1. ୨, ମାର୍ଚ୍ଚ, ୨୦୨୦ 2. ୨୫, ମାର୍ଚ୍ଚ, ୨୦୨୦ 3. ୨୭, ମାର୍ଚ୍ଚ, ୨୦୨୦ 4. ୨୮, ମାର୍ଚ୍ଚ, ୨୦୨୦ 5. ୩୦, ମାର୍ଚ୍ଚ, ୨୦୨୦ 6. ୧, ଏପ୍ରିଲ, ୨୦୨୦ 7. ୨, ଏପ୍ରିଲ, ୨୦୨୦ 8. ୩, ଏପ୍ରିଲ, ୨୦୨୦ 9. ୫, ଏପ୍ରିଲ, ୨୦୨୦ 10. ୨୨, ଏପ୍ରିଲ, ୨୦୨୦ 11. ୨୪, ଏପ୍ରିଲ, ୨୦୨୦ 12. ୨୬, ଏପ୍ରିଲ, ୨୦୨୦ 13. ୨୭, ଏପ୍ରିଲ, ୨୦୨୦ 14. ୩୦, ଏପ୍ରିଲ, ୨୦୨୦ 15. ୬, ମଇ, ୨୦୨୦ 16. ୭, ମଇ, ୨୦୨୦ 17. ୮, ମଇ, ୨୦୨୦ 18. ୧୧, ମଇ, ୨୦୨୦ 19. ୧୫, ମଇ, ୨୦୨୦ 20. ୧୬, ମଇ, ୨୦୨୦ 21. ୧୮, ମଇ, ୨୦୨୦ 22. ୨୩, ମଇ,୨୦୨୦ 23. ୨୬, ମଇ, ୨୦୨୦ 24. ୨୮, ମଇ, ୨୦୨୦ 25. ୨୯, ମଇ, ୨୦୨୦ 26. ୩୧, ମଇ, ୨୦୨୦ 27. ୧, ଜୁନ, ୨୦୨୦ 28. ୩, ଜୁନ, ୨୦୨୦ 29. ୫, ଜୁନ,୨୦୨୦ 30. ୭, ଜୁନ, ୨୦୨୦ 31. ୧୨, ଜୁନ, ୨୦୨୦ 32. ୧୫, ଜୁନ, ୨୦୨୦ 33. ୧୮, ଜୁନ, ୨୦୨୦ 34. ୨୨, ଜୁନ, ୨୦୨୦ 35. ୨୭, ଜୁନ, ୨୦୨୦ 36. ୨୮, ଜୁନ, ୨୦୨୦ 37. ୩୦, ଜୁନ, ୨୦୨୦ 38. ୩, ଜୁଲାଇ, ୨୦୨୦ 39. ୧୫, ଜୁଲାଇ, ୨୦୨୦ 40. ୧୬, ଜୁଲାଇ, ୨୦୨୦ 41. ୧, ଅକ୍ଟୋବର,୨୦୨୦ - ଏକ କାତର ପ୍ରାର୍ଥନାର କବିତା

୧, ଏପ୍ରିଲ, ୨୦୨୦


୧, ଏପ୍ରିଲ, ୨୦୨୦ । ମୁଖାପିନ୍ଧା ଏ ସମୟର ଶୋକଗୀତ । ପ୍ରଖ୍ୟାତ ନାଟ୍ୟକାର ବର୍ତ୍ତୋଲ୍ଟ ବ୍ରେଖ୍ଟଙ୍କର ଏକ କବିତା ଅଛି, ଯାହାର ମର୍ମାନୁବାଦ କଲେ ଏମିତି ହେବ-

ଅନ୍ଧକାର ସମୟରେ ବି ଗାଇ ହେବ କି ସଙ୍ଗୀତ
ଅନ୍ଧକାର ସମୟରେ ଅନ୍ଧାରର ଗୀତ ହିଁ ଗାଇ ହେବ।

ଏ କବିତାର ରଚନା କାଳ ୧୯୩୯। ବିଶ୍ଵଯୁଦ୍ଧର ଘନଘଟା ଓ ଫାସିବାଦର ଭୟଙ୍କର ତାଡନା ସମୟର ଏ କବିତା। ଆଜି ଏ କବିତା ବେଶୀ ପ୍ରାସଙ୍ଗିକ ଲାଗୁଛି। ଗତ ଶତାବ୍ଦୀର ୨୦ ରୁ ୫୦ ଦଶକ, ଏମିତି ଅନ୍ଧକାର ସମୟ ଥିଲା। ଶହେ ବର୍ଷ ପରେ ସତେ କି ସେ ଅନ୍ଧାର ପୁଣି ଥରେ ଲେଉଟି ଆସିଛି। ଆମର ପୃଥିବୀ ଆଜି ଭୀଷଣ ରୋଗାକ୍ରାନ୍ତ। ଟିକେ କାବ୍ୟିକ ଭାଷାରେ କହିଲେ, କରୋନା ଜ୍ବରରେ ଆକ୍ରାନ୍ତ ଆମର ପୃଥିବୀ। ଏଠି କହି ରଖେ, ପ୍ରଥମ ବିଶ୍ଵଯୁଦ୍ଧ ସାଙ୍ଗରେ ଗତ ଶତାବ୍ଦୀର ସବୁଠୁ ଭୟଙ୍କର ମହାମାରୀ “ସ୍ପାନିଶ ଫ୍ଲୁ ବା ଇନଫ୍ଳୁଏଞ୍ଜା” ସମାନ୍ତରାଳରେ ଚାଲିଥିଲା। ପ୍ରଥମ ବିଶ୍ଵ ଯୁଦ୍ଧରେ ପ୍ରାୟ ୨ କୋଟି ଲୋକ ପ୍ରାଣ ହରାଇଥିବା ବେଳେ ସ୍ପାନିଶ ଫ୍ଲୁ ରେ ୫ କୋଟି ଲୋକ ପ୍ରାଣ ହରାଇଥିଲେ।୧୯୧୪ ରୁ ୧୯୨୦ ମାତ୍ର ୬ ବର୍ଷରେ ପୃଥିବୀର ୭ କୋଟି ଲୋକ ଯୁଦ୍ଧ ଏବଂ ମହାମାରୀରେ ପ୍ରାଣ ହରାଇଥିବା ବେଳେ ୨ କୋଟିରୁ ଅଧିକ ଲୋକ ବିକଳାଙ୍ଗ ହୋଇଥିଲେ। ସେଇଠୁ ଦ୍ଵିତୀୟ ବିଶ୍ଵଯୁଦ୍ଧ ପର୍ୟନ୍ତ ଯୁଦ୍ଧ, ମହାମାରୀ, ଦୁର୍ଭିକ୍ଷ, ଉପନିବେଶ ଶାସନର ଜୁଲମ ଓ ଅପପୁଷ୍ଟି କାରଣରୁ ଆହୁରି ୨୫ କୋଟି ଲୋକ ପ୍ରାଣ ହରାଇଥିଲେ। ଅର୍ଥାତ ବିଂଶ ଶତାବ୍ଦୀର ପ୍ରାୟ ଅଧା କେବଳ ରକ୍ତ, ଅନ୍ଧକାର ଓ ମୃତ୍ୟୁର ସମୟ ହିଁ ଥିଲା।

ଏହି ଭୟଙ୍କର ସମୟରେ ପୃଥିବୀର ସବୁଠୁ ଚମତ୍କାର ସାହିତ୍ୟ ମଧ୍ୟ ସୃଷ୍ଟି ହୋଇଛି। ମଣିଷର ଯନ୍ତ୍ରଣା ଜର୍ଜରିତ ଭାଗ୍ୟ ଉପରେ ସବୁଠୁ ମାର୍ମିକ ସମୟର ଚିତ୍ରାଙ୍କନ ସାହିତ୍ୟ ଓ କଳା ରେ ସମ୍ଭବ ହୋଇଛି। ସ୍ପାନିଶ ଫ୍ଲୁର କରୁଣତତମ ସମୟରେ ମୁଖାପିନ୍ଧା ଲୋକମାନଙ୍କର ପଟୁଆରକୁ ନେଇ ବହୁ ଚମତ୍କାର କବିତା ଲେଖା ହୋଇଛି। ହର୍ତନ ଫୁଟ ନାମକ ଆମେରିକାର ଜଣେ କବି ସେତେବେଳେ ଲେଖିଥିଲେ-“ ଶାଗୁଆ କ୍ଷେତର ଧାରେ ଧାରେ ଚାଲିବା ବେଳେ ମୁଁ ଭାବୁଥିଲି, ଏତେ ସୁନ୍ଦର ରାତିରେ ମଣିଷ ମରିବା ସମ୍ଭବ କେମିତି? ୟୁରୋପ ହେଉ କି ଆମେରିକା ବା ଆଉ କେଉଁ ଦେଶ, ଆଜି ଯଦି ମୁଁ ମୃତ୍ୟୁର କଥା ନ ଭାବେ, ହୁଏତ ମୃତ୍ୟୁ ଉଭେଇଯିବ ଏ ପୃଥିବୀରୁ”। ସୁନ୍ଦର ଜୀବନ ଭିତରେ ଅସୁନ୍ଦର ମୃତ୍ୟୁର ରାଜୁତିକୁ ନେଇ ୧୯୧୮ ରେ ଏମିତି ଅନେକ କବିତା ଲେଖା ହୋଇଛି ।

ଭାରତରେ ଆମର ହଇଜା ଓ ଦୁର୍ଭିକ୍ଷକୁ ନେଇ କବିତା ଅଛି, ହେଲେ ସ୍ପାନିଶ ଫ୍ଲୁ କୁ ନେଇ ବେଶୀ ଲେଖା ଆମର ନାହିଁ। ହିନ୍ଦୀ କବିତାର ମହାନ କବି ସୂର୍ୟକାନ୍ତ ତ୍ରିପାଠୀ ନିରାଲାଙ୍କର ପୂରା ପରିବାର ଏହି ମହାମାରୀର କବଳରେ ପ୍ରାଣ ହରାଇଥିଲେ। ନିରାଲା ଏହାକୁ ନିଜର ଜୀବନ କଥା ରେ ଲେଖିଛନ୍ତି। ସେହି ସମୟରେ ଭାରତର ପ୍ରାୟ ଦେଢ କୋଟି ଲୋକ ପ୍ରାଣ ହରାଇଥିଲେ। ଏହି ମହାମାରୀର ଗର୍ଭରୁ ସେତେବେଳେ ଭାରତର ସ୍ଵାଧୀନତା ସଂଗ୍ରାମ ବଳଶାଳୀ ହେଉଥିଲା। ଏହି ସମୟର ଭାରତୀୟ ସାହିତ୍ୟରେ ଯଦିଓ ମହାମାରୀର ଆଭାସ ଅଛି, ହେଲେ ଉଗ୍ର ଜାତୀୟତାବାଦର ସ୍ଵର ଆଗରେ ମୃତ୍ୟୁର ସ୍ଵର ଫିକା ପଡି ଯାଇଛି ।

ସ୍ପାନିଶ ଫ୍ଲୁ ସମୟରେ “ମୁଖା” ଥିଲା ଜୀବନ ଓ ଭୂତାଣୁ ସହ ସଙ୍ଘର୍ଷର ସବୁଠୁ ବଡ ପ୍ରତୀକ। ସେ ମୁଖା ଠିକ ଶହେ ବର୍ଷ ତଳେ ଆମେ ଜୀବନକୁ ଲେଉଟି ଆସିଛି। ମୁହଁ ଢାଙ୍କି ଚାଲିବାକୁ ମଧ୍ୟଯୁଗୀୟ ଚଳଣି ବୋଲି ଭାବୁଥିବା ଆମ ସମୟ, ହଠାତ ଏବେ ମୁଖା ପିନ୍ଧିବାକୁ ବାଧ୍ୟ ହୋଇପଡିଛି। ମୁଖା ନ ପିନ୍ଧିଲେ ଜରିମାନା ଦେବାକୁ ପଡିବ ଓ ବିନା ମୁଖାରେ ସର୍ବ ସାଧାରଣ ସ୍ଥାନକୁ ଆସୁଥିବା ଲୋକଙ୍କୁ ପୋଲିସ ଗିରଫ କରିବା ଭଳି ଅଧିକାର ପାଇବ- ଏମିତି ସମୟ ବିଷୟରେ ଆମେ କେହି କେବେ କଳ୍ପନା କରିଥିଲେ କି? ଠିକ ଶହେ ବର୍ଷ ପରେ ମୁଖା ଏବେ ଆମ ସମୟର ସବୁଠୁ ବଡ ପ୍ରତୀକ ପାଲଟି ଯାଇଛି ।

ସ୍ପାନିଶ ଫ୍ଲୁ ରେ ମରିଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ ଥିଲା, ସେ କଥା ସତ। ତେବେ ଏ କଥା ମଧ୍ୟ ସତ ଯେ ସେତେବେଳେ ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବତ୍ଶା ଆଜି ତୁଳନାରେ ଢେର ଦୁର୍ବଳ ଥିଲା। ଆଜିର ପୃଥିବୀରେ କେବଳ ଆମେରିକା, ବ୍ରାଜିଲ ଓ ଭାରତରେ ପ୍ରାୟ ୩ ଲକ୍ଷ ୨୦ହଜାର ଲୋକ ମାରି ସାରିଲେଣି। ଆଜିର ସମୟ ଲାଗି ଏହା ଛୋଟ ଏକ ସଂଖ୍ୟା ବିଲକୁଲ ନୁହେଁ। ମୃତ୍ୟୁର ଏହି ଅନ୍ଧାର ଉପତ୍ୟକାରେ କବିତା ବା ସାହିତ୍ୟ ଲେଖିହେବ କି ?

ଏହାର ଉତ୍ତର ସେହି ବ୍ରେଖ୍ତ ଙ୍କ କବିତାରେ ରହିଛି। ହଁ, ଆଜିର ଅନ୍ଧାର ଓ ମୃତ୍ୟୁର ସମୟରେ ତାକୁ ନେଇ ସାହିତ୍ୟ ଲେଖାଯିବ। ଆମ କବିତାରେ ମୁଖାଧାରୀ ମଣିଷ ଏଇ ସମୟର ନୂଆ ମେଟାଫର ଭାବରେ ଠିଆ ହେବ। ଏହି ସମୟର ସମ୍ବେଦନହୀନ ରାଜନୀତି ଓ ରାସ୍ତାରେ ଜୀବନ ଜୀବିକା ଲାଗି ଶହ ଶହ କିଲୋମିଟର ବାଟ ଚାଲୁଥିବା ମଣିଷମାନେ ଆମ ସାହିତ୍ୟର ନୂଆ ଚିତ୍ରକଳ୍ପ ହେବେ। ହୁଏତ ଆଜିଠୁ ଶହେ ବର୍ଷ ପରେ ଏମିତି କେହି ଜଣେ ଥିବ ଯିଏ ଆମ କବିତାରୁ ପୁରୁଣା ମୁଖାର ଅର୍ଥ ଖୋଜୁଥିବ!!



Apr 26, 2021