ଉତ୍ତମ କୁମାର ପ୍ରଧାନଙ୍କ ଗଳ୍ପକାରିତା

ସଂବେଦନାର ନାଟକୀୟ ରୂପ ଗଠନ ଉତ୍ତମ କୁମାର ପ୍ରଧାନଙ୍କ ଗଳ୍ପର ମୂଳ ସୌନ୍ଦର୍ଯ୍ୟ । ଭାଷା ଓ ବର୍ଣ୍ଣନା ପାଟବତା ଅପେକ୍ଷା ଘଟଣା ପରେ ଘଟଣାର ପ୍ରବାହ ଗୁରତ୍ବପୂର୍ଣ୍ଣ । କଳାହାଣ୍ତିର କଥାକାର ସଂକଳନର ଚେର, ବୁଢିଆଣି ଓ ବୃଦ୍ଧପ୍ରଜାପତିର ମା' ନିଷାଦ ପରି ଗଳ୍ପ ଏହାର ନିଦର୍ଶନ ହୋଇପାରିବେ ।


ଫଟୋ - ଆଲୋକ ରଞ୍ଜନ ଷଡଙ୍ଗୀ

ଭାବରେ ଆଧୁନିକ ଓ ଭଙ୍ଗୀରେ କଥକ ସାଜି ନିଷ୍ଠୁର ସତଙ୍କୁ ମିଛଗପ ଓ ମିଛଙ୍କୁ ସୁନ୍ଦର ସତ ରୂପରେ ପାଠକଙ୍କୁ କଥାଟିଏ ପରସି ଦିଅନ୍ତି କଳାହାଣ୍ତିର କଥାକାର ଉତ୍ତମ କୁମାର ପ୍ରଧାନ । ସେ ଗଳ୍ପକଳାର ଭାଗମାପ ବିଷୟରେ ସେତେଟା ସଚେତନ ନୁହନ୍ତି । ଗପଟିଏ ଲେଖିବା ପାଇଁ ଶିଳ୍ପଧର୍ମଟେ ପାଳନ କରିବାକୁ ହୁଏ ସେ କଥାକୁ ଗାଳ୍ପିକ ଉତ୍ତମ କୁମାର ପ୍ରଧାନ ସ୍ବୀକାର କରନ୍ତି ନାହିଁ । ତାଙ୍କ ପାଇଁ ଗଳ୍ପ କେବଳ କଥାଟିଏ, ଯାହାକୁ ସହଜ ସରଳ ଓ ବୋଧଗମ୍ୟ ଭାବ ଭାଷାରେ ଜଣକୁ ଶୁଣାଇଦେଇ ହଉଥିବ । ପ୍ରତ୍ୟେକଟି କାହାଣୀ କହିବା ଭଙ୍ଗୀରେ ରଚିତ । ସାହିତ୍ୟିକ ମୂଲ୍ୟବୋଧ ବା ପ୍ରଜ୍ଞା ପ୍ରବଞ୍ଚନାର ବହୂ ଦୂରରେ ତାଙ୍କର ଗପ ବୋଲି କଥକ ନିଜେ ଘୋଷଣା କରିଛନ୍ତି । ଜୀବନକୁ ଜୀଇଁଲା ମଣିଷ ପରି ଦେଖିବାର କଳା, ଶାଶ୍ବତ ଜୀବନବୋଧରେ ମଣିଷଙ୍କୁ ନିରନ୍ତର ଦୀକ୍ଷିତ କରାଇବାର ସରଳ ଉଚ୍ଛ୍ବାସ, ଅତିକାଳ୍ପନିକ ଦୃଶ୍ୟବୋଧକୁ ସତ୍ୟଠୁ ବଳି ମହନୀୟ ସତ୍ୟରେ ରୂପାନ୍ତରିତ କରିବାର ନିଚ୍ଛକ ସ୍ରଷ୍ଟାପଣର ଫଳ ସ୍ବରୂପ ବୁଢୀଆଣି ଓ ବୃଦ୍ଧପ୍ରଜାପତି (୧୯୮୧), ନଚିକେତାର ହାତ (୧୯୮୮), କଳାହାଣ୍ତିର କଥାକାର (୨୦୦୨), ଡବ୍ଲୁ ଡବ୍ଲୁ ଅମର ଲୋକ ଡଟ୍ କମ୍ (୨୦୦୨), ଶୂନ୍ୟପୋଥିର କାହାଣୀ, ବେଳାଭୂମିର ବାନପ୍ରସ୍ଥ ଇତ୍ୟାଦି କଥାକଳ୍ପର ସର୍ଜନା ।

ମଣିଷ ଅତିକାଳ୍ପନିକ ଜଗତରେ ବିଚରଣ କରିବାକୁ ଭଲପାଏ, ଅଲୌକିକତାକୁ ନିଜର କବଚ ଭାବି ତହିଁର ଆବରଣ ନିର୍ମାଣ କରେ, କପାଳ ଲିଖନକୁ ନିଜର ଜୀବନ ଜାତକ ଭାବେ, ବିପଦ ଆପଦରେ ଚମତ୍କାରଟେ ଘଟୁବୋଲି ଅପେକ୍ଷା କରି ବସିଥାଏ । ମଣିଷର ସେହି ବିଶ୍ବାସ ଟିକକ ହିଁ ତା'ର ସବୁ ସମସ୍ୟାର ଓ ଯନ୍ତ୍ରଣାର ଶ୍ରେଷ୍ଠ ତଥା ଶେଷ ଅବଲମ୍ବନ । ଆଧୁନିକ ଗଳ୍ପରେ ଏହି ମଣିଷଙ୍କର ଜୀବନକଥା ବୌଦ୍ଧିକ ଓ ଜଟିଳ ସମୟର ଘୂର୍ଣ୍ଣନଚକ୍ରରେ ପଡିଯାଇ ଗଳ୍ପର ମୂଳଧର୍ମ ସରଳତାକୁ ଭୁଲି କଠିନତାକୁ ଆପଣାଇନେବା ଫଳରେ ଗପକୁ ଭଲପାଉଥିବା ଶ୍ରୋତା ଓ ପାଠକଙ୍କ ଶ୍ରଦ୍ଧାଭାଜନ ହେବାର ସୌଭାଗ୍ୟରୁ ବଞ୍ଚିତ ରହିଥିଲା । ଏହିପରି ସମୟରେ ଲୋକପରମ୍ପରାବୋଧକୁ ଶକ୍ତିକରି ଉତ୍ତମ କୁମାର ପ୍ରଧାନ କଥକ ପରି ଗଳ୍ପ ଶୁଣାଇଛନ୍ତି । ମଣିଷ ଜୀବନର ବୈଚିତ୍ର୍ଯତାର ଖୋଜାଲୋଡା କରିବା ଅପେକ୍ଷା ଶାଶ୍ବତ ଜୀବନର ସେହି ସବୁ ସରଳତା ଯାହା ମଣିଷକୁ ମଣିଷକରି ତିଆରିଛି ତାକୁ ଗାଳ୍ପିକ କାହାଣୀର ମୁଖ୍ୟ ଉପଜୀବ୍ୟ ଭାବରେ ପ୍ରୟୋଗ କରିଛନ୍ତି । ସେହି ମଣିଷମାନଙ୍କ ପ୍ରାଣର ଭାଷା ଓ ବିଶ୍ବାସବୋଧକୁ ତମ ଆମ ପାଖରେ ପରିଚିତ କରାଇଲାବେଳେ ପ୍ରଗଲ୍ଭ କଥକଟିଏ ରୂପରେ ଠିଆ ହୋଇଯାନ୍ତି ଗାଳ୍ପିକ । ଏ ପ୍ରଗଲ୍ଭତା ବ୍ୟକ୍ତିକୈନ୍ଦ୍ରିକ ଚେତନାରାଜିକୁ ପରିପ୍ରକାଶ କରିବାର ପ୍ରଗଲ୍ଭତା ନୁହଁ, ଏହା ହେଉଛି ଚିରପରିଚିତ ସମୂହ ଜୀବନର ଲୀଳାଖେଳାକୁ ମାନବୀୟ ସଂବେଦନା ଦୃଷ୍ଟିରେ ପରଖି ଦେଖିବାର ପ୍ରଗଲ୍ଭତା । ଆତ୍ମପରିପ୍ରକାଶ ପ୍ରତି ବିମୁଖତା ତାଙ୍କ ଗଳ୍ପକଳାକୁ ମୁକ୍ତଧାରାରେ ପ୍ରବାହିତ ହବାର ସୁଯୋଗ ଦିଏ । ଭଲମନ୍ଦର ଫଳାଫଳଜନିତ କାମନା ହୀନତା ଫଳରେ ଉତ୍ତମ କୁମାର ପ୍ରଧାନ ଆମ ସାମ୍ନାରେ କେବଳ ଜଣେ କଥକ ଯାହାର କଥାକୁ ତର୍କବିତର୍କର କଷଟି ପଥରରେ ନ ପରଖି ବିଶ୍ବାସବୋଧର କାଳ୍ପିନକ ପୃଥିବୀର ଚିରନ୍ତନୀ ସତ୍ୟ ଭାବରେ ଅଭିଷିକ୍ତ ହିଁ କରାଯାଇପାରେ ।

ସଂବେଦନାର ନାଟକୀୟ ରୂପ ଗଠନ ଉତ୍ତମ କୁମାର ପ୍ରଧାନଙ୍କ ଗଳ୍ପକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କରାଏ । ଭାଷା ଓ ବର୍ଣ୍ଣନା ପାଟବତା ଅପେକ୍ଷା ଘଟଣାପରେ ଘଟଣାର ପ୍ରବାହ ଗୁରତ୍ବପୂର୍ଣ୍ଣ । ଅପରିକଳ୍ପନୀୟ ଗ୍ରନ୍ଥିମୋଚନ ହିଁ ତାଙ୍କ ନାଟକୀୟତା ସୃଷ୍ଟିର ତରିକା । କଳାହାଣ୍ତିର କଥାକାର ସଂକଳନର ଚେର, ବୁଢିଆଣି ଓ ବୃଦ୍ଧପ୍ରଜାପତିର ମା'ନିଷାଦ ପରି ଗଳ୍ପ ଏହାର ନିଦର୍ଶନ ହୋଇପାରିବେ । ପିଂଜରାରୁ କାଢି ମୁକ୍ତ କରିଦେଇଥିବା ଶୁଆ ନେଉଳ ଓ ଠେକୁଆଙ୍କୁ ଅନେକ ବର୍ଷ ପରେ ଜଣେ ଗବେଷକର ପ୍ରୟୋଗଗାରରେ ଯନ୍ତ୍ରଣାର ସବୁ ସୀମା ଡେଇଁ ନିସ୍ତେଜ ପାଲଟିଯିବାର ଅପରିକଳ୍ପନୀୟ ଦୃଶ୍ୟ ନାଟକୀୟତା ସୃଷ୍ଟିକରି ପାଠକକୁ ଚମକାଇ ଦିଏ । ଏହିପରି ନାଟକୀୟତା ତାଙ୍କ ଅଧିକାଂଶ ଗଳ୍ପର ଶିଳ୍ପରୀତିରେ ପ୍ରଯୁକ୍ତ ।

ଅଧିକାଂଶ ଗଳ୍ପରେ ଲେଖକ ପ୍ରତ୍ଯକ୍ଷ ଭାବରେ ଉପସ୍ଥିତ । ଏହି ଉପସ୍ଥିତି ଯୋଗୁଁ କାହାଣୀର ସତ୍ୟତା ପ୍ରତି ପାଠକର ବିଶ୍ବସ୍ତତା ଜନ୍ମେ ଏବଂ ଏହି ବିଶ୍ବସ୍ତତା ଫଳରେ ଘଟଣାର ଗଭୀରତା ବିସ୍ମୟ ସୃଷ୍ଟିକରେ । ଗପକୁ ଅଙ୍ଗେନିଭା କଥା ପରି କହିଯିବାର କଳା ଉତ୍ତମ କୁମାର ପ୍ରଧାନଙ୍କ ଗଳ୍ପକାରିତାର ଏକ ପ୍ରମୁଖ ବୈଶିଷ୍ଟ୍ୟ ।

ମୋଟାମୋଟି ଭାବରେ କହିଲେ ଉତ୍ତମ କୁମାର ପ୍ରଧାନ ଜଣେ ନିରୁତା ଗପ କଥକ । ନାଟକୀୟ ଉତ୍କଣ୍ଠା ସୃଷ୍ଟିକାରୀ ଶୈଳୀରେ ଜୀବନର ଜଟିଳରୁ ଜଟିଳତର ମୂହୁର୍ତ୍ତକୁ ସରଳ ଭାଷାରେ ରସାଣିତ କରି କହିଯିବାର ପ୍ରବଣତା ହିଁ ତାଙ୍କର ଗଳ୍ପକାରିତା । ଲୋକ ସ୍ରଷ୍ଟା ପରି ନିଜ ସୃଷ୍ଟିକୁ ନେଇ ତାଙ୍କର ଦାବିଦାରୀ ନଥାଏ । ସେଥିପାଇଁ ସେ କୁହନ୍ତି - "ପ୍ରଜାପତିର ପ୍ରଜନନ ଭଳି ସୃଷ୍ଟିରେ ସମାଧିସ୍ଥ ହବାର ଆଶଙ୍କା ମୋତେ ବିଚଳିତ କରେ ।" an artist dies in to his art" ।