସମ୍ମାନ, ତପସ୍ୟା ସୃଜନ ସମ୍ମାନ ଓ ତପସ୍ୟା ସମ୍ଭାବନା ସମ୍ମାନ ପ୍ରଦାନ କରାଯାଉଛି । କଥା ଓ ତପସ୍ୟା ଫାଉଣ୍ଡେସନର ଏହି ମିଳିତ ପ୍ରୟାସ ଆମ ସାହିତ୍ୟ ଜଗତ ପାଇଁ ଶୁଭଙ୍କର ନିଶ୍ଚୟ ।

ଲେଖା ଗ୍ରହଣର ଶେଷ ତାରିଖ ୩୧ ଡିସେମ୍ବର ୨୦୨୧ ରହିଛି । ଇଚ୍ଛୁକ ପ୍ରତିଯୋଗୀ [kathatapasya2022@gmail.com] ଇମେଲ୍‌ ଠିକଣା ଜରିଆରେ ନିଜ ପାଣ୍ଡୁଲିପି ପଠାଇପାରିବେ ।