ଆବର୍ଜନା ଓ ଏଥିଯୋଗୁଁ ପୃଥିବୀରେ ଘଟି ଚାଲୁଥିବା କ୍ଷତି ଅଥବା ସମ୍ଭାବ୍ୟ କ୍ଷତିକୁ ନେଇ ପରିବେଶବିତମାନେ ନିଜର ମତ ଦିଅନ୍ତି ସତ କିନ୍ତୁ ଏହି ପ୍ରସଙ୍ଗଟି କେବେ ବି ଆମର ମୁଖ୍ୟଧାରାର ପ୍ରସଙ୍ଗ ହୋଇ ରୁହେ ନାହିଁ । ଯେପରିକ ବିଶ୍ୱ ଜଳବାୟୁକୁ ନେଇ ଗତ ଅଗଷ୍ଟ ୯ ତାରିଖରେ ଆସିଥିବା ରିପୋର୍ଟଟି ସମସ୍ତଙ୍କୁ ଚମକାଇ ଦେଇଛି । ଏହି ପ୍ରସଙ୍ଗକୁ ନେଇ ଏବେ ସାରା ବିଶ୍ୱର ଗଣମାଧ୍ୟମ ଏବେ କ୍ରିୟାଶୀଳ, ମାତ୍ର ଆଉ ଗୋଟିଏରୁ ଦୁଇ ଦିନ କିମ୍ବା ଅତିବେଶୀରେ ସପ୍ତାହ ପରେ ଆମେ ଏହି ପ୍ରସଙ୍ଗକୁ ଭୁଲିଯିବା । ସେହିପରି ମହାକାଶରେ କିପରି ଆବର୍ଜନା ସୃଷ୍ଟି ହୁଏ ଓ ସୃଷ୍ଟି ହେଉଥିବା ଆବର୍ଜନା ଯେ ସତରେ କେତେ କ୍ଷତିକାରକ, ସେ ସମ୍ପର୍କରେ ଆମେ କେବେ ଟେଲିଭିଜନ ବିତର୍କ ଦେଖୁନାହୁଁ । ବିଶ୍ୱ ପରିବେଶ ଦିବସ କିମ୍ବା ସେପରି କୌଣସି ବିଶେଷ ଦିନମାନଙ୍କରେ ଏହି ବିଷୟଟି ଚର୍ଚ୍ଚାକୁ ଆସେ, ମାତ୍ର ପରବର୍ତ୍ତୀ ସମୟରେ ଏହା ଶିଥିଳ ପଡ଼ିଯାଏ । ତେବେ ମୁଖ୍ୟଧାରାକୁ ଆସୁନଥିବା ମହାକାଶରେ ଆବର୍ଜନା ପ୍ରସଙ୍ଗଟି କିନ୍ତୁ ଏଠାରେ ମୁଖ୍ୟ ପ୍ରସଙ୍ଗ ହୋଇଛି । ଆପଣମାନେ ହୁଏତ ଗ୍ରେଟ ପାସିଫିକ ଗାରବେଜ୍ ପ୍ୟାଚ୍ ସମ୍ପର୍କରେ ଶୁଣିଥିବେ । ଏହା ହେଉଛି ପ୍ଲାଷ୍ଟିକର ଏକ ବିଶାଳ ଦ୍ୱୀପ ସଦୃଶ । ପ୍ରଶାନ୍ତ ମହାସାଗରରେ ଭାସୁଥିବା ଏହି ପ୍ଲାଷ୍ଟିକ ଆବର୍ଜନା ଫ୍ରାନ୍ସର ଆକାରଠାରୁ ତିନି ଗୁଣ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଆମେ ବିଶ୍ୱରେ ଥିବା ଅଳିଆ ଆବର୍ଜନାକୁ ତ ଦେଖିପାରୁଛେ, କିନ୍ତୁ କେବେ ଆପଣମାନେ ଆମ ଗ୍ରହ ବାହାରେ ଥିବା ଅଳିଆ ଆବର୍ଜନା ସମ୍ପର୍କରେ ଚିନ୍ତା କରିଛନ୍ତି ।

୧୯୫୭ରେ ଆମେ ପ୍ରଥମେ ଏକ ବସ୍ତୁ, ଉପଗ୍ରହକୁ ମହାକାଶକୁ ଉତକ୍ଷେପଣ କରିଥିଲୁ । ସେହିଦିନଠାରୁ ପୃଥିବୀର ବୈଜ୍ଞାନିକମାନେ ପୃଥିବୀର ବାୟୁମଣ୍ଡଳ ବାହାରେ ବସ୍ତୁ ଉତକ୍ଷେପଣ କରିଥିଲେ । ଏହି ବସ୍ତୁଗୁଡ଼ିକ ମଧ୍ୟରୁ ଅଧିକାଂଶ ବସ୍ତୁ ଏବଂ ମହାକାଶଯାନ ଯାହା ପୃଥିବୀକୁ ଫେରି ନଥାଏ, ତେବେ ସେହି ସମସ୍ତ ବସ୍ତୁ କୁଆଡେ ଯାଏ, ସେ ବିଷୟରେ ଆମେ କେବେ ଭାବିନେ । ସେ ସବୁ ମହାକାଶରେ ଆବର୍ଜନା ରୂପେ ରହିଥାଏ । ଆମେ କେବେ ବି ମହାକାଶରେ କେତେ ଆବର୍ଜନା ଅଛି ଓ ଏହା କିପରି ହେଲା ଓ ଏହା କେଉଁ ସବୁ ସମସ୍ୟା ସୃଷ୍ଟି କରୁଛି ସେ ସମ୍ପର୍କରେ ଆଲୋଚନା କରିନେ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ସ୍ପେସ୍ (ମହାକାଶ) ଆବର୍ଜନା କ’ଣ ?

ସ୍ପେସ୍ ଆବର୍ଜନାକୁ ଉଭୟ ମେଟେରୋଏଡ୍ (ପ୍ରାକୃତିକ ପଥର ବା ଧାତବ ବସ୍ତୁ) ଏବଂ କୃତ୍ରିମ କକ୍ଷପଥ ଆବର୍ଜନା ଭାବରେ ଶ୍ରେଣୀଭୁକ୍ତ କରାଯାଇଛି । ଅର୍ବିଟାଲ୍ ଆବର୍ଜନା ହେଉଛି ମାନବ ନିର୍ମିତ ବସ୍ତୁ ଯାହା ଆଉ କାର୍ଯ୍ୟକ୍ଷମ ନୁହେଁ । ଏହାର ଉଦାହରଣ ଭାବରେ ଆମେ କାର୍ଯ୍ୟ କରୁନଥିବା ଉପଗ୍ରହକୁ ନେଇପାରିବା । ସେହିପରି ଅନ୍ୟାନ୍ୟ କକ୍ଷପଥର ଆବର୍ଜନା ଉଦାହରଣରେ ଆମେ ଅକାମୀ ରକେଟର ଖଣ୍ଡ, ମହାକାଶଯାନରୁ ନିର୍ଗତ କଠିନ - ତରଳ ପଦାର୍ଥ, କୌଣସି ବସ୍ତୁର ବିସ୍ଫୋରଣ, ଏବଂ ରଙ୍ଗର ଅତି କ୍ଷୁଦ୍ର କଣିକା (ପେଣ୍ଟ ଫ୍ଲେକ୍ସ) କୁ ବି ଆମେ ନେଇପାରିବା ।

ବୈଜ୍ଞାନିକମାନେ ପୃଥିବୀର ଚାରିପାଖରେ ରହିଥିବା ସମସ୍ତ ସ୍ପେସ୍ ଆବର୍ଜନାକୁ ଚିହ୍ନଟ କରିପାରନ୍ତି, ମାତ୍ର ମାନବକୃତ କକ୍ଷପଥ ଆବର୍ଜନାଗୁଡ଼ିକୁ ନେଇ ବେଶୀ ଚିନ୍ତା ବ୍ୟକ୍ତ କରନ୍ତି, କିନ୍ତୁ କାହିଁକି ? ଏହାର କାରଣ ହେଉଛି ପ୍ରାକୃତିକ ଅଥବା ଧାତବ ଆବର୍ଜନାଗୁଡିକ ସାଧାରଣତଃ ସୂର୍ଯ୍ୟ ଚାରିପଟେ ଘୁରିବୁଲୁଥାଏ, ଏହା କ୍ୱଚିତ୍ ପୃଥିବୀର ନିକଟତର ହୋଇ ସମସ୍ୟା ସୃଷ୍ଟି କରେ । ମାତ୍ର ଏହାର ବିପରୀତ ହେଉଛି କକ୍ଷପଥ ଆବର୍ଜନାଗୁଡ଼ିକ । କାରଣ ଏହା ସାଧାରଣତଃ ପୃଥିବୀର ଚାରିପାଖରେ ଅତି ନିମ୍ନ କକ୍ଷପଥରେ ରହିଥାନ୍ତି ଯାହା ଅଧିକ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି କରେ ।

ଆମ ଗ୍ରହର ନିକଟବର୍ତ୍ତୀ ସ୍ପେସ୍ ଆବର୍ଜନାଗୁଡିକ ଅତି ଦ୍ରୁତ ଗତିରେ ଗତି କରୁଛି । ଏହି ଆବର୍ଜନାଗୁଡିକ ଘଣ୍ଟା ପ୍ରତି ୧୮,୦୦୦ ମାଇଲ୍ ପର୍ଯ୍ୟନ୍ତ ଅର୍ଥାତ ଏକ ବୁଲେଟଠାରୁ ପ୍ରାୟ ସାତଗୁଣ ଦ୍ରୁତ ଗତିରେ ଗତି କରେ । ଏହି ଘୁର୍ଣ୍ଣନ ଅବସ୍ଥାରେ ଅନ୍ୟ ବସ୍ତୁଗୁଡ଼ିକ ସହ ଶୀଘ୍ର ଧକ୍କା ହୋଇ ବିସ୍ଫୋରଣ ସୃଷ୍ଟି କରନ୍ତି ଯାହା ଏହା ଖଣ୍ଡବିଖଣ୍ଡିତ ହୋଇ ଅଧିକ ମାତ୍ରାରେ ଆବର୍ଜନା ସୃଷ୍ଟି କରେ ।

କେତେ ସ୍ପେସ୍ ଆବର୍ଜନା ଅଛି ?

ବୈଜ୍ଞାନିକମାନଙ୍କ ଆକଳନ ହିସାବରେ ଆମ ଗ୍ରହ ଚାରିପାଖରେ ପରିକ୍ରମା କରୁଥିବା ଏକ ସଫ୍ଟବଲ୍ ଠାରୁ ପ୍ରାୟ ୨୩,୦୦୦ ଖଣ୍ଡ ସ୍ପେସ୍ ଆବର୍ଜନା ରହିଛି । ଏବଂ ସେଗୁଡ଼ିକ ଆକାରରେ ବଡ଼ ମଧ୍ୟ । ସେହିପରି ମାର୍ବଲ କିମ୍ବା ଏହାଠାରୁ ବୃହତ ଆକାରର ଅଧ ନିୟୁତ ଆବର୍ଜନା ରହିଥିବାବେଳେ ୦.୪ ଇଞ୍ଚ (୧*ମିଲିମିଟର) ଆକାରର ପ୍ରାୟ ୧୦୦ ମିଲିୟନ୍ ଖଣ୍ଡ ଆବର୍ଜନା ରହିଛି ବୋଲି ଅନୁମାନ କରାଯାଇଛି ।

ସ୍ପେସ୍ ଆବର୍ଜନା କେତେ ବଡ ସମସ୍ୟା ?

ରଙ୍ଗର କ୍ଷୁଦ୍ର କଣିକା (ପେଣ୍ଟ ଫ୍ଲେକ୍ସ) ପରି ସ୍ପେସ୍ ଆବର୍ଜନାଗୁଡ଼ିକ କିଛି ସମସ୍ୟା ସୃଷ୍ଟି କରିପାରେ ବୋଲି ଆମେ ଭାବିପାରିବା ନାହିଁ । ହୁଏତ ଏହା ଦ୍ୱାରା ପୃଥିବୀ ଆଘାତ ଘଟଣାକୁ ଆମେ ଧ୍ୟାନ ମଧ୍ୟ ନ ଦେଇପାରୁ, କିନ୍ତୁ ଘଣ୍ଟା ପ୍ରତି ୧୮,୦୦୦ ମାଇଲ ଯାତ୍ରା କରୁଥିବା ଏହି କ୍ଷୁଦ୍ର କଣିକା କିଛି ଗୁରୁତର କ୍ଷତି ଘଟାଇପାରେ । ବାସ୍ତବରେ, ଅନେକ ସ୍ପେସ୍ ସଟଲ୍ ୱିଣ୍ଡୋକୁ ବଦଳାଇବା ଦ୍ୱାରା ସେଗୁଡିକ କିଛି ବସ୍ତୁ ଦ୍ୱାରା ଆଘାତ ପାଇ ନଷ୍ଟ ହୋଇ ପେଣ୍ଟ ଫ୍ଲେକ୍ସରେ ପରିଣତ ହୁଅନ୍ତି । କିନ୍ତୁ ଏହା ଏକ ବଡ ସମସ୍ୟା, କାରଣ ନାସା ମତରେ କ୍ଷୁଦ୍ରରୁ ଅତି କ୍ଷୁଦ୍ର ଆକାରର ଆବର୍ଜନା ମଧ୍ୟ ନିମ୍ନ ପୃଥିବୀ କକ୍ଷପଥରେ ମହାକାଶଯାନ ପାଇଁ ବିପଦ ସୃଷ୍ଟି କରିପାରେ ।

ସ୍ବାଭାବିକ ଭାବରେ, ବୃହତ ଆକାରର ସ୍ପେସ୍ ଆବର୍ଜନାଗୁଡ଼ିକର ଅଧିକ ସମସ୍ୟା ସୃଷ୍ଟି କରେ । ଉଦାହରଣ ସ୍ୱରୂପ, ୧୯୯୬ରେ, ଏକ ଫରାସୀ ଉପଗ୍ରହ ଦଶ ବର୍ଷ ପୂର୍ବେ ବିସ୍ଫୋରଣ ହୋଇଥିବା ଏକ ରକେଟ୍ ଦ୍ୱାରା ଆଘାତ ପାଇ କ୍ଷତିଗ୍ରସ୍ତ ହୋଇଥିଲା । ସେହିପରି ୨୦୦୯ରେ, ରୁଷିଆର ଏକ ମହାକାଶଯାନ ଆଉ ଏକ କାର୍ଯ୍ୟକ୍ଷମ ଆମେରିକୀୟ ବାଣିଜ୍ୟିକ ମହାକାଶଯାନ ସହିତ ମୁହାଁମୁହିଁ ଧକ୍କା ହୋଇ ୨୩୦୦ରୁ ଅଧିକ ଅତିରିକ୍ତ ଆବର୍ଜନା ସୃଷ୍ଟି କରିଥିଲା ।

ବଡ଼ ବଡ଼ ଆବର୍ଜନା ଖଣ୍ଡଗୁଡ଼ିକୁ ଚିହ୍ନଟ କରିବା ସମ୍ଭବ ହୋଇପାରୁଥିବାବେଳେ ଛୋଟ ଖଣ୍ଡଗୁଡ଼ିକୁ ଠିକରେ ଚିହ୍ନଟ କରି ହୁଏ ନାହିଁ । ବୈଜ୍ଞାନିକମାନେ ବଡ଼ ଆବର୍ଜନାଗୁଡିକ ସହ ଧକ୍କାକୁ ରୋକିବା ପାଇଁ କିଛି ପ୍ରଯତ୍ନ କରିପାରନ୍ତି ମାତ୍ର ଆଖପାଖରେ ରହିଥିବା ଛୋଟ ବର୍ଜ୍ୟବସ୍ତୁ ବିଷୟରେ ସେମାନେ ଅନ୍ଧାରରେ ରହିଯାନ୍ତି । ତେବେ ଟେକ୍ନୋଲୋଜିର ଦ୍ରୁତ ଅଗ୍ରଗତି ଦ୍ୱାରା ବର୍ଜ୍ୟବସ୍ତୁଗୁଡ଼ିକର ଛୋଟ ଛୋଟ ଖଣ୍ଡଗୁଡ଼ିକୁ ଟ୍ରାକ୍ କରିବା ସମ୍ଭବ ହୋଇପାରିବ, ଯାହାଦ୍ୱାରା କାର୍ଯ୍ୟକ୍ଷମ ମହାକାଶଯାନଗୁଡିକୁ ଆମେ ଯେକୌଣସି କ୍ଷତିରୁ ବଂଚାଇପାରିବା ।

ସମୟକ୍ରମେ ସ୍ପେସ୍ ଆବର୍ଜନା ସମସ୍ୟାକୁ ପରିଚାଳନା କରିବା ଅଧିକ ଚ୍ୟାଲେଞ୍ଜ ହେବାରେ ଲାଗିଛି । ଅତିରିକ୍ତ ଆବର୍ଜନାକୁ ହ୍ରାସ କରିବା ହେଉଛି ଏବେ ମୂଳ ଲକ୍ଷ୍ୟ କିନ୍ତୁ ଏଥିପାଇଁ ସମସ୍ତ ସ୍ପେସ - ଫାରିଙ୍ଗ ଦେଶଗୁଡିକ ଏଥିପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ଉଦାହରଣ ସ୍ୱରୂପ, ୨୦୦୭ରେ ଚୀନ୍ ଏକ ଉପଗ୍ରହ ବିରୋଧୀ ପରୀକ୍ଷଣ ଆରମ୍ଭ କରିଥିଲା ​​ଯେଉଁଠାରେ ସେମାନେ ଏକ ପୁରୁଣା ପାଣିପାଗ ଉପଗ୍ରହକୁ ନଷ୍ଟ କରିବା ପାଇଁ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲେ । ଏହାର ଫଳସ୍ୱରୂପ ମହାକାଶରେ ୩,୫୦୦ରୁ ଅଧିକ ଛୋଟ ବଡ଼ ଆବର୍ଜନା ଖଣ୍ଡ ସୃଷ୍ଟି ହୋଇଥିଲା । ଏହିପରି ମିଶନଗୁଡିକ କେବେ ବି ସ୍ଥାୟୀ ନୁହେଁ । ତେବେ ସ୍ପେସ୍ ଆବର୍ଜନା ସଫା କରିବା ପାଇଁ କୌଣସି ଆନ୍ତର୍ଜାତୀୟ ନିୟମ ନାହିଁ ।

Translated from Why Is There So Much Junk in Space?