1. ୨, ମାର୍ଚ୍ଚ, ୨୦୨୦ 2. ୨୫, ମାର୍ଚ୍ଚ, ୨୦୨୦ 3. ୨୭, ମାର୍ଚ୍ଚ, ୨୦୨୦ 4. ୨୮, ମାର୍ଚ୍ଚ, ୨୦୨୦ 5. ୩୦, ମାର୍ଚ୍ଚ, ୨୦୨୦ 6. ୧, ଏପ୍ରିଲ, ୨୦୨୦ 7. ୨, ଏପ୍ରିଲ, ୨୦୨୦ 8. ୩, ଏପ୍ରିଲ, ୨୦୨୦ 9. ୫, ଏପ୍ରିଲ, ୨୦୨୦ 10. ୨୨, ଏପ୍ରିଲ, ୨୦୨୦ 11. ୨୪, ଏପ୍ରିଲ, ୨୦୨୦ 12. ୨୬, ଏପ୍ରିଲ, ୨୦୨୦ 13. ୨୭, ଏପ୍ରିଲ, ୨୦୨୦ 14. ୩୦, ଏପ୍ରିଲ, ୨୦୨୦ 15. ୬, ମଇ, ୨୦୨୦ 16. ୭, ମଇ, ୨୦୨୦ 17. ୮, ମଇ, ୨୦୨୦ 18. ୧୧, ମଇ, ୨୦୨୦ 19. ୧୫, ମଇ, ୨୦୨୦ 20. ୧୬, ମଇ, ୨୦୨୦ 21. ୧୮, ମଇ, ୨୦୨୦ 22. ୨୩, ମଇ,୨୦୨୦ 23. ୨୬, ମଇ, ୨୦୨୦ 24. ୨୮, ମଇ, ୨୦୨୦ 25. ୨୯, ମଇ, ୨୦୨୦ 26. ୩୧, ମଇ, ୨୦୨୦ 27. ୧, ଜୁନ, ୨୦୨୦ 28. ୩, ଜୁନ, ୨୦୨୦ 29. ୫, ଜୁନ,୨୦୨୦ 30. ୭, ଜୁନ, ୨୦୨୦ 31. ୧୨, ଜୁନ, ୨୦୨୦ 32. ୧୫, ଜୁନ, ୨୦୨୦ 33. ୧୮, ଜୁନ, ୨୦୨୦ 34. ୨୨, ଜୁନ, ୨୦୨୦ 35. ୨୭, ଜୁନ, ୨୦୨୦ 36. ୨୮, ଜୁନ, ୨୦୨୦ 37. ୩୦, ଜୁନ, ୨୦୨୦ 38. ୩, ଜୁଲାଇ, ୨୦୨୦ 39. ୧୫, ଜୁଲାଇ, ୨୦୨୦ 40. ୧୬, ଜୁଲାଇ, ୨୦୨୦ 41. ୧, ଅକ୍ଟୋବର,୨୦୨୦ - ଏକ କାତର ପ୍ରାର୍ଥନାର କବିତା

୨୭, ଏପ୍ରିଲ, ୨୦୨୦


୨୭, ଏପ୍ରିଲ, ୨୦୨୦ । ଶ୍ରମିକ ଓ ସାଧାରଣ ନାଗରିକ, ସରକାରଙ୍କ କରୋନା ପରୀକ୍ଷାଗାରରେ “ଗିନିଆ ପିଗ” ନୁହନ୍ତି !!

ଏକଥା ସତ ଯେ, ଏକ ଜାତୀୟ ବିପତ୍ତି ସମୟରେ ସରକାରଙ୍କ ପ୍ରତି ଲୋକଙ୍କର ଆସ୍ଥା ବଢିଯାଏ ଓ ଯେତେ ଗଣତାନ୍ତ୍ରିକ ଦେଶ ହେଲେ ମଧ୍ୟ ସରକାର ପ୍ରତି ବିରୋଧର ମାତ୍ରା କମିଯାଏ। ଲୋକଙ୍କର ଏହି ନିଃସର୍ତ୍ତ ଆସ୍ଥାକୁ ସମ୍ମାନ ଦେଇ ସରକାରମାନେ ମଧ୍ୟ ଏହି ସମୟରେ ଅଧିକ ଦାୟିତ୍ଵବାନ ଓ ସ୍ବଚ୍ଛ ହେବାର ଆଶା କରାଯାଏ। ତେବେ ଗତ ଦେଢ ମାସର କରୋନା ମୁକାବିଲା ସମୟରେ ଭାରତ ସରକାର ଓ ବିଭିନ୍ନ ରାଜ୍ୟ ସରକାରମାନେ ଲୋକଙ୍କର ଆସ୍ଥାକୁ ଏକ ପ୍ରକାର ଅନ୍ଧ ସମର୍ଥନ ବୋଲି ଭାବି ନେଇଛନ୍ତି। କରୋନା ସଂକ୍ରମଣ ରୋକିବାକୁ “ଲକ ଡାଉନ” କୁ ଏକମାତ୍ର ବାଟ ବୋଲି ଗ୍ରହଣ କରି ନେଇଥିବା ଆମ ସରକାର ଏହାର ବିକଳ୍ପ ଚିନ୍ତା କରିବାକୁ ପ୍ରସ୍ତୁତ ନୁହନ୍ତି। ପ୍ରଥମେ ୨୧ ଦିନ, ତାପରେ ୪୦ ଦିନର ସଂପ୍ରସାରଣ ପରେ ଓ ଏବେ ଏହାକୁ ମଇ ମାସ ଶେଷ ଯାଏ ବଢାଇବାର ପ୍ରସ୍ତାବ ବିଭିନ୍ନ ରାଜ୍ୟ ସରକାର ଦେଲେଣି। ଓଡିଶା ସରକାର ମଧ୍ୟ ଏହି ପ୍ରସ୍ତାବର ଅନ୍ୟତମ ସମର୍ଥକ ।

“ଲକ ଡାଉନ” କରୋନା ସଂକ୍ରମଣକୁ ସଙ୍କୁଚିତ କରିଛି, ହେଲେ ଏହାକୁ ରୋକିବାରେ ସମର୍ଥ ହୋଇଛି କି? ମାର୍ଚ୍ଚ ୨୩ ତାରିଖ ଦିନ ଯେତେବେଳେ ସାରା ଦେଶରେ ଲକ ଡାଉନ ଆରମ୍ଭ ହେଲା, ସେତେବେଳେ ଦେଶରେ ୪୯୭ ଜଣ କରୋନା ଆକ୍ରାନ୍ତ ରହିଥିଲେ। ଲକ ଡାଉନର ପ୍ରଥମ ସୋପାନ ଏପ୍ରିଲ ୩ ରେ ସରିଲା ବେଳକୁ ଏହି ସଂଖ୍ୟା ୩୧୦୫ରେ ପହଞ୍ଚିଥିଲା। ଏପ୍ରିଲ ୩ ରୁ ଏପ୍ରିଲ ୨୭ ଭିତରେ ଏହି ସଂଖ୍ୟା ଏବେ ୨୮,୧୧୮ରେ ପହଞ୍ଚିଛି। ଅର୍ଥାତ ଏପ୍ରିଲ ୩ ରୁ ୨୭- ଏହି ୨୪ ଦିନ ଭିତରେ ପ୍ରାୟ ୧୦ ଗୁଣ ବଢିଛି। ତେବେ ଏହି ସମୟରେ ସଂଖ୍ୟା ଦି ଗୁଣ ହେବାର ସମୟ ବଢିଛି ଓ ଏହା ଏକ ଶୁଭ ସୂଚନା ବୋଲି ଭାରତ ସରକାର କହୁଛନ୍ତି। ତେବେ ସଂଖ୍ୟା ଯେତେ ବଢିବ ଦୁଇ ଗୁଣ ହେବାର ପ୍ରକ୍ରିୟା ସେତେ ବେଶୀ ବିଳମ୍ବିତ ହେବ। ଏହା ଏକ ସାଧାରଣ ଗାଣିତିକ ନିୟମ। ଏହାକୁ ସଂକ୍ରମଣ ରୋକିବାର ସଫଳତା ବୋଲି କୁହାଯାଇ ପାରିବ ନାହିଁ। ଯଦି ଏହି କ୍ରମ ଜାରି ରହେ, ତାହେଲେ ଆଉ ମାସେ ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷରେ ପହଞ୍ଚିବ। ତେବେ ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ପୁନେ ଓ ଇନ୍ଦୋର ସହରରେ ବଢି ଚାଲିଥିବା ସଂଖ୍ୟାକୁ ଅନୁଧ୍ୟାନ କଲେ, ଏହା ୧୦ ଲକ୍ଷ ରୁ ଅଧିକ ହୋଇଯାଇପାରେ ବୋଲି ଆକଳନ କରା ଯାଉଛି। କେବଳ ଅହମଦାବାଦ ରେ ମଇ ମାସ ଶେଷ ବେଳକୁ ୮ ଲକ୍ଷ କରୋନା ଆକ୍ରାନ୍ତ ରହିବେ ବୋଲି ସେଠାକାର ପୌର କମିଶନର କହିଛନ୍ତି ।

ତା ହେଲେ ଅନେକ ମାସ ଧରି ଦେଶରେ ଲକ ଡାଉନ ଅବ୍ୟାହତ ରହିବ କି? ଜୀବନ ଓ ଜୀବିକା ଉଭୟକୁ ବଞ୍ଚାଇବା ଲାଗି ଏକ ସମନ୍ଵିତ ବ୍ୟବସ୍ଥା ଯଦି ଗ୍ରହଣ କରା ନଯାଏ, ତାହେଲେ କରୋନା ତୁଳନାରେ ଦାରିଦ୍ର୍ୟ, ଅନାହାର, ସ୍ୱାସ୍ଥ୍ୟ ଜନିତ ଅବ୍ୟବସ୍ଥା, ମାନସିକ ଅବସାଦ ଏବଂ ଅର୍ଥନୈତିକ ଚାପ ଯୋଗୁଁ ଅଧିକ ଲୋକ ପ୍ରାଣ ହରାଇବେ। ଲକ ଡାଉନ କରୋନା ସଂକ୍ରମଣ ରୋକିବାର ସ୍ଥାୟୀ ସମାଧାନ ନୁହେଁ ବୋଲି ବହୁ ବିଶେଷଜ୍ଞ କହି ସାରିଲେଣି। କେବଳ ସଂଖ୍ୟାକୁ ନିୟନ୍ତ୍ରିତ କରିବା ପାଇଁ ମାସ ମାସ ଧରି ଦେଶକୁ ତାଲା ପକାଇ ରଖିବା ବିପଜ୍ଜନକ ହୋଇପାରେ। ଆଗକୁ ଜୀବିକା ଅଭାବରେ ଲୋକଙ୍କ ମନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେବ, ତାକୁ ସମ୍ଭାଳିବା କୌଣସି ସରକାରଙ୍କ ପକ୍ଷେ ସମ୍ଭବ ହେବନାହିଁ ।

ଇତି ମଧ୍ୟରେ ସବୁଠୁ ଭୟଙ୍କର ସ୍ଥିତିରେ ଅଛନ୍ତି, ଦେଶର ପ୍ରାୟ ୪୦ କୋଟି ଶ୍ରମିକ। ସେମାନେ ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୩ ତାରିଖରେ କହିଥିଲେ। ୪୦ ଦିନ ଭିତରେ ସେମାନଙ୍କୁ କେବଳ ଭାତ ଗଣ୍ଡେ ଖାଇବାକୁ ଦେଇ ବିଭିନ୍ନ ଶିବିରରେ ରଖା ଯାଇଛି। ମଇ ୩ ତାରିଖ ପରେ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବାର କଥା ଏବେ ଉଠୁଛି। ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ସେମାନଙ୍କୁ ମୁକ୍ତ ଭାବରେ ଫେରିବାର ସୁଯୋଗ ଆଉ ଦେଇ ହେବନାଇଁ। ସେମାନେ ଗତ ୩୪ ଦିନ ହେଲାଣି ଯେଉଁଠି ଥିଲେ, ସେଠାରେ ସେମାନଙ୍କର ପଞ୍ଜୀକରଣ ଓ କରୋନା ପରୀକ୍ଷା ହୋଇ ପାରିଥାନ୍ତା। ତାହା ଏଯାଏ ସମ୍ଭବ ହୋଇନି। ଓଡିଶା ସରକାର ସେମାନଙ୍କ ଫେରିବା ଲାଗି ପଞ୍ଜୀକରଣ କରି ୧୪ ଦିନିଆ ସଙ୍ଗରୋଧରେ ରଖିବାର ଯୋଜନା କରୁଛନ୍ତି। ତାର ଅର୍ଥ ହେଉଛି ଲକ ଡାଉନ ର ୪୦ ଦିନ ପରେ ଆହୁରି ୧୪ ଦିନ ସେମାନଙ୍କର ଜୀବିକା ବୋଲି କିଛି ରହିବ ନାହିଁ। ଦୁଇ ମାସ ଧରି ବିନା ରୋଜଗାରରେ ଏମାନେ ବଞ୍ଚିବେ କେମିତି?

ଶ୍ରମିକ ଓ ନାଗରିକ ଦେଶର କରୋନା ପରୀକ୍ଷାଗାରରେ “ଗିନିଆ ପିଗ” ନୁହନ୍ତି। ସେମାନଙ୍କର ଜୀବନ ଓ ଜୀବିକାକୁ ନେଇ ଦୀର୍ଘ ସମୟ ଖେଳିବାର ପରିଣତି ସମୟକ୍ରମେ ଅଧିକ ବିପଜ୍ଜନକ ହେବ ।



Apr 26, 2021