ସାଧାରଣତଃ ଆମେମାନେ ଡଲ୍‌ଫିନ୍‌ ଦେଖିବାକୁ ଭଲପାଉ । କାରଣ ସେମାନେ ଜଳଚର ହୋଇ ମଧ୍ୟ ମଣିଷମାନଙ୍କ କଥା ବୁଝିପାରନ୍ତି । ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ ଯେ ଏମିତି କିପରି ସମ୍ଭବ ହେଉଛି । ଏହାକୁ ନେଇ ବୈଜ୍ଞାନିକମାନେ ଏକ ଗବେଷଣା କରିଛନ୍ତି ଯାହା ଜର୍ନାଲ ଅଫ କମ୍ପାରେଟିଭ ସାଇକୋଲୋଜିରେ ପ୍ରକାଶିତ ହୋଇଛି ।

ଆମେ ଜାଣୁ ଯେ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବରେ ପାଞ୍ଚଟି ଗୁଣ ଅନ୍ତର୍ନିହିତ ଥାଏ । ସେଗୁଡିକ ହେଲା ଖୋଲାପଣ, ମିତ୍ୟବ୍ୟୟିତା, ବିବେକ, ସହମତି ହେବାର ଗୁଣ ଏବଂ ସ୍ନାୟବିକ ବିକାଶ । ଯେତେବେଳେ ବ୍ୟକ୍ତିର କଥା ଆସେ, ତେବେ ସମସ୍ତଙ୍କ ବ୍ୟକ୍ତିତ୍ବରେ ବିଭିନ୍ନତା ପରିଲିଖିତ ହୋଇଥାଏ । ଯେପରିକି କିଛି ଲୋକ ମିଳିମିଶି ସମାଜରେ ରହିବାକୁ ପସନ୍ଦ କରୁଥିବାବେଳେ ଅନ୍ୟ କେହି କେହି ନିଃସଙ୍ଗ ରହିବାକୁ ପସନ୍ଦ କରିଥା’ନ୍ତି । ସେହିପରି ଆଉ କିଛି ଲୋକଙ୍କ ସ୍ୱଭାବ ରାଗୀ ହୋଇଥିବାବେଳେ ଆଉ କେହି କେହି ବହୁତ ଶାନ୍ତ ସ୍ୱଭାବର ହୋଇଥା’ନ୍ତି ।

ଡଲ୍‌ଫିନ୍‌ ଏକ ଜଳଜ ପ୍ରାଣୀ ହୋଇଥିବା ସତ୍ତ୍ୱେ ମନୁଷ୍ୟ ମଧ୍ୟରେ ଦେଖାଯାଉଥିବା ଗୁଣ ବିଶେଷ ସେମାନଙ୍କଠାରେ ଦେଖିବାକୁ ମିଳୁଛି ।

ଅନେକ ଲୋକ ସମାଜରେ ମିଳିମିଶି ରହିବାକୁ ପସନ୍ଦ କରୁଥିବା ବେଳେ ଅନ୍ୟ କେତେଜଣ ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି । ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ଆକର୍ଷିତ କରିଥାଏ, ଏବଂ ସେହି ଅନୁସାରେ ଆମ ଜୀବନଯାପନ ଶୈଳୀ ମଧ୍ୟ ଭିନ୍ନ ହୋଇଥାଏ । ଯଦି ଆମେ ଡଲ୍‌ଫିନ୍‌ ସହ ମନୁଷ୍ୟର ସାମଞ୍ଜସ୍ୟତାକୁ ଅବଲୋକନ କରିବା, ତେବେ ଏହି ନୂତନ ଅଧ୍ୟୟନରେ ଡଲ୍‌ଫିନ୍‌ ସମ୍ପର୍କରେ ଅଧିକ ତଥ୍ୟ ଜାଣିହେବ ।

ଜର୍ନାଲ ଅଫ କମ୍ପାରେଟିଭ ସାଇକୋଲୋଜିରେ ପ୍ରକାଶିତ ଏକ ସନ୍ଦର୍ଭ ଅନୁସାରେ ଡଲ୍‌ଫିନ୍‌ମାନେ ପରିବେଶ ପରିବର୍ତ୍ତନ ସହିତ ନିଜକୁ ଖାପ ଖୁଆଇ ଚଳିପାରନ୍ତି । ଏହାକୁ ନେଇ ପ୍ରାୟ ୧୩୪ଟି ଲମ୍ବା ମୁହଁ ପ୍ରଜାତି (ବୋତଲ୍‌ ନେକ୍‌) ଡଲ୍‌ଫିନ୍‌ ଉପରେ ଅନୁଧ୍ୟାନ କରାଯାଇଥିଲା ।

ଏହି ପରୀକ୍ଷଣ ସମୟରେ ଅନୁସନ୍ଧାକାରୀମାନେ ଜାଣିବାକୁ ପାଇଥିଲେ ଯେ, ଡଲ୍‌ଫିନ୍‌ ଏକ ଜଳଜ ପ୍ରାଣୀ ହୋଇଥିବା ସତ୍ତ୍ୱେ ମନୁଷ୍ୟ ମଧ୍ୟରେ ଦେଖାଯାଉଥିବା ଗୁଣ ବିଶେଷ ସେମାନଙ୍କଠାରେ ଦେଖିବାକୁ ମିଳୁଛି । ମଣିଷ ପରି ଡଲ୍‌ଫିନ୍‌ମାନେ ମଧ୍ୟ ନୂତନ ଜିନିଷ ଜାଣିବାକୁ କୌତୁହଳ ପ୍ରକାଶ କରିବା ଏବଂ ସମସ୍ତଙ୍କ ସହ ମିଳିମିଶି ରହିବା ପାଇଁ ପସନ୍ଦ କରିଥାନ୍ତି । ଏପରିକି ମଣିଷଙ୍କ ଭଳି ସେମାନଙ୍କଠାରେ ବୃହତ ମସ୍ତିଷ୍କ ରହିଛି, ଯାହା ଡଲ୍‌ଫିନ୍‌ମାନଙ୍କ ଭାବନା ଶକ୍ତିକୁ ସୁଦୃଢ କରିଥାଏ । ମସ୍ତିଷ୍କର ବିଶାଳତା ଅନୁଯାୟୀ ଲମ୍ବା ମୁହଁ (ବତଲ୍ ନେକ) ଡଲ୍‌ଫିନ୍‌ମାନେ ପ୍ରାଣୀ ସାମ୍ରାଜ୍ୟରେ ତୃତୀୟ ବୃହତ୍ ଏବଂ ଜଟିଳ ସାମାଜିକ ବ୍ୟବହାରକୁ ଶିଖିବାରେ ବହୁତ ପାରଙ୍ଗମ ଅଟନ୍ତି । ସେହିପରି ଅନେକ ଡଲ୍‌ଫିନ୍‌ ମଣିଷମାନଙ୍କ ଭଳି ସାମାଜିକ ବନ୍ଧନରେ ରହିବାକୁ ପସନ୍ଦ କରନ୍ତି ଓ ସେଥିପାଇଁ ସେମାନେ ସାମୁଦ୍ରିକ ଘାସରେ ନିଜକୁ ସଜେଇବା ପାଇଁ ଭଲ ପା'ନ୍ତି ।

ସାଧାରଣତଃ ମଣିଷ ନୂତନ ଜିନିଷ ବା ଘଟଣାକୁ ଜାଣିବାରେ ଜିଜ୍ଞାସା ପ୍ରକାଶ କରିଥାଏ । କୌଣସି ଘଟଣା ପଛର କାରଣକୁ ଜାଣିବାର ଇଚ୍ଛାକୁ ଆମେ କୌତୂହଳ ବୋଲି କହିଥାଉ। ବିଶେଷକରି ପ୍ରାଣୀମାନଙ୍କ ମଧ୍ୟରେ ରହିଥିବା ଉତ୍ସୁକତାକୁ ଉକ୍ତ ସନ୍ଦର୍ଭରେ ଅଧ୍ୟୟନ କରାଯାଇଥିଲା । ଏହି କୌତୁହଳ ପ୍ରାଣୀମାନଙ୍କ ମଧ୍ୟରେ ନୂତନ ବାସସ୍ଥାନ ଖୋଜିବା, ଖାଦ୍ୟ ଅନ୍ଵେଷଣ କରିବାର କୌଶଳ ଗୁଡିକ ଜାଗ୍ରତ କରାଇଥାଏ । ଏହି ଖୋଜିବାପଣ ହିଁ ସମ୍ପୃକ୍ତ ସ୍ଥାନରେ ଥିବା ବିପଦକୁ ଜାଣିବାରେ ସହାୟକ ହୋଇଥାଏ । ଏଥିପାଇଁ ଏହି ଖୋଜିବା କାର୍ଯ୍ୟରେ ଲୋକେ ନିଜକୁ ଯେତେ ସମାହିତ କରିଥାନ୍ତି, ସେତିକି ସଫଳତା ହାସଲ କରିବା ସହ ବିପଦକୁ ଆଡେଇ ଯାଇ ପାରିଥାନ୍ତି ।

ଆମେ ଜାଣୁ ଯେ ପ୍ରଥମ କରି କୌଣସି ଜିନିଷ ବିଷୟରେ ଖୋଜିଲାବେଳେ ଅନେକ ବିପଦର ସାମ୍ନା କରିବାକୁ ପଡି଼ଥାଏ । ଏହା ଡଲ୍‌ଫିନ୍‌ ମାନଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ହୋଇଥାଏ । କାରଣ ଏମାନେ ଯେତେବେଳେ ନୂତନ ଖାଦ୍ୟ ଅନ୍ଵେଷଣରେ ଯାଇଥାନ୍ତି, ସେତେବେଳେ ଅନେକ ଭୁଲବଶତଃ ମାଛ ଧରାଳି ଜାଲରେ ଫସିଯା'ନ୍ତି କିନ୍ତୁ ଅପେକ୍ଷାକୃତ ଲାଜକୁଳା ସ୍ଵଭାବର ଡଲ୍‌ଫିନ୍‌ମାନେ ଏଥିରୁ ବର୍ତ୍ତିଯାଇଥାନ୍ତି କାରଣ ସେମାନେ ଏହିପରି ନୂତନ କାମ କରିବାରେ ଅନେକ ପଛରେ ରହିଥାନ୍ତି ।

ଏହିଭଳି ପରିସ୍ଥିତିରେ ଚତୁର ଡଲ୍‌ଫିନ୍‌ମାନେ ଅଧିକ ସତର୍କ ହୋଇଥାନ୍ତି । ଏବଂ ସେମାନେ ସବୁବେଳେ ନୂତନ ଜିନିଷ ବା ଜାଗାକୁ ପରଖିବାକୁ ଲାଗିପଡନ୍ତି । କିନ୍ତୁ ଲାଜକୁଳା ସ୍ଵଭାବର ଡଲ୍‌ଫିନ୍‌ମାନେ ଏମାନଙ୍କୁ ଲକ୍ଷ୍ଯ କରିଥାନ୍ତି ଓ ସେଥିରୁ ସେମାନେ ଶିକ୍ଷା ଲାଭ କରିଥାନ୍ତି । ଏବଂ ସେମାନେ ତାଙ୍କ ପ୍ରତି ଆସୁଥିବା ବିପଦକୁ ଏଡାଇ ଯାଇଥାନ୍ତି । ଡଲ୍‌ଫିନ୍‌ମାନଙ୍କ କ୍ଷେତ୍ରରେ ଆଉ ଏକ ସ୍ଵଭାବ ଦେଖିବାକୁ ମିଳେ, ତାହା ହେଲା ମେଳାପୀ ସ୍ଵଭାବ । ଡଲ୍‌ଫିନ୍‌ମାନେ ବେଳେବେଳେ ହିଂସ୍ର ହୋଇଥିଲେ ମଧ୍ୟ ସେମାନେ ପ୍ରାୟ ୩୦ଜଣ ଏକାଠି ରହିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଥାଏ । ସେହିପରି କମ୍ ସଂଖ୍ୟାରେ ଡଲ୍‌ଫିନ୍‌ମାନେ ମଧ୍ୟ ଏକତ୍ର ରହୁଥିବା ଦେଖିବାକୁ ମିଳିଥିଲା । ଆହୁରି ମଧ୍ୟ ଚତୁର ଡଲ୍‌ଫିନ୍‌ମାନେ ଲାଜକୁଳା ଡଲ୍‌ଫିନ୍‌ମାନଙ୍କ ଅପେକ୍ଷା ମିଳାମିଶାକୁ ଅଧିକା ପସନ୍ଦ କରିଥାନ୍ତି, ଯାହା ତାଙ୍କୁ ବଂଶ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏମାନେ ଅନ୍ୟ ଡଲ୍‌ଫିନ୍‌ ଦଳମାନଙ୍କ ସହ ମଧ୍ୟ ମିଶିବାକୁ ପସନ୍ଦ କରିଥାନ୍ତି ଏବଂ ଚତୁର ଡଲ୍‌ଫିନ୍‌ମାନେ ବିଭିନ୍ନ ଡଲ୍‌ଫିନ୍‌ ଦଳମାନଙ୍କ ସହ ଯୋଗସୂତ୍ର ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ।