ସମ୍ପ୍ରତି ଭାରତ ସମେତ ବିଶ୍ୱରେ ମହାମାରୀ କରୋନା ମଧ୍ୟରେ ପୁଣି ଆଉ ଏକ ଭାଇରସ ମୁଣ୍ଡ ଟେକି ଚିନ୍ତା ଆହୁରି ବଢ଼ାଇଦେଇଛି । ଏବେ ଏହି ଭୂତାଣୁ ଆମ ଦେଶରେ ଆଉ ଏକ ଗୁରୁତର ସମସ୍ୟା ରୂପେ ଉଭା ହୋଇଛି । ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମୁତାବକ ଏହି ଭୂତାଣୁ ହେଉଛି ଜିକା ଭାଇରସ । ଏଡିସ୍ ମଶା କାମୁଡିବା ଦ୍ୱାରା ଏହି ଭାଇରସ ବ୍ୟାପିଥାଏ ।

ଜିକା ଭାଇରସ କଣ ଓ ଏହାର ଲକ୍ଷଣ କ'ଣ ?

ଜିକା ଭାଇରସରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଏତେଟା ଲକ୍ଷଣ ବିକଶିତ ହୋଇନଥାଏ । ତେବେ ଏହାର ଲକ୍ଷଣଗୁଡିକ ବହୁତ ସାଧାରଣ ହୋଇଥାଏ । ମୁଖ୍ୟତଃ ଜ୍ବର, ଚର୍ମ ଲାଲ୍ ପଡିଯିବା, ଆଣ୍ଠୁଗଣ୍ଠି ଓ ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବ୍ୟଥା ଓ ଦୁର୍ବଳ ଲାଗିବା ଆଦି ଜିକା ଭୂତାଣୁ ସଂକ୍ରମଣର ଲକ୍ଷଣ । ୩ ରୁ ୧୪ ଦିନ ମଧ୍ୟରେ ଏହାର ଲକ୍ଷଣ ଦେଖାଯାଇଥାଏ ।

ଜିକା ଭାଇରସ ପ୍ରଥମ ଥର ପାଇଁ ୧୯୪୭ ମସିହାରେ ୟୁଗାଣ୍ଡାର ମାଙ୍କଡ଼ଙ୍କ ନିକଟରେ ଚିହ୍ନଟ ହୋଇଥିଲା । ଏହାପରେ ୧୯୫୨ ମସିହାରେ ୟୁଗାଣ୍ଡା ଓ ସଂଯୁକ୍ତ ଗଣରାଜ୍ୟ ତାଞ୍ଜାନିଆଠାରେ ମନୁଷ୍ୟ ନିକଟରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ୧୯୬୦ରୁ ୧୯୮୦ ପର୍ଯ୍ୟନ୍ତ ଆଫ୍ରିକା ଓ ଏସିଆର କିଛି କ୍ଷେତ୍ରରେ ମନୁଷ୍ୟଙ୍କଠାରେ ଏକ ସାଧାରଣ ରୋଗ ଭାବେ ଜିକା ଭାଇରସ ମାମଲା ନଜର ଆସିଥିଲା ।

ତେବେ ଏହି ଭୂତାଣୁର ପ୍ରଥମ ପ୍ରକୋପ ୨୦୦୭ରେ ଵ୍ୟାପ ଦ୍ବୀପ ବା (ମାଇକ୍ରୋନେସିଆର ସଂଘୀୟ ରାଜ୍ୟ)ରେ ଦେଖାଦେଇଥିଲା । ଏହାପରେ ୨୦୧୩ ମସିହାରେ ଫ୍ରେଞ୍ଚ ପୋଲିନିସିଆ ଓ ପ୍ରଶାନ୍ତ କ୍ଷେତ୍ରରେ ଅନ୍ୟ ଦେଶଗୁଡିକରେ ଏହି ଭାଇରସର ବଡ ପ୍ରକୋପ ଦେଖାଯାଇଥିଲା । ଏପର୍ଯ୍ୟନ୍ତ ମୋଟ ୮୬ଟି ଦେଶରେ ଏହି ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଗର୍ଭାବସ୍ଥା ସମୟରେ ଏହି ଭୂତାଣୁ ସଂକ୍ରମଣ ବିଶେଷ କ୍ଷତି ଘଟାଇଥାଏ । ଏହି ସଂକ୍ରମଣ ବିକାଶଶୀଳ ଭୃଣ ଓ ନବଜାତ ଶିଶୁ ପ୍ରତି ବିପଦ ସୃଷ୍ଟି କରିଥାଏ । ଏହା ଯୋଗୁଁ ଗର୍ଭାବସ୍ଥାରେ ଜଟିଳତା ଦେଖାଦେବା ସହ ଭୃଣ ନଷ୍ଟ, ମୃତ ଶିଶୁ ଜନ୍ମ ଓ ସମୟ ପୂର୍ବରୁ ପ୍ରସବ ଆଦି ସମସ୍ୟା ଦେଖାଦିଏ । ଜିକା ଭୂତାଣୁ ସଂକ୍ରମଣ ଯୋଗୁଁ ବୟସ୍କ ଏବଂ ପିଲାମାନଙ୍କଠାରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ, ନ୍ୟୁରୋପାଥି ଏବଂ ମାୟେଲାଇଟିସ୍ ରୋଗ ଦେଖାଦେଇଥାଏ ।

ଜିକା ଭୂତାଣୁ ମୁଖ୍ୟତ ଉଷ୍ମ ମଣ୍ଡଳୀୟ ଓ ଉପ-ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ଦେଖାଯାଉଥିବା ଏଡିସ୍ ପ୍ରଜାତିର ମଶା କାମୁଡିବା ଦ୍ୱାରା ହୋଇଥାଏ । ଏଡିସ୍ ମଶା ସାଧାରଣତଃ ସକାଳ ଏବଂ ଅପରାହ୍ନ, ସନ୍ଧ୍ୟା ସମୟରେ କାମୁଡିଥାନ୍ତି । ଏହି ମଶା କାମୁଡିବା ଯୋଗୁଁ ମଧ୍ୟ ଡେଙ୍ଗୁ, ଚିକୁଙ୍ଗୁନିଆ ଏବଂ ହଳଦିଆ ଜ୍ୱର ଆଦି ବ୍ୟାପିଥାଏ ।

ଜିକା ଭାଇରସର ପରୀକ୍ଷା କିପରି କରାଯାଏ ?

ଜିକା ଭାଇରସ ସଂକ୍ରମଣର ଲକ୍ଷଣ ଦେଖାଗଲେ କିମ୍ବା ଏଡିସ୍ ମଶା ଥିବା ଅଞ୍ଚଳରେ ରହୁଥିବା କିମ୍ବା ସେଇ ସ୍ଥାନରେ ରହିଥିବା ବ୍ୟକ୍ତିଙ୍କ ଆଧାରରେ ଜିକା ଭାଇରସ ସଂକ୍ରମଣକୁ ସନ୍ଦେହ କରାଯାଇପାରେ । ଜିକା ଭୂତାଣୁ ସଂକ୍ରମଣ ପାଇଁ ପରୀକ୍ଷା କେବଳ ରକ୍ତ କିମ୍ବା ମୂତ୍ର ଓ ବୀର୍ଯ୍ୟ ପରି ତରଳ ପଦାର୍ଥର ଲାବୋରେଟୋରୀ ପରୀକ୍ଷା ଦ୍ୱାରା ଏହି ସଂକ୍ରମଣ ନିଶ୍ଚିତ କରାଯାଏ ।

ଏହି ଭୂତାଣୁ କବଳରୁ ବର୍ତ୍ତିବେ କିପରି:

ଜିକା ଭୂତାଣୁ ସଂକ୍ରମଣ କିମ୍ବା ଏହା ସମ୍ବନ୍ଧୀୟ ରୋଗ ପାଇଁ ଏପର୍ଯ୍ୟନ୍ତ କୌଣସି ସଠିକ୍ ଉପଶମ ନାହିଁ । ତେବେ ଏହି ସଂକ୍ରମଣର ଲକ୍ଷଣ ସାଧାରଣତଃ ସାମାନ୍ୟ ହୋଇଥାଏ । ଜ୍ୱର, ଦାଗ, କିମ୍ବା ଗଣ୍ଠି ଯନ୍ତ୍ରଣା ଭଳି ଲକ୍ଷଣ ଥିବା ବ୍ୟକ୍ତିମାନେ ପ୍ରଚୁର ବିଶ୍ରାମ ନେବା ସହିତ ତରଳ ପଦାର୍ଥ ଖାଇବା ଉଚିତ । ସେହିପରି ଏଥିଯୋଗୁଁ ହେଉଥିବା ଜ୍ଵର ପାଇଁ ଔଷଧ ଖାଇବା ସହ ଯନ୍ତ୍ରଣାର ଉପଶମ ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ଜିକା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ମଶା କାମୁଡ଼ାରୁ ଦୂରେଇ ରହିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଗର୍ଭବତୀ ମହିଳା, ପ୍ରଜନନ ବୟସର ମହିଳା ଏବଂ ଛୋଟ ପିଲାମାନେ କିପରି ମଶା କାମୁଡାରୁ ଦୂରେଇ ରହିବେ ସେ ବିଷୟରେ ବିଶେଷ ଧ୍ୟାନ ଦେବା ଉଚିତ୍ ।

ବ୍ୟକ୍ତିଗତ ପ୍ରତିରକ୍ଷା ବ୍ୟବସ୍ଥାରେ ହାଲକା ରଙ୍ଗର ଲମ୍ବା ପୋଷାକ ପିନ୍ଧିବା ଦରକାର, ଯାହା ଶରୀରର ଅଧିକାଂଶ ଅଂଶକୁ ଆଚ୍ଛାଦନ କରିପାରିବ । ସେହିପରି କବାଟ ଓ ଝରକାରେ ମଶାଜାଲି ବ୍ୟବହାର କରିବା ଆବଶ୍ୟକ । ମଶାଙ୍କ ବଂଶ ବୃଦ୍ଧି ରୋକିବା ପାଇଁ ଆଖପାଖ ଅଂଚଳକୁ ପରିଷ୍କାର ପରିଚ୍ଛନ ରଖିବା ନିତ୍ୟାନ୍ତ ଆବଶ୍ୟକ । କୌଣସି ସ୍ଥାନରେ ପାଣି ଜମିବାକୁ ଦେବା ନାହିଁ କି ଭଙ୍ଗା ଟିଣ ବାକ୍ସ ଓ ଟାୟାର ଆଦିକୁ ଜମା ନ ରଖି ଫୋଫାଡ଼ି ଦେବା ତଥା ପାଖରେ ଥିବା ନାଳ ନର୍ଦ୍ଦମାରେ ନିୟମିତ ରୂପେ ମଶାମରା ତେଲ ଓ କୀଟନାଶକ ସିଂଚନ ପାଇଁ ସ୍ଥାନୀୟ ସଫେଇ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବା । ସେହିପରି ମଶା ପ୍ରଜନନ ସ୍ଥାନ ହ୍ରାସ କରିବା ପାଇଁ ସ୍ଥାନୀୟ ସରକାରୀ ତଥା ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସମର୍ଥନ କରିବା ଆବଶ୍ୟକ । ମଶାଙ୍କ ସଂଖ୍ୟା ହ୍ରାସ ତଥା ରୋଗ ନିବାରଣ ପାଇଁ ଲାର୍ଭାଇସିଡ୍ ଏବଂ କୀଟନାଶକ ଔଷଧ ବ୍ୟବହାର କରାଯାଇପାରିବ ।