1. ୨, ମାର୍ଚ୍ଚ, ୨୦୨୦ 2. ୨୫, ମାର୍ଚ୍ଚ, ୨୦୨୦ 3. ୨୭, ମାର୍ଚ୍ଚ, ୨୦୨୦ 4. ୨୮, ମାର୍ଚ୍ଚ, ୨୦୨୦ 5. ୩୦, ମାର୍ଚ୍ଚ, ୨୦୨୦ 6. ୧, ଏପ୍ରିଲ, ୨୦୨୦ 7. ୨, ଏପ୍ରିଲ, ୨୦୨୦ 8. ୩, ଏପ୍ରିଲ, ୨୦୨୦ 9. ୫, ଏପ୍ରିଲ, ୨୦୨୦ 10. ୨୨, ଏପ୍ରିଲ, ୨୦୨୦ 11. ୨୪, ଏପ୍ରିଲ, ୨୦୨୦ 12. ୨୬, ଏପ୍ରିଲ, ୨୦୨୦ 13. ୨୭, ଏପ୍ରିଲ, ୨୦୨୦ 14. ୩୦, ଏପ୍ରିଲ, ୨୦୨୦ 15. ୬, ମଇ, ୨୦୨୦ 16. ୭, ମଇ, ୨୦୨୦ 17. ୮, ମଇ, ୨୦୨୦ 18. ୧୧, ମଇ, ୨୦୨୦ 19. ୧୫, ମଇ, ୨୦୨୦ 20. ୧୬, ମଇ, ୨୦୨୦ 21. ୧୮, ମଇ, ୨୦୨୦ 22. ୨୩, ମଇ,୨୦୨୦ 23. ୨୬, ମଇ, ୨୦୨୦ 24. ୨୮, ମଇ, ୨୦୨୦ 25. ୨୯, ମଇ, ୨୦୨୦ 26. ୩୧, ମଇ, ୨୦୨୦ 27. ୧, ଜୁନ, ୨୦୨୦ 28. ୩, ଜୁନ, ୨୦୨୦ 29. ୫, ଜୁନ,୨୦୨୦ 30. ୭, ଜୁନ, ୨୦୨୦ 31. ୧୨, ଜୁନ, ୨୦୨୦ 32. ୧୫, ଜୁନ, ୨୦୨୦ 33. ୧୮, ଜୁନ, ୨୦୨୦ 34. ୨୨, ଜୁନ, ୨୦୨୦ 35. ୨୭, ଜୁନ, ୨୦୨୦ 36. ୨୮, ଜୁନ, ୨୦୨୦ 37. ୩୦, ଜୁନ, ୨୦୨୦ 38. ୩, ଜୁଲାଇ, ୨୦୨୦ 39. ୧୫, ଜୁଲାଇ, ୨୦୨୦ 40. ୧୬, ଜୁଲାଇ, ୨୦୨୦ 41. ୧, ଅକ୍ଟୋବର,୨୦୨୦ - ଏକ କାତର ପ୍ରାର୍ଥନାର କବିତା

୨୪, ଏପ୍ରିଲ, ୨୦୨୦


୨୪, ଏପ୍ରିଲ, ୨୦୨୦ । କରୋନା ବିରୋଧୀ ସଂଘର୍ଷ, ଆଗକୁ ଆହୁରି ଲମ୍ବା ରାସ୍ତା ବାକି ଅଛି !!

କରୋନା ଭୂତାଣୁ ଓ ମଣିଷ, ଉଭୟେ ପ୍ରକୃତିର ସୃଷ୍ଟି। ବଞ୍ଚି ରହିବାର ସଂଘର୍ଷରେ ଦୁହେଁ ସଂଘର୍ଷ କରୁଛନ୍ତି। ତେବେ ପୃଥିବୀର ଇତିହାସ କହୁଛି, ଭୂତାଣୁ ଓ ଜୀବାଣୁ ଜନିତ ମହାମାରୀର ଭୟଙ୍କର ପ୍ରକୋପ ସତ୍ତ୍ୱେ ମଣିଷ ସବୁବେଳେ ବିଜୟୀ ହୋଇଛି। ଆଜି ମଧ୍ୟ ମଣିଷ ଜିତିବ। ତେବେ ଜିତିବା ଲାଗି ମଣିଷକୁ ବହୁ ମୂଲ୍ୟ ଦେବାକୁ ପଡିବ। ଆଜି କରୋନା ଭୂତାଣୁ ବିରୋଧରେ କୌଣସି ଦେଶ ଏକୁଟିଆ ବା ଅଲଗା ହୋଇ ଲଢେଇ କରିପାରିବେ ନାହିଁ। ଏଥିଲାଗି ପୂରା ମଣିଷ ସମାଜକୁ ଏକାଠି ଲଢେଇ କରିବାକୁ ପଡିବ। ହେଲେ ଆମ ସମୟର ରାଜନୀତିରେ ଉଗ୍ର ଜାତୀୟତାବାଦ ଓ ଆଞ୍ଚଳିକ ଅହଂକାର ପ୍ରବଳ। ନିଜକୁ ମହାନ ବୋଲି ପ୍ରମାଣିତ କରିବାକୁ ଯାଇ ସବୁ ରାଷ୍ଟ୍ର ଆଜି ଏକାକୀ ସଙ୍ଘର୍ଷର ବାଟ ବାଛୁଛନ୍ତି। କରୋନା ଭୂତାଣୁ ଏହାର ସୁଯୋଗ ନେଇ ବଢି ଚାଲିଛି ।

ଇତି ମଧ୍ୟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଓ ଭୂତାଣୁ ବିଶେଷଜ୍ଞ କହି ସାରିଲେଣି ଯେ ଏ ସଂଘର୍ଷ ଅଳ୍ପ କେଇମାସରେ ସରିବ ନାହିଁ। ଏହାର ପ୍ରତିଷେଧକ ଟୀକା ଗୋଷ୍ଠୀ ଭିତରେ ଏହାକୁ ପ୍ରତିହତ କରିବାର ଶକ୍ତି (Herd Immunity) ନ ଆସିବା ପର୍ୟନ୍ତ କରୋନା ସହିତ ଆମର ସଂଘର୍ଷ ଅବ୍ୟାହତ ରହିବ। ଚାଳିଶ ଦିନ ବା ୬ ମାସ ନୁହେଁ, ହୁଏତ ବର୍ଷେ କି ଦୁଇ ବର୍ଷ ଆମକୁ କରୋନା ସହ ଲଢେଇ କରିବାକୁ ପଡିବ। ଏଇ ଲମ୍ବା ଲଢେଇରେ ଆଜି ଯେମିତି ଆମେ ଲଢୁଛେ, ସେମିତି ଲଢି ପାରିବା କି? ବର୍ଷ ବର୍ଷ ଧରି ଜନ ଜୀବନକୁ ଆମେ ଘର ଭିତରେ ବନ୍ଦୀ କରି ରଖିପାରିବା କି? ନା, ସେକଥା ସମ୍ଭବ ନୁହେଁ। ବର୍ଷ ବର୍ଷ ଧରି ଲକ ଡାଉନ ରହିବାର ଅର୍ଥ ହେଉଛି, ଅନାହାର ଓ ବେକାରୀରେ ମଣିଷ ସଭ୍ୟତା ଅଧିକ କ୍ଷତିଗ୍ରସ୍ତ ହେବ। ତେଣୁ ଲକ ଡାଉନ କରୋନା ପାଇଁ ଦୀର୍ଘସ୍ଥାୟୀ ବା ଚିରସ୍ଥାୟୀ ସମାଧାନ ଆଣି ପାରିବ ନାହିଁ। ଏହା ସାମୟିକ ଭାବରେ ସଂକ୍ରମଣକୁ ହୁଏତ କିଛିଟା ଧୀମା କରି ଦେଇପାରେ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଯଥାର୍ଥରେ ଏହାକୁ ଏକ “ପଜ” ବୋଲି କହିଛନ୍ତି ।

ତେବେ ଆଗକୁ ରାସ୍ତା କଣ? ଜର୍ମାନୀର ଶାସନ ମୁଖ୍ୟ ଚାନ୍ସେଲର ଆଞ୍ଜେଲା ମାର୍କେଲ ଇତି ମଧ୍ୟରେ କହିଛନ୍ତି ଯେ, ଆମକୁ କରୋନା ଭୂତାଣୁ ସହିତ ବଞ୍ଚିବାର କଳା ଶିଖିବାକୁ ପଡିବ। ଆମେ ବହୁ ରୋଗ ବାହକ ଜୀବାଣୁ ତଥା ଭୂତାଣୁ ସହିତ ବଞ୍ଚିଛେ। ସେଇ ତାଲିକାରେ କରୋନା କୁ ସାମିଲ କରିବାକୁ ପଡିବ। ଏଥିରେ କାହାର ହାର ଜିତ ହେବାର ନାହିଁ। ଭୂତାଣୁକୁ ଦୁର୍ବଳ କରିବା ଲାଗି ବିଶ୍ଵବାସୀ ଏକାଠି ହୋଇ ଗୋଟେ ସୂତ୍ର ଖୋଜିବା ଦରକାର। ଏବେ ଦେଖା ଯାଉଛି, ବିଭିନ୍ନ ଦେଶ ଓ କମ୍ପାନୀ ଅଲଗା ଅଲଗା କରୋନା ପ୍ରତିଷେଧକ ଟୀକା ବାହାର କରିବାକୁ କାମ କରୁଛନ୍ତି। ଏ ପ୍ରକ୍ରିୟା ବ୍ୟାବସାୟିକ ଦୃଷ୍ଟିଭଙ୍ଗୀରେ ଚାଲିଛି। ଏଥିପାଇଁ ସାମୁହିକ ମାନବୀୟ ପ୍ରକ୍ରିୟାର ଆବଶ୍ୟକତା ବେଶୀ।ସବୁ ରାଷ୍ଟ୍ରର ବୈଜ୍ଞାନିକ ଓ ବିଶେଷଜ୍ଞ ଏକାଠି ହୋଇ ଆଜି ଏହାର ସମାଧାନ ଖୋଜିବା ଉଚିତ ହେବ ।

ଭାରତରେ କରୋନା ପ୍ରତିଷେଧକ ଟୀକା ବାହାର କରିବା ପାଇଁ ତରୁଣ ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଦେଇଛନ୍ତି। ତେବେ ଆହ୍ଵାନରେ ତ ଖାଲି ପ୍ରତିଷେଧକ ତିଆରି ହେବନାହିଁ। ଏଥିଲାଗି ସମ୍ବଳ ଓ ସୁଯୋଗ ରହିବା ଦରକାର। ଏ କ୍ଷେତ୍ରରେ ଭାରତ ସରକାର କେତେ ସମ୍ବଳ ବିନିଯୋଗ କରି ପାରିବେ। ଗୋଟେ ମୂର୍ତ୍ତି ତିଆରି ଲାଗି ଆମେ ୩ ହଜାର ରୁ ୫ ହଜାର କୋଟି ଖର୍ଚ୍ଚ କରୁଛୁ। ଏବେ ଦିଲ୍ଲୀ ସହରର ସଂସଦ ତଥା ଇଣ୍ଡିଆ ଗେଟ ଅଞ୍ଚଳକୁ ସୁନ୍ଦର କରିବା ଲାଗି ୨୦ ହଜାର କୋଟି ଖର୍ଚ୍ଚ କରିବାକୁ ପ୍ରସ୍ତୁତ ହୋଇ ବସିଛୁ। ତାହା ନକରି କରୋନା ପ୍ରତିଷେଧକ ଟୀକା ଲାଗି ୨୦ ହଜାର କୋଟି ଟଙ୍କାର ଏକ ପ୍ରାରମ୍ଭିକ ପ୍ରକଳ୍ପ ମଞ୍ଜୁର କରିବାରେ ଅସୁବିଧା କଣ ?

ଆଗାମୀ ବର୍ଷେ ରୁ ଅଧିକ କାଳ ହୁଏତ କରୋନା ସହିତ ସଂଘର୍ଷରେ ଆମକୁ ଅନେକ କିଛି ହରାଇବାକୁ ପଡିପାରେ। ଆମର ଗରୀବମାନେ ଏଥିଲାଗି ସବୁଠୁ ଅଧିକ ମୂଲ୍ୟ ଦେବେ। ସେମାନଙ୍କ ତୁଳନାରେ ମଧ୍ୟବିତ୍ତଙ୍କ ଅବସ୍ଥା ଆହୁରି ଖରାପ ହେବ। ତେବେ ସେଥିରୁ ମୁକୁଳିବାର ବାଟ ଆମକୁ ଖୋଜିବାକୁ ପଡିବ। ତାଳି କି ଥାଳି ପିଟିଲେ ଏ ସଙ୍କଟର ସମାଧାନ ହେବନାଇଁ। ଦେଶର ଓ ପୃଥିବୀର ଏ ଭୟଙ୍କର ସଙ୍କଟ କାଳରେ ବିଜ୍ଞାନ ପାଇଁ ଆମକୁ ଆମର ସବୁ ସମ୍ବଳ ଓ ଶକ୍ତିର ବିନିଯୋଗ କରିବାକୁ ପଡିବ ।

ମନେ ରଖନ୍ତୁ, ମହାପ୍ରଭୁ ବା ମହାପୁରୁଷମାନଙ୍କ ମୂର୍ତ୍ତିମାନେ ଆଜି ଆମକୁ ବଞ୍ଚାଇପାରିବେ ନାଇଁ। ଆମକୁ ଡାକ୍ତର, ବୈଜ୍ଞାନିକ ଓ ଗବେଷକମାନେ ଇ ବଞ୍ଚାଇବେ। ତେଣୁ ସେମାନେ ଇ ଆଜି ସବୁଠୁ ଅଧିକ କଥା କହିବା ଓ ଆମେ ସମସ୍ତେ ସେମାନଙ୍କ କଥା ଅଧିକରୁ ଅଧିକ ଗ୍ରହଣ କରିବା ଉଚିତ ।



Apr 26, 2021