ନିଖିଳେଶ: ସୂର୍ଯ୍ୟସ୍ନାତ ତ୍ରିପାଠୀ କବିତା, ନାଟକ, ଗପ, ଚିତ୍ରନାଟ୍ୟ ଇତ୍ୟାଦି ଲେଖନ୍ତି, ଅନୁବାଦ ବି କରନ୍ତି । ଗବେଷଣା ବି କରନ୍ତି । ସିନେମା ବି ତିଆରି କରନ୍ତି । ମୁଁ ସେ ଚିରାଚରିତ ପ୍ରଶ୍ନ ପଚାରିବିନି ଯେ କୋଉଥିରେ ନିଜକୁ ସହଜ ଅନୁଭବ କରନ୍ତି ! ସହଜ ତ ଭାରି ଦୂରକଥା, ମତେ ତ ଶୁଣିଲାବେଳକୁ କଷ୍ଟ ବୋଲି ଲାଗୁଚି ଏତେ ସବୁ କାମ ! କେମିତି କରନ୍ତି ? ଆଉ କାଇଁକି କରନ୍ତି ଏତେ ଗୁଡ଼େ କାମ ?

ସୂର୍ଯ୍ୟସ୍ନାତ: ଗୋଟିଏ ଦିନକୁ ୨୪ ଘଣ୍ଟା, ୧୪୪୦ ମିନିଟ, ୮୬୪୦୦ ସେକେଣ୍ଡ ଓ ୮୬୪୦୦୦୦୦ ମିଲିସେକେଣ୍ଡରେ ବାଣ୍ଟିଲା ଭଳି କଥାଟିଏ ଏଇଟା । 'ଦିନକ ପରେ ଆସିବି' ବୋଲି କହିଲେ ଅପେକ୍ଷାର ଆୟୁଷ ଯେତିକି ସହଜ ଓ ସରଳ ଲାଗେ, '୮୬୪୦୦୦୦୦ ମିଲିସେକେଣ୍ଡ ପରେ ଆସିବି' ବୋଲି କହିଲେ ହୁଏତ ସେମିତି ଲାଗେନି ! ଖୁବ୍ ନିକଟରୁ ତନଖି ଦେଖିଲେ, ସବୁ କିଛି ଏମିତି ହିଁ ଓଜନିଆ ଓ ଜଟିଳ ଲାଗେ । ଇଲେକ୍ଟ୍ରୋନ ମାଇକ୍ରୋସ୍କୋପରେ ଛୋଟ ବାଲିଗରଡାଟିଏକୁ ୫୦୦୦ ଗୁଣ ବଡ଼ କରି ଦେଖିଲେ ଆଉ କଣ ବାଲିଗରଡା ଦିଶେ ? ଜୀବନ ବି ସେମିତି, ନୁହେଁ ?

ମୋ ଆଖିରେ ଦେଖିଲେ କେବଳ ଗୋଟିଏ ହିଁ ଜୀବନ ଦିଶେ ମତେ । ମାଇକ୍ରୋସ୍କୋପଟିଏ ଧରି ତନଖି ଦେଖିଲେ ହୁଏତ ଦେଖି ପାରନ୍ତି ମୁଁ ସାହିତ୍ୟ , ସିନେମା ଓ ଗବେଷଣା ଭିତରେ ବାଣ୍ଟିହେଇଥିବା ସମୟ ଓ 'ମୁଁ' ମାନଙ୍କୁ ଏମିତି ଅଲଗା ଅଲଗା । କିନ୍ତୁ ସେମିତି କେବେ ଦେଖିନି ମୁଁ । ମୋ ପାଇଁ ତେଣୁ ଖୁବ୍ ସହଜ ଏ ସବୁର ସହାବସ୍ଥାନ । ମୁଁ ଖୁବ୍ ସ୍ୱାଭାବିକ ଭାବରେ ଗୋଟିଏ ଜୀବନ ହିଁ ବଞ୍ଚେ, ତା' ଭିତରେ ଏକାଠି ଥିବା ବିରୋଧାଭାସମାନଙ୍କୁ ଅଲଗା ଅଲଗା ବଞ୍ଚେନି ।

ବାକି ରହିଲା କାହିଁକି ବୋଲି ? କାହିଁକି ଏକ ଅଦ୍ଭୁତ ପ୍ରଶ୍ନ । ଗୋଟିଏ କାହିଁକିର ଉତ୍ତର ଭିତରେ ଲୁଚିଥାନ୍ତି ଆହୁରି ଅନେକ କାହିଁକି, ଇନ୍ସେପ୍ସନ ଭଳି । ସେସବୁର ଉତ୍ତର ଖୋଜିଲେ ଖୋଜୁଥିବା ଆମେ... ସମୟ ସରିଯିବ । ତେବେ ଏ ଜଟିଳତା ବାହାରେ ସହଜ ଉତ୍ତରଟିଏ ବି ଅଛି । ସେଇଟି ହେଲା , ନିଜ ଇଚ୍ଛାରେ କରୁଛି ଏ ସବୁ, ବାଧ୍ୟବାଧକତାରେ ନୁହେଁ ।

ନିଖିଳେଶ: ଜୀବନର ବିରୋଧାଭାସମାନଙ୍କୁ ଏକା ସାଙ୍ଗରେ ବଞ୍ଚିବା କଥାଟି ଭଲ ଲାଗିଲା । ତେବେ ଆଉ ଗୋଟେ ବିରୋଧାଭାସ ଅନେକ ସାହିତ୍ୟିକଙ୍କ ଭିତରେ ଦିଶେ । ସେଇଟି ହେଲା ଜୀବନ ଆଉ ସାହିତ୍ୟ ଭିତରର ବିରୋଧାଭାସ । ସାହିତ୍ୟରେ ଜଣେ ବିଦ୍ରୋହ କଥା ଲେଖିବ, ଅତି ଉଦାରବାଦୀ କଥା ସବୁ ଲେଖିବ ଅଥଚ ଜୀବନରେ ରକ୍ଷଣଶୀଳତା ଭରପୂର । ଖାଲି ରକ୍ଷଣଶୀଳତା ବି ନୁହଁ, ବରଂ ଆହୁରି ଅଧିକା ଭୟଙ୍କର ଦୁର୍ଗୁଣ ସବୁ । କେମିତି ଦେଖ ଏସବୁକୁ ? ଏଡ଼େଇ ଯାଅ ବୋଲି କହିବନି କି ପ୍ରଶ୍ନଟି ଏଡ଼େଇ ଯିବନି ଯେମିତି !

ସୂର୍ଯ୍ୟସ୍ନାତ: କେବଳ ସାହିତ୍ୟିକମାନଙ୍କ ଜୀବନ ଓ ସାହିତ୍ୟ ଭିତରେ ଦିଶୁଥିବା ବିରୋଧାଭାସ ଆମ ପ୍ରସଙ୍ଗ, ନା ସାମଗ୍ରିକ ଭାବରେ ମଣିଷର ବ୍ୟକ୍ତିସତ୍ତା ଓ ସାମାଜିକ ଜୀବନ ଭିତରର ବିରୋଧାଭାସ ଆମ ପ୍ରସଙ୍ଗ ? ସାହିତ୍ୟିକକୁ ଏବେ ମଣିଷଟିଏ ବୋଲି ଧରାଯାଉ । ପ୍ରତ୍ୟେକ ମଣିଷ ଦୁଇଟି ସମାନ୍ତରାଳ ଜୀବନ ବଞ୍ଚନ୍ତି - ଗୋଟିଏ ସାମାଜିକ ଓ ଗୋଟିଏ ବ୍ୟକ୍ତିଗତ, ଯାହା ଗୋପନୀୟ । ଉଭୟ ଭିତରେ ବିରୋଧାଭାସ ରହିବା ଅତ୍ୟନ୍ତ ସ୍ୱାଭାବିକ ! ଏଇଟା ସେମିତି କିଛି ଏକ ବିରାଟ ବିଷୟ ନୁହେଁ ମୋ ମତରେ । ଏବେ ଦ୍ଵିତୀୟ କଥା - ସାହିତ୍ୟିକ ବକ୍ତବ୍ୟ ଓ ଜୀବନାଦର୍ଶ ଭିତରର ବିରୋଧାଭାସ ! ଯେମିତି, ନାରୀବାଦୀ କବିଟିଏ ପୁରୁଷତାନ୍ତ୍ରିକ ମନୋଭାବ ରଖିବା, ବା ତୋ ଭାଷାରେ, ଉଦାରବାଦୀ କବିଟିଏ ରକ୍ଷଣଶୀଳ ହେବା । ଏଠି ଦୁର୍ଗୁଣ କଥାଟିକୁ ମୁଁ ଏଡେଇ ଯାଉଛି, କାରଣ କବିଟିଏ ଦୁର୍ଗୁଣ - ରହିତ ହେବା ଅପରିହାର୍ଯ୍ୟ ବୋଲି ମୁଁ ଭାବେନାହିଁ । ମୁଁ ନିଜେ ବି ମୋ ଦୁର୍ଗୁଣମାନଙ୍କ ହାତ ଧରି ବଞ୍ଚେ । ତୁ ବି ବଞ୍ଚୁଥିବୁ । ସବୁ ସମୟରେ ବିବେକର ବାଡ଼ିରେ ବାଡେଇ ସାବାଡ଼ କରିହୁଏନି ମନକୁ ।

ସାହିତ୍ୟିକ ବକ୍ତବ୍ୟ ଓ ଜୀବନ - ୟା ଭିତରର ପ୍ରଭେଦଟି କିନ୍ତୁ ଏକ ଜଟିଳ ପ୍ରସଙ୍ଗ । ଆଚରଣ ଓ ଉଚ୍ଚାରଣ ଭିତରର ଦୂରତା ଅନେକ ସମୟରେ ସାହିତ୍ୟିକ ଉଚ୍ଚାରଣକୁ ହାଲୁକା କରିଦିଏ । ମୁଁ ଏଥିରେ ଏକମତ । କିନ୍ତୁ, ଏଠି ଆଚରଣ ଓ ଉଚ୍ଚାରଣ ଉଭୟକୁ ମୁଁ କେବଳ ସହିତ୍ୟିକର ସାମାଜିକ ଜୀବନରେ ହିଁ ଖୋଜେ । ତା'ର ବ୍ୟକ୍ତିଗତ ଜୀବନରେ ନୁହେଁ । କବିତାଟିଏ ପଢିଲେ ମୁଁ କବିତାର ବକ୍ତବ୍ୟକୁ ବୁଝେ, ଖୋଜେ, ସେଥିରେ ହଜେ - ନିହାତି ଜରୁରୀ ନ ହେଲେ କବିକୁ ବୁଝେନା କି ଖୋଜେନା । ଯେ ପର୍ଯ୍ୟନ୍ତ ଆମ ବୁଝିବା ଓ ଖୋଜିବା ସାହିତ୍ୟ ଯାଏଁ ସୀମିତ ଥାଏ, ସେତେବେଳେ ବିରୋଧାଭାସର ପ୍ରଶ୍ନ ହିଁ ଉଠେନା, କେବଳ ସାହିତ୍ୟ ଦିଶେ । ଏଠି, ଆଉ ଗୋଟିଏ କଥା ମନକୁ ଆସୁଛି - କବିତା ପଢ଼ିଲାବେଳେ କବିତାର ନାୟକ ତ ମୁଁ, ଯିଏ ବି ସେ କବିତା ଲେଖିଥାଉ ନା କାହିଁକି । ତେଣୁ ହୁଏତ, କବିତାର ବକ୍ତବ୍ୟ ଓ ନିଜ ଆଚରଣ ଭିତରର ବିରୋଧାଭାସ ମତେ ବେଶୀ ଆନ୍ଦୋଳିତ କରେ, କବି ଯାଏଁ ମୁଁ ପହଂଚି ପାରେନା ।

ଆଉ ଟିକେ ଲମ୍ବେଇ ଦଉଚି, ଯେହେତୁ ଏତେ ଲମ୍ବେଇ ସାରିଲିଣି । ଆମର ବି ମନେରଖିବା ଦରକାର, ସାହିତ୍ୟିକଟିଏ ଗାଁ ଚାଟଶାଳୀର ଅବଧାନ ନୁହେଁ ଯେ ତା' ଆଦର୍ଶରେ ଗାଁ'ଟାଯାକର ପିଲାମାନଙ୍କ ଚରିତ୍ର ଗଢ଼ା ହେବ ବା ସେ ଏକ ସମୁଦାୟର ନେତା ନୁହେଁ ଯେ ତା' ପାଦଚିହ୍ନ ହିଁ ମାର୍ଗ ହେବାକୁ ବାଧ୍ୟ । ସେଭଳି ଏକ ଦାୟିତ୍ୱବୋଧରୁ ତା'କୁ ଅନ୍ତତଃ ମୁକ୍ତି ମିଳୁ ।

ନିଖିଳେଶ: ତା' ତ ଠିକ ଯେ ଆଦର୍ଶ ଚରିତ୍ର ସମ୍ପନ୍ନ ହବା ଭଳି ଦାୟିତ୍ୱବୋଧ ଅନ୍ୟ ମଣିଷ ପାଇଁ ଯେତିକି, ସାହିତ୍ୟିକ ପାଇଁ ବି ସେତିକି ହିଁ । ତେବେ ଲେଖକର ସାମାଜିକ ଜୀବନ କହିଲେ କଣ ? ସାମାଜିକ ଦାୟିତ୍ୱବୋଧର ପରିଭାଷା ତାହେଲେ କଣ ଗୋଟେ ଲେଖକ ପାଇଁ ?

ସୂର୍ଯ୍ୟସ୍ନାତ: ବସ୍ତୁତଃ, ପ୍ରତିଟି ମଣିଷର ସାମାଜିକ ଜୀବନ ଯେଉଁ ନୈତିକତା ପାଖରେ ଉତ୍ତରଦାୟୀ ଲେଖକର ସାମାଜିକ ଜୀବନ ମଧ୍ୟ ସେହି ନୈତିକତା ପାଖରେ ଉତ୍ତରଦାୟୀ । ସବୁବେଳେ ଲେଖକଙ୍କୁ ମଣିଷ ଭିନ୍ନ ଅନ୍ୟ କିଛି ଭାବିବା କାହିଁକି ଦରକାର, ସେକଥା ବୁଝି ପାରୁନି ମୁଁ । ଘରୁ ଗୋଡ଼ କାଢ଼ି ବାହାରକୁ ବାହାରିଲାବେଳେ, ଆମେ ଲେଖକଟିଏ ହେଇ ବାହାରୁ ନା ମଣିଷଟିଏ ହେଇ ? ସମାଜର ବିଭିନ୍ନ ବ୍ୟବସ୍ଥାରେ ଆମେ ଲେଖକ ହେଇ ମିଶୁ ନା ମଣିଷ ହେଇ ? ତେଣୁ, କେବଳ ଲେଖକଟିଏ ପାଇଁ ସାମାଜିକ ଜୀବନର ଅଲଗା ସଂଜ୍ଞା ଖୋଜା ନ ଯାଉ । ଅସାମାଜିକତା କହିଲେ କ'ଣ ତାହା ଆମେ ସମସ୍ତେ ଜାଣୁ । ତେଣୁ 'ସାମାଜିକତା' ଆଗେ ତାହାରି ବିପରୀତ ହେଉ, ଲେଖକଟିଏ ପାଇଁ ବି । ସେହି ସାମାଜିକ କାର୍ଯ୍ୟକଳାପକୁ ଦେଖିଲେ ହିଁ ଖୁବ୍ ଚିହ୍ନି ହେବ ଲେଖକଟିକୁ ।

ସାମାଜିକ ଦାୟିତ୍ୱବୋଧର ପରିଭାଷା ! ଖୁବ୍ ଓଜନିଆ ଲାଗିଲା ଏ ଶବ୍ଦପୁଞ୍ଜ । ଆମେ କିଏ, କାହା ଦାୟିତ୍ୱବୋଧର ପରିଭାଷା ତିଆରି କରିବା ପାଇଁ ? ଓ କାହିଁକି ଦରକାର ଏକ ଲିଖିତ ତାଲିକା ? ମୁଁ ଏକଥା ବିଶ୍ୱାସ କରେ, ଯେ ସଚେତନ ଓ ଅଚେତନ ଭାବରେ ପ୍ରତିଟି ସାହିତ୍ୟିକ ନିଜ ନିଜ ଦାୟିତ୍ୱ କଥା ଜାଣନ୍ତି - ତାହା ସାମାଜିକ ହେଉ ଅବା ନୈତିକ । ଅନେକ ଅବ୍ୟବସ୍ଥା ଓ ଅସନ୍ତୁଳନ ପାଇଁ ନିଜକୁ ଉତ୍ତରଦାୟୀ କରି ସେମାନେ ପ୍ରତି ମୁହୂର୍ତ୍ତରେ କଷ୍ଟ ପାଆନ୍ତି । ଏଥିପାଇଁ କେହି ତାଙ୍କୁ ବାଧ୍ୟ କରେ ନାହିଁ । କିଏ କହେ ତତେ ବା ମତେ ବା ଅନ୍ୟ କାହାକୁ, ପ୍ରତିବାଦର ସ୍ବର ହେବାପାଇଁ ? ତଥାପି ତ ଆମେ ଲେଖୁ । ତଥାପି ତ ଅନ୍ତର କାନ୍ଦେ । ସେଇ ଅବବୋଧ ଯେଉଁ ଅଦୃଶ୍ୟରୁ ଆସେ, ଆମ ଦାୟିତ୍ବବୋଧ ବି ସେଇ ଅଦୃଶ୍ୟ ତିଆରି କରେ ।

ନିଖିଳେଶ: ଆଚ୍ଛା ହଉ ! ତେବେ, ଲେଖାଲେଖି ଯେହେତୁ ବ୍ୟକ୍ତିବିଶେଷର ସାମାଜିକ ଅଭିବ୍ୟକ୍ତି ବି, ଅତଏବ ଏଥିରେ ସେଇ ଅଭିବ୍ୟକ୍ତିର ସ୍ବାଧୀନତା କଥାଟି ବି ଯୋଡ଼ା ହେଇଚି । ଅଭିବ୍ୟକ୍ତି କେତେ ସ୍ୱାଧୀନ ହବା କଥା, ସେଥିରେ କିଛି ନିଷେଧ ରହିବା କଥା କି, ଆଉ ବର୍ତ୍ତମାନ ସମୟରେ ଅଭିବ୍ୟକ୍ତି ପରିପ୍ରକାଶ କଲାବେଳେ ଏଇ ଲେଖୁଥିବା ମଣିଷର କିଛି ଡର ରହିବା (ଯେ କାଳେ କିଛି ଦଙ୍ଗା ହଙ୍ଗାମା ହବ କି, କାଳେ ଲୋକେ ଅପଦସ୍ତ କରିବେ କି, କାଳେ କିଛି ବଡ଼ ଧରଣର ବିବାଦ ହବ କି ଇତ୍ୟାଦି ଇତ୍ୟାଦି) - ଏସବୁ କଥାକୁ କେମିତି ଦେଖ ?

ସୂର୍ଯ୍ୟସ୍ନାତ: ପ୍ରଥମତଃ, ଅଭିବ୍ୟକ୍ତିର ସ୍ୱାଧୀନତାକୁ ନିଷେଧ କରିବା ଓ ଅଭିବ୍ୟକ୍ତିର ପରିସର ନିର୍ଦ୍ଧାରଣ କରିବା - ଏ ଦୁଇଟି କାମ ସେଇମାନଙ୍କ ପାଇଁ ଛାଡିଦିଆଯାଉ, ଯେଉଁମାନେ ମୁକ୍ତ ଅଭିବ୍ୟକ୍ତିକୁ ଡରନ୍ତି । ଶାସକ ଓ ଶୋଷକମାନଙ୍କର କାମ ସେସବୁ, ସାହିତ୍ୟିକର ନୁହେଁ । ମୁକ୍ତ - ଅଭିବ୍ୟକ୍ତିକୁ ନେଇ କବିର ଚେତନା ହିଁ ତା'ର ମାର୍ଗଦର୍ଶକ ।

ଦ୍ବିତୀୟରେ ଆସୁଛି ନିଜ ଲେଖାର ପରିଣାମକୁ ନେଇ ଲେଖକର ଡ଼ରିବା କଥା ! ପରିଣାମ କଥା ଭାବି କିଏ ଲେଖେ ? କେହି କ'ଣ ଜାଣିଥାଏ ଯେ କେତେ ଦୂର କେଉଁ କବିତାର ଯାତ୍ରା ! ପରିଣାମ କି ପରିଣତି ନୁହେଁ, କବିତାଟିଏ ଲେଖିବା ଓ ଭୋଗିବାବେଳର ଅନୁଭବ ହିଁ କବିର ପୁଞ୍ଜି ।

ପରିଣତି କଥା ପଡିଛି ବୋଲି, ପିରୁମଲ ମୁରୁଗନ ମନେ ପଡୁଛନ୍ତି । ସେ ଯାହା ସବୁ ଭୋଗିଲେ ନିଜ ଉପନ୍ୟାସ ପାଇଁ, ସେସବୁ ଏଠି କହିବା ଆବଶ୍ୟକ ନାହିଁ । କିନ୍ତୁ ସେସବୁ ଭୋଗୁଥିଲାବେଳେ ସେ ପଦଟିଏ ଲେଖିଥିଲେ ଏକ କବିତାରେ, ଯାହାର ମର୍ମାନୁବାଦ ହୁଏତ ଏହିଭଳି - "ସେଇମାନେ ମୋ ପ୍ରତିମୂର୍ତ୍ତିକୁ ଜାଳି, ମତେ ଜାଳିଦେଇଛନ୍ତି ବୋଲି ଖୁସି ହେଉଛନ୍ତି - ଯେଉଁମାନେ ବିଶ୍ୱାସ କରନ୍ତି, ଯେ କେବଳ ଦେହ ଜଳେ , ଆତ୍ମା ଜଳେ ନାହିଁ..." । ଏତିକିରେ ବିଶ୍ୱାସ କରେ ମୁଁ ।

ନିଖିଳେଶ: ବେଶ୍ । ଏ କଥାବାର୍ତ୍ତାରେ ମତେ ମିଳିଥିବା ସବୁ ଉତ୍ତର ସହ ଯେ ମୁଁ ଶତପ୍ରତିଶତ ସହମତ ସେକଥା ନୁହେଁ । ଏବଂ ଏକଥା ଜଣଉଚି ଏଇ ସକାଶେ ଯେ ହଁରେ ହଁ ନମିଶେଇ ବି ଦୁଇଜଣ କଥା ହେଇପାରିବେ ଏକଥା ଖୋଲାଖୋଲି କହିବା ଆଜିକାଲି ବୋଧେ ଅଧିକା ଜରୁରୀ । ଏଇଟି ଶେଷ ପ୍ରଶ୍ନ ମୋର, ଆମ କଥାବାର୍ତ୍ତାରେ ବା ଜୀବନରେ ଆମେ କେମିତି ଗୋଟେ ଅଧିକା ଅସହିଷ୍ଣୁ ହେଇଯାଉଚେ କି ଆମଠାରୁ ଭିନ୍ନ ବିଚାର/ଚଳଣି/ମତବାଦକୁ ନେଇ ବଞ୍ଚୁଥିବା ମଣିଷଙ୍କ ପ୍ରତି ? ଲାଗୁଚି କି ଅପରକୁ ଚିହ୍ନିତ କରିବାରେ, ତାକୁ ତା'ର ପ୍ରକୃତ "ଜାଗା" ଦେଖେଇବାର ଏଇ ଖେଳରେ ଆମେ ବେଳେବେଳେ ଏତେ ମଜ୍ଜିଯାଉଚୁ ଯେ ବିବେକ ବୋଲି ଜିନିଷଟି ପ୍ରାୟ ଭୁଲିହେଇଯାଉଚି ?

ସୂର୍ଯ୍ୟସ୍ନାତ: ହଁ । ଏଇଟା ସତ, ଯେ ଆମଠାରୁ ଭିନ୍ନ ବିଚାର / ଚଳଣି / ମତବାଦକୁ ନେଇ ବଞ୍ଚୁଥିବା ମଣିଷଙ୍କ ପ୍ରତି ଆମର ଅସହିଷ୍ଣୁତା ରହିଛି । ତେବେ ଆମେ ଅଧିକା ଅସହିଷ୍ଣୁ ହେଇଯାଉଛେ ବୋଲି ମୁଁ କହିପାରିବି ନାହିଁ, କାରଣ ଏହାର ଅର୍ଥ ଏଇୟା ହେବ, ଯେ ଆଗରୁ ଆମେ କମ୍ ଅସହିଷ୍ଣୁ ଥିଲେ । ସେମିତି ନୁହେଁ ହୁଏତ । ମତେ ଲାଗେ, ମଣିଷ ସ୍ଵଭାବତଃ ଅସହିଷ୍ଣୁ; ଓ କେବଳ ଅନ୍ୟ ମଣିଷଙ୍କ ପ୍ରତି ନୁହେଁ, ବରଂ ଆଖପାଖର ପଶୁପକ୍ଷୀ, ଗଛଲତା ଓ ପ୍ରକୃତି ପ୍ରତି ବି ସେ ଅସହିଷ୍ଣୁ । ଗଛମାନଙ୍କୁ କଣ କେବେ ଆମେ ସେମାନଙ୍କ ଇଚ୍ଛାରେ ବଢିବାକୁ ଦେଇଛୁ ସତରେ ! ଗଛ କଣ ଭାବୁନଥିବ ଆମକୁ ଅସହିଷ୍ଣୁ ?

ତେବେ ଏ ଅସହିଷ୍ଣୁତା ବିଷୟରେ ଏବେ ଏତେ ଚର୍ଚ୍ଚା କାହିଁକି ସବୁଠି ? ହୁଏତ ଏଇଥିପାଇଁ, ଯେ ଏବେର ଡିଜିଟାଲ ମିଡିଆ ଯୁଗରେ ସ୍ପଷ୍ଟ ଦିଶୁଛି ଆମକୁ ଏ ଅସହିଷ୍ଣୁତା । ଅତୀତରେ ଯାହା ଲୁଚିରହିଥିଲା ମଣିଷର ମନ ଭିତରେ, ତାହା ଏବେ ଫେସବୁକ ଇନଷ୍ଟାଗ୍ରାମ ଓ ହ୍ଵାଟ୍ସଆପ ଇତ୍ୟାଦିଙ୍କ ଜରିଆରେ ଆମ ନିକଟରେ ପହଂଚୁଛି । କେବଳ ଯେ ସୋସିଆଲ ମିଡିଆ ଥିବାରୁ ଏ ସ୍ଥିତି ଉପୁଜିଛି, ହୁଏତ ତାହା ବି ନୁହେଁ । ନିଜ ଭିତରର ଅସହିଷ୍ଣୁତାକୁ ବାହାରେ ପ୍ରକାଶ କରିବାର ପ୍ରବଣତା ବି ବଢିଛି ହୁଏତ ଏବେ । ଏହାର କାରଣ ହେଇପାରେ ରାଜନୈତିକ ବା ଅନ୍ୟକିଛି । ସେକଥାକୁ ଯିବାନାହିଁ ଏଠି । ଏ ପ୍ରବଣତାଟିକୁ ଏବେ ପ୍ରଶ୍ରୟ ବି ମିଳୁଛି ଓ ପ୍ରୋତ୍ସାହନ ବି । ଏ ଦୁଇଟି ଖୁବ୍ ମାରାତ୍ମକ ସମାଜ ପାଇଁ ।

ତୋର ଶେଷ ମନ୍ତବ୍ୟଟି ଚିନ୍ତିତ କରିବା ଭଳି । ବିବେକ ବୋଲି କିଛି ଗୋଟେ ଅଛି, ଆମେ ଏକଥା ଭୁଲିଯାଉଛେ କି ? ହୁଏତ, ବିବେକ ତା ବାଟରେ ଅଛି ଓ ଆମେ ଆମ ବାଟରେ । ଉଭୟଙ୍କର ଦେଖା ସାକ୍ଷାତ ହଉନି ଆଉ । ନିଜ ଭିତରକୁ ଦେଖିଲେ ସିନା ବିବେକ ଦିଶନ୍ତା ! ଏବେ, ସମସ୍ତେ ସବୁବେଳେ ବହିର୍ମୁଖ ପ୍ରାୟ । ଅନ୍ୟର ଜୀବନରେ ଆମ ରୁଚି, ଅନ୍ୟର ଭୁଲ ଖୋଜିବା ଓ ଅନ୍ୟକୁ ଅଯଥା ଜ୍ଞାନ ଦେବା ଆମକୁ ପ୍ରିୟ । ହୁଏତ ଏକ ପ୍ରକାର 'ସୁପିରିଓରିଟି କମ୍ପ୍ଲେକ୍ସ' ଏଇଟା, ଯାହା ଆମକୁ ଗ୍ରାସ କରିଚାଲିଛି ଧୀରେ ଧୀରେ । ଏବେ, 'ମୋରାଲ ହାଇ ଗ୍ରାଉଣ୍ଡ' ହିଁ ସର୍ବୋଚ୍ଚ ଶୃଙ୍ଗ ଏ ପୃଥିବୀରେ । ଏଭଳି ମାନସିକତା ଭିତରେ ହନ୍ତସନ୍ତ ମଣିଷ ପାଖରେ ସମୟ କାହିଁ ଯେ ନିଜ ଆଡକୁ ଦେଖିବାକୁ ? ଏଇଟା ବି ଏକ କାରଣ ହୁଏତ, ଯାହା ଆମ ଅସହିଷ୍ଣୁତାକୁ ମୁଖର କରିଦେଉଛି ।