ବ୍ଲାକ୍ ହୋଲ୍ ଆମ ବ୍ରହ୍ମାଣ୍ଡର ସବୁଠାରୁ ଆଶ୍ଚର୍ଯ୍ୟ ତଥା ଅଦ୍ଭୁତ ମଧ୍ୟରୁ ଗୋଟିଏ ଏବଂ ଏହାର ଆବିଷ୍କାର ହେବାପରଠାରୁ ଏହା ବୈଜ୍ଞାନିକ ଏବଂ ମହାକାଶ ବିଜ୍ଞାନୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ରହସ୍ୟମୟ ଶୂନ୍ୟତା (ବ୍ଲାକ୍ ହୋଲ୍) ଉପରେ ଅନେକ ଦଶନ୍ଧି ଧରି ଗବେଷଣା ହେବା ସତ୍ତ୍ୱେ ବି ବହୁ ପ୍ରଶ୍ନ ଅସମାହିତ ରହିଛି । ବ୍ରହ୍ମାଣ୍ଡରେ ରହିଥିବା ସମସ୍ତ ରହସ୍ୟଗୁଡିକ ମଧ୍ୟରୁ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ବ୍ଲାକ୍ ହୋଲ୍ କୁ ନେଇ ରହିଥିବା ବିରୋଧାଭାସ ବା ବ୍ଲାକ୍ ହୋଲ୍ ପାରାଡକ୍ସ ।

ବ୍ଲାକ୍ ହୋଲ୍ ପାରାଡକ୍ସ କ’ଣ ?

ବ୍ଲାକ୍ ହୋଲ୍ ପାରାଡୋକ୍ସ କ’ଣ ? ଏହାକୁ ବେଳେବେଳେ ବ୍ଲାକ୍ ହୋଲ୍ ଇନ୍ଫୋରମେସନ ପାରାଡକ୍ସ କୁହାଯାଏ । ଏହା ହେଉଛି ଏକପ୍ରକାର ଗୋଲକଧନ୍ଦା, ଯାହା ଏ ବ୍ରହ୍ମାଣ୍ଡ କିପରି କାର୍ଯ୍ୟ କରେ ତାହାକୁ ନେଇ ହୋଇଥିବା ବୁଝାମଣାର ବିରୋଧାଭାସରୁ ସୃଷ୍ଟି । ତେବେ ଆସନ୍ତୁ ପ୍ରଥମେ ବ୍ଲାକ୍ ହୋଲ୍ କଣ ସେ ଉପରେ ନଜର ପକାଇବା । ଏହା ଏପରି ଏକ ରହସ୍ୟମୟ ଗର୍ତ୍ତ, ଯେଉଁଠାରେ ସମୟ ଓ ସ୍ଥାନର କିଛି ଅର୍ଥ ନ ଥାଏ । କେବଳ ଅନ୍ଧକାର ଓ ମାଧ୍ୟାକର୍ଷଣ ରହିଥାଏ | ଏଠାରେ ମାଧ୍ୟାକର୍ଷଣ କ୍ଷେତ୍ର ଏତେ ତୀବ୍ର ଯେ ଏହି ଭିତରେ କୌଣସି ଜିନିଷ ଏପରିକି ଆଲୋକ ମଧ୍ୟ ସ୍ଥିର ରହିପାରେ ନାହିଁ ।
ଆମର ବ୍ରହ୍ମାଣ୍ଡର ନୀତିଗତ ସିଦ୍ଧାନ୍ତ ଅନୁଯାୟୀ କୌଣସି ସୂଚନା ସୃଷ୍ଟି କିମ୍ବା ନଷ୍ଟ ହୋଇପାରିବ ନାହିଁ । ଅନ୍ୟ ଅର୍ଥରେ କହିବାକୁ ଗଲେ, ବ୍ରହ୍ମାଣ୍ଡ ହେଉଛି ଏକ ସ୍ଵନିର୍ହିତ ପ୍ରଣାଳୀ ଯେଉଁଠାରେ ସୂଚନା (ପରମାଣୁ, କଣିକା, ତରଙ୍ଗ ଏବଂ ଅନ୍ୟାନ୍ୟ ପଦାର୍ଥ) ଘୂର୍ଣ୍ଣନ ଅବସ୍ଥାରେ ଥାଏ, ଅର୍ଥାତ ସୂଚନା ସବୁ ଏପଟ ସେପଟ ହେଉଥାଏ । ଉଦାହରଣ ସ୍ୱରୂପ, ଯଦି ଆପଣ ପାହାଡ଼ ଉପରେ ଏକ ଗଛ ଲଗାଇଲେ ଓ ଏହା ବଡ଼ ହେଲା । ଏହାର ବୃଦ୍ଧିକୁ ନେଇ ଆପଣ ଆଶ୍ଚର୍ଯ୍ୟ ହେବେନାହିଁ କି ଗଛର ଓଜନ ସମ୍ପର୍କରେ ଚିନ୍ତା ମଧ୍ୟ କରିବେନି । ମାତ୍ର ଏହି ଗଛଟି ପୃଥିବୀରୁ ତାର ଆବଶ୍ୟକତା (ପୋଷକ ତତ୍ତ୍ୱ, ଜଳ ଇତ୍ୟାଦି) ଗ୍ରହଣ କରିଛି । ତୁମେ ଯେତେ ଗଛ ଲଗାଅନା କାହିଁକି, ପୃଥିବୀର ଓଜନ କିନ୍ତୁ ସମାନ ରହିଥାଏ । ପଦାର୍ଥବିଜ୍ଞାନର କ୍ୱାଣ୍ଟମ୍ ଥିଓରୀରେ ଏହି ସମାନ ନୀତି ବିଦ୍ୟମାନ ଅଛି । ଯାହା ଏକ ପ୍ରଣାଳୀରେ ସୂଚନା ସଂରକ୍ଷିତ ହେବା ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରେ । ଏକ କ୍ୱାଣ୍ଟମ୍ ସ୍ତରରେ, ସୂଚନାର ଅର୍ଥ ହେଉଛି ପରମାଣୁର ସ୍ଥିତି, ଆବର୍ତ୍ତନ ଏବଂ ବେଗ । ଏହି ବିଚାରରେ ଯଦି ଆପଣଙ୍କ ନିକଟରେ ଏହି ସୂଚନା ଅଛି, ଆପଣ ଯେକୌଣସି ବସ୍ତୁକୁ ପୁନନିର୍ମାଣ କରିପାରିବେ ।

ବ୍ଲାକ୍ ହୋଲ୍ କିନ୍ତୁ ଏହି ନିୟମକୁ ଉଲ୍ଲଂଘନ କରେ କାରଣ ସେଥିରେ ପ୍ରବେଶ କରୁଥିବା ସୂଚନା ସବୁଦିନ ପାଇଁ ନଷ୍ଟ ହୋଇଯାଏ । ଏବଂ ଏହାର କୌଣସି ଏନକୋଡେଡ୍ (ସାଙ୍କେତିକ ସୂଚନା) ମଧ୍ୟ ରୁହେ ନାହିଁ । କିନ୍ତୁ ଏହା କଣ ସତ୍ୟ ? ୧୯୭୦ ଦଶକରେ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍ ହକିଙ୍ଗ ପ୍ରମାଣ କରିଥିଲେ ଯେ ବ୍ଲାକ୍ ହୋଲ୍ ଧୀରେ ଧୀରେ ବିକିରଣ ନିର୍ଗତ କରୁଛି । ତେବେ ଏହି ସୂଚନା ବ୍ଲାକ୍ ହୋଲ୍ରୁ ବର୍ତ୍ତି ପାରିବ ନାହିଁ ବୋଲି ହକିଙ୍ଗ ପରାମର୍ଶ ଦେଇଥିଲେ । ହକିଙ୍ଗଙ୍କ ସୂଚନା ଅନୁସାରେ ବ୍ଲାକ୍ ହୋଲ୍ ରେ ବିକିରଣ ପ୍ରଭାବ ହୋଇଥାଇପାରେ, ମାତ୍ର ଏହାର ବାସ୍ତବ ପ୍ରଭାବ ଦେଖିବାକୁ ମିଳିନାହିଁ । ଏହାକୁ ହକିଙ୍ଗ ବିକିରଣ ନାମରେ ନାମିତ କରାଯାଇଛି । ମାତ୍ର ଏହାର କୌଣସି ପଦ୍ଧତି ନଥିଲା (ଏନକୋଡେଡ୍ ସୂଚନା ସଂରକ୍ଷିତ ହୋଇନଥିଲା) । ତେଣୁ ପରବର୍ତ୍ତୀ ସମୟରେ ବୈଜ୍ଞାନିକଜଣକ ବ୍ଲାକ୍ ହୋଲ ଅନ୍ତର୍ଗତ ସୂଚନା ଜାଣିବା ପାଇଁ ଏହାର ପୃଷ୍ଠ ବା ଚାରିପାଖରେ ଏନକୋଡ୍ ବା ସାଙ୍କେତିକ ସୂଚନା ରହିବା ଆବଶ୍ୟକ ବୋଲି ଚିନ୍ତା କଲେ । ଯାହାକୁ ତାଙ୍କ ଭାଷାରେ ଇଭେଣ୍ଟ ହରିଜୋନ ବୋଲି କୁହାଯାଏ । କିନ୍ତୁ ଏହି ସୂଚନା ସଂପୂର୍ଣ୍ଣ ରୂପେ କାର୍ଯ୍ୟ କରେ ନାହିଁ । ଯଦି ବ୍ଲାକ୍ ହୋଲ୍ କ୍ଷୟ ହୁଏ, କିମ୍ବା ବ୍ଲାକ୍ ହୋଲ୍ ଟି ସମ୍ପୂର୍ଣ୍ଣ ବାଷ୍ପୀଭୂତ ହୋଇଯିବ ତେବେ ସେହି ସୂଚନା ସହିତ କ’ଣ ହେବ ? ତାହା ବି ଏକ ଅସମାହିତ ପ୍ରଶ୍ନ ହୋଇରହିଛି ।

ବ୍ଲାକ୍ ହୋଲ୍ ପାରାଡକ୍ସର ସମାଧାନ

ବୈଜ୍ଞାନିକମାନେ କେବଳ ବ୍ଲାକ୍ ହୋଲ୍କୁ ନେଇ ଦ୍ବନ୍ଦ୍ବ ରେ ରହିନାହାନ୍ତି ବରଂ ବ୍ଲାକ୍ ହୋଲ୍ ପାରାଡକ୍ସକୁ ସମାଧାନ କରିବାକୁ ନିରନ୍ତର ଚେଷ୍ଟା ଚଳାଇଛନ୍ତି ତଥାପି, ଏ ପର୍ଯ୍ୟନ୍ତ ହାସଲ ହୋଇଥିବା ବ୍ୟାଖ୍ୟାଗୁଡିକ ପୂର୍ବରୁ ସଂଗୃହୀତ ହୋଇଥିବା ତଥ୍ୟ ସହ ମେଳ ଖାଉନାହିଁ । ତେବେ ବୈଜ୍ଞାନିକମାନେ ଏହା ସମ୍ପର୍କରେ ଅଧିକରୁ ଅଧିକ ଗବେଷଣା କରି ଏହି ରହସ୍ୟର ନିକଟତର ହେଉଛନ୍ତି ।

କିଛି ବୈଜ୍ଞାନିକମାନେ ଏହି ଜଟିଳ ଗୋଲକଧନ୍ଦାର ଶେଷଭାଗରେ ପହଂଚିଥିବାର ଯୁକ୍ତି କରନ୍ତି । ଯେତେବେଳେ ଏହି ସମସ୍ୟାର ସମାଧାନ ମିଳିଯିବ ସେତେବେଳେ ସବୁ ତଥ୍ୟକୁ ଏକାଠି କରି ଏହାର ନିଷ୍କର୍ଷରେ ପହଂଚି ହେବ ବୋଲି କୁହନ୍ତି । ମିଳିଥିବା ଗବେଷଣାରୁ ସାଧାରଣ ଆପେକ୍ଷିକ ସିଦ୍ଧାନ୍ତ (general relativity principles) (ଅତ୍ୟଧିକ ବଡ଼ ବସ୍ତୁର ଅଧ୍ୟୟନ ଏବଂ ସେମାନଙ୍କ ଆଚରଣ) ଏବଂ କ୍ୱାଣ୍ଟମ୍ ମେକାନିକ୍ସ quantum mechanics (ପରମାଣୁ ପରି କ୍ଷୁଦ୍ର ବସ୍ତୁର ଅଧ୍ୟୟନ) ଆଧାରରେ ବ୍ଳାକ ହୋଲ କାର୍ଯ୍ୟ କରେ ବୋଲି ସୂଚନା ରହିଛି । ବ୍ରହ୍ମାଣ୍ଡ ବିଷୟରେ ଜାଣିବା ପାଇଁ ଉପରୋକ୍ତ ଦୁଇଟି ତତ୍ତ୍ୱ (ଥିଓରୀ) ବହୁ ଗୁରୁତ୍ୱପୂର୍ଣ୍ଣ ମାତ୍ର ଏହା ପରସ୍ପର ବିରୋଧୀ । ତେଣୁ, କିଛି ବୈଜ୍ଞାନିକ ଯୁକ୍ତି କରନ୍ତି ଯେ ଯେତେବେଳେ ପ୍ରତ୍ୟେକ ଜିନିଷର ଏକୀକୃତ ସିଦ୍ଧାନ୍ତ ମିଳିବ ସେତେବେଳେ ବ୍ଲାକ୍ ହୋଲ୍ ପାରାଡକ୍ସ ଏବଂ ଅନ୍ୟାନ୍ୟ ରହସ୍ୟର ସମାଧାନ ହେବ ।

ତେବେ ଏଥିପାଇଁ ଏକ ଭିନ୍ନ ଉପାୟ ବି ରହିଛି । ଚାଲନ୍ତୁ ଏହି ଅସାଧାରଣ ଉପାୟଗୁଡ଼ିକ ମଧ୍ୟରୁ ଗୋଟିଏକୁ ଦେଖିବା; ହୋଲୋଗ୍ରାଫିକ୍ ସିଦ୍ଧାନ୍ତ । ହୋଲୋଗ୍ରାଫିକ୍ ସିଦ୍ଧାନ୍ତ ଏହି ବ୍ଲାକ୍ ହୋଲ୍ ର ହରିଜୋନ ଉପରେ 2D ପୃଷ୍ଠର ଅବଧାରଣା ଉପରେ ବିଶ୍ବାସ କରେ । ଏହି ସିଦ୍ଧାନ୍ତ ଯୁକ୍ତି କରେ ଯେ ବୋଧହୁଏ ସମଗ୍ର ବ୍ରହ୍ମାଣ୍ଡ 2D ସୀମା ମଧ୍ୟରେ ସୀମାବଦ୍ଧ ହେବା ସହ ଏଥିରେ ସୂଚନା ଗୁଡିକ ଖୋଦେଇ ବା ଏନକୋଡ୍ ହୋଇଛି । ଯଦି ଏହା ସତ, ଏହାର ଅର୍ଥ ହେଉଛି ଯେ ଆମେ ଯାହା କିଛି ଜାଣିଚୁ ତାହା ମଧ୍ୟ ସତ୍ୟ । ଦେଖିବାକୁ ଗଲେ ମୁଁ ଓ ଆପଣ ଖାଇଥିବା ଶସ୍ୟ, ପ୍ରକୃତରେ କେବଳ ଏନକୋଡେଡ୍ ସୂଚନାର ଏକ ହୋଲୋଗ୍ରାଫିକ୍ ପ୍ରକ୍ଷେପଣ ଅଟେ ।

ଅତି ଆଶ୍ଚର୍ଯ୍ୟ ଭାବରେ ୨୦୨୦ରେ ଏହି ବିରୋଧାଭାସ ଉପରେ କିଛି ନୂତନ ତଥ୍ୟ ଯୋଡି ହେବା ସହିତ ଏହି ଶୂନ୍ୟତମ ଅନ୍ଧାରର ଗବେଷଣାରେ ଟିକେ ଆଲୋକ ଦେଖାଇଥିଲା । ପୁରୁଣା ବ୍ଲାକ୍ ହୋଲ୍ ସମ୍ପର୍କରେ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ବ୍ଲାକ୍ ହୋଲ୍ ସମୟ ସହିତ କେବଳ ପଦାର୍ଥକୁ ଅବଶୋଷିତ କରେ ନାହିଁ ବରଂ ଏହାକୁ ତ୍ୟାଗ ବି କରିଦିଏ । ବ୍ଲାକ୍ ହୋଲ୍ କୁ ଆପଣ ଏକ ବାକ୍ସ ପରି ଚିନ୍ତା କରି ପାରିବେ ଯେଉଁଠି ଆପଣ ଆବଶ୍ୟକତାଠାରୁ ଅଧିକ ବସ୍ତୁ ଦ୍ୱାରା ପୂର୍ଣ୍ଣ କରିଛନ୍ତି । ପରିଶେଷରେ, ଏହା ପୂର୍ଣ୍ଣମାତ୍ରାରେ ଭରିଯିବା ପରେ ଭିତରେ ରହିଥିବା ଜିନିଷଗୁଡିକ ବାହାରକୁ ବାହାରିବା ଆରମ୍ଭ କରିବ । ତେବେ ବ୍ଲାକ୍ ହୋଲ୍ ରେ ଅନ୍ତର୍ନିହିତ ଥିବା ବସ୍ତୁ କିପରି ଖାଲି ହେବ କିମ୍ବା ଏଥିରେ କଣ ସବୁ ସଂରକ୍ଷିତ ରହିବ ଏନେଇ ଏହି ନୂତନ ଅଧ୍ୟୟନ କିଛି ବ୍ୟାଖ୍ୟା କରେ ନାହିଁ କିନ୍ତୁ ଏହା ଏହି ରହସ୍ୟର ସମାଧାନ ପାଇଁ ଏକ ପଦକ୍ଷେପ ସାବ୍ୟସ୍ତ ହୋଇପାରେ ।

Translated from What Is the Black Hole Paradox?