ଯୁବବର୍ଗ ଏବଂ ହୃଦ୍‌ଘାତ

କାର୍ଡିଆକ ଆରେଷ୍ଟ ଏପରି ଏକ ଅବସ୍ଥା ଯେଉଁଥିରେ ହୃତପିଣ୍ଡ ହଠାତ୍ ଏବଂ ଅପ୍ରତ୍ୟାଶିତ ଭାବରେ ବନ୍ଦ ହୋଇଯାଏ । ଯୁବକମାନଙ୍କ ନିକଟରେ ଏହା ଅଧିକ କାହିଁକି ?


କାର୍ଡିଆକ ଆରେଷ୍ଟ ମୁଖ୍ୟତ ହୃଦୟରେ ଏକ ବୈଦ୍ୟୁତିକ ତ୍ରୁଟି, ଯାହା ଏକ ଅନିୟମିତ ହୃଦସ୍ପନ୍ଦନ ସୃଷ୍ଟି କରେ । ହୃଦପିଣ୍ଡ ଭିତରେ ଭେଣ୍ଟ୍ରିକୁଲାର ଫିବ୍ରିଲେସନ ସୃଷ୍ଟି ହେଲେ କାର୍ଡଆକ ଆରେଷ୍ଟ ହୋଇଥାଏ । ସରଳ ଭାଷାରେ କହିବାକୁ ଗଲେ ଏଥିରେ ହୃତ୍‌ପିଣ୍ଡ ଭିତରେ ବିଭିନ୍ନ ଅଂଶ ମଧ୍ୟରେ ସୂଚନା ଆଦାନ ପ୍ରଦାନରେ ସମସ୍ୟା ସୃଷ୍ଟି ହୋଇଥାଏ, ଯାହା ହୃତ୍‌ସ୍ଫନ୍ଦନ ଉପରେ ଖରାପ ପ୍ରଭାବ ପକାଇଥାଏ । କାର୍ଡିଆକ ଆରେଷ୍ଟ ଓ ହୃଦଘାତକୁ ସମସ୍ତେ ଏକ ସମାନ ଭାବୁଥିଲେ ମଧ୍ୟ ଏଥିରେ ଭିନ୍ନତା ରହିଛି ।

ସମ୍ପ୍ରତି ମହାମାରୀ ପରେ କିମ୍ବା ପରିବର୍ତ୍ତିତ ଜୀବନଶୈଳୀ ହେତୁ ଏହା ଏବେ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ରୂପେ ଉଭା ହୋଇଛି । ପ୍ରାୟ ୨୦ରୁ ୪୦ବର୍ଷ ବୟସର ଯୁବକଗୋଷ୍ଠୀଙ୍କଠାରେ ହୃଦ୍ ରୋଗର ଆଶଙ୍କା ଅଧିକ ଦେଖାଦେଇଛି । ହୃଦ୍‌ଘାତର ମୁଖ୍ୟ କାରଣ ହେଉଛି ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ କିମ୍ବା ଭେଣ୍ଟ୍ରିକୁଲାର ଫିବ୍ରିଲେସନ କିମ୍ବା ବ୍ରାଡିକାର୍ଡିଆ । ଏହା ବ୍ୟତୀତ ହୃଦୟ ଟିସୁରେ ଦାଗ ସୃଷ୍ଟି ହେବା, ହୃଦୟ ମାଂସପେଶୀ ମୋଟା ହେବା, ହୃଦରୋଗ ପାଇଁ ବ୍ୟବହୃତ ଔଷଧ, ବୈଦ୍ୟୁତିକ ଅସ୍ୱାଭାବିକତା, ରକ୍ତଭଣ୍ଡାରର ଅସ୍ୱାଭାବିକତା ଏବଂ ଉତ୍ତେଜକ ଔଷଧ ବ୍ୟବହାର ଏହାର ଅନ୍ୟତମ କାରଣ ସାଜିଛି ।

ନିକଟ ଅତୀତରେ, ଆମେ ଆମ ଚାରିପାଖରେ ଏପରି ଲୋକଙ୍କୁ ଦେଖିଛୁ, ଯେଉଁମାନେ ଏକ ସୁସ୍ଥ ଜୀବନଶୈଳୀ ବଞ୍ଚିବା ସତ୍ତ୍ୱେ ହୃଦ୍‌ଘାତରେ ପୀଡିତ ହୋଇ ପ୍ରାଣ ହରାଇଛନ୍ତି । ହୃଦୟ ସମ୍ବନ୍ଧୀୟ ରୋଗ ହଠାତ୍ ହୋଇପାରେ ନାହିଁ । ଏହା ଚିହ୍ନଟ ହୋଇନଥିବା ଜନ୍ମଗତ ହୃଦୟ ସମସ୍ୟା କିମ୍ବା କିଛି ଅସ୍ୱାଭାବିକତା ହେତୁ ହୋଇପାରେ । ଭାଇରସ୍ କିମ୍ବା କିଛି ଅସୁସ୍ଥତା ହେତୁ କେତେକ ମାମଲା ମଧ୍ୟ ହୋଇପାରେ । ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (CDC) ଅନୁଯାୟୀ, ଯୁକ୍ତରାଷ୍ଟ୍ରରେ ୨୫ ବର୍ଷରୁ କମ୍ ବୟସର ପ୍ରାୟ ୨,୦୦୦ ଯୁବକ ଅଚାନକ ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି । ଏହା ଆଜିର ସମୟରେ ଏକ ସୁସ୍ଥ ପରିବାର ପାଇଁ ଏକ ଚେତାବନୀ ସୃଷ୍ଟି କରୁଛି ।

ଯୁବବର୍ଗଙ୍କଠାରେ ଏହି ମାରାତ୍ମକ ରୋଗ ଅଧିକ ଦେଖାଯାଉଛି, ଯାହାର କାରଣ ହେଉଛି ଚାପ । ସେମାନେ କ୍ରମାଗତ ଭାବରେ ଚାପରେ ରହି ଥାଆନ୍ତି । ସାଧାରଣତଃ ଯୁବବର୍ଗମାନେ ଉଚ୍ଚ କାର୍ଯ୍ୟଦକ୍ଷତା ପାଇଁ ଚାପରେ ରହୁଥିବାବେଳେ, ନିଜ କ୍ୟାରିଅରରେ ସଫଳ ହେବା, ଅଧିକ ରୋଜଗାର କରିବା, ଏପରିକି ସାଙ୍ଗ ସାଥିମାନଙ୍କୁ ନେଇ ମଧ୍ୟ ଚାପରେ ରହିଥାନ୍ତି । ପୁଣି ସେମାନଙ୍କର ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ଧୂମପାନ, ନିଶା ପାନୀୟ ଆଦି ପରୋକ୍ଷରେ ହୃଦୟ ଉପରେ ଚାପ ସୃଷ୍ଟି କରିବା ସହ ହୃଦ୍‌ରୋଗର କାରଣ ହୋଇଥାଏ । କମ ସମୟରେ ଫିଟ ହେବାକୁ ଚିନ୍ତା କରି ଆଜିର ଯୁବପିଢ଼ି ନିଜ ହୃଦୟ ଯାଞ୍ଚ ନ କରି ଜିମ୍ କୁ ଯାଇ ଅଧିକ ବ୍ୟାୟାମ କରନ୍ତି, ଯାହା ସେମାନଙ୍କ ଅଜାଣତରେ ତାଙ୍କ ପାଇଁ ବହୁ ଘାତକ ହୋଇଥାଏ । ହୃଦ୍‌ରୋଗ କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ହୋଇଥାଏ ବୋଲି ରହିଥିବା ଅନ୍ଧବିଶ୍ୱାସ ଏବେ ଆଉ ନାହିଁ । କିନ୍ତୁ ବର୍ତ୍ତମାନ ସମୟ ବଦଳିଛି, ବର୍ତ୍ତମାନ ଯୁବକମାନଙ୍କଠାରେ ହୃଦୟ ସମସ୍ୟା ମଧ୍ୟ ଦେଖାଯାଉଛି । ଆଜିର ସମୟରେ କୋଡିଏ ବର୍ଷର ଲୋକମାନେ ମଧ୍ୟ ହୃଦ୍‌ରୋଗର ଶିକାର ହେଉଛନ୍ତି । ସେମାନଙ୍କ କ୍ଷେତ୍ରରେ କୋଲେଷ୍ଟ୍ରୋଲ ସ୍ତର ଏବଂ କେତେକ ଜେନେଟିକ କାରଣରୁ ହୃଦୟରେ ଅବରୋଧ ସୃଷ୍ଟି ହେଉଛି । ଯୁବକମାନେ ଏହି ହୃଦରୋଗର ସମ୍ମୁଖୀନ ହେଉଥିବା ସମୟରେ ତାଙ୍କ ନିକଟରେ ପୂର୍ବରୁ କୌଣସି ଚେତାବନୀ ବା ସଂକେତ ଦେଖାଯାଉନାହିଁ । ବେଳେବେଳେ ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ, ସାମାନ୍ୟ ଛାତି ଯନ୍ତ୍ରଣା, ଥକାପଣ ଭଳି କିଛି ଲକ୍ଷଣ ଦେଖାଦେଇଥାଏ, ଯାହା ଜୀବନ ପ୍ରତି ଏତେ ବିପଦଜନକ ମନେହୁଏ ନାହିଁ । ତେଣୁ ଶରୀରରେ ଦେଖାଯାଉଥିବା ଏହି ସଙ୍କେତକୁ କେହି ଚେତାବନୀ ନ ଭାବି ଗମ୍ଭୀରତାର ସହିତ ବିଚାର କରନ୍ତି ନାହିଁ ।

ସୁସ୍ଥ ଦେଖାଯାଉଥିବା ବ୍ୟକ୍ତିବିଶେଷଠାରେ ହଠାତ୍ ହୃଦ୍‌ଘାତ ହେଉଥିବାର ମାମଲା ବୃଦ୍ଧିପାଇବା ଆମକୁ ସଚେତନ କରିଦେଉଛି । ଏପରି ଦୁଃଖଦ ଘଟଣା ଘଟିବା ପୂର୍ବରୁ ଆମେ ଆମର ଶରୀରର ଉତ୍ତମ ଯତ୍ନ ନେବା ଏକ ଆବଶ୍ୟକତା ହୋଇପଡିଛି । କୌଣସି ଶାରୀରିକ କାର୍ଯ୍ୟକଳାପ ବା କସରତ ଆରମ୍ଭ କରିବା ପୂର୍ବରୁ ହୃଦୟ ଯାଞ୍ଚ କରିବା ଭଲ । ଜଣାଶୁଣା ଭାରତୀୟ ହାର୍ଟ ସର୍ଜନ ଡ ଦେବୀ ଶେଟ୍ଟୀଙ୍କ କହିବା ଅନୁଯାୟୀ, ୟୁରୋପୀୟମାନଙ୍କ ତୁଳନାରେ ଭାରତୀୟମାନେ ହୃଦ୍‌ରୋଗରେ ତିନିଗୁଣ ଅଧିକ ଅସୁରକ୍ଷିତ । ତେଣୁ ଆମେ ଏହି ରୋଗ ବିଷୟରେ ଅଧିକ ସଚେତନ ହେବା ଆବଶ୍ୟକ । ଜଣେ ବ୍ୟକ୍ତି ଭାରୀ ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ଇସିଜି (ECG), ଇକୋକାର୍ଡିଓଗ୍ରାମ ଏବଂ ସିଟି ଆଙ୍ଗିଓଗ୍ରାଫି ପରି ମୌଳିକ ହୃଦୟ ଯାଞ୍ଚ କରିବାକୁ ଜୋର ଦେବା ଉଚିତ । ଏହି ପରୀକ୍ଷଣର ଫଳାଫଳକୁ ଆଧାର କରି ବ୍ୟାୟାମର ତୀବ୍ରତା ସ୍ଥିର କରାଯିବା ଉଚିତ । ଏହା ହୃଦୟର କୌଣସି ଗୁରୁତର କ୍ଷତିକୁ ରୋକିବା ସହିତ ଅଚାନକ ହୃଦ୍‌ଘାତରୁ ରକ୍ଷା କରିପାରିବ ।

ଶେଷରେ, ଜଣେ ବ୍ୟକ୍ତି ଯିଏ ଫିଟନେସ୍ ରୁଟିନ୍କୁ ଯଥାବିଧି ଅନୁପାଳନ କରୁଛି, ତାହା ତାର ମୃତ୍ୟୁର କାରଣ ହେବା ଅନୁଚିତ । ଏହି ଫିଟନେସ ସେମାନଙ୍କୁ ଅଧିକ ସମୟ ପାଇଁ ସୁସ୍ଥ ରହିବା ଏବଂ ଫିଟ୍ ରହିବା ପାଇଁ ସାହାଯ୍ୟକାରୀ ହେବା ଉଚିତ । ଅନ୍ୟମାନଙ୍କୁ ଦେଖି ବଞ୍ଚିବା ଅପେକ୍ଷା ନିଜ ସର୍ତ୍ତ ଅନୁଯାୟୀ ବଞ୍ଚିବା ଭଲ । ଭଲ ଡାଏଟ୍ ସହିତ ଏକ ସୁସ୍ଥ ଫିଟନେସ୍ ରୁଟିନ୍ ଅନୁସରଣ କରି ଆଜିର ସମୟରେ ଫିଟ୍ ରହିବା ଏକ ବଡ଼ ଆବଶ୍ୟକତା ।