ଆପଣ ଝଡ଼ ବାତ୍ୟାର ନାଁ ତ ନିଶ୍ଚୟ ଶୁଣିଥିବେ । ଏହାକୁ ସାଇକ୍ଲୋନ ମଧ୍ୟ କୁହାଯାଏ । ଵୈଜ୍ଞାନିକମାନେ ଏହାକୁ ଟ୍ରପିକାଲ୍ ସାଇକ୍ଲୋନ୍ ବୋଲି କୁହନ୍ତି । ଏହି ସବୁ ଚକ୍ରବାତଗୁଡିକ ଉତ୍ପତ୍ତି ସ୍ଥଳର ନାମାନୁସାରେ ନାମିତ ହୋଇଥାଏ । ତେବେ କେବଳ ପୂର୍ବ ପ୍ରଶାନ୍ତ ମହାସାଗର କିମ୍ବା ଆଟଲାଣ୍ଟିକ୍ ମହାସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟକୁ ଝଡ଼ କୁହାଯାଏ । ଉତ୍ପତ୍ତି ସ୍ଥଳର ନାମାନୁସାରେ ଆମେ ସେଇ ଚକ୍ରବାତକୁ ସେଇ ନାଁରେ ଜାଣିଥାଉ । ଆମେ ଏଠାରେ ପୃଥିବୀପୃଷ୍ଠରେ ବିପର୍ଯ୍ୟୟ ସୃଷ୍ଟି କରୁଥିବା ବାତ୍ୟା ସମ୍ପର୍କରେ ଆଲୋଚନା କରୁଛୁ । ତେବେ ପାଣିପାଗରେ ଘଟୁଥିବା ସମସ୍ତ ପରିବର୍ତ୍ତନ ମଧ୍ୟରେ ଝଡ଼ ବାତ୍ୟା ବା ଚକ୍ରବାତଟି ବେଶ୍ ଭୟାନକ । ଏହା ଧନଜୀବନ ନଷ୍ଟ କରିଥାଏ, ତେବେ ଆସନ୍ତୁ ଜାଣିବା ଏହି ଝଡ଼ ବା ଚକ୍ରବାତ କିପରି ସୃଷ୍ଟି ହେଉଛି ।

ଘୂର୍ଣ୍ଣିବଳୟ କ’ଣ ? ଏବଂ ଏହା କିପରି ସୃଷ୍ଟି ହୁଏ ?

ଟିଭି ହେଉ ଅଥବା ରେଡ଼ିଓରେ ଆପଣମାନେ ‘ଦାନା ବାନ୍ଧୁଛି ଅମୁକ ବାତ୍ୟା' ବା ଅମୁକ ବାତ୍ୟା ବଳ ଗୋଟାଉଛି ପରି ଵାକ୍ୟାଂଶ ନିଶ୍ଚୟ ଶୁଣିଥିବେ । ବାତ୍ୟା ହେବାକୁ ଥିବାବେଳେ ବାତ୍ୟା ସମ୍ପର୍କରେ ସୂଚନା ଦେବାବେଳେ ଏପରି ବାକ୍ୟଟି ଶୁଣିବାକୁ ମିଳେ । କିଛି ଗୋଟିଏ ଜିନିଷ ବିସ୍ଫୋରଣ ହେଲାବେଳେ ଯେମିତି ସେଇ ଜିନିଷ ବା ଉପାଦାନଗୁଡିକରେ କିଛି ନା କିଛି ମିଶ୍ରଣ ହୋଇଥାଏ, ଠିକ୍ ସେହିପରି ପାଣିପାଗରେ ଘଟୁଥିବା ଏହି ବିସ୍ଫୋରଣ ପଛରେ କିଛି ଉପାଦାନର ମିଶ୍ରଣ କାର୍ଯ୍ୟ କରିଥାଏ । ଯେମିତିକି ଉଷ୍ମ, ଆର୍ଦ୍ର ବାୟୁ ଏବଂ ପବନ ମିଶି ସୃଷ୍ଟି କରନ୍ତି ଏକ ଟ୍ରପିକାଲ୍ ସାଇକ୍ଲୋନ୍ । ଏହି କାରଣରୁ, ସାଇକ୍ଲୋନ୍ ବା ଚକ୍ରବାତ କେବଳ ସମୁଦ୍ର ଭିତରେ ସୃଷ୍ଟି ହୁଏ । ଯେଉଁଠାରେ ଜଳର ତାପମାତ୍ରା ୮୦ ଡିଗ୍ରୀ ଫାରେନ୍ହାଇଟ୍ ବା ସେଲସିୟସରେ ୨୬ ଡିଗ୍ରୀ ରହିଥାଏ ।

ଝଡ଼ କିପରି ସୃଷ୍ଟି ହୁଏ ସେ ସମ୍ପର୍କରେ ଜାଣିବା ପାଇଁ ଆସନ୍ତୁ ଏକ ଉଦାହରଣ ଦେଖିବା । ପ୍ରତିବର୍ଷ, ଆଫ୍ରିକାର ମାଳଦ୍ବୀପ ଦେଇ ସମୁଦ୍ର ଆଡକୁ ପଶ୍ଚିମ ଦିଗକୁ ବାୟୁ ଚଳାଚଳ କରେ । ଏଥିମଧ୍ୟରୁ କେତେକ ବଜ୍ରପାତରେ ପରିଣତ ହେବା ସହିତ ସମୁଦ୍ର ଉପରେ ସେମାନଙ୍କ ପ୍ରକୋପ ଦେଖାଇଥାନ୍ତି । ଯଦିଓ ଏହି ଝଡ଼ଗୁଡିକ କିଛିମାତ୍ରାରେ ନାଟକୀୟ ପ୍ରକୋପ ଦେଖାଇପାରେ, କିନ୍ତୁ ଏଗୁଡିକ ସାଇକ୍ଲୋନ୍ ନୁହେଁ । ସମୁଦ୍ର ଭିତରେ ଜଳ, ଝଡ଼ ପାଇଁ ଇନ୍ଧନ ଭାବରେ କାର୍ଯ୍ୟ କରିଥାଏ କାରଣ ବାୟୁମଣ୍ଡଳରେ ଅଧିକ ପରିମାଣର ଆର୍ଦ୍ରତା ମେଘକୁ ବିସ୍ତାର କରିବାରେ ସାହାଯ୍ୟ କରେ । ସେହିପରି ସୃଷ୍ଟି ହେଉଥିବା ଭଙ୍ଗା ମେଘଖଣ୍ଡଗୁଡିକ ଯଦି ସାମାନ୍ୟ ନହୁଅନ୍ତି ଅଥବା ମେଘଗୁଡିକ ଯଦି ଅଲଗା ନ ହୋଇ ଛିଣ୍ଡି ନ ଯାଆନ୍ତି ତେବେ ଏହା ପରିଶେଷରେ ଏକାଠି ହୋଇ ସାଇକ୍ଲୋନର ଆକାର ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି ।

ପାଣିପାଗ ବିଶେଷଜ୍ଞମାନେ ଏହି ଚକ୍ରବାତ ବା ଝଡ଼ ସୃଷ୍ଟିର ବିକାଶ ପ୍ରକ୍ରିୟାକୁ ଚାରୋଟି ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି ।

  1. ଟ୍ରପିକାଲ୍ ଡିଷ୍ଟ୍ରବାନ୍ସ (ବିଶୃଙ୍ଖଳା): ଉଷ୍ମ ସମୁଦ୍ରରୁ ନିର୍ଗତ ହେଉଥିବା ଜଳୀୟ ବାଷ୍ପ ସଂଗଠିତ ହୋଇ ବାଦଲ ସୃଷ୍ଟି କରେ । ଏହି ପ୍ରକ୍ରିୟା ମାଧ୍ୟମରେ ଉତ୍ତାପ ନିର୍ଗମନ ହୁଏ, ଏବଂ ଉଷ୍ମ ପବନ ଉପରକୁ ଉଠି ବାଦଲ ଜରିଆରେ ଟାଣି ହୋଇ ଏକ ସ୍ତମ୍ଭ ନିର୍ମାଣ କରେ । ଏହି କେନ୍ଦ୍ରୀୟ ସ୍ତମ୍ଭର ଚତୁର୍ଦ୍ଦିଗରୁ ବାୟୁ ଉପରକୁ ଉଠିବାକୁ ଥିବା ପବନର ଦିଗ ପରିବର୍ତ୍ତନ ପାଇଁ ଏହା ମାଧ୍ୟମରେ ମଧ୍ୟ ବାୟୁ ପ୍ରବାହିତ ହୁଏ । ଏଥିପାଇଁ ସାଇକ୍ଲୋନ ଘୂର୍ଣ୍ଣନ କରିଥାଏ, ଯାହାକୁ ଆମେ ଚକ୍ରବାତ ବା ଘୂର୍ଣ୍ଣିବଳୟ କହୁ । ଏହା ଘୁରୂଥିବାରୁ ଏଥିରେ ଯୋଗ ହୋଇଥିବା ବାୟୁ ମଧ୍ୟ ଅନୁରୂପ ଭାବରେ ଘୂର୍ଣ୍ଣନ କରିଥାଏ ।

  2. ଟ୍ରପିକାଲ୍ ଡିପ୍ରେସନ୍: ସମୟ ସହିତ, ଘୂର୍ଣ୍ଣିବଳୟ ବଡ ହେବା ସହ ପ୍ରବଳତର ହୁଏ । ଯେତେବେଳେ ଏହା ସଂଗଠିତ ହୁଏ, ବାଦଲ ସ୍ତମ୍ଭର ଶୀର୍ଷରେ ଥିବା ବାୟୁ ଥଣ୍ଡା ହୋଇ ଅସ୍ଥିର ହୋଇଯାଏ । ଏହି ପ୍ରକ୍ରିୟାରେ ଉତ୍ତାପ ମୁକ୍ତ ହୁଏ । ଏହା ପରେ ମେଘର ଉପରି ଭାଗରେ ଥିବା ବାୟୁ ଅଧିକ ଗରମ ହୋଇଯାଏ, ଯାହା ବଢୁଥିବା ବାୟୁ ଚାପକୁ ଆହୁରି ବଢ଼ାଇଥାଏ ।

  3. ଟ୍ରପିକାଲ୍ ଷ୍ଟର୍ମ: ଯେତେବେଳେ ପବନର ବେଗ ଘଣ୍ଟା ପ୍ରତି ୩୯ ମାଇଲରେ ପହଞ୍ଚେ, ଟ୍ରପିକାଲ୍ ଡିପ୍ରେସନ୍ ଏକ ଟ୍ରପିକାଲ୍ ଷ୍ଟର୍ମ ବା ଝଡ଼ରେ ପରିଣତ ହୁଏ ।

  4. ଘୂର୍ଣ୍ଣିବଳୟ: ସମୁଦ୍ର ମଧ୍ୟ ଦେଇ ଝଡ଼ ଗତି କଲାବେଳେ ଅଧିକ ପବନ, ଗତି ଏବଂ ମେଘ ସଂଗ୍ରହ କରେ । ଯେତେବେଳେ ପବନର ବେଗ ଘଣ୍ଟା ପ୍ରତି ୭୪ ମାଇଲରେ ପହଞ୍ଚେ, ଏହା ଆନୁଷ୍ଠାନିକ ଭାବରେ ଝଡ଼ରେ ପରିଣତ ହୁଏ ।

ସ୍ଥଳଭାଗରେ ତୋଫାନ ବା ଚକ୍ରବାତ ମାଡ଼ ହେଲେ କଣ ହେବ ?

ଯେତେବେଳେ ଝଡ଼ ବା ତୋଫାନ ସ୍ଥଳଭାଗକୁ ସ୍ପର୍ଶ କରେ ତାହା ଆସ୍ତେ ଆସ୍ତେ ଦୁର୍ବଳ ହୋଇଯାଏ କାରଣ ସେ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ଆବଶ୍ୟକ ଇନ୍ଧନ ପାଏ ନାହିଁ । ଯଦିଓ ଏହି ପ୍ରକ୍ରିୟାରେ ଚକ୍ରବାତ ପ୍ରଚୁର ବର୍ଷା କରାଇବା ସହ ବିପୁଳ କ୍ଷତି ମଧ୍ୟ ଘଟାଇ ଥାଏ, ଆମେ ପବନର ବେଗ ଆଧାରରେ ଚକ୍ରବାତକୁ ବର୍ଗୀକୃତ କରିଥାଉ । ଏହି ଆଧାରରେ ଚକ୍ରବାତଗୁଡିକ ୫ଟି ବର୍ଗରେ ବିଭକ୍ତ ହୋଇଛି, ଯାହାକୁ ଆମେ କ୍ୟାଟେଗୋରୀ ୧ରୁ କ୍ୟାଟେଗୋରୀ ୫ଯାଏଁ ଚିହ୍ନିତ କରୁଚୁ । ପବନର ବେଗ ଯେତେ ଅଧିକ ହେବ, ସେତେ ଅଧିକ କ୍ଷତି ଘଟାଇବ । ଯଦି ଚକ୍ରବାତ ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୪ରୁ ୯୫ ମାଇଲ ରହୁଛି ତେବେ ଏହି ଚକ୍ରବାତ କ୍ୟାଟେଗୋରୀ ୧ରେ ଶ୍ରେଣୀଭୁକ୍ତ ହେବ ଏବଂ ଏହି ଚକ୍ରବାତ ସର୍ବନିମ୍ନ କ୍ଷତି ଘଟାଇଥାଏ । ସେହିପରି କ୍ୟାଟେଗୋରୀ ୨ରେ ପବନର ବେଗ ଘଣ୍ଟା ପ୍ରତି ୯୬ ରୁ ୧୧୦ ମାଇଲ ରହିଥାଏ ଏବଂ ଏହା ମଧ୍ୟମ ଧରଣର କ୍ଷତି ଘଟାଇଥାଏ । କ୍ୟାଟେଗୋରୀ ୩ରେ ପବନର ବେଗ ଘଣ୍ଟା ପ୍ରତି ୧୧୧ ରୁ ୧୨୯ ମାଇଲ ରହିଥାଏ ଏବଂ ଏହା ବ୍ୟାପକ କ୍ଷତି ଘଟାଏ । ସେହିପରି କ୍ୟାଟେଗୋରୀ ୪ ଚକ୍ରବାତରେ ପବନର ବେଗ ଘଣ୍ଟା ପ୍ରତି ୧୩୦ ରୁ ୧୫୬ ମାଇଲ ଥିବାବେଳେ ଏହା ଅଧିକ କ୍ଷତି ପହଂଚାଇ ଥାଏ ଏବଂ ଶେଷ କ୍ୟାଟେଗୋରୀ ୫ରେ ଚକ୍ରବାତ ଭୟଙ୍କର ରୂପ ଧାରଣ କରିଥାଏ । ଏଥିରେ ପବନର ବେଗ ଘଣ୍ଟା ପ୍ରତି ୧୫୭ ମାଇଲରୁ ଅଧିକ ରହିଥାଏ । ଏହା ଧନଜୀବନ ନଷ୍ଟ କରି ବିପର୍ଯ୍ୟୟ ଘଟାଇଥାଏ ।