ଫଟାେ - ୱିକିପିଡିଆ

Without monsters and gods, art cannot enact a drama. - Mark Rothko

ସେଦିନ ଥାଏ ଫେବୃୟାରୀ ୨୫, ୧୯୭୦ । ଚିତ୍ରଶିଳ୍ପୀ ରୋଦ୍‌କୋଙ୍କ ସହକାରୀ ଅଲିଭର୍ ଆସି ଦେଖିଲେ ଯେ ୬୬ବର୍ଷ ବୟସ୍କ ରୋଦ୍‌କୋ ରକ୍ତରେ ଜୁଡୁବୁଡୁ ହେଇ ତାଙ୍କ ରୋଷେଇଘର ବାସନଧୁଆ ସିଙ୍କ୍ ପାଖରେ ମରି ପଡିଛନ୍ତି । ଡାହାଣ ହାତର ଧମନୀକୁ ରେଜର୍ ବ୍ଲେଡ୍‌ରେ କଟା ଯାଇଛି । ପରେ ଜଣାପଡିଲା, ଧମନୀ କାଟିବା ଆଗରୁ ରୋଦ୍‌କୋ ବାର୍‌ବିଟ୍‌ରେଟ୍ ନାମକ ନିଶା ମଧ୍ୟ ବେଶ୍ ଭଲ ମାତ୍ରାରେ ସେବନ କରିଥିଲେ । ଘରେ କିନ୍ତୁ ରୋଦ୍‌କୋ କିଛିବି ସୁଇସାଇଡ୍ ନୋଟ୍ ଛାଡ଼ିଯାଇନଥିଲେ । ବିଡ଼ମ୍ବନାର କଥା ହେଲା, ତାଙ୍କ ଆତ୍ମହତ୍ୟାର ଦିନ ହିଁ ବିଖ୍ୟାତ ଟେଟ୍ ଗ୍ୟାଲେରୀରେ ପ୍ରଦର୍ଶିତ ହେବାପାଇଁ ତାଙ୍କର ମ୍ୟୁରାଲ୍ ଲଣ୍ଡନରେ ପହଞ୍ଚିଥିଲା ।

ଆତ୍ମହତ୍ୟା କରିବାର କିଛିଦିନ ଆଗରୁ ରୋଦ୍‌କୋ କେବଳ କଳା ଓ ପାଉଁଶିଆ ରଙ୍ଗ ବ୍ୟବହାର କରି କିଛି ଛବି ଆଙ୍କିଥିଲେ, ଯେଉଁଥିରେ ଗୋଟିଏ ପାଉଁଶିଆ ଆୟତକ୍ଷେତ୍ର ଉପରକୁ କଳା ରଙ୍ଗର ଆୟତକ୍ଷେତ୍ର ଥିଲା । ଶିଳ୍ପୀଙ୍କ ଆତ୍ମହତ୍ୟା ପରେ ମନୋବିଜ୍ଞାନୀମାନେ ତାଙ୍କର ଏହିସବୁ ଛବିକୁ ବିଶ୍ଲେଷଣ କରି ତାଙ୍କର ବିଷାଦ ଓ ଆତ୍ମହତ୍ୟାର ପ୍ରବଣତାକୁ ଠାବ କରିଥିଲେ । ଏପରିକି ରୋଦ୍‌କୋଙ୍କ ଆତ୍ମହତ୍ୟା ଡାକ୍ତରୀ ପାଠରେ ଏକ କେସ୍ ଷ୍ଟଡି ଭାବରେ ପଢାଯାଏ । ମୃତ୍ୟୁ ପୂର୍ବରୁ ସେ କୌଣସି ସୁଇସାଇଡ୍ ନୋଟ୍ ଛାଡିଯାଇନଥିଲେ ମଧ୍ୟ ଆଙ୍କିଥିବା କଳା ଓ ପାଉଁଶିଆ ରଙ୍ଗର ଛବିକୁ ତାଙ୍କ ଚିତ୍ରିତ ମୃତ୍ୟୁକାଳୀନ ଜମାନବନ୍ଦୀ ଭାବରେ ଗ୍ରହଣ କରାଯାଏ । ଅବଶ୍ୟ ଏପରି ମତକୁ କିଛି ପ୍ରମୁଖ କଳା ସମାଲୋଚକ ଗ୍ରହଣ କରିନାହାଁନ୍ତି । ରୋଦ୍‌କୋ ପ୍ରବଳ ମଦ୍ୟପାନ ଓ ଧୂମପାନ କରୁଥିଲେ । ୧୯୬୮ ବେଳକୁ ତାଙ୍କ ଡାକ୍ତର ଏନେଇ ତାଙ୍କୁ ସତର୍କ ମଧ୍ୟ କରିଥିଲେ । ରୋଦ୍‌କୋ କିନ୍ତୁ ଆଦୌ ଗୁରୁତ୍ୱ ଦେଇନଥିଲେ । ସାମାନ୍ୟ ବି ବ୍ୟାୟାମ କରୁନଥିଲେ ଓ ଖାଇବାରେ ତାଙ୍କର ବାଗ ବାଇଶ କିଛି ବି ରଖୁନଥିଲେ । ତାଙ୍କ ପାଖଲୋକଙ୍କ କହିବା ଅନୁସାରେ ରୋଦ୍‌କୋ ସେତେବେଳକୁ ଏକଦମ୍ ପତଳା, ପ୍ରବଳ ଡରକୁଳା ଓ ମାତ୍ରାଧିକ ଅସ୍ଥିର ଥିଲେ । ସେ ତାଙ୍କ ଡାକ୍ତରଙ୍କର କେବଳ ଗୋଟିଏ ମାତ୍ର ପରାମର୍ଶ ମାନି ବଡ଼ ଛବି ଆଙ୍କୁନଥିଲେ । ରୋଦ୍‌କୋଙ୍କର ବିଭିନ୍ନ କାରଣରୁ ପତ୍ନୀ ମେଲ୍‌ଙ୍କ ସହ ସମ୍ପର୍କ ଭଲ ନଥିଲା । ନିଶା ସେବନ, ଦୁର୍ବଳ ସ୍ୱାସ୍ଥ୍ୟ ଓ ନଂପୁସକତା ପରି କାରଣରୁ ସେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେଇ ୧୯୬୯ ନୂଆବର୍ଷରେ ଷ୍ଟୁଡିଓକୁ ପଳେଇଥିଲେ ଓ ମୃତ୍ୟୁ ପର୍ଯ୍ୟନ୍ତ ସେଇଠି ହିଁ ରହିଥିଲେ ।

ମାର୍କ ରୋଦ୍‌କୋଙ୍କ ଜନ୍ମ ୧୯୦୩ ସେପ୍ଟେମ୍ବର ୨୫ରେ ରୁଷ୍ ରେ ହେଇଥିଲା । ପ୍ରଥମେ ତାଙ୍କ ନାଁ ଥିଲା ମାର୍କସ୍ ୟାକୋଭ୍ଲେବିଚ୍ ରୋଦକୋଇଜ୍ । ତାଙ୍କ ବାପା ୟାକୋବ୍ ଜଣେ ଫାର୍ମାସିଷ୍ଟ ଓ ବୁଦ୍ଧିଜୀବୀ ଥିଲେ ଯିଏକି ତାଙ୍କ ପିଲାମାନଙ୍କୁ ସମସ୍ତ ପ୍ରକାର ଧାର୍ମିକ ବନ୍ଧନରୁ ମୁକ୍ତ ରଖିଥିଲେ । ରୋଜଗାର ଅଧିକ ନଥିଲେ ମଧ୍ୟ ସେ ତାଙ୍କ ପିଲାମାନଙ୍କର ଶିକ୍ଷାଦୀକ୍ଷା ପ୍ରତି ଭଲରେ ଗୁରୁତ୍ୱ କିନ୍ତୁ ଦେଇଥିଲେ । ବଡପୁଅ ରଷିଆନ ଇମ୍ପେରିଆଲ୍ ଆର୍ମିରେ ଭର୍ତ୍ତି ହେବାର ଭୟରେ ସେ ରୁଷ୍ ଛାଡି ଆମେରିକା ପଳେଇ ଆସିଥିଲେ । ମାର୍କସ୍ ଓରଫ୍ ରୋଦ୍‌କୋ ତାଙ୍କ ମା ଓ ବଡ ଭଉଣୀ ସିନିଆଙ୍କ ସହ ରୁଷ୍‌ରେ ରହିଲେ ଏବଂ ୧୯୧୩ରେ ଦେଶ ଛାଡି ପୋଲାଣ୍ଡରେ ଆସି ବାପା ଓ ବଡ ଭାଇ ସାଙ୍ଗରେ ମିଶିଲେ । କିଛିଦିନ ପରେ ତାଙ୍କ ବାପାଙ୍କର କ୍ୟାନସର୍‌ରେ ମୃତ୍ୟୁ ହେଲାବେଳକୁ ପରିବାର ପାଖରେ ଚଳିବା ପାଇଁ କିଛି ବି ପଇସାପତ୍ର ନଥିଲା । ଘର ଚଳିବା ପାଇଁ ସୋନିଆ ଓ ରୋଦ୍‌କୋଙ୍କୁ ଛୋଟମୋଟ କାମ କରିବାକୁ ହେଲା । ଏପରିକି ରୋଦ୍‌କୋ ବୁଲି ବୁଲି ଖବରକାଗଜ ବି ବିକିଲେ । ବାପାଙ୍କ ମୃତ୍ୟୁପରେ ରୋଦ୍‌କୋଙ୍କର ଧର୍ମ ପ୍ରତି ଥିବା ବିଶ୍ୱାସ କିନ୍ତୁ ସମ୍ପୂର୍ଣ୍ଣ କଟିଯାଇଥିଲା । ରୋଦ୍‌କୋଙ୍କର ୧୯୧୩ରେ ପାଠପଢା ଆମେରିକାର ପୋର୍ଟଲ୍ୟାଣ୍ଡରେ ଆରମ୍ଭ ହେଲା । ଟିକେ ବଡ଼ ହେଲାପରେ ସେ ସେଠାର ଜୁଇସ୍ କମ୍ୟୁନିଟିର ଜଣେ ସକ୍ରିୟ ସଦସ୍ୟ ହେଇସାରିଥିଲେ । ତାଙ୍କ ବାପାଙ୍କ ପରି ତାଙ୍କର ମଧ୍ୟ ଶ୍ରମିକମାନଙ୍କ ଅଧିକାର ନେଇ କିଛି କାମ କରିବାକୁ ଆଗ୍ରହ ଥିଲା । ସେତେବେଳକୁ ପୋର୍ଟଲ୍ୟାଣ୍ଡ ବିଦ୍ରୋହୀ ଓ ଆନ୍ଦୋଳନକାରୀମାନଙ୍କର ଆଡ୍ଡା ଥିଲା । ବିଭିନ୍ନ ବାମପନ୍ଥୀ ରାଡିକାଲ ଗୋଷ୍ଠୀଙ୍କ ମିଟିଂରେ ଯୋଗଦେଇ ରୋଦ୍‌କୋ ବଢିଆ ଭାଷଣ ଦେବାର କୌଶଳ ଶିଖିଯାଇଥିଲେ । ସେତିକିବେଳେ ରୋଦ୍‌କୋଙ୍କୁ ୟେଲ୍‌ରେ ପଢିବା ପାଇଁ ଗୋଟେ ଛାତ୍ରବୃତ୍ତି ମିଳିଲା । କିନ୍ତୁ ବର୍ଷ ଶେଷରେ ବୃତ୍ତିର ଅବଧି ନବଢିବାରୁ ନିଜ ପାଠପଢା ଚାଲୁ ରଖିବାକୁ ରୋଦ୍‌କୋଙ୍କୁ ୱେଟର୍ ଓ ଡେଲିଭରି ବୟର କାମ କରିବାକୁ ହେଲା । ୟେଲ୍‌ର ପରିବେଶ କିନ୍ତୁ ରୋଦ୍‌କୋଙ୍କୁ ଅଧିକ ସାଆନ୍ତିଆ ଓ ଅଧିକ ଜାତିଆଣା ବିଦ୍ୱେଷୀ ଲାଗିଥିଲା । ସେଥିପାଇଁ ଏପରି ପରିବେଶକୁ ସମାଲୋଚନା କରି ସେ ତାଙ୍କର ଜଣେ ବନ୍ଧୁଙ୍କ ସହ ମିଶି “ଦ ୟେଲ୍ ସଟରଡେ ଇଭିନିଂ ପୋଷ୍ଟ” ନାମରେ ବ୍ୟଙ୍ଗ ପତ୍ରିକା ପ୍ରକାଶ କରୁଥିଲା । ରୋଦ୍‌କୋ ଶ୍ରେଣୀର ପାଠ କମ୍ ପଢୁଥିଲେ ଓ ପାଠ ବାହାରର ବହି ପ୍ରବଳ ପଢୁଥିଲେ । ଶେଷକୁ ରୋଦ୍‌କୋ କିନ୍ତୁ ୟେଲ୍‌ରେ ତାଙ୍କ ପଢା ଶେଷ କଲେନି । ହଠାତ୍ ୟେଲ୍ ଛାଡି ପଳେଇଲେ । ଗଲେ ମାନେ ଆଉ ଫେରିଲେନି । ଫେରିଲେ ପୂରା ଛୟାଳିଶି ବର୍ଷ ପରେ ଯେତେବେଳେ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ଗ୍ରହଣ କରିବାକୁ ଅନୁରୋଧ କରାଗଲା ସେତେବେଳେ ।

ରୋଦ୍‌କୋ ଥରେ ଜଣେ ସାଙ୍ଗକୁ ଭେଟିବାକୁ ଆର୍ଟ ଷ୍ଟୁଡେଣ୍ଟ ଲିଗ୍ ଅଫ୍ ନ୍ୟୁୟର୍କ ଯାଇଥିଲେ । ସେଇଠି ସେ ଦେଖିଲେ ପିଲାଏ ମଡେଲ୍ ଗୋଟେ ଷ୍ଟଡି କରୁଛନ୍ତି । ରୋଦ୍‌କୋଙ୍କ କହିବା ଅନୁସାରେ ଏଇଠୁ ହିଁ ତାଙ୍କ ଚିତ୍ରଶିଳ୍ପୀ ଜୀବନ ଆରମ୍ଭ ହେଲା ଜାଣ । ଇଏ ୧୯୨୩ ମସିହାର କଥା । ତାପରେ ସେ ‘ପର୍ସନଓ ସ୍କୁଲ ଅଫ୍ ଡିଜାଇନ୍’ରେ ନାମ ଲେଖାଇଥିଲେ । ସେଇ ବର୍ଷ ଶରତ ଋତୁରେ ସେ ଆର୍ଟ ଷ୍ଟୁଡେଣ୍ଟ ଲିଗ୍ ଅଫ୍ ନ୍ୟୁୟର୍କରେ ପଢିବାକୁ ପହଂଚିଗଲେ । ସେଇଠି କ୍ୟୁବିଷ୍ଟ ଚିତ୍ରଶିଳ୍ପୀ ମାକ୍ସ ୱେବର୍ ପାଠ ପଢାଉଥାନ୍ତି । ମାକ୍ସ ୱେବର୍‌ଙ୍କ ପାଖରୁ ରୋଦ୍‌କୋ ଜାଣିଲେ ଧାର୍ମିକ ଓ ମାନସିକ ଅଭିବ୍ୟକ୍ତି ପାଇଁ କଳାକୁ କେମିତି ମାଧ୍ୟମ ଭାବରେ ବ୍ୟବହାର କରାଯାଇପାରିବ ।

ଚିତ୍ରଶିଳ୍ପୀ ମାକ୍ସ ୱେବେର୍‌ଙ୍କ ପାଖରେ ଅଳ୍ପଦିନ ପାଇଁ ଶିକ୍ଷା ଛାଡିଦେଲେ ରୋଦ୍‌କୋଙ୍କ ପାରଂପରିକ ଭାବରେ କଳାଶିକ୍ଷା କିଛି ନଥିଲା । ପରେ ଜଣେ ଚିତ୍ରଶିଳ୍ପୀ ଭାବରେ ଗଢିହେବା ସମୟରେ ସେ ପଲ୍ କ୍ଲି ଓ ଫରାସୀ ଶିଳ୍ପୀ ଗର୍ଜ ରାଉଲ୍ଟଙ୍କ ଚମତ୍କାର ବର୍ଣ୍ଣ ବ୍ୟବହାର ଦ୍ୱାରା ମଧ୍ୟ ପ୍ରଭାବିତ ଥିଲେ । ତେବେ ଏସବୁ ପ୍ରଭାବ ଆଦୌ ଦୃଶ୍ୟଗତ ନଥିଲା ବରଂ ଭାବଗତ ଓ ବୌଦ୍ଧିକ ସ୍ତରର ଥିଲେ । ରୋଦ୍‌କୋ ଭାବୁଥିଲେ ଆଲେଖ୍ୟ ଓ ଭୂଦୃଶ୍ୟ ଆଙ୍କିବାରେ ଆଉ ବେଶି କିଛି କହିବାର ନାହିଁ । ଏବେ ଜୀବନର ଅନ୍ୟ କିଛି ଅନାବିଷ୍କୃତ ଦିଗ ବିଷୟରେ ଚିନ୍ତା କରିବାକୁ ହେବ । ରୋଦ୍‌କୋ ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟତଃ ସରିଆଲଷ୍ଟିକ୍ ଛବି ଆଙ୍କୁଥିଲେ । ମ୍ୟୁରୋ ଆଦି ଶିଳ୍ପୀଙ୍କର ପ୍ରଭାବରେ ପ୍ରଭାବିତ ଥିଲେ ସେ । କିନ୍ତୁ ୧୯୪୦ ମସିହା ବେଳକୁ ସେ ସଂପୂର୍ଣ୍ଣ ଭାବରେ ଆବଷ୍ଟ୍ରାକ୍ଟ ଛବି ଆଙ୍କୁଥିଲେ । ଆମେରିକୀୟ ଆବଷ୍ଟ୍ରାକ୍ଟ ଏକ୍ସପ୍ରେସନିଷ୍ଟ ଶିଳ୍ପୀ ଯଥା; ଜାକସନ୍ ପୋଲାକ, ୱିଲିୟମ୍ ଡକୁନି, ବାରନେଟ୍ ନିଉମ୍ୟାନ୍ ନିଜ ନିଜ ପରିଚୟ ତିଆରି କରିସାରିଥାନ୍ତି । ବିଂଶ ଶତାବ୍ଦୀର ଆରମ୍ଭରେ ସରିଆଲଜିମ୍, କ୍ୟୁବିଜିମ୍ ଆଦି ୟୁରୋପୀୟ ଚିତ୍ରର କଳା କୌଶଳ ଠୁଁ ଅଲଗା ଆବଷ୍ଟ୍ରାକ୍ଟ ଏକ୍ସପ୍ରେସନିଜିମ୍ ଶବ୍ଦ ୧୯୨୦ର ଶେଷବେଳକୁ ରୁଷୀୟ ଚିତ୍ରଶିଳ୍ପୀ କାଣ୍ଡିନ୍‌ସ୍କିଙ୍କ ଛବିକୁ ବୁଝାଇବାକୁ ବ୍ୟବହାର କରାଯାଇଥିଲା ।

ରୋଦ୍‌କୋ ନ୍ୟୁୟର୍କ ସହରରେ ପହଂଚିଲା ପରେ ବିଭିନ୍ନ କଳା ପ୍ରଦର୍ଶନୀ ଓ ମ୍ୟୁଜିୟମ ସବୁ ବୁଲି ଦେଖିଲେ । ୧୯୨୮ରେ ଗୋଟେ ଗ୍ୟାଲେରୀରେ କିଛି ଯୁବ କଳାକାରମାନଙ୍କର ଦଳ ସହ ତାଙ୍କ ଛବି ପ୍ରଦର୍ଶିତ ହେଲା । ପଇସାପତ୍ରର ଅଭାବ ପାଇଁ ସେ ଅକାଦେମୀ ଅଫ୍ ବ୍ରୋକଲିନ, ଜୁଇସ୍ ସେଣ୍ଟରରେ ପିଲାମାନଙ୍କୁ ଡ୍ରଇଂ, ପେଣ୍ଟିଂ ଓ କ୍ଲେ ମଡେଲିଂ ଶିଖାଉଥିଲେ । ୧୯୩୦ ବେଳକୁ ରୋଦ୍‌କୋଙ୍କର କିଛି ଯୁବ କଳାକାରଙ୍କ ସହ ବନ୍ଧୁତା ହେଲା । ସେମାନେ ସମସ୍ତେ ଚିତ୍ରଶିଳ୍ପୀ ମିଲଟନ୍ ଏଭେରୀଙ୍କ ପାଖରେ ବସାଉଠା କରୁଥିଲେ । ଏଭେରୀ ହିଁ ରୋଦ୍‌କୋଙ୍କୁ ସେ ଜଣେ ପେଷାଦାର କଳାକାର ହେଇପାରିବାର ସଂଭାବନା କଥା କହିଥିଲେ । ତାପରେ ରୋଦ୍‌କୋଙ୍କ ଛବିରେ ଏଭେରୀଙ୍କ ଛବିର ବିଷୟବସ୍ତୁ ଓ ରଙ୍ଗର ପ୍ରଭାବ ଦେଖିବାକୁ ମିଳିଥିଲା । ପୂରା ଦଳଟି ଦିନସାରା ଛବି କରୁଥିଲେ ଓ ସଂଜ ହେଲେ ଗପର ଆସର ଜମାଉଥିଲେ । ରୋଦ୍‌କୋ ଜଣେ ପାଠପଢୁଆ ଚିତ୍ରଶିଳ୍ପୀ ଥିଲେ । ସେ ଚାରିଟି ଭାଷାରେ କଥାବାର୍ତ୍ତା କରିପାରୁଥିଲେ । ରଷିଆନ, ୟିଦ୍ଧିଶ ଓ ହିବ୍ରୁ ଭାଷାରେ କଥା କହି ପାରୁଥିଲେ । ଆମେରିକା ଆସିଲା ପରେ ଯାଇଁ ସେ ଇଂରାଜୀ ଭାଷା ଶିଖିଥିଲେ ।

ରୋଦ୍‌କୋ ୧୯୩୬ ବେଳକୁ ଗୋଟେ ବହି ଲେଖିବାକୁ ଆରମ୍ଭ କଲେ । ବହିର ବିଷୟ ଆଧୁନିକ ଚିତ୍ରଶିଳ୍ପୀ ଓ ଛୋଟ ପିଲାମାନଙ୍କର ଛବି ଭିତରେ ଥିବା ସାମଞ୍ଜସ୍ୟତାକୁ ନେଇଥିଲା । ରୋଦ୍‌କୋ କହୁଥିଲେ ଆଧୁନିକ ଚିତ୍ର ବହୁଭାବରେ ଆମ ଆଦିମ କଳା ଦ୍ୱାରା ପ୍ରଭାବିତ । ସାନପିଲାଙ୍କ ଛବିକୁ ଆଦିମ କଳା ସହ ତୁଳନା କରାଯାଇପାରେ । ନିଜକୁ ଅନୁକରଣ କରି ପିଲାଏ ଆଙ୍କୁଥିବା ଛବି ସବୁ ଆପଣାଛାଏଁ ଆଦିମ କଳାକୁ ବଦଳିଯାଏ । ଶେଷ ଯାଏଁ ସରିପାରିନଥିବା ଏହି ବହିରେ ରୋଦ୍‌କୋ କହିଛନ୍ତି ପିଲାଙ୍କ ଏକାଡେମିକ୍ ଚିତ୍ରଶିକ୍ଷା ଡ୍ରଇଂ ବଦଳରେ ରଙ୍ଗ ବ୍ୟବହାରରୁ ହେବା ଉଚିତ । ରୋଦ୍‌କୋ ଜାଣିସାରିଥିଲେ ଆମେରିକାର ଆଧୁନିକ ଛବି ତା’ର ଶେଷ ସୀମାନ୍ତରେ ପହଂଚିସାରିଛି । ତେଣୁ ସେ ସହର ଓ ପ୍ରାକୃତିକ ଦୃଶ୍ୟର ଛବିଠାରୁ ଅଲଗା କିଛିର ସନ୍ଧାନରେ ଥିଲେ । ସେ ଚାହୁଁଥିଲେ ତାଙ୍କ ଛବିର ବିଷୟବସ୍ତୁ ତାଙ୍କ ଆଗ୍ରହର ଆକାର, ପରିବେଶ ଓ ରଙ୍ଗକୁ ବ୍ୟାଖା କରୁ । ପୃଥିବୀରେ ଯୁଦ୍ଧର ପରିବେଶ ଥିଲା । ରୋଦ୍‌କୋ ତାଙ୍କ ଛବିର ବିଷୟବସ୍ତୁରେ ସାମାଜିକ ଆବେଦନ ରହୁ ଓ ତାହା ସମସାମୟିକ ରାଜନୈତିକ ପ୍ରତୀକ ଏବଂ ମୂଲ୍ୟବୋଧକୁ ଦର୍ଶାଉ ବୋଲି ଚାହୁଁଥିଲେ । ରୋଦ୍‌କୋ ମନୋବୈଜ୍ଞାନିକ ସିଗ୍‌ମଣ୍ଡ ଫ୍ରଏଡ୍ ଓ କାର୍ଲ ୟୁଙ୍ଗ୍‌ଙ୍କୁ ଭଲରେ ପଢୁଥିଲେ ଓ ନ୍ୟୁମାନ ଆଦିଙ୍କ ସହ ଏନେଇ ଆଲୋଚନା କରୁଥିଲେ । ଆଲୋଚନାର ବିଷୟବସ୍ତୁ ଆର୍କିଟାଇପ୍, ସ୍ୱପ୍ନ, ସାମୁହିକ ଅବଚେତନ ଓ ମନୋବୌଜ୍ଞାନିକ ବିଶ୍ଲେଷଣକୁ ନେଇ ହେଉଥିଲା । ସେମାନେ ପୌରାଣିକ ପ୍ରତୀକକୁ ଇମେଜ୍ ଭାବରେ ବୁଝିବାକୁ ଚେଷ୍ଟା କରିଥିଲେ । ରୋଦ୍‌କୋ ଏକଦା ସ୍ୱୀକାର କରିଥିଲେ ପୁରାଣର ନାଟକୀୟ କାହାଣୀସବୁରୁ ହିଁ ତାଙ୍କର କଳାତ୍ମକ ଦୃଷ୍ଟିକୋଣର ଅଭିବୃଦ୍ଧି ହେଇଥିଲା । ରୋଦ୍‌କୋ ସାର୍ ଜେମସ୍ ଫ୍ରାଜେର୍‌ଙ୍କ ମିଥ୍ ବିଷୟର ବହି “ଗୋଲ୍‌ଡେନ୍ ବାଫ୍” ଓ ଫ୍ରୟେଡ୍‌ଙ୍କ “ଦ ଇଣ୍ଟରପ୍ରେଟେସନ୍ ଅଫ୍ ଡ୍ରିମ୍‌ସ” ବହି ପଢିବା ପାଇଁ ୧୯୪୦ ମସିହାରେ ଛବି କରିବା ବନ୍ଦ କରିଦେଇଥିଲେ । ରୋଦ୍‌କୋ ଆଧୁନିକ ମଣିଷର ଆଧ୍ୟାତ୍ମିକ ଏବଂ ସୃଜନଶୀଳ ପୌରାଣିକ କାହାଣୀକୁ ନେଇ କାମ କରୁଥିଲେ । ସେହି ସମୟରେ ରୋଦ୍‌କୋ ବିଶେଷ ଭାବରେ ଫେଡରିକ୍ ନୀଚାଃ (Friedrich Nietzsche)ଙ୍କ ‘ଦ ବାର୍ଥ ଅଫ୍ ଟ୍ରାଜେଡି’ ବହି ଓ ତାଙ୍କ ଦର୍ଶନ ଦ୍ୱାରା ପ୍ରଭାବିତ ଥିଲେ । ରୋଦ୍‌କୋ ଗ୍ରୀକ୍ ମିଥ୍, ଖ୍ରୀଷ୍ଟିଆନ୍ ମିଥ୍, ସିରିଆ ଓ ଇଜିପ୍ଟିୟ ମିଥ୍ ଦ୍ୱାରା ମଧ୍ୟ ଭୀଷଣ ପ୍ରଭାବିତ ହୋଇ ଅନେକ ଛବି କରିଥିଲେ । ଫ୍ରୟେଡ୍‌ଙ୍କ ମନୋବିଶ୍ଲେଷଣ ସହ ଗ୍ରୀକ୍ ପୁରାଣକଳ୍ପର ବିୟୋଗାନ୍ତକ ଘଟଣା ସବୁକୁ ନେଇ ତାଙ୍କ ଛବିରେ ପରୀକ୍ଷା କରିଥିଲେ । ତାଙ୍କ ପାଇଁ ଉତ୍ସାହପ୍ରଦ ଓ ଦୁଃଖଦ ଅନୁଭବ ସବୁ ତାଙ୍କ କଳାସୃଷ୍ଟି ପାଇଁ ଏକମାତ୍ର ଉତ୍ସ ବୋଲି ସେ ଧାରଣା ରଖିଥିଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରୋଦ୍‌କୋଙ୍କୁ ଲାଗିଲା ଛବିର ନାମକରଣ ଦ୍ୱାରା ତାହା ତାଙ୍କ ବକ୍ତବ୍ୟକୁ ସୀମିତ କରିପକାଉଛି, ତେଣୁ ତାଙ୍କ ଛବିକୁ ତାଙ୍କ ଦର୍ଶକମାନେ ଅଧିକ ଭାବରେ ବୁଝନ୍ତୁ ଓ ବିଶ୍ଲେଷଣ କରନ୍ତୁ ବୋଲି ସେ ତାଙ୍କ ଛବିର ନାମକରଣ କରିବା ବନ୍ଦ କରିଦେଲେ । ଏଥର ତାଙ୍କ ଛବି କେବଳ ଗୋଟେ ଗୋଟେ ସଂଖ୍ୟା ନାମରେ ନାମିତ ହୋଇରହିଲେ । ଆଜି ଯେଉଁ ଛବିମାନଙ୍କୁ ଦେଖି ଆମେ ରୋଦ୍‌କୋଙ୍କୁ ଚିହ୍ନିଛୁ ସେ ଛବି ସବୁକୁ ସେ ୧୯୫୦ ବେଳକୁ ଆଙ୍କୁଥିଲେ । ଆଗରୁ ସେ ସହରର ଭୂଦୃଶ୍ୟ ଭିତରେ ବିକ୍ଷିପ୍ତ ମଣିଷମାନଙ୍କୁ ଅଥବା ପୌରାଣିକ ଘଟଣା ଓ ଚରିତ୍ରମାନଙ୍କୁ ରୂପ ଦେଇଥିଲେ କିନ୍ତୁ ପରେ ରଙ୍ଗକୁ ତାଙ୍କ ବକ୍ତବ୍ୟ ପରିପ୍ରକାଶର ମାଧ୍ୟମ ଭାବରେ ବ୍ୟବହାର କରିଥିଲେ ।

ରୋଦ୍‌କୋ ତାଙ୍କ ଶେଷ ପର୍ଯ୍ୟାୟର ଛବିମାନଙ୍କୁ ପ୍ରଦର୍ଶନୀ ସମୟରେ ନିର୍ଦ୍ଦେଶ ଦେଇଥିଲେ ଦର୍ଶକ ଛବିଟାରୁ ମାତ୍ର ଅଠର ଇଂଚ ଦୂରରେ ଠିଆ ହେବେ । ନିକଟରେ ଠିଆହେଲେ ହିଁ ଦର୍ଶକ ତାଙ୍କ ଛବିକୁ ଅଧିକ ଭାବରେ ବୁଝିପାରିବ । ଏମିତିକି ସେ ଗ୍ୟାଲେରୀ କାନ୍ଥରେ ତାଙ୍କ ଛବି ଅଳ୍ପ ଉଚ୍ଚତାରେ ଝୁଲିବାକୁ ବି କହୁଥିଲେ । ଛବି ପ୍ରଦର୍ଶିତ କୋଠରୀ ଭିତରକୁ ସେ ମାତ୍ର ଜଣେ ନହେଲେ ମାତ୍ର ଦୁଇଜଣ ଦର୍ଶକକୁ ଯିବାକୁ ଅନୁମତି ଦେଉଥିଲେ । ରୋଦ୍‌କୋ କହୁଥିଲେ ସେ ଜଣେ ଅମୂର୍ତ୍ତବାଦୀ (ଆବଷ୍ଟ୍ରାକ୍ସନିଷ୍ଟ) ନୁହଁନ୍ତି । ତାଙ୍କର ରଙ୍ଗ, ରୂପର ସଂପର୍କ କିମ୍ବା ଆଉ କିଛିରେ ବି କୌଣସି ଆଗ୍ରହ ନାହିଁ । ଆଗ୍ରହ ରହିଛି ମୋର କେବଳ ନିର୍ମଳ ଆନନ୍ଦ, ଦୁଃଖ, ଉତ୍କଣ୍ଠା ଓ ସଂହାର ପରି ସାଧାରଣ ଓ ମୌଳିକ ମାନବୀୟ ପ୍ରବଣତାରେ ।

ରୋଦ୍‌କୋ ଓ ତାଙ୍କ ପତ୍ନୀ ୧୯୩୭ରେ କିଛିମାସ ପାଇଁ ଅଲଗା ହେଇ ପୁଣି ଏକାଠି ହେଲେ । କିନ୍ତୁ ସଂପର୍କ ଆଉ ଆଗପରି ନଜମିବାରୁ ୧୯୪୪ରେ ଦୁହେଁ ଅଲଗା ହେଇଗଲେ । ୟୁରୋପରେ ନାଜିମାନଙ୍କର ବଢୁଥିବା ପ୍ରଭାବ ଡରରେ ରୋଦ୍‌କୋ ଆମେରିକାର ନାଗରିକ ହେଇଯାଇଥିଲେ । ୧୯୪୦ରେ ନିଜର ଜୁଇସ୍ ପରିଚୟକୁ ଲୁଚାଇବାକୁ ସେ ତାଙ୍କର ନାଁ ମାର୍କସ୍ ରୋଦ୍‌କୋଇଜ୍‌ରୁ ମାର୍କ ରୋଦ୍‌କୋ କରିଦେଇଥିଲେ । ରୋଦ୍‌କୋ ତାଙ୍କ ଛବି କରିବାର କଳା କୌଶଳ ଗୋପନୀୟ ରଖିଥିଲେ । ଏପରିକି ତାଙ୍କ ଷ୍ଟୁଡିଓରେ ତାଙ୍କ ସହ କାମ କରୁଥିବା ସହକର୍ମୀମାନଙ୍କୁ ମଧ୍ୟ ଜଣାଇନଥିଲେ । ପରେ ଅଲ୍‌ଟ୍ରାଭାଓଲେଟ୍ ଆନାଲିସିସ୍ ଦ୍ୱାରା ଜଣାପଡଛି ସେ ତାଙ୍କ ରଙ୍ଗରେ ଅଣ୍ଡା, ଫର୍ମାଲଡିହାଇଡ, ଆକ୍ରେଲିକ୍ ରେଜିନ୍ ଆଦି ମିଶାଉଥିଲେ ।

ଆଜି ଆମର ଚିତ୍ରଶିଳ୍ପୀମାନେ କାହାକୁ ଖଣ୍ଡେ ନିଜର ଚିତ୍ର ବିକ୍ରି କରିବାକୁ କେତେ କ’ଣ କୁ‌ଚ୍ଛ୍ର ସାଧନା ନ କରୁଛନ୍ତି । ଛବି କିଣୁଥିବା ଲୋକ ଛବି ବିଷୟରେ କିଛି ବୁଝୁଛି କି ନା ତାହା ବଡ କଥା ହେଇ ରହିନି । କିନ୍ତୁ ରୋଦ୍‌କୋ ତାଙ୍କର ନାଁ ଅଛି ବୋଲି ତାଙ୍କ ଛବି କିଣିବାକୁ ଆଗଭର ଗ୍ରାହକମାନଙ୍କ ଉପରେ ଭୀଷଣ ବିରକ୍ତ ହେଉଥିଲେ । ଏମିତିକି ଠିକ୍‌ରେ ପ୍ରତିକ୍ରିୟା ଦେଉନଥିବା ଲୋକମାନଙ୍କୁ ତାଙ୍କ ଛବି ନବିକିବାକୁ ଗ୍ୟାଲେରୀକୁ ତାଗିଦ କରୁଥିଲେ । ରୋଦ୍‌କୋଙ୍କ ପାଇଁ ଛବି କେବଳ କିଣାବିକା ଓ ଅର୍ଥ ରୋଜଗାରର ମାଧ୍ୟମ ନଥିଲା । ତାଙ୍କ ପାଇଁ ଛବି ଥିଲା ଏକ ବୌଦ୍ଧିକ କସରତ୍, ଏକ ଆଧ୍ୟାତ୍ମିକ ଅନୁସନ୍ଧିତ୍ସା । ଆଜିବି ରୋଦ୍‌କୋଙ୍କ କାମ ଦେଖିଲେ ଠିକ୍ ସେମିତି ଅନୁଭବ ଆସେ ଯେମିତି ଦିନେ ଖୋଦ୍ ଶିଳ୍ପୀ ତାକୁ ଆଙ୍କିଲାବେଳେ ଅନୁଭବ କରିଥିଲେ । ରୋଦ୍‌କୋ କହୁଥିଲେ ତାଙ୍କ ଛବି ଆଗରେ ଠିଆ ହେଇ କାନ୍ଦୁଥିବା ଲୋକମାନେ ଠିକ୍ ସେଇ ଏକାପ୍ରକାର ଆଧ୍ୟାତ୍ମିକ ଅନୁଭୂତି ଅନୁଭବ କରନ୍ତି ଯୋଉ ଆଧ୍ୟାତ୍ମିକ ଅନୁଭୂତି ସେ ଏକଦା ସେହି ଛବି ଆଙ୍କିଲାବେଳେ ଅନୁଭବ କରିଥିଲେ । ଯଦି କେହି କେବଳ ତାଙ୍କ ଛବିର ରଙ୍ଗ ମାୟାରେ ପଡିଗଲା ତେବେ ସେ ଏସବୁ କଥା କିଛି ବୁଝି ପାରିବନି ।

ରୋଦ୍‌କୋ ଛବି ଦେଖି ଛବି ଆଙ୍କିନଥିଲେ । ଧରାବନ୍ଧା କଳା ବିଦ୍ୟାଳୟରେ କଳାଶିକ୍ଷା କରିନଥିଲେ । ତାଙ୍କର କଳା ସର୍ଜନା ଆସିଥିଲା ଗଭୀର ଅଧ୍ୟବସାୟ ଓ ପ୍ରଚୁର ପୁସ୍ତକ ପଠନ ଏବଂ ମନନରୁ । କେହି ଯଦି ରୋଦ୍‌କୋଙ୍କ ଛବିରେ ବିଭିନ୍ନ ପୁରାଣକଳ୍ପର ସିଧାସଳଖ ଅଳଙ୍କରଣ ପରି ଚରିତ୍ର ଖୋଜେ ତେବେ ନିଶ୍ଚୟ ନିରାଶ ହେବ । ଅବଶ୍ୟ ଏକଥା ସତ ଯେ, ଚିତ୍ର କହିଲେ କିଛିବି ଧରାବନ୍ଧା ଚିହ୍ନାଜଣା ଆକାର ପ୍ରକାର ଓ ଇମେଜ୍ ମାନଙ୍କ ଏପଟ ସେପଟ ସାଜସଜ୍ଜାକୁ ଛବି ଓ ସେ ଛବିକୁ ଯେନତେନ ପ୍ରକାରେଣ ବିକି ଦୁଇ ପଇସା ରୋଜଗାରର ଅନ୍ୟତମ ସରଳ ମାଧ୍ୟମ ଭାବୁଥିବା କଳାକାର ଓ କଳାପ୍ରେମୀଙ୍କ ପାଇଁ ଆଜି ବି ରୋଦ୍‌କୋ ଦୂରନ୍ତ I