ନଦୀ ହେଉଛି ଏକ ସ୍ୱତଃ ପ୍ରବାହିତ ଜଳବାହକ । ବେଳେବେଳେ ନଦୀ ଭୂମି ଭିତରେ ପ୍ରବାହିତ ହୋଇ ବସି ଯାଇଥାଏ । ନଦୀର କୌଣସି ପ୍ରକୃତ ସଂଜ୍ଞା ନଥାଏ । ଭୌଗୋଳିକ ଅବସ୍ଥିତି ନେଇ ନଦୀର ନାମକାରଣ କରାଯାଇଥାଏ । ନଦୀ ସହ ମଣିଷର ସମ୍ପର୍କ ବେଶ ପାରମ୍ପରିକ । ନଦୀ ତ ସଭ୍ୟତାକୁ ଜନ୍ମ ଦିଏ, ପରିପୁଷ୍ଟ କରେ ମାନବ ଜୀବନକୁ । ସେଥିପାଇଁ ମଣିଷ ତା’ର ଶିକାରୀ, ଖାଦ୍ୟ ସଂଗ୍ରହକାରୀ ବାରବୁଲା ଯାଯାବର ଜୀବନର ପରିସମାପ୍ତି ଘଟାଇ ନଦୀ ଉପତ୍ୟକାଗୁଡିକରେ ବସବାସ କରିବା ଆରମ୍ଭ କରି ଦେଇଥିଲା । ଭାରତୀୟ ସଂସ୍କୃତିରେ ନଦୀ ହେଉଛି ମା । ନଦୀ କୂଳରେ ହିଁ ସଭ୍ୟତାର ସୃଷ୍ଟି ହୋଇଥିଲା ।

ମାନବ ସଭ୍ୟତା ପାଇଁ ନଦୀର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ନଦୀ ଉପତ୍ୟକାରେ ଜନ୍ମ ନେଇଥିବା ସଭ୍ୟତାଗୁଡିକ ମଧ୍ୟରେ ରହିଛି - ନୀଳ ନଦୀ ଉପତ୍ୟକାର ପ୍ରାଚୀନ ଇଜିପ୍ଟ ସଭ୍ୟତା, ସିନ୍ଧୁନଦୀ ଉପତ୍ୟକାର ହରପ୍ପା ସଭ୍ୟତା, ହୋୟାଂହୋ ଏବଂ ୟାଙ୍ଗ - ସି - କିଆଙ୍ଗ ନଦୀ ଉପତ୍ୟକାରେ ପ୍ରାଚୀନ ଚୀନ ସଭ୍ୟତା । ସେଥିପାଇଁ ତ କୁହାଯାଏ ନଦୀ ହିଁ ମାନବ ସଭ୍ୟତାର ଜନ୍ମଦାତ୍ରୀ । ମାନବ ସଭ୍ୟତା ପାଇଁ ନଦୀର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଇତିହାସର ଜନକ ହେରୋଡୋଟସ୍‌ କହିଥିଲେ,- ‘ମିଶର ହେଉଛି ନୀଳ ନଦୀର ଦାନ । ନଦୀ ବିନା ମଣିଷ ଜାତିର ଇତିହାସ କେବେ ଲେଖାଯାଇନପାରେ ।

ମାନବ ସଭ୍ୟତା ପ୍ରତି ନଦୀର ଭୂମିକାକୁ ମନେପକେଇବା ପାଇଁ ଆୟୋଜିତ ହେଉଛି ବିଶ୍ୱ ନଦୀ ଦିବସ । ପ୍ରତ୍ୟେକ ସେପ୍ଟେମ୍ବର ମାସର ଚତୁର୍ଥ ରବିବାରକୁ ବିଶ୍ୱ ନଦୀ ଦିବସ ରୂପେ ପାଳନ କରାଯାଏ । ଚଳିତ ବର୍ଷ ସେପ୍ଟେମ୍ବର ୨୬ ତାରିଖରେ ବିଶ୍ୱ ନଦୀ ଦିବସ ଅନୁଷ୍ଠିତ ହେଉଛି । ନଦୀ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ନଦୀ ପ୍ରତି ସୃଷ୍ଟି କରୁଥିବା ବିପଦକୁ ସୀମିତ ରଖିବା ପାଇଁ ଆମ ଦ୍ୱାରା ଯାହା ସମ୍ଭବ ତାହା କରିବା । ତେବେ ଏହି ଦିବସର ଆରମ୍ଭ ଜାତିସଙ୍ଘ ଦ୍ୱାରା ୨୦୦୫ ମସିହାରୁ ହୋଇଥିଲା । ଜଳ ସମ୍ପଦର ସୁରକ୍ଷା ପାଇଁ ଲୋକପ୍ରିୟ ଓକିଲ ମାର୍କ ଆଞ୍ଜେଲାଙ୍କ ପ୍ରସ୍ତାବ କ୍ରମେ ଏହି ଦିବସ ପାଳନର ଅୟମାରମ୍ଭ ହୋଇଥିଲା।

ମାନବ ସଭ୍ୟତାର ମେରୁଦଣ୍ଡ ପାଲଟିଥିବା ନଦୀକୁ ଆୟୁଧ କରି ମଣିଷ ନିଜର ଉନ୍ନତିରେ ଲାଗିଛି । ନଦୀ ଜଳକୁ ଉପଯୋଗ କରି ସେ ଏଠି ଗଢ଼ିଛି କଳକାରଖାନା, ଫସଲ ଉପୁଜାଇଛି, ବଡ ବଡ଼ ସହର ବସେଇଛି । ମଣିଷ ପାଇଁ ନଦୀ ମା’ ହୋଇଥବାବେଳେ ସମୟାନୁସାରେ ମଣିଷ ଏଇ ସମ୍ପର୍କ ପ୍ରତି ଉଦାସୀନ ହୋଇଆସିଚି । ନଦୀ ଜଳକୁ ସେ ବନ୍ଧ ପକାଇ ଅବରୋଧ କରିଛି, ପୁଣି ସବୁ ମଇଳା ପକାଇ ତାକୁ ପ୍ରଦୂଷିତ କରିଛି । ବିଭିନ୍ନ ସମୟରେ ନଦୀ ପ୍ରତି ତା ନିଜ କର୍ତ୍ତବ୍ୟକୁ ଭୁଲିଯାଇଛି । ସେ ଭୁଲି ଯାଇଛି ଯେ ତାର ଏଇ ବ୍ୟବହାର ତାକୁ ହିଁ ବିପଦରେ ପକାଉଛି । ଯାହାର ଜଳ ଜୀବନ ବଂଚିବା ପାଇଁ ଦରକାର ସେ ସେଇ ଜଳକୁ ସବୁ ମୁହୂର୍ତ୍ତରେ ନଷ୍ଟ କରି ଆସିଛି ।

ନଦୀ ଆମ ଜୀବନରେଖା ହୋଇଥିବାବେଳେ ଏହାକୁ ନେଇ ସୃଷ୍ଟି ହୋଇଛି ବହୁ ବାଦ ବିବାଦ। ନଦୀକୁ ନେଇ ଏଠି ଚାଲିଛି ରାଜନୀତି । ସମ୍ପ୍ରତି ଓଡିଶା ଆଉ ଛତିଶଗଡ ମଧ୍ୟରେ ଓଡ଼ିଶାର ଜୀବନରେଖା ମହାନଦୀକୁ ନେଇ ଚାଲିଛି ବିବାଦ । ନଦୀ ସୁରକ୍ଷା ପାଇଁ ଏଠି ଯୋଜନା ପରେ ଯୋଜନା ପ୍ରସ୍ତୁତ ହେଉଛି ମାତ୍ର ତାହା କେବଳ କାଗଜ କଲମରେ ସୀମିତ ରହୁଛି । ନଦୀକୁ ନେଇ ଦେଶ ଦେଶ ଭିତରେ ତ କେତେବେଳେ ରାଜ୍ୟ ରାଜ୍ୟ ଭିତରେ ଖଣ୍ଡଯୁଦ୍ଧ ହେଉଛି । ଶିଳ୍ପାନୁଷ୍ଠାନ ଏବଂ ନାଳ ନର୍ଦ୍ଦମାର ପ୍ରଦୂଷିତ ପାଣି ସିଧାସଳଖ ନଦୀରେ ପଡୁଥିବାରୁ ରାଜ୍ୟରେ ଗୋଟାକ ପରେ ଗୋଟେ ନଦୀ ନାଳ ପ୍ରଦୂଷିତ ହେବାରେ ଲାଗିଛନ୍ତି । ନଦୀ ଜଳ ପ୍ରଦୂଷଣ ହେବାର ପ୍ରମୁଖ କାରଣ ହେଉଛି ସହର ଓ ଶିଳ୍ପାଞ୍ଚଳରୁ ବାହରୁଥିବା ବର୍ଜ୍ୟବସ୍ତୁ ନଦୀ ଜଳରେ ମିଶିବା । ସହରର ନାଳନର୍ଦ୍ଦମାର ପାଣି ବିଶୋଧନ ନ ହୋଇ ସିଧାସଳଖ ନଦୀକୁ ଛାଡ଼ି ଦିଆଯାଉଥିବାରୁ ନଦୀ ଜଳ ଅଧିକ ପ୍ରଦୂଷିତ ହେଉଛି । ଅନେକ ସ୍ଥାନରେ ନଦୀ କୂଳରେ ବର୍ଜ୍ୟବସ୍ତୁ ଗଦା ହୋଇ ଜଳ ପ୍ରଦୂଷଣର ମାତ୍ରା ବଢ଼ାଉଛନ୍ତି । ଯେଉଁଥିପାଇଁ ଲୋକଙ୍କ ପିଇବା ପାଣିର ମୁଖ୍ୟ ଉତ୍ସ ନଦୀ ପାଣି ପ୍ରଦୂଷିତ ହେବାରେ ଲାଗିଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚାନୁସାରେ ୨୦୧୮ରେ ଭାରତର ମୋଟ ୩୫୧ଟି ପ୍ରଦୂଷିତ ନଦୀ ରହିଥିଲା । ଏହି ତାଲିକାରେ ସର୍ବାଗ୍ରେ ମହାରାଷ୍ଟ୍ରର ୫୩ଟି ନଦୀ, ଆସାମର ୪୪ଟି ନଦୀ, ମଧ୍ୟପ୍ରଦେଶରେ ୨୨ଟି ନଦୀ, କେରଳର ୨୧ଟି ନଦୀ, ଗୁଜୁରାଟର ୨୦ଟି ନଦୀ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକର ୧୭ଟି ନଦୀ ଓ ଓଡ଼ିଶାର ୧୯ଟି ନଦୀ ଓ ନାଳ ପ୍ରଦୂଷିତ । ରାଜ୍ୟର ମହାନଦୀରୁ ଆରମ୍ଭ କରି ଗଙ୍ଗୁଆ ନାଳ ପ୍ରଦୂଷିତ । ତଥ୍ୟ ଅନୁସାରେ ମହାନଦୀ, ଋଷିକୂଲ୍ୟା, ବ୍ରାହ୍ପଣୀ, ବୁଢ଼ାବଳଙ୍ଗ, କାଠଯୋଡି, କୁଆଖାଇ, ଦୟା, ଭେଡନ, ରତ୍ନଚିରା, ନାଗାବଳୀ, ଲୁଣା, ଆଦି ନଦୀର ପାଣି ପ୍ରଦୂଷିତ ହୋଇଛି। ଏହା ବାଦ ଗଙ୍ଗୁଆ, ଗୁରାଡିହ ନାଳ, ନଦିରା ଝର, ବଙ୍ଗୁର ନାଳ, ଶବୁଳିଆ ଓ ଶେରୁଆ ଜଳ ବି ପ୍ରଦୂଷିତ ତାଲିକାରେ ଅଛି ।

୨୦୧୪ ମସିହାରେ ଏନଡିଏ ସରକାର ଗଙ୍ଗାକୁ ପ୍ରଦୂଷଣ ମୁକ୍ତ ତଥା ଭାରତବର୍ଷର ସମସ୍ତ ନଦୀକୁ ସୁରକ୍ଷା ପାଇଁ ନମାମି ଗଙ୍ଗେ ପ୍ରକଳ୍ପର ଆରମ୍ଭ କରିଥିଲେ । ଏଥିପାଇଁ ବଜେଟରେ ମଧ୍ୟ ପର୍ଯ୍ୟାପ୍ତ ଅର୍ଥରାଶିର ବ୍ୟୟବରାଦ ହୋଇଥିଲା । ୨୦୧୬ରେ ଏହି ପ୍ରକଳ୍ପ ଅନୁଯାୟୀ କିଛି କାର୍ଯ୍ୟ ହୋଇଥିଲା । ମାତ୍ର ଏହାପରେ ଏହି ପ୍ରକଳ୍ପ ସତରେ କାର୍ଯ୍ୟ କରୁଛି କି ନାହିଁ ତାହା ଜଣାପଡ଼ୁନାହିଁ । ସମୟାନୁକ୍ରମେ ଦେଶରେ ପ୍ରଦୂଷିତ ନଦୀର ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଆଜିର ଦିନରେ ଆମ ସମସ୍ତଙ୍କୁ ନଦୀର ସୁରକ୍ଷା ପ୍ରତି ସଚେତନ ହେବାକୁ ପଡିବ, ଏହା ଯେପରି ପ୍ରଦୂଷିତ ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ । କେବଳ ଏନେଇ ଭାଷଣବାଜି କିମ୍ବା କାଗଜପତ୍ରରେ କାମ ନ କରି ଏହି ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡିବ । ଆଜିର ସମୟରେ ନଦୀର ସୁରକ୍ଷା ହୋଇପାରିଲେ ହିଁ ମାନବ ସଭ୍ୟତାର ବିକାଶ ହୋଇପାରିବ ବୋଲି ହୃଦୟଙ୍ଗମ କରିବାର ଆବଶ୍ୟକତା ରହିଛି ।